ଆଶା, ସଂସ୍କାର ନନ୍ଦିଘୋଷ ଗଡ଼ିବ

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରାକୁ ଆଉ ମାତ୍ର ଗୋଟିଏ ସପ୍ତାହ ସମୟ ବାକି ଥିବା ବେଳେ କାଳିଆଶ୍ରିତ ଜଗନ୍ନାଥ ପ୍ରାଣ ଓଡ଼ିଆଙ୍କ ପାଇଁ ଏକ ଶୁଭ ଖବର। ପତିତପାବନ ବାନା ଉଡୁଥିବା ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆଣିବା ପାଇଁ ଅଟକି ରହିଥିବା ସଂସ୍କାର ନନ୍ଦିଘୋଷ ଶେଷରେ ଗଡ଼ିବା ଆଶା ଉଜ୍ଜ୍ୱଳ ହୋଇଛି। ପୂର୍ବରୁ ଅନେକ ଥର ସଂସ୍କାର ଲାଗି ପ୍ରୟାସ ସଫଳ ହୋଇ ନଥିବା ବେଳେ ଏଥର ସଂସ୍କାର ଆଶା ଉଜ୍ଜ୍ୱଳ କାହିଁକି? କାରଣ ଏଥର ଦେଶର ଉଚ୍ଚତମ ନ୍ୟାୟାଳୟ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ଏବଂ ଖୋଦ୍‌ ନ୍ୟାୟାଳୟଙ୍କ ତଦାରଖରେ ସଂସ୍କାର ପ୍ରକ୍ରିୟା ଚାଲିବ। ସୁପ୍ରିମ୍‌ କୋର୍ଟଙ୍କ ଗରିମା, ସାମ୍ବିଧାନିକ କ୍ଷମତା ଓ କର୍ତ୍ତୃତ୍ୱ ସଂସ୍କାର ପାଇଁ ସଦ୍ୟତମ ପ୍ରୟାସକୁ ଯଥେଷ୍ଟ ଦୃଢ଼ତା ଓ ବିଶ୍ୱସନୀୟତା ପ୍ରଦାନ କରିଛି। ଫଳରେ ସଂସ୍କାର ନନ୍ଦିଘୋଷ ଆଗକୁ ମାଡ଼ି ଚାଲିବା ଆଶା ଉଜ୍ଜ୍ୱଳ। କୌଣସି ନ୍ୟସ୍ତ ସ୍ୱାର୍ଥ ସଂସ୍କାର ରଥର ଏ ଯାତ୍ରାକୁ ପ୍ରତିହତ କରି ପାରିବା ସମ୍ଭାବନା କ୍ଷୀଣ।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ନିୟମିତ ବ୍ୟବଧାନରେ ବିଶୃଙ୍ଖଳା, ବିଭ୍ରାଟର ଦୁର୍ଭାଗ୍ୟଜନକ ଧାରା ଦ୍ୱାରା ଆକ୍ରାନ୍ତ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଉଦ୍ଦେଶ୍ୟରେ ଅନେକ କମିଟି ଓ କମିସନ୍‌ ଗଠନ କରାଯାଇଛି। କହିବାକୁ ଗଲେ ପ୍ରତ୍ୟେକ ବିଭ୍ରାଟ ଓ ବଡ଼ ବିଶୃଙ୍ଖଳା ପରେ କମିସନ୍‌ଟିଏ କିମ୍ବା କମିଟିଟିଏ ଗଠନ କରାଯାଇଛି। କମିଟି ଓ କମିସନ୍‌ ଗୁଡ଼ିକ ପରିଚାଳନାରେ ସୁଧାର ଆଣିବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ମଧ୍ୟ କରିଛନ୍ତି। କିନ୍ତୁ ବିଡ଼ମ୍ବନା ହେଲା, ଅଧିକାଂଶ ସୁପାରିସ ଶୀତଳ ଭଣ୍ଡାରରେ। ଏପରିକି ଗୋଟିଏ କମିସନ୍‌ଙ୍କ ରିପୋର୍ଟ ନିଖୋଜ ହୋଇଯିବାର ଦୁଃଖଦ ନଜିର ମଧ୍ୟ ଅଛି। ଯଦି ବି କାଁ ଭାଁ କୌଣସି ସୁପାରିସ କାର୍ଯ୍ୟକାରୀ ହୋଇଥିବା ଦାବି କରାଯାଇଛି, ତେବେ ତାହା ଅଧାପନ୍ତରିଆ, କିମ୍ବା ଧର୍ମକୁ ଆଖିଠାର। ସୁପାରିସ ଯେ କାର୍ଯ୍ୟକାରୀ ହୋଇ ନାହିଁ, ଏହାର ଦୁଃଖଦ ପ୍ରମାଣ ହେଲା ପରିଚାଳନା କ୍ଷେତ୍ରରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ବାରମ୍ବାର ବିଭ୍ରାଟ ଓ ବିଶୃଙ୍ଖଳାର ପୁନରାବୃତ୍ତି; ଯାହା ବିଶ୍ୱ ଦରବାରରେ କେବଳ ଓଡ଼ିଶାର ଭାବମୂର୍ତ୍ତିକୁ ମଳିନ କରି ନାହିଁ, ଜଗନ୍ନାଥ ପ୍ରାଣ ଭକ୍ତଙ୍କ ଭାବାବେଗକୁ ମଧ୍ୟ ଆଘାତ ଦେଉଛି। ଅପ୍ରୀତିକର ହେଲେ ମଧ୍ୟ ଆଜି ଦିନରେ ଅବସ୍ଥା ଏମିତି ଯେ, ନା ବଡ଼ ଠାକୁର, ନା ବଡ଼ ଦେଉଳ ନା ପ୍ରଭୁଙ୍କ ଚରଣାଶ୍ରିତ ଦର୍ଶନାଭିଳାଷୀ ଆଗନ୍ତୁକ ଭକ୍ତ ସୁରକ୍ଷିତ। ଅରାଜକତାର ରାଜୁତି ମଧ୍ୟରେ ପାବନ କ୍ଷେତ୍ରରେ ଏକ ଅସ୍ୱସ୍ତିକର ପରିବେଶ ଓଡ଼ିଆ ଜାତିକୁ ବ୍ୟଥିତ କରୁଛି। ଅଥଚ, ଏକ ସାମୂହିକ ଅସହାୟତା ସର୍ବତ୍ର ବିରାଜମାନ।

ଏହି ଦୁଃଖଦ, ଅସ୍ୱସ୍ତିକର ପୃଷ୍ଠଭୂମିରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ଜଜ୍‌୍‌ଙ୍କ ବାରସୂତ୍ରୀ ସଂସ୍କାର ପ୍ରସ୍ତାବକୁ ଉଚ୍ଚତମ ନ୍ୟାୟାଳୟ ଗ୍ରହଣ କରି ଏହା ଉପରେ ବିହିତ ବିଚାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ପାଇଁ ନୂଆ ଆଶା ସୃଷ୍ଟି କରିଛି। କୁହାଯାଇପାରେ, ଜିଲ୍ଲା ଜଜ୍‌ଙ୍କ ରିପୋର୍ଟକୁ ଭିତ୍ତି କରି ଶ୍ରୀମନ୍ଦିର ସଂସ୍କାର ପାଇଁ ଏକ ସାନି ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବର ପ୍ରୟାସଗୁଡ଼ିକଠାରୁ ଏଥରର ପ୍ରୟାସ ଭିନ୍ନ ଏଥିପାଇଁ ଯେ, ସଂସ୍କାର ଲାଗି ସଦ୍ୟତମ ପ୍ରୟାସ ପଛରେ ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦନ ରହିଛି। ଖୋଦ୍‌ ଅଦାଲତ ଏ ସଂସ୍କାର ପ୍ରସ୍ତାବର କ୍ରିୟାନ୍ଵୟନର ତଦାରଖ କରିବେ। ମାନ୍ୟବର ଜିଲ୍ଲା ଜଜ୍‌ ନିଶ୍ଚୟ ଧନ୍ୟବାଦର ପାତ୍ର ଏଥିପାଇଁ ଯେ, ସେ ମାତ୍ର ମାସକ ମଧ୍ୟରେ ଅବସ୍ଥାର ଅନୁଧ୍ୟାନ କରି ଏକ ପ୍ରାରମ୍ଭିକ ରିପୋର୍ଟ ଦେଇଛନ୍ତି, ଯେଉଁଠି ସଂସ୍କାର ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ମଧ୍ୟ ରହିଛି। ଜିଲ୍ଲା ଜଜ୍‌ଙ୍କ ସବୁ ପ୍ରସ୍ତାବ ଯେ ସର୍ବସମ୍ମତ ଭାବେ ଗ୍ରହଣୀୟ ହେବ, ଏହା ଆଶା କରାଯାଇ ନପାରେ। କିନ୍ତୁ ଋଢ଼ିବାଦୀ ମନୋଭାବ ପରିହାର କରି ସମୟ ଓ ପରିବର୍ତ୍ତନର ଆଲୋକରେ ଏ ପ୍ରସ୍ତାବଗୁଡ଼ିକ ଗୁରୁତ୍ୱର ସହ ବିଚାରର ଅପେକ୍ଷା ରଖୁଛି। ପୁରୁଷାନୁକ୍ରମେ ସେବକ ପ୍ରଥାର ଉଚ୍ଛେଦ ପାଇଁ ପ୍ରସ୍ତାବ ଉପରେ ଅଧିକ ଆଲୋଚନାର ଆବଶ୍ୟକତା ଥାଇପାରେ। ମନ୍ଦିର ପରିଚାଳନା ପାଇଁ ଏକକ କର୍ତ୍ତୃପକ୍ଷ ଗଠନ, ଶ୍ରୀମନ୍ଦିର ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ବେଶ୍‌ ସୁଦୂର ପ୍ରସାରୀ ଓ ସକାରାତ୍ମକ। ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ଓ କାର୍ଯ୍ୟକାରିତା ସମୟ ସାପେକ୍ଷ ହୋଇପାରେ। କିନ୍ତୁ ଯାହା ଭକ୍ତଙ୍କ ସୁରକ୍ଷା ଓ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ କାର୍ଯ୍ୟକାରିତାର ଅପେକ୍ଷା ରଖୁଛି ତାହା ହେଲା ଶୃଙ୍ଖଳିତ ଦର୍ଶନ ଓ ଦାନ-ଦକ୍ଷିଣା ବନ୍ଦ ପାଇଁ ଦେଇଥିବା ପ୍ରସ୍ତାବ। ଉଲ୍ଲେଖନୀୟ ଯେ, ସୁପ୍ରିମ୍‌ କୋର୍ଟଙ୍କ ଜୁନ୍‌ ୮ ତାରିଖ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ଆଳରେ ଭକ୍ତଙ୍କ ଶୋଷଣ ଉପରେ ଅଙ୍କୁଶ ଲାଗି ପାରିନାହିଁ। ବ୍ୟବସ୍ଥା ଓ ଶୃଙ୍ଖଳା ବାହାଲ କରିବା ପାଇଁ ଜିଲ୍ଲାଜଜ୍‌ଙ୍କ ପ୍ରସ୍ତାବ ନିଶ୍ଚୟ ସହାୟକ ହେବ।

ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ସାନି ସଂସ୍କାର ପ୍ର୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା- ମନ୍ଦିର ପରିଚାଳନା ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସକାଶେ ସଂସ୍କାର ପ୍ରକ୍ରିୟାରେ ସାମିଲ ହେବା ଲାଗି ଯଥେଷ୍ଟ ଅବକାଶ ରହିଛି। ପୁଣି ସଂସ୍କାର ପାଇଁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିବ ନାହିଁ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା କୋର୍ଟ ଧାର୍ଯ୍ୟ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ବରିଷ୍ଠ ଓକିଲ ଗୋପାଲ ସୁବ୍ରମଣ୍ୟମ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ଓ ଅନ୍ୟ ସବୁ ଆଗ୍ରହୀ ପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମ୍‌ କୋର୍ଟରେ ତାଙ୍କ ରିପୋର୍ଟ ଦାଖଲ କରିବେ। ବିଭିନ୍ନ ସମୟରେ ଏକାଧିକ କମିସନ୍‌ ଓ କମିଟି ସଂସ୍କାର ନେଇ ଯେଉଁ ପ୍ରସ୍ତାବ ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ଆମିକସ୍‌ କ୍ୟୁରି ବିଚାରକୁ ନେବେ। ଇତିମଧ୍ୟରେ ରାଜ୍ୟ ସରକାର ମଧ୍ୟ ଅନ୍ୟ ଦେବସ୍ଥଳୀ ଗୁଡ଼ିକର ପରିଚାଳନା ଅନୁଧ୍ୟାନ କରି ଶ୍ରୀମନ୍ଦିର ପରିଚାଳନାରେ ଉନ୍ନତି ଆଣିବା ଲାଗି ପ୍ରସ୍ତାବ ଦେବା ସକାଶେ ଏକ ତିନିଜଣିଆ କମିଟି ଗଠନ କରିଛନ୍ତି। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ସମେତ ରାଜ୍ୟ ସରକାର ଓ ଅନ୍ୟପକ୍ଷଙ୍କ ରିପୋର୍ଟ ମଧ୍ୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା କୋର୍ଟରେ ଉପସ୍ଥାପିତ ହେବ। ଏହା ଉପରେ ଆସନ୍ତା ସେପ୍‌ଟେମ୍ବର ୫ ତାରିଖ ଦିନ ସୁପ୍ରିମ୍‌ କୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବିଚାର କରି ପରବର୍ତ୍ତୀ ନିର୍ଦ୍ଦେଶ ଦେବେ, ଯାହା ଶ୍ରୀମନ୍ଦିର ସଂସ୍କାର କ୍ଷେତ୍ରରେ ଏକ ନୂଆ ଦିଗନ୍ତ ହେବ।

ଶ୍ରୀମନ୍ଦିର ମାମଲାରେ ଗୁରୁବାର ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ଏକା ଶ୍ରୀମନ୍ଦିର ନୁହେଁ, ଦେଶର ଅନ୍ୟ ପ୍ରମୁଖ ଦେବସ୍ଥଳୀଗୁଡ଼ିକର ପରିଚାଳନାରେ ସଂସ୍କାର ସକାଶେ ଦ୍ୱାର ଖୋଲିଛି। ଅନ୍ୟ ଦେବସ୍ଥାନର ପରିଚାଳନା ନେଇ କୌଣସି ଆପତ୍ତି ଅଭିଯୋଗ କିମ୍ବା ସୁଧାର ପ୍ରସ୍ତାବ ଥିଲେ, ସାଧାରଣ ନାଗରିକ ଓ ସାମାଜିକ- ସାସ୍କୃତିକ ଗୋଷ୍ଠୀ ସେ ବିଷୟରେ ସୁପ୍ରିମ୍‌ କୋର୍ଟକୁ ଜଣାଇଲେ ଉଚ୍ଚତମ ନ୍ୟାୟାଳୟ ତା’ ଉପରେ ନ୍ୟାୟିକ ପଦକ୍ଷେପ ନେବେ।

ନିଃସନ୍ଦେହ, ମାନ୍ୟବର ସୁପ୍ରିମ୍‌ କୋର୍ଟ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର ସକାଶେ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛନ୍ତି। ଆଶା, ସରକାର, ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ସେବାୟତବର୍ଗ ଏହି ସୁଯୋଗର ସଦୁପଯୋଗ କରିବେ। ନ୍ୟସ୍ତ ସ୍ୱାର୍ଥ ଓ ଅହଙ୍କାରକୁ ବର୍ଜନ ତଥା ଅତୀତ ବିବାଦର ତିକ୍ତତାକୁ ପଛରେ ପକାଇ ସବୁପକ୍ଷ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସହ ସୁସ୍ଥ ପରମ୍ପରା ସୃଷ୍ଟି ଲାଗି ସହଯୋଗ ପୂର୍ଣ୍ଣ ଆଭିମୁଖ୍ୟ ନେଇ ଆଗେଇ ଆସନ୍ତୁ। ଅବଶ୍ୟ, ଏହା ସେତେବେଳେ ସମ୍ଭବ ହୋଇପାରିବ, ଯେତେବେଳେ ସବୁପକ୍ଷ ନିଜର ସ୍ୱାର୍ଥ ବଦଳରେ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ବାହାଲ କରି ଜଗତ୍‌ର ନାଥ ଜଗନ୍ନାଥଙ୍କ ମହିମା ଓ ଭକ୍ତର ଭାବନାକୁ ଅଧିକ ପ୍ରାଥମିକତା ଦେବେ। ସଂସ୍କାର ପାଇଁ ଏ ସୁଯୋଗ ଯେମିତି ହାତଛଡ଼ା ନ ହୁଏ, ସେଥିପାଇଁ ଜନମତ ସୃଷ୍ଟି ହେଉ। କୋର୍ଟଙ୍କ ଛାଟ ସହ ଜନମତର ଚାପରେ ଅବଶ୍ୟ ସଂସ୍କାରର ନନ୍ଦିଘୋଷ ଆଗକୁ ଗଡ଼ି ଈପ୍‌ସିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ, ଯାହା ସମସ୍ତଙ୍କ କାମ୍ୟ।

ସମ୍ବନ୍ଧିତ ଖବର