ମନ୍ତ୍ରୀଙ୍କ ନିଅଣ୍ଟିଆ ଦାୟିତ୍ୱବୋଧ

0 102

ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ପ୍ରଦୀପ କୁମାର ଅମାତ ମହୋଦୟ ଗତ ଶୁକ୍ରବାର ଦୁଇଟି ବିଧାନସଭା କମିଟିର ବୈଠକ ଡାକିଥିଲେ। ଗୋଟିଏ ଥିଲା ଆନ୍ତଃ-ରାଜ୍ୟ ସୀମା ବିବାଦ ସଂକ୍ରାନ୍ତ ଗୃହ କମିଟି ଏବଂ ଅନ୍ୟଟି ଥିଲା ଶକ୍ତି ସଂକ୍ରାନ୍ତ କମିଟି। ସାଂପ୍ରତିକ ପରିସ୍ଥିତିରେ କମିଟି ବୈଠକରେ ଆଲୋଚନାର ଅପେକ୍ଷା ରଖୁଥିବା ପ୍ରସଙ୍ଗ କିଛି କମ୍‌ ଗୁରୁତ୍ୱପୂର୍ଣ୍ଣ ନଥିଲା। ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ରାଜ୍ୟବାସୀଙ୍କ ଦୈନନ୍ଦିନ ସମସ୍ୟା ସହ ଯୋଡ଼ି ହୋଇଥିବା ଅନେକ ଜ୍ୱଳନ୍ତ ପ୍ରସଙ୍ଗ ଦୁଇ କମିଟିରେ ବ୍ୟାପକ ଆଲୋଚନାର ଅପେକ୍ଷା ରଖୁଥିଲା। ଆନ୍ତଃ-ରାଜ୍ୟ ସୀମା ବିବାଦ ପ୍ରସଙ୍ଗରେ ଗୃହ କମିଟିର ବୈଠକ ଏମିତି ଏକ ସମୟରେ ଆହୂତ ହୋଇଥିଲା, ଯେତେବେଳେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସହ ମହାନଦୀ ଜଳ ନେଇ ବିବାଦ ବାହାରେ ନୂଆ କରି ସୀମା ବିବାଦ ମଧ୍ୟ ମୁଣ୍ଡ ଟେକିଛି। ନୂଆପଡ଼ା ଜିଲ୍ଳା ନୂଆମାଲପଡ଼ା ଗ୍ରାମର କିଛି ଜମିକୁ ଛତିଶଗଡ଼ର ରାଜସ୍ୱ କର୍ତ୍ତୃପକ୍ଷ ତାଙ୍କ ରାଜ୍ୟର ବୁର୍ଜାବାହାଲ ଗ୍ରାମର କେତେକ ପରିବାରଙ୍କୁ ବାଣ୍ଟି ଦେବା ଫଳରେ ଦୁଇ ପକ୍ଷ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି। ପୁଣି ଗୋଟିଏ ଶିଳ୍ପ ପ୍ରକଳ୍ପ ପାଇଁ ଛତିଶଗଡ଼ ସରକାର ଅନଧିକାର ଭାବେ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଓଡ଼ିଶା ଅଞ୍ଚଳର କିଛି ଜମି ଅଧିଗ୍ରହଣ ସକାଶେ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି।

ଏହା ବ୍ୟତୀତ କୋରାପୁଟର କୁଟିଆ ଗ୍ରାମପୁଞ୍ଜ ସମେତ ବିଭିନ୍ନ ସୀମାନ୍ତବର୍ତ୍ତୀ ଜିଲ୍ଲାର ଶହେରୁ ଅଧିକ ଗ୍ରାମକୁ ନେଇ ପଡ଼ୋଶୀ ରାଜ୍ୟମାନଙ୍କ ସହ ଓଡ଼ିଶାର ବିବାଦ ବହୁବର୍ଷ ଧରି ରହିଆସିଛି। ଓଡ଼ିଶାର ଭାବଗତ ସଂହତି, ଏକତା ତଥା ରାଜ୍ୟର ଭୌଗୋଳିକ ଅଖଣ୍ଡତା ସହ ଯୋଡ଼ି ହୋଇଥିବା ଏ ପ୍ରସଙ୍ଗ ଉପରେ କମିଟିରେ ଆଲୋଚନା ହେବାର ଥିଲା। ଆଶା କରାଯାଉଥିଲା, କମିଟିରେ ଏ ନେଇ କିଛି ରଣକୌଶଳ ସ୍ଥିର ହେବ, ସରକାରଙ୍କୁ ଠିକ୍‌ ମାର୍ଗ ଦେଖାଇବ। ସେହିଭଳି ‘ବିଦ୍ୟୁତ୍‌ ବଳକା’ ବୋଲି ଦାବି କରାଯାଉଥିବା ଏକ ରାଜ୍ୟରେ ସଂପ୍ରତି ଅଘୋଷିତ ବିଦ୍ୟୁତ୍‌ କାଟ ଓ ବିଜୁଳି ବିଭ୍ରାଟ ଯୋଗୁ ରାଜ୍ୟବାସୀ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି। ଏହାର ମୁଖ୍ୟ କାରଣ ବହୁ ବର୍ଷ ଧରି ବଦଳାଯାଇ ନଥିବା ପୁରୁଣା ତାର ଓ ଟ୍ରାନ୍ସଫର୍ମର। ଏହି କାରଣରୁ ଘରୋଇ ଗ୍ର୍ରାହକଙ୍କୁ ବିଦ୍ୟୁତ୍‌ ଯୋଗାଣ ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ଫଳତଃ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକେ ହସ୍ତସନ୍ତ ହେଉଛନ୍ତି। ଆଶା କରାଯାଉଥିଲା ଶକ୍ତି କମିଟିର ବୈଠକରେ ଲୋକଙ୍କ ଏ ଦୁଃଖ ଆଲୋଚନାରେ ସ୍ଥାନିତ ହୋଇ ସେମାନଙ୍କୁ ବିଜୁଳି ଦୁର୍ଦଶାରୁ ନିସ୍ତାର ଦେବା ଲାଗି ସମାଧାନର କିଛି ରାସ୍ତା ବାହାରିବ।

ଦୁଇଟି ଯାକ କମିଟିର ବୈଠକ ବସିଲା, କିଛି ଆଲୋଚନା ମଧ୍ୟହେଲା। ତେବେ ଅତ୍ୟନ୍ତ ପରିତାପର ବିଷୟ ଯେ ସେ ଆଲୋଚନାକୁ କିନ୍ତୁ ଆଦୌ ଅର୍ଥପୂର୍ଣ୍ଣ କିମ୍ବା ଫଳପ୍ରଦ ବୋଲି କୁହାଯାଇ ପାରିବ ନାହିଁ। ଯଦି ସମ୍ପୃକ୍ତ ବିଭାଗ ଗୁଡ଼ିକର ଶାସନ ମୁଖ୍ୟ- ମନ୍ତ୍ରୀମାନେ କମିଟି ବୈଠକରେ ଯୋଗ ନ ଦିଅନ୍ତି, ତେବେ ଆଲୋଚନା ଅର୍ଥପୂର୍ଣ୍ଣ ଓ ଫଳପ୍ରଦ ହେବ କେମିତି,? ଶକ୍ତି କମିଟି ବୈଠକରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଆନ୍ତଃ-ରାଜ୍ୟ ସୀମା ବିବାଦ ସଂକ୍ରାନ୍ତ ଗୃହ କମିଟିରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉପସ୍ଥିତ ନଥିଲେ। ମନ୍ତ୍ରୀମାନେ କ’ଣ ଏମିତି ଅନ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ଥିଲେ ଯେ, ରାଜ୍ୟର ଭାବଗତ ସଂହତି ଓ ରାଜ୍ୟବାସୀଙ୍କ ଦୈନନ୍ଦିନ ଜୀବନର ସମସ୍ୟା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗ ଉପରେ ଆଲୋଚନା ଲାଗି କମିଟି ବୈଠକରେ ଯୋଗ ଦେବା ଉଚିତ ମଣିଲେ ନାହିଁ? କମିଟିରେ ଆଲୋଚନା ହୋଇଥିବ, କେତେକ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇ ଥାଇପାରେ; କିନ୍ତୁ ଆଲୋଚନାର ନିର୍ଯାସ ଓ ଗୃହୀତ ପ୍ରସ୍ତାବ ସବୁୁ କାର୍ଯ୍ୟକାରୀ କରିବା ଦାୟିତ୍ୱ କାହାର? ନିଶ୍ଚିତ ଭାବେ ସମ୍ପୃକ୍ତ ବିଭାଗଗୁଡ଼ିକର। କମିଟି ବେଠକରେ ବିଭାଗୀୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତି ସେମାନଙ୍କ ଦାୟିତ୍ୱବୋଧ ଉପରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେବଳ ସେମାନଙ୍କ ନିଅଣ୍ଟିଆ ଦାୟିତ୍ୱବୋଧ ପ୍ରତି ନୁହେଁ, ସଂସଦୀୟ ବ୍ୟବସ୍ଥା ତଥା ବିଧାନସଭା ପ୍ରତି ସେମାନଙ୍କ ସମ୍ମାନବୋଧର ଅଭାବ ପ୍ରତି ମଧ୍ୟ ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

Panda Mobile only

ଅପ୍ରୀତିକର ହେଲେ ସୁଦ୍ଧା ଏହା ଏକ ବାସ୍ତବତା ଯେ ସଂସଦୀୟ ଅନୁଷ୍ଠାନ ତଥା ସଂସଦୀୟ ପରମ୍ପରା ପ୍ରତି ରାଜନୈତିକ କାର୍ଯ୍ୟନିର୍ବାହୀ ମନ୍ତ୍ରୀମାନେ ଗୁରୁତ୍ୱ ଦେଉ ନାହାନ୍ତି। ସଂସଦୀୟ ବ୍ୟବସ୍ଥା ପ୍ରତି ବେଖାତିର ଭାବ ହିଁ ପ୍ରତିଫଳିତ ହୋଇଛି କମିଟିର ମନ୍ତ୍ରୀମାନଙ୍କ ଅନୁପସ୍ଥିତିରେ। ଏହା ଅନସ୍ୱୀକାର୍ଯ୍ୟ ଯେ, ଭାରତର ଗଣତାନ୍ତ୍ରିକ ସଂସଦୀୟ ବ୍ୟବସ୍ଥାରେ ପାର୍ଲାମେଣ୍ଟ ଏବଂ ବିଧାନସଭା କମିଟିଗୁଡ଼ିକର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କମିଟିଗୁଡ଼ିକ ବସ୍ତୁତଃ ସଂସଦ ଓ ବିଧାନସଭାର ଗୋଟିଏ ଗୋଟିଏ ଶାଖା ଓ ଅବିଚ୍ଛେଦ୍ୟ ଅଂଶ ବିଶେଷ। କମିଟିଗୁଡ଼ିକ ଆଇନ ପ୍ରଣୟନରେ ସଂସଦ ଓ ବିଧାନସଭାକୁ ସହାୟତା କରିବା ସହ କାର୍ଯ୍ୟନିର୍ବାହୀକୁ ବ୍ୟବସ୍ଥାପକ ସଭା ପ୍ରତି ଉତ୍ତରଦାୟୀ କରାଇବାରେ ବଳିଷ୍ଠ ଆୟୁଧ ଭାବେ କାର୍ଯ୍ୟ କରିଥାଏ। କମିଟିକୁ ଏଡ଼ାଇଯିବା ଅର୍ଥ ବିଧାନସଭା ଓ ସଂସଦକୁ ଏଡ଼ାଇଯିବା- ସଂସଦୀୟ ବ୍ୟବସ୍ଥା ପ୍ରତି ଅବଜ୍ଞା ଓ ଅସମ୍ମାନ। ଶୁକ୍ରବାର ବିଧାନସଭା କମିଟି ବୈଠକରେ ବିଭାଗୀୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତି ନେଇ ସରକାରୀ ଦଳର ମାନ୍ୟବର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯେଉଁ ସଫେଇ ଦେଇଛନ୍ତି, ତାହା ଆଦୌ ଗ୍ରହଣୀୟ ମନେ ହେଉନାହିଁ। ସେ କହିଛନ୍ତି ଯେ, କମିଟି ବୈଠକରେ ମନ୍ତ୍ରୀମାନଙ୍କ ଅନୁପସ୍ଥିତି ନୂଆ ନୁହେଁ। ପୂର୍ବରୁ ମଧ୍ୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତିରେ କମିଟି ବୈଠକ ବସି ଆଲୋଚନା ହୋଇଛି। ଏହା କିନ୍ତୁ ଏକ ସୁସ୍ଥ ପରମ୍ପରା ନୁହେଁ। ସଂସଦୀୟ ବ୍ୟବସ୍ଥା ପାଇଁ ଯାହା ଅଶୋଭନୀୟ, ଅକରଣୀୟ ଓ ଅସୁସ୍ଥ, ତାକୁ କ’ଣ ଆମେ ପ୍ରଥା, ପରମ୍ପରା ଆଳରେ ଗ୍ରହଣ କରିନେବା? ଭୁଲ୍‌କୁ ସୁଧାରିବା ନା ତାକୁ ଦୋହରାଇବା? ଏହି ଅସୁସ୍ଥ ଧାରା ଜାରି ରହିଲେ ସଂସଦୀୟ ବ୍ୟବସ୍ଥା ତଥା ବିଧାନସଭାର ମର୍ଯ୍ୟାଦା ଓ ଗରିମା କ୍ଷୁଣ୍ଣ ହେବ, ଯାହା ସଂସଦୀୟ ଗଣତନ୍ତ୍ର ପାଇଁ କଦାପି ଶୁଭଙ୍କର ନୁହେଁ।

ଅବଶ୍ୟ, ସଂସଦୀୟ ପରମ୍ପରା ଓ ବିଧାନସଭା ପ୍ରତି ସମ୍ମାନବୋଧ ଓ ଦାୟିତ୍ୱବୋଧର ଅଭାବ ଅଭିଯୋଗରେ ବୈଠକରେ ଅନୁପସ୍ଥିତ ମନ୍ତ୍ରୀମାନଙ୍କୁ କେବଳ କାଠଗଡ଼ାରେ ଠିଆକରାଯାଇ ପାରିବ ନାହିଁ। କମିଟି ବୈଠକର ଅନୁପସ୍ଥିତ ରହୁଥିବା ବହୁସଂଖ୍ୟକ ମାନ୍ୟବର ବିଧାୟକଗଣ ମଧ୍ୟ ଏହି ସମାନ ଅଭିଯୋଗରେ ଅଭିଯୁକ୍ତ। ଶୁକ୍ରବାର ଦିନ ଆହୂତ ବିଧାନସଭାର ଶକ୍ତି କମିଟି ବୈଠକରେ ୪୨ ଜଣଙ୍କ ମଧ୍ୟରୁ ମାତ୍ର ୧୪ ଜଣ ବିଧାୟକ ଉପସ୍ଥିତ ଥିଲେ। ଆନ୍ତଃ-ରାଜ୍ୟ ସୀମା ବିବାଦ ସଂକ୍ରାନ୍ତ ଗୃହ କମିଟି ବୈଠକରେ ୩୩ ଜଣଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଯୋଗ ଦେଇ ଥିଲେ। ଏତେ ବଡ଼ ସଂଖ୍ୟାରେ ବିଧାୟକଙ୍କ ଅନୁପସ୍ଥିତି ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଜନପ୍ରତିନିଧିମାନଙ୍କ ନିଅଣ୍ଟିଆ ସମ୍ମାନବୋଧର ବୟାନ କରେ। ଏ ପରିସ୍ଥିତିରେ ସଂସଦୀୟ କମିଟି ବ୍ୟବସ୍ଥା ନା ପ୍ରଭାବଶାଳୀ ହୋଇପାରିବ, ନା କାର୍ଯ୍ୟନିର୍ବାହୀଙ୍କୁ ଉତ୍ତରଦାୟୀ କରିବାରେ ଏହା ଏକ ପ୍ରଭାବଶାଳୀ ମାଧ୍ୟମର ଭୂମିକା ନିର୍ବାହ କରି ପାରିବ!

ଆଜି ଯଦି ସଂସଦୀୟ ବ୍ୟବସ୍ଥା ଅବକ୍ଷୟର ଶିକାର ହୋଇଛି, ତେବେ ତା’ର ଏକ ମୁଖ୍ୟ କାରଣ ଖୋଦ୍‌ ଜନପ୍ରତିନିଧି ମାନଙ୍କ ସଂସଦୀୟ ବ୍ୟବସ୍ଥା ତଥା ସଂସଦୀୟ ଅନୁଷ୍ଠାନ ଓ ପରମ୍ପରା ପ୍ରତି ବେଖାତିରପୂର୍ଣ୍ଣ ମନୋଭାବ। କେବଳ କମିଟି ନୁହେଁ, ବିଧାନସଭାରେ ମଧ୍ୟ ଅନେକ ସମୟରେ ମାନ୍ୟବର ବିଧାୟକମାନଙ୍କ ପତଳା ଉପସ୍ଥାନର ଚିତ୍ର ଦେଖିବାକୁ ମିଳେ। ଗତ ବିଧାନସଭା ଅଧିବେଶନରେ ଦେଖାଗଲା, ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ବିରୋଧୀ ଅପରାଧ, କୃଷି ଓ କୃଷକଙ୍କ ସମସ୍ୟା ନେଇ ଗୃହ ବାହାରେ ଅନେକ ଗରମାଗରମ ବୟାନବାଜି ଚାଲିଲା, ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ସ୍ୱତନ୍ତ୍ର ଆଲୋଚନା ଦାବିରେ ବିଧାନସଭା ହୁଲସ୍ତୁଲ ହେଲା, ଏପରିକି କିଛି ସମୟ ଧରି ଅଚଳାବସ୍ଥା ମଧ୍ୟ ଲାଗି ରହିଲା। କିନ୍ତୁ ଯେତେବେଳେ ଆଲୋଚନା ହେଲା, ଗୃହରେ ୨୫ରୁ ୩୦ ବିଧାୟକ ଓ ଦୁଇ କିମ୍ବା ତିନିଜଣ ମନ୍ତ୍ରୀ ଉପସ୍ଥିତ ଥିବା ଦେଖାଗଲା। ରାଜ୍ୟ ସ୍ୱାର୍ଥ ଓ ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗରେ ଏହା କ’ଣ ଆମ ମାନ୍ୟବର ଜନପ୍ରତିନିଧି ମାନଙ୍କର ଆନ୍ତରିକତା? ଜନପ୍ରତିନିଧି ଭାବେ ନିଜ ଦାୟିତ୍ୱ ପ୍ରତି ଏହା କ’ଣ ନିଷ୍ଠା? ଏ ଆଚରଣ କ’ଣ ଜନ ପ୍ରତିନିଧିଙ୍କ ଉପରେ ଜନତା ଜନାର୍ଦନ ରଖିଥିବା ବିଶ୍ୱାସର ଅନୁକୂଳ?

ସେ ମନ୍ତ୍ରୀ ହୁଅନ୍ତୁ ବା ବିଧାୟକ, ଜନପ୍ରତିନିଧିମାନଙ୍କ ମନୋଭାବରେ ସଂସଦୀୟ କର୍ତ୍ତବ୍ୟ ପ୍ରତି ନିଷ୍ଠା, ସଂସଦୀୟ ବ୍ୟବସ୍ଥା ପ୍ରତି ସମ୍ମାନବୋଧ ନ ରହିଲେ ଆମର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହୋଇ ପଡ଼ିବ। ଆଶା, ଜନପ୍ରତିନିଧିଙ୍କ ଆଭିମୁଖ୍ୟ ଓ ଆଚରଣରେ ସଂସଦୀୟ ବ୍ୟବସ୍ଥା-ଅନୁକୂଳ ପରିବର୍ତ୍ତନ ଆସିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.