ନଭେମ୍ବର ପହିଲାରୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ମହୋଦୟ ଉଭୟ ଖରିଫ ଓ ରବିଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ରୂପରେଖ ସମ୍ପର୍କରେ ସୂଚନା ଦେଇ ରାଜ୍ୟର ଚାଷୀକୁଳକୁ ଆଶ୍ୱସ୍ତ କରିବାକୁ ଚାହିଁଛନ୍ତି ଯେ, ଏଥର ଧାନ ଖର୍ଦ୍ଦି ଓ ବିକ୍ରି କାରବାର ଅଧିକ ସ୍ୱଚ୍ଛ, ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ। ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୩୦୬୪ଟି କ୍ରୟ କେନ୍ଦ୍ର (ମଣ୍ଡି)ରେ ପଞ୍ଜିକୃତ ଦଶଲକ୍ଷରୁ ଅଧିକ ଚାଷୀଙ୍କ ଠାରୁ ମୋଟ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ। ଚାଷୀ ପଞ୍ଜୀକରଣ ପ୍ରସଙ୍ଗରେ ଏକ ଉଲ୍ଲେଖନୀୟ ଦିଗ ହେଲା ଏଥର ପ୍ରଥମଥର ପାଇଁ ଭାଗଚାଷୀ ମାନେ ସିଧାସଳଖ ଧାନ ବିକ୍ରି କରିବାର ସୁବିଧା ପାଇବେ। ୭୩ ହଜାରରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ ହୋଇଛି। ଏହା ଭାଗଚାଷୀଙ୍କ ପାଇଁ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବା ଲାଗି ବାଟ ଫିଟାଇବ। ଖରିଫରେ ୪୪ ଲକ୍ଷ ଓ ରବିରେ ୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖରିଫ୍ରେ ଗତ ବର୍ଷ ତୁଳନାରେ ଅଧିକ ୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା, ମୋଟ ଧାନ ସଂଗ୍ରହ ଲକ୍ଷ୍ୟ ଗତବର୍ଷ ଠାରୁ କମ୍। ୨୦୧୬-୧୭ ଖରିଫ ଓ ରବିରେ ମୋଟ ୬୦ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ଅବଶ୍ୟ, ଏହା ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି ଯେ, ମଣ୍ଡିକୁ ଚାଷୀ ଅଧିକ ଧାନ ଆଣିଲେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ କିଣାଯିବ। ବିକ୍ରି ଧାନ ବାବଦ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ଜମା ଲାଗି ଏଥର ୩୧୪ଟି ବ୍ଲକ୍ ମଧ୍ୟରୁ ୩୦୮ଟି ବ୍ଲକ୍କୁ ପି-ପାସ (ପେଡି ପ୍ରକ୍ୟୁରମେଣ୍ଟ୍ ଅଟୋମେସନ୍ ସିଷ୍ଟମ୍) ସହ ଯୋଡ଼ା ଯାଇଛି। ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ଯେ, କୌଣସି ପ୍ରକାର ଅବ୍ୟବସ୍ଥା ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ପ୍ରତ୍ୟେକ ସ୍ତରରେ ନିୟମ ଓ ନିର୍ଦ୍ଦେଶର ଅନୁପାଳନ ନିଶ୍ଚିତ କରାଯିବ। ଚାଷୀମାନେ ଧାନ ଆଣି ମଣ୍ଡିରେ ଧାଡ଼ିରେ ରହିବେ ନାହିଁ, ‘କଟନି ଛଟନି’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଶାସନର ସର୍ବୋଚ୍ଚ ଅମଲାତାନ୍ତ୍ରିକ ଅଧିକାରୀ ସୂଚନା ଦେଇଥିବା ଧାନ ସଂଗ୍ରହ ବ୍ୟବସ୍ଥାର ରୂପରେଖ ଆଖିକୁ ଭଲ ଦିଶୁଛି, ପ୍ରତିଶ୍ରୁତି ମଧ୍ୟ କାନକୁ ଭଲ ଶୁଭୁଛି। କିନ୍ତୁ ପ୍ରଶ୍ନ ଉଠୁଛି ବାସ୍ତବ କ୍ଷେତ୍ରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ତ?
ଏ ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ୨୦୦୩-୦୪ରେ ଧାନ ସଂଗ୍ରହ ଲାଗି ବିକେନ୍ଦ୍ରୀକରଣ ବ୍ୟବସ୍ଥାର ପ୍ରବର୍ତ୍ତନ ପରେ ଏମିତି ଗୋଟିଏ ବର୍ଷ ନାହିଁ, ଯେଉଁ ବର୍ଷ ଧାନ ସଂଗ୍ରହ ଅବ୍ୟବସ୍ଥା, ଅନିୟମିତତା ଓ ଭ୍ରଷ୍ଟାଚାର ଦ୍ୱାରା ଆକ୍ରାନ୍ତ ହୋଇନାହିଁ। ଏହି ଅସ୍ୱସ୍ତିକର ପୃଷ୍ଠଭୂମିରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଓ ସେ ସୂଚନା ଦେଇଥିବା ବ୍ୟବସ୍ଥା ନା ଚାଷୀକୁଳକୁ ଆଶ୍ୱସ୍ତ କରିପାରୁଛି ନା ‘ହଇରାଣ ମୁକ୍ତ’ ଧାନ ବିକ୍ରି ଲାଗି ବିଶ୍ୱାସ ଜନ୍ମାଇ ପାରୁଛି। ପ୍ରତିବର୍ଷ ସଂଗ୍ରହ ଋତୁ ପୂର୍ବରୁ ଏ ପ୍ରକାର ପ୍ରତିଶ୍ରୁତି ଦେବା ଏକ ସରକାରୀ ଔପଚାରିକତା ମାତ୍ର। ବିଭାଗୀୟ ମନ୍ତ୍ରୀ ଓ ସଚିବ ମଧ୍ୟ ବୁଲି ବୁଲି ଚାଷୀ ପ୍ରତିନିଧି, ମିଲର ଏବଂ ସରକାରୀ ଅଧିକାରୀଙ୍କ ସହ ବୈଠକ କରି ପୂର୍ବର ଅବ୍ୟବସ୍ଥା ଦୂର କରିବା ଲାଗି ପଦକ୍ଷେପର ଆଶ୍ୱାସନା ଦିଅନ୍ତି। କିନ୍ତୁ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଜାରି ରହେ। ଧାନ ସଂଗ୍ରହ ପ୍ରସଙ୍ଗରେ ଦୁଇ ବର୍ଷ ତଳେ ସିଏଜି ଦେଇଥିବା ରିପୋର୍ଟ ହିଁ ଧାନ ସଂଗ୍ରହ ବ୍ୟବସ୍ଥାର ଅସଲ ଦୁର୍ଭାଗ୍ୟଜନକ ବାସ୍ତବ ଚିତ୍ର। ସରକାର ପ୍ରତ୍ୟକ୍ଷ ଭାବେ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣୁଥିବା କୁହାଯାଉଛି। ଅଥଚ ଏହା କେବଳ କାଗଜପତ୍ରରେ। ଅସଲରେ ଚାଉଳ କଳ ମାଲିକ ମାନେ ହେଲେ ପ୍ରଚ୍ଛଦ ନାୟକ ଏବଂ ବ୍ୟବସ୍ଥାର ପ୍ରକୃତ ନିୟନ୍ତ୍ରକ। ପୁଣି ସରକାରଙ୍କ ଦ୍ୱାରା ନିୟୋଜିତ ସଂସ୍ଥାଗୁଡ଼ିକର ଅସାଧୁ କର୍ମଚାରୀ ଏବଂ ମିଲରସ୍ଙ୍କ ମଧ୍ୟରେ ଅସାଧୁମେଣ୍ଟ ଅନେକ କ୍ଷେତ୍ରରେ ବ୍ୟବସ୍ଥାକୁ ବସ୍ତୁତଃ ପଙ୍ଗୁ କରି ଦେଉଛି। ପରିଣତି ବ୍ୟବସ୍ଥା ପଛରେ ଥିବା ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଚାଷୀ ସୁରୁଖୁରୁରେ ନିଜର କଷ୍ଟରେ ଉତ୍ପାଦିତ ଧାନ ବିକ୍ରି କରି ପାରୁ ନାହାନ୍ତି କିଂବା ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ସରକାରୀ ବ୍ୟବସ୍ଥାରେ ଭ୍ରଷ୍ଟାଚାର, ଅନିୟମିତତା ସୃଷ୍ଟି କରୁଥିବା ଶୂନ୍ୟତାର ସୁଯୋଗ ନେଉଛନ୍ତି ବ୍ୟବସାୟୀ, ଯାହା ଚାଷୀଙ୍କ ଶୋଷଣ ପାଇଁ ବାଟ ଖୋଲୁଛି।
ମୂଳକଥା ହେଲା, ଧାନ ସଂଗ୍ରହ ପାଇଁ ସରକାର ଯେଉଁ ରୂପରେଖ ପ୍ରସ୍ତୁତ କରନ୍ତି, ତାହା କ୍ଷେତ୍ର ସ୍ତରରେ କାର୍ଯ୍ୟକାରୀ ହୁଏ ନାହିଁ। ବ୍ୟବସ୍ଥା କାଗଜରେ ଗୋଟିଏ, ବାସ୍ତବ କ୍ଷେତ୍ରରେ ଆଉ ଗୋଟିଏ। ଏଥର ମୁଖ୍ୟ ଶାସନ ସଚିବ ମହୋଦୟ କହିଛନ୍ତି ୩୦୬୮ଟି କ୍ରୟ କେନ୍ଦ୍ର ଖୋଲାଯିବ। ୨୫୬୭ ପ୍ରାଥମିକ ସମବାୟ ସଂସ୍ଥା ସମେତ ଅନ୍ୟ ଚାରିଟି ସଂସ୍ଥା ଏହି କେନ୍ଦ୍ର ଗୁଡ଼ିକରେ ଧାନ କିଣିବେ। ପ୍ରଥମ କଥା ହେଲା, ପ୍ରତି ପଞ୍ଚାୟତରେ ଧାନ କ୍ରୟ କେନ୍ଦ୍ର ଖୋଲାଯିବାର ଆବଶ୍ୟକତା ଥିବା ଦୃଷ୍ଟିରୁ ୩୦୬୮ କ୍ରୟ କେନ୍ଦ୍ର ଆଦୌ ପର୍ଯ୍ୟାପ୍ତ ନୁହେଁ। ଏହା ଆବଶ୍ୟକତାର ଅଧା ସୁଦ୍ଧା ପୂରଣ କରିପାରିବ ନାହିଁ। ତେବେ ଅଧିକ ସମସ୍ୟା ହେଲା, ଯେତିକି ସଂଖ୍ୟକ କ୍ରୟ କେନ୍ଦ୍ର ଖୋଲିବ ବୋଲି ଘୋଷଣା କରାଯାଇଥାଏ, ବାସ୍ତବରେ ସେତିକି ସଂଖ୍ୟକ କ୍ରୟ କେନ୍ଦ୍ର ଖୋଲେ ନାହିଁ। ଅନେକ କେନ୍ଦ୍ର ନିର୍ଦ୍ଧାରିତ ତାରିଖ ଠାରୁ ବିଳମ୍ବରେ ଖୋଲେ ଏବଂ ଖୋଲିଲେ ସୁଦ୍ଧା ଖୁବ୍ ସ୍ୱଳ୍ପ ଦିନ ମଧ୍ୟରେ ବନ୍ଦ ହୋଇଯାଏ। ଏଥିରେ ଧାନ ବିକ୍ରି କରିବା ଲାଗି ବ୍ୟଗ୍ର ଚାଷୀଙ୍କ ଭିଡ଼ ଓ ଧାଡ଼ିକୁ କେମିତି ଏଡ଼ାଯାଇ ପାରିବ? ଘୋଷଣା ମୁତାବକ କ୍ରୟ କେନ୍ଦ୍ର ନ ଖୋଲିବା ଏବଂ ଏହି କେନ୍ଦ୍ର ଗୁଡ଼ିକରେ ସ୍ୱଳ୍ପ ସମୟ ପାଇଁ କାରବାର ଚାଲିବା ଫଳରେ ସ୍ୱଳ୍ପ ଧାନ ଉତ୍ପାଦନକାରୀ କ୍ଷୁଦ୍ର ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ସରକାର ଧାନ ସଂଗ୍ରହ କରନ୍ତି, କିନ୍ତୁ ମିଲର ଧାନ ନ ଉଠାଇଲେ କାରବାର ପୂରା ଠପ୍ ହୋଇଯାଏ। ଏହାର ଅନେକ ଦୁଃଖଦ ନଜିର ଅଛି। ଦିନ ଦିନ ଧରି ଚାଷୀମାନେ ଧାନବସ୍ତା ସହ ମଣ୍ଡିରେ ପଡ଼ି ରହିବାର ଖବର ଶିରୋନାମାକୁ ଆସେ। ମିଲରଙ୍କ ଏ ମନମୁଖୀ ଭାଙ୍ଗିବା ଲାଗି ଅଧିକାଂଶ ମଣ୍ଡିର ଚାଷୀଙ୍କ ଠାରୁ ସଂଗୃହୀତ ଧାନ ମହଜୁଦ କରି ରଖିବା ସୁବିଧା ନାହିଁ। ଦୁଇବର୍ଷ ତଳେ ମଣ୍ଡି ମାନଙ୍କରେ ଅସ୍ଥାୟୀ ଗୋଦାମର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଘୋଷଣା ଖାଲି ଘାଷଣାରେ ରହିଗଲା।
ଧାନ ଖର୍ଦ୍ଦି ଆଳରେ ଚାଷୀ ମାରଣ ପାଇଁ ପ୍ରଚଳିତ ଆଉ ଏକ ଅସାଧୁ ପ୍ରଥା ହେଲା ‘କଟନି ଛଟନି’। ଚାଷୀ ଆଣୁଥିବା ଧାନରେ ଅନୁମୋଦିତ ମାତ୍ରାରୁ ଅଧିକ ଆଦ୍ରତା ଥିବା ଏବଂ ‘ଏଫ୍ଏକ୍ୟୁ’ ମାନର ହୋଇ ନଥିବା ଆଳ ଦେଖାଇ ଏହି ଅସାଧୁ କାରବାରକୁ ଏକ ପ୍ରକାର ଆନୁଷ୍ଠାନିକ ମାନ୍ୟତା ଦିଆଯାଇଛି। ‘କଟନି ଛଟନି’ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏଥିପାଇଁ କ’ଣ ପଦକ୍ଷେପ ନିଆଯାଇଛି? ସବୁ ୩୦୬୪ଟି ଯାକ କ୍ରୟ କେନ୍ଦ୍ରରେ କ’ଣ ଆଦ୍ରତା ମାପକ ଯନ୍ତ୍ର ରଖାଯିବା ନିଶ୍ଚିତ କରାଯାଇଛି? ‘ଏଫ୍ଏକ୍ୟୁ’ ନେଇ ବିବାଦ ଓ ବିଭ୍ରାନ୍ତି ଦୂର ପାଇଁ ମଣ୍ଡି ସ୍ତରରେ କାହାର ନିଷ୍ପତ୍ତି ଚୂଡ଼ାନ୍ତ? ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଏହି ଅସାଧୁ କାରବାର ମାର୍ଫତରେ କେବଳ ଗୋଟିଏ ବର୍ଷ ଚାଷୀଙ୍କ ଠାରୁ ପ୍ରାୟ ୫୦୦ କୋଟି ଟଙ୍କା ଲୁଟ୍ କରାଯାଇଥିଲା। ସିଏଜି ରିପୋର୍ଟ ପରିପ୍ରେକ୍ଷୀରେ ‘କଟନି ଛଟନି’ ରୋକିବା ଲାଗି ସରକାର ଠୋସ୍ ବ୍ୟବସ୍ଥା କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏ ଦିଗରେ ଉଦାସୀନତା ଜାରି ରହିଛି। ପଦକ୍ଷେପ ନିଆଯାଇ ନାହିଁ ଏଥିପାଇଁ ଯେ, ଚାଷୀଙ୍କ ସମସ୍ୟା ପ୍ରତି ଶାସନ ସ୍ତରରେ ଯେତିକି ସମ୍ବେଦନଶୀଳତା ଆଶା କରାଯାଏ, ତା’ର ଅଭାବ ରହିଛି। ତେଣୁ ଧାନ ସଂଗ୍ରହ ବ୍ୟବସ୍ଥାର ପରିଚାଳନା ଓ ତଦାରଖ ଦାୟିତ୍ୱରେ ଥିବା ଉଚ୍ଚ ସରକାରୀ ଅଧିକାରୀ କେବଳ କାଗଜରେ ଏହାର ରୂପରେଖରେ ସନ୍ତୁଷ୍ଟ ନ ରହି ବାସ୍ତବରେ କ୍ଷେତ୍ର ସ୍ତରରେ ଏହାର କାର୍ଯ୍ୟକାରିତା ନିଶ୍ଚିତ କରନ୍ତୁ।