ପୁଞ୍ଜିପତିଙ୍କ ଲାଗି ଆହ୍ବାନ

ପ୍ରଶାନ୍ତ ପୀୟୂଷ ମହାପାତ୍ର

୧୯୩୦ରେ ବିଶ୍ବ ଅର୍ଥନୀତିରେ ଭୟଙ୍କର ମାନ୍ଦାବସ୍ଥା (ଗ୍ରେଟ୍‌ ଡିପ୍ରେସନ୍‌) ସମୟରେ ବଜାରରେ ଚାହିଦା ନ ଥିବାରୁ ପୁଞ୍ଜିପତି ବା କଳକାରଖାନା ମାଲିକମାନେ ଆଉ ଅଧିକ ପୁଞ୍ଜି ନିବେଶ ଲାଗି ଆଗଭର ହେଲେ ନାହିଁ। ଏହା ଦ୍ବାରା ଉତ୍ପାଦନ କମିଲା। ଆୟ ଏବ˚ ଅଭିବୃଦ୍ଧି ସବୁକିଛି ପ୍ରଭାବିତ ହେଲା। ଏହି ସମୟରେ ଅର୍ଥନୀତିକୁ ବାଗେଇବାର ବାଟ ଦେଖାଇଥିଲେ ବିଖ୍ୟାତ ଅର୍ଥନୀତିଜ୍ଞ ଜନ୍‌ ମେନାଡ୍‌ କେନ୍‌ସ। ସେ କହିଥିଲେ, ‘ସରକାର ବା ରାଷ୍ଟ୍ର ହସ୍ତକ୍ଷେପ’ କରି ଅର୍ଥନୀତିକୁ ପୁଣି ଚଳଚଞ୍ଚଳ କରୁ। ଅର୍ଥାତ ସରକାର ହିଁ ବିଭିନ୍ନ କାର୍ଯ୍ୟକ୍ରମ ମାଧୢମରେ ନିବେଶକଙ୍କୁ ପ୍ରୋତ୍ସାହନ ଦେଉ। ବିଶ୍ବାସ କରାଯାଏ ଯେ ସେ କହିଥିଲେ, ଯଦି କିଛି ରାସ୍ତା ନାହିଁ ତେବେ ଖାଲ ଖୋଳାଯାଉ ଏବ˚ ପୁଣି ପୋତାଯାଉ। ଏବଂ ଏହି ଖୋଳିବା ପୋତିବା ଭିତରେ ଲୋକଙ୍କ ହାତକୁ ପଇସା ଆସୁ। ସେମାନଙ୍କ କ୍ରୟଶକ୍ତି ବଢୁ। ଏଭଳି ହେଲେ ସେମାନେ ବଜାର ମୁହାଁ ହେବେ, ଦ୍ରବ୍ୟର ଚାହିଦା ବଢିବ ଏବଂ ତାକୁ ତାଳ ଦେଇ ଉତ୍ପାଦନ ବୃଦ୍ଧି ପାଇବ। ଅର୍ଥନୀତିରେ ଉଷ୍ମତା ପୁଣି ଫେରିବ। ଏବେ ଦେଖା ଦେଇଥିବା ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଶିଳ୍ପ ଓ ବ୍ୟବସାୟ ପାଇଁ ଯେଉଁସବୁ ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରୁଛନ୍ତି ତାହା କେନ୍‌ସଙ୍କର ଏହି ଚିନ୍ତାଧାରା ଉପରେ ଆଧାରିତ। ୨୦୦୮ରେ ମଧ୍ୟ ସମଗ୍ର ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିଲା। ଭାରତରେ ବି ଏହାର ପ୍ରଭାବ ପଡ଼ିଥିଲା। ସେତେବେ‌ଳେ ସରକାର ଘରୋଇ କ୍ଷେତ୍ରକୁ ଆର୍ଥିକ ପ୍ରୋତ୍ସାହନ ଦେବାରୁ ଅର୍ଥ ବ୍ୟବସ୍ଥା ଶୀଘ୍ର ସୁଧୁରି ଯାଇଥିଲା। କିନ୍ତୁ ଏହା ଗୋଟିଏ ମହତ ବାଣୀ ଶୁଣାଇ ଦେଇଥିଲା ଯେ ଦେଶର ଅର୍ଥ ବ୍ୟବସ୍ଥା ରାଷ୍ଟ୍ରର ନିୟନ୍ତ୍ରଣ ଭିତରେ ଥିଲେ, ଏଭଳି ବିପର୍ଯ୍ୟୟକୁ ରୋକିବା ସହଜ ହୋଇଥାଏ। କାରଣ ଯଦି ଭାରତୀୟ ଅର୍ଥନୀତିରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ବଡ଼ ଅ˚ଶ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସରକାରଙ୍କ ହାତରେ ନ ଥାନ୍ତା, ତେବେ ୨୦୦୮ର ମାନ୍ଦା ସ୍ଥିତିରୁ ମୁକୁଳିବା ସହଜ ହୋଇ ନଥାନ୍ତା। କିନ୍ତୁ, ବିଡ଼ମ୍ବନା ଯେ ଏହା ସତ୍ତ୍ବେ ଉଦାରୀକରଣ ନାମରେ ରାଷ୍ଟ୍ରର ଶକ୍ତି କ୍ଷୟ କରିବାର ଉଦ୍ୟମ ହେବାରେ ଲାଗିଛି। ଦେଶର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଘରୋଇ ଉଦ୍ୟୋଗକୁ ପ୍ରବେଶ କରାଯାଉଛି। ଭାରତୀୟ ଅର୍ଥନୀତି ଏବେ ଯେଉଁ ମୋଡ଼ରେ, ସେଠି ସାଧାରଣ ସମୟରେ ରାଷ୍ଟ୍ରର ଭୂମିକା ଗୌଣ ହେବାରେ ଲାଗିଛି। କେଉଁ ସାମଗ୍ରୀ କେତେ, କାହା ପାଇଁ ଏବ˚ କିଭଳି ଉତ୍ପାଦିତ ହେବ ସେସବୁ ବଜାର ବ୍ୟବସ୍ଥା ମାଧୢମରେ ହେଉଛି, ଯାହାର ନିଷ୍ପତ୍ତି ପୁଞ୍ଜିପତିଙ୍କ ହାତରେ। ଏହା ଏକ ଚରମ ଉପଭୋକ୍ତାବାଦ ସୃଷ୍ଟି କରୁଛି। ଭଲ ସମୟରେ ସିନା ପୁଞ୍ଜିପତିଙ୍କ ଉତ୍ସାହକୁ ଆଧାର କରି ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଧାଉଁଛି; ଯେତେବେଳେ ସମୟ ଖରାପ ପଡ଼ୁଛି ପୁଞ୍ଜିପତି ସରକାରଙ୍କ ହାତକୁ ଚାହିଁ ବସୁଛନ୍ତି। କମ୍‌ ସୁଧରେ ଋଣ, ଟିକସ ଛାଡ଼ ଆଦି କେତେ କ’ଣ ଦାବି କରୁଛନ୍ତି। ପୁଞ୍ଜିପତିଙ୍କ ଏଭଳି ବିକଳ ସ୍ଥିତିରେ ସରକାର ପ୍ୟାକେଜ୍‌ ଦେଇ ନିଜେ ଆର୍ଥିକ ବୋଝ ମୁଣ୍ତାଉଛନ୍ତି। ବଜାର ଚାହିଦା ବଢ଼ାଇବା ଉଦ୍ଦେଶ୍ୟରେ ସରକାର ପୁଞ୍ଜିପତିମାନଙ୍କ ପାଇଁ ମଧୢ ହାତଖୋଲା ଖର୍ଚ କରୁଛନ୍ତି। କିନ୍ତୁ ଦେଖା ଯାଉଛି ଯେ ପୁଞ୍ଜିପତିମାନେ ଏହାର ଫାଇଦା ନେଇ ନିଜେ ଲାଭବାନ ହେଉଛନ୍ତି ସିନା, ଉପଭୋକ୍ତାମାନଙ୍କୁ ଏହାର ଲାଭ ‌େଦଉନାହାନ୍ତି। ଉଦାହରଣ ସ୍ବରୂପ କର୍ପୋରେଟ୍‌ ଟିକସ ହ୍ରାସର ଲାଭ ପାଇଥିବା କୌଣସି ଉଦ୍ୟୋଗ ତାର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟକୁ ହ୍ରାସ କରି କିଛି ସୁବିଧା ଗ୍ରାହକଙ୍କୁ ଦେବେ କି?

ମନେ ରଖିବାକୁ ହେବ ଯେ ପୁଞ୍ଜିବାଦର ମୂଳ ଦର୍ଶନ ହେଉଛି ଅଧିକରୁ ଅଧିକ ଲାଭ ଅର୍ଜନ। କାର୍ଲ ମାର୍କସ କହିଥିଲେ ଯେ ପୁଞ୍ଜିବାଦ ଦିନେ ନିଜର ଓଜନ ସମ୍ଭାଳି ନ ପାରି ଭୁଶୁଡ଼ି ପଡ଼ିବ। ଭାରତର ପୁଞ୍ଜପତିଙ୍କ ଲାଗି ଏହା ଏକ ସତର୍କ ବାଣୀ ହେବା ଉଚିତ। ସେମାନେ ନିଜେ ପାଉଥିବା ଲାଭର କିଛି ଅଂଶ ଗ୍ରାହକଙ୍କୁ ପ୍ରଦାନ କରି ନିଜ ଉତ୍ପାଦିତ ଦ୍ରବ୍ୟର ଚାହିଦା ନ ବଢାଇଲେ, ସେଇ ପୁଂଜିପତିମାନେ ହିଁ ପରିଶେଷରେ ଆକ୍ରାନ୍ତ ହେବେ। ତେଣୁ ପୁଞ୍ଜିପତିମାନେ ବୁଝିବା ଦରକାର ଯେ ମାନ୍ଦାବସ୍ଥା ହେଉଛି ସେମାନଙ୍କ ଲାଗି ସବୁଠାରୁ ଅଧିକ ଆହ୍ବାନଭରା ସମୟ।
[email protected]

ସମ୍ବନ୍ଧିତ ଖବର