ଦାରିଦ୍ର୍ୟମୁକ୍ତ ଭାରତ ସମ୍ଭବ

ନିକଟ ଅତୀତରେ ସ୍ୱଳ୍ପ ଦିନର ବ୍ୟବଧାନରେ ମାନବାଧିକାର ଏବଂ ମହିଳା ସୁରକ୍ଷା ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ ପ୍ରକାଶିତ ଦୁଇଟି ପୃଥକ୍‌ ପୃଥକ୍‌ ରିପୋର୍ଟ ଭାରତ ପାଇଁ ସୁଖଦ ନଥିଲା। ଜାତିସଂଘ ମାନବାଧିକାର କମିସନ୍‌ (ୟୁଏନ୍‌ଏଚ୍‌ଆର୍‌.ସି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ନେଇ ସରକାର ଓ ସେନାକୁ କାଠଗଡ଼ାରେ ଠିଆ କରାଯାଇଛି। ଜାତିସଂଘ ସଂସ୍ଥା ଦ୍ୱାରା ମାନବାଧିକାର ପ୍ରସଙ୍ଗରେ ଭାରତ ବିରୋଧରେ ଏ ପ୍ରତିକୂଳ ରିପୋର୍ଟ କୂଟନୈତିକ ଦୃଷ୍ଟିରୁ ଦେଶ ପାଇଁ ଅଡୁଆ ସୃଷ୍ଟି କରିଛି। ପରେ ପରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଭାରତ ପାଇଁ ଆଉ ଏକ ନକାରାତ୍ମକ ରିପୋର୍ଟ ଦେଶର ଶାସକ ଗୋଷ୍ଠୀ ପାଇଁ ଅସ୍ୱସ୍ତି ସୃଷ୍ଟି କରିବା ସହ ଆନ୍ତିର୍ଜାତିକ ସମୁଦାୟରେ ଦେଶର ଭାବମୂର୍ତ୍ତିକୁ ମଳିନ କରିଛି। ମହିଳାଙ୍କ ସୁରକ୍ଷା ନେଇ ବିଶ୍ୱ ବ୍ୟାପୀ ସର୍ଭେ ଉପରେ ପର୍ଯ୍ୟବସିତ ‘ଥମ୍‌ସନ୍‌-ରଏଟର ଫାଉଣ୍ଡେସନ୍‌’ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ମହିଳାଙ୍କ ପାଇଁ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ଭାବେ ଭାରତ ମୁହଁରେ କଳା ବୋଳା ଯାଇଛି। ଏହି ଦୁଇଟି ରିପୋର୍ଟକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ତଥାପି ରକ୍ଷଣାତ୍ମକ ମୁଦ୍ରାକୁ ଠେଲି ହୋଇ ଯାଇଥିବା ସରକାର ପ୍ରତିକୂଳ ବିଶ୍ୱ ଜନମତର ଆଶଙ୍କାରେ ବେଶ୍‌ ଅସ୍ୱସ୍ତି ଅନୁଭବ କରୁଛନ୍ତି।

ଏହି ସମୟରେ ଦାରିଦ୍ର୍ୟ ମୁକାବିଲାର ଭାରତର ଉଲ୍ଲେଖନୀୟ ସଫଳତା ବୟାନ କରଥିିବା ବିଶ୍ୱବ୍ୟାଙ୍କ୍‌ ପ୍ରାୟୋଜିତ ଏକ ରିପୋର୍ଟ ନିଶ୍ଚୟ ଶାସକ ବର୍ଗକୁ ଆଶ୍ୱସ୍ତ କରିବା ସହ ଭାରତକୁ ଉଜ୍ଜ୍ୱଳ ଆଲୋକରେ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଉପସ୍ଥାପିତ କରୁଛି। ପୂର୍ବୋକ୍ତ ମାନବାଧିକାର ଓ ମହିଳା ସୁରକ୍ଷା ସଂକ୍ରାନ୍ତ ଦୁଇଟି ନକାରାତ୍ମକ ରିପୋର୍ଟ ଭାରତର ଭାବମୂର୍ତ୍ତିକୁ ପହଞ୍ଚାଇଥିବା କ୍ଷତିର ମଧ୍ୟ ଏ ସକାରାତ୍ମକ ରିପୋର୍ଟ ନିଶ୍ଚୟ କିଛି ମାତ୍ରାରେ ଭରଣା କରିବ। ବିଶ୍ୱରେ ଚରମ ଦାରିଦ୍ର୍ୟର ଆକଳନ କରି ବିଶ୍ୱବ୍ୟାଙ୍କ୍‌ର ‘ବ୍ରୁକିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ଅନୁଯାୟୀ ଦାରିଦ୍ର୍ୟ ମୁକାବିଲାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସଫଳତାର ଯାତ୍ରା ଏବେ ବି ଅବ୍ୟାହତ ରହିଛି। ଫଳରେ ବିଶ୍ୱର ସବୁଠାରୁ ଅଧିକ ଗରିବ ବସବାସ କରୁଥିବା ଦେଶ ଭାବେ ଭାରତ ନାମରେ ଯେଉଁ ଅପବାଦ ଥିଲା ତାହା କଟିଯାଇଛି। ୨୦୧୮ ମେ’ ମାସଠାରୁ ଦାରିଦ୍ର୍ୟରେ ଭାରତ ଆଉ ବିଶ୍ୱର ଏକ ନମ୍ବର ଦେଶ ନୁହେଁ। ଏହି ଅଲୋଡ଼ା ଏକ ନମ୍ବର ସ୍ଥାନରେ ଏବେ ଆଫ୍ରିକୀୟ ଦେଶ ନାଇଜେରିଆ ରହିଛି। ଆନ୍ତର୍ଜାତିକ ଦାରିଦ୍ର୍ୟ ମାପଦଣ୍ଡରେ ଦୈନିକ ୧.୯ ଡଲାରରୁ କମ୍‌ ଆୟରେ କାଳାତିପାତ ଗରିବ ଭାରତୀୟଙ୍କ ସଂଖ୍ୟା ୭୩ ନିୟୁତକୁ କମି ଆସିଛି। ଅନ୍ୟପକ୍ଷରେ ନାଇଜେରିଆର ଦୈନିକ ୧.୯ ଡଲାରରୁ କମ୍‌ରେ ଚଳୁଥିବା ଲୋକଙ୍କ ସଂଖ୍ୟା ୮୭ ନିୟୁତକୁ ବୃଦ୍ଧି ପାଇଛି। ଦୁଇ ବର୍ଷ ଭିତରେ ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଥିବା ଗରିବଙ୍କ ସଂଖ୍ୟା ପ୍ରାୟ ୫୦ ନିୟୁତ କମିବା କିଛି କମ୍‌ ବଡ଼ ଉପଲବ୍ଧି ନୁହେଁ। ଏହି ଧାରା ଜାରି ରହିଲେ ଦାରିଦ୍ର୍ୟ ଦୃଷ୍ଟିରୁ ଦୁଇ ନମ୍ବର ସ୍ଥାନକୁ ଆସିଥିବା ଭାରତ ଏ ବର୍ଷ ଶେଷ ସୁଦ୍ଧା ତିନି ନମ୍ବର ସ୍ଥାନକୁ ଖସି ଆସିବ।

ଦାରିଦ୍ର୍ୟ ମୁକାବିଲାରେ ଭାରତର ସଫଳତାର ଉଜ୍ଜ୍ୱଳ କାହାଣୀ ଏତିକିରେ ସରୁନାହିଁ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ ଦାରିଦ୍ର୍ୟ ହେଉଛି ସବୁଠାରୁ ଭୟଙ୍କର ହିଂସା। ବିଶ୍ୱବ୍ୟାଙ୍କ୍‌ ତଥ୍ୟାନୁଯାୟୀ ପ୍ରତି ମିନିଟ୍‌ରେ ହାରାହାରି ୪୪ ଭାରତୀୟ ଦାରିଦ୍ର୍ୟରୁ ଉପରକୁ ଉଠି ହିଂସାର କରାଳ କବଳରୁ ମୁକୁଳିଛନ୍ତି। ସ୍ୱାଭାବିକ ଭାବେ ସେମାନଙ୍କ ଜୀବନ ଧାରଣର ମାନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିଛି। ଏହି ହାରରେ ଦାରିଦ୍ର୍ୟ ହ୍ରାସ ଜାରି ରହିଲେ ଆଗାମୀ ୨୦୨୨ ବେଳକୁ ଦେଶର ଗରିବ ଲୋକସଂଖ୍ୟା ୩ ପ୍ରତିଶତ ତଳକୁ ଖସି ଆସିପାରେ। ଏସ୍‌ଡିଜି (ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ୍‌ ଗୋଲ୍‌)ରେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଦାରିଦ୍ର୍ୟ ନିରାକରଣର ଯେଉଁ ଲକ୍ଷ୍ୟ ରଖାଯାଇଛି, ଭାରତ ଦ୍ୱାରା ସେହି ଲକ୍ଷ୍ୟ ହାସଲ ସମ୍ଭବ। ଦାରିଦ୍ର୍ୟ ହ୍ରାସ ନେଇ ବିଶ୍ଵବ୍ୟାଙ୍କ୍‌ର ଏହି ତଥ୍ୟ ଭାରତ ସରକାରଙ୍କ ତଥ୍ୟ ସହ ମେଳ ଖାଇ ନ ପାରେ। କାରଣ ଦାରିଦ୍ର୍ୟ ଆକଳନ ପାଇଁ ବିଶ୍ୱବ୍ୟାଙ୍କ୍‌ ଓ ଭାରତ ସରକାରଙ୍କ ମାପକାଠି ପରସ୍ପରଠାରୁ ଭିନ୍ନ। ସରକାରୀ ଆକଳନ ଅନୁଯାୟୀ, ଦେଶର ଦାରିଦ୍ର୍ୟ ହାର ୨୦୦୪ରୁ ୨୦୧୧ ମଧ୍ୟରେ ୩୮.୯%ରୁ ୨୧.୨%କୁ ହ୍ରାସ ପାଇଛି। ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟର କୌଣସି ସାନି ଆକଳନ ହୋଇ ନାହିଁ। ତେବେ ବିଶ୍ୱବ୍ୟାଙ୍କ୍‌ ରିପୋର୍ଟରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ ଦେଶରେ ଦାରିଦ୍ର୍ୟର ପ୍ରକୋପ ତ୍ୱରାନ୍ଵିତ ଗତିରେ ହ୍ରାସ ପାଇ ଚାଲିଛି।

ତେବେ ଏ ସଫଳତାରେ ଆତ୍ମତୃପ୍ତିର କୌଣସି ଅବକାଶ ନାହିଁ। ବର୍ତ୍ତମାନ ମଧ୍ୟ ବିଶ୍ୱବ୍ୟାଙ୍କ୍‌ ମାପକାଠିରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ବିଶ୍ୱବ୍ୟାଙ୍କ ଆକଳନ ଅନୁଯାୟୀ ଦେଶରେ ଗରିବଙ୍କ ସଂଖ୍ୟା ୭୧,୩୫୭,୬୧୨, ମୋଟ ଲୋକସଂଖ୍ୟାର ୫ ପ୍ରତିଶତରୁ ବି ଅଧିକ। ଆନ୍ତିର୍ଜାତିକ ମାପଦଣ୍ଡରେ ଯଦି ଗରିବଙ୍କ ସଂଖ୍ୟା ଏତିକି, ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାପକାଠିରେ ଗରିବଙ୍କ ସଂଖ୍ୟା ଆହୁରି ଅଧିକ ହେବ। ଏହା ସତ୍ତ୍ୱେ ୨୦୩୦ ସୁଦ୍ଧା ‘ଦାରିଦ୍ର୍ୟ ମୁକ୍ତ’ ଭାରତର ସ୍ୱପ୍ନ ଆଉ ଅବାସ୍ତବ ମନେହେଉନାହିଁ। ଲକ୍ଷ୍ୟ ହାସଲ ସହଜ ନହେଲେ ସୁଦ୍ଧା ଆଦୌ ଅସମ୍ଭବ ନୁହେଁ। ଦୃଢ଼ ଇଚ୍ଛା ଶକ୍ତି ସହ ଦାରିଦ୍ର୍ୟ ମୁକାବିଲା ଜାରି ରହିଲେ ଲକ୍ଷ୍ୟ ଅବଶ୍ୟ ହାସଲ ହେବ। ବିଶେଷଜ୍ଞମାନେ ଦାରିଦ୍ର୍ୟ ମୁକାବିଲାରେ ଏ ସଫଳତା ପାଇଁ ମୁଖ୍ୟତଃ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର ଧାରାକୁ ଶ୍ରେୟ ଦେଉଛନ୍ତି। ସେମାନଙ୍କ ମତରେ ୧୯୯୧ରେ ଉଦାରୀକରଣ ପରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଫଳରେ ଦାରିଦ୍ର୍ୟ ହାର ମାନିଛି। ବିଶେଷକରି ଗତ ଦେଢ଼ ଦଶନ୍ଧିରେ ଉଚ୍ଚ ହାରରେ ଅର୍ଥନୈତିକ ଅଭିବୃଦ୍ଧି ଫଳରେ ଦାରିଦ୍ର୍ୟ ହ୍ରାସ ତ୍ୱରାନ୍ଵିତ ହୋଇଛି। ଅର୍ଥନୈତିକ ବିଶାରଦଙ୍କ ମତରେ ବାର୍ଷିକ ୭ରୁ ୮ ପ୍ରତିଶତ ଅଭିବୃଦ୍ଧି ଅବ୍ୟାହତ ରହିଲେ ୨୦୩୦ ବେଳକୁ ଦେଶରୁ ସମ୍ପୂର୍ଣ୍ଣ ଭାବେ ଦାରିଦ୍ର୍ୟ ନିରାକରଣ ସମ୍ଭବ। ଏହା କିନ୍ତୁ ଆଂଶିକ ସତ୍ୟ। ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ଆପେ ଦାରିଦ୍ର୍ୟ ହ୍ରାସ ହେବ ନାହିଁ। ଅର୍ଥନୈତିିକ ଅଭିବୃଦ୍ଧିର ସୁଫଳ ସୀମାନ୍ତରିତ, ଅର୍ଥନୈତିକ- ସାମାଜିକ ଦୃଷ୍ଟିରୁ ଦୁର୍ବଳତମ ବର୍ଗଙ୍କ ପାଖରେ ପହଞ୍ଚି ପାରିଲେ ଯାଇ ଦାରିଦ୍ର୍ୟ କମିବ।

ଗୋଟିଏ କଲ୍ୟାଣମୂଳକ ବ୍ୟବସ୍ଥାରେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଅଭିବୃଦ୍ଧିର ସୁଫଳ ପହଞ୍ଚାଇବା ଲାଗି ବାହକ ହେଲା ରାଷ୍ଟ୍ର ବା ସରକାର। ଦାରିଦ୍ର୍ୟ ନିରାକରଣ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ଏବଂ ଏହାର ସମ୍ବେଦନଶୀଳ, ଦକ୍ଷ ରୂପାୟନ ଏକାନ୍ତ ଅପରିହାର୍ଯ୍ୟ, ଯାହା ସରକାରଙ୍କ ଦାୟିତ୍ୱ। ତେବେ ପରିତାପର ବିଷୟ ହେଲା, ଆମ ଦେଶରେ ଯୋଜନା ପ୍ରଣୟନ ଓ ରୂପାୟନରେ ସରକାରୀ କଳର ଅପାରଗତା ଓ ଅଦକ୍ଷତା ଏକ ନିଷ୍ଠୁର ବାସ୍ତବତା। ଅନେକ ସମୟରେ ଯୋଜନା ପ୍ରଣୟନରେ ମାତ୍ରାତିରିକ୍ତ ଉତ୍ସାହ ଯୋଗୁ ଯୋଜନା ବାସ୍ତବ ଧର୍ମୀ ହୁଏ ନାହିଁ। ରୂପାୟନ ମଧ୍ୟ ଦୁର୍ନୀତି ଓ ଅପାରଗତା ଦ୍ୱାରା ଆକ୍ରାନ୍ତ। ଅନ୍ୟଥା କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ମାଳ ମାଳ ଯୋଜନା ଓ ବିପୁଳ ଅର୍ଥ ବରାଦ ସତ୍ତ୍ୱେ ଦେଶରେ କୃଷି ଆଜି ସଙ୍କଟରେ ନଥାନ୍ତା। ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ ଜାରି ରହି ନଥାନ୍ତା। ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗକୁ ମୁଖ୍ୟତଃ ଲକ୍ଷ୍ୟରେ ରଖି ଦାରିଦ୍ର୍ୟ ନିରାକରଣ ଯୋଜନା କାର୍ଯ୍ୟକାରୀ ହେଉଛି। ଅଥଚ ସାଧାରଣ ବର୍ଗରେ ଦାରିଦ୍ର୍ୟ ଯେଉଁ ହାରରେ ହ୍ରାସ ପାଉଛି, ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ସେହି ହାରରେ ହ୍ରାସ ପାଉ ନାହିଁ କାହିଁକି? ଏହି ପ୍ରଶ୍ନର ତଲାସ କରି ଯୋଜନାର ନବୀକରଣ ଓ ଦକ୍ଷ ରୂପାୟନ ଆବଶ୍ୟକ। ମନେ ରଖିବାକୁ ହେବ ଯେ, ଦେଶର ଅଧା ଜନସଂଖ୍ୟା ଜୀବିକା ପାଇଁ ନିର୍ଭର କରୁତିବା କୃଷି ସମସ୍ୟାର ସମାଧାନ ଓ ଦଳିତ, ଆଦିବାସୀଙ୍କ ଅର୍ଥନୈତିକ- ସାମାଜିକ ଉତ୍‌ଥାନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ବିନା ଦେଶରୁ ଦାରିଦ୍ର୍ର୍ୟର ସମ୍ପୂର୍ଣ୍ଣ ଉନ୍ମୁଳନ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର