ବ୍ୟାଙ୍କରେ ଜମା ସୁରକ୍ଷିତ ତ?

ବ୍ୟାଙ୍କଗୁଡ଼ିକରେ ଜମା ଥିବା ଦେଶବାସୀଙ୍କ କଷ୍ଟୋପାର୍ଜିତ ଧନ ସୁରକ୍ଷିତ ତ? ବେଳ ଅବେଳରେ ହେଉ ଅବା ଘରଟିଏ ତୋଳିବା ପାଇଁ କି ବେପାର-ବଣିଜ ବଢ଼ାଇବା ପାଇଁ ସାଧାରଣ ଜନତାଙ୍କୁ ଠିକଣା ସମୟରେ ବ୍ୟାଙ୍କଗୁଡ଼ିକରୁ ଋଣ ସହାୟତା କ’ଣ ମିଳି ପାରିବ? କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ତଥା ଗ୍ରାମୋଦ୍ୟୋଗ ପ୍ରତି ପ୍ରାଥମିକତା ପ୍ରଦାନ ଲାଗି ଜାତୀୟକରଣ ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହ ଉପରେ ନ୍ୟସ୍ତ ଦାୟିତ୍ୱ ନିର୍ବାହ କରିବାକୁ ସେମାନେ ସକ୍ଷମ ହେବେ କି? ଜାତୀୟକରଣ ବ୍ୟାଙ୍କଗୁଡ଼ିକର ପୁନରୁଦ୍ଧାର ପାଇଁ ବିନିଯୋଗ ହେଉଥିବା ଟିକସଦାତାଙ୍କ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ଅପାତ୍ରରେ ଦାନ ଭଳି ପାଣିରେ ପଡ଼ିବାକୁ ଯାଉନାହିଁ ତ? ଆଶଙ୍କା ଓ ସନ୍ଦେହରେ ଖୁନ୍ଦି ହୋଇଥିବା ଏମିତି ଆହୁରି ଅନେକ ପ୍ରଶ୍ନ ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ଅର୍ଥଶାସ୍ତ୍ରୀ, ବ୍ୟାଙ୍କିଂ ଶିଳ୍ପର ବିଶେଷଜ୍ଞଙ୍କୁ ଆଜି ବିବ୍ରତ କରୁଛି।

ମୋଟାମୋଟି ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାର ବିଶ୍ୱସନୀୟତାକୁ ସନ୍ଦିଗ୍ଧ କରି କାଠଗଡ଼ାରେ ଠିଆ କରିଥିବା ଉପରୋକ୍ତ ପ୍ରଶ୍ନଗୁଡ଼ିକ ଆଦୌ ଅବାନ୍ତର କିମ୍ବା ଅପ୍ରାସଙ୍ଗିକ ନୁହେଁ। ପ୍ରଶ୍ନଗୁଡ଼ିକ ଯେ ସମ୍ପୂର୍ଣ୍ଣ ଯଥାର୍ଥ ଓ ପ୍ରାସଙ୍ଗିକ, ଏହାର ସଦ୍ୟତମ ପ୍ରମାଣ ହେଲା ୨୦୧୭-୧୮ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରଦର୍ଶନ ନେଇ ପ୍ରକାଶିତ ତାଜା ତଥ୍ୟ। ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ଦେଶର ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବାର୍ଷିକ କ୍ଷତିର ପରିମାଣ ରେକର୍ଡ ସ୍ତରରେ ପହଞ୍ଚିଛି। ଅନାଦାୟ ବ୍ୟାଙ୍କ ଋଣ (ଏନ୍‌ପିଏ) ପାହାଡ଼ର ଉଚ୍ଚତା ମଧ୍ୟ ବୃଦ୍ଧି ପାଇ ରେକର୍ଡ ଛୁଇଁଛି। ୨୦୧୭-୧୮ରେ ବ୍ୟାଙ୍କଗୁଡ଼ିକର କ୍ଷତିର ପରିମାଣ ୭୯୦୦୦ କୋଟି ଟଙ୍କା ହୋଇଥିବା ଆକଳନ କରାଯାଇଛି। ଏହାର ଅର୍ଥ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହ ଗତ ଆର୍ଥିକ ବର୍ଷରେ ଦୈନିକ ୨୧୭ କୋଟି, ପ୍ରତି ଘଣ୍ଟାରେ ୯ କୋଟି ଏବଂ ପ୍ରତି ମିନିଟରେ ୧୫ ଲକ୍ଷ ଟଙ୍କା କ୍ଷତି କରିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏକୋଇଶଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମଧ୍ୟରୁ କେବଳ ଦୁଇଟି -ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଏବଂ ବିଜୟା ବ୍ୟାଙ୍କ୍‌କୁ ବାଦ୍‌ଦେଲେ ଅନ୍ୟ ୧୯ଟି ଯାକ ବ୍ୟାଙ୍କ୍‌ର ହିସାବଫର୍ଦ୍ଦରେ ୭୦୦ରୁ ୧୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ଦର୍ଶାଯାଇଛି। ସବୁଠାରୁ ବଡ଼ ଜାତୀୟକରଣ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଷତି ପରିମାଣ ୬,୫୪୭ କୋଟି ଟଙ୍କା ହୋଇଥିବା ବେଳେ ନିରବ ମୋଦୀ ଠକେଇ ଯୋଗୁ ଚର୍ଚ୍ଚାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର କ୍ଷତି ପରିମାଣ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଭିତରେ ସର୍ବାଧିକ ୧୨,୨୮୨ କୋଟି ଟଙ୍କା। ଗତ ୨୦୧୫-୧୬ରେ ୧୩ଟି ଏବଂ ୨୦୧୬-୧୭ରେ ୯ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ହିସାବଫର୍ଦ୍ଦରେ କ୍ଷତି ଉଲ୍ଲେଖ ଥିବା ବେଳେ ଗତ ବର୍ଷ ୧୯ଟି ବ୍ୟାଙ୍କ୍‌ କ୍ଷତି ସହିଛନ୍ତି। ଏହା ବ୍ୟାଙ୍କଗୁଡ଼ିକର ପରିଚାଳନା କ୍ଷେତ୍ରରେ ଅଦକ୍ଷତା ଓ କାର୍ଯ୍ୟ ତଦାରଖର ଅବହେଳା ତଥା କ୍ରମବର୍ଦ୍ଧିଷ୍ଣୁ ଉଦାସୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ ସୁଧାରିବା ଲାଗି କେନ୍ଦ୍ରର ୨ ଲକ୍ଷ ୧୧ହଜାର କୋଟି ଟଙ୍କାର ଏକ ପ୍ୟାକେଜ୍‌ ଘୋଷଣା କରିଥିଲେ। ସେଥିରୁ ଗତ ୨୦୧୭-୧୮ରେ ୯୦ ହଜାର କୋଟି ଏବଂ ଅବଶିଷ୍ଟ ଚଳିତବର୍ଷ ପୁନଃ ପୁଞ୍ଜିକରଣ ପାଇଁ ବିନିଯୋଗ ହେବା କଥା। କିନ୍ତୁ ବ୍ୟାଙ୍କ୍‌ଗୁଡ଼ିକର ପୁନଃ ପୁଞ୍ଜିକରଣ ହେବ କ’ଣ, ଗତବର୍ଷର ୭୯ ହଜାର କୋଟିର କ୍ଷତି ଭରଣାରେ ଏହା ପ୍ରାୟ ସରିଯିବ। ଏଥିରେ ଦେବାଳିଆ ଅବସ୍ଥା ଆଡ଼କୁ ଠେଲି ହୋଇ ଯାଉଥିବା ବ୍ୟାଙ୍କ୍‌ଗୁଡ଼ିକର ଦୁର୍ବଳ ଆର୍ଥିକ ସ୍ୱାସ୍ଥ୍ୟ ସୁଧୁରିବ କେମିତି? ଗରିବ ପରିବାରଙ୍କୁ ମାଗଣା ରନ୍ଧନ ଗ୍ୟାସ୍‌ ସଂଯୋଗ ପାଇଁ ବଜେଟରେ ୧୩ ହଜାର କୋଟି ଏବଂ କୃଷି କ୍ଷେତ୍ର ପାଇଁ ମୋଟ ୫୮ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କ୍ଷତି ୭୯ ହଜାର କୋଟି ଟଙ୍କା ହେବା ଏକ ବିଡ଼ମ୍ବନା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦେଶ ପାଇଁ କେମିତି ବୋଝ ହେଲେଣି ଏହା ତା’ର ଦୁଃଖଦ ସୂଚନା। ଆଉ ଏକ ବିଡ଼ମ୍ବନା ହେଲା, ୧୯ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷତି ସହିଥିବା ବେଳେ ଘରୋଇ ବ୍ୟାଙ୍କ୍‌ମାନେ ଗତବର୍ଷ ୪୨ ହଜାର କୋଟି ଟଙ୍କା ଲାଭ କମାଇଛନ୍ତି।

ଗୋଟିଏ ପକ୍ଷରେ ରେକର୍ଡ ପରିମାଣର କ୍ଷତି, ଅନ୍ୟପକ୍ଷରେ ଅନାଦାୟ ଋଣର ପରିମାଣ ଲଗାତାର ଊର୍ଦ୍ଧ୍ୱମୁଖୀ ହୋଇ ରହିବା ଦୋହରା ବୋଝ ଭାବେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଦୋହଲାଇ ଦେଉଛି। ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ୫ ବର୍ଷରେ ଅନାଦାୟ ଋଣ (ଏନ୍‌ପିଏ) ୨୦୧୭-୧୮ରେ ସର୍ବାଧିକ ବୃଦ୍ଧି ପାଇଛି। ଗତ ୨୦୧୬ରେ ଏନ୍‌ପିଏର ପରିମାଣ ୫.୦୨ ଲକ୍ଷ କୋଟି ଟଙ୍କା ଥିଲା। ୨୦୧୭ରେ ତାହା ୬.୪୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୨୦୧୬ ଓ ୨୦୧୭ ବର୍ଷକରେ ଏନ୍‌ପିଏ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ ୨୦୧୭ ଓ ୨୦୧୮ ମଧ୍ୟରେ ଏନ୍‌ପିଏ ୨.୧୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୮.୫୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ପରିମାଣ ଦେଶର ବଜେଟର ଏକ ତୃତୀୟାଂଶ ଏବଂ ବାର୍ଷିକ କେନ୍ଦ୍ରୀୟ ଯୋଜନା ବାବଦ ବଜେଟରେ ବ୍ୟୟବରାଦ ହୋଇଥିବା ୭.୧ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଏନ୍‌ପିଏର ଏ ବିଶାଳ ପାହାଡ଼ରେ ଚାଷୀ, କ୍ଷୁଦ୍ର ବେପାରୀ, ମଧ୍ୟବିତ୍ତ ଋଣ ଗ୍ରହୀତାଙ୍କ ଅପେକ୍ଷା ବିଜୟ ମାଲ୍ୟା, ଭୂଷଣ ଷ୍ଟିଲ ଗୋଷ୍ଠୀ ଭଳି ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ଧଳାହାତୀଙ୍କ ଭାଗ ଅଧିକ। ଏହା ବ୍ୟାଙ୍କ୍‌ ଏବଂ ବଡ଼ବଡ଼ିଆଙ୍କ ମଧ୍ୟରେ ଜାତୀୟ ସମ୍ପତ୍ତି ଲୁଟ ଉଦ୍ଦେଶ୍ୟରେ ସକ୍ରିୟ ଥିବା ଅସାଧୁ ମେଣ୍ଟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବ୍ୟାଙ୍କ୍‌ କାରବାରରେ ପ୍ରିୟାପ୍ରୀତି ତୋଷଣ ଓ ପରିଚାଳନାଗତ ଅପାରଗତା, ଉତ୍ତରଦାୟିତ୍ୱହୀନତା ତଥା ତଦାରଖର ଅଭାବର ମଧ୍ୟ ଏନ୍‌ପିଏର ବିଶାଳ ପାହାଡ଼ ଅନ୍ୟତମ ପ୍ରମାଣ।

ବ୍ୟାଙ୍କ୍‌ଗୁଡ଼ିକର ବିପୁଳ କ୍ଷତି ଓ ଏନ୍‌ପିଏର ବିଶାଳ ଆକାର ବ୍ୟତୀତ ଆଉ ଏକ ରୋଗ ମଧ୍ୟ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ଆକ୍ରାନ୍ତ କରିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରେ ନିରବ ମୋଦୀ ଠକେଇ ଘଟଣା ଏକ ବ୍ୟତିକ୍ରମ ନୁହେଁ। ସରକାରୀ ତଥ୍ୟ ଅନୁଯାୟୀ ବିଗତ ପାଞ୍ଚବର୍ଷରେ ଲକ୍ଷେ ଟଙ୍କାରୁ ଅଧିକ ଠକେଇ ହୋଇଥିବା ୨୩,୮୬୬ଟି ଘଟଣା ଘଟିଛି। ଏହି ସବୁ ଠକେଇରେ ଲକ୍ଷେ କୋଟିରୁ ଅଧିକ ଟଙ୍କା ହଡ଼ପ ହୋଇଛି। ଦୁର୍ଭାଗ୍ୟର ବିଷୟ ହେଲା, ଠକେଇ ରୋକିବା ଲାଗି କଡ଼ା ନିୟମ କରାଯାଉଛି ବୋଲି କୁହାଯାଉଛି, ଅଥଚ ବର୍ଷକୁ ବର୍ଷ ବ୍ୟାଙ୍କ୍‌ ଠକେଇ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ୨୦୧୬-୧୭ରେ ୫୦୬୭ଟି ବ୍ୟାଙ୍କ୍‌ ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପରବର୍ତ୍ତୀ ୨୦୧୭-୧୮ରେ ଏହା ୫,୧୫୨କୁ ବୃଦ୍ଧି ପାଇଥିଲା। ଏହି ଦୁଇ ବର୍ଷରେ କେବଳ ଠକେଇ ଜରିଆରେ ବ୍ୟାଙ୍କ୍‌ଗୁଡ଼ିକର ପାଖାପାଖି ୫୦ ହଜାର କୋଟି ଟଙ୍କା ହଡ଼ପ ହୋଇଛି। ଅନେକ ଠକେଇ ଘଟଣାରେ ‘ଘର ଢ଼ିଙ୍କି କୁମ୍ଭୀର’ ଭଳି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଆପରାଧିକ ସମ୍ପୃକ୍ତି ରହିଛି। ହୀରା ବ୍ୟବସାୟୀ ନିରବ ମୋଦୀ, ପିଏନ୍‌ବିକୁ ୧୨ ହଜାର କୋଟିର ଚୂନ ଲଗାଇବାରେ ଆଦୌ ସକ୍ଷମ ହୋଇପାରି ନଥାନ୍ତେ ଯଦି ବ୍ୟାଙ୍କ୍‌ର ଅଧିକାରୀମାନେ ଠକେଇରେ ହାତ ମିଳାଇ ନଥାନ୍ତେ।

ଲଗାତାର କ୍ଷତି, କ୍ରମବର୍ଦ୍ଧିଷ୍ଣୁ ଏନ୍‌ପିଏ ଏବଂ ଠକେଇ- ଏହି ତିନିଟି ସମସ୍ୟା ଉପରେ ଯଦି ପ୍ରଭାବଶାଳୀ ଅଙ୍କୁଶ ନ ଲାଗେ, ତେବେ ଭାରତର ବ୍ୟାଙ୍କିଂ ଶିଳ୍ପର ଭବିଷ୍ୟତ ତ ଅନୁଜ୍ଜଳ, ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ମଧ୍ୟ ସାଧାରଣ ଲୋକେ ଆସ୍ଥା ହରାଇ ବସିବେ। ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାର ପାଇଁ ବିିଭିନ୍ନ ସମୟରେ ଅନେକ ପ୍ରସ୍ତାବ ଆସିଛି। କିଛି କାର୍ଯ୍ୟକାରୀ ମଧ୍ୟ ହୋଇଛି। ବ୍ୟାଙ୍କ୍‌ କାରବାରରେ ବୈଷୟିକ ଜ୍ଞାନ କୌଶଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ମଧ୍ୟ ହେଉଛି। କିନ୍ତୁ ଏତିିକି ଯଥେଷ୍ଟ ନୁହେଁ। ଯେତେ ସବୁ ସଂସ୍କାର ହେଉ କିମ୍ବା ଆଧୁନିକ ସୂଚନା-ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହେଉ; ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ଥିବା ତଳୁ ଉପର ପର୍ଯ୍ୟନ୍ତ କର୍ମଚାରୀ ଓ ଅଧିକାରୀଙ୍କ ଆଭିମୁଖ୍ୟ ଓ ଚରିତ୍ରରେ ଯେ ପର୍ଯ୍ୟନ୍ତ ପରିବର୍ତ୍ତନ ଆସିିନାହିଁ ସେ ପର୍ଯ୍ୟନ୍ତ ବ୍ୟାଙ୍କିଂ ଶିଳ୍ପ ଓ ବ୍ୟବସ୍ଥାର ଚିତ୍ର ଓ ଚରିତ୍ରରେ କୌଣସି ସକାରାତ୍ମକ ପରିବର୍ତ୍ତନ ଆଶା କରାଯାଇ ନ ପାରେ।

ସମ୍ବନ୍ଧିତ ଖବର