ପାଦ ତଳୁ ମାଟି ଖସୁଛି!

0 310

ମାତ୍ର ଆଠ ଦିନ ତଳେ (ମେ’୨୩) ବେଙ୍ଗାଲୁରୁଠାରେ ପ୍ରଦର୍ଶିତ ‘ବିରୋଧୀ ଏକତା’ର ଶକ୍ତି ପ୍ରଥମ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛି। ଦଶଟି ରାଜ୍ୟରେ ଅନୁଷ୍ଠିତ ଚାରିଟି ଲୋକସଭା ଏବଂ ଦଶଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନରେ କ୍ଷମତାସୀନ ବିଜେପି ବିପକ୍ଷରେ ବିରୋଧୀ ପକ୍ଷଙ୍କୁ ବିପୁଳ ସଫଳତା ମିଳିଛି। ଚଉଦଟି ଲୋକସଭା-ବିଧାନସଭା ଆସନ ମଧ୍ୟରୁ ବିଜେପି ଓ ତା’ର ସହଯୋଗୀଙ୍କ ଭାଗରେ ୩ଟି ପଡ଼ିଥିବା ବେଳେ ବିରୋଧୀଙ୍କ ଖାତାକୁ ଏଗାରଟି ଆସନ ଯାଇଛି। ଉଲ୍ଲେଖନୀୟ ହେଲା, ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିଜେପି ଶାସିତ ଉତ୍ତର-ପ୍ରଦେଶ ଏବଂ ଆଉ ଏକ ଏନ୍‌ଡିଏ ଶାସିତ ବଡ଼ ରାଜ୍ୟ ମହାରାଷ୍ଟ୍ରରେ ଶାସକ ଦଳ ହାତରେ ଥିବା ଦୁଇଟି ଲୋକସଭା ଆସନକୁ ମିଳିତ ବିରୋଧୀ ପକ୍ଷ ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି। ୟୁପିରେ ବିଜେପି ହାତରୁ ଗୋଟିଏ ଏବଂ ପଞ୍ଜାବ ଓ ବିହାରରେ ଏନ୍‌ଡିଏ ସହଯୋଗୀ ଯଥାକ୍ରମେ ଅକାଳୀ ଦଳ, ଜେଡି(ୟୁ) ଠାରୁ ବିରୋଧୀ ଦୁଇଟି ବିଧାନସଭା ଆସନ ମଧ୍ୟ ଛଡ଼ାଇ ନେଇଛନ୍ତି। ଉପ-ନିର୍ବାଚନ ଫଳାଫଳ ବିରୋଧୀ ପକ୍ଷର ଐକ୍ୟବଦ୍ଧ ଶକ୍ତି ମୋଦୀଙ୍କ ‘ଜଗର୍‌ନଟ୍‌’କୁ ରୋକିବାର ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବହୁଚର୍ଚ୍ଚିତ ତଥାକଥିତ ରାଣକ୍ୟ ନୀତିକୁ ଅକାମି କରିବା ଯେ ସମ୍ଭବ ସେ ନେଇ ବିରୋଧୀ ଶିବିରରେ ବିଶ୍ୱାସ ସୁଦୃଢ଼ ହୋଇଛି। କିଛି ମାସ ତଳେ ୟୁପିର ଦୁଇଟି ଲୋକସଭା ଆସନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଗୋରଖପୁର ଓ ଉପ-ମୁଖ୍ୟମନ୍ତ୍ରୀ କେ.ପି. ମୌର୍ଯ୍ୟଙ୍କ ଫୁଲପୁରରେ ବିଜେପିକୁ ଚିତ୍‌ କରିବାରେ ସମର୍ଥ ହୋଇଥିବା ମିଳିତ ବିରୋଧୀ ଶକ୍ତିର ଚମତ୍କାରିତା ଯେ ଆକସ୍ମିକ କିମ୍ବା ଅସ୍ଥାୟୀ ନଥିଲା ବରଂ ଏକତା ତିଷ୍ଠି ରହିଲେ ସ୍ଥିତାବସ୍ଥା ବଦଳାଇ ଦେବାର ସାମର୍ଥ୍ୟ ରଖେ, ଏ ସଂକେତ ଉପ-ନିର୍ବାଚନ ଫଳାଫଳ ଦେଇଛି।

ଏ ସଫଳତା ନିଃସନ୍ଦେହ, ଊଣେଇଶ ଲଢ଼େଇ ପାଇଁ ବିରୋଧୀ ଏକତାର ସମ୍ଭାବନାକୁ ଅଧିକ ଉଜ୍ଜ୍ୱଳ କରିଛି। ବିରୋଧୀଙ୍କ ମିଳିତ ଶକ୍ତି ମୋଦୀ-ଶାହ ଯୋଡ଼ିଙ୍କ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ହରାଇବା ଲାଗି କ’ଣ ଯଥେଷ୍ଟ? ଗୋରଖପୁର ଓ ଫୁଲପୁରରେ ସଫଳତା ସତ୍ତ୍ୱେ ଜନତା ଓ ବିରୋଧୀ ଶିବିରରେ ତଥାପି ଉଙ୍କି ମାରୁଥିବା ଏ ପ୍ରଶ୍ନ ଉପ-ନିର୍ବାଚନର ଉତ୍ସାହଜନକ ପ୍ରଦର୍ଶନ ପରିପ୍ରେକ୍ଷୀରେ ଅନେକ ମାତ୍ରାରେ ତରଳି ଯାଇଛି। କିନ୍ତୁ ବିରୋଧୀ ଏକତାର ସ୍ଥାୟିତ୍ୱ ପ୍ରସଙ୍ଗରେ ପ୍ରଶ୍ନ ଯେମିତି ଥିଲା ସେମିତି ରହିଛି। ପରସ୍ପର ଆଦର୍ଶଗତ ବିରୋଧାଭାସ, ଆଞ୍ଚଳିକ ସ୍ତରରେ ପରସ୍ପର ମଧ୍ୟରେ ରାଜନୈତିକ ଶତ୍ରୁତା ଓ ନେତୃତ୍ୱ ପାଇଁ ଦାବିଦାରଙ୍କ ମଧ୍ୟରେ ଅହଙ୍କାରର ଲଢ଼େଇ ପରିପ୍ରେକ୍ଷୀରେ ବିରୋଧୀ ଶିବିରରେ ଏକତା ତିଷ୍ଠି ରହିବା ନେଇ ଆଶା ଅପେକ୍ଷା ଆଶଙ୍କା ଅଧିକ। ତେବେ, ଏହା ସତ୍ତ୍ୱେ ସମସ୍ତଙ୍କ ପାଇଁ ଗୋଟିଏ ସମାନ ରାଜନୈତିକ ଶତ୍ରୁ- ବିଜେପିର ମୁକାବିଲା ପାଇଁ ବିରୋଧୀ ପକ୍ଷ ‘ଧର୍ମନିରପେକ୍ଷତା’ର ରଜ୍ଜୁରେ ଏକାଠି ବାନ୍ଧି ହୋଇ ଏକଜୁଟ ଭାବେ ମୁକାବିଲାକୁ ଓହ୍ଲାଇବା ଆଶାକୁ ଅସ୍ୱୀକାର କରାଯାଇ ନ ପାରେ।

ଗୋଟିଏ ପକ୍ଷରେ ବିରୋଧୀ ଶିବିରରେ ଆଶା ଦ୍ୱିଗୁଣିତ ହୋଇଛି। ଅନ୍ୟପକ୍ଷରେ ଶାସକ ପକ୍ଷରେ ନିରାଶା ଅଧିକ ଘନୀଭୂତ ହୋଇଛି। କ୍ଷମତାସୀନ ପକ୍ଷରେ ନିରାଶାର କଳା ବାଦଲ ଆଦୌ ଅଯଥାର୍ଥ ନୁହେଁ। ୨୦୧୪ ଲୋକସଭା ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ଯେଉଁ ୟୁପିରେ ଦଳକୁ ବିପୁଳ ସଫଳତା ହାସଲ ହୋଇଥିଲା, ସେହି ୟୁପିରେ ତିନିଟି ଲୋକସଭା ଓ ଗୋଟିଏ ବିଧାନସଭା ଉପ-ନିର୍ବାଚନରେ ପରାଜୟ ନିଶ୍ଚିତ ଭାବେ ବିଜେପି ପାଇଁ ଅଶୁଭ ସଂକେତ। ସେହିଭଳି ଅନ୍ୟ ବୃହତ୍‌ ରାଜ୍ୟ ବିହାର ଓ ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟର ବିଫଳତା ଚିନ୍ତାର ବିଷୟ। ୨୦୧୪ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେପି ସଫଳତା ହାସଲ କରି ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରିଛି। କିନ୍ତୁ ଲୋକସଭା ଉପ-ନିର୍ବାଚନ ଗୁଡ଼ିକରେ ଲଗାତାର ବିଫଳତା ଦଳର ପତିଆରା କ୍ଷୁଣ୍ଣ ହେଉଥିବାର ସୂଚନା ଦେଉଛି। ଗତ ଚାରିବର୍ଷ ମଧ୍ୟରେ ବିଜେପି ହାତରେ ଥିବା ୧୩ଟି ଲୋକସଭା ଆସନରେ ଉପ-ନିର୍ବାଚନ ହୋଇଛି। ସେଥିରୁ ଦଳ ମାତ୍ର ୫ଟି ନିଜ ଅକ୍ତିଆରରେ ରଖି ପାରିଥିବା ବେଳେ, ଅବଶିଷ୍ଟ ଆଠଟି ବିରୋଧୀଙ୍କ ହାତକୁ ଚାଲିଯାଇଛି। ତୁଙ୍ଗ ନେତାମାନେ ଯାହା ବାହାସ୍ଫୋଟ ମାରନ୍ତୁ, ଗୁଜୁରାଟ ଓ କର୍ଣ୍ଣାଟକରେ ଆଶାଜନକ ସଫଳତାରୁ ବଞ୍ଚିତ ହେବା ପରେ ଉପ-ନିର୍ବାଚନ ଗୁଡ଼ିକରେ ଲଗାତାର ବିଫଳତା ନିଶ୍ଚିତ ଭାବେ ବିଜେପି ପାଦ ତଳୁ ମାଟି ଖସୁ ଥିବାର ଅଶୁଭ ଲକ୍ଷଣ।

ତେବେ, ବର୍ତ୍ତମାନ ‘ସୋଓ୍ଵା ସୋ କୋରର୍‌’ ଟଙ୍କାର ପ୍ରଶ୍ନ- ଏହା କ’ଣ ପରିବର୍ତ୍ତନର ପୂର୍ବାଭାସ? ଊଣେଇଶରେ ରାଜନୈତିକ ପଟ ପରିବର୍ତ୍ତନର ଆଗୁଆ ସଂକେତ? ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ଆହୁରି ପାଖାପାଖି ବର୍ଷେ ସମୟ ବାକି ଥିବା ବେଳେ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ଆଜିର ଦିନରେ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟ ଉତ୍ତର ନାହିଁ। କିନ୍ତୁ ଗୋଟିଏ ବିଷୟ ସ୍ପଷ୍ଟ ଯେ, ବିଜେପି ଓ ଏନ୍‌ଡିଏ ପାଇଁ ୨୦୧୪ ଅପେକ୍ଷା ୨୦୧୯ ସହସ୍ରଗୁଣ ଅଧିକ ଆହ୍ଵାନଭରା ହେବ। ଏହାର ଏକମାତ୍ର କାରଣ ବିରୋଧୀ ଏକତା ନୁହେଁ। ମୋଦୀ ସରକାର ବିରୋଧରେ ଏକ ‘ସରକାର ବିରୋଧୀ’ ଝାଞ୍ଜି ବୋହିବା ଆରମ୍ଭ ହୋଇଯାଇଛି, ଯାହା ବିଜେପି ନେତୃତ୍ୱ ବୋଧହୁଏ ଲକ୍ଷ୍ୟ କରିପାରୁ ନାହାନ୍ତି। କିମ୍ବା ଜାଣି ସୁଦ୍ଧା ଅଜଣା ରହୁଛନ୍ତି। ଗୁଜୁରାଟ, କର୍ଣ୍ଣାଟକରେ ଦଳର ଆଶା ଅପେକ୍ଷା କମ୍‌ ପ୍ରଦର୍ଶନ କିମ୍ବା ଉପ-ନିର୍ବାଚନ ଗୁଡ଼ିକର ଧାରାବାହିକ ପରାଜୟ କେବଳ ଏହାର ଲକ୍ଷଣ ନୁହେଁ, ବିଜେପିର ଭୋଟ ଶତାଂଶ ହ୍ରାସ ମଧ୍ୟ ଏହାର ଆଉ ଏକ ସୂଚକ। ଉପ-ନିର୍ବାଚନରେ ପରାଜିତ ହୋଇଥିବା ସବୁ ଲୋକସଭା ଆସନରେ ବିଜେପିର ଭୋଟ ଭାଗ କମିଛି। ୨୦୧୪ରେ ବିଜେପି ଭାଗରେ ଯେତିକି ଭୋଟ ପଡ଼ିଥିଲା, ସେହି ଭାଗକୁ ଅତୁଟ ରଖିବାରେ ଦଳ ଯଦି ସମର୍ଥ ହୋଇଥାନ୍ତା, ତେବେ ବିରୋଧୀ ପକ୍ଷର ମିଳିତ ଶକ୍ତି ସୁଦ୍ଧା ହିନ୍ଦୁତ୍ୱ ଦଳକୁ ହରାଇବା ଲାଗି ସମର୍ଥ ହୋଇନଥାନ୍ତା। ଗୁଜୁରାଟରେ ସରକାର କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ବିଜେପିର ଆସନ ଓ ଭୋଟ ଭାଗ କମିଲା। କର୍ଣ୍ଣାଟକର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ସୁଦ୍ଧା ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ବିଜେପିର ଭୋଟ ଭାଗ କମିଛି। ବିଧାନସଭା ନିର୍ବାଚନରେ ବିଜେପି ଅପେକ୍ଷା କଂଗ୍ରେସର ଭୋଟ ଶତାଂଶ ଅଧିକ। ଏହି ଅବକ୍ଷୟିଷ୍ଣୁ ଭୋଟ ଶତାଂଶ କ’ଣ ସୂଚାଉଛି? ମୋଦୀ ନେତୃତ୍ୱ ତାର ପୂର୍ବ ଚମକ ହରାଇ ବସିଛି। ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରଦର୍ଶନ ମଧ୍ୟରେ ବିଶାଳ ପାର୍ଥକ୍ୟ ଜନିତ ଜନ ଆକ୍ରୋଶ ପ୍ରସୂତ ସରକାର ବିରୋଧୀ ଝାଞ୍ଜିର ତାତିରେ ଦଳର ଜନାଧାର ତରଳି ଯାଉଛି। ବିକାଶ ଓ ପ୍ରଗତି ନେଇ ପ୍ରଚାରର ତୁଫାନ ସରକାର ବିରୋଧୀ ଝାଞ୍ଜିକୁ ରୋକି ପାରୁନାହିଁ।

ଏନ୍‌ଡିଏର ପ୍ରମୁଖ ଦଳ ବିଜେପିର ଜନାଧାରରେ ସଂକୋଚନ ଏବଂ ମୋଦୀ ନେତୃତ୍ୱ ଚମକ ହରାଇବାର ସିଧାସଳଖ ପ୍ରତିଫଳନ ଦେଖିବାକୁ ମିଳିଛି ମେଣ୍ଟ ସହଯୋଗୀଙ୍କ ମତିଗତିରେ। ପ୍ରମୁଖ ଦଳର ବଡ଼ଭାଇ ପଣିଆରେ ସବୁ ସହଯୋଗୀ କ୍ଷୁବ୍‌ଧ। ପୁରୁଣା ସହଯୋଗୀ ଶିବସେନା, ଅକାଳୀ ଦଳ ଠାରୁ ଆରମ୍ଭ କରି ନୂଆ ସହଯୋଗୀ ନୀତୀଶ କୁମାରଙ୍କ ଜେଡି(ୟୁ) ପର୍ଯ୍ୟନ୍ତ ସମସ୍ତେ ବିଜେପିର କାର୍ଯ୍ୟ ବିରୋଧରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି; ଯେଉଁଥିରୁ ବିଦ୍ରୋହର ସ୍ୱର ବାରି ହେଉଛି । ଶିବସେନା ତ ବସ୍ତୁତଃ ଆଉ ମେଣ୍ଟରେ ନାହିଁ। ଉପ-ନିର୍ବାଚନରେ ମହାରାଷ୍ଟ୍ରର ପଲଘର ଲୋକସଭା ଆସନରେ ବିଜେପି ଓ ଶିବସେନା ମଧ୍ୟରେ ମୁହାଁମୁହିଁ ଲଢ଼େଇ ହୋଇଥିଲା। ବିଜେପି ପାଇଁ ବିରୋଧୀଙ୍କ ଏକତା ଯେତେ ବଡ଼ ଆହ୍ଵାନ, ଏନ୍‌ଡିଏ ଗୋଠକୁ ଏକାଠି ସମ୍ଭାଳି ରଖିବା ତା’ଠାରୁ ବଡ଼ ଆହ୍ଵାନ। ବିଜେପି ନେତୃତ୍ୱ ନିଶ୍ଚୟ ଠଉରେଇ ନେଇଥିବେ ଯେ, ବିରୋଧୀ ଏକତା, ସରକାର ବିରୋଧୀ ଝାଞ୍ଜି ସହ ସହଯୋଗୀଙ୍କ ନକରାତ୍ମକ ହାବଭାବ ଦଳ ଲାଗି ଊଣେଇଶ ସକାଶେ ପାଣିପାଗକୁ ଆହୁରି ଅଧିକ ପ୍ରତିକୂଳ କରିଦେଉଛି। ଅବଶ୍ୟ, ସମୟ କହିବ ବିଜେପି ଓ ଏହାର ନେତୃତ୍ୱ ଏ ପ୍ରତିକୂଳତାର ସାମନା କରି ଊଣେଇଶ ଅଭିଯାନକୁ କେତ ଦୂର ଆଗେଇ ନେବେ। କିନ୍ତୁ ଆଜିର ଦିନରେ ଊଣେଇଶ ଲଢ଼େଇ ପାଇଁ ମଇଦାନ ପୂରା ଖୋଲା। ସମ୍ଭାବନା ଦୃଷ୍ଟିରୁ ଉଭୟ ପକ୍ଷ ପରସ୍ପର ବିରୋଧରେ ଊନିଶ-ବିଶ୍‌ ସ୍ଥିତିରେ। ଊଣେଇଶର ଫଳ କ’ଣ ହେବ ତାହା ଅନିଶ୍ଚିତ। ଏହା ହିଁ ଗଣତନ୍ତ୍ରର ଗରିମା ଓ ଯାଦୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.