କଣାଘୋଡ଼ାକୁ ବିରି ପାଣି!

0 206

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ)ର ନିଷ୍ପତ୍ତି କ୍ରମେ ସରକାର ଧାନ, କପା, ଜଓ୍ଵାର ସମେତ ୧୪ଟି କୃଷିଜାତ ସାମଗ୍ରୀର ଖରିଫ ଋତୁ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ଓଡ଼ିଶା ଚାଷୀକୁଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଧାନ (ରାଜ୍ୟରେ ଉତ୍ପାଦିତ ମୋଟ କୃଷିଜାତ ସାମଗ୍ରୀର ୯୦ ପ୍ରତିଶତ ଧାନ)ର ସହାୟକ ମୂଲ୍ୟ ୧୨.୯ ପ୍ରତିଶତ ବୃଦ୍ଧି କରି ସରକାର କ୍ୱିଣ୍ଟାଲ ପିଛା ଦର ୧୫୫୦ ରୁ ୧୭୫୦ ଟଙ୍କାକୁ ବଢ଼ାଇଛନ୍ତି। ସହାୟକ ମୂଲ୍ୟ ଏକକାଳୀନ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି ଏହା ପ୍ରଥମ। ପୂର୍ବରୁ ୨୦୧୨-୧୩ରେ ଧାନର ଏମ୍‌ଏସ୍‌ପି ସର୍ବାଧିକ ୧୭୦ ଟଙ୍କା ବୃଦ୍ଧି କରାଯାଇଥିଲା। ଗତ ପାଞ୍ଚବର୍ଷରେ ୫୦ରୁ ୮୦ ଟଙ୍କା ବୃଦ୍ଧି ହୋଇଛି। ବର୍ଷକରେ ଧାନର ସହାୟକ ମୂଲ୍ୟରେ ଏ ବୃହତ୍‌ ବୃଦ୍ଧି ନିଶ୍ଚିତ ଭାବେ ଦୁର୍ଦିନରେ ଥିବା ଚାଷୀକୁଳକୁ କିଛି ପରିମାଣରେ ଆଶ୍ୱସ୍ତ କରିବ। କିନ୍ତୁ ଏହା ସେମାନଙ୍କ ଆଶା ପୂରଣ କରି ପାରିବ ନାହିଁ କି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ଦିଗରେ ବିଶେଷ ସହାୟ ହେବ ନାହିଁ।

ଚଉଦ ସାଧାରଣ ନିର୍ବାଚନ ପ୍ରଚାର ବେଳେ ବିଜେପିର ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ଭାବେ ମୋଦୀ ଦେଶର ଚାଷୀଙ୍କୁ ପ୍ରତିଶ୍ରତି ଦେଇଥିଲେ ଯେ, ଉତ୍ପାଦନ ଖର୍ଚ୍ଚ ଉପରେ ଶତକଡ଼ା ୫୦ ପ୍ରତିଶତ ଅଧିକରେ ସହାୟକ ମୂଲ୍ୟ ଧାର୍ଯ୍ୟ ହେବ। ଜନାଦେଶ ପାଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପିର ନିର୍ବାଚନ ଇସ୍ତାହାରରେ ମଧ୍ୟ ଏହା ସ୍ଥାନ ପାଇଥିଲା। ଫଳରେ ଚାଷୀଙ୍କ ମନରେ ଆଶା ସୃଷ୍ଟି ହୋଇଥିଲା ଯେ, ଚାଷ ବାବଦ ସବୁ ଖର୍ଚ୍ଚ ଉପରେ କିଛି ଲାଭ ମିଳିବ। ଚାଷ ଏକ ବେଉସା ଭାବେ ଏଣିିକି ପୋଷାଇବ। କିନ୍ତୁ ସରକାରଙ୍କ ଦ୍ୱାରା ଏକକାଳୀନ ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧି ସତ୍ତ୍ୱେ ନା ଶାସକ ଦଳର ନିର୍ବାଚନ ପ୍ରତିଶ୍ରୁତି ପାଳନ ହୋଇଛି ନା ଚାଷୀଙ୍କ ଲାଭ ପାଇବା ଆଶା ପୂରଣ ହୋଇଛି। କଣା ଘୋଡ଼ାକୁ ବିରି ପାଣିରେ ସନ୍ତୁଷ୍ଟ କରିବା ନୀତିରେ ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧି ଫଳରେ ଚାଷୀ ସହୁଥିବା କ୍ଷତିର ପରିମାଣ କିଛି କମିବ ସିନା, ଲାଭ ମିଳିବା ସମ୍ଭାବନା ନାହିଁ। କାରଣ, ସରକାର ପ୍ରତିଶ୍ରୁତି ଅନୁଯାୟୀ କୃଷି ଉତ୍ପାଦନ ବାବଦ ସମସ୍ତ ଖର୍ଚ୍ଚ ହିସାବକୁ ନେଇ, ତା’ ଉପରେ ଅନ୍ତତଃ ୫୦ ପ୍ରତିଶତ ଅଧିକରେ ଦର ଧାର୍ଯ୍ୟ କରି ନାହାନ୍ତି। ସ୍ୱାମୀନାଥନ୍‌ କମିସନଙ୍କ ସୁପାରିସ ଅନୁଯାୟୀ ‘ସି-୨’ (କମ୍ପ୍ରିହେନ୍‌ସିଭ୍‌ କଷ୍ଟ୍‍) ସୂତ୍ର ଅନୁଯାୟୀ ସାର, ବିହନ, କୀଟନାଶକ, ଅନ୍ୟ ମୂଲିଆଙ୍କ ସମେତ ପରିବାରର ମଜୁରି, ଚାଷ ଜମିର ଭଡ଼ା ଓ ଚାଷରେ ଲାଗୁଥିବା ଋଣ ଓ ଅନ୍ୟ ପୁଞ୍ଜି ଉପରେ ସୁଧ ଆଦି ସବୁ ଖର୍ଚ୍ଚକୁ ମିଶାଇ ତା ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସରକାର କୃଷିର ଉତ୍ପାଦନ ଖର୍ଚ୍ଚ ହିସାବ ବେଳେ ‘ସି-୨’କୁ ବିଚାରକୁ ନ ନେଇ କେବଳ ଏ୨+ ଏଫ୍‌ଏଲ୍‌ (ଏକ୍‌ଚୁଆଲ କଷ୍ଟ+ ଫ୍ୟାମିଲି ଲେବର) ସୂତ୍ର ଅନୁଯାୟୀ ସାର, ବିହନ, କୀଟନାଶକ ଓ ପାରିବାରିକ ମଜୁରିକୁ ହିସାବକୁ ନେଇ ଉତ୍ପାଦନ ଖର୍ଚ୍ଚର ଆକଳନ କରି ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ସ୍ୱାମୀନାଥନ୍‌ କମିସନଙ୍କ ସୁପାରିସ ଆଧାରରେ ହିସାବ କଲେ ଉତ୍ପାଦନ ଖର୍ଚ୍ଚ ୧୫୬୦ ଟଙ୍କା ଉପରେ ୫୦% ଅଧିକରେ ଧାନର ସହାୟକ ମୂଲ୍ୟ ୨,୩୪୦ ଟଙ୍କା ଧାର୍ଯ୍ୟ ହେବା କଥା। ଅର୍ଥାତ୍‌ ଏମ୍‌ଏସ୍‌ପି ଏକକାଳୀନ ୨୦୦ ଟଙ୍କା ବଢ଼ାଇ ସରକାର ଯେତେ ବାହାସ୍ଫୋଟ ମାରିଲେ ସୁଦ୍ଧା ଚାଷୀ କ୍ୱିଣ୍ଟାଲ ପିଛା ୫୯୦ ଟଙ୍କା କ୍ଷତି ସହିବେ। ଓଡ଼ିଶା ଚାଷୀଙ୍କ ପାଇଁ ତ ଏହା ଅଧିକ ନିରାଶାଜନକ। ଦୁଇ ବର୍ଷ ତଳେ ୨୦୧୬ରେ ସରକାରୀ ଆକଳନ ଅନୁଯାୟୀ ଗୋଟିଏ କ୍ୱିଣ୍ଟାଲ ଧାନ ଉତ୍ପାଦନ ବାବଦ ଖର୍ଚ୍ଚ ୨୩୪୪ ଟଙ୍କା ହିସାବ କରାଯାଇଥିଲା। ଏହି ଉତ୍ପାଦନ ଖର୍ଚ୍ଚକୁ ବିଚାର କରି ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ ଲାଗି ଦାବି କରାଯାଇଥିଲା। କିନ୍ତୁ ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧି ସତ୍ତ୍ୱେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ଭରଣା ହୋଇ ପାରିବ ନାହିଁ। କୃଷି ଦର କମିସନ ଧାର୍ଯ୍ୟ କରିଥିବା ୧,୧୬୬ ଟଙ୍କା ଉତ୍ପାଦନ ଖର୍ଚ୍ଚ ଉପରେ ସରକାର ୧୭୫୦ ଟଙ୍କା ଏମ୍‌ଏସ୍‌ପି ଧାର୍ଯ୍ୟ କରିଛନ୍ତି।

କ୍ଷମତାକୁ ଆସିବାର ସାଢ଼େ ଚାରିବର୍ଷ ପରେ ଯାଇ ଚାଷୀଙ୍କୁ ଦେଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ମୋଦୀ ସରକାରଙ୍କ ମନେ ପଡ଼ିଲା। ଗତ ବଜେଟରେ ପ୍ରତିଶ୍ରୁତି ପାଳନ ହେବ ବୋଲି ଘୋଷଣା କଲେ। ଅଥଚ, ଶେଷରେ ଏମିତି ଅଧାପନ୍ତରିଆ ଢଙ୍ଗରେ ପ୍ରତିଶ୍ରୁତିକୁ ପାଳନ କଲେ ଯେ, ତାହା ଚାଷୀଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ କ୍ଷୁବ୍‌ଧ କରିଛି। ନିର୍ବାଚନ ପୂର୍ବରୁ ଏମ୍‌ଏସ୍‌ପି ବଢ଼ାଇ ଶାସକ ଦଳ ନିଶ୍ଚୟ ଭୋଟ ଅମଳର ଆଶା ରଖିଥିବେ। କିନ୍ତୁ ଚାଷୀଙ୍କ ଆଶା ପୂରଣ ହୋଇ ନ ଥିବାରୁ ଭୋଟ ଅମଳର ଆଶା ପୂରଣ ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ଓଡ଼ିଶା ଭଳି କିଛି ରାଜ୍ୟକୁ ବାଦ୍‌ ଦେଲେ, ୨୦୧୪ରେ ମଧ୍ୟ ଅନେକ ରାଜ୍ୟର ଚାଷୀମାନେ ଏ-୨+ ଏଫ୍‌ଏଲ୍‌ ୍‌ ସୂତ୍ରରେ ଉତ୍ପାଦନ ଖର୍ଚ୍ଚ ଉପରେ ୨୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଏମ୍‌ଏସ୍‌ପି ପାଉଥିଲେ। ମୋଦୀ ମହୋଦୟ ମଧ୍ୟ ଯେତେବେଳେ ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ଅଧିକରେ ଏମ୍‌ଏସ୍‌ପି ଧାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଲେ, ସେତେବେଳେ ତାଙ୍କ ମନରେ ‘ସି-୨’ ବା ସମୁଦାୟ ଉତ୍ପାଦନ ଖର୍ଚ୍ଚ ଥିଲା। କିନ୍ତୁ ଏବେ ସେହି ପୁରୁଣା ଏ-୨+ ଏଫ୍‌ଏଲ୍‌ ସୂତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟରେ କୌଣସି ନୂତନତ୍ୱ ନାହିଁ। କେବଳ ଚାଷୀଙ୍କୁ ଭଣ୍ଡେଇବା ସାର। ଏକା ଧାନ ନୁହେଁ, କପା ଓ ଅନ୍ୟାନ୍ୟ କେତେକ କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ଧାର୍ଯ୍ୟରେ ମଧ୍ୟ ‘ସି-୨’କୁ ବିଚାରକୁ ନିଆଯାଇ ନାହିଁ। ‘ସି-୨’ ସୂତ୍ର ଅନୁଯାୟୀ କପାର ସହାୟକ ମୂଲ୍ୟ ୬,୭୭୧ ଟଙ୍କା ଧାର୍ଯ୍ୟ ହେବା ବଦଳରେ ୫,୧୫୦ ଟଙ୍କା ସ୍ଥିର କରାଯାଇଛି।

ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ଆଉ ଏକ ବିଷୟ ମଧ୍ୟ ଏଠାରେ ଆଲୋଚନାର ଅପେକ୍ଷା ରଖୁଛି। ସହାୟକ ମୂଲ୍ୟ ବୃଦ୍ଧି ଫଳରେ ଆପେ ସବୁ ବର୍ଗର, ବିଶେଷ କରି କ୍ଷୁଦ୍ର, ଚାଷୀଙ୍କୁ ବର୍ଦ୍ଧିତ ମୂଲ୍ୟ ମିଳିଯିବ ବୋଲି ଆଶା କରାଯାଇ ନପାରେ। ଅବଶ୍ୟ, ଏ ସମସ୍ୟା ଆଜିର ନୁହେଁ। ପୂର୍ବରୁ ଏହି ସମସ୍ୟା ଲାଗି ରହିଛି। ନିଷ୍ଠୁର ବାସ୍ତବତା ହେଲା, ଦେଶର ଚାଷୀମାନେ ଉତ୍ପାଦନ କରୁଥିବା ମୋଟ କୃଷିଜାତ ଦ୍ରବ୍ୟର ଚଉଠେ ବି ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି ହୁଏ ନାହିଁ। ଜାତୀୟ ନମୁନା ସର୍ଭେ ସଂଗଠନ (ଏନ୍‌ଏସ୍‌ଏସ୍‌ଓ)ର ତଥ୍ୟ ଅନୁଯାୟୀ ଅତି ବେଶୀରେ ୩୦ ପ୍ରତିଶତ ଚାଷୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ସହାୟକ ମୂଲ୍ୟ ପାଇଥାନ୍ତିି। ଅବଶିଷ୍ଟ ୭୦ ପ୍ରତିଶତ ଚାଷୀ ସେମାନଙ୍କ ଉତ୍ପାଦ ଏମ୍‌୍‌ଏସ୍‌ପିଠାରୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏହାର ମୁଖ୍ୟ କାରଣ କୃଷିଜାତ ସାମଗ୍ରୀ ସଂଗ୍ରହ ଦାୟିତ୍ୱରେ ଥିବା ଏଫ୍‌୍‌ସିଆଇ ଓ ଅନ୍ୟ କେନ୍ଦ୍ରୀୟ ରାଜ୍ୟ ସରକାରୀ ସଂସ୍ଥାମାନେ ଏହି ଚାଷୀମାନଙ୍କ ପାଖରେ ପହଞ୍ଚି ପାରନ୍ତି ନାହିଁ, ସେଥିପାଇଁ କୌଣସି ଢାଞ୍ଚାଗତ ବ୍ୟବସ୍ଥା ସୁଦ୍ଧା ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ସହାୟକ ମୂଲ୍ୟରେ ଦୁଇ ଶହ ଟଙ୍କା ବୃଦ୍ଧିକୁ ‘ଐତିହାସିକ’ ବୋଲି ଦାବି କରିଛନ୍ତିି। ପ୍ରକୃତରେ ଏହା ‘ଐତିହାସିକ’ ପଦବାଚ୍ୟ ସେତେବେଳେ ହୋଇପାରିବ, ଯେତେବେଳେ ସରକାର ‘ସି-୨’ ସୂତ୍ରରେ ସମୁଦାୟ ଉତ୍ପାଦନ ଖର୍ଚ୍ଚ ଉପରେ ଚାଷୀଙ୍କୁ ୫୦ ପ୍ରତିଶତ ଲାଭ ଦେଇ ଏମ୍‌ଏସ୍‌ପି ଧାର୍ଯ୍ୟ କରିବେ, ଏବଂ ଶତ ପ୍ରତିଶତ ଚାଷୀଙ୍କଠାରୁ ଏମ୍‌ଏସ୍‌ପିରେ କୃଷି ସାମଗ୍ରୀର ଖର୍ଦ୍ଦି ନିଶ୍ଚିତ କରିପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.