ଦୁନିଆକୁ ଭଲ କରିବା ପାଇଁ ସମ୍ଭ୍ରାନ୍ତ ଶ୍ରେଣୀ ବା ତଥାକଥିତ ‘ଏଲିଟ୍’ ମାନଙ୍କର ବିଭିନ୍ନ ଉଦ୍ୟମକୁ ଏକ ପ୍ରହସନ ରୂପେ ପ୍ରଦର୍ଶିତ କରି ଆନ୍ତର୍ଜାତିକ ଖ୍ୟାତି ଲାଭ କରିଥିବା ଲେଖକ ଆନନ୍ଦ ଗିରିଧର ଦାସ ଏହି ସ୍ତମ୍ଭର ପାଠକପାଠିକାଙ୍କ ନିକଟରେ ଏକ ଅପରିଚିତ ନାମ ନୁହଁନ୍ତି। ସେ ତାଙ୍କର ବହୁଳ ଆଦୃତ ୨୦୧୮ରେ ପ୍ରକାଶିତ ପୁସ୍ତକ, ‘ଵିନର୍ସ ଟେକ୍ ଅଲ୍: ଦି ଏଲିଟ୍ ସରାଡ଼୍ ଅଫ୍ ଚେଞ୍ଜିଙ୍ଗ୍ ଦି ଵର୍ଲଡ଼’ରେ ଏ ଯେଉଁ ପ୍ରହସନର ଅବତାରଣା କରିଥିଲେ, ତା’ର ଶ୍ରେଷ୍ଠତମ ଉଦାହରଣର ମାନ୍ୟତା ପାଇବା ପାଇଁ ଯଦି କୌଣସି ଏକ କାର୍ଯ୍ୟକ୍ରମ ସବୁଠାରୁ ଅଧିକ ହକ୍ଦାର, ତାହା ହେଉଛି ବିଗତ ଅର୍ଦ୍ଧଶତାବ୍ଦୀ ଧରି ପ୍ରତିବର୍ଷ ଏହି ସମୟରେ ସ୍ବିଜର୍ଲାଣ୍ତ୍ର ଡାଭସ୍ ନାମକ ବରଫାବୃତ ସ୍କି କ୍ରୀଡ଼ାସ୍ଥଳୀରେ ଆୟୋଜିତ ହୋଇ ଆସୁଥିବା ଵର୍ଲଡ଼ ଇକନୋମିକ୍ ଫୋରମ୍ ବାର୍ଷିକ ସମ୍ମିଳନୀ।
ଏଥିରେ ଯୋଗ ଦେବା ପାଇଁ ନିମନ୍ତ୍ରଣଟିଏ ପାଇବା ପାଇଁ ପୃଥିବୀର ସୁପର୍ ଧନୀ ବ୍ୟବସାୟ ମାଲିକଙ୍କ ଠାରୁ ଶକ୍ତିଶାଳୀ ରାଜନେତାଙ୍କ ପର୍ଯ୍ୟନ୍ତ, ସେଲିବ୍ରିଟି ଫିଲ୍ମ ଷ୍ଟାରଙ୍କ ଠାରୁ ଜନମତକୁ ରୂପ ଦେଉଛନ୍ତି ବିଶ୍ବାସ କରାଯାଉଥିବା ମିଡ଼ିଆ ଷ୍ଟାରମାନଙ୍କ ପର୍ଯ୍ୟନ୍ତ ସତୃଷ୍ଣ ନୟନରେ ଅପେକ୍ଷା କରିଥାନ୍ତି। ସେଠାରେ ସେମାନେ ପ୍ରତିବର୍ଷ ଏକାଠି ହୋଇ ବିରଳ ସୁସ୍ବାଦୁ ଖାଦ୍ୟ, ପାନୀୟ ସେବନ ସହିତ ପରସ୍ପରର ଅମୂଲ୍ୟ ସାନ୍ନିଧୢ ଲାଭ କରି ଜଗତ୍ ଉଦ୍ଧାର ପାଇଁ ବଚନବଦ୍ଧ ହୋଇଥାନ୍ତି। ସେମାନଙ୍କ ସତ୍ତ୍ବେ ଜଗତ୍ କିନ୍ତୁ ତା’ବାଟେ ଚାଲିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୨୧-୨୪ ମଧୢରେ ଚଳିତ ବର୍ଷ ପାଇଁ ଆୟୋଜିତ ଡାଭସ୍ ସମ୍ମିଳନୀରେ ଏହି ଧାରାରେ କିଛି ବ୍ୟତିକ୍ରମ ଘଟିନାହିଁ, ଯଦିବା ଏଥରର ବିଷୟବସ୍ତୁ ଏକ ସୁସ˚ହତ ଏବ˚ ଧାରଣକ୍ଷମ ଦୁନିଆର ସମସ୍ତ ଭାଗୀଦାର ବା ‘ଷ୍ଟେକ୍ହୋଲ୍ଡର୍’ମାନଙ୍କ ଉପରେ ଆଧାରିତ ଥିଲା (ଷ୍ଟେକ୍ ହୋଲ୍ଡର୍ସ ଫର୍ ଏ କୋହେସିଭ୍ ଆଣ୍ତ ସସ୍ଟେ ନେବ୍ଲ ଵର୍ଲଡ୍)। ପୃଥିବୀର ସର୍ବୋଚ୍ଚ ଧନୀ ଠାରୁ ସର୍ବାଧିକ ଦରିଦ୍ରମାନଙ୍କ ପର୍ଯ୍ୟନ୍ତ ଯଦି ପୃଥିବୀ ତିଷ୍ଠି ରହିବାରେ ସମାନ ଭାବରେ ଭାଗୀଦାର ବୋଲି ବିଚାର କରାଯାଏ, ତେବେ ଏ ବର୍ଷର ଡାଭସ୍ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ତିନିହଜାର ଅ˚ଶଗ୍ରହଣକାରୀଙ୍କ ପାଇଁ କରାଯାଇଥିବା ଶ୍ରେଣୀ ବିଭାଜନ ହିଁ ଆରମ୍ଭରୁ ଏ ଉଦ୍ୟମକୁ ଏକ ଗିରିଧର ଦାସ ବର୍ଣ୍ଣିତ ପ୍ରହସନରେ ପରିଣତ କରିଥାଏ। ଏମାନଙ୍କୁ ବିଭାଜିତ କରାଯାଇଥିବା ସାତଟି ଶ୍ରେଣୀରୁ ପ୍ରଥମ ଶ୍ରେଣୀରେ ସ୍ଥାନ ପାଇଥିଲେ ରାଷ୍ଟ୍ରମୁଖ୍ୟ, ବଡ଼ବଡ଼ କମ୍ପାନିର ମୁଖ୍ୟ ପରିଚାଳକ, ଶକ୍ତିଶାଳୀ ମିଡ଼ିଆ ମୁଖ୍ୟ ଏବ˚ ସର୍ବୋଚ୍ଚ ସ୍ତରର ଶିକ୍ଷାବିତ୍ମାନେ। କ୍ରମେ ଶ୍ରେଣୀମାନଙ୍କର ଗୁରୁତ୍ବ ହ୍ରାସ ପାଇ ପାଇ ସବୁଠାରୁ ସାଧାରଣ ବର୍ଗର ବୋଲି ବିବେଚିତ ସଦସ୍ୟମାନେ ଅନ୍ତିମ ତଥା ସପ୍ତମ ଶ୍ରେଣୀରେ ସ୍ଥାନ ପାଇଥିଲେ। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା ଏହି ଅ˚ଶଗ୍ରହଣକାରୀ ତାଲିକାର ଏକ ଅନୁଶୀଳନ ପରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ଏବର୍ଷ ଏ ତାଲିକାର ପ୍ରାୟ ଅର୍ଦ୍ଧେକ (୪୬%) ସଦସ୍ୟ ପ୍ରଥମ ଶ୍ରେଣୀର ମାନ୍ୟତା ଲାଭ କରିଥିବା ବେଳେ ସପ୍ତମ ତଥା ସର୍ବନିମ୍ନ ଶ୍ରେଣୀରେ ସ୍ଥାନ ପାଇଥିବା ସାଧାରଣ ଲୋକଙ୍କ ଅନୁପାତ ଥିଲା ଏକ ଶତା˚ଶରୁ ମଧୢ କମ୍, ୦.୭୫% ମାତ୍ର। ଧନୀ ଓ କ୍ଷମତାଶାଳୀଙ୍କ ଅଧିକାରରେ ଥିବା ଡାଭସ୍ କ୍ଲବ୍ରେ ଏହା ହିଁ ହେଉଛି ‘ଭାଗୀଦାରି’ର ସ˚ଜ୍ଞା।
ଆମ ଭାରତବାସୀଙ୍କ ପାଇଁ ଏ ବର୍ଷର ଡାଭସ୍ ପ୍ରହସନକୁ ଯିଏ ବିଶେଷ ଉପଭୋଗ୍ୟ କରିଛନ୍ତି ବୋଲି କୁହାଯାଇପାରିବ, ସେ ହେଉଛନ୍ତି ଉପରୋକ୍ତ ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ୪୬% ସଦସ୍ୟମାନଙ୍କ ମଧୢରୁ ଜଣେ- ୮୯ ବର୍ଷୀୟ ବିଲିଅନ୍ ବିଲିଅନ୍ ଡଲାର୍ର ମାଲିକ ମୁଦ୍ରାବଜାର ଖେଳାଳି ଜର୍ଜ ସୋରୋସ୍। ଇଏ ହେଉଛନ୍ତି ପୃଥିବୀରେ ଜଣେ ଆତ୍ମନିଯୁକ୍ତ ତଥାକଥିତ ଉଦାରପନ୍ଥୀ, ମାନବାଧିକାର ରକ୍ଷାକାରୀ ଓ ଗଣତନ୍ତ୍ର ଉଦ୍ଧାରକାରୀ। ସୋରୋସ୍ଙ୍କ ବିଷୟରେ ଅଧିକ କିଛି କହିବା ପୂର୍ବରୁ ଏତକ କହି ରଖିବା ଦରକାର ଯେ ତାଙ୍କର ଜନ୍ମସ୍ଥାନ ହେଉଛି ପୂର୍ବ ଇଉରୋପର ହଙ୍ଗେରୀ ଏବ˚ ସେ ହେଉଛନ୍ତି ଇହୁଦୀ ଧର୍ମାବଲମ୍ବୀ। ଏହା ପରେ ଏ ସୂଚନା ମଧୢ ଗୁରୁତ୍ବବହନ କରିଥାଏ ଯେ ଉଭୟ ହଙ୍ଗେରୀ ଓ ଇହୁଦୀମାନଙ୍କର ଦେଶ ଇସ୍ରାଏଲ୍ରେ ସୋରୋସ୍ ହେଉଛନ୍ତି ଜଣେ ଅବାଞ୍ଛିତ ବ୍ୟକ୍ତି, ଯାହାଙ୍କ ପାଇଁ ସେ ଦେଶର ପ୍ରବେଶଦ୍ବାର ବନ୍ଦ। ହଙ୍ଗେରୀ ସରକାର ତ ସୋରୋସ୍ଙ୍କୁ ‘ରାଷ୍ଟ୍ରର ଶତ୍ରୁ’ (‘ଏନିମି ଅଫ୍ ଦି ଷ୍ଟେଟ୍’) ବୋଲି ଘୋଷଣା କରିଛି।
ଏ ଉଭୟ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଲାଗିଥିବା ବିଭିନ୍ନ ସ˚ଗଠନମାନଙ୍କୁ ସୋରୋସ୍ ଅର୍ଥବଳ ଯୋଗାଇଥାନ୍ତି। ସୋରୋସ୍ ହେଉଛନ୍ତି ଇଉରୋପ ଭିତରକୁ ଇସ୍ଲାମୀୟ ଶରଣାର୍ଥୀ ଏବ˚ ନିଯୁକ୍ତି ସନ୍ଧାନମାନଙ୍କର ଅବାଧ ଅନୁପ୍ରବେଶର ଦୃଢ଼ ସମର୍ଥକ। ହଙ୍ଗେରୀର ଭିକ୍ଟର୍ ଅର୍ବାନ୍ ସରକାର ବସ୍ତୁତଃ ଦେଶର ସୀମାକୁ ସମ୍ପୂର୍ଣ୍ଣ ନିବୁଜ କରି ଦେଇ ଦେଶକୁ ସମ୍ଭାବ୍ୟ ଇସ୍ଲାମୀୟ ଆତଙ୍କବାଦୀଙ୍କ ଅନୁପ୍ରବେଶରୁ ସୁରକ୍ଷିତ ରଖିବାକୁ ବଦ୍ଧପରିକର। ତେଣୁ ସୋରୋସ୍ ଭିକ୍ଟର୍ ଅର୍ବାନ୍ଙ୍କୁ ହଟାଇବା ପାଇଁ ଉଦ୍ୟମରତ, ଯଦିବା ଅର୍ବାନ୍ ଗଣତାନ୍ତ୍ରିକ ପଦ୍ଧତିରେ ବିପୁଳ ଜନ ସମର୍ଥନ ଲାଭ କରି ନିର୍ବାଚିତ ହୋଇଛନ୍ତି। ଇସ୍ରାଏଲ୍ ନିଜ ଦେଶର ନିରାପତ୍ତା ନିଶ୍ଚିତ କରିବା ପାଇଁ ଗ୍ରହଣ କରିଥିବା ପାଲେଷ୍ଟାଇନ୍ ନୀତି ନେଇ ଆରବମାନେ ଅସନ୍ତୁଷ୍ଟ ଥିବାରୁ ସୋରୋସ୍ ମଧୢ ଇସ୍ରାଏଲ୍କୁ ବିରୋଧ କରି ଚାଲିଛନ୍ତି।
ତେଣୁ ଡାଭସ୍ଠାରେ ସୋରୋସ୍ କାଶ୍ମୀରରେ ଧାରା-୩୭୦ର ଉଚ୍ଛେଦ ଓ ଦେଶରେ ‘ସିଏଏ’ ଆଇନ ପ୍ରବର୍ତ୍ତନକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ଯେହେତୁ ‘ମାନବବାଦୀ’ ସୋରୋସ୍ କାଶ୍ମୀର ନେଇ ଏତେ ଚିନ୍ତିିତ, ଏଠାରେ ଏତିକି ସୂଚାଇବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଯେତେବେଳେ ୧୯୯୦ ଦଶକର ଆରମ୍ଭ କାଳରେ କାଶ୍ମୀରରେ କାଶ୍ମୀରୀ ପଣ୍ତିତମାନଙ୍କ ବିରୋଧରେ ଏକ ‘ହଲୋକଷ୍ଟ’ ଭଳି ପରିସ୍ଥିତି ସୃଷ୍ଟି ହୋଇ ସେମାନେ ଚରମ ମାନବୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ, ଠିକ୍ ପ୍ରାୟ ସେଇ ସମୟରେ ଜର୍ଜ ସୋରୋସ୍ ବ୍ରିଟେନ୍ର ମୁଦ୍ରା ପାଉଣ୍ତ ପାଇଁ ମୁଦ୍ରା ବଜାରରେ ଏକ ଅନୁରୂପ ଦୁର୍ଦ୍ଦଶା ସୃଷ୍ଟି କରିବାରେ ଲାଗିଥିଲେ। ଏହି ଜୁଆ ଖେଳରୁ ସେ ଅର୍ଜନ କରିଥିବା ଲାଭ ହିଁ ତାଙ୍କୁ ପ୍ରଥମ ଥର ପାଇଁ ଜଣେ ବିଲିଅନେଆରରେ ପରିଣତ କରିଥିଲା। ଏ ପର୍ଯ୍ୟନ୍ତ ବ୍ରିଟେନ୍ରେ ସେଦିନଟିକୁ ‘କଳା ବୁଧବାର’ ରୂପେ ଲୋକେ ମନେ ରଖିଛନ୍ତି। ଏବେ ଜଗତ୍କୁ ଉଦ୍ଧାର କରିବା ପାଇଁ ବାହାରିଥିବା ମତାନ୍ଧ ସୋରୋସ୍ଙ୍କ ପାଟିରୁ କାଶ୍ମୀର ପଣ୍ତିତମାନଙ୍କ ପାଇଁ ଆହା ଶବ୍ଦଟିଏ ବାହାରିନଥିଲା। ଡାଭସ୍ ପ୍ରହସନ ପାଇଁ ତେଣୁ ତାଙ୍କ ଠାରୁ ଅଧିକ ଉପଯୁକ୍ତ ଆଉ କିଏ ହୋଇପାରେ?