ଅଜା-ନାତି ଅର୍ଥନୀତି

ଅରବିନ୍ଦ ସୁବ୍ରମନିଅନ୍‌ ନିଶ୍ଚିତ ରୂପେ ଜଣେ ବିରଳ ଅର୍ଥନୀତିଜ୍ଞ। ସେ ଏଥିଯୋଗୁଁ ବିରଳ ନୁହନ୍ତି ଯେ ସେ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ- ଯେଉଁଥିରେ କୌଣସି ସନ୍ଦେହ ନାହିଁ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଦେଶ ବିଦେଶର ବିଭିନ୍ନ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଥିବା ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌), ପିଟର୍ସନ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇଣ୍ଟର୍‌ନେସନାଲ୍‌ ଇକୋନୋମିକ୍‌ସ ଏବଂ ଓ୍ଵାସିଂଟନ୍‌ସ୍ଥିତ ସେଣ୍ଟର୍‌ ଫର୍‌ ଗ୍ଲୋବାଲ୍‌ ଡେଭେଲପ୍‌ମେଣ୍ଟ ଭଳି ଖ୍ୟାତିସମ୍ପନ୍ନ ଅନୁଷ୍ଠାନମାନଙ୍କରେ କାର୍ଯ୍ୟ କରିଥିବା ଏହି ବିଚକ୍ଷଣ ଅର୍ଥନୀତିଜ୍ଞଙ୍କୁ ୨୦୧୧ରେ ସମ୍ମାନଜନକ ଆନ୍ତର୍ଜାତିକ ପତ୍ରିକା ‘ଫରେନ୍‌ ପଲିସି’ ପୃଥିବୀର ୧୦୦ଜଣ ସର୍ବଶ୍ରେଷ୍ଠ ଚିନ୍ତାନାୟକମାନଙ୍କ ମଧ୍ୟରୁ ଜଣେ ରୂପେ ସ୍ୱୀକୃତି ପ୍ରଦାନ କରିଥିଲା। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସୁବ୍ରମନିଅନ୍‌ଙ୍କୁ ୨୦୧୪ ଅକ୍ଟୋବରରେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ରୂପେ ନିଯୁକ୍ତ କରିଥିଲେ। ଏହି ଦାୟିତ୍ୱରେ ଥାଇ ସେ କରିଥିବା କାର୍ଯ୍ୟ ସବୁ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ସରକାର ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କର କାର୍ଯ୍ୟକାଳକୁ ଚୁକ୍ତି ମୁତାବକ ତିନି ବର୍ଷ ପୂରିବା ପରେ ଆଉ ଦୁଇ ବର୍ଷ ବୃଦ୍ଧି କରିଦେଇଥିଲେ ଯାହା ପୂରଣ ହୋଇଥାନ୍ତା ଆଉ ପାଖାପାଖି ବର୍ଷକ ପରେ, ମେ’ ୨୦୧୯ରେ। ଅରବିନ୍ଦ ସୁବ୍ରମନିଅନ୍‌ କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇ ଏବେ ସେ ପଦ ତ୍ୟାଗ କରିଛନ୍ତି।

ସୁବ୍ରମନିଅନ୍‌ ତାଙ୍କର ଏହି ପଦକ୍ଷେପ ଯୋଗୁଁ ମଧ୍ୟ ବିରଳ ବୋଲି କୁହାଯାଇ ପାରିବ ନାହିଁ; କାରଣ ତାଙ୍କ ପୂର୍ବରୁ ଆଉ ଜଣେ ଅରବିନ୍ଦ- ନିତି ଆୟୋଗର ଭାଇସ୍‌ ଚେଆର୍‌ମ୍ୟାନ୍‌ ଅରବିନ୍ଦ ପାନାଗଡ଼ିଆ ମଧ୍ୟ ନିଜର ସେହି ଉଚ୍ଚ ପଦ ତ୍ୟାଗ କରି ଆମେରିକାରେ ବିଶ୍ୱବିଦ୍ୟାଳୟ ଜୀବନକୁ ଫେରିଯାଇଥିଲେ, ଯେମିତି ତାଙ୍କ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ନର୍‌ ରଘୁରାମ ରାଜନ୍‌ କରିଥିଲେ। ଅରବିନ୍ଦ ସୁବ୍ରମନିଅନ୍‌ ଏଇଥିପାଇଁ ବିରଳ ଯେ ସେ ହେଉଛନ୍ତି ବୋଧହୁଏ ପୃଥିବୀର ମାତ୍ର ଦ୍ୱିତୀୟ ଜଣାଶୁଣା ଅର୍ଥନୀତିଜ୍ଞ ଯିଏ ନାତିନାତୁଣୀଙ୍କ କଥା ଚିନ୍ତା କରି ସେମାନଙ୍କୁ ଚର୍ଚ୍ଚାର ବିଷୟବସ୍ତୁରେ ପରିଣତ କରିଛନ୍ତି। ସୁବ୍ରମନିଅନ୍‌ ନିଜ କହିବା ଅନୁସାରେ ତାଙ୍କ କ୍ୟାରିଅର୍‌ର ଶ୍ରେଷ୍ଠତମ ପଦବି ତ୍ୟାଗ କରି ଆମେରିକା ଫେରିଯିବାର କାରଣ ଅର୍ଥଶାସ୍ତ୍ରର ଗାମ୍ଭୀର୍ଯ୍ୟ ଠାରୁ ଏତେ ଦୂରରେ ଯେ ତାହା ଅତ୍ୟନ୍ତ ଗତାନୁଗତିକ ମନେ ହୋଇପାରେ- ଆଗାମୀ ସେପ୍‌ଟେମ୍ବରରେ ତାଙ୍କ କନ୍ୟାଙ୍କର ସନ୍ତାନ ଭୂମିଷ୍ଠ ହେବାର ଅଛି। ଅଜା ଅରବିନ୍ଦ ସେ ସମୟରେ ସେଠାରେ ଉପସ୍ଥିତ ରହିବାକୁ ଚାହୁଁଛନ୍ତି। ନିଜ ଝିଅ ପିଲା ଥିବା ବେଳେ ସେ ସର୍ବଦା କାର୍ଯ୍ୟବ୍ୟସ୍ତ ଥାଇ ତାକୁ ଯଥେଷ୍ଟ ସମୟ ଦେଇ ପାରିନଥିଲେ। ଏବେ ନାତି/ନାତୁଣୀର ଆବିର୍ଭାବ ସମୟରେ ସୁଦୂର ଭାରତରେ କାର୍ଯ୍ୟବ୍ୟସ୍ତ ରହି ସେ ଭୁଲ୍‌ ଦୋହରାଇବାକୁ ସୁବ୍ରମନିଅନ୍‌ ଆଉ ଚାହୁଁନାହାନ୍ତି। ସେ ଏଥର ନାତି/ନାତୁଣୀଙ୍କର ସାନ୍ନିଧ୍ୟରେ ରହି ତାଙ୍କର ଲାଳନପାଳନ କରିବା ସହିତ ଲେଖାପଢ଼ା, ଗବେଷଣା ଆଦି କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। ଭାରତରେ ଥାଇ ତାହା କରିବା ସମ୍ଭବ ହୁଅନ୍ତା ନାହିଁ।

ନାତିନାତୁଣୀଙ୍କ ସମ୍ପର୍କରେ ଏଭଳି ସର୍ବଜନ ସମ୍ମୁଖରେ ଚିନ୍ତା ପ୍ରକଟ କରିବାରେ ଯେଉଁ ଅର୍ଥନୀତିଜ୍ଞ ହେଉଛନ୍ତି ପ୍ରଥମ ସେ ହେଉଛନ୍ତି ବୋଧହୁଏ ବିଂଶ/ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ, ପ୍ରଚଣ୍ଡ ଧୀଶକ୍ତିସମ୍ପନ୍ନ ଅର୍ଥନୀତିଜ୍ଞ ବ୍ରିଟେନ୍‌ର ଜନ୍‌ ମେନାର୍ଡ କିନ୍‌ସ। ୧୯୨୮ରେ କିନ୍‌ସ ଏକ ସଂକ୍ଷିପ୍ତ ପ୍ରବନ୍ଧ ରଚନା କରିଥିଲେ ଯାହା ତାଙ୍କର ମୌଳିକ ଚରିତ୍ରର ବିପରୀତ ଥିଲା ବୋଲି କୁହାଯାଇପାରେ। କିନ୍‌ସଙ୍କର ଅର୍ଥନୈତିକ ଚିନ୍ତାଧାରା ସର୍ବଦା ସ୍ୱଳ୍ପକାଳ ବା ନିକଟ ଭବିଷ୍ୟତ କାଳ ମଧ୍ୟରେ ସୀମିତ ଥାଏ। ସେ ଦୀର୍ଘକାଳୀନ ଅର୍ଥନୀତି ସମ୍ବନ୍ଧରେ କାହିଁକି ଚିନ୍ତା କରୁ ନାହାନ୍ତି ବୋଲି କେହି ପ୍ରଶ୍ନ କଲେ କିନ୍‌ସଙ୍କର ପ୍ରସିଦ୍ଧ ଉତ୍ତର ଥିଲା: ‘‘ଦୀର୍ଘ କାଳରେ ଆମେ ସମସ୍ତେ ମରିସାରିଥିବା’’। ନାତିନାତୁଣୀ ହେଉଛନ୍ତି ନିଶ୍ଚିତ ରୂପେ ଜଣେ ବ୍ୟକ୍ତିର ଦୀର୍ଘକାଳୀନ ଚିନ୍ତା। ତେଣୁ କିନ୍‌ସ ସେମାନଙ୍କ ସମ୍ବନ୍ଧରେ ଚିନ୍ତା କରିବେ ବୋଲି କେହି ସ୍ୱାଭାବିକ ଭାବରେ ଆଶା କରିବ ନାହିଁ। କିନ୍‌ସ କିନ୍ତୁ ରଚନା କରିଥିବା ଉପରୋକ୍ତ ପ୍ରବନ୍ଧର ଶୀର୍ଷକ ଥିଲା: ‘‘ଆମ ନାତିନାତୁଣୀଙ୍କ ପାଇଁ ଅର୍ଥନୈତିକ ସମ୍ଭାବନା’’ (‘‘ଇକୋନୋମିକ୍‌ ପସିବିଲିଟିଜ୍‌ ଫର୍‌ ଆଓ୍ଵାର୍‌ ଗ୍ରାଣ୍ଡ୍‌ ଚିଲ୍‌ଡ୍ରେନ୍‌’’)। ଏହି ପ୍ରବନ୍ଧରେ ତାଙ୍କର ବିଚକ୍ଷଣ କଳ୍ପନା ସମସ୍ତ ସ୍ୱଳ୍ପକାଳୀନ ସୀମା ଅତିକ୍ରମ କରି ଏକାବେଳକେ ଗୋଟିଏ ସମ୍ପୂର୍ଣ୍ଣ ଶତାବ୍ଦୀ ଲମ୍ଫ ମାରି ୨୦୨୮ ସମୟର ଅର୍ଥନୈତିକ ଚିତ୍ରଟିଏ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି।

ସେ ଚିତ୍ର ହେଲା ସେତେ ବେଳର ଇଉରୋପ କିମ୍ବା ଆମେରିକାରେ ଜୀବନଧାରଣର ମାନରେ ଏପରି ଉନ୍ନତି ଘଟିଥିବ ଯେ କାହାରିକୁ ଆଉ ପଇସା ରୋଜଗାର କଥା ଚିନ୍ତା କରିବାକୁ ପଡୁ ନଥିବ। କିନ୍‌ସ ଲେଖିଥିଲେ ସେତେବେଳେ ଆମ ନାତିନାତୁଣୀମାନଙ୍କୁ ଦିନକୁ ମାତ୍ର ପ୍ରାୟ ତିନି ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିବ, ତାହା ପୁଣି ଆବଶ୍ୟକତାରୁ ଅଧିକ। ଆମୋଦଦାୟକ ଭାବରେ କିନ୍‌ସ ଯେତେବେଳେ ତାଙ୍କ ପ୍ରବନ୍ଧର ଅନ୍ତିମ ପରିମାର୍ଜନ କରୁଥିଲେ, ସେଇ ସମୟରେ ୧୯୨୯ରେ ସେଆର୍‌ ବଜାର ଭୁଶୁଡ଼ି ପଡ଼ିବା ଆରମ୍ଭ ହେଲା ଏବଂ ବୁଦ୍ଧିମାନ କିନ୍‌ସ ଜାଣିପାରିଲେ ଯେ ଏକ ପୃଥିବୀ ବ୍ୟାପୀ ଅର୍ଥନୈତିକ ସ୍ଖଳନ ଘଟିବାକୁ ଯାଉଛି, ଯେଉଁଥିରେ ତାଙ୍କ ପ୍ରବନ୍ଧର ପ୍ରାଚୁର୍ଯ୍ୟ ପରିବର୍ତ୍ତେ ଯାହା ଦେଖାଦେବ ତାହା ହେଲା ବ୍ୟାପକ ବେକାରି ଓ ଦାରିଦ୍ର୍ୟ। କିନ୍‌ସ କିନ୍ତୁ ଏଥିଯୋଗୁଁ ୨୦୨୮ ପାଇଁ ସେ କରିଥିବା ଭବିଷ୍ୟବାଣୀରେ କୌଣସି ପରିବର୍ତ୍ତନ କରି ନଥିଲେ। ୧୯୩୧ରେ ପ୍ରକାଶିତ ତାଙ୍କର ଏହି ପ୍ରବନ୍ଧର ଅନ୍ତିମ ସଂସ୍କରଣରେ କିନ୍‌ସ ତାଙ୍କର ପାଠକମାନଙ୍କୁ ଅର୍ଥନୀତିରେ ଦେଖା ଦେଇଥିବା ‘‘ସାମୟିକ ବେଖାପ ଅବସ୍ଥା’’କୁ ଅତିକ୍ରମ କରି ସୁଦୂରର ଗୋଲାପି ଚିତ୍ର ଉପରେ ଦୃଷ୍ଟି ନିବଦ୍ଧ କରିବା ପାଇଁ ଆହ୍ଵାନ ଦେଇଥିଲେ।

ଊନବିଂଶ ଶତାବ୍ଦୀରେ ଦେଖାଦେଇଥିବା ‘‘ବିଦ୍ୟୁତ୍‌ ଶକ୍ତି, ପେଟ୍ରୋଲ୍‌, ଷ୍ଟିଲ୍‌, ରବର୍‌, କାର୍ପାସ୍‌, ରାସାୟନିକ ଶିଳ୍ପ, ସ୍ୱୟଂକ୍ରିୟ ଯନ୍ତ୍ରପାତି ଏବଂ ସମୂହ ଉତ୍ପାଦନ ପ୍ରଣାଳୀ’’ ଆଦି ପ୍ରାବିଧିକ ଉଦ୍ଭାବନମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରି ସେ ଭବିଷ୍ୟବାଣୀ କରିଥିଲେ ଯେ ଏ ସବୁକୁ ଭିତ୍ତି କରି ଅର୍ଥନୈତିକ ଅଭିବୃଦ୍ଧି ଆହୁରି ଆହୁରି ଆଗକୁ ମାଡ଼ିଯିବା ଅନିବାର୍ଯ୍ୟ। ଆଗାମୀ ଶହେ ବର୍ଷରେ ବିଶ୍ୱ ଅର୍ଥନୀତିରେ ସାତଗୁଣ ବୃଦ୍ଧି ଘଟିବ ବୋଲି ସେ ଅନୁମାନ କରିଥିଲେ। ପ୍ରାଚୁର୍ଯ୍ୟ ଓ ପ୍ରାବିଧିକ ବିପ୍ଳବ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ପାଖରେ ଏତେ ପରିମାଣରେ ଅବସର ଉପଲବ୍‌ଧ ହେବ ଯେ ସେ ଅବସରକୁ କିପରି କଟାଇବ ତାହା ହିଁ ହେବ ତାର ମୁଖ୍ୟ ସମସ୍ୟା ବୋଲି କିନ୍‌ସ ଭବିଷ୍ୟବାଣୀ କରିଥିଲେ। ୨୦୨୮ ହେବାକୁ ଆହୁରି ୧୦ ବର୍ଷ ବାକି ଅଛି। ଇତି ମଧ୍ୟରେ ୧୯୨୮ ତୁଳନାରେ ଆମେରିକାର ବାସ୍ତବ ଜିଡିପିରେ ୧୬ ଗୁଣ ଓ ମୁଣ୍ଡପିଛା ଆୟରେ ଛ’ଗୁଣ ବୃଦ୍ଧି ଘଟି ସାରିଲାଣି। ଧନୀ ଦରିଦ୍ର ତାରତମ୍ୟ ଯୋଗୁଁ କିନ୍ତୁ କିନ୍‌ସଙ୍କ ଚିତ୍ରର ଅବସରର ସୁଷମ ବଣ୍ଟନ ହୋଇପାରି ନାହିଁ। ଅଧିକାଂଶ ଲୋକ ତଥାପି କାମରୁ ଫୁରୁସତ ପାଇବା ସ୍ୱପ୍ନ ହୋଇ ରହିଛି। ତେବେ କିନ୍‌ସଙ୍କ ନାତି ବୟସର ଅରବିନ୍ଦ ସୁବ୍ରମନିଅନ୍‌ଙ୍କ ପାଇଁ ବୋଧହୁଏ ତାଙ୍କର ଭବିଷ୍ୟବାଣୀ ସତ ହୋଇଛି- କାରଣ ଏବେ ଅଜା ହେବାକୁ ଯାଉଥିବା ଅରବିନ୍ଦ ତାଙ୍କର ନାତି/ନାତୁଣୀ ସହିତ ଖେଳି ଅବସର ଉପଭୋଗ କରିବାକୁ ବାହାରିଛନ୍ତି।

ସମ୍ବନ୍ଧିତ ଖବର