ବୋଝ ଖଲାସ

ତିନି ବର୍ଷ ତଳେ ବିଜେପି ସହ ମେଣ୍ଟ ବାନ୍ଧି କଶ୍ମୀରରେ ସରକାର ଗଠନ କରିବାର ୨୪ ଘଣ୍ଟା ନପୂରୁଣୁ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କଶ୍ମୀରରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇପାରିଥିବା ପାଇଁ ପାକିସ୍ତାନ ଏବଂ ଚରମପନ୍ଥୀମାନଙ୍କୁ କୃତଜ୍ଞତା ଜଣାଇ ପ୍ରଶଂସା କରିଥିଲେ। ସେଇ ୨୪ ଘଣ୍ଟା ଭିତରେ ମଧ୍ୟ ମୁଫ୍‌ତିଙ୍କ ଦଳ ‘ପିଡିପି’ ଫାଶୀ ପାଇଥିବା ଆତଙ୍କବାଦୀ ଆଫଜଲ୍‌ ଗୁରୁର ଦେହାବଶେଷ ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରଥମ ଓ ପ୍ରଧାନ ପରିଚୟ ହେଉଛି ଜାତୀୟତାବାଦ। ଶତ୍ରୁ ଦେଶ ପାକିସ୍ତାନ ଏବଂ ବିଚ୍ଛିନ୍ନତାବାଦୀ ଆଫ୍‌ଜଲ୍‌ ଗୁରୁ ପ୍ରତି ଏ ଭଳି ଆଭିମୁଖ୍ୟ ଭାରତୀୟ ଜାତୀୟତାବାଦର ସମ୍ପୂର୍ଣ୍ଣ ପରିପନ୍ଥୀ। ତେଣୁ ସେଇ ପ୍ରଥମ ଦିନରୁ ହିଁ ସାବ୍ୟସ୍ତ ହୋଇ ଯାଇଥିଲା ଯେ ବିଜେପି-ପିଡିପି ମେଣ୍ଟ ହେଉଛି ଏକ ସମ୍ପୂର୍ଣ୍ଣ ଅପ୍ରାକୃତିକ ମେଣ୍ଟ- ନିଆଁ ଓ ପାଣି ମଧ୍ୟରେ ମେଣ୍ଟ ବା ସାପ ଓ ନେଉଳ ମଧ୍ୟରେ ମେଣ୍ଟ ପରି।

ତେଣୁ ମଙ୍ଗଳବାର ଦିନ ଏହି ମେଣ୍ଟର ଅନ୍ତ ଘୋଷଣା ଦ୍ୱାରା କେହି ବି ଆଶ୍ଚର୍ଯ୍ୟ ହୋଇ ନଥିବେ; ବରଂ ସମସ୍ତେ ଏହା ଦ୍ୱାରା ଆଶ୍ୱସ୍ତ ହୋଇଥିବେ ଯେ ଏକ ଦିଶାହୀନ ମେଣ୍ଟର ଅବସାନ ଘଟିଲା। ଏହି ଉଭୟ ପକ୍ଷ ଯେଉଁ ଦୀର୍ଘ ତିନିବର୍ଷରୁ ଊର୍ଦ୍ଧ୍ୱ କାଳ ଏକତ୍ର ବାସ କରିପାରିଲେ, ତାହାର ଏକମାତ୍ର ଅଠାଳିଆ କାରଣ ହେଉଛି- କ୍ଷମତା ଲାଳସା, ଯେମିତି ଏବେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରେ ଦେଖାଯାଇଛି। ଏଠାରେ ଯାହା ଲକ୍ଷ୍ୟ କରିବା କଥା, ତାହା ହେଲା ବିଜେପି ହିଁ ମେଣ୍ଟରୁ ଓହରି ଯାଇ ଏହାର ଅନ୍ତ ଘଟାଇଛି। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ବିଜେପି ଯଦି ଏ ଭଳି କରି ନଥାନ୍ତା ତେବେ ମେଣ୍ଟ ପୂରା ପାଞ୍ଚବର୍ଷ କାର୍ଯ୍ୟ କରିଥାନ୍ତା। ବିଜେପି ଏହା ଦ୍ୱାରା କେବଳ ପ୍ରଦର୍ଶନ କରିଛି ଯେ ସେମାନେ ପିଡିପି ଅପେକ୍ଷା ଅଧିକ ଚତୁର ଏବଂ ପିଡିପି ଏଭଳି ଏକ ପଦକ୍ଷେପ ନେବା ପୂର୍ବରୁ ସେମାନେ ତାକୁ ଭକୁଆ ବନାଇ ଦେଇଛନ୍ତି।

ବିଜେପିର ତଥାକଥିତ କୌଶଳୀ ଗୋଟିଚାଳକମାନେ ଯେଉଁ କାରଣରୁ ପିଡିପି ଭଳି ଏକ ଜାତୀୟ ସ୍ୱାର୍ଥ ବିରୋଧୀ ଆଞ୍ଚଳିକ ଦଳ ସହିତ ହାତ ମିଳାଇଥାନ୍ତୁ ନା କାହିଁକି, ସମୟ ଉପସ୍ଥିତ ହୋଇସାରିଥିଲା ଯେତେବେଳେ ପିଡିପି ସହିତ ଗୋଟିଏ ଶଯ୍ୟାରେ ଶୟନ କରିବା ଆଉ ନିରାପଦ ହୁଅନ୍ତା ନାହିଁ। ବିଜେପିର ଗଡ଼ ରୂପେ ବିବେଚିତ ଜମ୍ମୁରେ ଲୋକମାନେ ବିଜେପି ଉପରେ ଘୋର ଅସନ୍ତୁଷ୍ଟ ହୋଇ ପଡୁଥିଲେ ଯେ କ୍ଷମତାରେ ରହିବା ପାଇଁ ଏହି ହିନ୍ଦୁ ଜାତୀୟତାବାଦୀ ଦଳ ପିଡିପି ନିକଟରେ ମେରୁଦଣ୍ଡ ବଙ୍କା କରି କରି ନିଜର ପ୍ରାକୃତିକ ଠାଣିକୁ ସମ୍ପୂର୍ଣ୍ଣ ହରାଇ ବସିଲାଣି। ଏହା ଦ୍ୱାରା କଶ୍ମୀର ପ୍ରସଙ୍ଗ ବିଜେପି ପାଇଁ ୨୦୧୯ ନିର୍ବାଚନରେ ଏକ ଅତ୍ୟନ୍ତ ମହଙ୍ଗା ବୋଝରେ ପରିଣତ ହେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଥିଲା। ବର୍ତ୍ତମାନ ବିଜେପି ନିର୍ବାଚନ ପ୍ରଚାର ଅଭିଯାନରେ ଦାବି କରିପାରିବ ଯେ ସେମାନେ ଜାତୀୟ ସ୍ୱାର୍ଥରକ୍ଷା କରିବା ପାଇଁ କଶ୍ମୀରରେ କ୍ଷମତା ତ୍ୟାଗ କରିବାକୁ ମଧ୍ୟ ପଛାଇ ନାହାନ୍ତି।

ଯଦିବା ପ୍ରଥମ ଦିନରୁ ହିଁ ବିଜେପି-ପିଡିପି ବିବାହ ଚେଙ୍ଗ ରାଶି- ବେଙ୍ଗ ରାଶି ମଧ୍ୟରେ ବିବାହ ଭଳି ପ୍ରତି ପଦକ୍ଷେପରେ ଝୁଣ୍ଟି ଝୁଣ୍ଟି ଚାଲିଥିଲା, ଯେଉଁ ଘଟଣା ଏ ସମ୍ପର୍କ ପାଇଁ ଶେଷରେ ଘାତକ ସାବ୍ୟସ୍ତ ହୋଇଛି ତାହା ହେଲା ପ୍ରାୟ ଦୁଇ ମାସ ତଳେ ଜମ୍ମୁର କାଠୁଆ ଠାରେ ଏକ ଆଠବର୍ଷ ବୟସର ଝିଅର ଧର୍ଷଣ ଓ ହତ୍ୟା ସମ୍ପର୍କିତ ଅଭିଯୋଗ। ମେଣ୍ଟ ସରକାରର ଜଣେ ବିଜେପି ମନ୍ତ୍ରୀ ଓ ଆଉଜଣେ ବିଜେପି ବିଧାୟକ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ସାହାଯ୍ୟ ସମର୍ଥନ ଯୋଗାଉଛନ୍ତି ବୋଲି ତୀବ୍ର ସମାଲୋଚନାକୁ ଏଡ଼ାଇବା ପାଇଁ ବିଜେପି ମନ୍ତ୍ରୀ ଲାଲ୍‌ ସିଂହ ଏବଂ ବିଧାୟକ ଚନ୍ଦର ପ୍ରକାଶଙ୍କୁ ବହିଷ୍କୃତ କରି ମେହବୁବା ମୁଫ୍‌ତିଙ୍କୁ କ୍ୟାବିନେଟ୍‌ର ପୁନର୍ଗଠନ କରିବାକୁ ସୁଯୋଗ ଦେଲା। ଏହାର ପରବର୍ତ୍ତୀ ସମୟରେ ଲାଲ୍‌ ସିଂହଙ୍କ ଆହ୍ଵାନ କ୍ରମେ ଯେଉଁ ସବୁ ଜନ ସମାବେଶ ଦେଖାଯିବାକୁ ଲାଗିଲା, ସେ ଗୁଡ଼ିକର ଆକାର ବିଶାଳ। ଲାଲ୍‌ ସିଂହ ଏହି ସମାବେଶମାନଙ୍କରେ ମୁଖ୍ୟତଃ ପିଡିପି ବିରୁଦ୍ଧରେ ବିଷୋଦ୍‌ଗାର କରୁଥିଲେ ମଧ୍ୟ, ତାଙ୍କ ପ୍ରତି ବିପୁଳ ଜନ ସମର୍ଥନ ଦେଖି ବିଜେପି ଛାନିଆଁ ହୋଇ ପଡ଼ିଛି। ଯଦି ଗୁଜବ ଅନୁସାରେ ଲାଲ୍‌ ସିଂହ ଏକ ଆଞ୍ଚଳିକ ଦଳ ଗଠନ କରନ୍ତି ତେବେ ସେଠାରେ ବିଜେପି ପାଦ ତଳୁ ମାଟି ଖସିଯିବ- କାରଣ ଜମ୍ମୁ ଅଞ୍ଚଳରେ ହିଁ ବିଜେପି ତାର ପ୍ରାୟ ସମସ୍ତ ନିର୍ବାଚନୀ ସଫଳତା ହାସଲ କରିଛି। ଲାଲ୍‌-ବିଦ୍ରୋହ ତାହା ନିଶ୍ଚିହ୍ନ କରିଦିଅନ୍ତା।

ବର୍ତ୍ତମାନ ବିଜେପି ନିର୍ବାଚନ ପ୍ରଚାର ସମୟରେ ଦାବି କରି ପାରିବ ଯେ ଜାତୀୟ ସ୍ୱାର୍ଥ ସୁରକ୍ଷା ପାଇଁ ସେମାନେ କ୍ଷମତା ପରିତ୍ୟାଗ କରିବାକୁ ପସନ୍ଦ କରିଛନ୍ତି। କେବଳ ଜମ୍ମୁର ଜନସାଧାରଣ ନୁହନ୍ତି, ସାରା ଦେଶବାସୀ ବିଗତ ତିନିବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ମେହବୁବା ମୁଫ୍‌ତି ବିଚ୍ଛିନ୍ନତାବାଦୀମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ପ୍ରଦର୍ଶନ କରିବା ଓ ତା ସତ୍ତ୍ୱେ ବିଜେପି ତାଙ୍କ ସହିତ ମିଶି ସରକାରରେ ରହିବା ନେଇ ଅତିଷ୍ଠ ହୋଇ ପଡ଼ିଥିଲେ। ଏବେ ବି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ରମ୍‌ଜାନ୍‌ ଅସ୍ତ୍ରବିରତିକୁ ଆତଙ୍କବାଦୀମାନେ ରକ୍ତରଂଜିତ କଲା ପରେ ମଧ୍ୟ ମେହବୁବା ଏହି ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟ କାଳ ଯାଏ ଜାରି ରହିବା ଚାହୁଁଥିଲେ। ସେ ମଧ୍ୟ ଆତଙ୍କବାଦୀମାନେ ହିଂସାକାଣ୍ଡମାନ ଘଟାଇ ଚାଲିଥିବା ବେଳେ ସେମାନଙ୍କ ସହିତ ସରକାର କଥାବାର୍ତ୍ତା କରିବା ଚାହିଁ ଆସିଛନ୍ତି। ମୋଟ ଉପରେ ବିଚ୍ଛିନ୍ନତାବାଦୀଙ୍କର ପ୍ରତିନିଧି ସାଜିଥିବା ମେହେବୁବା ମୁଫ୍‌ତିଙ୍କ ସହିତ ମିଶି ଆଉ ଅଧିକ କାଳ ଏକ ଅର୍ଥହୀନ ସରକାର ଚଳାଇବା ବିଜେପି ପାଇଁ ଆତ୍ମଘାତୀ ହୁଅନ୍ତା।

ଆଗକୁ ଆସୁଥିବା ଅମରନାଥ ଯାତ୍ରା ସମୟରେ ଯଦି କିଛି ଅଘଟଣ ଘଟନ୍ତା, ତେବେ ବିଜେପିକୁ ହିନ୍ଦୁମାନେ ଆଉ କ୍ଷମା ଦିଅନ୍ତେ ନାହିଁ। ଏବେ ପିଠିରୁ ମେହେବୁବା ବୋଝ ଓହ୍ଲାଇଯିବା ପରେ କେନ୍ଦ୍ର ସରକାର ଜମ୍ମୁକଶ୍ମୀରର ସୁଦକ୍ଷ ରାଜ୍ୟପାଳ ଏନ୍‌ ଏନ୍‌ ଭୋରାଙ୍କୁ ଯଦି ଯଥେଷ୍ଟ ସ୍ୱାଧୀନତା ଦିଏ, ସେ ଦୃଢ଼ ହସ୍ତରେ ଆତଙ୍କବାଦୀଙ୍କର ମୁକାବିଲା କରି ଅମରନାଥ ଯାତ୍ରୀଙ୍କୁ ସୁରକ୍ଷିତ ରଖିବାର ଅଧିକ ସମ୍ଭାବନା ରହିଛି। ତାଙ୍କ ଦ୍ୱାରା ମଧ୍ୟ ବହୁ ବିଳମ୍ବିତ ପଞ୍ଚାୟତ ଓ ଅନ୍ୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ମାନଙ୍କରେ ନିର୍ବାଚନ କରାଇ ନେଲେ ବିଜେପି ଜମ୍ମୁବାସୀମାନଙ୍କର ବିଶ୍ୱାସ ଫେରି ପାଇ ପାରେ। ସେହିପରି ମେହେବୁବା ବୋଝ ଉତୁରିଯିବା ପରେ କେନ୍ଦ୍ରର ବିଜେପି ସରକାର ସମ୍ବିଧାନର ୩୫ଏ ଧାରା ଉଚ୍ଛେଦ ସମ୍ପର୍କରେ ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ମାମଲାରେ ଅଧିକ ଖୋଲାଖୋଲି ଭାବେ ସମ୍ପୃକ୍ତ ହୋଇ ପାରିବ। ଏହି ଧାରା କଶ୍ମୀରକୁ ବସ୍ତୁତଃ ଦେଶ ଭିତରେ ଥାଇ ଏକ ବିଦେଶରେ ପରିଣତ କରିଆସିଛି। ଆସନ୍ତା ଅଗଷ୍ଟ ୬ରେ ଏ ମାମଲାର ଶୁଣାଣି ହେବ। ମୋଟ ଉପରେ ପିଡିପି ବୋଝ ଖଲାସ ପରେ ବିଜେପି କଶ୍ମୀରରେ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଅଧିକ ସକ୍ଷମ ହେବା ସହିତ ୨୦୧୯ ନିର୍ବାଚନର ସମ୍ମୁଖୀନ ହେବା ପାଇଁ ଅଧିକ ନୈତିକ ଶକ୍ତି ହାସଲ କରିବ।

ସମ୍ବନ୍ଧିତ ଖବର