ମହା ‘ମୋଦୀ-ବିଭ୍ରାନ୍ତି’

0 204

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୋଦୟ ଶନିବାର କଟକ ସଭାରେ ଏନ୍‌ଡିଏ ସରକାରର ଚାରିବର୍ଷର ସଫଳତାର ଚିଠା ରଖିବା ଅବସରରେ ବିକାଶ ଓ ଉତ୍ତମ ଶାସନ ପ୍ରସଙ୍ଗରେ ତାଙ୍କର ଏକ ତତ୍ତ୍ୱ ମଧ୍ୟ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଦ୍ୱନ୍ଦ୍ୱ କି ବିଭ୍ରାନ୍ତି ନୁହେଁ; ପ୍ରତିଶ୍ରୁତିବଦ୍ଧତା, ନିଷ୍ଠା ହେଉଛି ବିକାଶ ଓ ଉତ୍ତମ ଶାସନର ମୂଳମନ୍ତ୍ର। ତେବେ ଯେତେବେଳେ ଭାଷଣର ଶେଷ ଆଡ଼କୁ ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ତଥା ଓଡ଼ିଶାବାସୀଙ୍କ ଭାବାବେଗ ସହ ଯୋଡ଼ି ହୋଇଥିବା ମହାନଦୀ ପ୍ରସଙ୍ଗ ଆସିଲା, ପ୍ରଧାନମନ୍ତ୍ରୀ ମହୋଦୟ ତାଙ୍କର ଏହି କୌଶଳକୁ ଓଲଟା ପ୍ରୟୋଗ କରିଦେଲେ। ମହାନଦୀ ବିବାଦର କେମିତି ସମାଧାନ ହେବ, ଓଡ଼ିଶାର ସ୍ୱାର୍ଥ କିଭଳି ସୁରକ୍ଷିତ ରହିବ ସେ ନେଇ ତ କୌଣସି ପ୍ରତିଶ୍ରୁତି ଦେଲେ ନାହିଁ କି ଭାଷଣରେ ନିଷ୍ଠାର ବାସ୍ନା ମିଳିଲା ନାହିଁ, ବରଂ ବିଭ୍ରାନ୍ତି ସୃଷ୍ଟି ଲାଗି ଏ ଅବସରର ସେ ଭରପୂର ଉପଯୋଗ କଲେ। ମହାନଦୀ ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ବିଜେଡିର କେନ୍ଦ୍ର ବିରୋଧୀ ଅଭିଯାନର ପାଲଟା ଜବାବ ସ୍ୱରୂପ ବିଭ୍ରାନ୍ତି ସୃଷ୍ଟି ଏକ ରାଜନୈତିକ କୌଶଳ ହୋଇପାରେ, କିନ୍ତୁ ଦେଶର ଶାସନ ମୁଖ୍ୟଙ୍କ ସମ୍ବିଧାନ, ଆଇନ ଓ ସଂଘୀୟ ବ୍ୟବସ୍ଥା ପ୍ରତି ନିଷ୍ଠା କିମ୍ବା ପ୍ରତିଶ୍ରୁତିବଦ୍ଧତାର ଏହା କଦାପି ଏକ ପରିଚୟ ନୁହେଁ।

ଆହୁରି ଉଦ୍‌ବେଗର ବିଷୟ ହେଲା, ରାଜନୈତିକ ପ୍ରତିପକ୍ଷଙ୍କ ବିରୋଧରେ ବିଭ୍ରାନ୍ତି ସୃଷ୍ଟିକୁ ଆୟୁଧ ଭାବେ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଭୁଲ ତଥ୍ୟର ଆଶ୍ରୟ ନେଲେ, ଯାହା ଦେଶର ସର୍ବୋଚ୍ଚ ଶାସନକର୍ତ୍ତାଙ୍କ ଠାରୁ ଆଶା କରାଯାଏ ନାହିଁ। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇବା ଲାଗି ପ୍ରଧାନମନ୍ତ୍ରୀ ମହୋଦୟ ମହାନଦୀ କୂଳରେ ଆୟୋଜିତ ଏହି ସଭାରେ ତିନିଟି ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଥମ- ରାଜ୍ୟ ସରକାର ଖୋଦ୍‌ ସ୍ୱୀକାର କରିଛନ୍ତି ଯେ, ମହାନଦୀରେ ପ୍ରବାହିତ ହେଉଥିବା ପାଣିରୁ ଅଧା ଉପଯୋଗ ହେଉଥିବା ବେଳେ, ଅବଶିଷ୍ଟ ଅଧା ଜଳ ସମୁଦ୍ରକୁ ବୋହିଯାଇ ନଷ୍ଟ ହେଉଛି। ଦ୍ୱିତୀୟ, ଆପୋସ ବୁଝାମଣା ଜରିଆରେ ବିବାଦର ସମାଧାନ ଲାଗି ଉଦ୍ୟମରେ ରାଜ୍ୟ ସହଯୋଗ କଲେ ନାହିଁ, ଏପରିକି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କାରୀଙ୍କ ଆପୋସ କଥାବାର୍ତ୍ତା ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଗଲା। ତୃତୀୟ, ରାଜ୍ୟ ସରକାର ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ମଧ୍ୟ ଚାହୁଁ ନଥିଲେ। ପ୍ରଥମ ତଥ୍ୟ ଆଂଶିକ ସତ୍ୟ ହୋଇଥିବା ବେଳେ ଦ୍ୱିତୀୟ ତଥ୍ୟ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ। ତୃତୀୟ ତଥ୍ୟ ସଂପୂର୍ଣ୍ଣ ଭୁଲ ଓ ମିଥ୍ୟାଶ୍ରିତ।

ମହାନଦୀରେ ପ୍ରବାହିତ ଜଳ ରାଶିରୁ ଅଧା ଉପଯୋଗ ହୋଇପାରୁ ନାହିଁ। ଉପରମୁଣ୍ଡରେ ଅବିଚାରିତ ବନ୍ଧ ନିର୍ମାଣ କରି ମହାନଦୀରେ ଜଳ ପ୍ରବାହକୁ ପ୍ରଭାବିତ କରିଥିବା ବିଜେପି ଶାସିତ ଛତିଶଗଡ଼କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ବିଜେପି ନେତାମାନେ ଏହି ତଥ୍ୟ ଉପସ୍ଥାପନ କରି ଆସୁଛନ୍ତି। ଏପରିକି, ପ୍ରଧାନମନ୍ତ୍ରୀଙ୍କ ସଭାର ପୂର୍ବଦିନ ଦଳର ଜାତୀୟ ମୁଖପାତ୍ର ସମ୍ବାଦଦାତାଙ୍କ ଆଗରେ ଏହି ତଥ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ମୁହଁରେ ପୁରୁଣା ପାଠର ପୁନରାବୃତ୍ତି ଭଳି ଏହି ପୁରୁଣା ତଥ୍ୟ ଦୋହରାଇବା କ’ଣ ବାର୍ତ୍ତା ଦେଉଛି? ଓଡ଼ିଶା ତ ଜଳର ପୂରା ଉପଯୋଗ କରିପାରୁ ନାହିଁ, ତେଣୁ ଛତିଶଗଡ଼ ଯଦି ପାଣି ରୋକିଲା ସେଥିରେ ସମସ୍ୟା ରହିଲା କେଉଁଠି? ଏହା ସତ ଯେ ମହାନଦୀ ଜଳ ସର୍ବାଧିକ ବିନିଯୋଗ କରିବାରେ ଓଡ଼ିଶା ସଫଳ ହୋଇନାହିଁ। ମହାନଦୀ ଜଳ ସଂରକ୍ଷଣ ଓ ଉପଯୋଗ ପାଇଁ ହୀରାକୁଦର ତଳମୁଣ୍ଡରେ ଏକାଧିକ ବନ୍ଧ/ବ୍ୟାରେଜ୍‌ ନିର୍ମାଣ ପ୍ରସ୍ତାବ ଉଠିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। କିନ୍ତୁ ଏଠାରେ ମହାନଦୀରେ ବର୍ଷସାରା ପ୍ରବାହିତ ଜଳର କେତେ ଭାଗ ଉପଯୋଗ ହେଉଛି ଓ କେତେ ପରିମାଣ ନଷ୍ଟ ହେଉଛି ତାହା ପ୍ରଶ୍ନ ନୁହେଁ, ପ୍ରଶ୍ନ ହେଲା ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ଯୋଗୁଁ ଅଣ-ମୌସୁମୀ ଋତୁରେ ଓଡ଼ିଶା ଭାଗର ମହାନଦୀରେ ପାଣି ଆସିବ କୁଆଡୁ? ଛତିଶଗଡ଼ ବନ୍ଧ ଯୋଗୁ ଯେ, ଅଣ-ମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ କ୍ରମାଗତ ଭାବେ କମି ଚାଲିଛି, ହୀରାକୁଦରେ ଜଳସ୍ତର ଖସି ଚାଲିଛି, ଏହା ଜୀବନ-ଜୀବିକାକୁ ପ୍ରଭାବିତ କରିଛି; ଏହା ଏକ ନିଷ୍ଠୁର ବାସ୍ତବତା। ବିଜେପି ନେତାମାନେ ରାଜନୈତିକ କାରଣରୁ ଏହି ବାସ୍ତବତା ପ୍ରତି ଆଖିବୁଜି ଦେଇ ପାରନ୍ତି। ପ୍ରଧାନମନ୍ତ୍ରୀ ମହୋଦୟ କିନ୍ତୁ ଏହି ବାସ୍ତବତାକୁ ଅଣଦେଖା କରିବା ସମ୍ବିଧାନ ଓ ଆଇନ ପ୍ରତି ତାଙ୍କର ପ୍ରତିଶ୍ରୁତିବଦ୍ଧତା, ନିଷ୍ଠା ଏବଂ ନିରପେକ୍ଷତା ପ୍ରତି ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ମହୋଦୟ ନିଜ ରାଜନୈତିକ ସୁବିଧା ଅନୁଯାୟୀ ତଥ୍ୟର ଉପଯୋଗ କରି ଓଡ଼ିଶା ଉପରକୁ ଦୋଷ ଠେଲିଲେ, ଅଥଚ ଛତିଶଗଡ଼ର ଦାଦାଗିରି ଯୋଗୁ ଅଣ-ମୌସୁମୀ ଋତୁରେ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଥିବା ବିଷୟକୁ ଅଣଦେଖା କଲେ। ଗୋଟିଏ ପକ୍ଷରେ ଏହା ଦଳୀୟ ସରକାର ଥିବା ଛତିଶଗଡ଼ର ପକ୍ଷପାତିତା ଓ ଅନ୍ୟପକ୍ଷରେ ଓଡ଼ିଶା ପ୍ରତି ପାତରଅନ୍ତରମୂଳକ ଆଭିମୁଖ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସମ୍ଭବତଃ, ମହାନଦୀ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବିଜେପିର ନେତା ଭୂମିକାରୁ ମୁକୁଳି ପାରୁନାହାନ୍ତି। ଦେଶର ସର୍ବୋଚ୍ଚ ଶାସନକର୍ତ୍ତାଙ୍କ ଏ ପକ୍ଷପାତପୂର୍ଣ୍ଣ ନୀତି ସଂଘୀୟ ଶାସନ ବ୍ୟବସ୍ଥା ପାଇଁ ଆଦୌ ଶୁଭଙ୍କର ନୁହେଁ।

ଦ୍ୱିତୀୟ ତଥ୍ୟ, ଆପୋସ ସମାଧାନ ନେଇ ଓଡ଼ିଶା ସରକାର ସହଯୋଗ କଲେ ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ଏହା ଭୁଲିଗଲେ ଯେ, ସହଯୋଗ କେବେ ଏକପାଖିଆ ହୁଏ ନାହିଁ। ଶୂନ୍ୟରେ ଆପୋସ କଥାବାର୍ତ୍ତା ସମ୍ଭବ ନୁହେଁ। ଏଥିପାଇଁ ଉଭୟ ପକ୍ଷର ପାରସ୍ପରିକ ସହଯୋଗ ଲୋଡ଼ା। ଦୁଇ ପକ୍ଷ ମଧ୍ୟରେ ପାରସ୍ପରିକ ସହଯୋଗ, ସଦିଚ୍ଛା ଆଲୋଚନା ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରେ ଏବଂ ସମାଧାନର ବାଟ ଫିଟାଏ। ଆପୋସ ସମାଧାନ ଲାଗି ସଦିଚ୍ଛା ଓ ସହଯୋଗର ବାତାବରଣ ତଆରି ନହେବା ପଛରେ ଓଡ଼ିଶାର ଅସହଯୋଗ ନୁହେଁ, ପ୍ରତିପକ୍ଷ ଛତିଶଗଡ଼ର ଦାଦାଗିରି ଅଧିକ ଦାୟୀ। ଅର୍ଥପୂର୍ଣ୍ଣ କଥାବାର୍ତ୍ତା ଲାଗି ଓଡ଼ିଶାର ପ୍ରସ୍ତାବ ଥିଲା, ପ୍ରଥମେ ଛତିଶଗଡ଼ ଉପରମୁଣ୍ଡରେ ନିର୍ମାଣାଧୀନ ବନ୍ଧ ଗୁଡ଼ିକର ନିର୍ମାଣ କାର୍ଯ୍ୟ ବନ୍ଦ କରୁ।

୨୦୧୬ ସେପ୍‌ଟେମ୍ବରରେ ମହାନଦୀ ନେଇ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମାଭାରତୀଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ଛତିଶଗଡ଼-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବୈଠକରୁ ଆରମ୍ଭ କରି ଗତ ଜାନୁଆରି, ୨୦୧୮ରେ ନୂଆ ଜଳସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କାରୀଙ୍କ ସହ ଓଡ଼ିଶା ସାଂସଦମାନଙ୍କ ବୈଠକ ପର୍ଯ୍ୟନ୍ତ ଓଡ଼ିଶା ଏହି ପ୍ରସ୍ତାବ ଦେଇ ଆସିଛି। କିନ୍ତୁ ଛତିଶଗଡ଼ ସେଥିପ୍ରତି କର୍ଣ୍ଣପାତ କରିନାହିଁ କି କେନ୍ଦ୍ର ସରକାର ମଧ୍ୟ ଛତିଶଗଡ଼କୁ ବନ୍ଧ ନିର୍ମାଣ ଅନ୍ତତଃ ସାମୟିକ ଭାବେ ସ୍ଥଗିତ ଲାଗି ମନାଇବା ସକାଶେ ନିଜର ସଦିଚ୍ଛା କିମ୍ବା କର୍ତ୍ତୃତ୍ୱର ବ୍ୟବହାର କରିନାହାନ୍ତି। ଏଥିରେ କେବଳ ଓଡ଼ିଶାକୁ ଅସହଯୋଗ ପାଇଁ ଦୋଷୀ କରିବା ଏବଂ ଛତିଶଗଡ଼ ନେଇ ନିରବ ରହିବା କ’ଣ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପ୍ରତି ଇଙ୍ଗିତ କରୁନାହିଁ? ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ଆପୋସ ସମାଧାନ ପାଇଁ ଗଡ଼କାରୀଙ୍କ ପ୍ରୟାସ ବିଷୟ ଉଲ୍ଲେଖ କରିଥିଲେ। କିନ୍ତୁ ଗଡ଼କାରୀ ପ୍ରସ୍ତାବ ଦେବା ବେଳକୁ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶାର ଅନୁରୋଧ ଉପରେ ଆନ୍ତଃ-ରାଜ୍ୟ ଜଳ ବିବାଦ ସମାଧାନ ଆଇନ ଅନୁଯାୟୀ ନିର୍ଦ୍ଧାରିତ ଏକ ବର୍ଷର ମିଆଦ ପୂରି ଯାଇ ସାରିଥିଲା। ତଥାପି ଓଡ଼ିଶା ସାଂସଦମାନେ ଆଲୋଚନାକୁ ଯାଇଥିଲେ। କିନ୍ତୁ ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଛତିଶଗଡ଼ ସରକାରଙ୍କୁ ଗଡ଼କାରୀ ପ୍ରଭାବିତ କରି ନ ପାରିବାରୁ ଆଲୋଚନା ନିଷ୍ଫଳ ହୋଇଥିଲା। ଉଲ୍ଲେଖନୀୟ ଯେ, ଗଡ଼କାରୀଙ୍କ ସହ ଓଡ଼ିଶା ସାଂସଦଙ୍କ ଆଲୋଚନାର ମାସକ ପରେ ଓଡ଼ିଶାର ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତୃତୀୟ ତଥ୍ୟ- ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିବା ବିଷୟରେ ମୋଦୀ ଯାହା କହିଲେ ତାହା ସଂପୂର୍ଣ୍ଣ ମିଥ୍ୟାଶ୍ରିତ। ବରଂ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ଟାଳଟୁଳ କରି ସମୟ ଗଡ଼ାଇ ଚାଲିଥିଲେ, ଯାହା ଛତିଶଗଡ଼କୁ ସୁହାଉଥିଲା। ଓଡ଼ିଶାର ଅନୁରୋଧ ଉପରେ ସଂସଦରେ ଟ୍ରିବ୍ୟୁନାଲ ଗଠନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା ମଧ୍ୟ କରିଥିଲେ। ପରେ କିନ୍ତୁ ମତ ବଦଳାଇ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି କୋର୍ଟଙ୍କୁ ଜଣାଇଥିଲେ। ଶେଷରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଛାଟ ପରେ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ କରିଛନ୍ତି ସିନା ଟର୍ମ ଅଫ୍‌ ରେଫରେନ୍‌ସ ନେଇ ସ୍ପଷ୍ଟତା ନାହିଁ କି ଟ୍ରିବ୍ୟୁନାଲ କାର୍ଯ୍ୟ ଆରମ୍ଭ ହୋଇନାହିଁ।

ବାସ୍ତବତାର ଏହି ପୃଷ୍ଠଭୂମିରେ ଶନିବାର କଟକ ସଭାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବୟାନର ଏକମାତ୍ର ଉଦ୍ଦେଶ୍ୟ ବିଭ୍ରାନ୍ତି ସୃଷ୍ଟି ଛଡ଼ା ଆଉ କ’ଣ ହୋଇପାରେ? ଏହା ସ୍ୱତଃ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପ୍ରତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାର ଓ ଓଡ଼ିଶା ପାଇଁ ‘୧୨୦ ମିସନ’ର ନକ୍‌ସା ପ୍ରସ୍ତୁତ କରିଥିବା ବିଜେପିର ନିଷ୍ଠାକୁ ସନ୍ଦିଗ୍ଧ କରି ଦେଉଛି। ପ୍ରତିପକ୍ଷ ବିରୋଧରେ ରାଜନୈତିକ ଲଢ଼େଇ ପାଇଁ ମୋଦୀ ମହାଶୟଙ୍କ ଏହି ‘ବିଭ୍ରାନ୍ତି ମନ୍ତ୍ର’ ରାଜ୍ୟ ବିଜେପିକୁ ଉତ୍ସାହିତ କରିଥାଇପାରେ, କିନ୍ତୁ ରାଜ୍ୟବାସୀଙ୍କୁ ହତାଶ କରିଛି। ଏହା ଦ୍ୱାରା ରାଜନୀତିକ ଲଢ଼େଇ ଘମାଘୋଟ ହେବ, ବିବାଦ ଘନେଇବ ସିନା, ସମାଧାନର କ’ଣ ବାଟ ଫିଟିବ? ମନେହୁଏ, ମୋଦୀ ମହୋଦୟ ଚାରିବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ସୁଦ୍ଧା ରାଷ୍ଟ୍ରର ନେତା ହୋଇ ପାରି ନାହାନ୍ତି, ବିଜେପିର ଦଳୀୟ ନେତା ହୋଇ ରହିଯାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.