କୁଟା ଖିଏ

0 99

ରାଜନୀତିରେ ତିଷ୍ଠି ରହିବା ପାଇଁ ଭାବମୂର୍ତ୍ତି ହେଉଛି ରାଜନେତାମାନଙ୍କର ପ୍ରଧାନ ପୁଞ୍ଜି। ଏହି ପୁଞ୍ଜି ସଂଗ୍ରହ ପାଇଁ ସେମାନେ କିଭଳି ଶଠତାପୂର୍ଣ୍ଣ ଅଭିନୟ କରିଥାନ୍ତି- କେଉଁ ଦଳିତଙ୍କ ଘରେ ଭୋଜନ କରିବାରୁ କେଉଁ ମଠାଧୀଶଙ୍କର ଚରଣ ସ୍ପର୍ଶ କରିବା ପର୍ଯ୍ୟନ୍ତ- ତାହା ସହିତ ଆମେ ସୁପରିଚିତ। ବ୍ୟବସାୟ କିନ୍ତୁ ଏକ ଭିନ୍ନ ଇଲାକା। ଏଠାରେ ସଫଳତା ସଂଖ୍ୟାଗରିଷ୍ଠ ଭୋଟ୍‌ ଉପରେ ନିର୍ଭର କରି ନଥାଏ, ନିର୍ଭର କରିଥାଏ ବ୍ୟବସାୟ ପରିଚାଳନା ଦକ୍ଷତା ଏବଂ ବିଚକ୍ଷଣତା ଉପରେ। ଏହା ହେଉଛି ସ୍ୱଚ୍ଛ, ସୁସ୍ଥ ବ୍ୟବସାୟର ନିୟମ। ଯେଉଁଠି କିନ୍ତୁ ବ୍ୟବସାୟ ହେଉଛି ଅସ୍ୱଚ୍ଛ, ଛଳନା ହେଉଛି ପରିଚାଳନାର ପରିଭାଷା- ସେଠାରେ ବ୍ୟବସାୟ ମାଲିକଙ୍କୁ ରାଜନେତାଙ୍କ ଭଳି ଅଭିନୟ କରି ନିଜ ପାଇଁ ଅନୁକୂଳ ଭାବମୂର୍ତ୍ତି ନିର୍ମାଣ କରିବା ଆବଶ୍ୟକ ହୋଇ ପଡ଼ିଥାଏ। ମଙ୍ଗଳବାର ଦିନ ପଳାତକ ଶିଳ୍ପପତି ବିଜୟ ମାଲ୍ୟା ପ୍ରକାଶ କରିଥିବା ଏକ ଦୁଇ ବର୍ଷ ତଳର ପୁରୁଣା ଚିଠି ହେଉଛି ଏଇ ଭଳି ଏକ ଭାବମୂର୍ତ୍ତି ସଜଡ଼ା ଉଦ୍ୟମ, ଯାହା ଏତେ ଘସରା, ଅଚଳ ସଫେଇ ଉପରେ ଆଧାରିତ ଯେ ସେଥିରୁ ସେ କିଛି ଲାଭ ପାଇବାର ସମ୍ଭାବନା ଶୂନ୍ୟ।

ମାଲ୍ୟା କହିବା ଅନୁସାରେ ସରକାର ଓ ଅପରାଧ ଅନୁସନ୍ଧାନକାରୀ ସଂସ୍ଥାମାନଙ୍କର ‘‘ନିର୍ଦ୍ଦୟ ଅନୁଧାବନ’’ ଦ୍ୱାରା ବ୍ୟତିବ୍ୟସ୍ତ ହୋଇଯାଇ ସେ ଦୁଇବର୍ଷ ତଳେ, ୨୦୧୬ ଏପ୍ରିଲ୍‌ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଲେଖିଥିବା ଏହି ଚିଠିଟି ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ସେ ନିଜ ସପକ୍ଷରେ ପ୍ରଦାନ କରିଥିବା ସଫେଇ ଉପରେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ କରିବା ଦୂରେ ଥାଉ, ସେ ସେମାନଙ୍କଠାରୁ ଚିଠିର କୌଣସି ଜବାବ ମଧ୍ୟ ପାଇ ନାହାନ୍ତି ବୋଲି ମାଲ୍ୟା ଖେଦୋକ୍ତି କରିଛନ୍ତି। ମାଲ୍ୟାଙ୍କର ସେହି ପୁରୁଣା ଚିଠି ଉପରେ ଦୃଷ୍ଟି ନିକ୍ଷେପ କରିବା ମାତ୍ରେ ତାଙ୍କର ସେଥିରେ ନିହିତ ଥିବା ସଫେଇର ମୌଳିକ ସମସ୍ୟାଟି ଜଳ ଜଳ ହୋଇ ଦିଶିଥାଏ। ତାହା ହେଲା- ମାଲ୍ୟା ତଥାପି ତାଙ୍କ ବିରୁଦ୍ଧରେ ଆଗତ କିଙ୍ଗ୍‌ଫିସର୍‌ ଋଣ ଖିଲାପକୁ ଏକ ଚିରାଚରିତ, ସ୍ୱାଭାବିକ ବ୍ୟାବସାୟିକ ବିଫଳତା ରୂପେ ଚିତ୍ରିତ କରୁଥିବା ବେଳେ ସରକାର ଓ ଅନୁସନ୍ଧାନକାରୀ ସଂସ୍ଥାମାନେ କେବେଠାରୁ ସେ ଦିଗକୁ ପରିତ୍ୟାଗ କରି ବିଭିନ୍ନ ନୂତନ ଅଭିଯୋଗମାନ ଆଗତ କରିଛନ୍ତି। ଏ ସମସ୍ତ ଅଭିଯୋଗମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି ପଇସା ପରିଷ୍କରଣ (ମନି ଲଣ୍ଡରିଙ୍ଗ୍‌), ପୁଞ୍ଜି ଦିଗ ପରିବର୍ତ୍ତନ (ଫଣ୍ଡ୍‌ ଡାଇଭର୍ଜନ୍‌) ଏବଂ ଅନ୍ୟାନ୍ୟ ବିତ୍ତୀୟ ଅନିୟମିତତା।

ଏମିତିରେ ଯଦି କେବଳ ମାଲ୍ୟାଙ୍କ ବିରୁଦ୍ଧରେ ହୋଇଥିବା ଋଣ ଖିଲାପ ଅଭିଯୋଗକୁ ଦେଖାଯାଏ ତେବେ ବର୍ତ୍ତମାନ ମନେହେବ ସେ ହେଉଛନ୍ତି ଏପରି ଅପରାଧ କରିଥିବା ଏକ ଛୋଟକାଟିଆ ଅପରାଧୀ, ଯେମିତି ଡକାୟତମାନଙ୍କ ତୁଳନାରେ ଏକ ପକେଟ୍‌ମାର ମାତ୍ର। ଉଦାହରଣ ସ୍ୱରୂପ ନିରବ ମୋଦୀ ଓ ତାଙ୍କର ଜ୍ଞାତି ସ୍ୱଜନମାନେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ର ଯେତିକି ଋଣ ଖିଲାପ କରି ଦେଶ ଛାଡ଼ି ପଳାଇଛନ୍ତି, ତା ତୁଳନାରେ ମାଲ୍ୟା ଏକ ଦଣ୍ଡକିରି ମାଛ ମାତ୍ର। ମାଲ୍ୟାଙ୍କ ଉପରେ ତାଙ୍କର ଋଣଦାତା ବ୍ୟାଙ୍କ୍‌ମାନେ ମୂଳ ସୁଧ ମିଶାଇ ଯେଉଁ ୯୦୦୦ କୋଟି ଟଙ୍କାର ଦେୟ ଲଦି ଦେଇଛନ୍ତି ତାହାକୁ ମାଲ୍ୟା ଅଗ୍ରାହ୍ୟ କରି ଏହା ଏକ ଅତିରିକ୍ତ ବିଷ୍ଫାରିତ ହିସାବ ଏବଂ ପ୍ରକୃତ ଦେୟ ଏହାଠାରୁ ବହୁତ କମ୍‌ ବୋଲି କହିଆସୁଛନ୍ତି। ୨୦୧୬ ଚିଠି ଅନୁସାରେ ମାଲ୍ୟା କୁଆଡ଼େ ସେତେବେଳେ ନିଜ ହିସାବ ଅନୁସାରେ ବ୍ୟାଙ୍କ୍‌ମାନଙ୍କ ସହିତ ବୁଝାମଣା କରି ଦେୟ ପୈଠ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯଦି କେବେ ମାଲ୍ୟା ଦେୟ ପୈଠ କରିବାକୁ ଆଗେଇ ଆସନ୍ତି ତେବେ ଉଭୟ ପକ୍ଷର ହିସାବରେ ରହିଥିବା ଏଭଳି ଫରକ୍‌ ଯେ ପ୍ରତିବନ୍ଧ ସାଜିବ, ଏଥିରେ ସନ୍ଦେହ ନାହିଁ।

କିନ୍ତୁ ମାଲ୍ୟାଙ୍କ ସମସ୍ୟାର ଏହା ଏକ କ୍ଷୁଦ୍ର ଅଂଶ ମାତ୍ର। ତାଙ୍କ ବିରୁଦ୍ଧରେ ବର୍ତ୍ତମାନ ଯେଉଁ ବୃହତ୍ତର ଅଭିଯୋଗ ହୋଇଛି, ତାହା ହେଉଛି ବିଭିନ୍ନ ବିତ୍ତୀୟ ଠକ। ମାଲ୍ୟାଙ୍କ ମାମଲା ଅନୁସନ୍ଧାନ କରୁଥିବା ଅନ୍ୟତମ ସରକାରୀ ବିତ୍ତୀୟ ଅପରାଧ ଅନୁସନ୍ଧାନକାରୀ ସଂସ୍ଥା ଏନ୍‌ଫୋର୍ସମେଣ୍ଟ୍‌ ଡାଇରେକ୍‌ଟରେଟ୍‌(ଇଡି) ଦାଖଲ କରିଥିବା ଏକ ତାଜା ଚାର୍ଜସିଟ୍‌ ଅନୁସାରେ ମାଲ୍ୟା ଏବଂ ତାଙ୍କ ଅଧିକାରରେ ଥିବା କିଙ୍ଗ୍‌ଫିସର୍‌ ଏଆର୍‌ଲାଇନ୍‌ସ ଲିମିଟେଡ୍‌ (କେଏଏଲ୍‌) ଓ ୟୁନାଇଟେଡ୍‌ ବ୍ରୁଏରିଜ୍‌ ହୋଲ୍‌ଡିଙ୍ଗ୍‌ସ ଲିମିଟେଡ୍‌ (ୟୁବିଏଚ୍‌ଏଲ୍‌) କମ୍ପାନିମାନେ ଚଞ୍ଚକତା କରି ବ୍ୟାଙ୍କ୍‌ମାନଙ୍କରୁ ଋଣ ସୂତ୍ରରେ ଅଣାଯାଇଥିବା ୩,୭୦୦ କୋଟି ଟଙ୍କାର ପାଣ୍ଠିକୁ ବାଟହୁଡ଼ାଇ ଯୁକ୍ତରାଜ୍ୟ (ବ୍ରିଟେନ୍‌) ସ୍ଥିତ ଏକ ଫର୍ମୁଲା-୧ ମଟର୍‌ ସ୍ପୋର୍ଟ ସଂସ୍ଥା ଏବଂ ଏକ ଟି-୨୦ ଆଇପିଏଲ୍‌ ଟିମ୍‌ରେ ଖଟାଇ ଦେଇଥିଲେ। ଚାର୍ଜସିଟ୍‌ ଅନୁସାରେ ସେହି ଋଣ ଅର୍ଥର ଏକ ଅଂଶକୁ ମଧ୍ୟ ମାଲ୍ୟା ପ୍ରାଇଭେଟ୍‌ ଜେଟ୍‌ରେ ବିଳାସପୂର୍ଣ୍ଣ ଯାତ୍ରା କରିବାରେ ଉଡ଼ାଇ ଦେଇଥିଲେ। ନିକଟ ଅତୀତରେ ଅନେକ ଥର ଭାରତୀୟ କୋର୍ଟ ମାନଙ୍କର ସମନ୍‌କୁ ଅମାନ୍ୟ କରି ମାଲ୍ୟା ଅଦାଲତରେ ହାଜର ନହେବା ମଧ୍ୟ ଅନ୍ୟ ଏକ ଅପରାଧ।

ମଙ୍ଗଳବାର ଦିନ ଏହି ପୁରୁଣା ଚିଠିକୁ ବୁଡ଼ିଯିବା ଲୋକ କୁଟା ଖିଏକୁ ଧରିବା ପରି ଜାବୁଡ଼ି ଧରି ନିଜ ପ୍ରତି ସମବେଦନା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା (‘ଋଣ ଖିଲାପର ପୋଷ୍ଟର ବଏ’ ଓ ‘ଜନ ଆକ୍ରୋଶର ବଜ୍ରପାତ’ରେ ତାଙ୍କୁ ପରିଣତ କରାଯାଇଛି ବୋଲି ମାଲ୍ୟା ରୋଦନ କରିଛନ୍ତି) ବିଜୟ ମାଲ୍ୟା କିନ୍ତୁ ଏ ପର୍ଯ୍ୟନ୍ତ ଯେଉଁ ଭଳି ଆଚରଣ ଓ ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛନ୍ତି, ତାହା ହେଲା ଋଣଦାତା ବ୍ୟାଙ୍କ୍‌ଗୁଡ଼ିକ, ଅନୁସନ୍ଧାନକାରୀ ସଂସ୍ଥାମାନ, ଭାରତୀୟ ନ୍ୟାୟପାଳିକା ଏବଂ ଭାରତ ସରକାରଙ୍କ ପ୍ରତି ଏକ ଅବଜ୍ଞା ଭାବ, ଏକ ହେୟ ଜ୍ଞାନ। ଭାରତୀୟ ଗଣମାଧ୍ୟମ ମଧ୍ୟ ତାଙ୍କର ଏହି ହେୟଜ୍ଞାନରୁ ବାଦ୍‌ ପଡ଼ିନାହିଁ। ବିଜୟ ମାଲ୍ୟା ହେଉଛନ୍ତି ‘ଚାମଚା ପୁଞ୍ଜିପତି’ ( କ୍ରୋନି କ୍ୟାପିଟାଲିଷ୍ଟ)ର ପ୍ରକୃଷ୍ଟ ଉଦାହରଣ। କ୍ଷମତାସୀନ ସମସ୍ତ ରାଜନୈତିକ ଦଳ ସହିତ ତାଙ୍କର ଯେ ଉତ୍ତମ ସମ୍ପର୍କ ଥିଲା, କେବଳ ତାହା ନୁହେଁ, ସେ ମଧ୍ୟ ରାଜ୍ୟସଭାରେ ପ୍ରବେଶ କରି ନିଜେ ଜଣେ ରାଜନେତାରେ ପରିଣତ ହୋଇଯାଇଥିଲେ। ବିଭିନ୍ନ ସମୟରେ ସରକାରୀ ଚାପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନେ ତାଙ୍କୁ ଋଣ ଉପରେ ଋଣ ଦେଇଚାଲିବାକୁ ବାଧ୍ୟ ହୋଇଥିଲେ। ଏବେ ଗଣମାଧ୍ୟମରେ ଚର୍ଚ୍ଚା ଅସମ୍ଭାଳ ହେବାରୁ ମୋଦୀ ସରକାର ଖୋଲାଖୋଲି ଭାବରେ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହୋଇଛି। ତେଣୁ ମାଲ୍ୟାଙ୍କ ମାମଲା ଆଉ କେବଳ ଏକ ଋଣ ଖିଲାପ ମାମଲାରେ ସୀମିତ ନରହି ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଏକ ପ୍ରତ୍ୟର୍ପଣ ମାମଲା ପରି ସଙ୍ଗିନ୍‌ କୂଟନୈତିକ ମାମଲାରେ ପରିଣତ ହୋଇସାରିଛି। ଯେଉଁଥିରୁ ଏକ ଚିଠିକୁ ଆଶ୍ରୟ କରି ସେ ମୁକୁଳିବା ଏବେ ଅସମ୍ଭବ ପ୍ରାୟ। ମାଲ୍ୟା ନିଜ ପାଇଁ ଯେଉଁ ଅଲିଭା ଭାବମୂର୍ତ୍ତି ସୃଷ୍ଟି କରିଛନ୍ତି, ତାହା ହେଲା ଏକ ଉଚ୍ଛଙ୍ଖଳ, ବିଳାସପ୍ରିୟ ଅପରିଣାମଦର୍ଶୀ ବହୁଖର୍ଚ୍ଚୀ ଧନୀକର। ଏପରି ଏକ ଚରିତ୍ର ପ୍ରତି କୌଣସି କୋଣରୁ ମଧ୍ୟ ସମବେଦନା ମିଳିବାର ସମ୍ଭାବନା କ୍ଷୀଣ, ପୁରୁଣା ଚିଠିଟି ପ୍ରକାଶ ପାଇବା ପରେ ମଧ୍ୟ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.