‘ୟୁନାଇଟେଡ୍ ନେସନ୍ସ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍’ (ୟୁଏନ୍ଡିପି) ବା ‘ଜାତିସଂଘ ବିକାଶ କାର୍ଯ୍ୟକ୍ରମ’ ଦ୍ବାରା ନିକଟରେ ପ୍ରକାଶିତ ‘ମାନବ ବିକାଶ ସୂଚକାଙ୍କ’ରେ ଭାରତ ଗତ ବର୍ଷ ତୁଳନାରେ ଗୋଟିଏ ପାହାଚ ଉପରକୁ ଉଠିଛି। ୨୦୧୯ରେ ୧୮୯ଟି ଦେଶ ମଧ୍ୟରୁ ଭାରତ ୧୨୯ ତମ ସ୍ଥାନ ଅଧିକାର କରିଛି। ଗତ ବର୍ଷର ଏହି ତାଲିକାରେ ଭାରତ ୧୩୦ ତମ ସ୍ଥାନରେ ରହିଥିଲା। ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରୁ କେବଳ ଶ୍ରୀଲଙ୍କା ୭୧ ତମ ସ୍ଥାନ ଅଧିକାର କରି ଭାରତ ଠାରୁ ଆଗରେ ରହିଛି। ଏହି ତାଲିକାରେ ନରେଵ, ସୁଇଜରଲାଣ୍ଡ ଓ ଆୟରଲାଣ୍ଡ କ୍ରମାନ୍ବୟରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି।
‘ୟୁଏନ୍ଡିପି’ ତରଫରୁ କୁହାଯାଇଛି ଯେ ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ୨୭.୧ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି। ତିନି ଦଶନ୍ଧି ଧରି ଲଗାତାର ବିକାଶର ଧାରା ଜାରି ରହିବା ଦ୍ବାରା ଦେଶରେ ପୂର୍ବରୁ ପରିଦୃଷ୍ଟ ଚରମ ଦାରିଦ୍ର୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ସେହିଭଳି ହାରାହାରି ବୟସ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ମଧ୍ୟ ବିକାଶ ପରିଲକ୍ଷିତ ହୋଇଛି ବୋଲି ଏହି ରିପୋର୍ଟରୁ ପ୍ରକାଶ। ମାନବ ବିକାଶ କ୍ଷେତ୍ରରେ ଦକ୍ଷିଣ-ଏସିଆ ଅଞ୍ଚଳର ଦେଶଗୁଡ଼ିକ ୧୯୯୦ ରୁ ୨୦୧୮ ମଧ୍ୟରେ ବିଶ୍ବର ସର୍ବାଧିକ ୪୬% ଉନ୍ନତି କରିଛନ୍ତି। ଏହା ସତ୍ତ୍ବେ ଭାରତ ପରି ଦେଶଗୁଡ଼ିକ ବହୁମୁଖୀ ଦାରିଦ୍ର୍ୟର ଶିକୁଳିରୁ ଏବେ ମଧ୍ୟ ମୁକ୍ତ ହୋଇ ପାରି ନାହାନ୍ତି। ଯଦିଓ ମୌଳିକ ସୁବିଧା କ୍ଷେତ୍ରରେ ଅସମାନତା ଦିନକୁ ଦିନ ହ୍ରାସ ପାଉଛି, ଉଚ୍ଚ ଶିକ୍ଷା ଓ ପ୍ରାକୃତିକ ଦୁର୍ବିପାକ ସହନ ସାମର୍ଥ୍ୟ କ୍ଷେତ୍ରରେ ନୂଆ ପ୍ରକାରର ଅସମାନତା ମୁଣ୍ଡ ଟେକିଛି। ତେବେ, ଏଭଳି ଅସମାନତାର ମୁକାବିଲା କରିବା ସମ୍ଭବ ବୋଲି ଯୁଏନ୍ଡିପିର ଏହି ରିପୋର୍ଟରେ ଆଶା ପ୍ରକାଶ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dhd54jhdhd7h4df54hf56h489fh7sf8h4sf56h456sfh4sf564hsfhhhhhhhhhhhhhhhh.jpg)