ପ୍ରସିଦ୍ଧ ରୁଷୀୟ ମୂଳର ବ୍ରିଟିସ୍ ଅର୍ଥନୀତିଜ୍ଞ ଆବ୍ବା ଲର୍ନର୍ ୧୯୩୬ରେ ପ୍ରମାଣ କରି ଦେଖାଇଥିଲେ ଯେ, କୌଣସି ଏକ ଦେଶ ଆମଦାନି ସ˚କୁଚିତ କରିବା ଉଦ୍ଦେଶ୍ୟରେ ଆମଦାନି ଦ୍ରବ୍ୟ ଉପରେ ବସାଉଥିବା ଟିକସ ବା ଶୁଳ୍କ ବସ୍ତୁତଃ ଆପଣା ଦେଶରୁ ରପ୍ତାନି ହେଉଥିବା ଦ୍ରବ୍ୟମାନ ଉପରେ ସମାନ ଟିକସ ବସାଇବା ଭଳି ହୋଇଥାଏ। ଏହାର ଅତି ସରଳ ଅର୍ଥ ହେଲା, କୌଣସି ଏକ ଦେଶ ଆମଦାନି ସ˚କୁଚିତ କରିବାକୁ ଚେଷ୍ଟା କଲେ ସେଥିଯୋଗୁଁ ଅନୁରୂପ ଅନୁପାତରେ ରତ୍ପାନି ମଧୢ ସ˚କୁଚିତ ହୋଇଯାଇଥାଏ। ଏ ତତ୍ତ୍ବ ପଛରେ ରହିଥିବା ଯୁକ୍ତି ଏଠାରେ ଉପସ୍ଥାପନ କରିବାର ଅବସର ନାହିଁ; କିନ୍ତୁ ଏତିକି କୁହାଯାଇ ପାରେ ଯେ ବାସ୍ତବ ଦୁନିଆ କେବଳ ଅର୍ଥନୈତିକ ତତ୍ତ୍ବ ମାନି ଚାଲି ନ ଥାଏ, ଏବ˚ ଅବାଧ ବାଣିଜ୍ୟ ପ୍ରତିଷ୍ଠା ପାଇଁ ଉଦ୍ୟମ ସତ୍ତ୍ବେ ବିଭିନ୍ନ କାରଣରୁ (ରାଜନୈତିକ, କୂଟନୈତିକ, ସାମରିକ…) ସାମ୍ପ୍ରତିକ ପୃଥିବୀରେ ଦେଶ ଦେଶ ମଧୢରେ ବାଣିଜ୍ୟିକ ପ୍ରତିବନ୍ଧମାନଙ୍କର ଉପସ୍ଥିତି ଏକ ସାଧାରଣ ଦୃଶ୍ୟରେ ପରିଣତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକା ଓ ଚୀନ୍ ମଧୢରେ ଟ୍ରମ୍ପ୍ ପ୍ରଶାସନ ସମୟରେ ଦେଖା ଦେଇଥିବା ବାଣିଜ୍ୟ ଯୁଦ୍ଧ ଯଦିବା ହେଉଛି ଆବ୍ବା ଲର୍ନର୍ଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନର ସର୍ବାଧିକ ଦୃଶ୍ୟମାନ ଉଦାହରଣ, ପୃଥିବୀର ପ୍ରାୟ ଏମିତି କୌଣସି ଦେଶ ନାହିଁ, ଯିଏ କୌଣସି ନା କୌଣସି କାରଣରୁ ଏକାକୀ କିମ୍ବା ଗୋଷ୍ଠୀଗତ ଭାବରେ ଲର୍ନର୍ ତତ୍ତ୍ବର ଉଲ୍ଲ˚ଘନ କରୁନାହିଁ। ଏହାର ବୋଧହୁଏ ସବୁଠାରୁ ତାଜା ଉଦାହରଣ ହେଉଛି ମାଲେସିଆରୁ ପାମ୍ ଅଏଲ୍ ଓ ପାମୋଲିନ୍ ଆମଦାନି ଉପରେ ଭାରତ ଲଗାଇଥିବା କଟକଣା। ଭାରତର ‘ଡାଇରେକ୍ଟର୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍’ (‘ଡିଜିଏଫ୍ଟି’) ଗତ ସପ୍ତାହରେ କରିଥିବା ଘୋଷଣା ଅନୁସାରେ ଏ ଉଭୟ ପଦାର୍ଥର ଆମଦାନି ପାଇଁ ଏଣିକି ଆମଦାନିକାରୀମାନଙ୍କୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେବ। ଏହା ଲର୍ନରଙ୍କ ତତ୍ତ୍ବରେ ଥିବା ଶୁଳ୍କ ଭିତ୍ତିକ ପ୍ରତିବନ୍ଧ ହୋଇନଥିଲେ ହେଁ, ଏହା ହେଉଛି ସମାନ ଫଳ ସୃଷ୍ଟି କରୁଥିବା ବା ତା’ ଠାରୁ ଆହୁରି କଠୋର ପରିଣାମ ସୃଷ୍ଟି କରୁଥିବା ଅଣ-ଶୁଳ୍କ ଜାତୀୟ ପ୍ରତିବନ୍ଧ। ସରକାରୀ ନିର୍ଦ୍ଦେଶନାମାରେ କେବଳ ପଦାର୍ଥର ଉଲ୍ଲେଖ ରହିଛି, କୌଣସି ଦେଶର ଉଲ୍ଲେଖ ନାହିଁ। କିନ୍ତୁ ଅଶୋଧିତ ପାମ୍ ଅଏଲ୍ ଓ ବିଶୋଧିତ ପାମୋଲିନ୍ ଆମଦାନି କରୁଥିବା ବିଶୋଧନକାରୀ ଓ ବ୍ୟବସାୟୀମାନେ ମାଲେସିଆରୁ ଏହି ଉଭୟ ପଦାର୍ଥ ଆମଦାନି ନ କରିବା ପାଇଁ ସରକାରଙ୍କ ଠାରୁ ଅଣ ଆନୁଷ୍ଠାନିକ ପରୋକ୍ଷ ଇସାରା ପାଇଛନ୍ତି।
ଖଜୁରୀ ଭଳି ଗଛର ଫଳରୁ ଉପଲବ୍ଧ ଏହି ତୈଳର ଦୁଇ ମୁଖ୍ୟ ଉତ୍ପାଦନକାରୀ ଦେଶ ହେଉଛନ୍ତି ଇଣ୍ତୋନେସିଆ ଓ ମାଲେସିଆ ଏବ˚ ପୃଥିବୀରେ ଏହି ତୈଳର ବୃହତ୍ତମ ଆମଦାନିକାରୀ ହେଉଛି ଭାରତ। ଭାରତ ଆମଦାନି କରୁଥିବା ଖାଇବା ତେଲର ଏହା ହେଉଛି ପ୍ରାୟ ଦୁଇ-ତୃତୀୟା˚ଶ। ଭାରତ ଏହି ଦୁଇ ଦେଶରୁ ବର୍ଷକୁ ୯ ନିୟୁତ ଟନ୍ରୁ ଅଧିକ ତୈଳ ଆମଦାନି କରିଥାଏ। ୨୦୧୮ରେ ଭାରତ ମାଲେସିଆରୁ ୧.୬୫ ବିଲିଅନ୍ ଡଲାର୍ ମୂଲ୍ୟର ପାମ୍ ଅଏଲ୍ ଆମଦାନି କରିଥିଲା। ସେ ବର୍ଷ ଭାରତ ଇଣ୍ତୋନେସିଆରୁ ୩.୮ ବିଲିଅନ୍ ଡଲାର୍ ମୂଲ୍ୟର ଏହି ତୈଳ ଆମଦାନି କରିଥିଲା। ଏବେ ସବୁତକ ଆମଦାନି ଇଣ୍ତୋନେସିଆରୁ କରାଯିବ। ଭାରତର ଏହି ପଦକ୍ଷେପ ପରେ ମାଲେସିଆ ପାମ୍ ଅଏଲ୍ ରତ୍ପାନି ପାଇଁ ପାକିସ୍ତାନ ମୁହାଁ ହୋଇଛି। କିନ୍ତୁ ପାକିସ୍ତାନର ପାମ୍ ଅଏଲ୍ ଆମଦାନି ପରିମାଣ ଭାରତର ଅଧା ଠାରୁ ମଧୢ କମ୍ ହୋଇଥିବାରୁ ଭାରତ ଦ୍ବାରା ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ଏହାଦ୍ବାରା ପୂରଣ ହେବ ନାହିଁ। ଇଣ୍ତୋନେସିଆର ପାମ୍ ଅଏଲ୍ ସାମାନ୍ୟ ମହଙ୍ଗା ହୋଇଥିବାରୁ ଭାରତର ଆମଦାନି ବିଲ୍ରେ ମଧୢ କିଛି ବୃଦ୍ଧି ଘଟିବ।
ମାଲେସିଆ ସହିତ ଭାରତ ଏପରି ଅଣ-ଲର୍ନର୍ସୁଲଭ ଆଚରଣ ପ୍ରଦର୍ଶନ କରିବାର ମୂଳରେ ରହିଛନ୍ତି ସେ ଦେଶର ୯୪ ବର୍ଷୀୟ ପ୍ରଧାନ ମନ୍ତ୍ରୀ ମହାତିର ମହମ୍ମଦ। ଗତବର୍ଷ ସେ ଜାତିସ˚ଘରେ ଭାଷଣ ଦେଇ କାଶ୍ମୀରରେ ଧାରା-୩୭୦ ଉଚ୍ଛେଦ ବିରୋଧରେ ଏକ ସ˚କଳ୍ପ ଗ୍ରହଣ ପାଇଁ ଆହ୍ବାନ ଦେଇଥିଲେ। ଗତ ମାସରେ ସେ ନିଜ ଦେଶରେ ଆୟୋଜନ କରିଥିବା ଇସ୍ଲାମୀୟ ଦେଶମାନଙ୍କର ଶୀର୍ଷ ସମ୍ମିଳନୀରେ ଭାରତ ଦ୍ବାରା ପ୍ରଣୀତ ‘ସିଏଏ’ ଦ୍ବାରା ଭାରତୀୟ ମୁସଲମାନମାନେ ନାଗରିକତ୍ବ ହରାଇବେ ବୋଲି ମିଥ୍ୟା ଅଭିଯୋଗ କରିଥିଲେ। ଭାରତରୁ ଲୁଚି କରି ପଳାଇଥିବା ଜିହାଦ୍ ସମର୍ଥକ ଇସ୍ଲାମୀୟ ମୌଳବାଦୀ ପ୍ରଚାରକ ଜାକୀର୍ ନାୟକଙ୍କୁ ମଧୢ ମହାତିର୍ ନିଜ ଦେଶରେ ଆଶ୍ରୟ ଦେଇଛନ୍ତି। ଯେ କୌଣସି ଦେଶର ମୁଖ୍ୟ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ଓ ସାର୍ବଭୌମ ବ୍ୟାପାରରେ ଏପରି ନାକ ଗଳାଇବା ତ ଆଦୌ ଗ୍ରହଣୀୟ ନୁହେଁ, ପୁଣି ମାଲେସିଆ ଭଳି ଏକ ଜାତିଗତ ବାଛ ବିଚାରପୂର୍ଣ୍ଣ ଦେଶ ଭାରତର ଆନୁଷ୍ଠାନିକ ସମାଲୋଚନା କରିବା ଏକ ଶତ୍ରୁସୁଲଭ ଆଚରଣ ଠାରୁ ଭିନ୍ନ ନୁହେଁ।
ପ୍ରାୟ ତିନି କୋଟି ଜନସ˚ଖ୍ୟା ବିଶିଷ୍ଟ ଏହି ଦେଶର ଅର୍ଧାଧିକ ହେଉଛନ୍ତି ଇସଲାମ୍ ଧର୍ମାବଲମ୍ବୀ ମୂଳ ମାଳୟ, ଯେଉଁମାନେ ନିଜକୁ ‘ଭୂମିପୁତ୍ର’ ବୋଲି କହିଥାନ୍ତି। ଜନସ˚ଖ୍ୟାର ପ୍ରାୟ ୨୩% ହେଉଛନ୍ତି ଚୀନା ମୂଳର ଓ ୭% ହେଉଛନ୍ତି ଭାରତୀୟ ମୂଳର। ସେ ଦେଶର ସମ୍ବିଧାନ ଓ ସରକାରୀ ନୀତିରେ ଖୋଲାଖୋଲି ଭାବରେ ‘ଭୂମିପୁତ୍ର’ମାନଙ୍କୁ ଉଚ୍ଚ ଶ୍ରେଣୀର ନାଗରିକ ଓ ଅଣ ଇସ୍ଲାମୀୟ ଚୀନା ଓ ଭାରତୀୟ ମୂଳର ନାଗରିକମାନଙ୍କୁ ନୀଚା ଶ୍ରେଣୀର ନାଗରିକ ରୂପେ ବିଚାର କରାଯାଇ ଅନୁରୂପ ଆଚରଣ ପ୍ରଦର୍ଶନ କରାଯାଇଥାଏ। ମାଲେସିଆର ରାଜନୀତି ‘କେତୁଆନାନ୍ ମେଲାୟୁ’ ବା ‘ମାଲୟ ଆଧିପତ୍ୟ’ ମତବାଦ ଉପରେ ପ୍ରତିଷ୍ଠିତ। ସରକାରୀ ଚାକିରିରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟସେବା, ଗୃହ ନିର୍ମାଣ, ଋଣ ପ୍ରଦାନ ଆଦି ପର୍ଯ୍ୟନ୍ତ କ୍ଷେତ୍ରରେ ଭୂମିପୁତ୍ରମାନଙ୍କୁ ଖୋଲା ଖୋଲି ଅଗ୍ରାଧିକାର ପ୍ରଦାନ କରାଯାଇଥାଏ। ଏହି ବାଛ ବିଚାର ଦୃଢ଼ ସାମାଜିକ ସ୍ବୀକୃତି ଉପରେ ମଧୢ ପ୍ରତିଷ୍ଠିତ। ହିନ୍ଦୁ, ଶିଖ୍, ବୌଦ୍ଧ ଓ ଚୀନା ମୂଳର ନାଗରିକମାନଙ୍କର ମାନବାଧିକାର ଏ ଦେଶରେ ଖୋଲାଖୋଲି ଉଲ୍ଲ˚ଘନ କରାଯାଇଥାଏ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପୃଥିବୀର ୧୭୯ଟି ଦେଶ ମିଳିତ ଜାତି ସ˚ଘର ଜାତିଗତ ବାଛ ବିଚାର ବିରୋଧୀ ସନନ୍ଦ ‘ଆଇସିଇଆର୍ଡି’ରେ ସ୍ବାକ୍ଷର କରିଥିଲେ ମଧୢ ମାଲେସିଆ ଏଥିରେ ସ୍ବାକ୍ଷର କରିନାହିଁ।
ଏପରି ଏକ ମୌଳବାଦୀ, ଖୋଲା ଖୋଲି ମାନବାଧିକାର ଉଲ୍ଲ˚ଘନକାରୀ ଦେଶ ଭାରତ ଭଳି ପୃଥିବୀର ବୃହତ୍ତମ ଉଦାର ଗଣତନ୍ତ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ଯେମିତି ହାସ୍ୟାସ୍ପଦ, ଏଥି ସତ୍ତ୍ବେ ଭାରତ ସହିତ ବ୍ୟବସାୟ କରି ଲାଭ କରି ଚାଲିବା ସେମିତି ଗ୍ରହଣୀୟ ନୁହେଁ। ଏହା ହେଉଛି ଏପରି ଏକ ପରିସ୍ଥିତି, ଯେଉଁଠି ‘ଲର୍ନର୍ ତତ୍ତ୍ବ’ ଭଳି ବିଶୁଦ୍ଧ ଅର୍ଥନୈତିକ ନିୟମ ପ୍ରୟୋଗ କରାଯାଇ ପାରିବ ନାହିଁ। ଯେମିତି କୁହାଯାଇଥାଏ, ମନୁଷ୍ୟ କେବଳ ପେଟ ପାଇଁ ବଞ୍ଚେ ନାହିଁ, ଦେଶ ସେମିତି କେବଳ ବାଣିଜ୍ୟିକ ଲାଭ ପାଇଁ ବଞ୍ଚେ ନାହିଁ। ମାଲେସିଆ ବିରୋଧରେ ନିଆ ଯାଇଥିବା ପଦକ୍ଷେପ ସମ୍ପୂର୍ଣ୍ଣ ଯଥାର୍ଥ, ଯାହା ଲର୍ନର୍ଙ୍କ ପାଇଁ ଏକ ବିଶ୍ରାମ ଭଳି।