‘ଭଲ ଡାକ୍ତର’ କିଶୋର

ଜଣେ ‘ଭଲ ଡାକ୍ତର’ ତାଙ୍କର ଆଳସ୍ୟ ପରାୟଣ ଧନୀ ରୋଗୀଙ୍କୁ ଉପଦେଶ ଦେଇ କହିବେ ଯେ ଔଷଧ ବୋତଲ ଦ୍ୱାରା ତୁମ ରୋଗ ଭଲ ହେବ ନାହିଁ; ତୁମ ରୋଗ ଯାହା ଦ୍ୱାରା ଭଲ ହେବ, ତାହା ହେଲା ‘‘ତୁମକୁ ଦୈନିକ ଛଅ ପେନ୍‌ସ (ଆଜିର ବିନିମୟ ହାର ଅନୁସାରେ ପ୍ରାୟ ସାଢ଼େ ପାଞ୍ଚ ଟଙ୍କା)ରେ ଚଳିବାକୁ ହେବ ଏବଂ ତୁମେ ଶାରୀରିକ ପରିଶ୍ରମ କରି ତାହା ରୋଜଗାର କରିବ।’’ ସେହି ‘ଭଲ ଡାକ୍ତର’ ଜଣକ ତାଙ୍କର ଗରିବ ରୋଗୀଙ୍କୁ ଉପଦେଶ ଦେଇ କହିବେ ଯେ ତୁମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯାହା ଦରକାର ତାହା ଔଷଧ ବୋତଲ ନୁହେଁ, ତାହା ହେଉଛି ପରିଷ୍କାର ପରିଚ୍ଛନ୍ନ ବାସଗୃହ, ସୁଷମ ଖାଦ୍ୟ, ପୋଷାକ, ବିଶୁଦ୍ଧ ଜଳ, ବିଶ୍ରାମ ଇତ୍ୟାଦି।

ଏ ଉପଦେଶ ଆମର ନୁହେଁ। ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପ୍ରଥମେ ପ୍ରକାଶିତ ଓ ଅଭିନୀତ ଜର୍ଜ ବର୍ଣ୍ଣାଡ୍‌ ଶ’ଙ୍କର ଦୂରଦର୍ଶୀ ସମସ୍ୟାଭିତ୍ତିକ ନାଟକ ‘‘ଦି ଡକ୍ଟର୍‌’ସ ଡିଲେମା’’ର ଗୁରୁତ୍ୱପୂର୍ଣ୍ଣ ସୁଦୀର୍ଘ ମୁଖବନ୍ଧରେ ସେ ସମୟର ବ୍ରିଟେନ୍‌ରେ ଡାକ୍ତରମାନେ ସମ୍ମୁଖୀନ ହେଉଥିବା ନୈତିକ ଦ୍ୱନ୍ଦ୍ୱର ଆଲୋଚନା କରି ଶ’ ଏହିଭଳି ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଏହା ମଧ୍ୟ ଶ’ଙ୍କର ନିଜସ୍ୱ ମତ ନଥିଲା; ସେ ଅଷ୍ଟାଦଶ-ଊନବିଂଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ ଚିକିତ୍ସକ ଡକ୍ଟର୍‌ ଜନ୍‌ ଆବର୍ନେଥିଙ୍କ ମତକୁ ତାଙ୍କର ନାଟକର ମୁଖବନ୍ଧରେ ଉଦ୍ଧାର କରି ଏହା କହିଥିଲେ। ସେ ସମୟରେ ସ୍ୱାସ୍ଥ୍ୟ ସେବା ଥିଲା ସମ୍ପୂର୍ଣ୍ଣ ରୂପେ ଏକ ଘରୋଇ ବ୍ୟବସାୟ। କଳ୍ପନା କରିବା କଷ୍ଟ ନୁହେଁ ସେ ସମୟର ଜଣେ ଡାକ୍ତର ଯଦି ଭଲ ଡାକ୍ତର ରୂପେ ବିବେଚିତ ହେବା ପାଇଁ ଉପରୋକ୍ତ ଉପଦେଶ ପାଳନ କରନ୍ତେ, ତେବେ ତାଙ୍କୁ ସାରା ଜୀବନ ଦାରିଦ୍ର୍ୟ ଭିତରେ ବିତାଇବାକୁ ପଡ଼ନ୍ତା। ସେ ସମୟରେ ଡାକ୍ତରମାନେ ହିଁ ରୋଗୀଙ୍କୁ ଔଷଧ ବିକ୍ରୟ କରୁଥିଲେ। ଯଦି ଡାକ୍ତରଙ୍କ କଥା ମାନି ପକେଟ୍‌ରେ ପଇସା ଥିବା ଧନୀ ରୋଗୀମାନେ ଔଷଧ କିଣିବା ବନ୍ଦ କରି ଦିଅନ୍ତେ ଏବଂ ପକେଟ୍‌ରେ ପଇସା ନଥିବା ଗରିବ ମଧ୍ୟ ନା ଔଷଧ କିଣିବାକୁ କେଉଁଠୁ ହେଲେ ପଇସା ଯୋଗାଡ଼ କରନ୍ତେ ନା ସୁସ୍ଥ ଜୀବନ ଯାପନ କରିବାକୁ ସମର୍ଥ ହୁଅନ୍ତେ, ତେବେ ଡାକ୍ତରଙ୍କ ପକେଟ୍‌ କେବେ ଭର୍ତ୍ତି ହୁଅନ୍ତା ନାହିଁ। ୧୯୦୦ ଦଶକରେ ବାସ୍ତବରେ ସେଠାରେ ଅନେକ ଡାକ୍ତରଙ୍କ ଅବସ୍ଥା ସ୍ୱଚ୍ଛଳ ନଥିଲା।

ତେବେ ସବୁ ଡାକ୍ତର ତ ଏପରି ‘ଭଲ ଡାକ୍ତର’ ନଥିଲେ। ରୋଗୀ ଆକର୍ଷିତ କରିବା ପାଇଁ ସେମାନେ ପରସ୍ପର ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହି ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ ନୈତିକତା ପୂର୍ଣ୍ଣ ନଥିଲା। ଏହା ରୋଗୀମାନଙ୍କର କ୍ଷତି ସାଧନ କରୁଥିଲା। ଖୋଦ୍‌ ଡାକ୍ତର ମାନଙ୍କର ମଧ୍ୟ ଦିନ ରାତି ନଥିଲା; ଯେ କୌଣସି ସମୟରେ ସେମାନଙ୍କୁ ରୋଗୀ ନିକଟରେ ହାଜର ହେବାକୁ ପଡୁଥିଲା। ଏହାକୁ ମଧ୍ୟ ଶ’ ଅମାନବୀୟ ବୋଲି ବିଚାର କରୁଥିଲେ ଓ ନାପସନ୍ଦ କରୁଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଶ’ ସେତେବେଳେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ହେଲା ଏକ ସରକାରୀ ସ୍ୱାସ୍ଥ୍ୟସେବାର ସୃଷ୍ଟି ଯେଉଁଥିରେ ଡାକ୍ତରମାନେ ଆଉ ରୋଗୀଙ୍କ ପଇସା ଉପରେ ନିର୍ଭର ନକରି ସରକାରଙ୍କଠାରୁ ଦରମା ପାଇ ରୋଗ ନିବାରଣ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ। ଏହାର ପ୍ରାୟ ଚାରି ଦଶନ୍ଧି ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ପରେ ୧୯୪୮ରେ ବ୍ରିଟେନ୍‌ରେ ସ୍ଥାପିତ ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ସେବା ‘ନେସନାଲ୍‌ ହେଲ୍‌ଥ ସର୍ଭିସ୍‌’ (ଏନ୍‌ଏଚ୍‌ଏସ୍‌) ବର୍ଣ୍ଣାଡ୍‌ ଶ’ଙ୍କର ଏହି ସ୍ୱପ୍ନକୁ ସାକାର କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ‘ଏନ୍‌ଏଚ୍‌ଏସ୍‌’ ବର୍ତ୍ତମାନ ପୃଥିବୀର ଶ୍ରେଷ୍ଠତମ ସ୍ୱାସ୍ଥ୍ୟ ସେବା ମଧ୍ୟରୁ ଅନ୍ୟତମ ରୂପେ ପରିଗଣିତ, ଯେଉଁଥିରେ ପ୍ରତ୍ୟେକ ନାଗରିକ ମାଗଣାରେ ଉତ୍ତମ ଚିକିତ୍ସା ଲାଭ କରିଥାଏ। ‘ଏନ୍‌ଏଚ୍‌ଏସ୍‌’ ଡାକ୍ତରଙ୍କୁ ନିଜର ଆୟ ପାଇଁ ଚିନ୍ତା କରିବାକୁ ପଡ଼ି ନଥାଏ।

ଭାରତ ସ୍ୱାଧୀନ ହେବା ପରେ ପ୍ରାୟ ସେଇ ଏକା ସମୟରୁ ଏ ଦେଶରେ ମଧ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଉଦ୍ୟମ କରି ଆସିଛନ୍ତି। ଦେଶରେ କିନ୍ତୁ ସମୟକ୍ରମେ ସରକାରୀ ଡାକ୍ତରଖାନା ମାନଙ୍କ ସହିତ ପ୍ରତିଯୋଗିତା କରି ଘରୋଇ ହସ୍‌ପିଟାଲ୍‌ ମାନ ଛାଇ ଯାଇଛନ୍ତି। ସେ ଗୁଡ଼ିକ ବିଶୁଦ୍ଧ ବ୍ୟବସାୟ ରୂପେ କାର୍ଯ୍ୟ କରୁଥିବାରୁ ସେଠାରେ ଡାକ୍ତରଙ୍କ ଆୟ ତୁଳନାରେ ସରକାରୀ ଡାକ୍ତରଙ୍କ ଦରମା ନଗଣ୍ୟ। ଏଣୁ ତାଳ ଦେବା ପାଇଁ ସରକାରୀ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ଅନୁପ୍ରବେଶ କରିସାରିଛି। ତେଣୁ ଭାରତରେ ଉଭୟ ଘରୋଇ କ୍ଷେତ୍ରରେ ଏବଂ ସରକାରୀ କ୍ଷେତ୍ରରେ ଡକ୍ଟର୍‌ ଆବର୍ନେଥିଙ୍କ ବିଚାର ଅନୁଯାୟୀ ‘ଭଲ ଡାକ୍ତର’ ଜଣେ ଦେଖାଯିବା ବିରଳ (ବୋଧହୁଏ ‘ଏମ୍‌ସ’ ଏହାର ଏକମାତ୍ର ବ୍ୟତିକ୍ରମ)। ଯେହେତୁ ପ୍ରତ୍ୟେକ ନାଗରିକ ଏହାର କୁପରିଣାମ ଭୋଗ କରୁଛି, ଏହାର ଅଧିକ ବର୍ଣ୍ଣନା ଅନାବଶ୍ୟକ।

ଏହି ବିଷାଦଜନକ ପୃଷ୍ଠପଟରେ ଏଥିପୂର୍ବ ରବିବାର ଦିନ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର କିଶୋର ଚନ୍ଦ୍ର ଦାସଙ୍କୁ କେନ୍ଦ୍ର କରି ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହାର ଉଜ୍ଜ୍ୱଳ ଆଭା କେବଳ ନବରଙ୍ଗପୁର ନୁହେଁ କି ଓଡ଼ିଶା ନୁହେଁ, ସାରା ଦେଶବାସୀଙ୍କ ମନରୁ କ୍ଷଣକ ପାଇଁ ହେଲେ ବି ସେ ବିଷାଦ ଦୂର କରି ଏକ ନୂତନ ଆଶା ସଞ୍ଚାର କରିଛି- ହୁଏତ ଡକ୍ଟର୍‌ କିଶୋରଙ୍କ ଉଦାହରଣ ଦେଶସାରା ତାଙ୍କ ପରି ଆହୁରି ଅନେକ ‘ଭଲ ଡାକ୍ତର’ ସୃଷ୍ଟିକୁ ଉତ୍ସାହିତ କରିବ। ଉଚ୍ଚଶିକ୍ଷା ଲାଭ ପାଇଁ ଡକ୍ଟର୍‌ କିଶୋର ତେନ୍ତୁଳିଖୁଣ୍ଟି ଛାଡ଼ିବା ଅବସରରେ ସେ ଅଞ୍ଚଳବାସୀ ତାଙ୍କୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଶୋଭାଯାତ୍ରା କରି ଯେଉଁଭଳି ଭାବବିହ୍ଵଳ ବିଦାୟ ସମ୍ବର୍ଦ୍ଧନା ଦେଲେ, ତାହା ପୂର୍ବରୁ କେଉଁଠି କେବେ ଦେଖାଯାଇନି ଏବଂ ସାରା ଦେଶରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଡକ୍ଟର୍‌’ସ ଡିଲେମାର ଆଉ ଏକ ଦ୍ୱନ୍ଦ୍ୱ- ତାଙ୍କର ସୀମିତ ସମୟ ଓ ସମ୍ବଳ ମଧ୍ୟରେ ଡାକ୍ତର କେଉଁ ରୋଗୀଙ୍କୁ ଦେଖିବେ, କାହାକୁ ଫେରାଇଦେବେ-ର ସମାଧାନ କରି ଦିନର କୌଣସି ବି ସମୟରେ କୌଣସି ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେଉନଥିଲେ ଡକ୍ଟର କିଶୋର। ଏହା ଦେଖି ମନେ ହେଉଛି ଡକ୍ଟର୍‌ କିଶୋର ବୋଧହୁଏ ତାଙ୍କର ଅଗଣିତ ରୋଗୀମାନଙ୍କ ପାଇଁ ସେଇ ଭଳି, ଯେଉଁ ଭଳି ଶ’ଙ୍କ ନାଟକର ଅନ୍ୟତମ ଚରିତ୍ର ଡାକ୍ତର ସାର୍‌ ବ୍ଲୁମ୍‌ଫିଲ୍‌ଡ ବୋନିଙ୍ଗ୍‌ଟନ୍‌ ଥିଲେ ତାଙ୍କ ରୋଗୀମାନଙ୍କ ପାଇଁ। ସଂକ୍ଷିପ୍ତରେ ‘ବିବି’ ନାମରେ ପରିଚିତ ଏହି ଡାକ୍ତରଙ୍କ ଚରିତ୍ର ବିଷୟରେ ଶ’ ଲେଖିଥିଲେ- ‘‘କେବଳ ତାଙ୍କର ଉପସ୍ଥିତି ରୋଗ ବା ଚିନ୍ତାକୁ ଏପରି ତଡ଼ି ଦେଉଥିଲା ଯେ ତାହା ରୋଗୀକୁ ଆନନ୍ଦିତ କରି, ନିଶ୍ଚିନ୍ତ କରି ରୋଗ ଭଲ କରି ଦେଉଥିଲା। ଏପରିକି କୁହାଯାଇଥାଏ ଯେ ତାଙ୍କ ସ୍ୱରର ଶବ୍ଦ ଶୁଣିଲେ ଭାଙ୍ଗିଯାଇଥିବା ହାଡ଼ ସବୁ ଆପେ ଆପେ ଯୋଡ଼ି ହୋଇ ଯାଆନ୍ତି!’’ (ଆମୋଦଦାୟକ ଭାବରେ ଡକ୍ଟର୍‌ କିଶୋର ଏହି ହାଡ଼ଭଙ୍ଗା ଚିକିତ୍ସା ବିଷୟରେ ଅଧିକ ପାଠ ପଢ଼ିବା ପାଇଁ ଚାକିରି ଓ ତେନ୍ତୁଳିଖୁଣ୍ଟିର ତାଙ୍କର ଅଗଣିତ ପ୍ରିୟଜନ ମାନଙ୍କୁ ଛାଡ଼ି ଯିବାକୁ ବାଧ୍ୟ ହୋଇଛନ୍ତି)। ‘ବିବି’ ଓ କିଶୋରଙ୍କ ମଧ୍ୟରେ ଗୋଟିଏ ବିଶେଷ ଫରକ କିନ୍ତୁ ହେଲା ‘ବିବି’ ଚିକିତ୍ସା ବିଜ୍ଞାନରେ ଥିବା ତାଙ୍କର ଦୁର୍ବଳତାକୁ ରୋଗୀଙ୍କ ପ୍ରତି ତାଙ୍କର ସ୍ନେହ ବଳରେ ପୂରଣ କରୁଥିବା ବେଳେ କିଶୋରଙ୍କର ରୋଗୀଙ୍କ ପ୍ରତି ସ୍ନେହ ଯେତିକି ମଧୁର, ଚିକିତ୍ସା ବିଜ୍ଞାନରେ ପ୍ରବେଶ ସେତିକି ଗଭୀର।

ବର୍ଣ୍ଣାଡ୍‌ ଶ’ ତାଙ୍କ ନାଟକରେ ରୋଗର ଚିକିତ୍ସା ଅପେକ୍ଷା ରୋଗର ନିବାରଣକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର୍‌ କିଶୋର ସତେ ଯେମିତି ତାଙ୍କୁ ଅନୁକରଣ କଲା ପରି ତାଙ୍କ ଡାକ୍ତରଖାନା ପରିବେଶକୁ ପରିଚ୍ଛନ୍ନ ରଖିବା ସହିତ ଆଖପାଖ ଅଞ୍ଚଳକୁ ଜୈବ ପ୍ରଦୂଷଣମୁକ୍ତ ରଖିବାକୁ ବିଶେଷ ଉଦ୍ୟମ କରନ୍ତି। ଏହାର ସ୍ୱୀକୃତି ସ୍ୱରୂପ ଭାରତ ସରକାର ତାଙ୍କୁ ୨୦୧୭ ପାଇଁ ‘କାୟାକଳ୍ପ’ ପୁରସ୍କାର ଦ୍ୱାରା ସମ୍ମାନିତ କରିଛନ୍ତି। ପ୍ରସ୍ଥାନ ପୂର୍ବରୁ ଡକ୍ଟର କିଶୋର ୫୦୦ ଚାରା ଗଛ ରୋପଣ କରି ପରିବେଶ ସୁରକ୍ଷା ପାଇଁ ତାଙ୍କର ନିଷ୍ଠା ପ୍ରଦର୍ଶିତ କରିଛନ୍ତି। ଶ’ଙ୍କ ବିଚାର ଠାରୁ ଡକ୍ଟର୍‌ କିଶୋରଙ୍କ ବିଚାରର ଏକ ପାର୍ଥକ୍ୟ ହେଲା ଶ’ ଡାକ୍ତରଙ୍କ ଅତ୍ୟଧିକ ଖଟଣି ନାପସନ୍ଦ କରୁଥିବା ବେଳେ କିଶୋର ଦିନକୁ ଚବିଶ ଘଣ୍ଟା ରୋଗୀ ସେବା କରିବାକୁ ପ୍ରସ୍ତୁତ ଥିଲେ। ତାହା ପୁଣି ରୋଗୀଙ୍କ ଠାରୁ ପଇସାଟିଏ ମଧ୍ୟ ନ ନେଇ। ଏହା ସରକାରୀ ସ୍ୱାସ୍ଥ୍ୟ ସେବା ସପକ୍ଷରେ ଶ’ଙ୍କ ଯୁକ୍ତିକୁ ଆହୁରି ବଳିଷ୍ଠ କରିଥାଏ। ଏପରି ଡାକ୍ତରଙ୍କ ପାଖରେ ଉଭୟ ସମାଜ ଓ ସରକାର କୃତଜ୍ଞ ରହିବେ। ଆମେ ଡକ୍ଟର୍‌ କିଶୋରଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ସମ୍ପାଦକୀୟର ଶୀର୍ଷକକୁ ତାଙ୍କ ନାମ ଅନୁସାରେ ନାମିତ କରୁଛୁ।

ସମ୍ବନ୍ଧିତ ଖବର