ହକିର ନ୍ୟାଯ୍ୟ ହକ୍‌

0 78

ଭାରତୀୟ କ୍ରୀଡ଼ାର କିଂବଦନ୍ତି ପୁରୁଷ ଧ୍ୟାନଚାନ୍ଦ ଥିଲେ ହକିର ଯାଦୁକର। ୧୯୩୬ ବର୍ଲିନ୍‌ ଅଲିମ୍ପିକ୍‌ରେ ଏହି ଯାଦୁକରୀ ଖେଳାଳିଙ୍କ ଷ୍ଟିକ୍‌ରେ ହକିବଲ୍‌ ଏମିତି ଲାଖି ରହୁଥିଲା ଯେ, ତତ୍କାଳୀନ ଜର୍ମାନୀର ନାଜି ଶାସକ ହିଟଲରଙ୍କ ସନ୍ଦେହ ହୋଇଥିଲା ଧ୍ୟାନଚାନ୍ଦଙ୍କ ବାଙ୍କୁଲିବାଡ଼ିରେ କାଳେ ଅଠା ଲାଗି ଥାଇପାରେ। ସେଥିପାଇଁ ଧ୍ୟାନଚାନ୍ଦଙ୍କ ହକି ଷ୍ଟିକ୍‌କୁ ଜର୍ମାନ୍‌ ଏକଛତ୍ରବାଦୀ ନିଜେ ଯାଞ୍ଚ କରିଥିଲେ। ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ନୈପୁଣ୍ୟ ଯେମିତି ଏକ ଯାଦୁ ଥିଲା, ସେମିତି ବୋଧହୁଏ ହକି ନେଇ ଆଉ ଏକ ଯାଦୁ ହେଲା, ବହୁ ବର୍ଷ ଧରି ଭାରତୀୟମାନେ ବିଶ୍ୱାସ କରି ଆସିଛନ୍ତି, ହକି ହେଉଛି ଦେଶର ଜାତୀୟ ଖେଳ। ପିଢ଼ି ପରେ ପିଢ଼ି ଭାରତୀୟମାନେ ପାଠ୍ୟ ପୁସ୍ତକରେ ଏହା ପଢ଼ି ଆସୁଛନ୍ତି। ସାଧାରଣଜ୍ଞାନ ପରୀକ୍ଷାରେ ଦେଶର ଜାତୀୟ କୀଡ଼ା କ’ଣ ପ୍ରଶ୍ନର ଉତ୍ତରରେ ହକି ଲେଖିଲେ ପୂରା ନମ୍ବର ମଧ୍ୟ ମିଳୁଛି। କିନ୍ତୁ ବାସ୍ତବତା ହେଲା ସରକାରୀ ଭାବେ ହକିକୁ ବର୍ତ୍ତମାନ ସୁଦ୍ଧା ଜାତୀୟ ଖେଳର ଔପଚାରିକ ମାନ୍ୟତା ମିଳିନାହିଁ। ତେବେ ସରକାରୀ ଭାବେ ଆନୁଷ୍ଠାନିକ ମାନ୍ୟତା ମିଳୁ ନ ମିଳୁ ଦେଶବାସୀଙ୍କ ହୃଦୟରେ ହକି ଏତେ ବର୍ଷ ଧରି ଜାତୀୟ କ୍ରୀଡ଼ାର ସମ୍ମାନ ଓ ଶ୍ରଦ୍ଧା ପାଇ ଆସିବା ଆଦୌ ଅବାସ୍ତବ କିମ୍ବା ଅଯଥାର୍ଥ ନୁହେଁ।

ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ ବିଶ୍ୱ କ୍ରୀଡ଼ା ଜଗତ୍‌ରେ ଯଦି କୌଣସି ଗୋଟିଏ ଖେଳ ଭାରତକୁ ସବୁଠାରୁ ଅଧିକ ଗୌବରାଜ୍ଜ୍ୱଳ ପରିଚୟ ଦେଇଛି, ତେବେ ସେ ହେଉଛି ହକି। ଭାରତୀୟ ହକିର ସଫଳତାର କାହାଣୀ ଶୁଣିଲେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠେ। ଦିନ ଥିଲା, ଯେତେବେଳେ ଭାରତକୁ ଯଦି କୌଣସି ଖେଳରେ ଅଲିମ୍ପିକ୍‌ ପଦକ ମିଳୁଥିଲା କିମ୍ବା ପଦକର ଆଶା ରହୁଥିଲା, ତେବେ ତାହା ଥିଲା ହକି। ୧୯୦୦ରୁ ଆଜିପର୍ଯ୍ୟନ୍ତ ଅନୁଷ୍ଠିତ ୨୪ଟି ଅଲିମ୍ପିକ୍‌ରେ ଭାରତ ମୋଟ ୨୮ଟି ପଦକ ପାଇଛି। ସେଥିରୁ ୧୧ଟି କେବଳ ହକିରୁ ଆସିଛି। ଭାରତ ପାଇଥିବା ୯ଟି ଅଲିମ୍ପିକ୍‌ ସ୍ୱର୍ଣ୍ଣ ମଧ୍ୟରୁ ୮ଟି ହେଉଛି ହକିରେ ମିଳିଥିବା ସ୍ୱର୍ଣ୍ଣ ପଦକ। ସ୍ୱର୍ଣ୍ଣ, ରଜତ, କାଂସ୍ୟ ମିଶାଇ ୧୧ଟି ଅଲିମ୍ପିକ୍‌ ପଦକ ବ୍ୟତୀତ ୧୯୭୫ ବିଶ୍ୱ କପ୍‌ରେ ବିଜେତା ହେବା ଭାରତୀୟ ହକିର ସ୍ୱର୍ଣ୍ଣିମ କାହାଣୀ ବୟାନ କରେ। ୧୯୨୮ରେ ପ୍ରଥମ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକଠାରୁ ଆରମ୍ଭ କରି ୧୯୮୦ ମସ୍କୋ ଅଲିମ୍ପିକ୍‌ରେ ଶେଷ ସ୍ୱର୍ଣ୍ଣ ପଦକ ପର୍ଯ୍ୟନ୍ତ ଲଗାତାର ଧାରାବାହିକ ଭାବେ ପଦକ ହାସଲ ସହ ବିଶ୍ୱ କପ୍‌ ସମେତ ପ୍ରାୟ ସବୁ ଆନ୍ତର୍ଜାତିକ ପ୍ରତିଯୋଗିତାର ସଫଳ ପ୍ରଦର୍ଶନର କ୍ରମ ଭାରତୀୟ କ୍ରୀଡ଼ା ଇତିହାସର ଏକ ଗୌରବୋଜ୍ଜ୍ୱ୍ଵଳ ଅଧ୍ୟାୟ। ବୋଧହୁଏ, ବେଶ୍‌ ଲମ୍ବା ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଭାରତର ରାଷ୍ଟ୍ରୀୟ ଗର୍ବ ଓ ଗୌରବର ଏକମାତ୍ର କିମ୍ବା ପ୍ରଧାନ ମାଧ୍ୟମ ହୋଇ ରହି ଆସିଥିବାରୁ ଔପଚାରିକ ସ୍ୱୀକୃତି ନ ଥିବା ସତ୍ତ୍ୱେ ଉଭୟ ସରକାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏହି ବିଶ୍ଵାସ ରହି ଆସିଛି ଯେ, ହକି ହେଉଛି ଦେଶର ଜାତୀୟ କ୍ରୀଡ଼ା।

ନଗଦ ଏବେ ସରକାରୀ ଭାବେ ହକିକୁ ଜାତୀୟ କ୍ରୀଡ଼ାର ମର୍ଯ୍ୟାଦା ପ୍ରଦାନର ଔପଚାରିକତା ପୂରଣ ଲାଗି ଦାବି ଉଠିଛି। ନିଶ୍ଚୟ ପ୍ରଶ୍ନ ଉଠିପାରେ ଯେ, ବିଗତ କିଛି ଦଶକ ହେଲା ଅବକ୍ଷୟର ସମ୍ମୁଖୀନ ହୋଇ ଦେଶରେ ହକି ଆଜି ଯେଉଁ ଅବସ୍ଥାରେ ଅଛି, ସେଥିରେ ଏହା କ’ଣ ଜାତୀୟ କ୍ରୀଡ଼ାର ମାନ୍ୟତା ପାଇଁ ଯୋଗ୍ୟ? କିନ୍ତୁ ଏହି ପ୍ରଶ୍ନ ଉଠାଯାଇ ଭାରତୀୟ କ୍ରୀଡ଼ା ଇତିହାସରେ ହକିର ସ୍ୱର୍ଣ୍ଣିମ ସ୍ଥାନ, ଦେଶର ସମ୍ମାନ ଓ ପ୍ରତିଷ୍ଠା ବଢ଼ାଇ ଭାରତୀୟ ଅସ୍ମିତା ଓ ରାଷ୍ଟ୍ରୀୟ ଗର୍ବ ବୃଦ୍ଧି ପାଇଁ ଏହି ଖେଳର ଅବଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ବର୍ତ୍ତମାନ ମଧ୍ୟ ବିଶ୍ୱରେ ଭାରତ ପୁରୁଷ ହକିରେ ଷଷ୍ଠ ଓ ମହିଳା ହକିରେ ଦଶମ ସ୍ଥାନରେ ରହିଛି। ହକିକୁ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠାନିକ ଭାବେ ସରକାରୀ ଭାବେ ଜାତୀୟ କ୍ରୀଡ଼ାର ମାନ୍ୟତା ନ ମିଳିବା ଖାଲି ଏକ ଐତିହାସିକ ଅନ୍ୟାୟ ନୁହେଁ, ଭାରତୀୟଙ୍କ ମଧ୍ୟରେ ହକି ନେଇ ରହିଥିବା ବିଶ୍ୱାସ ତଥା ଗୌରବପୂର୍ଣ୍ଣ ଭାବନା ପ୍ରତି ମଧ୍ୟ ଆଘାତ।

ଜାଣତରେ ହେଉ ଅବା ଅଜାଣତରେ ହକି ପ୍ରତି ହୋଇଥିବା ଏହି ଐତିହାସିକ ଅନ୍ୟାୟକୁ ସୁଧାରି ଖେଳକୁ ତା’ର ନ୍ୟାଯ୍ୟ ହକ୍‌ ପ୍ରଦାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର ଉଠାଇଛନ୍ତି। ଏହା ନିଶ୍ଚିତ ଭାବେ ନ୍ୟାୟୋଚିତ ଓ କ୍ଷମତାପ୍ରାପ୍ତ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୁବିଚାରର ଅପେକ୍ଷା ରଖେ। ଯେହେତୁ, ହକି ପାଇଁ ନ୍ୟାୟ ହାସଲ ସକାଶେ ଓଡ଼ିଶାରୁ ଉଠିଥିବା ଦାବି ଯଥାର୍ଥ, ସେଥିପାଇଁ ଦଳମତ ନିର୍ବିଶେଷରେ ସାରା ଦେଶରୁ ଏଥିପ୍ରତି ସମର୍ଥନ ମିଳିଛି। ହକି ପାଇଁ ଓଡ଼ିଶା ଶାସନ ମୁଖ୍ୟଙ୍କ ଅଭିଯାନକୁ ଆଦୌ ଆକସ୍ମିକ କିମ୍ବା ଅସ୍ୱାଭାବିକ ଅବା ଅପ୍ରାସଙ୍ଗିକ କୁହାଯାଇ ପାରିବ ନାହିଁ। ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ହକି ଦଳର ପାଞ୍ଚବର୍ଷ ପାଇଁ ପ୍ରାୟୋଜକର ଦାୟିତ୍ୱ ନେଇଛନ୍ତି। ଆଗାମୀ ହକି ବିଶ୍ୱ କପ୍‌ର ଆୟୋଜକ ମଧ୍ୟ ଓଡ଼ିଶା। ଏହାଛଡ଼ା ହକି ସହ ଓଡ଼ିଶାର ଏକ ଆବେଗିକ ସମ୍ପର୍କ ରହିଛି। ରାଜ୍ୟ ଲୋକସଂଖ୍ୟାର ଏକ ଚତୁର୍ଥାଂଶ ହେଲେ ଆଦିବାସୀ। ରାଜ୍ୟର କେତେକ ଆଦିବାସୀ ବହୁଳ ଜିଲ୍ଲାରେ ହକି ହେଉଛି ସାମାଜିକ ଜୀବନ, ସାଂସ୍କୃତିକ ପରମ୍ପରାର ଗୋଟିଏ ଅଂଶ। କେବଳ ସେତିକି ନୁହେଁ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଯଦି କୌଣସି ଗୋଟିଏ ଖେଳ ସବୁଠାରୁ ଅଧିକ ଗୌରବ ଆଣିଥାଏ ଓ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସଫଳତା ଓ ସ୍ୱୀକୃତି ଦେଇଥାଏ, ତେବେ ସେ ହେଉଛି ହକି। ୧୯୮୨ରେ ପ୍ରଥମେ ପିଟର ତିର୍କୀ ଜୁନିୟର ବିଶ୍ୱକପ୍‌ରେ ଭାରତର ପ୍ରତିନିଧିତ୍ୱ କଲା ପରେ ଆଜି ପର୍ଯ୍ୟନ୍ତ ୬୦ରୁ ଅଧିକ ଓଡ଼ିଆ ପୁଅ ଓ ଝିଅ ଆନ୍ତର୍ଜାତିକ ସ୍ତରରେ ହକିରେ ଭାରତର ପ୍ରତିନିଧିତ୍ୱ କଲେଣି। ଭାରତୀୟ ପୁରୁଷ ହକି ଦଳକୁ ଓଡ଼ିଶା ତିନିଟି ଅଧିନାୟକ- ଦିଲୀପ ତିର୍କି, ପ୍ରବୋଧ ତିର୍କି ଏବଂ ଇଗ୍ନେସଙ୍କୁ ଦେବା ସହ ମହିଳା ହକିରେ ମଧ୍ୟ ରାଜ୍ୟର ୩ ଝିଅ ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ ଓ ସୁନୀତା ଲାକ୍ରା ଭାରତୀୟ ଦଳର ଅଧିନାୟିକା ହେବାର ଗୌରବ ଅର୍ଜନ କରିଛନ୍ତି, ଯାହା ଓଡ଼ିଶା ହକିର ଗୌରବମୟ ଗାଥାକୁ ଅଧିକ ଉଜ୍ଜ୍ୱଳ କରେ।

ଭାରତୀୟ ହକିକୁ ଓଡ଼ିଶାର ଯେଉଁ ବଳିଷ୍ଠ ଅବଦାନ ରହିଆସିଛି, ତାହା ଏହି ଖେଳକୁ ନ୍ୟାଯ୍ୟ ମର୍ଯ୍ୟାଦା ପ୍ରଦାନ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ଉଠାଇଥିବା ସ୍ୱରକୁ ଯଥେଷ୍ଟ ଦୃଢ଼ତା ତଥା ବିଶ୍ୱସନୀୟତା ପ୍ରଦାନ କରୁଛି। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଭାରତୀୟ ହକିକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ପଞ୍ଜାବ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ମଣିପୁର ଆଦି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱର ମିଳାଇବା ଉଚିତ। ସମ୍ମିଳିତ ସ୍ୱର ଉଠିଲେ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ହୋଇଥିବା ନ୍ୟାଯ୍ୟ ହକ୍‌ ହକିକୁ ଅବଶ୍ୟ ମିଳିବ।

ଆଶା, ହକି ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ସୁଧାରି ଆସନ୍ତା ନଭେମ୍ବର ବିଶ୍ୱକପ୍‌ ପୂର୍ବରୁ କେନ୍ଦ୍ର ସରକାର ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ପ୍ରଦାନ ପୂର୍ବକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ଲାଗି ପଦକ୍ଷେପ ନେବେ। ଏହି ଆନୁଷ୍ଠାନିକ ସ୍ୱୀକୃତି ସଂପ୍ରତି ଅବକ୍ଷୟମୁଖୀ ହକି ପାଇଁ ତା’ର ହୃତ ଗୌରବ ଫେରାଇ ଆଣିବା ଦିଗରେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.