ମେଜାଜ୍‌ର ତାତି

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ବିଗତ ଚାରିବର୍ଷ ମଧ୍ୟରେ ଯେଉଁ କେତେକ ଦୀର୍ଘକାଳୀନ ଅର୍ଥନୈତିକ ସଂସ୍କାର ପଦକ୍ଷେପ ନେଇଛି, ସେ ମଧ୍ୟରେ ବୋଧହୁଏ ସର୍ବୋତ୍ତମ ହେବ ୨୦୧୬ରେ ପ୍ରଣୟନ କରାଯାଇଥିବା ‘ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌’(ଆଇବିସି), ଯାହା ଋଣଗ୍ରସ୍ତ ଦେବାଳିଆ କମ୍ପାନିମାନଙ୍କର ପୁନରୁଦ୍ଧାରରେ ସହାୟକ ହେବା ସହିତ ସେମାନଙ୍କୁ ଋଣ ପ୍ରଦାନ କରି ବିଶାଳ ଆକାରର ‘ଏନ୍‌ପିଏ’ ବା ଖରାପ ଋଣ ବୋଝ ତଳେ ଚାପି ହୋଇଥିବା ବ୍ୟାଙ୍କ୍‌ମାନଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିବା ପାଇଁ ଉଦ୍ଦିଷ୍ଟ। ଏହି ଆଇନର ଟିକିନିଖି ଆଲୋଚନା ନକରି, ସେ ବିଷୟରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଦେବାଳିଆ ରୁଗ୍‌ଣ କମ୍ପାନିମାନଙ୍କୁ ନିଲାମ ମାଧ୍ୟମରେ ଆଗ୍ରହୀ ନିବେଶକମାନଙ୍କୁ ବିକ୍ରି କରାଯାଇ ଉପଲବ୍‌ଧ ଅର୍ଥ ଦ୍ୱାରା ଋଣଦାତାମାନଙ୍କର ଋଣ ପରିଶୋଧ କରାଯିବ। ଅବଶ୍ୟ ଋଣଦାତାମାନେ ଅର୍ଥାତ୍‌ ମୁଖ୍ୟତଃ ବ୍ୟାଙ୍କ୍‌ମାନଙ୍କୁ ସେମାନଙ୍କର ମୋଟ ସମୂଳସୁଧ ପ୍ରାପ୍ୟରୁ କିଛି ଅଂଶ ହରାଇବାକୁ ପଡ଼ିବ, ଯାହା ‘ହେଆର୍‌ କଟ୍‌’ ବା ବାଳକଟା ନାମରେ ପରିଚିତ। ଦେବାଳିଆ କମ୍ପାନିର ପୁରୁଣା ମାଲିକ କିମ୍ବା ଅନ୍ୟ କୌଣସି ଋଣଗ୍ରସ୍ତ ବ୍ୟକ୍ତି ବା ସଂସ୍ଥା ନିଲାମରେ ଅଂଶ ଗ୍ରହଣ କରିପାରିବେ ନାହିଁ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏ ସମସ୍ତ ପ୍ରକ୍ରିୟା ସମୟବଦ୍ଧ ଭାବରେ ସମାପ୍ତ ହେବ- ଆଇନ ଅନୁସାରେ ୯ ମାସ ବା ୨୭୦ ଦିନ ମଧ୍ୟରେ।

ଏହି ସଂସ୍କାର ଉଦ୍ୟମକୁ ଫଳବତୀ କରିବା ପାଇଁ ୨୦୧୬ ଠାରୁ ଦୁଇଟି ଅର୍ଧନ୍ୟାୟିକ ସଂସ୍ଥା କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି- ନେସନାଲ୍‌ କମ୍ପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି) ଏବଂ ନେସନାଲ୍‌ କମ୍ପାନି ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି)। ପ୍ରାୟ ୪୮,୦୦୦ କୋଟି ଟଙ୍କା ମୂଲ୍ୟର ପରିସମ୍ପତ୍ତି ବିଶିଷ୍ଟ ଦେଶର ଏକ ପ୍ରମୁଖ ଇସ୍ପାତ ନିର୍ମାତା ‘ଏସାର୍‌ ଷ୍ଟିଲ୍‌’ ହେଉଛି ଏହିପରି ଏକ ଦେବାଳିଆ କମ୍ପାନି ଯାହାର ‘ଆଇବିସି’ ଅନୁଯାୟୀ ନିଲାମ ଓ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରମ୍ଭ ହୋଇଛି କହିଲେ ଭୁଲ ହେବ, କାରଣ ଉପରୋକ୍ତ ୨୭୦ ଦିନ ସମୟ ସୀମା ଅନୁସାରେ ଗତ ଏପ୍ରିଲ୍‌ ୨୮ ତାରିଖ ମଧ୍ୟରେ ସମଗ୍ର ପ୍ରକ୍ରିୟା ସମାପ୍ତ ହୋଇସାରିଥିବା କଥା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ମଙ୍ଗଳବାର ଦିନ ‘ଏନ୍‌ସିଏଲ୍‌ଏଟି’ରେ ‘ଏସାର୍‌ ଷ୍ଟିଲ୍‌’ ସମ୍ପର୍କିତ ମାମଲାମାନଙ୍କର ଶୁଣାଣି ଚାଲିବା ଦେଖାଯାଇଛି। ତାହା ପୁଣି ଏବେ ବି ଘଟିବାର ନଥିଲା; ଆସନ୍ତା ଜୁଲାଇ ୨୩ ତାରିଖରେ ତାହାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ୍‌ର ମାନ୍ୟବର ବିଚାରପତି ଏସ୍‌ଜେ ମୁଖୋପାଧ୍ୟାୟ ପ୍ରଥମେ ଦିନ ଧାର୍ଯ୍ୟ କରିଥିଲେ। ଋଣଦାତାମାନେ ଏପରି ବିଳମ୍ବ ବିରୁଦ୍ଧରେ ପ୍ରତିବାଦ କରି ଆବେଦନ କରିବାରୁ ଯାଇ ଟ୍ରିବ୍ୟୁନାଲ ମଙ୍ଗଳବାର ଶୁଣାଣି କରିଛନ୍ତି। ଏଠାରେ ଏହା ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ ଟ୍ରିବ୍ୟୁନାଲ୍‌ ପ୍ରଥମେ ଏପ୍ରିଲ୍‌ ୨୮ ତାରିଖ ସମୟ ସୀମାକୁ ଏକ ମାସ ଘୁଞ୍ଚାଇ ଦେଇ ମେ’ ୨୮ କରି ଦେଇଥିଲେ।

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଜୁନ୍‌ ପହିଲା ତାରିଖଠାରୁ ଏକମାସରୁ ଅଧିକ କାଳ ପାଇଁ ଟ୍ରିବ୍ୟୁନାଲ୍‌ ଖରା ଛୁଟି ପାଇଁ ବନ୍ଦ ରହିବ। ଜୁଲାଇ ୨୩ରୁ ନିଲାମରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଦୁଇ କମ୍ପାନି- ଆର୍ସେଲର୍‌ ମିତ୍ତଲ ଏବଂ ନ୍ୟୁମେଟାଲ୍‌-ଙ୍କର ଆବେଦନମାନଙ୍କର ଦୈନିକ ଶୁଣାଣି ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଉଭୟ ପକ୍ଷରୁ ଦେଶର ଦୁଇ ପ୍ରସିଦ୍ଧ ଓକିଲ- ହରୀଶ୍‌ ସାଲଭେ ଓ ମୁକୁଲ ରୋହତାଗି ଅଦାଲତରେ ବାଦୀ ପାଲାରେ ଅବତୀର୍ଣ୍ଣ ହେବେ। ଶୁଣାଣି କେତେ ଦିନ ବା କେତେ ମାସ ଧରି ଚାଲିବ, କିଏ କହିବ? ଋଣଦାତାମାନଙ୍କ ପକ୍ଷରୁ ଟ୍ରିବ୍ୟୁନାଲରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କହିଛି ଯେ ସମାଧାନ ପାଇଁ ସେମାନେ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହେବା ପର ଠାରୁ ଏ ଭିତରେ ସୁଧ ବୋଝରେ ଅତିରିକ୍ତ ୫,୦୦୦ କୋଟି ଟଙ୍କାର ବୃଦ୍ଧି ଘଟି ସାରିଲାଣି। ବାସ୍ତବରେ ‘ଆଇବିସି’ ଏବଂ ‘ଏନ୍‌ସିଏଲ୍‌ଟି’ର ଆବିର୍ଭାବରେ ଯଦି କେହି ସବୁଠାରୁ ଅଧିକ ଖୁସି ହୋଇଥାନ୍ତି ସେମାନେ ହେଉଛନ୍ତି ଖରାପ ଋଣ ପଙ୍କରେ ବୁଡ଼ିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନେ। ପୂର୍ବ ବ୍ୟବସ୍ଥା ଏପରି ଥିଲା ଯେ ଋଣ ଖିଲାପକାରୀ କମ୍ପାନିମାନଙ୍କ ଠାରୁ ଋଣ ଆଦାୟ କରିବା ସେମାନଙ୍କ ପକ୍ଷରେ ଏକ ପ୍ରକାର ଅସମ୍ଭବ ଥିଲା। ଆମର କାଳକ୍ଷେପଣପ୍ରବଣ ନ୍ୟାୟିକ ବ୍ୟବସ୍ଥା ଥିଲା ଏହାର ଅନ୍ୟତମ ମୁଖ୍ୟ କାରଣ। ଏନ୍‌ସିଏଲ୍‌ଟି ଓ ସୁଦକ୍ଷ ପେସାଦାର ବିଶେଷଜ୍ଞମାନଙ୍କ ଉପସ୍ଥିତି ପୂର୍ବ ପରିସ୍ଥିତିରେ ସୁଧାର ଆଣି ଋଣଦାତାମାନଙ୍କୁ ତୁରନ୍ତ ଋଣ ଫେରି ପାଇବାରେ (ଅନ୍ତତଃ କିୟଦଂଶ) ସହାୟକ ହେବ ବୋଲି ସେମାନେ ଆଶା ବାନ୍ଧି ବସିଥିଲେ। ସେହିପରି ନିବେଶକମାନେ ମଧ୍ୟ ଆଶା ବାନ୍ଧି ବସିଥିଲେ ଯେ ଏକ ରୁଗ୍‌ଣ ଶିଳ୍ପକୁ ଅପେକ୍ଷାକୃତ ଶସ୍ତାରେ କ୍ରୟ କରି ଦକ୍ଷ ପରିଚାଳନା ଓ ସଂସ୍କାର ମାଧ୍ୟମରେ ସେଗୁଡ଼ିକର ପୁନରୁଦ୍ଧାର କରି ପୁଣି ଲାଭଜନକ କରାଇପାରିବେ। ଦେଶର ଅର୍ଥନୀତି ପାଇଁ ଏ ଉଭୟ ସମ୍ଭାବନାର ପ୍ରଭାବ ଯେ ଅତ୍ୟନ୍ତ ମଙ୍ଗଳପ୍ରଦ, ତାହା ବୁଝାଇବା ଅନାବଶ୍ୟକ।

ଏବେ କିନ୍ତୁ ଏସାର୍‌ ଷ୍ଟିଲ୍‌ ଘଟଣାରେ ଯାହା ଦେଖାଗଲାଣି, ‘ଏନ୍‌ସିଏଲ୍‌ଟି’ ଏବଂ ‘ଏନ୍‌ସିଏଲ୍‌ଏଟି’କୁ ନ୍ୟାୟିକ ମୁଖ୍ୟସ୍ରୋତରୁ ଅଲଗା କରି ସ୍ଥାପନ କରାଯାଇଥିଲେ ମଧ୍ୟ ସେଥିରେ ଅବସ୍ଥାପିତ ବିଚାରପତିମାନେ ନିଜ ସାଙ୍ଗରେ ସେଇ କୁଖ୍ୟାତ କାଳକ୍ଷେପଣ ସଂସ୍କୃତି ଧରି ଆସିଛନ୍ତି। ଉଦାହରଣ ସ୍ୱରୂପ ଯେଉଁ ଆଇନ ବଳରେ ଏ ଦୁଇ ଟ୍ରିବ୍ୟୁନାଲ ସୃଷ୍ଟି ହୋଇଛି, ସେଥିରେ ସେମାନଙ୍କ ପାଇଁ କୌଣସି ସଂକ୍ଷିପ୍ତ ଗ୍ରୀଷ୍ମ ଅବକାଶର ବ୍ୟବସ୍ଥା ମଧ୍ୟ ନାହିଁ, ମାସାଧିକ କାଳ ଖରାଛୁଟି ଦୂରେ ଥାଉ। କିନ୍ତୁ ବର୍ତ୍ତମାନ ଆମେ ଦେଖୁଛୁ ‘ଏନ୍‌ସିଏଲ୍‌ଏଟି’ ଆପଣାଛାଏଁ ଏକ ଦୀର୍ଘ ଗ୍ରୀଷ୍ମ ଅବକାଶ ଉପଭୋଗ କରିବାକୁ ବାହାରି ପଡ଼ିଥିବା ବେଳେ, ଗ୍ରୀଷ୍ମର ଯନ୍ତ୍ରଣା ଭୋଗ କରିବାକୁ କାହାକୁ ଯଦି ପ୍ରକୃତରେ ପଡୁଥାଏ, ସେମାନେ ହେଉଛନ୍ତି ଋଣ ଫେରସ୍ତକୁ ଚାତକ ପରି ଚାହିଁ ବସିଥିବା ‘ଏସାର୍‌ ଷ୍ଟିଲ୍‌’ର ଋଣଦାତା ବ୍ୟାଙ୍କ୍‌ମାନେ।

ଏମିତିରେ ଦେଖିଲେ ବର୍ତ୍ତମାନ ଯୁଗରେ ଗ୍ରୀଷ୍ମ ଅବକାଶ ହେଉଛି ସମୟର ମୋଡ଼ରେ ଅଟକି ଯାଇଥିବା ଅଚଳ ପଇସା ଭଳି ଏକ ଅଚଳ ବ୍ୟବସ୍ଥା। ହୁଏତ ଅର୍ଧଶତାବ୍ଦୀ ତଳେ କିମ୍ବା ତହିଁ ପୂର୍ବରୁ ବେଣା ଚେର ପର୍ଦ୍ଦା କିମ୍ବା ପଙ୍ଖାକୁ ଆଶ୍ରୟ କରି ଗ୍ରୀଷ୍ମର ମୁକାବିଲା କରିବାକୁ ପଡୁଥିବା ବିଚାରପତିମାନେ ଗରମ ମେଜାଜରେ ନ୍ୟାୟ ପ୍ରଦାନ ସମ୍ଭବ ନୁହେଁ ମନେ କରି ଗ୍ରୀଷ୍ମ ମାସରେ ବିଚାର କାର୍ଯ୍ୟ ବନ୍ଦ କରି ଦେଉଥିଲେ। କିନ୍ତୁ ଶୀତତାପ ନିୟନ୍ତ୍ରିତ ବାସଭବନରୁ ବାହାରି, ଶୀତତାପ ନିୟନ୍ତ୍ରିତ ଗାଡ଼ିରେ ବସି ଯାତ୍ରା କରି, ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ବିଭିନ୍ନ ପ୍ରକାର ସହାୟକଙ୍କ ସେବା ଲାଭ କରୁଥିବା ଆଜିର ବିଚାରପତିମାନଙ୍କ ପାଇଁ ଗ୍ରୀଷ୍ମକାଳରେ ମଧ୍ୟ ମେଜାଜ୍‌ ସମ୍ପୂର୍ଣ୍ଣ ଥଣ୍ଡା ରଖି ନ୍ୟାୟ ପ୍ରଦାନ କରିବାରେ ଅସୁବିଧା କେଉଁଠି?

ସମ୍ବନ୍ଧିତ ଖବର