ମହଙ୍ଗା ସତର୍କତା

0 167

ରଘୁରାମ ରାଜନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର୍‌ ଥିବା ବେଳେ ୨୦୧୪, ଜାନୁଆରି ୨୮ରେ ଶେଷ ଥର ପାଇଁ ସୁଧହାର (ରେପୋ ରେଟ୍‌) ବୃଦ୍ଧି କରାଯାଇଥିଲା। ଏହାପରେ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ସୁଧ ହାର ଲଗାତାର ୫୦ କିମ୍ବା ୨୫ ବି.ପି.ଏସ୍‌ ପଏଣ୍ଟ ହ୍ରାସ ପାଇ ଚାଲିଥିଲା। ୨୦୧୪ରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ସୁଧ ହାର ଲଗାତାର ହ୍ରାସ ପାଇ ୨ ପ୍ରତିଶତ ଖସି ୬ ପ୍ରତିଶତରେ ବର୍ଷେ ଧରି ସ୍ଥିର ରହିବା ପରେ ଏହି ଧାରାରେ ବ୍ୟତିକ୍ରମ ଘଟିଛି। ବୁଧବାର ଦିନ ଛଅ ଜଣିଆ ମୁଦ୍ରାନୀତି କମିଟି (ଏମ୍‌ପିସି) ସର୍ବସମ୍ମତିକ୍ରମେ ରେପୋ ରେଟ୍‌ ବା ସୁଦ ହାରକୁ ୬.୨୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଭାରତୀୟ ଅର୍ଥନୀତି ୨୦୧୬ ନଭେମ୍ବରର ବିମୁଦ୍ରାୟନର ପ୍ରଭାବରୁ ମୁକୁଳି ଯେତେବେଳେ ଉଚ୍ଚ ଅଭିବୃଦ୍ଧିର ରାସ୍ତା ଧରିବାକୁ ଯାଉଛି, ସେତେବେଳେ ସାଢ଼େ ଚାରିବର୍ଷ ବ୍ୟବଧାନରେ ମୋଦୀ ସରକାର ଆସିବା ପରେ ପ୍ରଥମ ସୁଧହାର ବୃଦ୍ଧି କାହିଁକି? ଏହାର ଅନେକ ବାହ୍ୟ (ଆନ୍ତର୍ଜାତିକ) ଓ ଆଭ୍ୟନ୍ତରୀଣ (ଘରୋଇ) କାରଣ ରହିଛି। କିନ୍ତୁ ସବୁଠାରୁ ମୁଖ୍ୟ କାରଣ ହେଲା ମହଙ୍ଗାର ଚାପ। ମୁଦ୍ରାସ୍ଫୀତି ହାରର ଉପରମୁହାଁ ଲକ୍ଷଣରେ ପ୍ରତିଫଳିତ ମହଙ୍ଗାର ଚାପରେ ମୁଦ୍ରାନୀତି କମିଟିଙ୍କୁ ସୁଧହାର ବୃଦ୍ଧି କରିବାକୁ ପଡ଼ିଛି।

ସୁଧହାର ବୃଦ୍ଧିର ପ୍ରଭାବ ନେଇ ଉଭୟ ବିଶେଷଜ୍ଞ ଓ ସାଧାରଣ ଜନତାଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ଏହାକୁ ଅତ୍ୟନ୍ତ ସ୍ୱାଭାବିକ ଓ ସମ୍ପୂର୍ଣ୍ଣ ଅପେକ୍ଷିତ ବିଚାର କରୁଥିବା ବେଳେ ଆଉ କେତେକଙ୍କ ମତରେ ସୁଧହାର ବୃଦ୍ଧି ଅପ୍ରତ୍ୟାଶିତ ଏବଂ ଅହେତୁକ। କେତେକ ମହଲ ସୁଧହାର ବୃଦ୍ଧିର ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ଆଦୌ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଚାର କରୁଥିବା ବେଳେ, ଆଉ କେତେକ ମହଲରେ ଏହାଦ୍ୱାରା ଅଭିବୃଦ୍ଧି ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ସୁଧହାର ବୃଦ୍ଧିର ଅର୍ଥନୀତି ଉପରେ ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପଡ଼ିବ, ସେ ନେଇ ବିତର୍କର ଅବକାଶ ଥାଇପାରେ, କିନ୍ତୁ ଏହା ବିତର୍କରୁ ଊର୍ଦ୍ଧ୍ୱରେ ଯେ, ବର୍ତ୍ତମାନର ପରିସ୍ଥିତିରେ ମୁଦ୍ରାନୀତି କମିଟି ଆଗରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତୁର୍କି, ମାଲେସିଆ ଭଳି ଅନ୍ୟ କେତେକ ଦେଶରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ଇତିମଧ୍ୟରେ ସୁଧହାର ବୃଦ୍ଧି କରି ସାରିଛନ୍ତି। ମୁଦ୍ରାସ୍ଫୀତି ହାର ଉପରମୁହାଁ ହେବାର ଲକ୍ଷଣ, ଦରଦାମ୍‌ କ୍ଷେତ୍ରରେ ଅନିଶ୍ଚିତତାର ବାତାବରଣ ପରିପ୍ରେକ୍ଷୀରେ ଭାରତୀୟ ଅର୍ଥନୀତିର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହା ଏକ ଠିକଣା ଆଗୁଆ ସତର୍କତାମୂଳକ ପଦକ୍ଷେପ। ମୁଦ୍ରାସ୍ପୀତି ହାର ନିୟନ୍ତ୍ରଣ ଏବଂ ଆର୍ଥିକ ସ୍ଥିରତା ବଜାୟ ରଖିବା ଲକ୍ଷ୍ୟରେ ମୁଦ୍ରାନୀତି କମିଟିକୁ ସୁଧ ହାର ବୃଦ୍ଧି କରିବାକୁ ପଡ଼ିଛି। ମୁଦ୍ରାସ୍ପୀତି ହାର ଉପରମୁହାଁ ହେବା ନେଇ ଆଜି ଯେଉଁ ପ୍ରକାର ପ୍ରକାର ଆଶଙ୍କାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି, ୨୦୧୪ରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା। ସେତେବେଳେ ମଧ୍ୟ ମୁଦ୍ରାସ୍ପୀତି ହାରର ଊର୍ଦ୍ଧ୍ୱମୁଖୀ ଗତି ଉପରେ ଅଙ୍କୁଶ ଲଗାଇବା ସକାଶେ ତତ୍‌କାଳୀନ ଭାରତୀୟ ରିଜର୍ଭବ୍ୟାଙ୍କ୍‌ ମୁଖ୍ୟ ରଘୁରାମ ରାଜନ୍‌ଙ୍କୁ ସୁଧହାର ୮ ପ୍ରତିଶତକୁ ବୃଦ୍ଧି କରିବାକୁ ପଡ଼ିଥିଲା। ରିଜର୍ଭ ବ୍ୟାଙ୍କ୍‌ ଆଇନ ୧୯୩୪ରେ ସଂଶୋଧନ କରାଯାଇ ୨୦୧୬ରେ ମୁଦ୍ରାନୀତି ନିର୍ଦ୍ଧାରଣ ଲାଗି ଛଅଜଣିଆ କମିଟି ଗଠନ କରାଗଲା। ଦରଦାମ୍‌ରେ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ଭାରସାମ୍ୟ ରକ୍ଷା କରି ମୁଦ୍ରାନୀତି ନିର୍ଦ୍ଧାରଣ ଲାଗି ଏହି ଆଇନର କମିଟିଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ଦାୟିତ୍ୱ ନିର୍ବାହ ପୂର୍ବକ କମିଟି ସୁଧହାର ବୃଦ୍ଧି ନିଷ୍ପତ୍ତି ନେଇଥିବା ମନେ ହେଉଛି। ମହଙ୍ଗା ଉପରେ ଅଙ୍କୁଶ ଲଗାଇବା ଉପରେ କମିଟି ପ୍ରାଥମିକତା ଦେଇଥିଲେ ସୁଦ୍ଧା ଅଭିବୃଦ୍ଧିର ସମ୍ଭାବନାକୁ ଅଣଦେଖା କରି ନାହାନ୍ତି। ବରଂ କୁହାଯାଇପାରେ, ଅଭିବୃଦ୍ଧିର ସମ୍ଭାବନା ମହଙ୍ଗା ମୁକାବିଲା ପାଇଁ କମିଟିକୁ ଏହି ପଦକ୍ଷେପ ନେବା ଲାଗି ପ୍ରୋତ୍ସାହିତ କରିଛି। ଗୋଟିଏ ପକ୍ଷରେ ମହଙ୍ଗା ଆଶଙ୍କାର ଚାପ ଓ ଅନ୍ୟ ପକ୍ଷରେ ଅଭିବୃଦ୍ଧିରର ଆଶା ମଧ୍ୟରେ କମିଟି ଯଥାସମ୍ଭବ ଭାରସାମ୍ୟ ରକ୍ଷା କରିବା ଲାଗି ଚେଷ୍ଟା କରିଛନ୍ତି।

ଆଶଙ୍କା ହେଲା, ବର୍ଷକ ମଧ୍ୟରେ ୨ ପ୍ରତିଶତ ବଢ଼ିଥିବା ଖାଉଟି ମୁଦ୍ରାସ୍ଫୀତି ହାର ଆଗକୁ ଆହୁରି ବଢ଼ିପାରେ। ପୂର୍ବରୁ ଆକଳନ କରାଯାଇଥିଲା ଯେ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୪ ପ୍ରତିଶତରେ ସୀମିତ ରହିବ। କିନ୍ତୁ ସାନି ଆକଳନ ଅନୁଯାୟୀ ଖାଉଟି ମୂଲ୍ୟ ସୂଚକାଙ୍କ ୪.୭ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦର ୧୨ ପ୍ରତିଶତ ବୃଦ୍ଧି, ଯାହା ଅଟକଳଠାରୁ ଅଧିକ, ମୁଖ୍ୟତଃ ମୁଦ୍ରାସ୍ଫୀତି ହାରକୁ ଉପରକୁ ଠେଲୁଛି। ଏହା ସହ ଡଲାର ବିପକ୍ଷରେ ଭାରତୀୟ ମୁଦ୍ରା ଟଙ୍କାର ଦୁର୍ବଳ ସ୍ଥିତି ମୁଦ୍ରାସ୍ଫୀତି ହାର ବୃଦ୍ଧିକୁ ତ୍ୱରାନ୍ଵିତ କରୁଛି। ପୁଣି ନିର୍ବାଚନ ବର୍ଷରେ ଋଣଛାଡ଼ ଭଳି କିଛି ବ୍ୟୟବହୁଳ ଲୋକାଶ୍ରୟ ଯୋଜନା ଘୋଷଣାର ସମ୍ଭାବନା ଏବଂ ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ଅଧିକରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ କରିବା ଘୋଷଣାର କାର୍ଯ୍ୟକାରିତା ଦରଦାମ୍‌ ଓ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଅନିଶ୍ଚିତତାକୁ ଅଧିକ ଘନୀଭୂତ କରି ଦେଇଛି। ଏ ସମସ୍ତ ବିଷୟକୁ କମିଟି ବିଚାରକୁ ନେଇଛନ୍ତି। ଅନ୍ୟପକ୍ଷରେ ଆଶା, ହେଲା ଭାରତୀୟ ଅର୍ଥନୀତି ଏବେ ପୁନରୁଦ୍ଧାର ରାସ୍ତାକୁ ଫେରିଛି। ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୭.୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଉଚ୍ଚ ଅଭିବୃଦ୍ଧିର ଧାରା ପରିପ୍ରେକ୍ଷୀରେ ସୁଧହାର ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ବୋଲି କମିଟି ଆଶା ପୋଷଣ କରିଛନ୍ତି।

ରୋଗରୁ ଆରୋଗ୍ୟ ଆଶାରେ କଡ଼ା ଔଷଧ ଭଳି ସୁଧ ହାର ବୃଦ୍ଧି ବ୍ୟତୀତ ମୁଦ୍ରାନୀତି କମିଟି ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ରିଜର୍ଭ ବ୍ୟାଙ୍କ୍‌ ମଧ୍ୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଓ ଦରଦାମ୍‌କୁ ସ୍ଥିର ରଖିବା ଉପରେ ପ୍ରାଥମିକତା ଦେଇ ତାଙ୍କ କର୍ତ୍ତବ୍ୟ ସଂପାଦନ କରିଛନ୍ତି। ଆଶା ମଧ୍ୟ ପୋଷଣ କରାଯାଉଛି ଯେ, ସୁଧହାର ବୃଦ୍ଧି ଅର୍ଥନୈତିକ ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ। ଏହାସତ୍ତ୍ୱେ ସାଧାରଣ ଖାଉଟି ଏବଂ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ସୁଧହାର ବୃଦ୍ଧିର ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କାକୁ ଏଡ଼ାଯାଇ ନପାରେ। ସାଧାରଣ ଖାଉଟିଙ୍କ ପାଇଁ ଏହା ଏକ ସତର୍କ ସଂକେତ ଯେ, ଆଗାମୀ ଦିନରେ ମହଙ୍ଗାର ମାଡ଼ ଅଧିକ ସହିବାକୁ ପଡ଼ିପାରେ। ଗୃହ ନିର୍ମାଣ, ଗାଡ଼ି ଏବଂ ଅନ୍ୟାନ୍ୟ ଖାଉଟୀ ସାମଗ୍ରୀ ବାବଦ ଋଣ ଅଧିକ ମହଙ୍ଗା ହେବ। ଉଲ୍ଲେଖଯୋଗ୍ୟ ଯେ, ମୁଦ୍ରାନୀତି କମିଟି ସୁଧହାର ବୃଦ୍ଧି ନିଷ୍ପତ୍ତି ନେବା ପୂର୍ବରୁ କେତେକ ବ୍ୟାଙ୍କ୍‌ ବିଭିନ୍ନ ପ୍ରକାର ଋଣ ଉପରେ ସୁଧହାର ବଢ଼ାଇ ସାରିଛନ୍ତି। ବ୍ୟବସାୟ ଓ ଶିଳ୍ପ ପାଇଁ ପୁଞ୍ଜି ମଧ୍ୟ ପୂର୍ବାପେକ୍ଷା ଅଧିକ ମହଙ୍ଗା ହେବ। ଫଳରେ ଘରୋଇ ପୁଞ୍ଜି ନିବେଶ ପ୍ରଭାବିତ ହେବା ଆଶଙ୍କା ଦେଖାଦେିଛି। ଫଳତଃ ଅଭିବୃଦ୍ଧି ଆାାଜନକ ହୋଇ ନ ପାରେ। ତେଣୁ ଅର୍ଥନୈତିକ ଅଭିବୃଦ୍ଧି ନେଇ ଯେଉଁ ଅଟକଳ କରାଯାଇଛି, ତାହା କେତେଦୂର ବାସ୍ତବତାରେ ରୂପାୟିତ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ।

ନିର୍ବାଚନ ବର୍ଷରେ ନିର୍ବାଚନ ମୁହାଁ ସରକାରଙ୍କ ପାଇଁ ମଧ୍ୟ ଏହା ଏକ ଚେତାବନୀ। ଅଯଥା କୌଣସି ବ୍ୟୟବହୁଳ ଲୋକପ୍ରିୟ ଯୋଜନା ଘୋଷଣାରୁ କ୍ଷାନ୍ତ ରୁହ। ଅନ୍ୟଥା ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇ ଅର୍ଥନୀତିରେ ଅସ୍ଥିରତା ଓ ଅନିଶ୍ଚିତତା ବଢ଼ିବା ଆଶଙ୍କା ରହିଛି। ଅବସ୍ଥାକୁ ଦେଖି ବ୍ୟବସ୍ଥା ଭଳି ମୁଦ୍ରାନୀତି କମିଟି ଯଥାସମ୍ଭବ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିଛନ୍ତି। ଏବେ ଦାୟିତ୍ୱ ସରକାରଙ୍କର। ସରକାର ଏଭଳି କିଛି ପଦକ୍ଷେପ ନେବେନାହିଁ, ଯାହାଦ୍ୱାରା ମୁଦ୍ରାସ୍ଫୀତି ହାର ବେଲଗାମ ହେବ, ଦରଦାମ ବଢ଼ିବ। ତା ସହ ନିଜ କ୍ଷମତା ଓ ସାମଅନ୍ୟପକ୍ଷରେ ନିଜ କ୍ଷମତା ଓ ସାମର୍ଥ୍ୟ ଭିତରେ ସବୁ ସମ୍ଭବ ପଦକ୍ଷେପ ନେବେ, ଯଦ୍ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନୁକୂୂଳ ପରିବେଶ ବଳବତ୍ତର ରହିବ। ସରକାର ମନେ ରଖିବା ଉଚିତ ଯେ, ପରିସ୍ଥିତି ବିଗିଡ଼ିଲେ ପୁଣି ସୁଧହାର ବୃଦ୍ଧିର ବିକଳ୍ପ ମୁଦ୍ରାନୀତି କମିଟି ପାଖରେ ଖୋଲା ରହିଛି, ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ କଦାପି ଅନୁକୂଳ ହେବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.