ଚୀନର ହସ

ମନୁଷ୍ୟ ହେଉଛି ଏ ପୃଥିବୀର ଏକମାତ୍ର ପ୍ରାଣୀ ଯିଏ ହସି ପାରେ। ପୁନଶ୍ଚ ହସ ହେଉଛି ଏଭଳି ଏକ ଶାରୀରିକ (ମୁଖ) ଭଙ୍ଗୀ ଯାହା ମିତ୍ରତା ଓ ଅନ୍ତରଙ୍ଗତା ସୃଷ୍ଟି କରିପାରେ ବା ତାର ପ୍ରତୀକ ହୋଇପାରେ। ଏହାକୁ ଆଉ ଟିକିଏ ସ˚ପ୍ରସାରଣ କରି ଏହା ମଧୢ କୁହାଯାଇପାରେ ଯେ ସେହି କାରଣରୁ ହସକୁ ଏକ କୌଶଳ ଭାବେ ବ୍ୟବହାର କରି ମିଛ ବା କପଟ ଅନ୍ତରଙ୍ଗତା ମଧୢ ସୃଷ୍ଟି କରାଯାଇପାରେ। ସେହି ପରିପ୍ରେକ୍ଷୀରେ ୧୯୬୦ ମସିହାରେ ହେଉ ବା ୨୦୧୯ ମସିହାରେ ହେଉ; ବିଭିନ୍ନ ଗଣମାଧୢମରେ ପ୍ରକାଶିତ ଫଟୋଗୁଡ଼ିକରେ ଭାରତୀୟ ନେତାଙ୍କ ସହିତ ମିଳିତ ହେବା ସମୟରେ ଚୀନା ନେତୃବୃନ୍ଦଙ୍କ ମୁହଁରେ ଫୁଟି ଉଠିଥିବା ହସକୁ ଯଦି ପରବର୍ତ୍ତୀ କାଳରେ ଭାରତ ପ୍ରତି ଚୀନ ପ୍ରଦର୍ଶନ କରିଥିବା ଆଚରଣର ଆଲୋକରେ ବିଚାର କରାଯାଏ, ତେବେ ଏକ ଧାରଣା ବଦ୍ଧମୂଳ ହୋଇଥାଏ ଯେ ସେ ହସର ଅନ୍ତରାଳରେ ମିତ୍ରତା ନ ଥାଇ ରହିଥିଲା ଅନ୍ୟ ଉଦ୍ଦେଶ୍ୟ। କାରଣ ଏହା ସର୍ବଦା ପରିଲକ୍ଷିତ ହୋଇଛି ଯେ ଭାରତ ଓ ଚୀନ ମଧୢରେ ଗୋଟିଏ ପଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଚୀନର ସେନା ଭାରତର ସୀମାନ୍ତରେ ଉତ୍ତେଜନା ସୃଷ୍ଟି କରିବାର ଉଦ୍ୟମ କରିଥାଆନ୍ତି। ସ˚ପ୍ରତି ଭାରତ-ଚୀନ ସୀମାରେ ସୃଷ୍ଟ ଉତ୍ତେଜନା ପରିପ୍ରେକ୍ଷୀରେ ଏ ସ˚ପର୍କରେ ଏକ ବିଶଦ ଆଲୋଚନା କରାଯାଇପାରେ।

ଚୀନା ନେତାମାନଙ୍କ ହସର ରହସ୍ୟ ଭେଦ କରି ନ ପାରି ପ୍ରଥମ ଓ ପ୍ରଚଣ୍ତ ଆଘାତ ପାଇଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜଵହରଲାଲ ନେହରୁ। କାରଣ, ପଞ୍ଚଶୀଳ ନୀତି ଆଧାରରେ ଭାରତ ଏବ˚ ଚୀନ ମଧୢରେ ଏକ ସ୍ଥାୟୀ ବନ୍ଧୁତାର ପ୍ରତିଶ୍ରୁତି ଏବ˚ ବହୁ ପ୍ରଚାରିତ ଐତିହାସିକ ‘ହିନ୍ଦୀ-ଚୀନ ଭାଇ ଭାଇ’ ସ୍ଲୋଗାନର ତରଙ୍ଗ ସତ୍ତ୍ବେ ଚୀନ ଅଚାନକ ଆକ୍ରମଣ କରି ସ˚ପୂର୍ଣ୍ଣ ଅପ୍ରସ୍ତୁତ ଭାରତର ଉତ୍ତର ଭାଗରୁ ଅନେକ ଅ˚ଶ ଦଖଲ କରି ନେଇଥିଲା। ଏହାର ପରବର୍ତ୍ତୀ କାଳରେ ଭାରତ ଏବ˚ ଚୀନ ମଧୢରେ ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବା ‘ଲାଇନ୍‌ ଅଫ୍‌ ଆକ୍‌ଚୁଆଲ କ˚ଟ୍ରୋଲ’ ଆଧାରରେ ସୀମା ବିବାଦକୁ ତୁଟାଇବା ଲାଗି ଉଦ୍ୟମ ଜାରି ରହିଥିଲେ ହେଁ ଚୀନ ପକ୍ଷରୁ ବାରମ୍ବାର ଏହାକୁ ନେଇ ସୀମାନ୍ତରେ କଳହ ଏବ˚ ଅତିକ୍ରମଣର ଉଦ୍ୟମ କରାଯାଇ ଆସୁଛି। ଯଦିଓ ୧୯୬୭ ମସିହା ଠାରୁ ଏ ପର୍ଯ୍ୟନ୍ତ ଉଭୟ ଦେଶର ସୀମାରେ ଗୋଳା ବିନିମୟ ଘଟିନାହିଁ, ସମୟାନ୍ତରାଳରେ ସୀମାନ୍ତ ଅଞ୍ଚଳରେ ଚୀନ ଦ୍ବାରା ସୃଷ୍ଟ ଉପଦ୍ରବଗୁଡ଼ିକରୁ ଏକ ଉଦ୍ଦେଶ୍ୟ ସ୍ପଷ୍ଟ ପରିଦୃଷ୍ଟ ହୋଇଛି। ଉଲ୍ଲେଖନୀୟ ଯେ ଗତ ବର୍ଷ ଗୁଜରାଟ ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ଅଖଣ୍ତ ମିତ୍ରତାର ପ୍ରତିଶ୍ରୁତିରେ ଆବଦ୍ଧ ହେଉଥିବା ବେଳେ ଲଦାଖର ପୂର୍ବବର୍ତ୍ତୀ ସୀମାନ୍ତ ଅଞ୍ଚଳ ଚୁମାର ଠାରେ ଚୀନା ସୈନିକମାନେ ଉପଦ୍ରବ ସୃଷ୍ଟି କରିଥିଲେ। ସେହିପରି ସ୍ମରଣଯୋଗ୍ୟ ଯେ ୧୯୭୯ ମସିହାରେ ଭାରତର ବୈଦେଶିକ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚୀନ ଗସ୍ତ ସମୟରେ ହିଁ ଚୀନ ସେଠାରେ ଏକ ଆଣବିକ ବୋମାର ପରୀକ୍ଷଣ କରିଥିଲା। ଯଦିଓ ଚୀନର ଏଭଳି ଉପଦ୍ରବ ଅନେକ ସମୟରେ ପିଲାଳିଆମି ତୁଲ୍ୟ ମନେ ହୋଇଥାଏ, ଟିକିଏ ଗହୀରେଇ ଦେଖିଲେ ଦିଶିଥାଏ ଯେ ଏଭଳି ଦେହବଳିଆ ଆଚରଣ ଦ୍ବାରା ଚୀନ ଭାରତକୁ ଏକ ଔଦ୍ଧତ୍ୟପୂର୍ଣ୍ଣ ସନ୍ଦେଶ ପ୍ରେରଣ କରିବାକୁ ଚାହିଥାଏ ଯେ ଭାରତର ଏହି ପଡ଼ୋଶୀ କିଛି କମ ଶକ୍ତିଶାଳୀ ନୁହେ! ଏହି ପରିପ୍ରେକ୍ଷୀରେ ସ˚ପ୍ରତି ଭାରତ-ଚୀନ ସୀମାନ୍ତରେ ଚୀନ ସୈନିକମାନଙ୍କ ଦ୍ବାରା ଉତ୍ତେଜନା ସୃଷ୍ଟିର ଉଦ୍ୟମ ତଥା ‘ଲିପୁଲେଖ ପାସ୍‌’ ଉପରେ ହଠାତ୍‌ ନେପାଳର ଅଧିକାର ଦାବି ପଛରେ ରହିଥିବା ଚୀନା ଅଭିସନ୍ଧିକୁ ବୁଝିବା ସହଜ ହୋଇଥାଏ। ସ˚ପ୍ରତି କରୋନା ମହାମାରୀର ଘନଘଟା ଲାଗି ଯେତେବେଳେ ବିଭିନ୍ନ କାରଣରୁ ଚୀନକୁ ଦାୟୀ କରାଯାଇ ତା ବିରୋଧରେ ଏକ ବିଶ୍ବ ଜନମତ ସୃଷ୍ଟି କରାଯିବାର ଉଦ୍ୟମ ଦାନା ବାନ୍ଧିବାରେ ଲାଗିଛି ଏବ˚ ଏକ ରାଷ୍ଟ୍ର ଭାବେ ଚୀନର ଭରସା ଯୋଗ୍ୟତା ଏବେ ସର୍ବାଧିକ ପ୍ରଶ୍ନବାଣର ଶିକାର ହେଉଛି; ସେତିକି ବେଳେ ଚୀନ ପକ୍ଷରୁ ଭାରତର ସୀମାନ୍ତରେ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରାଯାଇ ଭାରତକୁ ହୁଏତ ଚେତାଇ ଦେବାର ଚେଷ୍ଟା କରାଯାଉଛି ଯେ ଭାରତ ସେହି ଉଦ୍ୟମରେ ସାମିଲ ନ ହେଉ। ସେହିଭଳି ‘ଲିପୁଲେଖ ପାସ୍‌’ ଉପରେ ଅଚାନକ ନେପାଳର ଅଧିକାର ଦାବି ପଛରେ ରହିଥିବା ଚୀନା ଅଭିସନ୍ଧିର ମୂଳ ଲକ୍ଷ୍ୟ ହେଉଛି ଭାରତକୁ ଦୁଇ ଅପ୍ରିୟ ପଡ଼ୋଶୀଙ୍କ ଗହଣରେ ରଖି ଏକ ଅଶାନ୍ତ ପରିବେଶ ସୃଷ୍ଟି କରିବା। ଏଠାରେ ଉଲ୍ଲେଖ କରାଯାଇ ପାରେ କି ଅନେକ ଦଶନ୍ଧି ଧରି ‘ଲିପୁଲେଖ ପାସ୍‌’ ଭାରତ ଅକ୍ତିଆରରେ ରହି ନିୟମିତ ବ୍ୟବହୃତ ହୋଇ ଆସିଥିଲେ ମଧୢ ନେପାଳ ପକ୍ଷରୁ କେବେ ହେଲେ ଏଥି ନେଇ କୌଣସି ପ୍ରତିବାଦ କରାଯାଇ ନ ଥିଲା। ଚୀନ ଉପରେ ନଜର ରଖିଥିବା ପର୍ଯ୍ୟବେକ୍ଷକମାନେ ଏହା ମଧୢ କହିଥାନ୍ତି ଯେ କରୋନା ପରବର୍ତ୍ତୀ କାଳରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ନିଜ ରାଷ୍ଟ୍ରରେ ମଧୢ ବିରୋଧର ସମ୍ମୁଖୀନ ହେଉଥିବା କାରଣରୁ ସେ ଏଭଳି କିଛି କରିବାକୁ ଚାହାନ୍ତି ଯାହା ଚୀନରେ ଏକ ଜାତୀୟତାବାଦୀ ଲହର ସୃଷ୍ଟି କରିବ। ସେହି କ୍ରମରେ ଚୀନ ସ˚ପ୍ରତି ଏକ ଆକ୍ରମଣାତ୍ମକ ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ପୋଷଣ କରିଥିବା ମଧୢ ଦେଖିବାକୁ ମିଳୁଛି।

ତେବେ, ଏହା ମଧୢ ସତ ଯେ ଭାରତ ଏବ˚ ଚୀନ ହେଉଛନ୍ତି ଦୁଇ ବିଶାଳ ଶକ୍ତି ଏବ˚ ସେହି କାରଣରୁ ଭାରତ-ଚୀନ ମଧୢରେ କଳହ ପ୍ରକୃତ ଯୁଦ୍ଧରେ ପରିଣତ ହେବାର ଆଶଙ୍କା ନଗଣ୍ୟ ପ୍ରାୟ। ଏହା କେବଳ ସୈନିକମାନଙ୍କ ଶାରୀରିକ ଭଙ୍ଗିମାରେ ବା ଗାଳିଗୁଲଜରେ, ମୁଥ ମରାମରିରେ ହିଁ ସୀମିତ ରହିବ। କାରଣ ଆର୍ଥିକ ଅଭିବୃଦ୍ଧି ପଥରେ ବଢୁଥିବା ଏହି ଦୁଇ ରାଷ୍ଟ୍ର କସ୍ମିନ କାଳେ ଏକ ଯୁଦ୍ଧ ଚାହିବେ ନାହିଁ। କିନ୍ତୁ ଏଭଳି ଏକ ସ୍ଥିତିରେ ନେପାଳ ଭଳି ଏକ ଅତ୍ୟନ୍ତ କ୍ଷୁଦ୍ର ରାଷ୍ଟ୍ର ଚୀନର ଅଭିସନ୍ଧିକୁ ନ ବୁଝି ତାକୁ ସମର୍ଥନ କରିବା ଲାଗି ଆଗଭର ହେବା ପରିଶେଷରେ ତା ଲାଗି ହିଁ କ୍ଷତିକାରକ ସାବ୍ୟସ୍ତ ହେବ। କାରଣ ଚୀନ ଭଳି ଗୋଟିଏ ଏକଛତ୍ରବାଦୀ, ବିଶ୍ବାସ ଅଯୋଗ୍ୟ ତଥା ସାମ୍ରାଜ୍ୟବାଦ-ମନସ୍କ ରାଷ୍ଟ୍ର ନେପାଳ ଭଳି କୌଣସି ଏକ କ୍ଷୁଦ୍ର ରାଷ୍ଟ୍ରକୁ ବନ୍ଧୁ ତୁଲ୍ୟ ବ୍ୟବହାର କରିବ ନାହିଁ। ଚୀନ ପାକିସ୍ତାନକୁ ଏକ ବଶମ୍ବଦ ରାଷ୍ଟ୍ରରେ ପରିଣତ କରିସାରିଲାଣି ଏବ˚ ନେପାଳ ଏବେ ସେଇ ପଥର ଯାତ୍ରୀ ହେବାର ଉପକ୍ରମ କରୁଛି। ପାକିସ୍ତାନକୁ ଚୀନ ପ୍ରଦାନ କରୁଥିବା ବିଶାଳ ଆର୍ଥିକ ସାହାଯ୍ୟ ହୁଏ’ତ ନେପାଳକୁ ପ୍ରଲୁବ୍ଧ କରୁଥାଇପାରେ, କିନ୍ତୁ ଏଭଳି ହେଲେ ନେପାଳ ଭଳି ଏକ କ୍ଷୁଦ୍ର ଅଥଚ ସ୍ବାଭିମାନୀ ରାଷ୍ଟ୍ର ଯେ ଅଚିରେ ଚୀନର ଏକ ଆଜ୍ଞାବହ ରାଷ୍ଟ୍ରରେ ପରିଣତ ହେବ, ଏଥିରେ ସନ୍ଦେହ ନାହିଁ। ପାକିସ୍ତାନ ମୂଳରୁ ଭାରତ ପ୍ରତି ଏକ ଶତ୍ରୁଭାବାପନ୍ନ ମନୋଭାବ ପୋଷଣ କରି ଆସିଛି। ସେହି ଦୃଷ୍ଟିରୁ ଚୀନ ସହିତ ତାର ସଖ୍ୟରେ ଯୌକ୍ତିକତା ଦେଖି ହୁଏ। କିନ୍ତୁ ନେପାଳ ଯଦି ଚୀନର ହସରେ ମୋହିତ ହୋଇ ଏକ ପ୍ରକୃତ ବନ୍ଧୁ ରାଷ୍ଟ୍ର ଠାରୁ ଦୂରେଇ ଯିବାକୁ ବସେ, ଏହା ତା ଲାଗି ଯେ ଏକ ବିଡ଼ମ୍ବନାରେ ପରିଣତ ହେବ, ଏହା ନିଃସନ୍ଦେହ।

ସମ୍ବନ୍ଧିତ ଖବର

Comments are closed.