ଭିତର-ବାହାର

0 127

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ଯେତେବେଳେ ଦେଶରେ ଏକ ଦୃଢ଼ ଶିଳ୍ପ ଭିତ୍ତିଭୂମି ସୃଷ୍ଟିର ଅଂଶ ସ୍ୱରୂପ ଏକ ସମନ୍ଵିତ ପେଟ୍ରୋକେମିକାଲ୍‌ ଶିଳ୍ପ ପୁଞ୍ଜ ପ୍ରତିଷ୍ଠାର ସ୍ୱପ୍ନ ଦେଖିଲେ, ସେ ତତ୍‌କାଳୀନ ବିଶାଳ ପାଶ୍ଚାତ୍ୟ ତୈଳ କମ୍ପାନି ‘ବର୍ମା-ସେଲ୍‌’ର ଜଣେ ପଦାଧିକାରୀଙ୍କର ସହାୟତା ଲୋଡ଼ିଲେ। ତାଙ୍କର ନାମ ଥିଲା ଲଭରାଜ କୁମାର। ୧୯୫୭ରେ ଲଭରାଜ କୁମାର ଯେତେବେଳେ ‘ବର୍ମା-ସେଲ୍‌’ ଛାଡ଼ି ଭାରତ ସରକାରରେ ଯୋଗ ଦେଲେ, ସେତେବେଳେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ବାହାରର ଆଉ ଯେଉଁ ସୁଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଭଳି ଭାରତ ସରକାର ଭିତରକୁ ଆସିବା ଦେଖାଯାଇଥିଲା, ସେମାନଙ୍କ ମଧ୍ୟରେ ଥିଲେ ଭାରତୀୟ ଅର୍ଥନୀତିର ଦିଗ୍‌ଦର୍ଶକ ରୂପେ ପରିଚିତ ଆଇଜି ପଟେଲ ଓ ଏଲ୍‌କେ ଝା। ପରବର୍ତ୍ତୀ ସମୟରେ ପେଟ୍ରୋଲିଅମ୍‌ ସଚିବ ରୂପେ ଭାରତ ଦ୍ୱାରା ସଫଳ ତୈଳ ଅନୁସନ୍ଧାନ ଏବଂ ପେଟ୍ରୋଲିଅମ୍‌ ପଦାର୍ଥ ଓ ଗ୍ୟାସ୍‌ ପରିବହନ ନିମିତ୍ତ ପାଇପ୍‌ ଲାଇନ୍‌ ମାନ ନିର୍ମାଣରେ ଲଭରାଜ କୁମାରଙ୍କର ଭୂମିକା ଏପରି ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ୧୯୯୪ରେ ତାଙ୍କର ପରଲୋକ ଗମନ ପରେ ପ୍ରସିଦ୍ଧ ବ୍ରିଟିସ୍‌ ଅର୍ଥନୀତିଜ୍ଞ ଆଇଏମ୍‌ଡି ଲିଟ୍‌ଲ୍‌ କୁମାରଙ୍କ ସ୍ମୃତିଚାରଣ କରି ଲେଖିଥିବା ଏକ ଅଗ୍ରଣୀ ବ୍ରିଟିସ୍‌ ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କର ଶୋକବାର୍ତ୍ତାରେ ତାହା ଉଲ୍ଲେଖ କରିଥିଲେ। ଇଣ୍ଡିଆନ୍‌ ପେଟ୍ରୋକେମିକାଲ୍‌ କର୍ପୋରେସନ୍‌ ଲଭରାଜ କୁମାରଙ୍କର ସର୍ଜନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି ଏଠାରେ ଲଭରାଜ କୁମାରଙ୍କ ବିଷୟ ଉଲ୍ଲେଖ ଯେଉଁ ପ୍ରସଙ୍ଗରେ କରାଯାଇଛି, ତାହା ହେଲା କେନ୍ଦ୍ର ସରକାରଙ୍କର ଦଶଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆଇଏଏସ୍‌ ବାହାରୁ ଦଶଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ସାମୟିକ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ପ୍ରକାଶ କରିଥିବା ବିଜ୍ଞପ୍ତି ବିରୁଦ୍ଧରେ ବିରୋଧୀ ଦଳମାନେ ଉଦ୍‌ଗାର କରିଥିବା ପ୍ରତିକି୍ରୟା। ସତେ ଯେମିତି ଏପରି ପଦକ୍ଷେପ ନେବାରେ ବର୍ତ୍ତମାନର ମୋଦୀ ସରକାର ହେଉଛି ପ୍ରଥମ! କେବଳ ଏହି ତିନିଜଣ ନୁହନ୍ତି ଅତୀତରେ ଏପରି ଯେଉଁ ବାହାର ଲୋକମାନେ ଆସି କେନ୍ଦ୍ର ସରକାରରେ ଦାୟିତ୍ୱପୂର୍ଣ୍ଣ ପଦପଦବି ସମ୍ଭାଳିବା ଦେଖାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ବୋକାରୋ ଇସ୍ପାତ କାରଖାନାରୁ ଆସି ୧୯୭୦ ଦଶକରେ ଇସ୍ପାତ ସଚିବ ଦାୟିତ୍ୱ ନିର୍ବାହ କରିଥିବା ଇଂଜିନିଅର୍‌ ମନତୋଷ ସୋନ୍ଧି, ବମ୍ବେର ‘ବେଷ୍ଟ୍‍’ରୁ ଆସି ପରେ ଶକ୍ତି ସଚିବ ହୋଇଥିବା ଆର୍‌ଭି ସାହୀ କିମ୍ବା ବିଶ୍ୱ ବ୍ୟାଙ୍କ୍‌ରୁ ଆସି ବିତ୍ତ ମନ୍ତ୍ରଣାଳୟରେ ବିଭିନ୍ନ ପଦପଦବି ଧାରଣ କରିବା ପରେ ବିତ୍ତ ସଚିବ ମଧ୍ୟ ହୋଇଥିବା ମଣ୍ଟେକ୍‌ ସିଂହ ଆହ୍‌ଲୁଓ୍ଵାଲିଆ। ଖୋଦ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଏହିପରି ଜଣେ ବହିରାଗତ ଅମଲା ରୂପେ ତାଙ୍କ କ୍ୟାରିଅର୍‌ର ଦୀର୍ଘ ସମୟ ଅତିବାହିତ କରିଥିଲେ।

ସରକାରଙ୍କର ଉଚ୍ଚ ପଦପଦବିରେ ଏଭଳି ସମାନ୍ତରାଳ ନିଯୁକ୍ତିକୁ ଉଭୟ ଦ୍ୱିତୀୟ ଶାସନ ସଂସ୍କାର ଆୟୋଗ (ସେକେଣ୍ଡ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ରିଫର୍ମସ୍‌ କମିସନ୍‌) ଏବଂ ସପ୍ତମ ବେତନ ଆୟୋଗ (ସେଭେନ୍‌ଥ ପେ’ କମିସନ୍‌) ରିପୋଟ୍‌ର୍ର୍ରେ ଅନୁମୋଦନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସରକାର ସେ ଦିଗରେ ନେଇଥିବା ପଦକ୍ଷେପ ଘୋର ବିରୋଧର ସମ୍ମୁଖୀନ ହେବା ଦେଖାଯାଉଛି। ବିଶେଷକରି ଯେଉଁ ସବୁ ବିଭାଗରେ ବୈଷୟିକ ଦକ୍ଷତାର ଆବଶ୍ୟକତା ରହିଛି, ସେହି ସବୁ ବିଭାଗରେ ବୈଷୟିକ ଜ୍ଞାନସମ୍ପନ୍ନ ବହିରାଗତମାନଙ୍କୁ ନିଯୁକ୍ତି ସପକ୍ଷରେ ବିଭିନ୍ନ ସମୟରେ ମତ ପ୍ରକାଶ ପାଇଛି। ଏହିପରି ଜଣେ ବହିରାଗତ ଇଂଜିନିଅର୍‌ ଭି କୃଷ୍ଣମୂର୍ତ୍ତି ରାଷ୍ଟ୍ରାୟତ୍ତ ଇସ୍ପାତ ନିର୍ମାତା ‘ସେଲ୍‌’ ଓ ଶକ୍ତି ଉତ୍ପାଦନ ଯନ୍ତ୍ର ନିର୍ମାତା ‘ଭେଲ୍‌’କୁ ଦୁଇ ସଫଳ ଉଦ୍ୟୋଗରେ ପରିଣତ କରିବାରେ ନିର୍ବାହ କରିଥିବା ଭୂମିକା କିଂବଦନ୍ତିରେ ପରିଣତ ହୋଇଛି। ସେ ମଧ୍ୟ ଭାରୀଶିଳ୍ପ ବିଭାଗର ସଚିବ ପଦବିରେ ଅଧିଷ୍ଠିତ ହେବା ସହିତ ଯୋଜନା କମିସନ୍‌ର ସଦସ୍ୟ ହୋଇଥିଲେ। ବର୍ତ୍ତମାନ ଦେଶର ଅଗ୍ରଣୀ କାର୍‌ ନିର୍ମାତାରେ ପରିଣତ ହୋଇଥିବା ‘ମାରୁତି ଉଦ୍ୟୋଗ’ର ସେ ଥିଲେ ପ୍ରତିଷ୍ଠାତା ଚେଆର୍‌ମ୍ୟାନ୍‌। ଆମୋଦଦାୟକ ଭାବରେ ତାଙ୍କ ପରେ ସେ ଦାୟିତ୍ୱ ବିଶେଷ ସଫଳତାର ସହିତ ନିର୍ବାହ କରିଥିବା ଦୁଇଜଣ- ଆର୍‌ସି ଭାର୍ଗବ ଓ ଜଗଦୀଶ ଖଟ୍ଟର୍‌- ଏକ ଉଜାଣି ସ୍ରୋତ ଭଳି ‘ଆଇଏଏସ୍‌’ରୁ ଆସି ମାରୁତିରେ ରହିଯାଇ ଆଉ ଫେରିନାହାନ୍ତି!

ଉପରୋକ୍ତ ଉଦାହରଣମାନଙ୍କରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଯଦି ଉପଯୁକ୍ତ ବ୍ୟକ୍ତିମାନଙ୍କୁ ଠାବ କରି ଘରୋଇ କ୍ଷେତ୍ରରୁ ସରକାର ଭିତରକୁ ଅଣାଯାଏ, ତେବେ ତାହା ସରକାରୀ କଳର ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିଥାଏ। ଯେଉଁ ବାବୁମାନେ ମୂଳରୁ ବଛାବଛି ପରୀକ୍ଷା ମାଧ୍ୟମରେ ସରକାରରେ ପ୍ରବେଶ କରିଥାନ୍ତି, ସେମାନେ ସରକାରୀ ନିୟମ ଶୃଙ୍ଖଳା ସହିତ ଏପରି ଓତପ୍ରୋତ ଭାବରେ ଜଡ଼ିତ ଥା’ନ୍ତି ଯେ ତାହା ସେମାନଙ୍କର ସ୍ୱଭାବର ଅଂଶ ହୋଇଯାଇଥାଏ। ଏଥିପାଇଁ ସେମାନଙ୍କୁ ଦୋଷ ମଧ୍ୟ ଦିଆଯାଇ ପାରିବ ନାହିଁ; ଉଭୟ ତାଲିମ ଓ ଅନୁଭୂତି ସେମାନଙ୍କୁ ନାଲିଫିତା ପ୍ରାଣୀରେ ପରିଣତ କରିଥାଏ। ନିୟମକୁ ସେମାନେ କାର୍ଯ୍ୟ ସମ୍ପାଦନରେ ସହାୟକ ରୂପେ ନଦେଖି ଏହାକୁ ଏକ ଗତିରୋଧକ ରୂପେ ଅଧିକ ବ୍ୟବହାର କରନ୍ତି। କାଳେ କାମ କଲା ବେଳେ କେଉଁଠି ନିୟମ ଉଲ୍ଲଂଘନ ହୋଇଗଲେ କ୍ୟାରିଅର୍‌ ଖରାପ ହୋଇଯିବ ବୋଲି ଭୟ କରି ସେମାନେ ଆଦୌ କାମ ନକରିବାକୁ ନିରାପଦ ମନେ କରନ୍ତି ଓ ସେଇ ନିୟମକୁ ବ୍ୟବହାର କରି ସେଥିପାଇଁ ବାଟ ଖୋଜନ୍ତି। ଘରୋଇ କ୍ଷେତ୍ରର ସଂସ୍କୃତି ହେଉଛି ଅଧିକ ଫଳାଫଳ କୈନ୍ଦ୍ରିକ- କେତେ ଶୀଘ୍ର ଅଭୀଷ୍ଟ ଲକ୍ଷ୍ୟ ସାଧନ ହୋଇପାରିବ, ତାହା ହିଁ ସେମାନଙ୍କର ଧେୟ ହୋଇଥାଏ। ଏବେ ସେମାନଙ୍କୁ ଯେଉଁ ସାମୟିକ ନିଯୁକ୍ତି ଦିଆଯିବା କଥା ଚିନ୍ତା କରାଯାଇଛି, ତାହା ଏକ ଦୃଷ୍ଟିରୁ ଭଲ ଯେ ସେମାନେ ସ୍ଥାୟୀ ବାବୁମାନଙ୍କ ଭଳି କ୍ୟାରିଅର୍‌କୁ ରକ୍ଷା କରିବା ଉଦ୍ଦେଶ୍ୟରେ ନିଷ୍କ୍ରିୟତା ଅବଲମ୍ବନ କରିବେ ନାହିଁ। ନିକଟ ଅତୀତରେ ଏକ ଧାରା ଦେଖିବାକୁ ମିଳିଛି ଯେ ଅଧିକ ବୁଦ୍ଧିମାନ ଯୁବକଯୁବତୀମାନେ ସରକାରୀ ଚାକିରି ନକରି ଘରୋଇ କ୍ଷେତ୍ରରେ ପ୍ରବେଶ କରିବାକୁ ପସନ୍ଦ କରୁଛନ୍ତି। ବିଗତ ଦଶନ୍ଧିମାନଙ୍କରେ ତେଣୁ ଅପେକ୍ଷାକୃତ ନିକୃଷ୍ଟ ମାନର ପ୍ରାର୍ଥୀମାନେ ସରକାରରେ ପ୍ରବେଶ କରିଛନ୍ତି। ଯଦି ଏବେ ଏପରି ସମାନ୍ତରାଳ ନିଯୁକ୍ତି ମାଧ୍ୟମରେ ଘରୋଇ କ୍ଷେତ୍ରର କେତେକ ଉତ୍କଷ୍ଟ ମସ୍ତିଷ୍କକୁ ସରକାର ଭିତରକୁ ଫେରାଇ ଆଣି ହେବ ତାହା ଦେଶ ପାଇଁ ମଙ୍ଗଳପ୍ରଦ ହେବ। ତେବେ ଏଠାରେ ଯାହା ଅସଲ ପ୍ରଶ୍ନ, ତାହା ହେଲା ପ୍ରକୃତ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଠାବ କରିବା। ଯଦି ତାହା ନିଶ୍ଚିତ କରାଯାଇପାରେ, ତେବେ ସରକାରଙ୍କ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ସ୍ୱାଗତଯୋଗ୍ୟ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.