ସଶକ୍ତର ଶକ୍ତି

ଏହା ଏବେ କାହାରିକୁ ଅଛପା ନୁହେଁ ଯେ ଭାରତରେ ବର୍ତ୍ତମାନ ବ୍ୟାଙ୍କ୍‌ ମାନଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ। ବ୍ୟାଙ୍କ୍‌ ବ୍ୟବସାୟର ମୂଳ ନିୟମ ହେଉଛି ଅତ୍ୟନ୍ତ ସରଳ ଓ ପୁରାତନ: ‘କ’ ଠାରୁ ନୀଚା ସୁଧ ହାରରେ ପଇସା ଆଣି ‘ଖ’କୁ ତାହା ଉଚ୍ଚ ସୁଧ ହାରରେ ଋଣ ଦିଅ। ଏ ଦୁଇ ସୁଧ ହାର ମଧ୍ୟରେ ଥିବା ତଫାତ୍‌ ହେଉଛି ବ୍ୟାଙ୍କ୍‌ର ଆୟ ଯେଉଁଥିରେ ଅନ୍ତର୍ଭୁକ୍ତ ଥାଏ ବ୍ୟାଙ୍କ୍‌ର ଲାଭ। ବ୍ୟାଙ୍କ୍‌ ପାଇଁ ତେଣୁ ସ୍ୱାଭାବିକ ଭାବରେ ସମସ୍ୟା ସୃଷ୍ଟି ହେବ ଯଦି ‘ଖ’ ଠିକଣା ସମୟରେ ଚୁକ୍ତି ମୁତାବକ ସେ ନେଇଥିବା ଋଣ ଉପରେ ସୁଧ ପଇଠ ନକରେ ଏବଂ ଋଣ ପରିଶୋଧରେ ଖିଲାପ କରେ। ତେବେ ଏହା ସତ ଯେ ବ୍ୟାଙ୍କ୍‌ ବ୍ୟବସାୟରେ ଋଣ ଖିଲାପ ହେବାର ସମ୍ଭାବନା ସର୍ବଦା ରହିଥାଏ ଏବଂ ତାହାକୁ ହିସାବକୁ ନେଇ ବ୍ୟାଙ୍କ୍‌ମାନେ ନିଜର ବ୍ୟବସାୟ ପରିଚାଳନା କରିଥାନ୍ତି। କିନ୍ତୁ ସମସ୍ୟା ସୃଷ୍ଟି ହୁଏ ଯେତେବେଳେ ଏହି ଖିଲାପ ସୀମା ଲଂଘନ କରେ।

ଭାରତୀୟ ବ୍ୟାଙ୍କ୍‌ ବ୍ୟବସାୟ କ୍ଷେତ୍ରରେ ଏହି ସୀମା ଲଂଘନ ଘଟିଛି ଯାହା ସମ୍ପୃକ୍ତ ବ୍ୟାଙ୍କ୍‌ମାନଙ୍କ ଠାରୁ ଆରମ୍ଭ କରି ସରକାରଙ୍କର ବିତ୍ତ ମନ୍ତ୍ରଣାଳୟ ଓ ଏପରିକି ସାଧାରଣ ଗ୍ରାହକମାନଙ୍କ ପାଇଁ ମୁଣ୍ଡବ୍ୟଥା ଓ ଆଶଙ୍କାର କାରଣ ହୋଇଛି। ଉପଲବ୍‌ଧ ସୂଚନା ଅନୁଯାୟୀ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଭାରତରେ ପଞ୍ଜିକୃତ ବ୍ୟାଙ୍କ୍‌ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଫେରସ୍ତ ହୋଇପାରୁ ନଥିବା ମୋଟ ଋଣ (ଯାହାକୁ ‘ବ୍ୟାଡ୍‌ ଲୋନ୍‌’ ବା ‘ଖରାପ ଋଣ’ ବା ‘ଏନ୍‌ପିଏ’ ରୂପେ ଅଭିହିତ କରା ହୋଇଥାଏ)ର ପରିମାଣ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ ସାରିଥିଲା। ଗତ ସପ୍ତାହରେ ପ୍ରକାଶିତ ବିତ୍ତୀୟ ସ୍ଥିରତା ସମ୍ପର୍କରେ ରିଜର୍ଭ ବ୍ୟାଙ୍କ୍‌ର ରିପୋର୍ଟରେ ସତର୍କବାଣୀ ଶୁଣାଇ ଦିଆଯାଇଛି ଯେ ଆଗାମୀ ମାସ ମାନଙ୍କରେ ଏଥିରେ ଆହୁରି ବୃଦ୍ଧି ଘଟି ଚାଲିବାର ସମସ୍ତ ସମ୍ଭାବନା ରହିଛି।

ଏହି ଖରାପ ଋଣ ବୋଝରୁ ବ୍ୟାଙ୍କ୍‌ମାନଙ୍କୁ ଆଂଶିକ ଭାବରେ ମୁକ୍ତ କରିବା ପାଇଁ ସରକାର ନିକଟ ଅତୀତରେ ବିଭିନ୍ନ ଉଦ୍ୟମ କରିବା ଆରମ୍ଭ କରିଛନ୍ତି। ୨୦୧୬ରେ ‘ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କ୍‌ରପ୍‌ସି କୋଡ୍‌’ (ଆଇବିସି) ପ୍ରଣୟନ ଓ ‘ନେସନାଲ୍‌ କମ୍ପାନି ଲ’ ଟ୍ରିବ୍ୟୁନାଲ’ ଆଦି ସ୍ଥାପନ ଏ ଦିଗରେ ନିଆଯାଇଥିବା କେତେକ ପଦକ୍ଷେପ ଯେଉଁଥିରୁ କିଛି ସୁଫଳ ମିଳିବା ଆରମ୍ଭ କରିଛି। କିନ୍ତୁ ସମସ୍ୟାର ଉପରୋକ୍ତ ଆକାର ଦେଖିଲେ କୌଣସି ସନ୍ଦେହ ରହେ ନାହିଁ ଯେ ଏ ସବୁ ଯଥେଷ୍ଟ ନୁହେଁ। ଅତୀତରେ ସମସ୍ତ ଖରାପ ଋଣକୁ ଏକାଠି କରି ପରିଚାଳନା କରିବା ପାଇଁ ‘ବ୍ୟାଡ୍‌ ବ୍ୟାଙ୍କ୍‌’ ବା ‘ଖରାପ ଋଣ ବ୍ୟାଙ୍କ୍‌’ ପ୍ରତିଷ୍ଠା କରିବା କଥା ମଧ୍ୟ ଗୁରୁତ୍ୱର ସହିତ ଚିନ୍ତା କରାଯାଇଥିଲା। କିନ୍ତୁ ଏଭଳି ଚିନ୍ତାଧାରାର ବିଭିନ୍ନ ଅନ୍ତର୍ନିହିତ ଦୁର୍ବଳତା ଯୋଗୁଁ ଏହାକୁ ଏକ ‘ବ୍ୟାଡ୍‌ ଆଇଡିଆ’ ବା ‘ଖରାପ ଚିନ୍ତାଧାରା’ ରୂପେ ତୀବ୍ର ସମାଲୋଚନା କରାଯିବାରୁ ସରକାରଙ୍କ ଦ୍ୱାରା ଗଠିତ ଏକ କମିଟି ବର୍ତ୍ତମାନ ପାଇଁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି।

ସୁନୀଲ ମେହେଟାଙ୍କ ନେତୃତ୍ୱରେ ଗଠିତ ବ୍ୟାଙ୍କର୍‌ ମାନଙ୍କର ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି କିନ୍ତୁ ବ୍ୟାଙ୍କ୍‌ ମାନଙ୍କର ଖରାପ ଋଣ ବୋଝର ସମାଧାନ ପାଇଁ ବର୍ତ୍ତମାନ ଏକ ବିକଳ୍ପ ପ୍ରସ୍ତାବ ଦେଇଛି ଯାହାକୁ ସୋମବାର ଦିନ ସରକାର ଗ୍ରହଣ କରିବା ସମ୍ପର୍କରେ ମଧ୍ୟବର୍ତ୍ତୀ କାଳୀନ ବିତ୍ତ ମନ୍ତ୍ରୀ ପୀୟୂଷ ଗୋୟାଲ୍‌ ଘୋଷଣା କରିଛନ୍ତି। ଏକ ବଜାର-ଭିତ୍ତିକ ଆଭିମୁଖ୍ୟ ମାଧ୍ୟମରେ ବ୍ୟାଙ୍କ୍‌ମାନଙ୍କର ଖରାପ ଋଣ ବା ଏନ୍‌ପିଏ ବୋଝ ହାଲୁକା କରି ସେମାନଙ୍କର ଶକ୍ତି ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ଏହି ନୂତନ ଉଦ୍ୟମକୁ ସ୍ୱଭାବସୁଲଭ ଢଙ୍ଗରେ ମୋଦୀ ସରକାର ନାମ ଦେଇଛନ୍ତି- ‘ସଶକ୍ତ’। ଏହି ନୂତନ ଯୋଜନା ଅନୁସାରେ ୫୦ କୋଟି ଟଙ୍କାରୁ କମ୍‌ ପରିମାଣର ଋଣ ଖରାପ ହେବା ଜଣାପଡ଼ିବାର ୯୦ ଦିନ ମଧ୍ୟରେ ସମ୍ପୃକ୍ତ ବ୍ୟାଙ୍କ୍‌ ଏହାର ସମାଧାନ ପାଇଁ ପଦକ୍ଷେପ ନେବ; ୫୦-୫୦୦ କୋଟି ଟଙ୍କାର ଏଭଳି ଋଣ ପାଇଁ ମୁଖ୍ୟ ବା ଲିଡ୍‌ ଋଣଦାତା ଦାୟିତ୍ୱ ବହନ କରି ୧୮୦ ଦିନ ମଧ୍ୟରେ ସମାଧାନର ଯୋଜନା ପ୍ରସ୍ତୁତ କରିବ; ୫୦୦ କୋଟି ଟଙ୍କାରୁ ଅଧିକ ଖରାପ ଋଣର ସମାଧାନ ପାଇଁ ଋଣ ପରିଚାଳନା କମ୍ପାନି (ଆସେଟ୍‌ ମ୍ୟାନେଜ୍‌ମେଣ୍ଟ୍‌ କମ୍ପାନି- ‘ଏଏମ୍‌ସି’) ପ୍ରତିଷ୍ଠିତ ହେବ, ଯାହା ଏକାଧିକ ହୋଇପାରେ। ‘ଏଏମ୍‌ସି’ରେ ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ସାଂସ୍ଥାନିକ ପୁଞ୍ଜିନିବେଶକମାନେ ‘ବିକଳ୍ପ ନିବେଶ ପାଣ୍ଠି’ (ଅଲ୍‌ଟର୍‌ନେଟିଭ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ (ଏଆଇଏଫ୍‌) ମାନ ପ୍ରତିଷ୍ଠା କରିବେ। ‘ଏଏମ୍‌ସି’ ମାନେ ଏହି ସମ୍ବଳ ବ୍ୟବହାର କରି ବ୍ୟାଙ୍କ୍‌ମାନଙ୍କ ଠାରୁ ସେମାନଙ୍କର ଖରାପ ବା କାଞ୍ଜିଆ ଋଣମାନ କ୍ରୟ କରିନେବେ। ବ୍ୟାଙ୍କ୍‌ମାନେ ମଧ୍ୟ ‘ଏଆଇଏଫ୍‌’ମାନଙ୍କରେ ପୁଞ୍ଜିନିବେଶ କରିପାରିବେ, ଯାହା ଦ୍ୱାରା ଭବିଷ୍ୟତରେ ସେମାନଙ୍କର ସମ୍ଭାବ୍ୟ ଲାଭରେ ଅଂଶ ପାଇ ପାରିବେ। ‘ଏଏମ୍‌ସି’ମାନେ ବିଶେଷଜ୍ଞମାନଙ୍କର ସାହାଯ୍ୟ ନେଇ ଖରାପ ପରି ସମ୍ପତ୍ତିର ସ୍ୱାସ୍ଥ୍ୟ ଫେରାଇ ଆଣିବାକୁ ଚେଷ୍ଟା କରିବେ। ଏଥିରୁ ସ୍ପଷ୍ଟ ଯେ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ୍‌ମାନଙ୍କୁ ଦୀର୍ଘକାଳ ଧରି ଖରାପ ଋଣ ବୋଝ ବୋହିବାକୁ ନଦେଇ ସ୍ୱଳ୍ପକାଳ ମଧ୍ୟରେ ତାହାକୁ ଏହି ନୂତନ ଅନୁଷ୍ଠାନକୁ ହସ୍ତାନ୍ତର କରି ଦିଆଯିବ। ତା’ପରେ ‘ଏଏମ୍‌ସି’ମାନେ ତରବର ନହୋଇ ପ୍ରକୃଷ୍ଟ ସମୟ ଦେଖି ସେ ଗୁଡ଼ିକୁ ସନ୍ତୋଷଜନକ ମୂଲ୍ୟରେ ବିକ୍ରି କରିବେ। ଏଥିରୁ ଯେଉଁ ଲାଭ ଉପୁଜିବ, ‘ଏଏମ୍‌ସି’ରେ ପୁଞ୍ଜିନିବେଶ କରିଥିବା ନିବେଶକମାନେ ସେଥିରୁ ଭାଗ ପାଇବେ।

ଏହା ଯେ ଏକ ସୁଚିନ୍ତିତ ଯୋଜନା, କେହି ଦ୍ୱିମତ ହେବେ ନାହିଁ। କିନ୍ତୁ ଏହି ଯୋଜନା କେତେଦୂର ସାବଲୀଳ ଭାବରେ କାର୍ଯ୍ୟ କରିବ, ତାହା ଆଉ ଏକ ପ୍ରଶ୍ନ। ବ୍ୟାଙ୍କ୍‌ମାନଙ୍କ ଠାରୁ ସେମାନଙ୍କର ଖରାପ ଋଣ ସବୁ କିଣି ଆଣିବା ପାଇଁ ଯେଉଁ ବିପୁଳ ସମ୍ବଳ ଆବଶ୍ୟକ, ସେତେ ଆକାରର ସମ୍ବଳ ‘ଏଆଇଏଫ୍‌’ ତଥା ‘ଏଏମ୍‌ସି’ରେ ବିନିଯୋଗ କରିବା ପାଇଁ ନିବେଶକମାନେ ଆଗ୍ରହୀ ହେବେ ତ? ଅନେକ ସମ୍ଭାବ୍ୟ ନିବେଶକମାନଙ୍କର ପକେଟ୍‌ ଏତେ ଗଭୀର ହୋଇ ନଥାଏ। ତା ବାଦ୍‌, ବ୍ୟାଙ୍କ୍‌ମାନଙ୍କ ନିକଟରେ ଥିବା ଖରାପ ଋଣର ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ ମଧ୍ୟ ସମସ୍ୟାମୁକ୍ତ ନୁହେଁ। ବ୍ୟାଙ୍କ୍‌ମାନେ ଏଥିପାଇଁ ଏକ ଅପେକ୍ଷାକୃତ ଉଚ୍ଚା ମୂଲ୍ୟ ଦାବି କରୁଥିବା ବେଳେ ‘ଏଏମ୍‌ସି’ ଏକ ଅପେକ୍ଷାକୃତ ନୀଚା ମୂଲ୍ୟ ଦେବାକୁ ଚାହିଁପାରେ। ଆଉ ବଡ଼ ପ୍ରଶ୍ନ ହେଲା, ‘ଏଆଇଏଫ୍‌’ରେ ପୁଞ୍ଜିନିବେଶ କରିବ କିଏ? ଏ ପର୍ଯ୍ୟନ୍ତ ଯାହା ଦେଖାଯାଇଛି, ଘରୋଇ ନିବେଶକମାନେ ଖରାପ ଋଣ ବଜାରରେ ପୁଞ୍ଜିନିବେଶ କରିବା ପାଇଁ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ‘ଆଇବିସି’ କାର୍ଯ୍ୟକାରୀ ହେବା ପରେ ଟାଟା ଷ୍ଟିଲ୍‌-ଭୂଷଣ କିମ୍ବା ବେଦାନ୍ତ-ଇଲେକ୍ଟ୍ରୋଷ୍ଟିଲ୍‌ କାରବାର ଭଳି କେତେକ ବଡ଼ ବଡ଼ ଖରାପ ଋଣ ସମାଧାନ ହୋଇଥିଲେ ମଧ୍ୟ ହଜାର ହଜାର ଖରାପ ଋଣ କିନ୍ତୁ ନିବେଶକ ଅଭାବରୁ ସେମିତି ପଡ଼ି ରହିଛି। ଏଣୁ ‘ସଶକ୍ତ’ ନିଜର ଶକ୍ତି ସଂଗ୍ରହ ପାଇଁ ଯଦି ଯଥେଷ୍ଟ ନିବେଶକ ନପାଏ, ତେବେ ଏହା ‘ଅଶକ୍ତ’ ଅବସ୍ଥାରେ ରହିବ ଏବଂ ପରିସ୍ଥିତିରେ କିଛି ଉନ୍ନତି ଘଟିବ ନାହିଁ।

ସମ୍ବନ୍ଧିତ ଖବର