ଧନ୍ୟବାଦ ପ୍ରଣବଦା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ନାଗପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପୂର୍ବତନ ରାଷ୍ଟ୍ରପତି ତଥା ଆଜୀବନ କଂଗ୍ରେସିଆ ପ୍ରଣବ ମୁଖାର୍ଜୀଙ୍କ ପରିଦର୍ଶନକୁ ଯେଉଁମାନେ ଅତ୍ୟନ୍ତ ଉତ୍ସୁକତା ଏବଂ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେମାନେ ନିଶ୍ଚୟ ସ୍ୱୟଂସେବକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାବର୍ତ୍ତନ ସମାରୋହରେ ସେ ଦେଇଥିବା ଦୀକ୍ଷାନ୍ତ ଭାଷଣ ଶୁଣିଥିବେ। ପ୍ରଣବ ମୁଖାର୍ଜୀଙ୍କ ପୂର୍ବରୁ ଆର୍‌ଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କ ଉଦ୍‌ବୋଧନକୁ ମଧ୍ୟ ଶୁଣିଥିବେ। ଉଭୟେ ନିଜ ନିଜ ବକ୍ତବ୍ୟରେ ରାଷ୍ଟ୍ରୀୟତା, ରାଷ୍ଟ୍ରବାଦ ଓ ଦେଶପ୍ରେମ ପ୍ରସଙ୍ଗରେ ସ୍ୱକୀୟ ଦୃଷ୍ଟିକୋଣ ରଖିଥିଲେ। ଏମିତି ସାଧାରଣ ଭାବେ ଉପରଠାଉରିଆ ବିଚାର କଲେ ଭାଗବତ ଓ ମୁଖାର୍ଜୀଙ୍କ ଭାଷଣରେ କ୍ୱଚିତ୍‌ କୌଣସି ପାର୍ଥକ୍ୟ ଦେଖାଯିବ। ଯଦି ବକ୍ତବ୍ୟରେ କିଛି ଆଖିଦୃଶିଆ ଭିନ୍ନତା ଥିଲା, ତେବେ ତାହା ଭାଷା। ଭାଗବତ ହିନ୍ଦୀରେ ବକ୍ତବ୍ୟ ରଖିଥିବା ବେଳେ ମୁଖାର୍ଜୀ ଇଂରେଜୀରେ ଭାଷଣ ଦେଇଥିଲେ। ଏପରିକି, ଉଭୟଙ୍କ ବକ୍ତବ୍ୟରେ ଅନେକଗୁଡ଼ିଏ ଶବ୍ଦ ମଧ୍ୟ ସମାନ ଥିଲା। ଉଭୟଙ୍କ ବକ୍ତବ୍ୟରେ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟତା ପ୍ରସଙ୍ଗରେ ଭାରତର ବିବିଧତା, ମତ ଓ ବିଚାରର ବହୁତା, ପରସ୍ପରର ଭିନ୍ନମତ ଓ ଭିନ୍ନ ବିଚାର ପ୍ରତି ଶ୍ରଦ୍ଧା, ସମ୍ମାନ ଥିଲା।

କିନ୍ତୁ, ଉଭୟଙ୍କ ବକ୍ତବ୍ୟକୁ ଗଭୀରତାର ସହ ଯଦି ସୂକ୍ଷ୍ମ ଦୃଷ୍ଟିରେ ଦେଖାଯାଏ ତେବେ ସାମଞ୍ଜସ୍ୟତା ଭିତରେ ଶବ୍ଦଗୁଡ଼ିକର ଅର୍ଥ ଓ ଏହା ପଛର ଭାବନାରେ ପ୍ରଭେଦ ଫୁଟି ବାହାରି ଆସିବ; ଯାହା ରାଷ୍ଟ୍ରୀୟତା, ରାଷ୍ଟ୍ରବାଦ ଓ ଦେଶପ୍ରେମ ପ୍ରସଙ୍ଗରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ଓ ପୂର୍ବତନ ରାଷ୍ଟ୍ରପତିଙ୍କ ବିଚାରଧାରା ମଧ୍ୟରେ ରହିଥିବା ମୌଳିକ ପାର୍ଥକ୍ୟକୁ ବେଶ୍‌ ସ୍ପଷ୍ଟ କରିଦେବ। ଭାଗବତଙ୍କ ଦ୍ୱାରା ଉପସ୍ଥାପିତ ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦର ପରିଭାଷାରେ ହିନ୍ଦୁତ୍ୱ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥିବା ବେଳେ ମୁଖାର୍ଜୀଙ୍କ ଦ୍ୱାରା ଭାରତ ସନ୍ଦର୍ଭରେ ଉପସ୍ଥାପିତ ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦର ସଂଜ୍ଞାରେ ଭାରତୀୟତାର ଛବି ସ୍ପଷ୍ଟ ଆଙ୍କି ହୋଇଥିଲା। ଭାଗବତ ଭାରତର ବିବିଧତା ମଧ୍ୟରେ ଏକତା ଉପରେ ଗୁରୁତ୍ୱ ଦେଇଥିଲେ, ଭିନ୍ନ ମତ, ଭିନ୍ନ ବିଚାରଧାରା ପ୍ରତି ସମ୍ମାନ ଭାରତର ରାଷ୍ଟ୍ରୀୟତାର ପରିଚୟ ବୋଲି ମଧ୍ୟ କହିଥିଲେ। ଆର୍‌ଏସ୍‌ଏସ୍‌ ପାଇଁ କେହି ‘ବାହାର ଲୋକ’ ନୁହଁନ୍ତି ବୋଲି ସ୍ପଷ୍ଟ କରି ଦେଇଥିଲେ। ରାଷ୍ଟ୍ର ନିର୍ମାଣ ଲାଗି ସମାଜରେ ଏକତା ପ୍ରତିଷ୍ଠା ଉପରେ ଜୋର୍‌ ଦେଇ ଆର୍‌ଏସ୍‌ଏସ୍‌ ମୁଖ୍ୟ ଏହି ପ୍ରକ୍ରିୟାରେ ବିବିଧତା ପୂର୍ଣ୍ଣ ଏ ଦେଶର ସବୁ ସମ୍ପ୍ରଦାୟ, ସବୁବର୍ଗଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦେଇଥିଲେ।

ତେବେ ସବୁ ସମ୍ପ୍ରଦାୟର ଯୋଗଦାନ ବିଷୟ କହିବା ଅବସରରେ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତର ପ୍ରାଚୀନତମ ସଂପ୍ରଦାୟ ଭାବେ ହିନ୍ଦୁମାନଙ୍କ ରାଷ୍ଟ୍ର ଗଠନ ଓ ସମାଜର ଏକତା ପ୍ରତିଷ୍ଠା କ୍ଷେତ୍ରରେ ଉତ୍ତରଦାୟିତ୍ୱ ଅଧିକ। ଅର୍ଥାତ୍‌ ରାଷ୍ଟ୍ର ଗଠନରେ ସବୁ ସମ୍ପ୍ରଦାୟ ଭିତରେ ହିନ୍ଦୁ ସମାଜର ଭୂମିକାକୁ ସେ ପ୍ରାଥମିକତା ତଥା ପ୍ରମୁଖତା ଦେଇଥିଲେ। ସଂଘ ମୁଖ୍ୟଙ୍କ ଏହି ମତ ସହ ପ୍ରଣବ କିନ୍ତୁ ଏକମତ ନଥିଲେ। ମୁଖାର୍ଜୀଙ୍କ ମତରେ ଭାରତ ସନ୍ଦର୍ଭରେ ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦର ଆଧାର ‘ବସୁଧୈବ କୁଟୁମ୍ବକମ୍‌’। ସମସ୍ତେ ସମାନ, ସମସ୍ତଙ୍କ ସମାନ ଦାୟିତ୍ୱ। ସେ କହିଥିଲେ ଦୀର୍ଘ ପାଞ୍ଚହଜାର ବର୍ଷର ସମାଗମ ଓ ସମ୍ମିଶ୍ରଣ ପ୍ରକ୍ରିୟାର ଫଳଶ୍ରୁତି ହେଲା- ଭାରତୀୟତା, ଯାହା ଭାରତ ପାଇଁ ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦର ପ୍ରତିଶବ୍ଦ, ପ୍ରତିରୂପ। ଭାରତର ରାଷ୍ଟ୍ରବାଦର ଏହି ଚରିତ୍ର ହିଁ ୟୁରୋପୀୟ ରାଷ୍ଟ୍ରୀୟତା, ରାଷ୍ଟ୍ରବାଦ ଠାରୁ ଏହାକୁ ପୃଥକ୍‌ ପରିଚୟ ଦିଏ। ମୁଖାର୍ଜୀ ସ୍ପଷ୍ଟ କରି ଦେଇଥିଲେ ଯେ, ଅସହିଷ୍ଣୁତା, ଘୃଣା, ଭାରତୀୟ ରାଷ୍ଟ୍ରବାଦ ତଥା ଭାରତୀୟତାର ଆଧାର ବିବିଧତାର ପରିପନ୍ଥୀ। ଏହା ହିଂସା, ଅଶାନ୍ତି ଓ ଉତ୍ତେଜନାର ଉତ୍ସ। ଭାରତ ସନ୍ଦର୍ଭର ଦେଶଭକ୍ତିର ବ୍ୟାଖ୍ୟା କରି ମୁଖାର୍ଜୀ କହିଥିଲେ ଯେ, ଧାର୍ମିକ, ସାଂସ୍କୃତିକ, ଭାଷାଗତ ବିବିଧତାକୁ କୋଳେଇ ଥିବା ଭାରତୀୟ ସମ୍ବିଧାନ ପ୍ରତି ନିଷ୍ଠା ଓ ସମର୍ପଣ ଭାବ ହିଁ ଦେଶପ୍ରେମ। ସାମ୍ବିଧାନିକ ଦେଶଭକ୍ତି ହେଉଛି ଭାରତୀୟ ରାଷ୍ଟ୍ରୀୟତା ଏବଂ ରାଷ୍ଟ୍ରବାଦର ଆଧାରଶିଳା। ସମ୍ବିଧାନ ହିଁ ଭାରତୀୟ ରାଷ୍ଟ୍ରବାଦର ଉତ୍ସ।

ନିଃସନ୍ଦେହ, ଗୁରୁବାର ସନ୍ଧ୍ୟାରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ରଖିଥିବା ଅଭିଭାଷଣ ଦେଶରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ଭାରତୀୟ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟତା ପ୍ରସଙ୍ଗରେ ବିତର୍କକୁ ଏକ ନୂଆ ଦିଶା ଦେଇଛି। ରାଷ୍ଟ୍ରବାଦ ପ୍ରସଙ୍ଗରେ ପରସ୍ପର ବିରୋଧୀ ବିଚାରଧାରାର ପ୍ରବକ୍ତାଙ୍କ ମଧ୍ୟରେ ସୁସ୍ଥ ବିତର୍କ ପାଇଁ ଏହା ସାନି ସୁଯୋଗ ସୃଷ୍ଟି କରିଛନ୍ତି। ଏହି ବିତିର୍କର ଦୁଇ ପ୍ରମୁଖ ପକ୍ଷ- ଗୋଟିଏ ପଟେ ହିନ୍ଦୁତ୍ୱବାଦୀ ସଂଘ ପରିବାର ଓ ଅନ୍ୟପଟେ କଂଗ୍ରେସ ଓ ଅନ୍ୟ ସମଭାବାପନ୍ନ ଧର୍ମନିରପେକ୍ଷତାବାଦୀ ରାଜନୈତିକ ଶକ୍ତି ଓ ସାମାଜିକ ସଂଗଠନ। ଏବେ ଏହି ବିତର୍କରେ ସାଧାରଣ ଜନତା ସାମିଲ ହେବା ଲାଗି ଅବକାଶ ସୃଷ୍ଟି ହୋଇଛି। ଦେଶବାସୀ ଉଭୟ ପକ୍ଷର କଥା ଶୁଣିଛନ୍ତି, ଏବେ ସେମାନେ ସ୍ଥିର କରିପାରିବେ ଭାରତ ସନ୍ଦର୍ଭରେ ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦର ପରିଭାଷା କ’ଣ ହେବା ଉଚିତ? ଦେଶ ପ୍ରେମର ସଂଜ୍ଞା କ’ଣ? ସମୟ କହିବ ଏ ବିତର୍କରୁ କ’ଣ ନିର୍ଯାସ ବାହାରିବ।

ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଗତ କିଛି ଦିନ ଧରି କେଉଁ ପକ୍ଷର କେତେ ଲାଭ ବା କ୍ଷତି ହେବ ସେ ନେଇ ରାଜନୈତିକ ମହଲରେ ବେଶ୍‌ କଳ୍ପନା ଜଳ୍ପନା ଚାଲିଥିଲା। କିନ୍ତୁ ଏବେ ମନେ ହେଉଛି ଗୁରୁବାର କାର୍ଯ୍ୟକ୍ରମରୁ ରାଜନୈତିକ ଦୃଷ୍ଟିରୁ ଉଭୟ ପକ୍ଷ ଲାଭବାନ ହୋଇଛନ୍ତି। କଟ୍ଟର ଆଦର୍ଶଗତ ଶତ୍ରୁ କଂଗ୍ରେସ ପ୍ରତି ଆଜୀବନ ସମର୍ପିତ ଜଣେ ରାଜନେତାଙ୍କ ସଂଘ ମୁଖ୍ୟ କାର୍ଯ୍ୟାଳୟକୁ ଆଗମନ ଏବଂ କାର୍ଯ୍ୟକ୍ରମରେ ଯୋଗଦାନ ନିଶ୍ଚିତ ଭାବେ ସଂଘ ଓ ଏହାର କାର୍ଯ୍ୟକ୍ରମକୁ ପ୍ରତିପକ୍ଷର କିଛି ମାତ୍ରାରେ ସ୍ୱୀକୃତି। ରାଜନୀତିରେ କେହି ଅସ୍ପୃଶ୍ୟ ନୁହନ୍ତି, ଏହା ପ୍ରମାଣିତ ହୋଇଛି। ଅବଶ୍ୟ, ପ୍ରଣବଦାଙ୍କୁ ଆତିଥ୍ୟ ପ୍ରଦାନ ଦ୍ୱାରା ସଂଘ ପରିବାର, ବିଶେଷ କରି ବିଜେପିକୁ ଯେତିକି ଫାଇଦା ମିଳିବ ବୋଲି ଆଶା କରାଯାଉଥିଲା, ତାଙ୍କର ଭାଷଣ ପରେ ସେ ଆଶା ନିଶ୍ଚୟ ଫିକା ପଡ଼ିଯାଇଛି। ଆଗାମୀ ବେଶ୍‌ କିଛି ସମୟ ଧରି ସଂଘ ପାଇଁ ଅପରିଚିତ ଭାରତୀୟତାର ବାସ୍ନା ବାହାରୁଥିବା ପ୍ରଣବଦାଙ୍କ ରାଷ୍ଟ୍ରବାଦ, ରାଷ୍ଟ୍ରୀୟତାର ପାଠ ଆର୍‌ଏସ୍‌ଏସ୍‌ ମୁଖ୍ୟାଳଳୟରେ ପ୍ରତିଧ୍ୱନିତ ହେବ। ରାଷ୍ଟ୍ରବାଦ ଉପରେ ପୁନଃଚିନ୍ତନ ଲାଗି ଏହା ସଂଘ ପରିବାରକୁ ଏକ ନୂଆ ଅବକାଶ ମଧ୍ୟ ଦେଇପାରେ। ଅନ୍ୟପକ୍ଷରେ ନଈ ନ ଦେଖୁଣୁ ଲଙ୍ଗଳା ଭଳି ମୁଖାର୍ଜୀଙ୍କ ଆର୍‌ଏସ୍‌ଏସ୍‌ର ଆତିଥ୍ୟ ଗ୍ରହଣ ନେଇ ଅତି ମାତ୍ରାରେ ପ୍ରତିକ୍ରିୟାଶୀଳ କଂଗ୍ରେସ ଯେଭଳି ରାଜନୈତିକ କ୍ଷତିର ଆଶଙ୍କା କରୁଥିଲା, ପ୍ରଣବଦା’ଙ୍କ ଭାଷଣ ପରେ ଦଳ ନିଶ୍ଚୟ ସେ ଆଶଙ୍କା ଦୃଷ୍ଟିରୁ ଆଶ୍ୱସ୍ତ ହୋଇଥିବ। କଂଗ୍ରେସ ନେତାମାନେ ପ୍ରଣବକୁ ସମାଲୋଚନା କରୁଥିଲେ। ଏବେ ତାଙ୍କୁ ଧନ୍ୟବାଦ ଦେବା ଉଚିତ। କାରଣ ସେ କଂଗ୍ରେସର ଆଦର୍ଶଗତ ଲଢ଼େଇକୁ ସିଧାସଳଖ ପ୍ରତିପକ୍ଷର ମୁଖ୍ୟ ଦୁର୍ଗକୁ ନେଇ ଯାଇଛନ୍ତି।

ତେବେ, ଦୁଇ ପରସ୍ପର ପ୍ରତିଦ୍ୱନ୍ଦ୍ୱୀଙ୍କ ରାଜନୈତିକ ଲାଭକ୍ଷତି ହିସାବର ଊର୍ଦ୍ଧ୍ୱରେ ପ୍ରଣବ ମୁଖାର୍ଜୀଙ୍କ ଭାଷଣ ମୂଲ୍ୟାୟନର ଅପେକ୍ଷା ରଖୁଛି। ଭାରତୀୟ ରାଷ୍ଟ୍ରୀୟତା, ରାଷ୍ଟ୍ରବାଦ ଓ ଗଣତନ୍ତ୍ରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଣବଙ୍କ ବକ୍ତବ୍ୟ ଏକ ନୂଆ ଆଶା ବୋଲି କହିଲେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ସଂଘ ନିମନ୍ତ୍ରଣରେ ନାଗପୁର ଯାଇ ପ୍ରଣବଦା ମତ ନିିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଏବଂ ସବୁ ରାଜନୈତିକ ଦଳ ଓ ସଂଗଠନକୁ ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଏକ ବିବିଧତା ପୂର୍ଣ୍ଣ ଦେଶରେ ଆଦର୍ଶଗତ ଓ ବୈଚାରିକ ବିଭେଦ ରହିବା ଯେମିତି ସ୍ୱାଭାବିକ, ପରସ୍ପରଙ୍କ ମତକୁ ବୁଝି ବିବାଦର ସମାଧାନ ଲାଗି ପ୍ରୟାସ ମଧ୍ୟ ସେମିତି ଏକ ସ୍ୱାଭାବିକତା। ଏହି ସ୍ୱାଭାବିକତାକୁ ସ୍ୱୀକୃତି ହିଁ ଭାରତୀୟ ରାଷ୍ଟ୍ରୀୟତା, ରାଷ୍ଟ୍ରବାଦ ଓ ଗଣତନ୍ତ୍ରର ଗରିମାକୁ ସମ୍ମାନ। ଏକ ବିତର୍କିତ ପ୍ରସଙ୍ଗ ଉପରେ ନୂଆ ଆଲୋକ ପକାଇ ଦେଶକୁ ବାଟ ଦେଖାଇବା ଲାଗି ଯତ୍‌ କିଞ୍ଚିତ୍‌ ଉଦ୍ୟମ କରି ପୂର୍ବତନ ପ୍ରଥମ ନାଗରିକ ଭାବେ ପ୍ରଣବ ଦା ଦେଶ ଓ ଜାତି ପ୍ରତି ନିଷ୍ଠାର ସହ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିଛନ୍ତି। ସେଥିପାଇଁ ସେ ପ୍ରଶଂସାର ପାତ୍ର, ଧନ୍ୟବାଦର ହକ୍‌ଦାର।

ସମ୍ବନ୍ଧିତ ଖବର