କାଳୀ କନିଆଁ

0 310

‘‘ନାଉରିଆ ତୁ ଶୁଣି ଯା’, କିଏ ବା ମତେ ହେବ ବାହା?/ ଯିଏ ଦେଖନ୍ତି ନାକ ଟେକନ୍ତି, ମୁଁ କାଳେ କାଳୀ କନିଆଁ।’’ ଭାରତ ସରକାରଙ୍କର ଅଲିଅଳୀ ରାଜଜେମା ‘ଏଆର୍‌ ଇଣ୍ଡିଆ’ (ଯଦିବା ‘ମହାରାଜା’ ହେଉଛି ଏହାର ବ୍ରାଣ୍ଡ୍‌)ର ଅବସ୍ଥା ବର୍ତ୍ତମାନ ଅକ୍ଷୟ ମହାନ୍ତିଙ୍କ ସେହି ପ୍ରସିଦ୍ଧ ଗୀତର କାଳୀ କନିଆଁର ଅବସ୍ଥା ଭଳି ହୋଇଛି (ସ୍ପଷ୍ଟୀକରଣ: ଏହି ସମ୍ବାଦପତ୍ର ବର୍ଣ୍ଣ ଭେଦରେ ବିଶ୍ୱାସ କରେ ନାହିଁ)।

ଏଆର୍‌ ଇଣ୍ଡିଆକୁ ବିକ୍ରୟ କରିବା ପାଇଁ ସରକାର ଆୟୋଜନ କରିଥିବା ସ୍ୱୟମ୍ବର ସଭା ସମ୍ପୂର୍ଣ୍ଣ ବିଫଳତାରେ ସମାପ୍ତ ହୋଇଛି; ସମସ୍ତ ସମ୍ଭାବ୍ୟ ପ୍ରାର୍ଥୀ କନିଆଁକୁ ଦେଖି ଦୂରରୁ ନାକ ଟେକି ପଳାଇ ଯାଇଛନ୍ତି। ସେମାନେ ଏପରି ପଳାୟନ କରିବାର କାରଣ କନିଆଁର ରଙ୍ଗ ନୁହେଁ; କନିଆଁ ଏପରି ଅଲିଅଳ ହୋଇ ବଢ଼ିଛି ଯେ, ତା’ର ବୋଝ ସମ୍ଭାଳି ନପାରିବା ଭୟ ହେଉଛି ଏହାର କାରଣ। ଯେଉଁ ଗନ୍ଧ ଯୋଗୁଁ ସେମାନେ ନାକ ଟେକିଛନ୍ତି ତାହା ହେଉଛି କ୍ଷତିର ଗନ୍ଧ। ସେମାନେ ସମସ୍ତେ ହେଉଛନ୍ତି ବ୍ୟବସାୟୀ- ସେମାନଙ୍କୁ ଲାଭ ବାସ୍ନା କରେ, କ୍ଷତି ଗନ୍ଧାଏ। ଜେମା କିନ୍ତୁ ବିବାହ ପରେ ଯେଉଁ ଋଣ ଭାର ଓ ଦାସୀ ପରିବାରୀ ସାଙ୍ଗରେ ଧରି ଆସନ୍ତେ, ତାହା କେବଳ କ୍ଷତି ଘଟାଇ ଚାଲନ୍ତା।

ଜେମାଙ୍କୁ କିଏ ଏପରି ନଷ୍ଟ କରିଛି ବୋଲି ଯଦି ପଚରାଯାଏ, ତେବେ ଉତ୍ତର ହେବ ତାଙ୍କର ରାଜବଂଶର ପ୍ରତିଷ୍ଠାତା ପିତାମହ- ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ। ଏଆର୍‌ ଇଣ୍ଡିଆର ମୂଳ ପ୍ରତିଷ୍ଠାତା ଥିଲେ ଜେଆର୍‌ଡି ଟାଟା ଓ ଏହାର ନାମ ଥିଲା ଟାଟା ଏଆର୍‌ ଲାଇନ୍‌ସ। ୧୯୫୩ରେ ନେହରୁ ସରକାର ଏହାର ଜାତୀୟକରଣ କରି ସରକାରଙ୍କ ମାଲିକାନାଭୁକ୍ତ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଦେଲେ, ଯାହାର ନାମକରଣ ହେଲା- ଏଆର୍‌ ଇଣ୍ଡିଆ। ଯଦିବା ଜେଆର୍‌ଡି ଟାଟାଙ୍କୁ ୧୯୭୭ ପର୍ଯ୍ୟନ୍ତ ଏହାର ଚେଆର୍‌ମ୍ୟାନ୍‌ ପଦବିରେ ରଖାଯାଇଥିଲା, ଏହାର ବ୍ୟାବସାୟିକ ଆଭିମୁଖ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଲା। ଲାଭ ଅର୍ଜନ କରିବା ଆଉ ଏହି ବ୍ୟବସାୟର ମୁଖ୍ୟ ଲକ୍ଷ୍ୟ ହୋଇ ରହିଲା ନାହିଁ। ଏକ ରୋଚକ କିଂବଦନ୍ତି ପାଲଟିସାରିଥିବା ଉଦାହରଣ ଏ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ। ଥରେ ଜେଆର୍‌ଡି ନେହରୁଙ୍କୁ କହିଲେ, ‘‘ଜବାହରଲାଲ୍‌, ରାଷ୍ଟ୍ରାୟତ୍ତ କ୍ଷେତ୍ର ମଧ୍ୟ ଲାଭ ଅର୍ଜନ କରିବାର ଆବଶ୍ୟକତା ବିଷୟରେ ମୁଁ କହୁଛି।’’ ନେହରୁ ଖିଙ୍କାରି ଉଠି ଉତ୍ତର ଦେଲେ, ‘‘ମୋ ଆଗରେ କେବେ ଲାଭ ନାମକ ଶବ୍ଦ ଉଚ୍ଚାରଣ କରିବ ନାହିଁ; ଏହା ଏକ ମଇଳା ଶବ୍ଦ।’’ ଏହା ଥିଲା ଏଆର୍‌ ଇଣ୍ଡିଆ ଜାତୀୟକରଣ ହେବାର ଠିକ୍‌ ପୂର୍ବବର୍ତ୍ତୀ ସମୟର ଘଟଣା। ନିଜକୁ ଜଣେ ସମାଜବାଦୀ ବୋଲି ଘୋଷଣା କରୁଥିବା ନେହୁରଙ୍କ ପାଇଁ ଲାଭରୁ ସ୍ୱାଭାବିକ ଭାବରେ ଦୁର୍ଗନ୍ଧ ବାହାରୁଥିଲା, ଆଉ କ୍ଷତିରୁ ବାହାରୁଥିଲା ବାସ୍ନା।

ଏଇଭଳି ଏକ ସଂସ୍କୃତିର ବାହକ ସାଜିଥିବା ଏଆର୍‌ ଇଣ୍ଡିଆର ବର୍ତ୍ତମାନ ଅବସ୍ଥା ତେଣୁ କାହାରିକୁ ଆଶ୍ଚର୍ଯ୍ୟ କରିବା ଉଚିତ ନୁହେଁ। ଏଆର୍‌ ଇଣ୍ଡିଆର ବର୍ତ୍ତମାନ ଋଣ ବୋଝର ଆକାର ହେଉଛି ୫୨,୦୦୦ କୋଟି ଟଙ୍କା। କନ୍ୟା ପିତା କେନ୍ଦ୍ର ସରକାର ଅବଶ୍ୟ ପ୍ରଲୋଭନ ଦେଖାଇଛନ୍ତି ଯେ ଏହି ଋଣ ବୋଝର ଅଧା ସରକାର ବହନ କରିବେ ଓ ବାକି ଅଧା ଜାମାତା- କ୍ରେତାଙ୍କୁ ବହନ କରିବାକୁ ପଡ଼ିବ। ଏ ପ୍ରସ୍ତାବ ମଧ୍ୟ କୌଣସି ସମ୍ଭାବ୍ୟ କ୍ରେତାଙ୍କୁ ଆକର୍ଷିତ କରିପାରି ନାହିଁ। ଆମୋଦଦାୟକ ଭାବରେ ଦେଶର ଜଣେ ଦୂରଦର୍ଶୀ ବିଚକ୍ଷଣ ଶିଳ୍ପୋଦ୍ୟୋଗୀ ରୂପେ ଜଣାଶୁଣା ମହୀନ୍ଦ୍ରା କମ୍ପାନିର ମାଲିକ ଆନନ୍ଦ ମହୀନ୍ଦ୍ରା ଟ୍ଵିଟ୍‌ କରି କହିବା ଦେଖାଯାଇଛି ଯେ ସେ ସର୍ବଦା ନିଜକୁ ଜଣେ ସାହସୀ ବ୍ୟକ୍ତି ରୂପେ ଦେଖି ଆସିଛନ୍ତି; ତାଙ୍କ ଠାରେ ମଧ୍ୟ ଏଆର୍‌ ଇଣ୍ଡିଆକୁ କିଣିବା ପାଇଁ ଆବଶ୍ୟକ ସାହସ ନାହିଁ।

ଏଠାରେ କହି ରଖିବା ଉଚିତ ହେବ ଯେ ସେ ସମୟର ସରକାରଙ୍କର ଲାଭ-ବିରୋଧୀ ସମାଜବାଦୀ ଆଭିମୁଖ୍ୟ ସତ୍ତ୍ୱେ ଗତ ପ୍ରାୟ ଏକ ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ଏଆର୍‌ ଇଣ୍ଡିଆ ବିମାନସେବା ବଜାରରେ ନେତୃ ସ୍ଥାନରେ ରହିଥିଲା। ଅବଶ୍ୟ ଏ ବଜାରରେ ଘରୋଇ କ୍ଷେତ୍ର ପ୍ରତିଯୋଗିତାର ଅନୁପସ୍ଥିତି ଏହାର ମୁଖ୍ୟ କାରଣ ଥିଲା। ତେବେ ଘରୋଇ ପ୍ରତିଯୋଗିତାର ପ୍ରବେଶ ପରେ ମଧ୍ୟ ଏହାର ଦକ୍ଷ ଓ କୁଶଳୀ କର୍ମଚାରୀମାନେ ବଜାରରେ ଏହାର ଟେକ ରଖି ଚାଲିଥିଲେ ଯଦିବା କ୍ରମେ ବଜାରରେ ଏହାର ଅଂଶ ସଂକୁଚିତ ହେବାରେ ଲାଗିଥିଲା। ଏବେ ବି ବିଦେଶ ସେବା କ୍ଷେତ୍ରରେ ଏଆର୍‌ ଇଣ୍ଡିଆର ବଜାର ଅଂଶ ହେଉଛି ୧୭%, ଯାହା ଅନ୍ୟ ଭାରତୀୟ ଏଆର୍‌ ଲାଇନ୍‌ସମାନଙ୍କ ମଧ୍ୟରେ ସର୍ବାଧିକ। ଏଆର୍‌ ଇଣ୍ଡିଆ ବର୍ତ୍ତମାନ ଯଦି ଏକ ଅଲୋଡ଼ା କନିଆଁରେ ପରିଣତ ହୋଇଥାଏ, ତାହା ଏହାର କର୍ମଚାରୀମାନଙ୍କର ଦକ୍ଷତାହୀନତା ଯୋଗୁଁ ନୁହେଁ, ସରକାରୀ କୁପରିଚାଳନା ଯୋଗୁଁ ହିଁ ଘଟିଛି।

ଏହି କୁପରିଚାଳନାର କେତେ ଗୋଟି ଉଦାହରଣ ହେଉଛି ଏଆର୍‌ ଇଣ୍ଡିଆ ଏବଂ ଆଭ୍ୟନ୍ତରୀଣ ସେବା ପ୍ରଦାନକାରୀ ଇଣ୍ଡିଆନ୍‌ ଏଆର୍‌ ଲାଇନ୍‌ସର ମିଶ୍ରଣ, ଲାଭଜନକ ରୁଟ୍‌ମାନ ଘରୋଇ ଏଆର୍‌ ଲାଇନ୍‌ସମାନଙ୍କୁ ପ୍ରଦାନ ଏବଂ ସର୍ବୋପରି ବିଶାଳ ଋଣ ସାହାଯ୍ୟରେ ବହୁସଂଖ୍ୟକ ନୂତନ ବିମାନ କ୍ରୟ। ଏବଂ ଏ ସମସ୍ତ ଆତ୍ମଘାତୀ କାର୍ଯ୍ୟ ପାଇଁ ଯଦି ଜଣେ କେହି ହେଉଛନ୍ତି ସର୍ବାଧିକ ଦାୟୀ, ସେ ହେଉଛନ୍ତି ୟୁପିଏ ସରକାର ସମୟରେ ନାଗରିକ ଉଡ୍‌ଡୟନ ମନ୍ତ୍ରୀ ଥିବା ପ୍ରଫୁଲ୍‌ ପଟେଲ। ବର୍ତ୍ତମାନ ଏଆର୍‌ ଇଣ୍ଡିଆର ବିଶାଳ ଋଣ ଭାର ମଧ୍ୟରୁ ୨୨,୦୦୦ କୋଟି ଟଙ୍କା ହେଉଛି ପଟେଲଙ୍କ ସମୟରେ ନୂତନ ବିମାନ ମାନ କ୍ରୟ ପାଇଁ କରାଯାଇଥିବା ଋଣ। ସେତେବେଳେ ଏଆର୍‌ ଇଣ୍ଡିଆର ବାର୍ଷିକ ବ୍ୟବସାୟର ଆକାର ୭,୦୦୦ କୋଟି ଟଙ୍କା ଥିବା ବେଳେ ୟୁପିଏ ସରକାର ଏକ ପ୍ରକାର ଜିଦ୍‌ ଧରି ୫୦,୦୦୦ କୋଟି ଟଙ୍କା ବ୍ୟୟରେ ୬୮ଟି ନୂତନ ବିମାନ କ୍ରୟ ପାଇଁ ନିଷ୍ପତ୍ତି ନେଇଥିଲା। ୨୦୧୧ରେ ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଏହାର ଘୋର ସମାଲୋଚନା କରିଥିଲେ।

ବର୍ତ୍ତମାନ ସରକାର ରଖିଥିବା ସର୍ତ୍ତ ଅନୁସାରେ ଯଦି କେହି ଏଆର୍‌ ଇଣ୍ଡିଆକୁ କ୍ରୟ କରନ୍ତି, ତେବେ ସେହି ନୂତନ ମାଲିକଙ୍କୁ ୩୩,୦୦୦ କୋଟି ଟଙ୍କାର ଋଣ ସହିତ ପ୍ରାୟ ୨୭,୦୦୦ ସଂଖ୍ୟକ କର୍ମଚାରୀଙ୍କ ଦାୟିତ୍ୱ ବହନ କରିବାକୁ ପଡ଼ିବ। ସର୍ତ୍ତ ଅନୁଯାୟୀ ନୂତନ ମାଲିକ ସାଙ୍ଗେ ସାଙ୍ଗେ କର୍ମଚାରୀ ଛଟେଇ ଆରମ୍ଭ କରିପାରିବେ ନାହିଁ। ତା’ଛଡ଼ା ସରକାର ମଧ୍ୟ କମ୍ପାନିର ୭୬% ଅଂଶପତ୍ର ହସ୍ତାନ୍ତର କରି ବାକି ୨୪% ନିଜ ହାତରେ ରଖି ଆଂଶିକ ଭାବରେ ନିୟନ୍ତ୍ରଣ କ୍ଷମତା ପାଖରେ ରଖିବାକୁ ଚାହୁଁଛନ୍ତି! ଅର୍ଥାତ୍‌ ନୂତନ ମାଲିକ ସମ୍ପୂର୍ଣ୍ଣ ପରିଚାଳନାଗତ ସ୍ୱାଧୀନତା ଉପଭୋଗ କରିପାରିବେ ନାହିଁ। ଏଣୁ ଏକ ପ୍ରସ୍ତାବ ଉଙ୍କି ମାରିଲାଣି ଯେ ସରକାର ଏଆର୍‌ ଇଣ୍ଡିଆର ସମ୍ପୂର୍ଣ୍ଣ ଋଣଛାଡ଼ କରିବା ପରେ ତାହାକୁ ବିକ୍ରୟ ପାଇଁ ସାନି ଉଦ୍ୟମ କରନ୍ତୁ। ଏଠାରେ ପ୍ରଶ୍ନ ଉଠୁଛି ଯଦି ସମ୍ପୂର୍ଣ୍ଣ ଋଣଛାଡ଼ କରିିଦିଆଯାଏ, ତେବେ ଏଆର୍‌ ଇଣ୍ଡିଆକୁ ବିକ୍ରୟ କରାଯିବ କାହିଁକି? ତା’ପରେ ତ ଏଆର୍‌ ଇଣ୍ଡିଆ ଆପେ ଲାଭଜନକ ହୋଇଯିବ। କିନ୍ତୁ ସମସ୍ୟା ହେଲା ସରକାରୀ ନିୟନ୍ତ୍ରଣ ଥିବା ପର୍ଯ୍ୟନ୍ତ ମନ୍ତ୍ରୀ ଓ ବାବୁମାନଙ୍କ ଜଣାଶୁଣା ଅପାରଗ ଓ ଦୁର୍ନୀତିପୂର୍ଣ୍ଣ ପରିଚାଳନା ଏହାକୁ ପୁଣି ଋଣ ଭାରରେ ବୁଡ଼ାଇ ଦେବା ପାଇଁ ବେଶି ସମୟ ଲାଗିବ ନାହିଁ। ପୁଣି ଋଣଛାଡ଼ ଏବଂ ସବ୍‌ସିଡି ଦରକାର ହେବ ଯାହା କରଦାତା ଝିଣ୍ଟିକାମାନଙ୍କୁ ମାରି ବଣି ପୋଷିବା ସହିତ ସମାନ। ଏଣୁ ସର୍ତ୍ତାବଳୀରେ ଯଥା ସମ୍ଭବ ସଂଶୋଧନ କରି ସରକାର ଯେତେ ଶୀଘ୍ର ସମ୍ଭବ କନିଆଁକୁ ବିବାହଯୋଗ୍ୟା କରିବା ଉଚିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.