ମୁଦ୍ରା ମୋହ

0 125

‘‘ଶ୍ଳୋକାର୍ଧେନ ପ୍ରବକ୍ଷାମି ୟଦୁକ୍ତମ୍‌ ଗ୍ରନ୍ଥକୋଟିଭିଃ/ବ୍ରହ୍ମ ସତ୍ୟମ୍‌ ଜଗନ୍ମିଥ୍ୟା ଜୀବୋ ବ୍ରହ୍ମୈବ ନାପରଃ।’’ ଆଚାର୍ଯ୍ୟ ଶଙ୍କର ସମଗ୍ର ଅଦ୍ୱୈତ ବେଦାନ୍ତ ଦର୍ଶନକୁ ମାତ୍ର ଗୋଟିଏ ଶ୍ଳୋକର ଅଧାଖଣ୍ଡରେ ଧରି ରଖା ଯାଇ ପାରିବ ବୋଲି ଦାବି କରିଥିବା ଉପରୋକ୍ତ ଘୋଷଣାର ଅର୍ଥ ହେଲା, ‘‘କୋଟି କୋଟି ଗ୍ରନ୍ଥରେ ଯାହା କୁହାଯାଇଛି, ତାହାକୁ ମୁଁ ମାତ୍ର ଅର୍ଧେକ ଶ୍ଳୋକରେ କହୁଛି, ବ୍ରହ୍ମ ହେଉଛି ଏକମାତ୍ର ସତ୍ୟ ଏବଂ ଏ ଜଗତ୍‌ ହେଉଛି ମିଥ୍ୟା ଏବଂ ଜୀବ ବ୍ରହ୍ମଠାରୁ ଅଲଗା ନୁହେଁ।’’ ସଂସାର ମାୟାରେ ଉବୁଟୁବୁ ହେଉଥିବା ବସ୍ତୁବାଦୀମାନଙ୍କ ପକ୍ଷରେ ବ୍ରହ୍ମ ପରି ଏକ ନିରାକାର ଧାରଣାକୁ ସତ ବୋଲି ମାନିବା ଏବଂ ଜଗତ୍‌ ପରି ଏକ ଛୁଇଁ ହେଉଥିବା, ଦେଖି ହେଉଥିବା ପାର୍ଥିବ ବସ୍ତୁକୁ ମିଥ୍ୟା ବୋଲି ସ୍ୱୀକାର କରିବା ଅସମ୍ଭବ ହୋଇଥାଏ। ବସ୍ତୁବାଦୀମାନେ ତେଣୁ ରହସ୍ୟ କରି ଶଙ୍କରଙ୍କ ଉକ୍ତିକୁ ଓଲଟାଇ ଦେଇ କହିଥାନ୍ତି: ଜଗତ୍‌ ସତ୍ୟମ୍‌ ବ୍ରହ୍ମ ମିଥ୍ୟା।

ନଗଦ ମୁଦ୍ରା ଓ ଡିଜିଟାଲ୍‌ ମୁଦ୍ରା ମଧ୍ୟରୁ କେଉଁଟି ବ୍ରହ୍ମ ଭଳି ନିରାକାର ଓ ଅପାର୍ଥିବ ଏବଂ କେଉଁଟି ଜଗତ୍‌ ଭଳି ପାର୍ଥିବ ଓ ସାକାର, ଏହା ସ୍ପଷ୍ଟ। ନଗଦ ମୁଦ୍ରା ପାର୍ଥିବ ଜଗତ୍‌ ଭଳି ସ୍ପର୍ଶଯୋଗ୍ୟ, ଦୃଶ୍ୟମାନ ହୋଇଥିବା ବେଳେ, ଡିଜିଟାଲ୍‌ ମୁଦ୍ରା ବ୍ରହ୍ମ ପରି ଏକ ଅଦୃଶ୍ୟ, ଅପାର୍ଥିବ ଧାରଣା ମାତ୍ର ବୋଲି କୁହାଯାଇପାରେ। ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ରାତିଅଧିଆ ବିମୁଦ୍ରୀକରଣ ଘୋଷଣା କରି ଦେଶରେ କାରବାର ହେଉଥିବା ୮୬ ଶତାଂଶ ନଗଦ ମୁଦ୍ରାକୁ ଅଚଳ କରିଦେଲେ, ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଏହା ଦ୍ୱାରା ଦେଶରୁ କଳାଧନ ଓ ଦୁର୍ନୀତି ଦୂର କରିବା। କିନ୍ତୁ ଯେତେବେଳେ ତାଙ୍କର ଚେତା ପଶିଲା ଯେ ଏ ଉଦ୍ଦେଶ୍ୟ ସାଧିତ ହେବାର କୌଣସି ସମ୍ଭାବନା ନାହିଁ, ସେତେବେଳେ ଭାରତର ପ୍ରାଚୀନ ସଂସ୍କୃତି ସହିତ ସୁପରିଚିତ ନରେନ୍ଦ୍ର ମୋଦୀଙ୍କର ବୋଧହୁଏ ଆଚାର୍ଯ୍ୟ ଶଙ୍କରଙ୍କର ଅଦ୍ୱୈତ ବେଦାନ୍ତ କଥା ମନେ ପଡ଼ିଗଲା ଓ ସେ ତୁରନ୍ତ ବିମୁଦ୍ରୀକରଣ କାହାଣୀର ମୋଡ଼ ବଦଳାଇ ଦେଇ ଦେଶବାସୀଙ୍କୁ ବ୍ରହ୍ମଜ୍ଞାନ ଦେବାକୁ ଆରମ୍ଭ କଲେ: ବ୍ରହ୍ମ ସତ୍ୟମ୍‌, ଜଗତ୍‌ ମିଥ୍ୟା- ଡିଜିଟାଲ୍‌ ସତ୍ୟମ୍‌, ନଗଦ ମିଥ୍ୟା! ମୋଦୀଙ୍କ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସିଧାସଳଖ ଘୋଷଣା କରିବା ଦେଖାଗଲା ଯେ ଭାରତ ହେଉଛି ଏକ ନଗଦ ବହୁଳ ଦେଶ ଏବଂ ଏଥିରେ ପରିବର୍ତ୍ତନ ଆଣିବା ହେଉଛି ବିମୁଦ୍ରୀକରଣର ଲକ୍ଷ୍ୟ। ସତେ ଯେମିତି ବସ୍ତୁବାଦୀ ଭାରତୀୟମାନଙ୍କୁ ବ୍ରହ୍ମମୁଖୀ କରିବା ଥିଲା ବିମୁଦ୍ରୀକରଣର ଅସଲ ଉଦ୍ଦେଶ୍ୟ।

କିନ୍ତୁ ବସ୍ତୁବାଦୀମାନଙ୍କୁ ବ୍ରହ୍ମମୁଖୀ କରିବା ସହଜ ନୁହେଁ। ସେମାନେ ଶଙ୍କରଙ୍କ ଉକ୍ତିକୁ ଓଲଟାଇ ଦେବା ପରି ଆଜିର ବସ୍ତୁବାଦୀ ଭାରତୀୟମାନେ ଏବେ ଯାହା ସାବ୍ୟସ୍ତ କରିବା ଦେଖାଯାଇଛି, ତାହା ହେଲା- ନଗଦ ସତ୍ୟମ୍‌, ଡିଜିଟାଲ୍‌ ମିଥ୍ୟା। ବିମୁଦ୍ରୀକରଣ ଘଟିବାର ପ୍ରାୟ ଦେଢ଼ ବର୍ଷ ପରର ଚିତ୍ର ଦେଖିଲେ ଏହା ହିଁ ସାବ୍ୟସ୍ତ ହୋଇଥାଏ। ଦେଢ଼ ବର୍ଷ ଏକ ଯଥେଷ୍ଟ ସମୟ ବ୍ୟବଧାନ ହୋଇଥିବାରୁ, ଏହାକୁ ଏକ ତରବରିଆ ଧାରଣା ବୋଲି କୁହାଯାଇ ପାରିବ ନାହିଁ। ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସୂତ୍ରରୁ ଉପଲବ୍‌ଧ ଦେଶରେ ମୁଦ୍ରା କାରବାର ସମ୍ପର୍କିତ ସୂଚନାକୁ ଆଧାର କରି ଅନୁଶୀଳନକାରୀମାନେ ଯେଉଁ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ତାହା ହେଲା ବିମୁଦ୍ରୀକରଣ ଭାରତୀୟ ମାନଙ୍କର ଦୀର୍ଘକାଳୀନ ମୁଦ୍ରାଭ୍ୟାସରେ ପରିବର୍ତ୍ତନ ଆଣିବାରେ ଆଦୌ ସଫଳ ହୋଇ ନାହିଁ, ଯଦିବା ବିମୁଦ୍ରୀକରଣ ଜନିତ ବାଧ୍ୟବାଧକତା ସେଥିରେ ସାମୟିକ ପରିବର୍ତ୍ତନ ଘଟାଇଥିଲା।

ନଗଦ ମୁଦ୍ରା ହେଉଛି ଗୋଟିଏ ଦେଶର ମୋଟ ମୁଦ୍ରା ଯୋଗାଣ ବା କୌଣସି ସମୟରେ ଉପଲବ୍‌ଧ ହେଉଥିବା ମୋଟ ମୁଦ୍ରା ପରିମାଣର ଏକ ଅଂଶ ମାତ୍ର। ନଗଦ ମୁଦ୍ରାର ସ୍ୱରୂପ ହେଉଛି ନୋଟ୍‌ ଏବଂ କଏନ୍‌। ଅର୍ଥଶାସ୍ତ୍ରରେ ଏହାର ସାଙ୍କେତିକ ନାମ ହେଉଛି- ଏମ୍‌ଜିରୋ। ଏହି ଏମ୍‌ଜିରୋ ହେଉଛି ଏମ୍‌୧ର ଅଂଶ ବିଶେଷ। ଏମ୍‌୧ରେ ଏମ୍‌ଜିରୋ ସହିତ ଆଉ ଯାହା ମିଶିଥାଏ, ତାହା ମଧ୍ୟରେ ଅଛି ବ୍ୟାଙ୍କ୍‌ମାନଙ୍କରେ ଥିବା ଚେକ୍‌ ବ୍ୟବହାର ଯୋଗ୍ୟ ଚଳନ୍ତି ଜମା, ଟ୍ରାଭେଲର୍ସ ଚେକ୍‌ ଇତ୍ୟାଦି। ଏମ୍‌୧ ହେଉଛି ଏମ୍‌୨ର ଅଂଶବିଶେଷ। ଏମ୍‌ ୨ରେ ଏମ୍‌ ୧ ସହିତ ଯୋଗ ହୋଇଥାଏ ସଞ୍ଚୟ ଜମା, ଜମା ସାର୍ଟିଫିକେଟ୍‌ ଇତ୍ୟାଦି ଯାହାକୁ ତରଳୀକୃତ କରି ଖର୍ଚ୍ଚ କରିବା ପାଇଁ ସାମାନ୍ୟ ଅଧିକ ସମୟ ଲାଗି ପାରେ। ଏମ୍‌ ୨ ହେଉଛି ଏମ୍‌ ୩ ର ଏକ ଅଂଶ। ଏମ୍‌ ୩ରେ ଆଉ ଯାହା ମିଶି କରି ଥାଏ, ତାହା ହେଲା ଦୀର୍ଘକାଳୀନ ଜମା ଆଦି ଯାହା ଏପରି ଜମାଟ ବାନ୍ଧିବା ଅବସ୍ଥାରେ ଥାଏ ଯେ ତାହା ତରଳିବାକୁ ଆଉଟିକେ ଅଧିକ ସମୟ ଲାଗେ। ଏମ୍‌ ୩ ତେଣୁ ହେଉଛି ତତ୍‌କ୍ଷଣାତ୍‌ ହେଉ କିମ୍ବା ବିଳମ୍ବରେ ହେଉ ଖର୍ଚ୍ଚ ହୋଇପାରୁଥିବା ଦେଶର ମୋଟ ମୁଦ୍ରାର ପରିମାଣ ଏବଂ ଏମ୍‌ଜିରୋ ହେଉଛି ଏହାର ସେଇ ଅଂଶ ଯାହା ତତ୍‌କ୍ଷଣାତ୍‌ ଖର୍ଚ୍ଚ ହୋଇପାରେ।

ଉପରୋକ୍ତ ଅନୁଶୀଳନରୁ ଜଣାପଡ଼ିଛି ଯେ ୨୦୧୨ ଜାନୁଆରି ଠାରୁ ଭାରତରେ ଏମ୍‌ଜିରୋ ଅର୍ଥାତ୍‌ କାରବାର ହେଉଥିବା ନଗଦ ମୁଦ୍ରାର ପରିମାଣ ପ୍ରାୟ ଏମ୍‌ ୩ ମୋଟ ପ୍ରଶସ୍ତ ମୁଦ୍ରା ପରିମାଣର ୧୪ ଶତାଂଶ ରହି ଆସିଛି। ବିମୁଦ୍ରୀକରଣ ଘଟିବାର ମାସକ ମଧ୍ୟରେ କିନ୍ତୁ ଏହି ଏମ୍‌ଜିରୋ/ଏମ୍‌ ୩ ଅନୁପାତରେ ଏକ ତୀବ୍ର ସ୍ଖଳନ ଘଟି ତାହା ୮ ଶତାଂଶ ହୋଇ ଯାଇଥିବା ଦେଖା ଯାଇଥିଲା। ଅଦ୍ୱୈତ ବେଦାନ୍ତବାଦୀମାନେ ଆଶା କରି ବସିଲେ ବୋଧହୁଏ ଶଙ୍କରଙ୍କ ‘ମୋହମୁଦ୍‌ଗର’ ସ୍ତୋତ୍ର ଭଳି କାର୍ଯ୍ୟ କରି ମୋଦୀଙ୍କ ବିମୁଦ୍ରୀକରଣ ଭାରତୀୟମାନଙ୍କ ମୁଦ୍ରା ମୋହ ଭାଙ୍ଗିବା ପାଇଁ ଏକ ମୁଦ୍‌ଗର ସଦୃଶ କାର୍ଯ୍ୟ କରିଛି ଏବଂ ଏଣିକି ଏଥିଯୋଗୁଁ ଦେଶର ବିତ୍ତୀୟ ଅର୍ଥନୀତିରେ ଏମ୍‌ଜିରୋ/ଏମ୍‌୩ ଅନୁପାତ ଏହି ଭଳି ନୀଚା ରହି ଚାଲିବ। ଏମାନେ ଆଶା କରୁଥିଲେ ଯେ ଦେଶରେ ବିମୁଦ୍ରୀକରଣ ଯୋଗୁଁ ନଗଦ ମୁଦ୍ରା ଯୋଗାଣରେ ଘଟିଥିବା ସଂକୋଚନ ସମୟକ୍ରମେ ଦୂର ହୋଇଯିବା ପରେ ମଧ୍ୟ ଲୋକମାନେ ଆଉ ପୂର୍ବ ଭଳି ନଗଦ ମୁଦ୍ରା ବ୍ୟବହାର କରିବାକୁ ଚାହିଁବେ ନାହିଁ, ସେମାନଙ୍କର ଦୀର୍ଘକାଳୀନ ନଗଦ ଅଭ୍ୟାସରେ ପରିବର୍ତ୍ତନ ଘଟିବ। କିନ୍ତୁ ଅନୁଶୀଳନରୁ ଜଣାପଡ଼ିଛି ଯେ ୨୦୧୮ ମେ’ ମାସ ବେଳକୁ ଦେଶରେ ଏହି ଏମ୍‌ଜିରୋ/ଏମ୍‌ ୩ ଅନୁପାତ ପୁଣି ପୂର୍ବର ସେଇ ୧୪ ଶତାଂଶ ସ୍ତରକୁ ଫେରି ଆସିଛି। ଅର୍ଥାତ୍‌ ବିମୁଦ୍ରୀକରଣର ସାମୟିକ ବାଧ୍ୟବାଧକତା ଯୋଗୁଁ ଏହି ଅନୁପାତରେ ସ୍ଖଳନ ଘଟିଥିଲେ ହେଁ, ବିମୁଦ୍ରୀକରଣ ଭାରତୀୟମାନଙ୍କର ନଗଦ ମୁଦ୍ରା ପ୍ରତି ଥିବା ଦୀର୍ଘକାଳୀନ ଆଭିମୁଖ୍ୟରେ ଆଞ୍ଚ ଆଣି ପାରି ନାହିଁ।

ଏହାର ଅର୍ଥ ବିମୁଦ୍ରୀକରଣ ସରକାରଙ୍କର ସଂଶୋଧିତ ଲକ୍ଷ୍ୟ ପୂରଣ କରିବାରେ ମଧ୍ୟ ବିଫଳ ହୋଇଛି। ନରେନ୍ଦ୍ର ମୋଦୀ ଖୋଲାଖୋଲି ସ୍ୱୀକାର ନକଲେ ମଧ୍ୟ ବର୍ତ୍ତମାନ ମର୍ମେ ମର୍ମେ ଅନୁଭବ କରୁଥିବେ ଯେ ବିମୁଦ୍ରୀକରଣ ତାଙ୍କର ଏକ ମସ୍ତବଡ଼ ଭୁଲ୍‌ ହୋଇଛି। ଏକ ସୁସ୍ଥ ଅର୍ଥନୀତିକୁ ସେ ଯଦି ସାମୟିକ ଭାବରେ ଏପରି ଛୋଟା କରିଦେଇ ନଥାନ୍ତେ, ତେବେ ବର୍ତ୍ତମାନ ଅଭିବୃଦ୍ଧି ହାର ୧୦ ଶତାଂଶ ଛୁଇଁଥାନ୍ତା ଓ ତାଙ୍କୁ ୨୦୧୯ ନିର୍ବାଚନ ଏପରି ଭୟ ଦେଖାଇ ପାରୁ ନଥାନ୍ତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.