ଋଣ ଜ୍ଞାନ

0 196

ଗତ ସପ୍ତାହରେ ସିଙ୍ଗାପୁରଠାରେ ଅନୁଷ୍ଠିତ ସପ୍ତଦଶ ଏସିଆ ନିରାପତ୍ତା ଶୀର୍ଷ ସମ୍ମିଳନୀ (‘ସାଙ୍ଗ୍ରିଲା ଡାଏଲଗ୍‌’ ନାମରେ ପରିଚିତ) ରେ ଯୋଗ ଦେଇସାରି ସ୍ୱଦେଶକୁ ବାହୁଡ଼ିବା ବାଟରେ ଆମେରିକାର ପ୍ରତିରକ୍ଷା ସଚିବ (ମନ୍ତ୍ରୀ) ଜେମ୍‌ସ୍‌ ମାଟିସ୍‌ ସାମ୍ବାଦିକମାନଙ୍କ ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯେଉଁଭଳି ପ୍ରଶଂସା କରିଛନ୍ତି, ଆମର ମନେପଡ଼ିବା ଭଳି ଅତୀତରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଆମେରିକାର କୌଣସି ଉଚ୍ଚପଦାଧିକାରୀଙ୍କ ଠାରୁ ସେଭଳି ପ୍ରଶଂସା ଲାଭ କରିବା ଦେଖାଯାଇ ନାହିଁ। ପ୍ରଶଂସାର କାରଣ- ମୋଦୀ ତାଙ୍କର ମୂଳ ସ୍ୱର (କି’ ନୋଟ୍‌) ଭାଷଣରେ ତୀର୍ଯକ୍‌ ଭାବରେ ଚୀନ୍‌ର ଋଣ ଯନ୍ତା ଭିତ୍ତିକ କୂଟନୀତିକୁ ଲକ୍ଷ୍ୟ କରି ବିଶାଳ ଋଣବୋଝ ଗ୍ରହଣର ସମ୍ଭାବ୍ୟ ବିପଦ ସମ୍ବନ୍ଧରେ ପ୍ରକଟ କରିଥିବା ଚିନ୍ତା। ମାଟିସ୍‌ଙ୍କୁ ଯାହା ସର୍ବାଧିକ ପ୍ରଭାବିତ କରିଥିଲା ବୋଲି ସେ ପ୍ରକାଶ କରିଥିଲେ ତାହା ହେଲା କୌଣସି ଦେଶର ସାର୍ବଭୌମତ୍ୱ ଅପହରଣ କରିବା ପାଇଁ ଋଣ କିପରି ବନ୍ଧୁକ କିମ୍ବା ସୈନ୍ୟସାମନ୍ତ ଅପେକ୍ଷା ଅଧିକ ଫଳପ୍ରଦ ଆୟୁଧ ରୂପେ କାର୍ଯ୍ୟ କରିପାରେ, ମୋଦୀଙ୍କ ଭାଷଣରେ ତାହାର ସ୍ପଷ୍ଟ ସୂଚନା।

ଜେମ୍‌ସ ମାଟିସ୍‌ ନିଜେ ତାଙ୍କର ଭାଷଣରେ ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ଅବୈଧ ଭାବରେ ସାମରିକ ଭିତ୍ତିଭୂମି ସ୍ଥାପନ କରି ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କୁ କିପରି ଭୟଭୀତ କରୁଛି, ତାହା ଉଲ୍ଲେଖ କରି ଚୀନ୍‌ର ବିରାଗଭାଜନ ହୋଇଥିଲେ। ନରେନ୍ଦ୍ର ମୋଦୀ ଚୀନ୍‌ର ନାମ ଧରି ନଥିଲେ ମଧ୍ୟ କାହାରିକୁ ବୁଝିବା କଷ୍ଟ ନଥିଲା ଯେ ସେ ଛୋଟ ଛୋଟ ଦେଶମାନଙ୍କୁ ଋଣ ଯନ୍ତାରେ ପକାଇ ସେମାନଙ୍କୁ ନିଜ ଅକ୍ତିଆରରେ ରଖିବା ପାଇଁ ଚୀନ୍‌ ଚଳାଇଥିବା ଉଦ୍ୟମ ପ୍ରତି ହିଁ ଅଙ୍ଗୁୁଳି ନିର୍ଦ୍ଦେଶ କରିଥିଲେ। ଚୀନ୍‌ ନିଜକୁ ଯେତେ ଜଣେ ଉପକାରୀ ବନ୍ଧୁ ରୂପେ ଚିତ୍ରିତ କରି ଋଣ ବଣ୍ଟନ କରିଚାଲିଥିଲେ ହେଁ ତା’ର ଅସଲ ଚେହେରା ଆଉ ଲୁଚି ନରହି କ୍ରମେ ପଦାକୁ ଫୁଟି ବାହାରିବାକୁ ଲାଗିଲାଣି। ଋଣ ମାଧ୍ୟମରେ ମହାଜନ ଯେମିତି ଖାତକର ଜମି ଦଖଲ କରିବାର ଅସୁମାରି ନଜିର ଆମ ଦେଶରେ ଅତୀତରେ ଦେଖିବାକୁ ମିଳୁଥିଲା (‘ଛ’ମାଣ ଆଠ ଗୁଣ୍ଠ’ରୁ ‘ଦୋ ବିଘା ଜମିନ୍‌’ ପର୍ଯ୍ୟନ୍ତ), ଠିକ୍‌ ସେଇଭଳି ଏକ ସତସତିକା ଘଟଣା ଦେଖିବାକୁ ମିଳିଛି ଶ୍ରୀଲଙ୍କାରେ।

ଚୀନା ପ୍ରତିଷ୍ଠାନମାନଙ୍କ ଠାରୁ ଆଣିଥିବା ବିଶାଳ ଋଣ ପରିଶୋଧ କରି ନପାରି, ଗତ ଡିସେମ୍ବରରେ ଦେଶର ଦକ୍ଷିଣ ତଟରେ ଅବସ୍ଥିତ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହାମ୍ବନ୍‌ତୋତା ବନ୍ଦରକୁ ଶ୍ରୀଲଙ୍କା ୯୯ ବର୍ଷୀୟ ଲିଜ୍‌ ସୂତ୍ରରେ ଚୀନ୍‌ ହାତରେ ଟେକି ଦେଇଛି। ସମାଲୋଚକମାନେ ଏହାକୁ ଶ୍ରୀଲଙ୍କା ଦ୍ୱାରା ନିଜର ସାର୍ବଭୌମତ୍ୱର ସମର୍ପଣ ରୂପେ ବିଚାର କରୁଛନ୍ତି। ଚୀନ୍‌ର ବିଭିନ୍ନ ସରକାରୀ ପ୍ରତିଷ୍ଠାନ ମାନଙ୍କଠାରୁ ଶ୍ରୀଲଙ୍କା ଆଣିଥିବା ଋଣର ମୋଟ ପରିମାଣ ହେଉଛି ୮ ବିଲିଅନ୍‌ ଡଲାର୍‌ରୁ ଅଧିକ! ହାମ୍ବନତୋତା ଲିଜ୍‌ରୁ ଶ୍ରୀଲଙ୍କା ପାଇବ ୧.୧ ବିଲିିଅନ୍‌ ଡଲାର୍‌ ଯାହା ସେଇ ଋଣ ଭାରକୁ ସାମାନ୍ୟ ହ୍ରାସ କରିବାରେ ସହାୟକ ହେବ। ମୋଦୀ ତାଙ୍କ ଭାଷଣରେ ଏଇ ଭଳି ଏକ କାର୍ଯ୍ୟ-କାରଣ ଶୃଙ୍ଖଳା ପ୍ରତି ହିଁ ଆଶଙ୍କା ପ୍ରକାଶ କରିଛନ୍ତି। ତାହା ହେଲା: ଏକ ଲୋଭନୀୟ ବିଶାଳ ଋଣ ଆଣ, ତାହାକୁ ପରିଶୋଧ କରିବା ପାଇଁ ଅକ୍ଷମତା ପ୍ରକାଶ କର, ବଦଳରେ ନିଜର ସାର୍ବଭୌମତ୍ୱକୁ ସମର୍ପଣ କର। ତେବେ ଏଭଳି ଚିନ୍ତା ପ୍ରକଟ କରିବାରେ ମୋଦୀ ପ୍ରଥମ କିମ୍ବା ଏକମାତ୍ର ବିଶିଷ୍ଟ ଆନ୍ତର୍ଜାତିକ ସ୍ତରର ନେତୃସ୍ଥାନୀୟ ବ୍ୟକ୍ତି ନୁହନ୍ତି।

ନରେନ୍ଦ୍ର ମୋଦୀ ତ ଚୀନ୍‌ ବାହାରେ ସିଙ୍ଗାପୁର ପରି ଏକ ନିରପେକ୍ଷ ତୃତୀୟପକ୍ଷ ସ୍ଥାନରେ, ଚୀନ୍‌ର ନାମ ତୁଣ୍ଡରେ ନଧରି ନିଜର ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି; ଗତ ଏପ୍ରିଲ୍‌ରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶିକା କ୍ରିଶ୍ଚିନ୍‌ ଲାଗାଡ୍‌ର୍ ଚୀନ୍‌ର ରାଜଧାନୀ ବେଜିଂ ଠାରେ ବର୍ତ୍ତମାନ ଚୀନା ସରକାରଙ୍କର ମୁଖ୍ୟ ଋଣବାହକ ଆନ୍ତର୍ଜାତିକ ପ୍ରକଳ୍ପ ରୂପେ ପ୍ରସିଦ୍ଧି ଲାଭ କରିଥିବା ‘ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌’ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଭାଗ ନେଇ ଏହାକୁ ଏକ ଉତ୍ତମ ଉଦ୍ୟମ ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଏହା ଅଂଶଗ୍ରହଣକାରୀ ଦେଶମାନଙ୍କୁ ଋଣ ଭାରରେ ବୁଡ଼ାଇ ଦେଇପାରେ ବୋଲି ସତର୍କବାଣୀ ଶୁଣାଇଥିଲେ। ଚୀନ୍‌ର ପ୍ରଚାର ଅନୁସାରେ ବେଲ୍‌ଟ୍‌ ଆଣ୍ଡ୍‌ ରୋଡ୍‌ ପ୍ରକଳ୍ପ ସର୍ବଦା ଉଭୟ ପକ୍ଷ-ଚୀନ୍‌ ଓ ଅଂଶଗ୍ରହଣକାରୀ ଦେଶ-ଙ୍କ ପାଇଁ ଲାଭଜନକ ହେବ। ଏହା ସମ୍ପୃକ୍ତ ଦେଶମାନଙ୍କର ପରିବହନ ଭିତ୍ତିଭୂମି ନିର୍ମାଣ ଆବଶ୍ୟକତା ପୂରଣ କରିବ ଏବଂ ଚୀନ୍‌କୁ ପୃଥିବୀର ଏକ ପ୍ରମୁଖ ବାଣିଜ୍ୟିକ ଶକ୍ତିରେ ପରିଣତ କରିବ। ଆମେରିକା କ୍ରମେ ଅନ୍ତର୍ମୁଖୀ ହୋଇପଡ଼ି ଆନ୍ତର୍ଜାତିକ ଦୃଶ୍ୟପଟରୁ ଅପସରି ଯାଉଥିବା ବେଳେ, ଚୀନ୍‌ ଏହା ମାଧ୍ୟମରେ ସେହି ଶୂନ୍ୟସ୍ଥାନ ପୂରଣ କରିବ ବୋଲି ଆଶା ବାନ୍ଧିଛି।

କିନ୍ତୁ ଏଥିଯୋଗୁଁ ଏକ ଋଣ ଯନ୍ତା ସମସ୍ୟା ସୃଷ୍ଟି ହୋଇପାରେ ବୋଲି ମୋଦୀ ବା ଲାଗାଡ୍‌ର୍ ଯେଉଁ ଇଙ୍ଗିତ କରିଛନ୍ତି, ତାହା ଯେ କେବଳ ଏକ ଉଡ଼ା କଥା ନୁହେଁ, ଆନ୍ତର୍ଜାତିକ ସମୁଦାୟ ତାହା ହୃଦୟଙ୍ଗମ କରି ସତର୍କ ରହିବା ଉଚିତ। ଉଦାହରଣ ସ୍ୱରୂପ ‘ଦି ସେଣ୍ଟର୍‌ ଫର୍‌ ଗ୍ଲୋବାଲ୍‌ ଡେଭେଲପ୍‌ମେଣ୍ଟ୍‌’ ନାମକ ଏକ ନିରପେକ୍ଷ ଅଣଲାଭକରୀ ଗବେଷଣା ସଂସ୍ଥା ଏ ସମ୍ବନ୍ଧରେ କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ ଚୀନ୍‌ର ଏହି ପ୍ରକଳ୍ପରେ ଜଡ଼ିତ ଦେଶମାନଙ୍କ ମଧ୍ୟରୁ ଅନ୍ତତଃ ଆଠଟିରେ ଗୁରୁତର ଋଣଭାର ସମସ୍ୟା ସୃଷ୍ଟି ହେବ: ଜିବୋଟି, କିର୍‌ଗିଜ୍‌ସ୍ତାନ୍‌, ଲାଓସ୍‌, ମାଲ୍‌ଡିଭ୍‌ସ, ମଙ୍ଗୋଲିଆ, ମଣ୍ଟେନେଗ୍ରୋ, ପାକିସ୍ତାନ ଓ ତାଜିକିସ୍ତାନ୍‌। ଏ ସମସ୍ତ ଦେଶରେ ଏହି ଋଣ ପରିଶୋଧ ପାଇଁ ଦେଶର ସମ୍ବଳ ବିନିଯୁକ୍ତ ହେବା ପରେ ଅନ୍ୟାନ୍ୟ ଆବଶ୍ୟକ ପ୍ରକଳ୍ପ ମାନଙ୍କ ପାଇଁ ସମ୍ବଳ ନିଅଣ୍ଟ ହେବ। ଅତୀତରେ ଚୀନ୍‌ ତାର ଋଣଗ୍ରହୀତା ମାନଙ୍କ ପ୍ରତି ପ୍ରଦର୍ଶନ କରିଥିବା ଆଚରଣରେ ମଧ୍ୟ କୌଣସି ସ୍ଥିରତା ବା ନୀତିନିଷ୍ଠତା ପରିଲକ୍ଷିତ ହୋଇନାହିଁ। ଏଥିପୂର୍ବରୁ ଆମେରିକାର ତତ୍କାଳୀନ ପରରାଷ୍ଟ୍ର ସଚିବ ରେକ୍‌ସ ଟିଲର୍‌ସନ ଅଭିଯୋଗ କରିଥିଲେ ଯେ ଚୀନ୍‌ ଅସ୍ୱଚ୍ଛ ଠିକା, ଆକ୍ରମଣାତ୍ମକ ଋଣ ପ୍ରଦାନ ଏବଂ ଦୁର୍ନୀତିପୂର୍ଣ୍ଣ କାରବାର ମାଧ୍ୟମରେ ସମ୍ପୃକ୍ତ ଦେଶମାନଙ୍କୁ ଋଣଗ୍ରସ୍ତ କରିଦିଏ, ସେମାନଙ୍କର ସାର୍ବଭୌମତ୍ୱ ସଂକୁଚିତ କରିଦିଏ ଏବଂ ସେମାନଙ୍କୁ କେବେହେଲେ ଆତ୍ମନିର୍ଭରଶୀଳ ହେବାକୁ ନଦେଇ ଚୀନ୍‌ ଉପରେ ସବୁଦିନ ପାଇଁ ନିର୍ଭର କରିବାକୁ ବାଧ୍ୟ କରିଥାଏ।

ଲୋଭନୀୟ ଋଣ ପ୍ରତି ସାବଧାନ ରହିବା ପାଇଁ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଶୁଣାଇଥିବା ଜ୍ଞାନ ବା ସତର୍କବାଣୀ ଠିକ୍‌ ଏଇଭଳି ଏକ ଭାବନା ବହନ କରୁଛି। ବୋଧହୁଏ ସେଇଥିପାଇଁ ମାଟିସ୍‌ ମୋଦୀଙ୍କ ଉପରେ ଏଭଳି ପ୍ରୀତ ହୋଇ ପଡ଼ିଛନ୍ତି। ନରେନ୍ଦ୍ର ମୋଦୀ କିନ୍ତୁ ଋଣକୁ ଯେଉଁଭଳି ଶତ୍ରୁ ରୂପେ ଦେଖିଛନ୍ତି ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାରତୀୟ ସଂସ୍କୃତି ଉପରେ ଆଧାରିତ ଯାହା ସହିତ ମୋଦୀ ଓ ତାଙ୍କ ଦଳ ସୁପରିଚିତ। ଏହାର ଏକ ଉଦାହରଣ ସ୍ୱରୂପ ଏହି ସଂସ୍କୃତ ଶ୍ଳୋକଟି ଏଠାରେ ଉଦ୍ଧାର କରାଯାଇପାରେ: ଅଗ୍ନିଃଶେଷଂ ଋଣଃଶେଷଂ ଶତ୍ରୁଃଶେଷଂ ତଥୈବଚ।
ପୁନଃ ପୁନଃ ପ୍ରବର୍ଧେତ ତସ୍ମାତ୍‌ ଶେଷଂ ନ କାରୟେତ୍‌।

ଅଗ୍ନି, ଋଣ ଏବଂ ଶତ୍ରୁର ମୂଳୋତ୍ପାଟନ ନକଲେ ସେମାନେ ପୁଣି ବୃଦ୍ଧି ପାଇ ସର୍ବନାଶ ଘଟାଇ ପାରନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.