ବେତାଳ ତାଳ

ଜଣେ ‘ରକେଟ୍‌ ମ୍ୟାନ୍‌’, ଅନ୍ୟ ଜଣକ ‘ଡୋଟାଡ୍‌’ (ଦୁର୍ବଳ ମସ୍ତିଷ୍କ ବୃଦ୍ଧ), ଜଣକର ବୟସ (୩୪), ଅନ୍ୟ ଜଣକର ବୟସ (୭୧)ର ଅଧାରୁ କମ୍‌, ଜଣକ ମସ୍ତିଷ୍କର ଢାଙ୍କୁଣିର ଦୁଇ ପାର୍ଶ୍ୱ ଖୁର ଦ୍ୱାରା କେଶଶୂନ୍ୟ, ଅନ୍ୟ ଜଣକର ଖପୁରି ସମ୍ପୂର୍ଣ୍ଣ ରୂପେ ଗହଳ କେଶରାଶି ଦ୍ୱାରା ଆଚ୍ଛାଦିତ, ଜଣକ ପକେଟ୍‌ରେ ପଇସା ନଥିବାରୁ ଅନ୍ୟ ଏକ ଦେଶ (ଚୀନ୍‌) ଯୋଗାଇ ଦେଇଥିବା ଉଡ଼ାଜାହାଜରେ ଯାତ୍ରା କରି ଆୟୋଜକ (ସିଙ୍ଗାପୁର)ର ଖର୍ଚ୍ଚରେ ସଦଳବଳେ ହୋଟେଲ୍‌ରେ ରହିବା ଠାରୁ ଖାଇବା ପର୍ଯ୍ୟନ୍ତ ଉପଭୋଗ କରୁଥିବା ବେଳେ, ଅନ୍ୟଜଣକ ପାଖରେ ଏତେ ପଇସା ଯେ ସେ ଯାତାୟାତ ପାଇଁ ନିଜର ଅଭେଦ୍ୟ ସୁରକ୍ଷା କବଚ ପିନ୍ଧିଥିବା ମଟର ଗାଡ଼ି ‘ଦି ବିଷ୍ଟ୍‍’କୁ ମଧ୍ୟ ଉଡ଼ାଜାହାଜରେ ପୂରାଇ ନିଜ ଦେଶ (ଆମେରିକା)ରୁ ସୁଦୂର ସାକ୍ଷାତ ସ୍ଥଳୀ (ସିଙ୍ଗାପୁର)କୁ ଆଣିଛି। ଜଣେ ଏକ ନିବୁଜ ଏକଛତ୍ରବାଦୀ ଦେଶର ନିଷ୍ଠୁର ଶାସକ ହୋଇଥିବା ବେଳେ ଅନ୍ୟଜଣକ ହେଉଛନ୍ତି ସାରା ମୁକ୍ତ ଜଗତ୍‌ର ଅଘୋଷିତ ନାୟକ।

ଜୀବନରେ ପ୍ରଥମ ଥର ପାଇଁ ପରସ୍ପରକୁ ଏକ ଐତିହାସିକ ମୁହୂର୍ତ୍ତରେ ଭେଟୁଥିବା ଦୁଇଜଣ ନେତାଙ୍କ ମଧ୍ୟରେ ଏହାଠାରୁ ବଳି ଅସାମଞ୍ଜସ୍ୟ ଆଉ କ’ଣ ବା ଚିନ୍ତା କରାଯାଇପାରେ। କିନ୍ତୁ ଏ ସମସ୍ତ ବାହ୍ୟ ଅସାମଞ୍ଜସ୍ୟ ସତ୍ତ୍ୱେ କିମ୍‌ ଜୋଙ୍ଗ୍‌ ଉନ୍‌ ଓ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ସେଇ ଭିନ୍ନ କେଶଶୈଳୀ ଆଚ୍ଛାଦିତ ଖପୁରିଦ୍ୱୟ ତଳେ ଯେ ମସ୍ତିଷ୍କର ସୂକ୍ଷ୍ମ କୋଷ ଗୁଡ଼ିକରେ ବୋଧହୁଏ ସମାନ ପ୍ରକାର ବୈଦ୍ୟୁତିକ ତରଙ୍ଗ ପ୍ରବାହିତ ହେଉଛି, ତାହା ସଦ୍ୟ ସମାପ୍ତ ଶିଖର ସମ୍ମିଳନୀ ସମୟରେ ଓ ପରେ ଉଭୟ ନେତା ପ୍ରଦର୍ଶନ କରିଥିବା ଆଚରଣ, ଉଚ୍ଚାରଣ ତଥା ଶାରୀରିକ ଭାଷାରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଅନ୍ତତଃ ଗୋଟିଏ ରୋଚକ ଉଦାହରଣ ସାବ୍ୟସ୍ତ କରିଥାଏ ଯେ ଯଦି ଯୁବନେତା କିମ୍‌ଙ୍କଠାରେ ତାଙ୍କର ସମସ୍ତ ନିଷ୍ଠୁର-ଆଚରଣ-ସୃଷ୍ଟ ଭାବମୂର୍ତ୍ତି ତଳେ ଚାପି ହୋଇ ଏକ ଶିଶୁସୁଲଭ ଅନୁସନ୍ଧିତ୍ସା ତଥାପି ବଞ୍ଚିରହିଛି, ପରିଣତ ବୟସ ଓ ଭାବପ୍ରବଣତାହୀନ ବ୍ୟାବସାୟିକ ଅତୀତ ସତ୍ତ୍ୱେ ଟ୍ରମ୍ପ୍‌ ମଧ୍ୟ ତାହା ସମ୍ପୂର୍ଣ୍ଣ ହରାଇ ନାହାନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜେନେରାଲ୍‌ ମୋଟର୍ସ ଦ୍ୱାରା ବିଶେଷ ଭାବରେ ନିର୍ମିତ ସାଞ୍ଜୁଆ ଗାଡ଼ି ‘ଦି ବିଷ୍ଟ୍‍’ ପ୍ରତ୍ୟେକ ଗାଡ଼ିପ୍ରିୟ ପିଲାର କଳ୍ପନାକୁ ରୋମାଞ୍ଚିତ କରିଥାଏ- ସତେ ଯେମିତି କମିକ୍‌ସ୍‌ କାହାଣୀର ପୃଷ୍ଠାରୁ କିମ୍ବା ଆଡ୍‌ଭେଞ୍ଚର୍‌ ସିନେମାର ପର୍ଦ୍ଦାରୁ ଓହ୍ଲାଇ ଆସିଥିବା ଏକ ଯାନ ହେଉଛି ‘ଦି ବିଷ୍ଟ୍‍’। କିମ୍‌ ଜୋଙ୍ଗ୍‌ ଉନ୍‌ ଯେ ସେହି ବିଷ୍ଟ୍‍-ପ୍ରେମୀମାନଙ୍କ ମଧ୍ୟରୁ ଜଣେ ତାହା ଜଣାପଡ଼ିଥିଲା ସିଙ୍ଗାପୁରରେ ଯେତେବେଳେ ସେ ଉତ୍ସୁକତା ସମ୍ବରଣ କରି ନପାରି ଟ୍ରମ୍ପ୍‌ଙ୍କୁ ‘ଦି ବିଷ୍ଟ୍‍’ ସମ୍ବନ୍ଧରେ ପଚାରିଥିଲେ। ଆଉ ସାରା ଦୁନିଆ ଚମତ୍କତ ହୋଇଯାଇଥିଲା ଯେତେବେଳେ ଟ୍ରମ୍ପ୍‌ ସମସ୍ତ ଆମେରିକା-ରାଷ୍ଟ୍ରପତି ସୁଲଭ ଗାମ୍ଭୀର୍ଯ୍ୟ ପରିତ୍ୟାଗ କରି ହଠାତ୍‌ ବାଟ ଭାଙ୍ଗି କିମ୍‌ଙ୍କୁ ସାଥିରେ ନେଇ ‘ଦି ବିଷ୍ଟ୍‍’ର ଦ୍ୱାର ଖୋଲି ତା’ର ଅଭ୍ୟନ୍ତରର ଦୃଶ୍ୟ କିମ୍‌ଙ୍କୁ ଦେଖାଇଥିଲେ।

ଏହା ଯଦି ଏ ଦୁଇ ବେତାଳିଆ ମନେ ହୋଇ ଆସିଥିବା ନେତାଙ୍କ ମଧ୍ୟରେ ଏକ ଅନ୍ତର୍ନିହିତ ମୌଳିକ ତାଳମେଳର ପ୍ରମାଣ ନୁହେଁ, ତେବେ ଆଉ ଅଧିକ ବଳିଷ୍ଠ ପ୍ରମାଣ କ’ଣ ହୋଇପାରେ? ପୃଥିବୀସାରାର ମୁକ୍ତ ଗଣମାଧ୍ୟମ ଓ ବିଶେଷକରି ଆମେରିକାର ମୁଖ୍ୟସ୍ରୋତ ଗଣମାଧ୍ୟମ ସମ୍ପୂର୍ଣ୍ଣ ରୂପେ ଜଣାଶୁଣା ଭାବରେ ଟ୍ରମ୍ପ୍‌-ବିରୋଧୀ। ଆମେରିକାର ସ୍ୱାର୍ଥରକ୍ଷା ତାଙ୍କର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପ୍‌ ନିର୍ବାଚିତ ହେବା ପରେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି କେହି ଆଶା କରୁ ନଥିଲେ। କିନ୍ତୁ ଟ୍ରମ୍ପ୍‌ ଯେତେବେଳେ ପ୍ରକୃତରେ ତାହା ହିଁ କରିବାକୁ ଆରମ୍ଭ କଲେ, ଉଦାରପନ୍ଥୀ ଗଣମାଧ୍ୟମ ଓ ମନ୍ତବ୍ୟକାରମାନେ ତାଙ୍କୁ ଏକ ସଂକୀର୍ଣ୍ଣମନା, ଦୂରଦୃଷ୍ଟିହୀନ ସାମ୍ପ୍ରଦାୟିକତାବାଦୀ ରାଜନେତା ନୁହେଁ ବ୍ୟବସାୟୀ ବୋଲି ଚିତ୍ରିତ କରିବାରେ ଲାଗି ପଡ଼ିଛନ୍ତି। ଗୋଟିକ ପରେ ଗୋଟିଏ ଆନ୍ତର୍ଜାତିକ ଚୁକ୍ତିରୁ ଓହରି ଯାଇ ଟ୍ରମ୍ପ୍‌ ତାଙ୍କର ସମାଲୋଚକମାନଙ୍କ ହାତକୁ ମଜଭୁତ କରିବାରେ ମଧ୍ୟ ଲାଗିଛନ୍ତି। ତାଙ୍କର କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହାର ସଦ୍ୟତମ ପ୍ରମାଣ ସ୍ୱରୂପ କିମ୍‌ଙ୍କ ସହିତ ସିଙ୍ଗାପୁର ଶୀର୍ଷ ବୈଠକର ଠିକ୍‌ ଅବ୍ୟବହିତ ପୂର୍ବରୁ ଟ୍ରମ୍ପ୍‌ କାନାଡାରେ ଅନୁଷ୍ଠିତ ଜି-୭ ଶୀର୍ଷ ବୈଠକରେ ଯୋଗ ଦେଇ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କର ତୀବ୍ର ସମାଲୋଚନା କରିବା ଦେଖାଯାଇଥିଲା। ବିଶେଷକରି ପଡ଼ୋଶୀ କାନାଡାର ଯୁବ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟୁଡୁଙ୍କୁ ସେ ଯେଉଁ ଭଳି ଭର୍ତ୍ସନା କରିଛନ୍ତି, ଆନ୍ତର୍ଜାତିକ କୂଟନୀତିରେ ସେଭଳି କେବେ ପ୍ରାୟ ଦେଖାଯାଇନାହିଁ।

ଏଣୁ ସ୍ୱାଭାବିକ ଭାବରେ ସମ୍ପୂର୍ଣ୍ଣ ଅଭାବିତ ଭାବରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଳି ଜଣେ ତଥାକଥିତ ଦୁଷ୍ଟ ନେତାଙ୍କ ସହିତ ଟ୍ରମ୍ପ୍‌ଙ୍କର ଏପରି ଉଷ୍ମତାପୂର୍ଣ୍ଣ ବୈଠକକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ନିନ୍ଦୁକମାନେ କହୁଛନ୍ତି ଏହା କେବଳ ଏକ ଫଟୋ କୈନ୍ଦ୍ରିକ ବୈଠକ ଥିଲା ଯାହା କେବଳ ପ୍ରଚାରଧର୍ମୀ। ସେମାନେ କହୁଛନ୍ତି ଏଥିରେ ବିଜୟୀ ହୋଇଛନ୍ତି କିମ୍‌ ଏବଂ ଟ୍ରମ୍ପ୍‌ ନିଜକୁ ଜଣେ ଚତୁର ବ୍ୟବସାୟୀ ବୋଲି ଦାବି କରୁଥିଲେ ହେଁ ପ୍ରକୃତ ସୁବିଧା ହାସଲ କରିଛନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌। ଟ୍ରମ୍ପ୍‌ ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ ବନ୍ଦ କରିବାକୁ ନେଇଥିବା ନିଷ୍ପତ୍ତି ହେଉଛି ଏମାନଙ୍କ ମତରେ ବୋକାମି ଏବଂ ବଦଳରେ କିମ୍‌ କୌଣସି ଠୋସ୍‌ ପ୍ରତିଶ୍ରୁତି ଦେଇନାହାନ୍ତି।

ଏହା ଠିକ୍‌ ନୁହେଁ। ଏଥିରେ ସନ୍ଦେହ ନାହିଁ ଯେ ଆମେରିକା-ଉତ୍ତର କୋରିଆ ବୈଠକରେ ଆମେରିକା ହେଉଛି ବଡ଼ ଭାଇ ଏବଂ ଉତ୍ତର କୋରିଆ ହେଉଛି ଏକ ଅତି ସାନ ଭାଇ। ତେଣୁ ସାନ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ବଡ଼ ଭାଇଙ୍କୁ ହିଁ ପ୍ରଥମେ କିଛି ପଦକ୍ଷେପ ପ୍ରଦର୍ଶନ କରିବାକୁ ହେବ। ମିଳିତ ସମରାଭ୍ୟାସ ବନ୍ଦ ହେଉଛି ଏହିପରି ଏକ ପଦକ୍ଷେପ। ଏହା ପୁଣି ସ୍ଥାୟୀ ଭାବରେ ବନ୍ଦ ହୋଇନାହିଁ। ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି ଯେ କଥାବାର୍ତ୍ତା ଚାଲିଥିବା ଯାଏଁ ଏହା ବନ୍ଦ ରହିବ। ଅର୍ଥାତ୍‌ ଯଦି ଶାନ୍ତି କଥାବାର୍ତ୍ତା ସଫଳ ନହୁଏ ଏହା ପୁଣି ଆରମ୍ଭ ହେବ। ଦକ୍ଷିଣ କୋରିଆରେ ପ୍ରାୟ ୨୮,୦୦୦ ଆମେରିକୀୟ ସୈନ୍ୟ ସର୍ବଦା ମୁତୟନ ହୋଇ ରହିଛନ୍ତି। ଅପରପକ୍ଷେ ନିକଟ ଅତୀତରେ ଖୋଦ୍‌ ଦକ୍ଷିଣ କୋରିଆରେ ଆମେରିକା ତାର ସୈନ୍ୟ ପ୍ରତ୍ୟାହାର କରି ନେବା ପାଇଁ ବାରମ୍ବାର ଗଣ ବିକ୍ଷୋଭ ହେବା ଦେଖାଯାଇଛି। ତେଣୁ ଦକ୍ଷିଣ କୋରିଆର ଲୋକମାନେ ଏବେ ନିଜକୁ ଅସୁରକ୍ଷିତ ମନେକରିବା ପରିବର୍ତ୍ତେ ବରଂ ଉତ୍ତର ପଟୁ ଉତ୍ତେଜନା ହ୍ରାସ ଯୋଗୁଁ ସେମାନେ ରାତିରେ ନିଶ୍ଚିନ୍ତରେ ଶୋଇ ପାରୁଥିବେ। କିମ୍‌ ଜୋଙ୍ଗ୍‌ ଉନ୍‌ କେତେକ ଆଣବିକ ତଥା କ୍ଷେପଣାସ୍ତ୍ର ଘାଟି ଧ୍ୱଂସ କରିବା ସହିତ ଆମେରିକାର ବନ୍ଦୀମାନଙ୍କୁ ଖଲାସ କରି ଶାନ୍ତି ପାଇଁ ନିଜର ଆନ୍ତରିକତାର ପ୍ରମାଣ ଦେଇଛନ୍ତି। ଟ୍ରମ୍ପ୍‌ ଓ କିମ୍‌ଙ୍କ ମଧ୍ୟରେ ଦେଖା ଦେଇଥିବା ତାଳମେଳ ଯଦି ଶେଷରେ ସେ ବିକ୍ଷୁବ୍‌ଧ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା କରେ ତେବେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ତାହା ଏକ ସ୍ମରଣୀୟ ପଦକ୍ଷେପ ହେବ। ଏଥିପାଇଁ ଟ୍ରମ୍ପ୍‌ଙ୍କୁ ନିନ୍ଦା ପରିବର୍ତ୍ତେ ଉତ୍ସାହିତ କରିବା ଉଚିତ।

ସମ୍ବନ୍ଧିତ ଖବର