‘ନପୁଂସକ ନାରୀ’

0 801

ଗୁଜରାଟ ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍‌ ଜେ ବି ପର୍ଦ୍ଦିଓ୍ଵାଲା ଓ ବୋଧହୁଏ ପୃଥିବୀର ପ୍ରସିଦ୍ଧତମ ଜୀବିତ ନାରୀମୁକ୍ତି ଆନ୍ଦୋଳନକାରିଣୀ ଜର୍ମେନ୍‌ ଗ୍ରିଅର୍‌ଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ ପରିଚୟ ଥିବାର ସମ୍ଭାବନା କ୍ଷୀଣ। ଗତ ସପ୍ତାହରେ କିନ୍ତୁ ପୃଥିବୀରେ ନାରୀମୁକ୍ତି ଆନ୍ଦୋଳନର ଦ୍ୱିତୀୟ ଲହରିର ଜନ୍ମଦାତ୍ରୀ ରୂପେ ବିବେଚିତ ଏହି ୭୯ ବର୍ଷୀୟା ଅଷ୍ଟ୍ରେଲୀୟ ଦାର୍ଶନିକ, ଲେଖିକା ତଥା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଧର୍ଷଣ ସମ୍ବନ୍ଧରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଜଷ୍ଟିସ୍‌ ପର୍ଦ୍ଦିଓ୍ଵାଲାଙ୍କ ମନରେ ବିଷାଦ ଭରି ଦେଇଥିବା ନିଶ୍ଚିତ। ଅବଶ୍ୟ ଏପରି ଅନୁଭବ କରିବାରେ ସେ ପୃଥିବୀର ଏକମାତ୍ର ବ୍ୟକ୍ତି ନୁହଁନ୍ତି; ପୃଥିବୀର ପ୍ରାୟ ସମସ୍ତ ନାରୀ, ନାରୀ ଅଧିକାର ଆନ୍ଦୋଳନକାରିଣୀ ତଥା ସମ୍ବେଦନଶୀଳ ନାଗରିକମାନେ ମଧ୍ୟ ଏଇଭଳି ବିଷାଦ ଅନୁଭବ କରୁଥିବେ; କିନ୍ତୁ ଜଷ୍ଟିସ୍‌ ପର୍ଦ୍ଦିଓ୍ଵାଲା ବିଶେଷ ବିବ୍ରତ ବୋଧ କରିବାର କାରଣ ରହିଛି।

ପ୍ରାୟ ଦୁଇ ମାସ ତଳେ ଜଷ୍ଟିସ୍‌ ପର୍ଦ୍ଦିଓ୍ଵାଲା ଏକ ମାମଲାର ବିଚାର କରୁଥିଲେ ଯେଉଁଥିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଯୌନ ଅତ୍ୟାଚାର ଅଭିଯୋଗ ଆଣିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ ତାଙ୍କର ସ୍ୱାମୀ ବାରମ୍ବାର ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହିତ ଜବରଦସ୍ତ ଯୌନ ସମ୍ପର୍କ ସ୍ଥାପନ କରି ଚାଲିଥିଲେ ଏବଂ ଏହାଦ୍ୱାରା ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଜଷ୍ଟିସ୍‌ ପର୍ଦ୍ଦିଓ୍ଵାଲା ମାମଲାର ଶୁଣାଣି କରି ରାୟ ଦେଇଥିଲେ ଯେ ଏଥିରେ ସ୍ୱାମୀଙ୍କୁ ଧର୍ଷଣ ଅପରାଧରେ ଦଣ୍ଡିତ କରାଯାଇ ପାରିବ ନାହିଁ, କାରଣ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ‘‘ଜଣେ ପୁରୁଷର ତାଙ୍କ ନିଜ ପତ୍ନୀଙ୍କ ସହିତ ଯୌନକ୍ରିୟା …ଧର୍ଷଣ ନୁହେଁ।’’ ମାନ୍ୟବର ବିଚାରପତି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ ବ୍ୟକ୍ତିଙ୍କ ବିରୁୁଦ୍ଧରେ ଯୌନ ଉତ୍ପୀଡ଼ନ ଏବଂ ଦାମ୍ପତ୍ୟ ହିଂସା ଅଭିଯୋଗ ଆଣି ହେବ, ଯାହାପାଇଁ ଆଇନରେ ନିର୍ଦ୍ଧାରଣ କରାଯାଇଥିବା ଦଣ୍ଡ ଧର୍ଷଣ ପାଇଁ ଧାର୍ଯ୍ୟ ଦଣ୍ଡଠାରୁ କୋହଳ ହୋଇଥାଏ।

ଜଷ୍ଟିସ୍‌ ପର୍ଦ୍ଦିଓ୍ଵାଲା କିନ୍ତୁ ଏହି ରାୟ ପ୍ରଦାନ କରିବା ସମୟରେ ନିଜର ଘୋର ହତାଶା ମଧ୍ୟ ପ୍ରକଟ କରିବାକୁ ଭୁଲି ନଥିଲେ। ସେ ପ୍ରଚଳିତ ଆଇନର ଦୁର୍ବଳତାକୁ ସ୍ୱୀକାର କରିବା ସହିତ ବୈବାହିକ ବା ଦାମ୍ପତ୍ୟ ଧର୍ଷଣକୁ ମଧ୍ୟ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚିତ କରାଯିବା ସପକ୍ଷରେ ଦୃଢ଼ ମତ ପ୍ରକାଶ କରିଥିଲେ। ସେ କହିଥିଲେ ବୈବାହିକ ସମ୍ପର୍କରେ ମଧ୍ୟ ସହମତ ବିହୀନ ଯୌନକ୍ରିୟାକୁ ଅବୈଧ ଘୋଷଣା କରାଯିବା ହେବ ‘‘ମହିଳା ମାନଙ୍କ ପ୍ରତି ଅମାନୁଷିକ ଆଚରଣ ସେ ସହ୍ୟ କରାଯିବ ନାହିଁ, ସମାଜକୁ ଏହି ଶିକ୍ଷା ଦେବାରେ ପ୍ରଥମ ପଦକ୍ଷେପ।’’ ସେ ପୁଣି କହିଥିଲେ, ‘‘ଦାମ୍ପତ୍ୟ ଧର୍ଷଣ ଜଣେ ସ୍ୱାମୀର ଅଧିକାର ନୁହେଁ, ଏହା ବରଂ ହେଉଛି ଏକ ହିଂସାତ୍ମକ ଆଚରଣ ଏବଂ ଏକ ଅନ୍ୟାୟ ଯାହାକୁ ଏକ ଆପରାଧିକ ଆଚରଣ ରୂପେ ବିବେଚନା କରାଯିବା ଉଚିତ।’’ ଭାରତୀୟ ଦୃଶ୍ୟପଟ ଅନୁସାରେ ଜଷ୍ଟିସ୍‌ ପର୍ଦ୍ଦିଓ୍ଵାଲାଙ୍କ ଚିନ୍ତା ବୁଝିବା କଷ୍ଟକର ନୁହେଁ। ୨୦୧୮ ଫାମିଲି ହେଲ୍‌ଥ ସର୍ଭେ ଅନୁସାରେ ଯୌନ ହିଂସାର ସମ୍ମୁଖୀନ ହୋଇଥିବା ବିବାହିତ ନାରୀମାନଙ୍କ ମଧ୍ୟରୁ ୮୦%ରୁ ଅଧିକ ସେମାନଙ୍କ ସ୍ୱାମୀମାନଙ୍କୁ ହିଁ ଏହି କାଣ୍ଡ ପାଇଁ ଦାୟୀ କରିଥିଲେ।

ଜର୍ମେନ୍‌ ଗ୍ରିଅର୍‌ଙ୍କର ସୁଦୀର୍ଘ କ୍ୟାରିଅର୍‌ର ସର୍ବାଧିକ ପ୍ରସିଦ୍ଧ କୃତି ହେଉଛି ତାଙ୍କର ସର୍ବପ୍ରଥମ ପୁସ୍ତକ, ଯାହାର ଅଖାଡୁଆ ଶୁଭୁଥିବା ଶୀର୍ଷକ ଥିଲା- ‘ଦି ‘ଫିମେଲ୍‌ ଇଉନକ୍‌’ (‘ନପୁଂସକ ନାରୀ)। ୧୯୭୦ରେ ପ୍ରଥମେ ପ୍ରକାଶିତ ହୋଇଥିବା ଏହି ଚାଞ୍ଚଲ୍ୟ ସୃଷ୍ଟିକାରୀ ପୁସ୍ତକରେ ସେ ଯେଉଁସବୁ ଅଭାବନୀୟ ମତବାଦ ପ୍ରସାର କରିଥିଲେ ସେଥିରେ ଅନ୍ତର୍ଭୁକ୍ତ ଥିବା କେତୋଟି ହେଲା: ମାତୃତ୍ୱ ନାରୀର ଯୌନତାକୁ ଦମନ କରି ଦେଇଥାଏ; ସେମାନେ ପୁରୁଷ ପ୍ରଧାନ ଚିନ୍ତାଧାରାକୁ ଗ୍ରହଣ କରି ନିଜକୁ ହୀନ ଦୃଷ୍ଟିରେ ଦେଖନ୍ତି; ସେମାନେ ଯୌନ ସଂଯମ ଆଚରଣ କରିବା ପରିବର୍ତ୍ତେ ନିଜର ଯୌନତାକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ଉଚିତ, ସେମାନେ ତେଣୁ ଏକ-ପତି ଶୃଙ୍ଖଳାରେ ବାନ୍ଧି ହେବା ଉଚିତ ନୁହେଁ, କି ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ ନୁହେଁ…। ସେ ସମୟର ଅପେକ୍ଷାକୃତ ରକ୍ଷଣଶୀଳ ଦୁନିଆରେ ଏହା କିଭଳି ଆଲୋଡ଼ନ ସୃଷ୍ଟି କରିଥିଲା, ତାହା ହୁଏତ ଆଜିର ପିଢ଼ି ଅନୁଭବ କରିବା କଷ୍ଟକର ହୋଇପାରେ। କିନ୍ତୁ ଗତ ସପ୍ତାହରେ ସେ ବ୍ରିଟେନ୍‌ର ପ୍ରସିଦ୍ଧ ‘ହେ ଲିଟରାରୀ ଫେଷ୍ଟିଭାଲ’ (ସାହିତ୍ୟ ସଭା)ର ଯେଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି, ତାହା ଆଜିର ପିଢିକୁ ଠିକ୍‌ ସେଇଭଳି ଦୋହଲାଇ ଦେଇଛି, ଯେଉଁଭଳି ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ‘ଦି ଫିମେଲ୍‌ ଇଉନକ୍‌’ର ଆବିର୍ଭାବ ଘଟାଇଥିଲା।

ଗ୍ରୀଅର୍‌ ଧର୍ଷଣ ସମ୍ବନ୍ଧରେ ପ୍ରଚଳିତ ଧାରଣାକୁ ଓଲଟପାଲଟ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରି କହିଥିଲେ ଯେ ଅଧିକାଂଶ ନାରୀ- ପୁରୁଷ ଯୌନକ୍ରିୟା ହେଉଛି ସହମତିହୀନ ଏବଂ ଅଧିକାଂଶ ଧର୍ଷଣ ହେଉଛି ଏହିପରି ଏକ ସହମତିହୀନ ଯୌନକ୍ରିୟା ମାତ୍ର। ତାଙ୍କ କହିବା ଅନୁସାରେ ସହମତି ଥିବା ଯୌନକ୍ରିୟା ହେଉଛି ଆଦର୍ଶ ବା ଉତ୍ତମ ଶ୍ରେଣୀର; ସହମତିହୀନ ଯୌନକ୍ରିୟା ହେଉଛି ନିକୃଷ୍ଟ ଶ୍ରେଣୀର। ତାଙ୍କ ମତରେ ଅଧିକାଂଶ ଧର୍ଷଣ ଘଟଣାରେ ହିଂସାଚରଣ ହୋଇ ନଥାଏ, କେବଳ ଏପରି ଏକ ନିକୃଷ୍ଟ ଯୌନକ୍ରିୟା ହିଁ ଘଟିଥାଏ। (ସେ ନିଜେ ୧୯ ବର୍ଷ ବୟସରେ ଧର୍ଷିତା ହୋଇଥିଲେ, କିନ୍ତୁ ଏହା ତାଙ୍କ ଉପରେ ସେପରି କିଛି ଭୟଙ୍କର ପ୍ରଭାବ ପକାଇ ନଥିଲା, ଯେପରି ଏବେ ପ୍ରଚାର କରାଯାଉଛି ବୋଲି ସେ ମଧ୍ୟ ସ୍ୱୀକାର କରିଛନ୍ତି। ) ଧର୍ଷଣ ହେଉଛି ଏକ ସାଧାରଣ, ନିକୃଷ୍ଟ ଯୌନାଚରଣ ଏବଂ ବର୍ତ୍ତମାନର ସଂସ୍କୃତି ଏହାକୁ ଅତିରଞ୍ଜନ କରୁଛି ବୋଲି ସେ ମତ ରଖିଛନ୍ତି। ସତେ ଯେମିତି ଏହା ହେଉଛି ଆଉ ଏକ ନୂତନ ‘ନପୁଂସକ ନାରୀ’ ସଂସ୍କୃତି। ଏଣୁ କେବଳ ହିଂସାତ୍ମକ ଧର୍ଷଣ ପ୍ରତି କଠୋର ଦଣ୍ଡ ଲାଗୁ କରି ସାଧାରଣ ଧର୍ଷଣ ପ୍ରତି କୋହଳ ମନୋଭାବ ପୋଷଣ କରିବା ପାଇଁ ଗ୍ରିଅର୍‌ ଆହ୍ଵାନ ଦେଇଛନ୍ତି।

ଏହି ନିକୃଷ୍ଟ ଯୌନାଚରଣ ସମ୍ପର୍କରେ ଆଲୋଚନା କରିବା ସମୟରେ ସେ ଦାମ୍ପତ୍ୟ ଧର୍ଷଣକୁ ଏହାର ଏକ ପ୍ରକୃଷ୍ଟ ଉଦାହରଣ ରୂପେ ଉପସ୍ଥାପନ କରିଛନ୍ତି। ଏଠାରେ ଅବଶ୍ୟ ଗ୍ରିଅର୍‌ ବ୍ୟବହାର କରିଥିବା ରଙ୍ଗିନ ଭାଷା ବ୍ୟବହାର କରାଯାଇ ପାରିବ ନାହିଁ; କିନ୍ତୁ ସେ ଯାହା କହିଛନ୍ତି ତାହା ମୋଟାମୋଟି ଏଇଭଳି: ‘‘ଯେତେବେଳେ ପ୍ରତିଥର ପୁରୁଷ ଜଣେ ତା’ର ଅବସନ୍ନ ପତ୍ନୀଙ୍କଠାରୁ ତାର ଦାମ୍ପତ୍ୟ ଅଧିକାର ଆଦାୟ କରିବାକୁ ଉଦ୍ୟମ କରେ, ତାହା ହେବ ଧର୍ଷଣ…. ଯାହା ଅଧିକାଂଶ ସମୟରେ ଅଦାଲତରେ ପହଞ୍ଚିବ ନାହିଁ।’’ ଯଦି ଜର୍ମେନ୍‌ ଗ୍ରିଅର୍‌ଙ୍କ ଯୁକ୍ତିକୁ ସାମାନ୍ୟ ସମ୍ପ୍ରସାରିତ କରାଯାଏ, ତେବେ କୁହାଯିବ ଯେ ଦାମ୍ପତ୍ୟ ଧର୍ଷଣ ହେଉଛି ବିବାହର ଅବିଚ୍ଛେଦ୍ୟ ଅଙ୍ଗ। ଅନ୍ୟଭାଷାରେ ଦାମ୍ପତ୍ୟ ଧର୍ଷଣକୁ ଯଦି ଏକ ଅପରାଧ ରୂପେ ବିଚାର କରାଯାଏ, ତେବେ ବିବାହ ଅନୁଷ୍ଠାନ ତଥା ପରିବାର ଭୁଶୁଡ଼ି ପଡ଼ିବ। ଭାରତର ସୁପ୍ରିମ୍‌ କୋର୍ଟ ମଧ୍ୟ ଅଳ୍ପଦିନ ତଳେ ଅନୁରୂପ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯାହାକୁ ନାରୀ ଅଧିକାର ବାଦୀମାନେ ଘୋର ବିରୋଧ କରିଛନ୍ତି। ଜର୍ମେନ୍‌ ଗ୍ରିଅର୍‌ଙ୍କର ମନ୍ତବ୍ୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ ହୋଇପାରେ, କିନ୍ତୁ ସେଥିରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଲା ସେ ହିଂସାକୁ ଆଦୌ ସମର୍ଥନ କରିନାହାନ୍ତି। ଅନ୍ତତଃ ଦାମ୍ପତ୍ୟ ଧର୍ଷଣକୁ ଯେ ପୁଣିଥରେ ଟିକିନିଖି କରି ଅନୁଶୀଳନ କରାଯିବା ଉଚିତ, ଗ୍ରିଅର୍‌ଙ୍କ ଚରମ ସମାଲୋଚକମାନେ ମଧ୍ୟ ତାହା ସ୍ୱୀକାର କରିବେ। ସମ୍ଭବତଃ, ଜଷ୍ଟିସ ପର୍ଦ୍ଦିଓ୍ଵାଲାଙ୍କୁ ଏହା ନୂତନ ଚିନ୍ତା ପାଇଁ ଖୋରାକ ଯୋଗାଇବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.