‘ଗୋ-ଆତଙ୍କବାଦ’ ଅନ୍ତରାଳେ

ଗୋ-ସୁରକ୍ଷା ଆଳରେ ହିଂସା, ବିଶେଷକରି ଦେଶର ବିଭିନ୍ନ ସ୍ଥାନରେ ଗୋ-ସୁରକ୍ଷା ନାମରେ ବର୍ବରତା (ସନ୍ଦିଗ୍‌ଧ ଗୋରୁ ଚୋର କିମ୍ବା ଗୋ-ହତ୍ୟାକାରୀକୁ ପିଟିପିଟି ହତ୍ୟା) ଉପରେ ଅଙ୍କୁଶ ଲଗାଇବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଉ। ଏହି ମର୍ମରେ ଆଗତ ଏକ ଆବେଦନ ଉପରେ ଶୁଣାଣି କରି ମାନ୍ୟବର ସୁପ୍ରିମ୍‌ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଗତ ୨୦୧୭ରେ ଅନୁରୂପ ଏକ ମାମଲା ଉପରେ ଉଚ୍ଚତମ ନ୍ୟାୟାଳୟ ହିଂସା ରୋକିବା ଲାଗି ଏକ ମାର୍ଗନିର୍ଦ୍ଦେଶିକା ଜାରି କରିଥିଲେ। ଏହି ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସରକାର ତଥାକଥିତ ଗୋ-ରକ୍ଷକଙ୍କ ଗତିବିଧି ଉପରେ ନଜର ରଖି, ସେମାନଙ୍କ ହିଂସ୍ର ଉପଦ୍ରବ ରୋକିବା ଲାଗି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ‘ନୋଡାଲ ଅଫିସର’ ଭାବେ ନିଯୁକ୍ତି ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଅବସ୍ଥା ବଦଳି ନାହିଁ। ଗୋ-ସୁରକ୍ଷା ନାମରେ ହିଂସାର ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ନିୟମିତ ବ୍ୟବଧାନରେ ଗୋ-ସୁରକ୍ଷା ଆଳରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଶିରୋନାମାରେ ରହି ଆସିଛି। ସାରା ବିଶ୍ୱର ଗଣମାଧ୍ୟମରେ ଭାରତର ‘ଗୋ-ଆତଙ୍କବାଦ’ ଏବେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ।

ତେବେ, ଗୋ-ସୁରକ୍ଷା ଆଳରେ ହିଂସାର ଏ ଉଗ୍ରଧାରା ବନ୍ଦ ହେଉନାହିଁ କାହିଁକି? କେଉଁଠୁ ମିଳୁଛି ଗୋ-ସୁରକ୍ଷା ଆଳରେ ହିଂସାକୁ ପ୍ରୋତ୍ସାହନ? ଏ ହିଂସାକୁ ପ୍ରଶ୍ରୟ ଓ ପୃଷ୍ଠପୋଷକତା ଦେଉଛି କିଏ? ଦେଶରେ କେବଳ ଆଇନର ଶାସନ ନୁହେଁ, ଭାରତର ଧର୍ମନିରପେକ୍ଷ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ‘ଇଣ୍ଡିଆ ସ୍ପେଣ୍ଡ୍‌’ ପକ୍ଷରୁ ଜାରି ଏକ ପରିସଂଖ୍ୟାନ ଏଠାରେ ଉଦ୍ଧାର କରାଯାଇପାରେ। ୨୦୧୦ ରୁ ୨୦୧୭, ଜୁନ୍‌ ୨୫ ମଧ୍ୟରେ ଦେଶରେ ଗୋ-ସୁରକ୍ଷା ସହିତ ଯୋଡ଼ି ହୋଇଥିବା ହିଂସା ଘଟଣାରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ ୨୩ ଜଣଙ୍କ ମୃତ୍ୟୁ ୨୦୧୪ ପରେ ଘଟିଥିବା ହିଂସାରେ ହୋଇଛି। ଏହି ସମୟ ଭିତରେ ଘଟିଥିବା ଗୋ-ସୁରକ୍ଷା ନେଇ ୬୩ଟି ହିଂସା ଘଟଣାରୁ ୯୭ ପ୍ରତିଶତ ଘଟଣା ୨୦୧୪ ପରେ ଘଟିଛି। ଏହାକୁ ଏକ ସଂଯୋଗ ବା କାକତାଳୀୟ ମାତ୍ର କୁହାଯାଇ ପାରିବ ନାହିଁ ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିଲା ପରେ ଗୋ-ସୁରକ୍ଷା ନେଇ ହିଂସା ବଢ଼ିଛି। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, କ୍ଷମତାସୀନ ଦଳର ରାଜନୈତିକ କାର୍ଯ୍ୟସୂଚିରେ ଗୋ-ସୁରକ୍ଷା ଏକ ପ୍ରମୁଖ କାର୍ଯ୍ୟକ୍ରମ। ସମ୍ଭବତଃ, ସମ୍ବିଧାନ ଓ ଆଇନ ବ୍ୟବସ୍ଥା ପ୍ରତି କ୍ଷମତାସୀନ ଦଳର ନିଷ୍ଠା ଅପେକ୍ଷା, ରାଜନୈତିକ ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରତି ଅଧିକ ଆନୁଗତ୍ୟ ଓ ନିଷ୍ଠା ତଥାକଥିତ ଗୋ-ରକ୍ଷକଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଛି; ଯାହା ଅନେକ ସମୟରେ ଆଇନର ସୀମା ଡେଇଁ ହିଂସାରେ ପରିଣତ ହୋଇଛି। ‘ଇଣ୍ଡିଆ ସ୍ପେଣ୍ଡ’ର ପରିସଂଖ୍ୟାନ ଅନୁଯାୟୀ ଗୋ-ସୁରକ୍ଷା ନେଇ ଯେତିକି ଘଟଣା ଘଟିଛି, ତା’ର ଅଧାରୁ ଅଧିକ ବିଜେପି ଶାସନାଧୀନ ରାଜ୍ୟରେ ଘଟିଛି। ମାନବାଧିକାର ସୁରକ୍ଷା ପ୍ରସଙ୍ଗରେ ଆନ୍ତର୍ଜାତିକ ସଂଗଠନ ‘ହ୍ୟୁମାନ୍‌ ରାଇଟ୍‌ସ ଓ୍ଵାଚ୍‌’ର ୨୦୧୭ ବର୍ଷର ରିପୋର୍ଟରେ ମଧ୍ୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ ବିଜେପିର କ୍ଷମତାରୋହଣ ସହ ଗୋ-ସୁରକ୍ଷା ଆଳରେ ହିଂସା ବୃଦ୍ଧିକୁ ଯୋଡ଼ା ଯାଇଛି। ଗୋ-ସୁରକ୍ଷା ଆଳରେ ହିଂସା କିଭଳି ଭାରତର ଧର୍ମନିରପେକ୍ଷତାର ଆତ୍ମା ଉପରେ ଆଘାତ କରୁଛି, ସେ ନେଇ ‘ଇଣ୍ଡିଆ ସ୍ପେଣ୍ଡ’ର ଆଉ ଏକ ତଥ୍ୟ ବେଶ୍‌ ଚିନ୍ତାଜନକ। ୨୦୧୪ ପରେ ଗୋ-ସୁରକ୍ଷା ସହିତ ଯୋଡ଼ି ହୋଇଥିବା ହିଂସାର ଶିକାର ହୋଇ ଯେତେ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ୮୬ ପ୍ରତିଶତ ହେଉଛନ୍ତି ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟର। ଅବଶିଷ୍ଟ ହିଂସାର ଶିକାର ମୁଖ୍ୟତଃ ଦଳିତ। ଅର୍ଥାତ୍‌, ଗୋ-ସୁରକ୍ଷା ଆଳରେ ହିଂସା ସମାଜର କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କ ବିରୋଧରେ ଅଭିପ୍ରେତ।

ଉପରୋକ୍ତ ପରିସଂଖ୍ୟାନ ଯଦି ଗୋ-ସୁରକ୍ଷା ଆଳରେ ହିଂସା ପଛରେ କାହାର ଆଶୀର୍ବାଦ ରହିଛି, ତାହା ସ୍ପଷ୍ଟ କରୁନାହିଁ, ତେବେ ଗତ ଶୁକ୍ରବାର ଝାଡ଼ଖଣ୍ଡର ହଜାରିବାଗ୍‌ଠାରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଦୃଶ୍ୟର ଅବତାରଣା କରାଯାଇପାରେ। କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ତାଙ୍କ ବାସଭବନରେ ଏମିତି ଆଠ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ଯେଉଁମାନେ ଗତବର୍ଷ ରାମଗଡ଼ ଠାରେ କାର୍‌ରେ ଗୋ-ମାଂସ ରଖିଥିବା ସନ୍ଦେହ କରି ଅଲିମୁଦ୍ଦିନ୍‌ ଅନ୍‌ସାରି ନାମକ ଜଣେ ବ୍ୟବସାୟୀଙ୍କୁ ପିଟିପିଟି ମାରିଦେବା ଘଟଣାର ଅଭିଯୁକ୍ତ। ଏହି ଆଠଜଣ ଯାକ ତଳ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ପାଇଛନ୍ତି। ଏବେ ଝାଡ଼ଖଣ୍ଡ ହାଇକୋର୍ଟରୁ ସେମାନେ ଜାମିନରେ ଅଛନ୍ତି। ଜାମିନ ପାଇଲା ପରେ ଏହି ତଥାକଥିତ ଗୋ-ରକ୍ଷକଙ୍କ ପାଇଁ ମନ୍ତ୍ରୀଙ୍କ ବାସଭବନରେ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଖୋଦ୍‌ ମାନବ୍ୟର ମନ୍ତ୍ରୀ ହତ୍ୟା ଅଭିଯୁକ୍ତଙ୍କୁ ଫୁଲମାଳ ପିନ୍ଧାଇ ସମ୍ମାନିତ କରିଥିଲେ। ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମର ଦୃଶ୍ୟ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ମନ୍ତ୍ରୀ ମହୋଦୟ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଏହା ବିଜେପିର ଅସଲ ଚେହେରା ପଦାରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ, ଆତ୍ମରକ୍ଷା ପାଇଁ ମନ୍ତ୍ରୀଙ୍କ ସଫେଇ ହେଲା- ହାଇକୋର୍ଟ ଜେଲ୍‌ ଦଣ୍ଡ ଉପରେ ସ୍ଥଗିତାଦେଶ ଦେଇଥିବାରୁ ଅଭିଯୁକ୍ତମାନେ ବର୍ତ୍ତମାନ ସୁଦ୍ଧା ନିର୍ଦୋଷ। ତେଣୁ ସେମାନଙ୍କୁ ଫୁଲମାଳ ଦେଇ ସେ ନ୍ୟାୟ ବ୍ୟବସ୍ଥା କିମ୍ବା ଆଇନର ଶାସନର ଅମର୍ଯ୍ୟାଦା କରି ନାହାନ୍ତି। ଦେଶର ଆଇନ ବ୍ୟବସ୍ଥାର ଉଚ୍ଚତମ କୋର୍ଟ ପର୍ଯ୍ୟନ୍ତ ଯିବା ଲାଗି ଅଭିଯୁକ୍ତଙ୍କ ପାଖରେ ଅବକାଶ ରହିଛି। ଯେ ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତ ଶେଷ କ୍ଷମତାପ୍ରାପ୍ତ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ନିର୍ଦୋଷ। ଆଇନ ଦୃଷ୍ଟିରୁ ଆତ୍ମରକ୍ଷା ପାଇଁ ମନ୍ତ୍ରୀ ମହୋଦୟଙ୍କ ଓକିଲ ସୁଲଭ ଯୁକ୍ତିକୁ ଅଯଥାର୍ଥ କୁହାଯାଇ ପାରିବ ନାହିଁ। କିନ୍ତୁ ନୈତିକତା ଦୃଷ୍ଟିରୁ ତାଙ୍କ ଯୁକ୍ତି ଅତ୍ୟନ୍ତ ଦୁର୍ବଳ ଓ ଆଦୌ ଗ୍ରହଣୀୟ ନୁହେଁ।

ଅଭିଯୁକ୍ତମାନେ ତଳ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ସେହି ଦୋଷୀମାନଙ୍କୁ ଜଣେ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ନିଶ୍ଚିତ ଭାବେ ଗୋ-ସୁରକ୍ଷା ଆଳରେ ହିଂସାକୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା। ଅନ୍ୟ ପକ୍ଷରେ ଏହା ଆଇନର ଶାସନ ତଥା ନ୍ୟାୟିକ ବ୍ୟବସ୍ଥା ପ୍ରତି ଅସମ୍ମାନ। ମନ୍ତ୍ରୀ ଭୁଲି ଯିବା ଉଚିତ ନୁହେଁ ଯେ, ସେ ସରକାରଙ୍କ ପ୍ରତିନିଧି ଭାବେ ସମ୍ବିଧାନ ଓ ଆଇନ ବ୍ୟବସ୍ଥାର ରକ୍ଷାକର୍ତ୍ତା, ରାଜନୈତିକ ଦଳର ପ୍ରତିନିଧି ନୁହନ୍ତି। ଦେଶର ଆଇନ ବ୍ୟବସ୍ଥା ପ୍ରତି ତାଙ୍କର ପୂର୍ଣ୍ଣ ଆସ୍ଥା ଓ ଆନୁଗତ୍ୟ ରହିଛି ବୋଲି ମନ୍ତ୍ରୀ ଜୟନ୍ତ ସିହ୍ନା ଯେତେ ଦୋହରାଇଲେ ସୁଦ୍ଧା, ରାଜନୈତିକ ଆଦର୍ଶ ତଥା ଦଳୀୟ କାର୍ଯ୍ୟକ୍ରମ ପ୍ରତି ତାଙ୍କର ପ୍ରାଥମିକତା ଲୁଚି ରହିପାରୁ ନାହିଁ। ହଜାରିବାଗରେ ଗୋ-ହତ୍ୟା ଆଳରେ ହିଂସା ଅଭିଯୁକ୍ତଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଏକ ବ୍ୟତିକ୍ରମ ନୁହେଁ। ଗତ ଚାରିବର୍ଷରେ କେନ୍ଦ୍ରରେ କ୍ଷମତାସୀନ ପ୍ରମୁଖ ଦଳର ଅନେକ ମନ୍ତ୍ରୀ ଓ କର୍ମକର୍ତ୍ତାଙ୍କ ଆଚରଣ ଓ ଉଚ୍ଚାରଣରେ ସମ୍ବିଧାନ ଓ ଆଇନ ବ୍ୟବସ୍ଥା ପ୍ରତି ଅଙ୍ଗୀକାରବଦ୍ଧତା ଅପେକ୍ଷା ଦଳୀୟ ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରତି ଅଧିକ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ। ଏପରିକି, ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଉତ୍ତରପ୍ରଦେଶ ଦାଦ୍ରୀରେ ଘରେ ଗୋ-ମାଂସ ରଖିବା ଅଭିଯୋଗରେ ଅକଲାକ ହତ୍ୟା ଘଟଣାରେ ଦୀର୍ଘ ଦିନ ଧରି ନିରବତା ପରେ ଯାଇ ମୁହଁଖୋଲି ଘଟଣାର ନିନ୍ଦା କରିଥିଲେ। ହିଂସାରେ ସଂପୃକ୍ତ ତଥାକଥିତ ଗୋ-ରକ୍ଷକଙ୍କ ପ୍ରତି କ୍ଷମତାସୀନ ଦଳର ଏ ପ୍ରକାର କୋହଳ ଆଭିମୁଖ୍ୟ ଯେ ଦେଶର ସାଂପ୍ରଦାୟିକ ସଦ୍‌ଭାବର ଅନୁକୂଳ ନୁହେଁ, ତାହା ଖୋଦ୍‌ ସରକାରଙ୍କ ଏ ପରିସଂଖ୍ୟାନ ବୟାନ କରୁଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ଚାରିବର୍ଷ (୨୦୧୪-୧୭) ମଧ୍ୟରେ ଦେଶରେ ୨,୯୨୦ଟି ସାଂପ୍ରଦାୟିକ ହିଂସା ଘଟିଛି। ଏଥିରେ ୩୮୯ଙ୍କ ପ୍ରାଣହାନି ହୋଇଥିବା ବେଳେ ଅନ୍ୟ ୮,୮୯୦ ଜଣ ଆହତ ହୋଇଛନ୍ତି।

ତେଣୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଗୋ-ସୁରକ୍ଷା ଆଳରେ ହିଂସା ରୋକିବା ଉଦ୍ଦେଶ୍ୟରେ ଯାହା ବି ନୂଆ ମାର୍ଗନିର୍ଦ୍ଦେଶିକା ଜାରି କରନ୍ତୁ, କ୍ଷମତାସୀନ ସରକାରଙ୍କ ଆଭିମୁଖ୍ୟରେ ଦଳୀୟ କାର୍ଯ୍ୟକ୍ରମ ଅପେକ୍ଷା ସମ୍ବିଧାନ ଓ ଆଇନ ପ୍ରତି ଅଧିକ ଆନୁଗତ୍ୟ ଏବଂ ନିଷ୍ଠା ନ ରହିଲେ, ତାହା ଆଦୌ ଫଳପ୍ରଦ ହେବ ନାହିଁ କି ‘ଗୋ-ଆତଙ୍କବାଦ’ ଉପରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର