ସଂସ୍କାରର ଚାବି ଖୋଜ

ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ଠାବ ହୋଇଛି। ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେଏକ ଜଉମୁଦ ଦିଆ ଲଫାପାରେ ଥିବା ତିନିଟିକିଆ ଚାବି ପେନ୍ଥା ମିଳିଛି। ଲଫାପା ଉପରେ ‘ରତ୍ନ ଭଣ୍ଡାରର ଡୁପ୍ଲିକେଟ୍‌ ଚାବି’ ବୋଲି ଲେଖା ଥିବାରୁ ଏହା ଭିତର ରତ୍ନ ଭଣ୍ଡାରରେ କୋଲପର ଚାବିକାଠି ବୋଲି ବିଶ୍ୱାସ କରାଯାଉଛି। ଅବଶ୍ୟ,ଏହି ‘ଡୁପ୍ଲିକେଟ୍‌’ ଚାବିରେ ରତ୍ନଭଣ୍ଡାର ତାଲା ଖୋଲିବ କି ନାହିଁ, ତାହା ପରେ ଜଣାପଡ଼ିବ। ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ଯେ ରେକର୍ଡ ରୁମ୍‌ରୁ ଯେଉଁ ଚାବି ମିଳିଛି, ତାହା ରତ୍ନ ଭଣ୍ଡାରର ମୂଳ ବା ‘ଅରିଜିନାଲ୍‌’ ଚାବି ନୁହେଁ, ବରଂ ‘ଡୁପ୍ଲିକେଟ୍‌’।

ତେବେ, ‘ଅରିଜିନାଲ୍‌’ ହେଉ ଅବା ‘ଡୁପ୍ଲିକେଟ୍‌’, ରତ୍ନ ଭଣ୍ଡାରର ‘ନିଖୋଜ’ ଚାବିର ସନ୍ଧାନ ମିଳିବା ସରକାର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିଶ୍ଚିତ ଭାବେ କିଛି ମାତ୍ରାରେ ଆଶ୍ୱସ୍ତ କରିଥିବ। କିନ୍ତୁ ଏହା ନା ବଡ଼ ଠାକୁରଙ୍କ ପରମଭକ୍ତ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିପାରିଛି, ନା ଗତ ସତୁରି ଦିନ ଧରି ଚାଲିଥିବା ରତ୍ନଭଣ୍ଡାର ଚାବି ନିଖୋଜ ଉପାଖ୍ୟାନରେ ଯବନିକା ଟାଣି ପାରିଛି। ବରଂ ରେକର୍ଡ ରୁମ୍‌ରେ ଚାବି ମିଳିଥିବା ନେଇ ପୁରୀ ଜିଲ୍ଲାପାଳ ମହୋଦୟଙ୍କ ସୂଚନା ଆହୁରି ଅନେକ ଅସ୍ୱସ୍ତିକର ପ୍ରଶ୍ନକୁ ଜନ୍ମ ଦେଇଛି, ଯାହା ଜଗନ୍ନାଥ ପ୍ରେମୀ ଓଡ଼ିଆଙ୍କ ଭାବାବେଗକୁ ଆଘାତ କରୁଥିବା ବିଶୃଙ୍ଖଳା ଓ ବିଭ୍ରାଟ କ୍ରମର ମଞ୍ଜି କାରଣ ପ୍ରତି ସ୍ୱତଃ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପ୍ରଥମ ପ୍ରଶ୍ନ, ରେକର୍ଡ ରୁମ୍‌ରୁ ମିଳିଥିବା ଚାବିକାଠି ‘ଡୁପ୍ଲିକେଟ୍‌’ ହୋଇଥିବାରୁ ମୂଳ ବା ‘ଅରିଜିନରଲ’ ଚାବି ଏବେ କେଉଁଠି? ଦ୍ୱିତୀୟ, ମନ୍ଦିର ଆଇନ ବ୍ୟବସ୍ଥା ଅନୁଯାୟୀ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ରହିବା କଥା, କିନ୍ତୁ କାହିଁକି ଓ କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ‘ଡୁପ୍ଲିକେଟ୍‌’ ହେଲେ ସୁଦ୍ଧା ରେକର୍ଡ ରୁମ୍‌ରେ ରଖାଗଲା? ପୁଣି ଜିଲ୍ଲାପାଳ ମହୋଦୟ ଯେତେବେଳେ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ନଥିବା ଜାଣିଲେ ଏବଂ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇଲେ, ସେତେବେଳେ ଚାବିର ଏକ ‘ଡୁପ୍ଲିକେଟ୍‌’ ରେକର୍ଡରୁମ୍‌ରେ ଥିବା ବିଷୟ ଜାଣି ପାରିଲେ ନାହିଁ କେମିତି? ଏ ପ୍ରଶ୍ନ ଗୁଡ଼ିକର ଯାହା ବି ଉତ୍ତର ମିଳୁ, ଗୋଟିଏ ବିଷୟ ସ୍ପଷ୍ଟ ଯେ ପ୍ରଶ୍ନ ଗୁଡ଼ିକରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଉଦାସୀନ ମନୋଭାବର ଉତ୍କଟ ଗନ୍ଧ ବାହାରୁଛି; ଯାହା ଶ୍ରୀମନ୍ଦିର ତଥା ଓଡ଼ିଶାର ଭାବମୂର୍ତ୍ତିକୁ ଅନୁଜ୍ୱଳ କରୁଥିବା ଧାରାବାହିକ ବିଶୃଙ୍ଖଳା ଓ ବିଭ୍ରାଟର ମୂଳ କାରଣ। ପୁଣି ଉପରୋକ୍ତ ପ୍ରଶ୍ନଗୁଡ଼ିକ ସହ ରତ୍ନଭଣ୍ଡାର ସୁରକ୍ଷା ମଧ୍ୟ ଯୋଡ଼ି ହୋଇଛି। ୧୯୮୫ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନଭଣ୍ଡାର ଯାଞ୍ଚ ପରେ ଚାବି ନିଶ୍ଚୟ ପୁଣି ତତ୍କାଳୀନ ଜିଲ୍ଲାପାଳଙ୍କ ହେପାଜତକୁ ଫେରିଥିବ। ପରବର୍ତ୍ତୀ ଜିଲ୍ଲାପାଳ ମାନେ ମଧ୍ୟ ଅନ୍ୟାନ୍ୟ ଦାୟିତ୍ୱ ସହ ରତ୍ନଭଣ୍ଡାର ଚାବିର ଦାୟିତ୍ୱ ମଧ୍ୟ ନେଇଥିବେ। କିନ୍ତୁ ଏହାର କୌଣସି ରେକର୍ଡ ନାହିଁ। ପୁଣି ଚାବି ରେକର୍ଡ ରୁମ୍‌ରେ ରଖାଯାଇଥିବା ନେଇ ମଧ୍ୟ କୌଣସି ଦଲିଲ ନାହିଁ। ଗତ ୩୩ ବର୍ଷ ମଧ୍ୟରେ ବହୁ ଜିଲ୍ଲାପାଳ ଆସିଛନ୍ତି ଓ ଯାଇଛନ୍ତି, ଶ୍ରୀମନ୍ଦିର ପ୍ରଶାସକ ମଧ୍ୟ ବଦଳିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ମଧ୍ୟ ବର୍ଷକୁ ଅନ୍ତତଃ ଥରେ ବସିଥିବ। ଅଥଚ କେହି ରତ୍ନଭଣ୍ଡାର ଚାବି କେଉଁଠି ଅଛି? ସୁରକ୍ଷିତ ଅଛି ନା ନାହିଁ? ସେ ବିଷୟରେ ଖବର ନେବା ଉଚିତ ମଣି ନାହାନ୍ତି। ଏହାହିଁ ଦାୟିତ୍ୱ ସମ୍ପନ୍ନ, କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଖାମଖାଆଲି, ଉଦାସୀନ ମନୋଭାବର ଦୁଃଖଦ କାହାଣୀ ବୟାନ କରେ।

ଆଇନରେ ବ୍ୟବସ୍ଥା ଅଛି, ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ରହିବ, ପ୍ରତି ଛଅ ମାସରେ ରତ୍ନଭଣ୍ଡାରରେ ପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଯାଞ୍ଚ ହେବ। କିନ୍ତୁ ଗତ ତିନି ଦଶକ ଧରି ଆଇନର ଅନୁପାଳନ ହେଲା ନାହିଁ। ଯଦି ରତ୍ନଭଣ୍ଡାର ଚାବି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ପର୍ଶକାତର ପ୍ରସଙ୍ଗର ଏ ପ୍ରକାର ଉଦାସୀନ ଓ ଖାମଖିଆଲି ଆଭିମୁଖ୍ୟ ଗ୍ରହଣ କରାଯାଏ, ତେବେ ସାଧାରଣ ଶୃଙ୍ଖଳା ଓ ବ୍ୟବସ୍ଥା ପ୍ରତି ଶ୍ରୀମନ୍ଦିର ପରିଚାଳନା ସହ ସମ୍ପୃକ୍ତ ପକ୍ଷମାନଙ୍କ ନିଷ୍ଠା ଓ ଦାୟିତ୍ୱବୋଧ କେତେ ତାହା ସହଜ ଅନୁମେୟ। ଶ୍ରୀମନ୍ଦିର ସଂସ୍କାର ପାଇଁ ନ୍ୟାୟମୂର୍ତ୍ତିି ବି.ପି.ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ୍‌ ୨୦୧୭, ଏପ୍ରିଲ୍‌ ୨୭ ତାରିଖରେ ଦେଇଥିବା ତାଙ୍କ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଏ ବିଷୟ ପ୍ରତି ଉଲ୍ଲେଖ କରିଥିଲେ। କମିସନ୍‌ ଟିପ୍ପଣୀ ଦେଇଥିଲେ ଯେ, ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରର ନୀତିକାନ୍ତି ସମ୍ପନ୍ନ, ପର୍ବପର୍ବାଣି ପାଳନ ଏକ ଧାରା ବା ନିୟମ ହେବା ଉଚିତ। କୌଣସି ପ୍ରକାର ଅବ୍ୟବସ୍ଥା ଓ ବିଶୃଙ୍ଖଳାକୁ ବ୍ୟତିକ୍ରମ ବିଚାର କରାଯିବା ଉଚିତ। ତେବେ ଶ୍ରୀମନ୍ଦିରରେ ଧାରା ଠିକ ଓଳଟା। ବିଶୃଙ୍ଖଳା, ଅବ୍ୟବସ୍ଥା ହିଁ ନିୟମ। ଏହି ନିଷ୍ଠୁର ବାସ୍ତବତାର ଦୁର୍ଭାଗ୍ୟଜନକ ପ୍ରମାଣ ହେଲା- ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ଠାରୁ ଆରମ୍ଭ କରି ନିଳାଦ୍ରି ବିଜେରେ ବିଶୃଙ୍ଖଳା, ରଥରେ ଦିଅଁଙ୍କୁ ଛୁଇଁବା ନେଇ ବିବାଦ ଓ ନିୟମିତ ବ୍ୟବଧାନରେ ଭକ୍ତଙ୍କ ପ୍ରତି ଅସଦାଚରଣ, ଆକ୍ରମଣ ପର୍ଯ୍ୟନ୍ତ ଅଘଟଣର ଲମ୍ବା ତାଲିକା। ନିୟମିତ ବ୍ୟବଧାନରେ ଶିରୋନାମାରେ ରହି ଆସୁଥିବା ଏହି ସବୁ ବିଶୃଙ୍ଖଳା ଓ ବିଭ୍ରାଟର ମୂଳ କାରଣ ହେଉଛି ନିୟମ ଓ ଶୃଙ୍ଖଳା ପ୍ରତି ବେଖାତିର, ଖାମଖାଆଲି ଉଦାସୀନ ମନୋଭାବ। ସର୍ବୋପରି ଜଗନ୍ନାଥ ପ୍ରାଣ ଭକ୍ତଙ୍କ ଭାବାବେଗ ପ୍ରତି ସମ୍ମାନବୋଧର ଅଭାବ।

ତେବେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ବିଡ଼ମ୍ବନା- ବିଶୃଙ୍ଖଳା ଓ ବିଭ୍ରାଟ ପାଇଁ ଦାୟିତ୍ୱ ନେଇ ସୁଧାର ମୂଳକ ପଦକ୍ଷେପ ନେବାଲାଗି କୌଣସି ପକ୍ଷଙ୍କ ମାନସିକତା ନାହିଁ। ଏହା ବିଶୃଙ୍ଖଳା ଓ ବିଭ୍ରାଟକୁ ପ୍ରଶ୍ରୟ ନୁହେଁ ତ ଆଉ କ’ଣ? ଗୋଟିଏ ଅଘଟଣ ଘଟିଲେ, ଦାୟିତ୍ୱ ଏଡ଼ାଇବା ଲାଗି କମିଟି, କମିସନ୍‌ ଆଦି ବସାଯାଉଛି। ରିପୋର୍ଟ ମଧ୍ୟ ଆସୁଛି। କିନ୍ତୁ, ବାସ୍ତବ କ୍ଷେତ୍ରରେ ଅବସ୍ଥାର କୌଣସି ସକାରାତ୍ମକ ପରିବର୍ତ୍ତନ ହେଉନାହିଁ। ଅଧିକାଂଶ କମିଟି ଓ କମିସନ୍‌ଙ୍କ ସୁପାରିସ ଶୀତଳ ଭଣ୍ଡାରରେ। ପୁଣି ଶ୍ରୀମନ୍ଦିର ବ୍ୟାପାର ନେଇ ରାଜନୀତି ମଧ୍ୟ କିଛି କମ୍‌ ନୁହେଁ। ଏଇ ଯେମିତି ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଗତ କିଛିଦିନ ଧରି ରାଜନୀତି ଚାଲିଛି। ରାଜନୈତିକ ପଶାପାଲିରେ ପ୍ରଭୁ ଜଗନ୍ନାଥଙ୍କୁ ଗୋଟି କରି ସବୁ ଦଳ ଫାଇଦା ଉଠାଇବାକୁ ବ୍ୟଗ୍ର। ଏ ରାଜନୀତି ନେଇ କୌଣସି ଆପତ୍ତି ନଥାନ୍ତା, ଯଦି ଏଥିରୁ କୌଣସି ଗଠନ ମୂଳକ ନିର୍ଯାସ ବାହାରନ୍ତା। ଅନ୍ୟପକ୍ଷରେ ପରସ୍ପର ଆକ୍ଷେପ-ପ୍ରତିଆକ୍ଷେପ, ବିବାଦ ମଧ୍ୟରେ ବାତାବରଣ ଅଯଥା ଅଧିକ ଅଶାନ୍ତ ଓ ଅସ୍ୱସ୍ତିକର ହୋଇପଡୁଛି। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରରେ ଏକ ପବିତ୍ର, ନିର୍ମଳ ଆଧ୍ୟାତ୍ମିକ ବାତାବରଣ ବାହାଲ କରିବାରେ ଏହା ଆଦୌ ସହାୟକ ହୋଇ ପାରୁନାହିଁ।

ତେଣୁ ରତ୍ନଭଣ୍ଡାର ଚାବି ହଜିବା ଓ ଅନ୍ୟାନ୍ୟ ବିଭ୍ରାଟକୁ ନେଇ ବିବାଦ, ବିତର୍କ, ରାଜନୀତି ବହୁତ ହୋଇଗଲା। ଏବେ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ପାଇଁ ଚାବି ଖୋଜିବାର ସମୟ ଆସିଯାଇଛି। ସବୁ ପକ୍ଷଙ୍କୁ ଏହି କସରତରେ ସାମିଲ ହେବାକୁ ପଡ଼ିବ। ସୁଖର କଥା ମାନ୍ୟବର ସୁପ୍ରିମ୍‌ କୋର୍ଟ ଏଥିପାଇଁ ସାନି ଅବକାଶ ସୃଷ୍ଟି କରିଛନ୍ତି। ଜୁନ୍‌ ଆଠ ତାରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଜାରି କରିଥିବା ନିର୍ଦ୍ଦେଶ ଫଳରେ ସଂସ୍କାର ପ୍ରକ୍ରିୟା ପାଇଁ ନୂଆ ଆଶା ସୃଷ୍ଟି କରିଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ଜଜ୍‌ ଶ୍ରୀମନ୍ଦିର ବ୍ୟାପାର ନେଇ ସ୍ଥିତାବସ୍ଥାରେ ଅନୁଧ୍ୟାନ ଆରମ୍ଭ କରି ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସେ ରିପୋର୍ଟ ଦେବେ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କଠାରୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି। ଅନ୍ୟାନ୍ୟ ପକ୍ଷମାନେ ମଧ୍ୟ ଅଦାଲତରେ ନିଜ ନିଜ ପକ୍ଷ ରଖିପାରିବେ। ଆଶା, ଶ୍ରୀମନ୍ଦିର ପରିଚାଳନାରେ ସମ୍ପୃକ୍ତ ସବୁ ପକ୍ଷ- ସେବାୟତ, ମନ୍ଦିର ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସରକାର ଏକ ଗଠନ ମୂଳକ ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମ୍‌ କୋର୍ଟ ସଂସ୍କାର ପାଇଁ ସୃଷ୍ଟି କରିଥିବା ସୁଯୋଗର ପ୍ରକୃଷ୍ଟ ଉପଯୋଗ କରିବେ। ରାଜନୈତିକ ଦଳ ଓ ସଂଗଠନମାନଙ୍କର ମଧ୍ୟ ଏ ପ୍ରସଙ୍ଗରେ ସ୍ୱତନ୍ତ୍ର ଦାୟିତ୍ୱ ରହିଛି। ଶ୍ରୀମନ୍ଦିର ବିଭ୍ରାଟ, ବିଶୃଙ୍ଖଳାରୁ ରାଜନୈତିକ ଫାଇଦା ଉଠାଇବାର ଫିକରରେ ନ ରହି ବରଂ ସଂସ୍କାର ସପକ୍ଷରେ ଏକ ରାଜନୈତିକ ସହମତି ସୃଷ୍ଟି କରନ୍ତୁ। ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ବ୍ୟବସ୍ଥା ସହ ମହାପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ଗରିମା, ଓଡ଼ିଆଙ୍କ ଭାବାବେଗ, ସ୍ୱାଭିମାନ ଏବଂ ଓଡ଼ିଶାର ଭାବମୂର୍ତ୍ତି ଓତପ୍ରୋତ ଭାବେ ଯୋଡ଼ି ହୋଇଛି। ଏହି କଥାକୁ ଯଦି ସବୁ ପକ୍ଷ ଗଣ୍ଠି କରନ୍ତି, ତେବେ ଶ୍ରୀମନ୍ଦିର ସଂସ୍କାର ଓ ପତିତପାବନ କ୍ଷେତ୍ରରେ ଆଧ୍ୟାତ୍ମିକତା ଓ ଧର୍ମୀୟ ଭାବର ପ୍ଳାବନ ଅବଶ୍ୟ ସମ୍ଭବ।

ସମ୍ବନ୍ଧିତ ଖବର