ଜଳ ସଙ୍କଟ

0 158

ନିକଟରେ ଦକ୍ଷିଣ-ଆଫ୍ରିକାର ପ୍ରମୁଖ ସହର କେପ୍‌ଟାଉନ୍‌ର ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ସହରରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ପଡ଼ିଥିଲା। କୌଣସି ଦଙ୍ଗା ବା ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି କିମ୍ବା ବର୍ହିଶତ୍ରୁର ଆକ୍ରମଣ ଆଶଙ୍କାରେ ଏହା କରାଯାଇ ନଥିଲା। ସହରରେ ଦେଖା ଦେଇଥିବା ଉତ୍କଟ ଜଳ ସଂକଟ ଯୋଗୁ ଉଦ୍ଭବ ଅଭୂତପୂର୍ବ ସ୍ଥିତିର ମୁକାବିଲା ଲାଗି କର୍ତ୍ତୃପକ୍ଷଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଥିଲା। ୨୦୧୫ରୁ ପେ୍‌୍‌ଟାଉନ୍‌ରେ ଦେଖା ଦେଇଥିବା ଜଳାଭାବ ୨୦୧୮ ମାର୍ଚ୍ଚ ବେଳକୁ ଉତ୍କଟ ରୂପ ଧାରଣ କରିଥିଲା। ସହରକୁ ପାନୀୟ ଜଳ ଯୋଗାଣ ଆବଶ୍ୟକତାର ଅଧା ସୁଦ୍ଧା ମେଣ୍ଟାଯାଇ ପାରୁ ନଥିଲା। ବିଶେଷଜ୍ଞମାନେ ସତର୍କ ବାଣୀ ଶୁଣାଇ ସାରିଥିଲେ ଯେ, ଏପ୍ରିଲ ବେଳକୁ ସହର ପାଇଁ ପାନୀୟ ଜଳର ସବୁ ଉତ୍ସ ଶୁଖି ‘ଶୂନ’ ସ୍ତରକୁ ଚାଲିଯିବ। ତେବେ, ପାନୀୟ ଜଳର ଉତ୍ସ ‘ଶୂନ’କୁ ଖସିବା ଯଦିଓ ଟଳିଯାଇଛି, ସହରରେ ପାଣି ପାଇଁ ହାହାକାର ଲାଗିରହିଛି। ‘ପାଣିର ରାସନ’ ଲାଗୁ କରାଯାଇଛି। ସାନି ଆକଳନ ଅନୁଯାୟୀ ଆସନ୍ତା ୨୦୧୯ ଏପ୍ରିଲ ବେଳକୁ ବିପର୍ଯ୍ୟୟର ଆଶଙ୍କା ରହିଛି। ସବୁ ଜଳ ଉତ୍ସ ‘ଶୂନ’କୁ ଖସିଲେ ପାଞ୍ଚଲକ୍ଷ ସହରବାସୀଙ୍କୁ ପାଣି ମୁନ୍ଦାଏ ସୁଦ୍ଧା ମିଳି ନପାରେ।

ସେପଟେ କେପ୍‌ଟାଉନ୍‌ରେ ପାନୀୟ ଜଳ ସଙ୍କଟ ନେଇ ସ୍ଥିତି ଗୁରୁତର ଥିଲା ବେଳେ ଏପଟେ ବିବିସି ପକ୍ଷରୁ ଏକ ରିପୋର୍ଟ ପ୍ରସାରିତ ହେଲା ଯେ ଭାରତର ସିଲିକନ୍‌ ଭେଲି -ବେଙ୍ଗାଲୁରୁ ମହାନଗରୀରେ ମଧ୍ୟ ସମତୁଲ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ରିପୋର୍ଟକୁ ଅତିରଞ୍ଜିତ ବୋଲି କହି କର୍ତ୍ତୃପକ୍ଷ ଏଡ଼ାଇ ଦେଇ ପାରିବେ ନାହିଁ। କାରଣ ଦେଶର ଆଇଟି ରାଜଧାନୀରେ ଏଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହେବାର ସବୁ ଅଶୁଭ ଲକ୍ଷଣ ସ୍ପଷ୍ଟ ଦେଖାଗଲାଣି। ପ୍ରାୟ ବର୍ଷତମାମ ଉତ୍କଟ ପାନୀୟ ଜଳସଙ୍କଟ ଲାଗି ରହୁଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ପାନୀୟ ଜଳ ଚାହିଦା ବୃଦ୍ଧି ଅନୁପାତରେ ଉପଲବ୍‌ଧ ଜଳ ପରିମାଣ ଯେଉଁ ହାରରେ ନିଅଣ୍ଟିଆ ହୋଇ ଚାଲିଛି,, ସେଥିରେ ଅଦୂର ଭବିଷ୍ୟତରେ ଉତ୍କଟ ଜଳସଙ୍କଟ ଜଳ ଜଳ ହୋଇ ଦିଶୁଛି। ତେବେ ବେଙ୍ଗାଲୁରୁରେ ଜଳ ସଙ୍କଟ କେପ୍‌ଟାଉନ୍‌ ଭଳି ଗୁରୁତର ହୋଇନାହିଁ। କିନ୍ତୁ ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଶୈଳନିବାସଙ୍କ ମଧ୍ୟରେ ରାଣୀ କୁହାଯାଉଥିବା ସିମଳାରେ ଗତ ମାସ କେପ୍‌୍‌ଟାଉନ୍‌ ଭଳି ପରିସ୍ଥିତିି ସୃଷ୍ଟି ହୋଇଥିଲା। ଉତ୍କଟ ଜଳାଭାବ କାରଣରୁ ଗ୍ରୀଷ୍ମ ଛୁଟି କଟାଇବାକୁ ଆସିଥିବା ପର୍ଯ୍ୟଟକକାନଙ୍କୁ ସିମଳା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଜାରି କରାଗଲା। ହୋଟେଲ୍‌ ଓ ଅନ୍ୟ ସବୁ ଅତିଥି ଭବନ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ବନ୍ଦ କରି ଦିଆଗଲା। ସେଠାରେ ଜଳାଭାବ ଜନିତ ସ୍ଥିିତି ଏବେବି ସ୍ୱାଭାବିକତାଠାରୁ ବହୁ ଦୂରରେ।

ଆଗାମୀ ଦିନରେ ଦେଶରେ ଆହୁରି ଅନେକ ସହରରେ ବେଙ୍ଗାଲୁରୁ ଓ ସିମଳା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ନିତି ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶରେ ଜଳାଭାବ ଜନିତ ସଙ୍କଟ ବେଶ୍‌ ଗୁରୁତର ଓ ନିକଟ ଭବିଷ୍ୟତରେ ଏହା ଆହୁରି ଗୁରୁତର ହେବାକୁ ଯାଉଛି। ନିତି ଆୟୋଗର ‘କମ୍ପ୍ରିହେନ୍‌ସିଭ୍‌ ଓ୍ଵାଟର ମ୍ୟାନେଜ୍‌ମେଣ୍ଟ ଇଣ୍ଡେକ୍ସ’ (ସିଡବ୍‌ଲ୍ୟୁଏମ୍‌ଆଇ) ଅନୁଯାୟୀ ଏବେ ଦେଶର ୬୦ କୋଟି ଲୋକ ବିଭିନ୍ନ ମାତ୍ରାରେ ଜଳାଭାବ ଜନିତ ଦୁର୍ଦଶା ଭୋଗୁଛନ୍ତି। ସେମାନଙ୍କ ଜୀବନ ଓ ଜୀବିକା ଏହାଦ୍ୱାରା ଗୁରୁତର ପ୍ରଭାବିତ। ବିଶୁଦ୍ଧ ଜଳର ଅଭାବ ଦେଶରେ ବାର୍ଷିକ ଦୁଇ ଲକ୍ଷ ଲୋକଙ୍କ ଜୀବନ ନେଉଛି। ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ ଜଳାଭାବ ଯୋଗୁ ଆଗାମୀ ଦିନରେ ଅଧିକ ସଂଖ୍ୟକ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବ। କାରଣ ୨୦୩୦ ବେଳକୁ ଦେଶରେ ମୋଟ ଯେତିକି ପାଣି ବ୍ୟବହାର ପାଇଁ ଉପଲବ୍‌ଧ ଥିବ, ସେ ତୁଳନାରେ ଚାହିଦା ଦୁଇଗୁଣ ରହିଥିବ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ଆକଳନ ଅନୁଯାୟୀ ୨୦୫୦ ବେଳକୁ ଦେଶର ମୋଟ ଜଳ ଚାହିଦା ୧,୧୮୦ ବିସିଏମ୍‌କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅଥଚ ବର୍ତ୍ତମାନ ଦେଶରେ ଉପଲବ୍‌ଧ ମୋଟ ଜଳର ପରିମାଣ ୬୯୫ ବିସିଏମ୍‌, ଯାହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଦେଶର ଜଳାଭାବର ଆଉ ଏକ ସୂଚକ ହେଲା, ୧୯୫୧ ଓ ୨୦୧୧ ମଧ୍ୟରେ ମୁଣ୍ଡପିଛା ଉପଲବ୍‌ଧ ଜଳର ପରିମାଣରେ ୬୦ ପ୍ରତିଶତ ହ୍ରାସ ପାଇଛି। ୧୯୫୧ରେ ମିଣ୍ଡପିଛା ଉପଲବ୍‌ଧ ଜଳର ପରିମାଣ ୫୧୭୭ ଘନମିଟର ଥିଲା। ୨୦୧୧ ବେଳକୁ ତାହା ୧୫୪୫ ଘନ ମିଟରକୁ ହ୍ରାସ ପାଇଛି। ନିତି ଆୟୋଗ ରିପୋର୍ଟରେ ଆହୁରି ଏମିତି କିଛି ଚିନ୍ତାଜନକ ତଥ୍ୟ ମଧ୍ୟ ରହିଛି, ଯାହା ଜଳ ସଙ୍କଟର ଦାରୁଣ ଚିତ୍ରକୁ ଅଧିକ ସ୍ପଷ୍ଟ କରୁଛି। ଦେଶର ୭୫ ପ୍ରତିଶତ ପରିବାରଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏବେ ବି ଅପହଞ୍ଚ। ବିଡ଼ମ୍ବନା ହେଲା, ଗୋଟିଏ ପକ୍ଷରେ ଉପଲବ୍‌ଧ ଜଳର ପରିମାଣ କମି କମି ଚାଲିଛି, ଅଥଚ ଅନ୍ୟ ପକ୍ଷରେ ୭୦ ପ୍ରତିଶତ ଜଳ ବିଭିନ୍ନ ମାତ୍ରାରେ ଦୂଷିତ ତଥା ସଂକ୍ରମିତ।

ନିତି ଆୟୋଗଙ୍କ ଏହି ରିପୋର୍ଟକୁ ଅତିରଞ୍ଜିତ ବୋଲି କହି ଏଡ଼ାଇ ଯିବା ଆତ୍ମଘାତୀ ହେବ। ଏଥିରୁ ବିପଦର ଘଣ୍ଟି ଶୁଣି ସଂକଟର ମୁକାବିଲା ପାଇଁ ଉଭୟ ପ୍ରତିକାର ଓ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ଜରୁରୀ। ଉଭୟ ସରକାର ଓ ଜନତାଙ୍କୁ ମିଳିତ ଭାବେ ଏହାର ସାମ୍‌ନା କରିବାକୁ ପଡ଼ିବ। ନିତି ଆୟୋଗ ରିପୋର୍ଟରେ ସଂକଟର ମୁକାବିଲା ପାଇଁ ଦକ୍ଷ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ଉପରେ ପ୍ରାଥମିକତା ଦିଆଯାଇଛି। ଏହା ଏକ ବାସ୍ତବତା। ଗୋଟିଏ ପକ୍ଷରେ ତିରୋଟ, ଅଥଚ ଅନ୍ୟପକ୍ଷରେ ଜଳର ଅପଚୟ ହେଉଛି। ଜଳ ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ଆମର ସାମୂହିକ ଉଦାସୀନତା ଏଥିପାଇଁ ଦାୟୀ। ନିତି ଆୟୋଗ ରିପୋର୍ଟ ଅନୁଯାୟୀ ଜଳ ପରିଚାଳନା କ୍ଷେତ୍ରରେ କେତେକ ରାଜ୍ୟର ସ୍ଥିତି ଅନ୍ୟ କେତେକ ରାଜ୍ୟଙ୍କଠାରୁ ଭଲ ଥିଲେ ସୁଦ୍ଧା ମୋଟାମୋଟି ଅବସ୍ଥା ସନ୍ତୋଷଜନକ ବୋଲି କୁହାଯାଇ ପାରିବ ନାହିଁ। ବିଶେଷକରି, ଯେଉଁ ରାଜ୍ୟଗୁଡ଼ିକ ଅଧିକ ଜନବହୁଳ ଏବଂ କୃଷି ଉତ୍ପାଦନରେ ସେମାନଙ୍କ ଅବଦାନ ଅଧିକ, ସେହି ସବୁ ରାଜ୍ୟ ଜଳ ପରିଚାଳନା କ୍ଷେତ୍ରରେ ସେତିକି ଅଧିକ ପଛୁଆ। ସବୁ ରାଜ୍ୟଙ୍କୁ ଜଳ ପରିଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। କିନ୍ତୁ ଅଧିକ ଜନ ବହୁଳ ଓ ଅଧିକ କୃଷି ଉତ୍ପାଦନକ୍ଷମ ରାଜ୍ୟମାନଙ୍କଠାରୁ ଏ କ୍ଷେତ୍ରରେ ଅଧିକ ଦକ୍ଷତା ଆଶା କରାଯାଏ। ଜଳ ସଙ୍କଟର ମୁକାବିଲା ପାଇଁ କୃଷିରେ ଜଳ ପରିଚାଳନା ସର୍ବାଧିକ ଗୁରୁତ୍ୱର ଅପେକ୍ଷା ରଖୁଛି।

ଚୀନ୍‌, ଆମେରିକା ଆଦି ଦେଶରେ କୃଷି ପାଇଁ ଯେତିକି ପାଣି ଖର୍ଚ୍ଚ ହୁଏ, ଭାରତରେ ତା’ର ଦୁଇରୁ ତିନିଗୁଣ ଅଧିକ ଜଳ ଖର୍ଚ୍ଚ ହୋଇଥାଏ। ପଞ୍ଜାବରେ ଗୋଟିଏ କିଲୋଗ୍ରାମ ଧାନ ଉତ୍ପାଦନ ପାଇଁ ପ୍ରାୟ ୫୦୦୦ ଲିଟର ପାଣି ଦରକାର ହୁଏ। କିନ୍ତୁ ଧାନ ଚାଷ ହେଉଥିବା ପୂର୍ବ ଏସୀୟ ଦେଶ ମାନଙ୍କରେ ଏଥିରୁ ଅଧା ପାଣି ବି ଧାନ ଲାଗି ବିନିଯୋଗ ହୁଏ ନାହିଁ। ଭାରତରେ ପାଣି ଅଧିକ ଖର୍ଚ୍ଚ, ଅଥଚ ଉତ୍ପାଦନ କମ୍‌। ଉନ୍ନତ ଚାଷ ପ୍ରଣାଳୀ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା କମ୍‌ ପାଣିରେ ଅଧିକ କୃଷି ଉତ୍ପାଦନ ସମ୍ଭବ। ‘ମୋର୍‌ କ୍ରପ୍‌ ପର୍‌ ଡ୍ରପ୍‌’ କେବଳ ସ୍ଲୋଗାନ୍‌ରେ ସୀମିତ ନ ରହି, କ୍ଷେତ୍ର ସ୍ତରରେ ଏହାର କାର୍ଯ୍ୟକାରିତା ପ୍ରତି ଧ୍ୟାନ ଦିଆଯିବା ଜରୁରୀ। ଅବଶ୍ୟ, କେବଳ କୃଷି ନୁହେଁ, ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଜଳ ବିନିଯୋଗର ମିତବ୍ୟୟିତା ପାଇଁ ସୃଜନଶୀଳ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। ପୌରାଞ୍ଚଳରେ ମଧ୍ୟ ପାନୀୟ ଜଳର ଅଯଥା ଅପଚୟକୁ ରୋକିବା ଲାଗି ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଲୋଡ଼ା। ଜଳ ଯେ ଜୀବନ; ଏ ବିଷୟ ପ୍ରତି ଜନତା, ସରକାର, ନୀତି ନିର୍ଦ୍ଧାରକ ଓ ସାଧାରଣ ଜନତା ଆଦି ସମସ୍ତେ ସଚେତନ ରହି ଜଳ ସଙ୍କଟର ସଫଳ ମୁକାବିଲା କରିବା ଉଚିତ। ଏହା ସହଜ ନ ହେଲେ ମଧ୍ୟ ଅସମ୍ଭବ ନୁହେଁ। ନିତି ଆୟୋଗ ସଂକଟର ଚିତ୍ର ସ୍ପଷ୍ଟ ଆଙ୍କିଛନ୍ତି। ଏବେ ଏହାର ମୁକାବିଲା ପାଇଁ ସବୁ ପକ୍ଷଙ୍କ ସହ ପରାମର୍ଶ କରି ନକ୍ସା ପ୍ରସ୍ତୁତ ହେଉ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.