ମୁକ୍ତିର ସ୍ୱାଦ

0 120

ମହାନ୍‌ ଦାର୍ଶନିକ ବଟ୍ରାଣ୍ଡ୍‌ ରସେଲ୍‌ ଓ ସାଉଦୀ ଆରବର ଧର୍ମଗୁରୁ ବା ମୁଲ୍ଲାମାନଙ୍କ ମଧ୍ୟରେ ବିଚାରରେ ଆକାଶ ପାତାଳ ଫରକ ଥିବା ସ୍ୱାଭାବିକ- ଜଣେ ଉଗ୍ର ଉଦାରବାଦୀ ହୋଇଥିବା ବେଳେ ଅନ୍ୟ ପକ୍ଷ ହେଉଛନ୍ତି ଚରମ ରକ୍ଷଣଶୀଳ। ତେଣୁ ଆମୋଦିତ ନହୋଇ ରହି ହୁଏ ନାହିଁ ଯେ ଗୋଟିଏ ମାମଲାରେ ଅନ୍ତତଃ ରସେଲ୍‌ ଓ ମୁଲ୍ଲାମାନଙ୍କ ମଧ୍ୟରେ ସହମତି ଥିବା ଭଳି ମନେହୁଏ। ନାରୀ-ପୁରୁଷ ସମ୍ପର୍କ କ୍ଷେତ୍ରରେ ମଟରଗାଡ଼ିର ଆବିର୍ଭାବର ପ୍ରଭାବ ସମ୍ବନ୍ଧରେ ମନ୍ତବ୍ୟ ଦେବାକୁ ଯାଇ ରସେଲ୍‌ କହିଥିଲେ ଯେ ଅଧା ଆମେରିକୀୟ ଶିଶୁଙ୍କର ସୃଷ୍ଟି ପାଇଁ ଗର୍ଭ ସଂଚାର କାର୍‌ ପଛ ସିଟ୍‌ରେ ହିଁ ଘଟିଥାଏ। ଏବେ ଯେତେବେଳେ ପୃଥିବୀର ସର୍ବାଧିକ ରକ୍ଷଣଶୀଳ ସମାଜ ସାଉଦୀ ଆରବରେ ନାରୀମାନଙ୍କୁ ମଟରଗାଡ଼ି ଚଳାଇବାର ଅଧିକାର ପ୍ରଦାନ ପ୍ରସ୍ତାବ ଉଠିଲା, ମୁଲ୍ଲାମାନେ ସମସ୍ୱରରେ ଚିତ୍କାର କରିବା ଦେଖାଗଲା ଯେ ନାରୀମାନଙ୍କୁ ଯଦି ଗାଡ଼ି ଚଳାଇବାର ସ୍ୱାଧୀନତା ପ୍ରଦାନ କରାଯାଏ, ତେବେ ଦେଶରେ ନୈତିକତାର ବ୍ୟାପକ ସ୍ଖଳନ ଘଟିବ ଏବଂ ସତୀ-କୁମାରୀମାନଙ୍କର ଅଭାବ ଦେଖାଦେବ।

ନାରୀ-ଗାଡ଼ି ଚାଳନା ପ୍ରତି ସେମାନଙ୍କର ବିରୋଧ କେବଳ ଏତିକିରେ ସୀମିତ ନଥିଲା। ସେମାନଙ୍କର ଅନ୍ୟ ଏକ ଯୁକ୍ତି ହେଲା ଯେ ନାରୀମାନେ ମଟରଗାଡ଼ି ଷ୍ଟିଅରିଙ୍ଗ୍‌ ଧରିବା ପାଇଁ ଯୋଗ୍ୟ ନୁହନ୍ତି, କାରଣ ସେମାନଙ୍କର ମସ୍ତିଷ୍କ ହେଉଛି ପୁରୁଷ ମସ୍ତିଷ୍କର ଅଧା (ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ- କାରଣ ସେଠାରେ ଅନୁସୃତ ସାରିଆ ଆଇନ ଅନୁସାରେ ଜଣେ ପୁରୁଷ ସାକ୍ଷୀ ସହିତ ସମାନ ହେଉଛନ୍ତି ଦୁଇଜଣ ମହିଳା ସାକ୍ଷୀ)। ଅର୍ଥାତ୍‌ ଅର୍ଧମସ୍ତିଷ୍କ ପ୍ରାଣୀମାନେ ଚଳନ୍ତା ଗାଡ଼ିକୁ ନିୟନ୍ତ୍ରଣ କରି ନପାରି ଦୁର୍ଘଟଣା ଘଟାଇବେ। କେତେକ ମୁଲ୍ଲା ତ ସାରିଆକୁ ଅତିକ୍ରମ କରି ଜୈବ ବିଜ୍ଞାନ କ୍ଷେତ୍ରରେ ବ୍ୟୁତ୍ପତ୍ତି ପ୍ରଦର୍ଶନ କରି ସତର୍କବାଣୀ ଶୁଣାଇଲେ ଯେ ଗାଡ଼ିଚାଳନା କରିବା ଦ୍ୱାରା ନାରୀର ଡିମ୍ବାଶୟ(ଓଭାରି) କ୍ଷତିଗ୍ରସ୍ତ ହୁଏ। ଏଣୁ ଏହା ଦ୍ୱାରା ତା’ର ପ୍ରଜନନ କ୍ଷମତା ବ୍ୟାହତ ହେବ। ଇସଲାମୀୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ବିପଜ୍ଜନକ, କାରଣ ସାରା ପୃଥିବୀକୁ ମୁସଲମାନ ମାନଙ୍କ ଦ୍ୱାରା ଭର୍ତ୍ତି କରିଦେବା ହେଉଛି ଇସଲାମର ଅନ୍ତିମ ଲକ୍ଷ୍ୟ ଏବଂ ନାରୀମାନେ ହିଁ ହେଉଛନ୍ତି ଏହାର ମାଧ୍ୟମ, ସେମାନଙ୍କର ପ୍ରଜନନ କଳ ଅଖଞ୍ଜ ହୋଇଗଲେ ଏ ଲକ୍ଷ୍ୟ ପୂରଣ ହେବ କେମିତି?

ଏ ସମସ୍ତ ନୈତିକ, ଧାର୍ମିକ ଓ ବୈଜ୍ଞାନିକ କାରଣ ମାନ ପଛରେ ବୋଧହୁଏ ଯେଉଁ ଅସଲ କାରଣ ରହି ସାଉଦୀ ପୁରୁଷମାନଙ୍କୁ ନାରୀ ଗାଡ଼ିଚାଳନା ପ୍ରତି ବିରୋଧ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇଛି, ତାହା ନିଶ୍ଚିତ ରୂପେ ହେଉଛି ସେମାନଙ୍କର ଏକ ଅନୁଚ୍ଚାରିତ ଅସୁରକ୍ଷିତ ଭାବ। ମଟରଗାଡ଼ି ଚଳାଇବା ଏକ ପୁରୁଷ ସୁଲଭ କାର୍ଯ୍ୟ ଏବଂ ପୌରୁଷର ଏକ ପ୍ରତୀକ ରୂପେ ବିବେଚିତ ହୋଇଥାଏ। ଆପାଦ ମସ୍ତକ ବୁର୍ଖାବୃତ ହୋଇ ପୁରୁଷଠାରୁ ସର୍ବଦା ନ୍ୟୂନ ହୋଇ ରହିଆସିଥିବା ମହିଳାମାନେ ହଠାତ୍‌ ସେଥିରୁ ବାହାରି ଏକ ଚିରାଚରିତ ପୁରୁଷ ଇଲାକାରେ ପ୍ରବେଶ କରି କେବଳ ପୁରୁଷମାନେ ଏ ପର୍ଯ୍ୟନ୍ତ ଦଖଲ କରି ଆସିଥିବା ଡ୍ରାଇଭର୍‌ ସିଟ୍‌ରେ ବସି ଏକ ଚକ୍ର ସଦୃଶ ଷ୍ଟିଅରିଙ୍ଗ୍‌ ହୁଇଲ୍‌କୁ ଧରିବା ସାଉଦୀ ପୁରୁଷ ମାନଙ୍କର ପୌରୁଷ ଉପରେ ଏକ ଆକ୍ରମଣ ନୁହେଁ ତ ଆଉ କ’ଣ?

ଏହି ପୃଷ୍ଠପଟରେ ଜୁନ୍‌ ୨୬ ତାରିଖରେ ପ୍ରକୃତରେ ସାଉଦୀ ମହିଳାମାନେ ମଟରଗାଡ଼ିର ଷ୍ଟିଅରିଂକୁ ଧରିବାର ଯେଉଁ ଅଧିକାର ହାସଲ କରିଛନ୍ତିି, ତାହାକୁ କେବଳ ସେଠାରେ ନାରୀ ମୁକ୍ତି ଦିଗରେ ଏକ ପଦକ୍ଷେପ ରୂପେ ବିବେଚନା କରିବା ଯେ ଯଥେଷ୍ଟ ନୁହେଁ, ଏଥିରେ ସନ୍ଦେହ ନାହିଁ: ଏହାକୁ ଏକ ଛୋଟକାଟର ସାମାଜିକ ବିପ୍ଳବ ବୋଲି ବିଚାର କରିବା ଅଧିକ ଯୁକ୍ତିଯୁକ୍ତ ହେବ। ଏହି ନାରୀ ମୁକ୍ତି କ୍ଷେତ୍ରରେ ମଧ୍ୟ ଆହୁରି ଅନେକ ସଂସ୍କାର ବାକି ଅଛି; କିନ୍ତୁ ନାରୀମାନଙ୍କୁ ସର୍ବଦା ଅବଦମିତ କରି ରଖିବା ଯେଉଁଠି ଖାଣ୍ଟି ଇସ୍‌ଲାମୀୟ ଆଚରଣ ବୋଲି ବିଚାର କରାଯାଏ ସେଠାରେ ଷ୍ଟିଅରିଂ ହୁଇଲ୍‌ ପଛରେ ଜଣେ ନାରୀ ବସିଥିବା ଦୃଶ୍ୟ ଏକ ଅତ୍ୟନ୍ତ ଶକ୍ତଶାଳୀ ନାରୀ-ମୁକ୍ତି ଦୃଶ୍ୟ ରୂପେ କାର୍ଯ୍ୟ କରିବ।

ଏହା ଏକ ବୈପ୍ଳବିକ ଘଟଣା ନିଶ୍ଚୟ, କିନ୍ତୁ ଏଥିରେ କୌଣସି ବିପ୍ଳବର ମୌଳିକ ଚରିତ୍ରର ଅନୁପସ୍ଥିତିକୁ ମଧ୍ୟ ସ୍ୱୀକାର କରିବାକୁ ହେବ। ବିପ୍ଳବ ସର୍ବଦା ସେଇମାନଙ୍କ ଦ୍ୱାରା ଘଟିଥାଏ, ଯେଉଁମାନେ ଅନ୍ୟାୟ ଅତ୍ୟାଚାରର ସମ୍ମୁଖୀନ ହୋଇ ଆସିଥାନ୍ତି। ଏଠାରେ କିନ୍ତୁ ବିପ୍ଳବର ସୂତ୍ରପାତ ସାଉଦୀ ନାରୀ ମହଲରେ ନ ହୋଇ, ହୋଇଛି ସାଉଦୀ ରାଜ ପ୍ରାସାଦରେ, ନିର୍ଦ୍ଦିଷ୍ଟ ଭାବରେ କହିଲେ ସେ ଦେଶର ବର୍ତ୍ତମାନ ପ୍ରକୃତ ଶାସକରେ ପରିଣତ ହୋଇଥିବା ଯୁବରାଜ (ପ୍ରିନ୍‌ସ) ସଲ୍‌ମାନ୍‌ଙ୍କ ପ୍ରାସାଦରେ। ଏହି ଯୁବ ଶାସକ କ୍ଷମତା ରଜ୍ଜୁ ଧରିବା ପରଠାରୁ ସାଉଦୀ ଅର୍ଥନୀତିକୁ ତୈଳ ନିର୍ଭରଶୀଳତାରୁ ମୁକ୍ତ କରି ସେଠାରେ ଏକ ପ୍ରଗତିଶୀଳ ସମାଜ ପ୍ରତିଷ୍ଠା କରିବା ପାଇଁ ବଦ୍ଧପରିକର ଥିବା ଜଣାପଡୁଛି। ତାଙ୍କର ଏହି ଉଦ୍ୟମର ଫଳ ସ୍ୱରୂପ କେବଳ ଯେ ମହିଳାମାନେ ଗାଡ଼ି ଚଳାଇବାର ଅଧିକାର ପାଇଲେ ତାହା ନୁହେଁ, ଦୀର୍ଘକାଳ ଧରି ନିଷିଦ୍ଧ ହୋଇଥିବା ସିନେମା ହଲ୍‌ମାନ ଖୋଲିବାକୁ ଆରମ୍ଭ କରିଛି; ସର୍ବସାଧାରଣରେ ସଂଗୀତ ଉତ୍ସବମାନ ମଧ୍ୟ ଅନୁଷ୍ଠିତ ହେବା ଆରମ୍ଭ ହୋଇଛି; ପୂର୍ବରୁ ସର୍ବସାଧାରଣ ସ୍ଥଳୀରୁ ସଡ଼କ ପର୍ଯ୍ୟନ୍ତ ସର୍ବ ବିଦ୍ୟମାନ ଥିବା ଅତ୍ୟନ୍ତ କଠୋର ଓ କ୍ଷମତାଶାଳୀ ନୈତିକ ପୁଲିସ୍‌ମାନଙ୍କୁ ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ।

ଅବଶ୍ୟ ପ୍ରିନ୍‌ସ ସଲ୍‌ମାନ୍‌ଙ୍କ ସଂସ୍କାର ଏହି ସବୁ ପାରିପାର୍ଶ୍ୱିକ ପରିବର୍ତ୍ତନରେ ସୀମିତ ରହି ସାଉଦୀ ଆରବର ଅନ୍ତର୍ନିହିତ ଚରିତ୍ର ଅପରିବର୍ତ୍ତିତ ରହିବାର ସମସ୍ତ ସମ୍ଭାବନା ରହିଛି। ସେ ଦେଶର ଅନ୍ତର୍ନିହିତ ଚରିତ୍ର ହେଉଛି ନିଷ୍ଠୁର ଏକଛତ୍ର ଶାସନ। ସଲ୍‌ମାନ୍‌ଙ୍କର ସେ ସମ୍ପର୍କିତ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନର ଆଭାସ ଏ ପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ କାର୍‌ର ପେଡାଲ୍‌ ଦବାଇ ସଡ଼କରେ ଉଡ଼ିଯିବାର ରୋମାଞ୍ଚ ରାଜନୈତିକ ସ୍ୱାଧୀନତାର ରୋମାଞ୍ଚଠାରୁ ଯେ କିଛି କମ୍‌ ନୁହେଁ, ବର୍ତ୍ତମାନ ସାଉଦୀ ରମଣୀମାନଙ୍କୁ ପଚାରିଲେ, ବୋଧହୁଏ ସେମାନେ ଏଇଭଳି ଉତ୍ତର ଦେବେ। ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ପରେ ୧୯୨୦ରେ ଆମେରିକାର ମହିଳାମାନଙ୍କୁ ପ୍ରଥମକରି ଭୋଟ୍‌ ଦେବା ଅଧିକାର ମିଳିଲା। ଏକ ଦୀର୍ଘ ଭୋଟ ଅଧିକାର (ସଫ୍ରେଜ୍‌) ଆନ୍ଦୋଳନ ପରେ ସେଠାରେ ନାରୀମାନେ ଏହା ହାସଲ କରିଥିଲେ। ଏହା ପରେ ପରେ ଜଣେ ପ୍ରମୁଖ ଆନ୍ଦୋଳନକାରିଣୀ ରୋଜାଲି ଜୋନ୍‌ସ କହିଥିଲେ, ‘‘ଆମେ ସଫ୍ରେଜ୍‌ ହାସଲ କଲେ, ଏଥର ଏକ କାର୍‌କୁ କିପରି ସଜାଡ଼ି ହେବ, ତାହା ଆମକୁ ଶିଖିବାକୁ ପଡ଼ିବ।’’ ଅର୍ଥାତ୍‌ ମୁଖ୍ୟ ସ୍ରୋତରୁ ସର୍ବଦା ଦୂରେଇ ରଖାଯାଇଥିବା ନାରୀମାନଙ୍କ ପାଇଁ ରାଜନୈତିକ ଅଧିକାର ଯେପରି ଗୁରୁତ୍ୱପୂର୍ଣ୍ଣ, କାର୍‌ ଚଳାଇବା ଏବଂ ସଜାଡ଼ିବା ଦକ୍ଷତା ମଧ୍ୟ ସେପରି ଗୁରୁତ୍ୱପୂର୍ଣ୍ଣ। ଉଭୟରେ ଥାଏ ମୁକ୍ତିର ସ୍ୱାଦ। ଆମେରିକାରେ ଏବେ ମହିଳା ଡ୍ରାଇଭିଂ ଲାଇସେନ୍‌ସଧାରିଣୀଙ୍କ ସଂଖ୍ୟା ପୁରୁଷ ଲାଇସେନ୍‌ସଧାରୀଙ୍କ ସଂଖ୍ୟାଠାରୁ ବହୁ ଅଧିକ। ଆଶା ସାଉଦୀଆରବରେ ଦିନେ ତାହା ହିଁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.