ବେଳ ଅବେଳ

ଇଂରେଜୀରେ ଏକ ଉକ୍ତି ଅଛି: ‘ଏନିଟାଇମ୍‌ ଇଜ୍‌ ଟି ଟାଇମ୍’, ଅର୍ଥାତ୍ ଯେ କୌଣସି ସମୟ ହେଉଛି ଚା’ ପିଇବା ପାଇଁ ଉପଯୁକ୍ତ; ଚା’ ପିଇବା ପାଇଁ ବେଳ ଅବେଳ ନଥାଏ। ଆମର ଚା’ ପିଇବା ଭଳି ପ୍ରାୟ ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇ ସାରିଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ପ୍ରତି ଏହାର ଠିକ୍ ବିପରୀତ ଏକ ଉକ୍ତି ଲାଗୁ କରାଯାଇ ପାରେ: ‘ନୋ ଟାଇମ୍ ଇଜ୍ ସାଇକ୍ଲୋନ୍ ଟାଇମ୍’, ଅର୍ଥାତ୍ କୌଣସି ବି ସମୟ ଘୂର୍ଣ୍ଣିବାତ୍ୟା ପାଇଁ ଉପଯୁକ୍ତ ନୁହେଁ। କିନ୍ତୁ ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ୍’ ଯେଉଁ ସମୟରେ ଏଠାରେ ଆବିର୍ଭୂତ ହୋଇଛି, ଆମ ପାଇଁ ତା’ଠାରୁ ଅଧିକ ଅନୁପଯୁକ୍ତ ସମୟ ଆଉ କିଛି କଳ୍ପନା କରାଯାଇ ନପାରେ। ଯଦି ବସୁଧାକୁ ଗୋଟିଏ କୁଟୁମ୍ବ ବୋଲି ବିଚାର କରାଯାଏ, ତେବେ ସମସ୍ତ କୁଟୁମ୍ବଙ୍କ ସହିତ ମିଶି ଆମେ ମଧ୍ୟ ଚୀନା ‌କରୋନା ପାଣ୍ଡେମିକ୍ କବଳରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବାରେ ଲାଗିଛୁ। ଏକ ସମ୍ଭାବ୍ୟ ଉପାୟ ବୋଲି ବିଶ୍ବାସ କରି ପ୍ରାୟ ଦୁଇ ମାସ ହେବ ଆମେମାନେ ସାଥୀ ମନୁଷ୍ୟମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରି ଚାଲିଛୁ, ମୁଖୋସ୍ ପିନ୍ଧି ଅଣନିଶ୍ବାସୀ ହେଉଛୁ, ହାତ ଧୋଇ ଧୋଇ ହାତ ବତୁରାଇ ସାରିଲୁଣି ଓ କବାଟ କିଳି ଘରେ ଲୁଚିଛୁ। କିନ୍ତୁ କୁଟୁମ୍ବର ଅନ୍ୟ ସଦସ୍ୟମାନଙ୍କ ତୁଳନାରେ ପ୍ରକୃତିର ସତେ ଯେମିତି ଆମ ପ୍ରତି ଏକ ବିଶେଷ ବିଦ୍ବେଷ ରହିଛି, ସେଇ ଭଳି ଠିକ୍ ଏଇ ଭଳି ଏକ ଅସହାୟ ସମୟରେ ହିଁ ଦକ୍ଷିଣ ଏସିଆସ୍ଥ ଆମ ଅଞ୍ଚଳକୁ ‘ଅମ୍ଫାନ୍’ ଭଳି ଏକ ଘୂର୍ଣ୍ଣିବାତ୍ୟା ପଠାଇଛି, ଯାହା କେବଳ ଏକ ସାଧାରଣ ଘୂର୍ଣ୍ଣିବାତ୍ୟା ମଧ୍ୟ ନୁହେଁ, ବିଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଏକ ‘ସୁପର୍ ସାଇକ୍ଲୋନ୍‌’ର ରୁଦ୍ର ମୂର୍ତ୍ତି ଧାରଣ କରିଥିବା ବାତ୍ୟା ମଧ୍ୟ।

ଖୋଦ୍ ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ୍’ ବୋଧହୁଏ ପ୍ରକୃତିର ଏଭଳି ଅବିଚାର ହୃଦୟଙ୍ଗମ କରି ପାରିଲା କି କ’ଣ, ସେ ତା’ର ‘ସୁପର୍ ସାଇକ୍ଲୋନ୍’ ଅବତାରର ବାଧ୍ୟତାମୂଳକ ତାଣ୍ଡବ ନୃତ୍ୟ ପାଇଁ ଭୂଇଁକୁ ମଞ୍ଚ ରୂପେ ବ୍ୟବହାର ନ କରି, ସମୁଦ୍ର ବକ୍ଷରେ ହିଁ ତାହା ସମାପ୍ତ କରି ଅପେକ୍ଷାକୃତ କମ୍ କରାଳ ମୂର୍ତ୍ତି ଧରି ଭୂଭାଗ ଦିଗରେ ଅଗ୍ରସର ହେଲା। ଏହି ଘୂର୍ଣ୍ଣିବାତ୍ୟା ଦ୍ବାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା ତିନି ଅଞ୍ଚଳ- ବାଂଲାଦେଶ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରୁ ଅତୀତରେ ଏଭଳି ବିପର୍ଯ୍ୟୟର ମୁକାବିଲା କରିବାରେ ଯିଏ ସର୍ବାଧିକ ଦକ୍ଷତା ପ୍ରଦର୍ଶନ କରି ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଛି, ସେ ହେଉଛି ଓଡ଼ିଶା। କିନ୍ତୁ ‘ଅମ୍ଫାନ୍’ ଆଗମନର ସମୟ ଏଭଳି ଯେ ଓଡ଼ିଶାର ପ୍ରମାଣିତ ଦକ୍ଷତା ପାଇଁ ମଧ୍ୟ ଏହା ଏକ ସମ୍ପୂର୍ଣ୍ଣ ଅପରିଚିତ ଆହ୍ବାନ ନେଇ ଉଭା ହୋଇଛି। ଏହାର କାରଣ ଅବଶ୍ୟ ହେଉଛି- କରୋନା। ଏଠାରେ ‘ଅମ୍ଫାନ୍’ର ଆବିର୍ଭାବ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରି ସାରିଲାଣି ଓ ବାଂଲାଦେଶରେ ୨୫,୦୦୦ ଟପି ସାରିଲାଣି। ‌ଓଡ଼ିଶାରେ ଏହି ସଂଖ୍ୟା ଏକ ହଜାର ଟପିବା ତୁଳନାତ୍ମକ ଭାବରେ ଅପେକ୍ଷାକୃତ ହାଲୁକା ମନେ ହୋଇପାରୁଥାଏ। ପ୍ରକୃତ କଥା କିନ୍ତୁ ତାହ‌ା ନୁହେଁ। ଓଡ଼ିଶା ସରକାର ଏହି ସଂଖ୍ୟାକୁ ସୀମିତ କରିବା ପାଇଁ ନିଜର ପ୍ରାୟ ସମସ୍ତ ଶକ୍ତି, ସାମର୍ଥ୍ୟ ବିନିଯୋଗ କରି ଯେଉଁ ଭଳି ସମ‌େୟାଚିତ ପଦକ୍ଷେପମାନ ନେଇଛନ୍ତି, ତାହା ସାରା ଦେଶ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃ‌ଷ୍ଟି କରିଛି। ସର୍ବପ୍ରଥମେ ଲକ୍‌ଡାଉନ୍ ଘୋଷଣା, ସହାୟତା ବଣ୍ଟନରୁ ଉତ୍ସର୍ଗୀକୃତ କୋଭିଡ୍ ହସ୍‌ପିଟାଲ୍‌ମାନ ସ୍ଥାପନ ପର୍ଯ୍ୟନ୍ତ ଏହି ଉଦ୍ୟମର ଅନ୍ତର୍ଭୁକ୍ତ। ସେତିକି ନୁହେଁ, ଅନ୍ୟ ରାଜ୍ୟରେ ଜୀବିକା ଅର୍ଜନ କରୁଥିବା ଅବସ୍ଥାରେ ଲକ୍‌ଡାଉନ୍‌ଜନିତ ଅସହାୟ ଅବସ୍ଥାର ସମ୍ମୁଖୀନ ହୋଇଥିବା ନିଜର ରାଜ୍ୟବାସୀ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବାର ବନ୍ଦୋବସ୍ତ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।

ଏହି ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ଆରମ୍ଭ ହେବା ପରେ କିନ୍ତୁ ଯେଉଁ ସବୁ ଅଭାବିତ ସମସ୍ୟା ମାନ ମୁଣ୍ଡ ଟେକିବାକୁ ଆରମ୍ଭ କଲେ, ସରକାରଙ୍କର ସମସ୍ତ ଶକ୍ତି ସାମର୍ଥ୍ୟ ତାହାର ସମାଧାନ କରିବାରେ ଲାଗି ପଡ଼ିବା ଦେଖାଯାଇଛି। ଲକ୍ଷ ଲକ୍ଷ ବିବ୍ରତ ଲୋକଙ୍କୁ ସପ୍ତାହ ସପ୍ତାହ ଧରି ସଙ୍ଗରୋଧ କେନ୍ଦ୍ରରେ ଅଟକ ରଖିବା ଯେଉଁ ଭଳି ଦୁରୂହ କାର୍ଯ୍ୟ, ସେମାନଙ୍କ ପ୍ରତି ପ୍ରକଟିତ ହେଉଥିବା ସ୍ଥାନୀୟ ବିରୋଧକୁ ପ୍ରଶମିତ କରିବା ମଧ୍ୟ ସେତିକି ଆୟସସାଧ୍ୟ। ସେମାନଙ୍କୁ ଠିକଣା ଭାବରେ ଖାଦ୍ୟ ପାନୀୟ ଆଦି ଯୋଗାଇ ସନ୍ତୁଷ୍ଟ କରିବା ମଧ୍ୟ ସେଇଭଳି କଷ୍ଟକର ପ୍ରମାଣିତ ହୋଇଛି। ଏ ସମସ୍ତ ମଧ୍ୟରେ ଯାହା ସର୍ବାଗ୍ରେ ଧ୍ୟେୟ ହୋଇ ରହିଛି, ତାହା ହେଲା- ସଂକ୍ରମଣକୁ ବ୍ୟାପିବାକୁ ନ ଦେବା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଓଡ଼ିଶାରେ ନିକଟରେ ଦେଖାଦେଇଥିବା ପ୍ରାୟ ସମସ୍ତ ସଂକ୍ରମଣ ବହିରାଗତମାନଙ୍କ ଦ୍ବାରା ହିଁ ଘଟିବା ଦେଖାଯାଇଛି। ଠିକ୍ ଏହି ସମୟରେ ‘ଅମ୍ଫାନ୍‌’ର ଆଗମନ ଯେଉଁ ନୂତନ ଆହ୍ବାନ ସୃଷ୍ଟି କରିଛି, ତାହାର ମୁକାବିଲା ପାଇଁ ଆବଶ୍ୟକ ପ୍ରଥମ ପଦକ୍ଷେପ ହିଁ ହେଉଛି କରୋନା ମୁକାବିଲା ପାଇଁ ଅନୁସୃତ ରଣକୌଶଳର ଠିକ୍ ବିପରୀତ। ତାହା ହେଉଛି ସମ୍ଭାବ୍ୟ ପ୍ରଭାବିତ ବାସିନ୍ଦାମାନଙ୍କୁ ତୁରନ୍ତ ନିରାପଦ ଆଶ୍ରୟସ୍ଥଳୀମାନଙ୍କୁ ସ୍ଥାନାନ୍ତର। ଗତବର୍ଷ ‘ଫନି’ ସମୟରେ ଏହି କାର୍ଯ୍ୟର ସୁଚାରୁ ସମ୍ପାଦନ ହିଁ ଓଡ଼ିଶା ସରକାରଙ୍କ ପାଇଁ ଆନ୍ତର୍ଜାତିକ ପ୍ରଶଂସା ଆଣି ଦେଇଥିଲା। କହିବା ବାହୁଲ୍ୟ, ଲୋକମାନଙ୍କୁ ଘରୁ ଉଠାଇ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ଠୁଳ କରିବା ହେଉଛି ସାମାଜିକ ଦୂରତା ରକ୍ଷାର ସମ୍ପୂର୍ଣ୍ଣ ପରିପନ୍ଥୀ। କିନ୍ତୁ କରୋନା ଏକ ସମ୍ଭାବ୍ୟ ବିପଦ ହୋଇଥିବା ବେଳେ ବାତ୍ୟା ହେଉଛି ଏକ ନିଶ୍ଚିତ ବିପଦ। ଏଣୁ ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ବ୍ୟତୀତ ଅନ୍ୟ କୌଣସି ଚାରା ନାହିଁ।

ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ଏଥର ମଧ୍ୟ ସବୁ ବାଧାବିଘ୍ନ ସତ୍ତ୍ବେ ଏ କାର୍ଯ୍ୟ ଦକ୍ଷତାର ସହ ସମ୍ପାଦନ କରିଛନ୍ତି। ଏହା ଲେଖା ହେବା ବେଳକୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଏଭଳି ସୁରକ୍ଷିତ କରାଯାଇ ସାରିଛି। ନିଷ୍ଠୁର ପ୍ରକୃତି ସହିତ ମୁକାବିଲା କରିବାର ଅନ୍ୟ କୌଣସି ଉପାୟ ନଥିବାରୁ ଆମେ ସେଇ ନିଷ୍ଠୁର ଈଶ୍ବରଙ୍କୁ ତଥାପି ପ୍ରାର୍ଥନା କରିବା, ଯେପରି ବାତ୍ୟାରୁ ଉଦ୍ଧାର ଗୋଷ୍ଠୀ ସଂକ୍ରମଣରେ ପରିଣତ ନହୁଏ।

ସମ୍ବନ୍ଧିତ ଖବର

Comments are closed.