ଗଣ-ଅଫିମ

0 94

୧୯୯୬ ମେ’ ମାସରୁ ଆରମ୍ଭ କରି ଦୀର୍ଘ ୧୮ ମାସ କାଳ ଧରି ରାତିର ଆକାଶରେ ଖାଲି ଆଖିକୁ ଦୃଶ୍ୟମାନ ହୋଇ ଏକ ଉଜ୍ଜ୍ୱଳ ଧୂମକେତୁ ଏ ବାବଦରେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହିତ ପୃଥିବୀବାସୀଙ୍କ ହୃଦୟକୁ ଯୁଗ୍‌ପତ ଆନନ୍ଦ ଓ ଆଶଙ୍କାରେ ଭରି ଦେଇଥିଲା। ଆନନ୍ଦ- କାରଣ ଧୂମକେତୁ ହେଉଛି ଏକ ବିରଳ ମହାଜାଗତିକ ଦୃଶ୍ୟ; ଆଶଙ୍କା- କାରଣ ଏହା ଏକ ଅଶୁଭ ସୂଚନା ବୋଲି କେତେକଙ୍କ ମଧ୍ୟରେ ଏକ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି। ଏହି ଧୂମକେତୁକୁ ୧୯୯୫ରେ ପ୍ରଥମେ ଆବିଷ୍କାର କରିଥିଲେ ଆଲାନ୍‌ ହେଲ୍‌ ଏବଂ ଥମାସ୍‌ ବପ; ତେଣୁ ଏହାର ନାମ ରଖାଯାଇଛି ହେଲ୍‌- ବପ ଧୂମକେତୁ। ୧୯୯୭ ଏପ୍ରିଲ୍‌ ପହିଲା ଦିନ ହେଲ୍‌-ବପ୍‌ ସୂର୍ଯ୍ୟଙ୍କର ସର୍ବାଧିକ ନିକଟବର୍ତ୍ତୀ ହୋଇଥିଲା। ଏହି କାରଣରୁ ସେ ସମୟରେ ଏହାର ଉଜ୍ଜ୍ୱଳତା ସର୍ବାଧିକ ସ୍ତରରେ ପହଞ୍ଚିଥିଲା।

୧୯୯୭ ମାର୍ଚ୍ଚ ୨୬ ତାରିଖ ଦିନ ଆମେରିକାରେ ହେଲ୍‌-ବପ୍‌କୁ କେନ୍ଦ୍ର କରି ଘଟିଥିବା ଏକ ଲୋମହର୍ଷଣକାରୀ ଘଟଣା ଆବିଷ୍କୃତ ହୋଇଥିଲା। ଏହା ପରେ ଏହି ଧୂମକେତୁର ଆବିଷ୍କାରକ ଡକ୍ଟର୍‌ ହେଲ୍‌ଙ୍କ ଟେଲିଫୋନ୍‌ ଦିନସାରା ଘନ ଘନ ବାଜିବାକୁ ଲାଗିଥିଲା। ସେ କୌଣସି ଟେଲିଫୋନ୍‌ ଧରି ନଥିଲେ ଓ ପରଦିନ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ତେବେ ୧୯୯୮ ଜୁଲାଇରେ ଜର୍ମାନୀର ହାଇଡେଲ୍‌ବର୍ଗ ଠାରେ ଅନୁଷ୍ଠିତ ଦ୍ୱିତୀୟ ‘ବିଶ୍ୱ ସନ୍ଦେହୀ ସମ୍ମିଳନୀ’ରେ ସେ ଏ ସମ୍ପର୍କରେ ନିଜର ମତାମତ ଅଧିକ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲେ। ଏଠାରେ ସେ ବିଜ୍ଞାନ-ନିରକ୍ଷରତା, ଆତ୍ମପ୍ରବଞ୍ଚନା, ଏକ ବହୁଳ ପ୍ରସାରିତ ରେଡିଓ ଆଲୋଚନା ଏବଂ ଏକ ତଥାକଥିତ ଧର୍ମୀୟ ବା ଆଧ୍ୟାତ୍ମିକ ମତାବଲମ୍ବୀ ଗୋଷ୍ଠୀର ଉଦ୍ଭଟ ସ୍ୱର୍ଗଯାତ୍ରା ଇଚ୍ଛାକୁ ଉପରେ ସୂଚିତ ଲୋମହର୍ଷଣକାରୀ ଘଟଣା ପାଇଁ ମିଳିତ ଭାବରେ ଦାୟୀ କରିଥିଲେ। ଏଠାରେ ଡକ୍ଟର୍‌ ହେଲ୍‌ ନିଜର ସ୍ମୃତି ଚାରଣ କରି କହିଥିଲେ ଯେ ହେଲ୍‌-ବପ୍‌ର ଆବିର୍ଭାବର ଅବ୍ୟବହିତ ପୂର୍ବରୁ ସେ ଜଣେ ସହକର୍ମୀଙ୍କୁ ସତର୍କ କରିଦେଇଥିଲେ ଯେ ବୋଧହୁଏ ହେଲ୍‌-ବପ୍‌ ଯୋଗୁଁ କେତେକ ଆତ୍ମହତ୍ୟା ଘଟିବା ଦେଖାଯିବ! ସେ ଦୁଃଖ ପ୍ରକାଶ କରିଥିଲେ ଯେ ଧୂମକେତୁ ମାନ ଅତି ସୁନ୍ଦର ବସ୍ତୁ ହୋଇଥିଲେ ହେଁ, ଆମେ ବୁଦ୍ଧିଭ୍ରଷ୍ଟ ହୋଇ ଏହାକୁ ଆଳ କରି ନାନା ଅଘଟଣ ଘଟାଇଥାଉ।
ଯେଉଁ ଘଟଣା ହେଲ୍‌-ବପ୍‌ର ଆବିଷ୍କର୍ତ୍ତାଙ୍କୁ ଏପରି ବ୍ୟଥିତ କରିଥିଲା, ତାହା ହେଲା ଉପରେ ସୂଚନା ଦିଆଯାଇଥିବା ୧୯୯୭ ମାର୍ଚ୍ଚ ୨୬ରେ ପୁଲିସ୍‌ କାଲିଫର୍ଣ୍ଣିଆରେ ଆବିଷ୍କାର କରିଥିବା ଏକ ଆଧ୍ୟାତ୍ମିକ ଗୋଷ୍ଠୀର ୩୯ ଜଣ ସଦସ୍ୟଙ୍କର ଗଣ ଆତ୍ମହତ୍ୟା। ‘ହେଭେନ୍‌’ସ ଗେଟ୍‌’ (‘ସ୍ୱର୍ଗକୁ ଦ୍ୱାର’) ନାମକ ଏହି ଗୋଷ୍ଠୀର ସଦସ୍ୟମାନେ ଏହାର ପ୍ରତିଷ୍ଠାତା ଗୁରୁଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଶ୍ୱାସ କରିଥିଲେ ଯେ ସେମାନେ ଏହି ସମୟରେ ଆତ୍ମହତ୍ୟା କଲେ ସେମାନଙ୍କ ଆତ୍ମା ହେଲ୍‌-ବପ୍‌ ପଛେ ପଛେ ଆସୁଥିବା ଏକ ପୃଥିବୀ ବାହାରର ମହାକାଶ ଯାନ ଆରୋହଣ କରି ସିଧା ସଳଖ ସ୍ୱର୍ଗକୁ ଯାତ୍ରା କରି ମୋକ୍ଷ ଲାଭ କରିବେ। ଉପରେ ଉଲ୍ଲେଖ କରାଯାଇଥିବା ରେଡିଓ ଷ୍ଟେସନ୍‌ ପ୍ରଚାର କରିବାରେ ଲାଗିଥିଲା ଯେ ଧୂମକେତୁ ହେଲ୍‌-ବପ୍‌ ପଛେ ପଛେ ଏକ ଅଜଣା ମହାକାଶ ଯାନ ତାକୁ ଅନୁଧାବନ କରିଚାଲିଛି। ଏହି କପୋଳକଳ୍ପିତ କାହାଣୀକୁ ‘ହେଭେନ୍‌’ସ ଗେଟ୍‌’ ପନ୍ଥୀମାନେ ପୂରାପୂରି ବିଶ୍ୱାସ କରିଯାଇଥିଲେ। ପନ୍ଥାର ଗୁରୁ ମାର୍ଶାଲ୍‌ ଆପ୍‌ଲହ୍ଵାଇଟ୍‌ ଏହି ମହାକାଶଯାନ ଆରୋହଣ ନିମିତ୍ତ ତାଙ୍କର ୩୮ଜଣ ଅନୁଗାମୀମାନଙ୍କୁ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଟେପ୍‌ ରେକର୍ଡରରେ ରେକର୍ଡ କରିଥିଲେ। ପୁଲିସ୍‌ ପରେ ସେହି ଟେପ୍‌କୁ ବଜାଇବାରୁ ଜଣାପଡ଼ିଲା ଯେ ମହାକାଶଯାନ ଆରୋହଣ ନିମିତ୍ତ ଗଣ-ଆତ୍ମହତ୍ୟା ଏକମାତ୍ର ବାଟ ବୋଲି ଗୁରୁ କହିଥିଲେ। ଆପ୍‌ଲ ସସ୍‌ରେ

ଫେନୋବାର୍‌ବିଟାଲ୍‌ ନାମକ ଏକ ସ୍ନାୟବିକ ଔଷଧ ମିଶାଇ ସେବନ କରି ଏବଂ ତା’ ପରେ ମଦ୍ୟପାନ କରି ନିଜ ନିଜର ମୁଣ୍ଡକୁ ଗୋଟିଏ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତି କରି ତିନି ଛେକରେ ପର ପର ତିନି ଦିନରେ ଗୁରୁ ଆପ୍‌ଲହ୍ଵାଇଟ୍‌ଙ୍କ ସମେତ ସମସ୍ତ ୩୯ ଜଣ ପ୍ରାଣ ତ୍ୟାଗ କରିଥିଲେ। ସେମାନଙ୍କର ଆତ୍ମା ସବୁ ତିନି ଛେକରେ ମହାକାଶଯାନରେ ପ୍ରବେଶ କଲେ କି ସାଙ୍ଗ ହୋଇ ଏକ ସମୟରେ ସେଥିରେ ପ୍ରବେଶ କରି ଏକ ଅତିମାନବୀୟ ଜଗତ୍‌କୁ ଯାତ୍ରା କଲେ, କାହାରିକୁ ଜଣାନାହିଁ।

ଗଣଆତ୍ମହତ୍ୟା ମାଧ୍ୟମରେ ସ୍ୱର୍ଗଯାତ୍ରା କରି ମୋକ୍ଷ ଲାଭ ହାସଲ କରିବା ପାଇଁ ଏ ଭଳି ଉଦ୍ୟମକୁ ଯଦି କେହି ଏକ ବିକୃତ ପାଶ୍ଚାତ୍ୟ ସଂସ୍କୃତି ବୋଲି ବିଚାର କରୁଥିଲେ (କାରଣ, ଏହା ବ୍ୟତୀତ ସେଠାରେ ଏପରି ଗଣଆତ୍ମହତ୍ୟାର ଏକାଧିକ ଉଦାହରଣ ମଧ୍ୟ ରହିଛି), ଗତ ରବିବାର ଦିନ ଦିଲ୍ଲୀରେ ଆବିଷ୍କୃତ ହୋଇ ସାରା ଦେଶକୁ ସ୍ତବ୍‌ଧ କରି ଦେଇଥିବା ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କର ସମୂହ ଆତ୍ମହତ୍ୟା (ଏହା ଲେଖାହେବା ପର୍ଯ୍ୟନ୍ତ ପୁଲିସ୍‌ ଏହାକୁ ଆତ୍ମହ୍ୟା ବୋଲି ହିଁ ବିଶ୍ୱାସ କରୁଛି)ସେମାନଙ୍କର ସେ ଧାରଣାକୁ ନିଶ୍ଚିତ ରୂପେ ଦୂର କରି ଦେଇଥିବ। ‘ହେଭେନ୍‌’ସ ଗେଟ୍‌’ ଆତ୍ମହତ୍ୟାକାରୀମାନଙ୍କର ବୟସ ୨୬ ରୁ ୭୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ଦିଲ୍ଲୀ ଘଟଣାରେ ପ୍ରାଣବିସର୍ଜନକାରୀଙ୍କ ବୟସର ତାରତମ୍ୟ ହେଉଛି ୧୫ ରୁ ୭୭ ବର୍ଷ। ଆଶ୍ଚର୍ଯ୍ୟର କଥା ଏହି ପରିବାରରେ ପ୍ରଚଳିତ ଅନ୍ଧବିଶ୍ୱାସର ଶକ୍ତି ଏପରି ଯେ ଏହା ଆଦ୍ୟ ଯୌବନରୁ ଉତ୍ତର ବାନପ୍ରସ୍ଥ ପର୍ଯ୍ୟନ୍ତ ବର୍ଗର ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରିପାରିଛି। ‘ହେଭେନ୍‌’ସ ଗେଟ୍‌’ ଅନୁଗାମୀମାନଙ୍କ ପରି ଭାଟିଆ ପରିବାରର ସଦସ୍ୟମାନେ ମଧ୍ୟ ଆତ୍ମହତ୍ୟା ପୂର୍ବରୁ ନିଜ ନିଜର ଆଖି ଓ ମୁହଁକୁ ବନ୍ଦ କରି ଘୋଡ଼ାଇ ଦେଇଥିଲେ। ଏମାନେ ଆଉ ପାଦେ ଆଗକୁ ଯାଇ ପରସ୍ପରର ହାତଗୋଡ଼କୁ ମଧ୍ୟ ବାନ୍ଧି ଦେଇଥିଲେ। ଏ ସମ୍ବନ୍ଧରେ ବିଶେଷ ନିର୍ଦ୍ଦେଶାବଳୀ ମଧ୍ୟ ପରିବାରର ଜଣେ ସଦସ୍ୟ ଏକ ଖାତାରେ ଲିପିବଦ୍ଧ କରି ଛାଡ଼ିଯାଇଛନ୍ତି ବୋଲି ପ୍ରକାଶ ପାଇଛି। ଜୁନ୍‌ ୩୦ ତାରିଖରେ ଆତ୍ମହତ୍ୟା କଲେ ହିଁ ମୋକ୍ଷପ୍ରାପ୍ତି ହେବ ବୋଲି ସେମାନେ ବିଶ୍ୱାସ କରୁଥିଲେ। ସେମାନଙ୍କର ପରଲୋକଗତ ପିତାଙ୍କ ଆତ୍ମା ସେମାନଙ୍କୁ ଏଭଳି ସୂଚନା ଦେଉଥିଲେ ବୋଲି ଖାତାରେ ଲେଖା ହୋଇଛି।

ଏ ଘଟଣାରେ ମଧ୍ୟ ଜଣେ ତାନ୍ତ୍ରିକ ଗୁରୁଙ୍କର ସମ୍ପୃକ୍ତି ରହିଛି ବୋଲି ସୂଚନା ପ୍ରକାଶ ପାଉଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବାବାମୟ ଭାରତରେ ବାବାମାନଙ୍କର କଳଙ୍କିତ କାର୍ଯ୍ୟମାନଙ୍କର ତାଲିକା ଏତେ ଲମ୍ବା ଯେ ଏହା ସେଥିରେ ଆଉ ଏକ ଯୋଗଦାନ ମାତ୍ର ହେବ। କିନ୍ତୁ ଯାହା ଆଶ୍ଚର୍ଯ୍ୟର କଥା ତାହା ହେଲା ସମସ୍ତେ ସମସ୍ୱରରେ କହୁଛନ୍ତି ଯେ ଭାଟିଆ ପରିବାର ଥିଲା ଏକ ଶିକ୍ଷିତ, ସ୍ୱଚ୍ଛଳ, ସୁଖୀ ପରିବାର ଯାହା କବିଙ୍କ ଭାଷାରେ ବୈକୁଣ୍ଠ ସମାନ। ସେଠାରେ ଏ ଅଘଟଣ ଘଟିଲା କିପରି? ଏହାର ଏକମାତ୍ର ଉତ୍ତର ହେଉଛି ଧର୍ମାଧିକ୍ୟ। କାର୍ଲମାକ୍‌ର୍ସ ଯଥାର୍ଥରେ କହିଥିଲେ ଧର୍ମ ହେଉଛି ଗଣ-ଅଫିମ। ଯେଉଁ ଗଣ-ଅଫିମ ‘ହେଭେନ୍‌’ସ ଗେଟ୍‌’ ପନ୍ଥୀମାନଙ୍କୁ ହେଲ୍‌-ବପ୍‌ ପାଖକୁ ପଠାଇ ଦେଇଥିଲା, ସେଇ ଗଣ-ଅଫିମ ଭାଟିଆ ପରିବାରର ୧୧ ଜଣଙ୍କୁ ତଥାକଥିତ ମୋକ୍ଷ ପାଖକୁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.