ଦୁର୍ନୀତି, ଠକେଇ ପ୍ରବଣ ବ୍ୟାଙ୍କିଂ

0 136

ବ୍ୟାଙ୍କ୍‌ ଠକେଇ କ୍ରମରେ ଆଉ ଏକ ବଡ଼ ଠକେଇ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ- ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରରେ ତିନି ହଜାର କୋଟି ଟଙ୍କାର ଠକେଇ ପଦାକୁ ଆସିଛି। ଏକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନି ସହ ସଲା ସୁତୁରାରେ ଜମାକାରୀ ଏବଂ ଅଂଶୀଦାରଙ୍କ ଧନ ଲୁଟ ଷଡ୍‌ଯନ୍ତ୍ରରେ ସଂପୃକ୍ତି ଅଭିଯୋଗରେ ବ୍ୟାଙ୍କ୍‌ର ବର୍ତ୍ତମାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଜଣେ ପୂର୍ବତନ ମୁଖ୍ୟଙ୍କ ସମେତ ଛଅ ଜଣଙ୍କୁ ଗିରଫ କରାଯାଇଛି। ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥା ଯେ ଉଦ୍‌ବେଗଜନକ ଭାବେ ଦୁର୍ନୀତି ଆକ୍ରାନ୍ତ ଏବଂ ଠକେଇ ପ୍ରବଣ ହୋଇ ପଡ଼ିଛି, ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରରେ ଘଟିଥିବା ଏହି ସଦ୍ୟତମ ଠକେଇ ତାର ଆଉ ଏକ ଦୁଃଖଦ ଉଦାହରଣ। ଗତ ବର୍ଷକ ମଧ୍ୟରେ ଠକେଇ ଓ ଜାଲିଆତି କାରବାରରେ ସମ୍ପୃକ୍ତି ଅଭିଯୋଗରେ ଛଅଟି ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ର ମୁଖ୍ୟ ଓ ତୁଙ୍ଗ ଅଧିକାରୀମାନଙ୍କୁ ଗିରଫ କରାଯାଇଛି କିମ୍ବା ସେମାନଙ୍କ ବିରୋଧରେ ତଦନ୍ତ ଚାଲିଛି।

ତଥାକଥିତ ଦୋରସ୍ତ ବ୍ୟାଙ୍କିଂ ବ୍ୟବସ୍ଥା ସତ୍ତ୍ୱେ ଠକେଇ ଘଟଣା କେମିତି ଲଗାତାର ବଢ଼ି ଚାଲିଛି, ତାହା ପ୍ରତିଫଳିତ ହୋଇଛି ନିକଟରେ ପ୍ରକାଶିତ ଭାରତୀୟ ରିଜର୍ଭବ୍ୟାଙ୍କ୍‌ (ଆର୍‌ବିଆଇ)ର ଏକ ରିପୋର୍ଟରେ। ଏହି ରିପୋର୍ଟ ଅନୁଯାୟୀ ଗତ ଗୋଟିଏ ଦଶକରେ ଦେଶରେ ଲକ୍ଷେରୁ ଅଧିକ ଟଙ୍କାର ବ୍ୟାଙ୍କ୍‌ ଠକେଇ ଘଟଣା ୧୪ ଗୁଣ ବୃଦ୍ଧି ପାଇଛି। ତା’ ସହ ଠକେଇରେ ହଡ଼ପ ଟଙ୍କାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ୨୦୦୯ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକରେ ୧,୩୧୮ କୋଟି ଟଙ୍କାର ଏବଂ ଘରୋଇ ବ୍ୟାଙ୍କ୍‌ଗୁଡ଼ିକରେ ଠକେଇ ହୋଇଥିବା ଟଙ୍କାର ପରିମାଣ ଥିଲା ୨୨୪ କୋଟି ଟଙ୍କା। କିନ୍ତୁ ୨୦୧୭-୧୮ ବେଳକୁ ଠକେଇ ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନେ ହରାଇଥିବା ଟଙ୍କାର ପରିମାଣ ୨୦,୦୪୦.୧୦ କୋଟି ଏବଂ ଘରୋଇ କ୍ଷେତ୍ରରେ ବ୍ୟାଙ୍କ୍‌ ମାନଙ୍କ କ୍ଷତିର ପରିମାଣ ୨,୪୨୯ କୋଟି ଟଙ୍କାରେ ପହଞ୍ଚିଛି। ଆଉ ଏକ ଆକଳନ ଅନୁଯାୟୀ ଗତ ପାଞ୍ଚବର୍ଷରେ ଲକ୍ଷେରୁ ଅଧିକ ଟଙ୍କାର ଠକେଇ ନେଇ ୨୩.୮୬୬ଟି ମାମଲା ପଞ୍ଜିକୃତ ହୋଇଛି। ଏହି ଘଟଣା ଗୁଡ଼ିକରେ ମୋଟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।

ଠକେଇ ଘଟଣାର ଏହି ବୃହତ୍‌ ସଂଖ୍ୟା ଏବଂ ହଡ଼ପ ହୋଇଥିବା ଟଙ୍କାର ବିପୁଳ ପରିମାଣ ସ୍ୱତଃ ବ୍ୟାଙ୍କିଂ ବ୍ୟବସ୍ଥାରେ ରହିଥିବା ଛିଦ୍ର ତଥା ପରିଚାଳନା କ୍ଷେତ୍ରରେ ଖାମଖିଆଲି ମନୋଭାବ ତଥା ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତ ଦୁଇ ବର୍ଷରେ ପଦାକୁ ଆସିଥିବା ଠକେଇ ଘଟଣାଗୁଡ଼ିକର ଯଦି ବିଶ୍ଳେଷଣ କରାଯାଏ, ତେବେ ଆମ ବ୍ୟାଙ୍କିଂ ବ୍ୟବସ୍ଥାକୁ ଆକ୍ରାନ୍ତ କରିଥିବା ଦୁଇଟି ବିଲକ୍ଷଣ ସ୍ପଷ୍ଟ ଜଣାପଡ଼େ। ଗୋଟିଏ, ବ୍ୟାଙ୍କିଂ ନିୟମରେ ନିଶ୍ଚିତ ଭାବେ କେଉଁଠି ନା କେଉଁଠି କିଛି ତ୍ରୁଟି-ବିଚ୍ୟୁତି ରହିଛି, ଯାହାର ଭରପୂର ଲାଭ କିଛି ଅସାଧୁ ଶିଳ୍ପପତି- ବ୍ୟବସାୟୀ ଉଠାଉଛନ୍ତି। ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଏହି ଅସାଧୁ କାରବାରରେ କିଛି ଦୁର୍ନୀତିଖୋର ବ୍ୟାଙ୍କ୍‌ କର୍ମଚାରୀଙ୍କ ସହଯୋଗ। ଯେତେବେଳେ ଅପରାଧିକ ଷଡ୍‌ଯନ୍ତ୍ରରେ ବ୍ୟାଙ୍କ୍‌ର ତୁଙ୍ଗ ଅଧିକାରୀମାନେ ସମ୍ପୃକ୍ତ, ସେତେବେଳେ ତଦାରଖ ବ୍ୟବସ୍ଥା ପ୍ରଭାବହୀନ ହୋଇ ଠକେଇ ହେବା ସ୍ୱାଭାବିକ। ହୀରା ବ୍ୟବସାୟୀ ନିରବ ମୋଦୀ ଦ୍ୱାରା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ରେ ହୋଇଥିବା ୧୨ ହଜାର କୋଟି ଟଙ୍କାର ଠକେଇ ଘଟଣାର ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଛି ଯେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୫୪ ଜଣ ଅଧିକାରୀ ଓ କର୍ମଚାରୀ ନିୟମାନୁଯାୟୀ ନିଜର କର୍ତ୍ତବ୍ୟ ସଂପାଦନ କରି ନାହାନ୍ତି। ନିୟମାନୁଯାୟୀ ବ୍ୟାଙ୍କ୍‌ କର୍ମଚାରୀଙ୍କ କର୍ତ୍ତବ୍ୟରେ ଖିଲାପ କିମ୍ବା ଆପରାଧିକ ସହଯୋଗ ସବୁ ଠକେଇର କାରଣ। ଏହାର ଅର୍ଥ ଠକେଇ, ଜାଲିଆତି ଓ ଅନ୍ୟ ଅସାଧୁ କାରବାର ରୋକିବା ଲାଗି ଯେଉଁ ବ୍ୟବସ୍ଥା ରହିଛି, ତାକୁ ବସ୍ତୁତଃ ଅକାମି କରି ଦିଆଯାଉଛି। ପ୍ରତ୍ୟେକ ବଡ଼ ଠକେଇ ପରେ ନିୟମ କଡ଼ା କରାଯିବା ସହ ତଦାରଖ ବ୍ୟବସ୍ଥାକୁ ଦୋରସ୍ତ କରାଯାଉଥିବା ଆଶ୍ୱାସନା ଦିଆଯାଏ, ଅଥଚ ଠକେଇ ଘଟଣା ନିୟମିତ ବ୍ୟବଧାନର ଶିରୋନାମାକୁ ଆସିବା ବନ୍ଦ ହୁଏନାହିଁ। ଚୋର ହାତରେଯଦି ଚାବି ରହେ, ତେବେ ଭଣ୍ଡାର ଘର ସୁରକ୍ଷିତ ରହିବ କେମିତି?

ଅବଶ୍ୟ, ସଂପ୍ରତି ଭାରତୀୟ ବ୍ୟାଙ୍କିଂ ଶିଳ୍ପରେ ଦେଖା ଦେଇଥିବା ସଂକଟ, ବିଶେଷ କରି ବ୍ୟବସ୍ଥାର ବିଶ୍ୱସନୀୟତା ନେଇ ସାଧାରଣ ଗ୍ରାହକଙ୍କ ମନରେ ଯେଉଁ ସଂଶୟ ସୃଷ୍ଟି ହୋଇଛି, ତା’ର ଏକମାତ୍ର କାରଣ କ୍ରମବର୍ଦ୍ଧିଷ୍ଣୁ ଠକେଇ ଘଟଣା ନୁହେଁ। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନାଦାୟ ଋଣର ପରିମାଣ (ଏନ୍‌ପିଏ), ବ୍ୟାଙ୍କ୍‌ଗୁଡ଼ିରେ ବଢ଼ି ବଢ଼ି ଚାଲିଥିବା କ୍ଷତି, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଦୋହଲାଇ ଦେଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନଙ୍କ ଅନାଦାୟ ଋଣ (ଏନ୍‌ପିଏ)ର ମୋଟ ପରିମାଣ ୯ ଲକ୍ଷ କୋଟି ଟଙ୍କାକୁ ଟପି ଯିବାକୁ ବସିଲାଣି। କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ କ୍ଷେତ୍ରରେ ତ ସେମାନେ ମୋଟ ଯେତିକି ଋଣ ଦେଇଛନ୍ତି, ତା’ର ଏକ ଚତୁର୍ଥାଂଶ ଆଦାୟ ହୋଇ ପାରୁନାହିଁ। ଅନାଦାୟ ଋଣର ବିଶାଳ ବୋଝରେ କେତେକ ବ୍ୟାଙ୍କ୍‌ ଏବେ ଦେବାଳିଆ ହେବାର ଦ୍ୱାର ଦେଶରେ। ବ୍ୟାଙ୍କ୍‌ ଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବା ଲାଗି ପୁନଃ-ପଞ୍ଜିକରଣ ଯୋଜନାରେ କେନ୍ଦ୍ର ସରକାର ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନଙ୍କୁ ୨୦୧୭-୧୮ରେ ପୁନଃ-ପୁଞ୍ଜିିକରଣ ବାବଦ ୯୦ ହଜାର କୋଟି ଟଙ୍କା ଦେଲେ। ତେବେ ବିଡ଼ମ୍ବନା ହେଲା, ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହ ଗୋଟିଏ ପଟେ ପୁନଃ-ପଞ୍ଜିକରଣ ବାବଦ ୯୦ ହଜାର କୋଟି ଟଙ୍କା ପାଇଲେ, ଅଥଚ ଅନ୍ୟ ପଟେ ଗତ(୨୦୧୭-୧୮) ବର୍ଷରେ ବ୍ୟାଙ୍କ୍‌ଗୁଡ଼ିକ ମିଳିତ ଭାବେ ୭୯,୦୦୦ କୋଟି ଟଙ୍କା କ୍ଷତି କରି ବୁଡ଼ାଇ ଦେଲେ। ଏଥିରେ ବ୍ୟାଙ୍କ୍‌ ଗୁଡ଼ିକର ଆର୍ଥିକ ଅବସ୍ଥା ସୁଧୁରିବ କେମିତି?

ଏବେ ଚିନ୍ତା କରାଯାଉଛି ଲଗାତାର କ୍ଷତି ସହୁଥିବା କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ର ମିଶ୍ରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆଇଡିବିଆଇ, ସେଣ୍ଟ୍ରାଲ ବ୍ୟାଙ୍କ୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା, ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସ ଆଦି ଚାରିଟି ବ୍ୟାଙ୍କ୍‌ର ମିଶ୍ରଣ କରି ଆଉ ଗୋଟିଏ ନୂଆ ବ୍ୟାଙ୍କ୍‌ ଗଠନର ପ୍ରସ୍ତାବ ରହିଛି। ତେବେ ଏ ପ୍ରକ୍ରିୟାର ସଫଳତା ନେଇ ବିଶେଷଜ୍ଞମାନେ ନିଶ୍ଚିତ ନୁହନ୍ତି। ସେମାନଙ୍କ ଆଶଙ୍କା, ଦୁଇଟି କୁକୁର ମିଶିଲେ ଯେମିତି ଗୋଟିଏ ବାଘ ହୋଇପାରିବ ନାହିଁ, ସେମିତି ଚାରିଟି ଦୁର୍ବଳ ବ୍ୟାଙ୍କ୍‌ର ମିଶ୍ରଣରେ ଗୋଟିଏ ସ୍ୱଚ୍ଛଳ ବ୍ୟାଙ୍କ୍‌ ଗଠନ ସମ୍ଭବ ନୁହେଁ। ଏହି ଚାରିଟି ବ୍ୟାଙ୍କ୍‌ର ମିଳିତ କ୍ଷତିର ପରିମାଣ ୨୨ ହଜାର କୋଟି ଟଙ୍କାରୁ ଅଧିକ। ଏହି କ୍ଷତିର ବୋଝ ନୂଆ ବ୍ୟାଙ୍କ୍‌୍‌କୁ ମଧ୍ୟ ଚାପରେ ରଖିବ।

ତେଣୁ ବ୍ୟାଙ୍କ୍‌ ମିଶ୍ରଣ କଥା ଚିନ୍ତା ପୂର୍ବରୁ ପ୍ରଥମେ ବ୍ୟାଙ୍କ୍‌ ଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରି ଶୃଙ୍ଖଳା ତଥା ପରିଚାଳନା ଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉ। ଠକେଇ ଘଟଣା ଓ ଏନ୍‌ପିଏ ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ନିୟମ ଓ ପ୍ରଭାବଶାଳୀ ତଦାରଖ ବ୍ୟବସ୍ଥା ସହ ସାମଗ୍ରିକ ଭାବେ ବ୍ୟାଙ୍କିଂ ବ୍ୟବସ୍ଥାର ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ। କିନ୍ତୁ ବ୍ୟବସ୍ଥାରେ ଯେତେ ସଂସ୍କାର ହେଲେ ସୁଦ୍ଧା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଚାରିତ୍ରିକ ସଂସ୍କାର ବିନା ଭାରତୀୟ ବ୍ୟାଙ୍କିଂ ଶିଳ୍ପ ଏ ସଙ୍କଟରୁ ମୁକୁଳିବା ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.