ବିଳମ୍ବିତ ପ୍ରାୟଶ୍ଚିତ୍ତ

ଗୋଟିଏ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ, ଗୋଟିଏ ଜାତିର ସ୍ୱାଭିମାନ ଓ ଭାବାବେଗର ପ୍ରତିକୂଳରେ ଯାଇ କୌଣସି ନେତା କିମ୍ବା ଦଳ ପକ୍ଷରେ ସେହି ରାଷ୍ଟ୍ର, ଜାତିର ନେତୃତ୍ୱ ନେବାର ଅଭିଳାଷ ଏକ ସ୍ୱପ୍ନ ବିଳାସ ମାତ୍ର। ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଜାତି ସନ୍ଦର୍ଭରେ ଏ ନେଇ ବିଳମ୍ବରେ ହେଲେ ସୁଦ୍ଧା ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଚେତା ପଶିଛି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ, ଓଡ଼ିଆଙ୍କ ସ୍ୱାଭିମାନ, ଭାବାବେଗ ସହ ଖେଳି ‘୧୨୦ ପଦ୍ମ’ର ସ୍ୱପ୍ନ ଯେ ଏକ ଭୟଙ୍କର ଦୁଃସ୍ୱପ୍ନ, ତାହା ବିଜେପି ରାଜ୍ୟ ଶାଖାର କାର୍ପଟଦାର ମାନେ ବୁଝି ପାରିଛନ୍ତି ଓ ‘୩୬୦ ଡିଗ୍ରୀ’ରେ ଦଳୀୟ ମନୋଭାବ ଓ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ବିଜେପିର ମତ ପରିବର୍ତ୍ତନ ପ୍ରତିଫଳିତ ହୋଇଛି ଓଡ଼ିଶାରେ ‘ଦଳର ମୁହଁ’ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ୟୁଟର୍ନ’ ସୂଚକ ମନ୍ତବ୍ୟରେ। ଶୁକ୍ରବାର ଦିନ ଏକ ସମ୍ବାଦଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ମହୋଦୟ ଗତ ଦୁଇ ବର୍ଷ ଧରି ରାହା ଧରି ଆସିଥିବା ମତରେ ହଠାତ୍‌ ପରିବର୍ତ୍ତନ କରି ଛତିଶଗଡ଼ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି।

ମହାନଦୀ ପ୍ରସଙ୍ଗରେ ଗତ ଦୁଇ ବର୍ଷ ଧରି ରାଜ୍ୟ ବିଜେପି ପ୍ରତିପକ୍ଷ ଶାସକ ବିଜେଡିକୁ କାଠଗଡ଼ାରେ ଠିଆ କରାଇ ଆସୁଥିଲା। ଏଥି ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଓଡ଼ିଶା-ସ୍ୱାର୍ଥ ବିରୋଧୀ ଆଭିମୁଖ୍ୟ ସପକ୍ଷରେ ଓକିଲାତି କରିବାକୁ କୁଶ୍ଠାବୋଧ କରୁ ନ ଥିଲା। ଏହି ଧାରାରେ ହଠାତ୍‌ ପରିବର୍ତ୍ତନ କରି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନଦୀ ବିବାଦ ପାଇଁ ସିଧାସଳଖ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ, ସେ ମାନିଛନ୍ତି ଯେ, ତାଙ୍କ ଦଳ ଦ୍ୱାରା ଶାସିତ ଛତିଶଗଡ଼ ସରକାର ଭୁଲ୍‌ କରିଛନ୍ତି। ମନ୍ତ୍ରୀ ମହୋଦୟ ତାଙ୍କ ବକ୍ତବ୍ୟ ସପକ୍ଷରେ ସଂସଦରେ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନଙ୍କ ଉକ୍ତିକୁ ମଧ୍ୟ ଉଦ୍ଧାର କରିବାକୁ ଭୁଲି ନାହାନ୍ତି। ଏ ଅବସରରେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଗତ ୨୬ ତାରିଖ ମାନ୍ୟବର ପ୍ରଧାନମନ୍ତ୍ରୀ କଟକ ସଭାରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ସଂକ୍ରାନ୍ତରେ ଦେଇଥିବା ବିଭ୍ରାନ୍ତିକର, ପ୍ରମାଦପୂର୍ଣ୍ଣ ସୂଚନାକୁ ମଧ୍ୟ ସଂଶୋଧନ କରିବା ଲାଗି ପ୍ରୟାସ କରିଛନ୍ତି। ମନ୍ତ୍ରୀ ପ୍ରଧାନ ସ୍ୱୀକାର କରିଥିଲେ ଯେ, ଓଡ଼ିଶାର ଆଗ୍ରହ ଏବଂ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଫଇସଲା ଯୋଗୁ ମହାନଦୀ ବିବାଦର ସମାଧାନ ସକାଶେ ଟ୍ରିବ୍ୟୁନାଲ ଗଠନ ହୋଇଛି। ଅନ୍ୟଥା, କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପରିବର୍ତ୍ତେ ମହାନଦୀ ଜଳ ବିବାଦକୁ ପ୍ରସ୍ତାବିତ ଏକକ ଟ୍ରିବ୍ୟୁନାଲକୁ ପଠାଇବା ସପକ୍ଷରେ ଥିଲେ। ମିଛ କହିବାକୁ ହେଲେ ପ୍ରଖର ସ୍ମରଣ ଶକ୍ତି ଆବଶ୍ୟକ। ଏ କଥା ବୋଧହୁଏ ପ୍ରଧାନମନ୍ତ୍ରୀ ମହାଶୟ ସେଦିନ କଟକ ସଭାରେ ଭୁଲି ଯାଇଥିଲେ। ସେଥିପାଇଁ ମହାନଦୀ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନକୁ ଓଡ଼ିଶା ସରକାର ବିରୋଧ କରିଥିଲେ ବୋଲି ଭୁଲ ସୂଚନା ଦେଇଥିଲେ। ଯଦିଓ ବାସ୍ତବତା ଠିକ୍‌ ବିପରୀତ।

କଟକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ପରେ ପରେ ଓଡ଼ିଶାକୁ ନାଲି ଆଖି ଦେଖାଇ ‘ମହାନଦୀ ପାଣି ବ୍ୟବହାରରୁ ଛତିଶଗଡ଼କୁ କେହି ରୋକି ପାରିବେ ନାହିଁ’ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଧମକ ଦେଇଥିଲେ। ଏହି ପୃଷ୍ଠଭୂମିରେ ଧର୍ମେନ୍ଦ୍ରଙ୍କ ଶୁକ୍ରବାର ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଓ ରାଜନୈତିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱ ବହନ କରେ। ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼କୁ ସୁହାଇଲା ଭଳି ପ୍ରମାଦପୂର୍ଣ୍ଣ ବିଭ୍ରାନ୍ତିକର ବୟାନ ଓ ରମଣ ସିଂହଙ୍କ ଧମକ ବିରୋଧରେ ରାଜ୍ୟରେ ସୃଷ୍ଟି ହୋଇଥିବା ପ୍ରବଳ ବିଜେପି ପ୍ରତିକୂଳ ଜନମତ ଚାପରେ କେନ୍ଦ୍ରମନ୍ତ୍ରୀ ମହୋଦୟ ଭୁଲ୍‌ ସ୍ୱୀକାର ପୂର୍ବକ ବିଳମ୍ବରେ ହେଲେ ସୁଦ୍ଧା ପ୍ରାୟଶ୍ଚିତ୍ତ କରିଛନ୍ତି। ନିଃସନ୍ଦେହ, ଏ ବିଳମ୍ବିତ ପ୍ରାୟଶ୍ଚିତ୍ତ ଯୋଗୁ ମହାନଦୀ ପ୍ରସଙ୍ଗରେ କୋଣଠେସା ରାଜ୍ୟ ବିଜେପିକୁ ପ୍ରତିକୂଳ ଜନମତର ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତ କରିପାରେ। କିନ୍ତୁ ଆଭିମୁଖ୍ୟରେ ଏହି ଆକସ୍ମିକ, ଅପ୍ରତ୍ୟାଶିତ ପରିବର୍ତ୍ତନ ପଛରେ ନିଷ୍ଠା ଓ ଆନ୍ତରିକତା ନେଇ ନିଶ୍ଚୟ ସନ୍ଦେହ ଓ ଆଶଙ୍କାରେ ଖୁନ୍ଦି ହୋଇଥିବା ଅନେକ ପ୍ରଶ୍ନ ଓଡ଼ିଶାର ଜନମାନସକୁ ଆନ୍ଦୋଳିତ କରୁଛି। ଯାହାର ଉତ୍ତର ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଠାରୁ ଓଡ଼ିଶାବାସୀ ଅବଶ୍ୟ ଅପେକ୍ଷା କରିବେ। ଲହଡ଼ି ଆସିଲେ ମୁଣ୍ଡ ନୁଆଇଁ ଦେବା ଭଳି ପ୍ରତିକୂଳ ଜନମତର ତାତିରୁ ତ୍ରାହି ପାଇବା ଲାଗି ଏହା କେବଳ ଆତ୍ମରକ୍ଷାର ଏକ କୌଶଳ ନୁହେଁ ତ? ପ୍ରତିପକ୍ଷ ବିଜେଡିର ଆକ୍ରମଣାତ୍ମକ ମହାନଦୀ ଅଭିଯାନର ମୁକାବିଲା ଉଦ୍ଦେଶ୍ୟରେ ଏ ବାଧ୍ୟବାଧକତାପୂର୍ଣ୍ଣ ଦୋଷ ସ୍ୱୀକାର ଓ ପ୍ରାୟଶ୍ଚିତ୍ତ ଉଣେଇଶ ନିର୍ବାଚନକୁ ଆଖି ଆଗରେ ରଖି ‘ମିସନ ୧୨୦’ ପାଇଁ କ’ଣ ଆଉ ଏକ ରାଜନୈତିକ ଚାଲ୍‌?

ରାଜ୍ୟ ବିଜେପିର ନେତୃବୃନ୍ଦ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ଯାହା ବି ଉତ୍ତର ଦିଅନ୍ତୁ, ଦଳର ‘ଓଡ଼ିଶା ଚେହେରା’ଙ୍କ ମୁହଁରେ ଏ ବିଳମ୍ବିତ ପ୍ରାୟଶ୍ଚିତ୍ତ କିନ୍ତୁ ବହୁ ବିଳମ୍ବରେ ବହୁତ କମ୍‌ ସଦୃଶ ଏକ ପଦକ୍ଷେପ। ଛତିଶଗଡ଼ ଯଦି ଭୁଲ୍‌ କରିଛି, ତେବେ ବିଗତ ଦୁଇବର୍ଷ ହେଲା ଚୁପ୍‌ ଥିଲେ କାହିଁକି? ଆଶଙ୍କା ହେଉଛି, ମାନନୀୟ ମନ୍ତ୍ରୀ ପ୍ରଧାନଙ୍କ ବୟାନ ମହାନଦୀ ପ୍ରସଙ୍ଗରେ ବିଜେପି ଓ କେନ୍ଦ୍ର ବିରୋଧୀ ଜନମତକୁ ଓଲଟାଇବା ଲାଗି ଯଥେଷ୍ଟ ହୋଇ ନପାରେ। ଓଡ଼ିଶା ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପ୍ରତି ରାଜ୍ୟ ବିଜେପିର ନିଷ୍ଠା, ଆନ୍ତରିକତା ତଥା ଅଙ୍ଗୀକାରର ପ୍ରମାଣ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ମହୋଦୟଙ୍କ ବିଳମ୍ବିତ ପ୍ରାୟଶ୍ଚିତ୍ତ ତଥାପି ନିଅଣ୍ଟ ପଡ଼ିବ। ଅବଶ୍ୟ, ଏହି ନିଅଣ୍ଟ ଭରଣା ପାଇଁ ରାଜ୍ୟ ବିଜେପି ପାଖରେ ତଥାପି ବିକଳ୍ପ ରହିଛି। ବିକଳ୍ପ କେବଳ ମହାନଦୀ ଜଳ ସଂରକ୍ଷଣ ଓ ଉପଯୋଗ କ୍ଷେତ୍ରରେ ବିଗତ ଅଠର ବର୍ଷ ଧରି ଶାସନରେ ଥିବା ବିଜେଡିର ଅପାରଗତାର ସମାଲୋଚନାରେ ସୀମିତ ନୁହେଁ। ଏହି ନକରାତ୍ମକ ବିକଳ୍ପ ଛଡ଼ା ଆଉ ଏକ ସକରାତ୍ମକ ବିକଳ୍ପ ମଧ୍ୟ ରହିଛି, ଯାହା ଦ୍ୱାରା ରାଜ୍ୟ ବିଜେପି ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପ୍ରତି ନିଜର ଅଙ୍ଗୀକାରର ବିଶ୍ୱସନୀୟ ପ୍ରମାଣ ଦେଇପାରିବ। ଯଦି ଛତିଶଗଡ଼ ଭୁଲ କରିଛି ବୋଲି ରାଜ୍ୟ ବିଜେପିର ହୃଦ୍‌ବୋଧ ହେଉଛି, ତେବେ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ସଦିଚ୍ଛା ଭ୍ରାତୃତ୍ୱ ଭାବର ବ୍ୟବହାର କରି କେନ୍ଦ୍ର ସରକାରଙ୍କ ମାର୍ଫତରେ ସେଠାକାର ଦଳୀୟ ସରକାରଙ୍କୁ ଭୁଲ ସୁଧାରିବା ଲାଗି ପ୍ରବର୍ତ୍ତାଉ ନାହଁ କାହିଁକି? ଯେତିକି ବନ୍ଧ ନିର୍ମାଣ ସଂପୂର୍ଣ୍ଣ ହୋଇଛି, ତାକୁ ବାଦ୍‌ ଦେଇ ଅନ୍ୟ ସବୁ ନିର୍ମାଣାଧୀନ ବନ୍ଧ ଓ ଆନିକଟର ନିର୍ମାଣ କାର୍ଯ୍ୟ ଅନ୍ତତଃ ସାମୟିକ ଭାବେ ସ୍ଥଗିତ ରଖିବା ଲାଗି ଛତିଶଗଡ଼ର ଦଳୀୟ ସରକାର ଉପରେ ଚାପ ସୃଷ୍ଟି କରନ୍ତୁ। କେନ୍ଦ୍ର ସରକାର, ବିଶେଷ କରି ପ୍ରଧାନମନ୍ତ୍ରୀ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ଆଗ୍ରହ ରହିଲେ ଏହା ଅସମ୍ଭବ ନୁହେଁ। ଅବଶ୍ୟ, ଆଉ ଅଳ୍ପ କିଛି ମାସ ପରେ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା କହିବା ଯେତେ ସହଜ, କରିବା ସେତେ ସହଜ ନୁହେଁ। ସହଜ ନୁହେଁ ସତ, କିନ୍ତୁ କେନ୍ଦ୍ର ଚାହିଁଲେ ଅସମ୍ଭବ ମଧ୍ୟ ନୁହେଁ। ତେବେ ସର୍ବଦା ରାମାୟଣର ଉଦାହରଣ ଦେଉଥିବା ବିଜେପିର ଓଡ଼ିଶା ନେତୃବୃନ୍ଦ ନିଶ୍ଚୟ ଜାଣିଥିବେ ଯେ ସତୀତ୍ୱର ଅଗ୍ନି ପରୀକ୍ଷା ମଧ୍ୟ ସହଜ ନଥିଲା। ରାଜ୍ୟ ବିଜେପି ନେତୃତ୍ୱର ଦୃଢ଼ ଇଚ୍ଛାଶକ୍ତି ରହିଲେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମ୍ଭବ।

ସମ୍ବନ୍ଧିତ ଖବର