ବିଡ଼ମ୍ବନା

କୁହାଯାଇଥାଏ ଯେ ମନୁଷ୍ୟ ଲାଗି ସବୁଠାରୁ ବଡ଼ ବିଡ଼ମ୍ବନା ହେଲା ଯେ ତାର ବିଚାର ଯିଏ କରିଥାଆନ୍ତି ସେ ମଧୢ ତାରି ଭଳି ଆଉ ଜଣେ ମଣିଷ। ଏହି ଉକ୍ତିକୁ ଟିକିଏ ସ˚ପ୍ରସାରଣ କରି କୁହାଯାଇପାରେ ଯେ ମଣିଷକୁ ଚରାଇବାର (ତାକୁ ନେତୃତ୍ବ ଦେବାର) ଦାୟିତ୍ବ ମଧୢ ତା ଭଳି ଆଉ ଜଣେ ମଣିଷଙ୍କ ହାତରେ ହିଁ ନ୍ୟସ୍ତ ଥାଏ, ଯିଏ ହୁଏ’ତ ଊଣାଅଧିକେ ତା’ରି ଭଳି ଦୋଷ ଓ ଗୁଣରେ ଭରା। କହିବା ନିଷ୍ପ୍ରୟୋଜନ ଯେ ଏହାକୁ ପ୍ରମାଣିତ କଲା ଭଳି ମାନବ ସଭ୍ୟତାର ଇତିହାସ ସାରା ଏହା ହିଁ ଦେଖିବାକୁ ମିଳିଥାଏ ଯେ ମଣିଷ ସମାଜକୁ ବା ରାଷ୍ଟ୍ରକୁ ପରିଚାଳନା କରିବା ଲାଗି ଶୀର୍ଷତମ ସ୍ଥାନରେ ଉପବିଷ୍ଟ ମନୁଷ୍ୟମାନେ ସର୍ବଦା ସର୍ବଶ୍ରେଷ୍ଠ ପଦବାଚ୍ୟ ହୋଇ ନ ପାରନ୍ତି। ସୁତରା˚, ବ˚ଶ ପର˚ପରା କାରଣରୁ ହେଉ ବା ଗଣତନ୍ତ୍ରରେ ଜନସାଧାରଣଙ୍କ ଦ୍ବାରା ଅର୍ପଣ କରାଯାଇଥିବା କାରଣରୁ ହେଉ; ନେତୃତ୍ବର କ୍ଷମତା ହାସଲ କରିଥିବା ବ୍ୟକ୍ତିମାନଙ୍କ ବିଚାରବୋଧ ବା ଚରିତ୍ରଗତ ଦୃଢ଼ତା ବା ନିଷ୍ପତ୍ତି ନେବାର ସାମର୍ଥ୍ୟ ବା ସେମାନଙ୍କ ସମ୍ବେଦନଶୀଳତା ଇଦ୍ୟାଦି ଯେ ସର୍ବଦା ଉଦାହରଣୀୟ ହେବ, ଏହାର କୌଣସି କାରଣ ବା ଗ୍ୟାରେଣ୍ଟି ନାହିଁ। ବର˚ ଏହାର ଓଲଟା ଘଟିପାରେ। ସୁତରା˚, କତିପୟ ବ୍ୟକ୍ତିବିଶେଷଙ୍କ ହାତରେ ପୃଥିବୀର କୋଟି କୋଟି ସ˚ଖ୍ୟକ ମନୁଷ୍ୟଙ୍କ ଭାଗ୍ୟ ଓ ଭବିତବ୍ୟ ଯେ ସର୍ବଦା ନିର୍ଭରଶୀଳ ହୋଇ ରହିଛି, ଏହା ସମସ୍ତଙ୍କୁ ଅବଗତ। ସ˚ପ୍ରତି ଯେତେବେଳେ କୋଭିଡ୍‌-୧୯ ଭୂତାଣୁର ସ˚କ୍ରମଣରେ ଜର୍ଜରିତ ପୃଥିବୀକୁ ନେଇ ଆଲୋଚନା କରାଯାଇଥାଏ, ସେତିକି ବେଳେ ଉପରୋକ୍ତ ଧାରଣା ଅଧିକ ଦୃଢ଼ୀଭୂତ ହୋଇଥାଏ।

ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ‘କୋଭିଡ୍‌-୧୯’ର ସ˚କ୍ରମଣଜନିତ ସ୍ଥିତିକୁ ନେଇ ଚର୍ଚ୍ଚା କଲା ବେଳେ ଯଦି ପ୍ରଶ୍ନ କରାଯାଏ ଯେ ଏଭଳି ଏକ ‘ପାନ୍‌ଡେମିକ୍‌’ର ମୁକାବିଲା କରିବା ସକାଶେ ଏକଛତ୍ରବାଦୀ ଶାସନ ଅଧିକ ସମର୍ଥ ନା ଗଣତନ୍ତ୍ରବାଦୀ ଶାସନ? ତେବେ ଉତ୍ତର ଅନ୍ବେଷଣ କରୁ କରୁ ବୁଝା ପଡ଼ିଯାଏ ଯେ ଏଭଳି ଏକ ପ୍ରଶ୍ନ ହିଁ ମୂଳରୁ ପ୍ରମାଦଯୁକ୍ତ। ଏହାର କାରଣ ଆମ ପାଖରେ ଉପଲବ୍‌ଧ ବିଭିନ୍ନ ଦୃଷ୍ଟାନ୍ତ। ଉଦାହରଣ ସ୍ବରୂପ ଯଦି ଏକଛତ୍ରବାଦୀ ଶାସନାଧୀନ ଚୀନ ବା ଭିଏତ୍‌ନାମ ଏହି ସ˚କ୍ରମଣର ମୁକାବିଲାରେ ହାସଲ କରିଥିବା ସାମର୍ଥ୍ୟର ଆଧାରରେ କେହି ନିଜ ଉତ୍ତରରେ ଏକଛତ୍ରବାଦୀ ଶାସନ ସପକ୍ଷରେ ମତ ଦିଅନ୍ତି, ତେବେ ତାଙ୍କୁ ଭୁଲ ପ୍ରମାଣିତ କରିବା ଲାଗି ମହଜୁଦ ଅଛନ୍ତିି ରୁଷିଆ ବା ଇରାନ ଭଳି ଏକଛତ୍ରବାଦୀ ରାଷ୍ଟ୍ର। ସେହିଭଳି ଗଣତାନ୍ତ୍ରିକ ଶାସନାଧୀନ ଯୁକ୍ତରାଷ୍ଟ୍ର ଆମେରିକା ବା ଇଟାଲି ବା ବ୍ରାଜିଲର ଦୃଷ୍ଟାନ୍ତ ଦେଇ ଯଦି କୁହାଯାଏ ଯେ ଲକ୍‌ଡାଉନ୍‌ ବ୍ୟବସ୍ଥା ମୂଳତଃ ଏକ ଅଗଣତାନ୍ତ୍ରିକ ପ୍ରକ୍ରିୟା ହୋଇଥିବାରୁ ଗଣତନ୍ତ୍ରଗୁଡ଼ିକ କରୋନା ମୁକାବିଲାରେ ସମର୍ଥ ହୋଇ ନ ପାରିବା ହୁଏ’ତ ସ୍ବାଭାବିକ, ତେବେ ଜର୍ମାନି ବା ଦକ୍ଷିଣ କୋରିଆର ଉଦାହରଣ ଦେଇ ଏଭଳି ଏକ ଯୁକ୍ତିକୁ ଖାରଜ କରିଦିଆଯାଇପାରେ। ସୁତରା˚ ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା କୌଣସି ଶାସନ ବ୍ୟବସ୍ଥା ନୁହେଁ, ବର˚ ନେତୃତ୍ବ ହିଁ ଏହାର ମୁକାବିଲା ପଛରେ ରହିଥିବା ସଫଳତା ବା ବିଫଳତାର କାରଣ। ସୁତରା˚, ପୃଥିବୀର ପ୍ରାୟ ୭୫୦ କୋଟିରୁ ଅଧିକ ଲୋକ ଆଜି ଯାହା ବି ଭୋଗ କରୁଛନ୍ତି ବା ଯେଉଁ ପରିବେଶରେ ରହିବାକୁ ବାଧୢ ହୋଇଛନ୍ତି, ତାର କାରଣ ହାତଗଣତି ମୁଷ୍ଟିମେୟ ବ୍ୟକ୍ତିବିଶେଷ, ଯେଉଁମାନେ ବିଶ୍ବ ଜନ ସମାଜକୁ ନେତୃତ୍ବ ପ୍ରଦାନ କରୁଛନ୍ତି। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍ ବା ଇ˚ଲଣ୍ତର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଠାରେ ଉପଯୁକ୍ତ ସମୟରେ ଉପଯୁକ୍ତ ବୁଦ୍ଧି ଉଦୟ ହୋଇଥିଲେ ହୁଏତ ଏ ସମଗ୍ର ପୃଥିବୀ ଆଜି ସ୍ବସ୍ତିରେ ନିଃଶ୍ବାସ ମାରୁ ଥାଆନ୍ତା।
ଏହି ପରିପ୍ରେକ୍ଷୀରେ ଭାରତର ସ୍ଥିତି ବିଷୟରେ ମଧୢ କିଞ୍ଚିତ ଆଲୋଚନା କରାଯାଇପାରେ। ଭାରତରେ କରୋନା ସ˚କ୍ରମଣର ସ୍ଥିତିକୁ ଆକଳନ କଲେ ଏକ ମିଶ୍ର ଫଳ ମିଳିଥିବାର ଉପଲବ୍‌ଧି କରିହୁଏ। ଉପଯୁକ୍ତ ସମୟରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ଦ୍ବାରା ଭାରତରେ ସ˚କ୍ରମିତ ଏବ˚ ମୃତକଙ୍କ ସ˚ଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି ବୋଲି ପ୍ରାୟ ସମସ୍ତେ ଏକ ମତ। କାରଣ ମେ’ ମାସ ଶେଷ ସୁଦ୍ଧା ଭାରତରେ ସ˚କ୍ରମିତଙ୍କ ସ˚ଖ୍ୟା କିଛି ନିୟୁତରେ ପହଞ୍ଚି ଯାଇଥିବ ବୋଲି ପୂର୍ବରୁ ବିଭିନ୍ନ ସମ୍ମାନାସ୍ପଦ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ମଧୢ ଆକଳନ କରିଥିଲେ। ସେହିଭଳି ସ˚କ୍ରମଣର ହାର ୧.୨୨ରେ ସୀମିତ ରହିବା ବା ସ˚କ୍ରମିତଙ୍କ ସ˚ଖ୍ୟା ଦୁଇ ଗୁଣ ହେବା ଲାଗି ସମୟ ବ୍ୟବଧାନ ୧୩.୬ ଦିନ ରହିବା ଏକ ଉତ୍ସାହଜନକ ସ୍ଥିତି। କିନ୍ତୁ, ଏଣେ ଅଚାନକ ଲକ୍‌ଡାଉନ୍‌ ଘୋଷଣା କରାଯିବା ଦ୍ବାରା କୋଟି କୋଟି ପ୍ରବାସୀ ଶ୍ରମିକ ଯେଉଁଭଳି ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି, ତାହା ନିଷ୍ପତ୍ତିର ଏକ ବଡ଼ ଦୁର୍ବଳତାକୁ ମଧୢ ଇଙ୍ଗିତ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଧାରା ଉପରେ ଦୃଷ୍ଟି ରଖିଥିବା ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଅଚାନକ ଏକ ବଡ଼ ନିଷ୍ପତ୍ତି ନେଇ ସମଗ୍ର ରାଷ୍ଟ୍ରକୁ ଚମକାଇ ଦେବା ସହିତ କଠିନ ନିଷ୍ପତ୍ତି ଗ୍ରହଣ କରିବାର ସାମର୍ଥ୍ୟ ରଖିଥିବା (ନୋଟ୍‌ବନ୍ଦୀରୁ ତାଲାବନ୍ଦ ପର୍ଯ୍ୟନ୍ତ) ଜଣେ ଦୃଢ଼ମନସ୍କ ନେତା ଭାବେ ନିଜର ଏକ ଭାବମୂର୍ତ୍ତି ସୃଷ୍ଟି କରିବାରେ ବ୍ୟଗ୍ର ରହି ପ୍ରଧାନମନ୍ତ୍ରୀ ଅନେକ ସମୟରେ ଆକଳନ କରି ପାରି ନ ଥାଆନ୍ତି ଯେ ଏଭଳି ନିଷ୍ପତ୍ତିର ପ୍ରଭାବ ଜନସାଧାରଣଙ୍କ ଉପରେ କିଭଳି ରୂପେ ପଡ଼ିପାରେ। ଅଚାନକ ନୋଟ୍‌ବନ୍ଦୀ ନିଷ୍ପତ୍ତି ହେଉ ବା ଏବର ତାଲାବନ୍ଦ ହେଉ; ଏହାର ପରିଣାମଜନିତ ହୃଦୟବିଦାରକ ଚିତ୍ର ସର୍ବଦା ଦେଖିବାକୁ ମିଳିଛି, ଯାହାକୁ ପ୍ରାକ୍‌-ସତର୍କତା ଅବଲମ୍ବନ କରାଯାଇଥିଲେ ହୁଏ’ତ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।

ସ˚ପ୍ରତି ପ୍ରାୟ ସବୁ ରାଷ୍ଟ୍ରରେ ନେତାମାନଙ୍କ ନିଷ୍ପତ୍ତିର ବ୍ୟବଚ୍ଛେଦ କରାଯାଇ ଆଲୋଚନା-ସମାଲୋଚନାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସ୍ବାଭାବିକ ଭାବେ ରାଜନୈତିକ ନେତୃତ୍ବର ବିଭିନ୍ନ ନିଷ୍ପତ୍ତିର ବ୍ୟବଚ୍ଛେଦ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି ବିରୋଧୀ ଦଳର ନେତା ଓ ଗଣମାଧୢମ। ଆମେରିକାରୁ ଏବେ ଶୁଣିବାକୁ ମିଳୁଛି ଯେ ଟ୍ରମ୍ପ୍‌ଙ୍କ ସ୍ଥାନରେ ଯଦି ବାରାକ ଓବାମା ଥାଆନ୍ତେ, ହୁଏତ ଆମେରିକାରେ ସ୍ଥିତିି ଏଭଳି ଗମ୍ଭୀର ହୁଅନ୍ତା ନାହିଁ, ଯେମିତି ଏବେ ହୋଇଛି। ସେମିତି କୁହାଯାଉଛି ଯେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସ୍ଥାନରେ ଦେବେନ୍ଦ୍ର ଫଡ଼ନାବିସ ଥିଲେ ସେଠାରେ ଅଲଗା ପ୍ରକାର ସ୍ଥିତି ଦେଖିବାକୁ ମିଳିଥାଆନ୍ତା। କିନ୍ତୁ କିଏ କହିପାରିବ? କାରଣ ଯାହା ଅନ୍ତିମ ସତ୍ୟ ତାହା ହେଲା ଏ ମଣିଷ ଜାତି ସେହି ବିଡ଼ମ୍ବନା କବଳରୁ କଦାପି ମୁକ୍ତି ପାଇବ ନାହିଁ ଯେ ତାର ଭାଗ୍ୟ ନିର୍ଦ୍ଧାରଣ କରିବା ସକାଶେ ସର୍ବଶେଷ ବା ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରୁଥିବା ବ୍ୟକ୍ତି ଜଣକ ମଧୢ ସବୁ ମଣିଷଙ୍କ ଭଳି ଦୋଷଗୁଣ ଭରା ହୋଇଥିବ। ଇତିହାସ ଏହାର ସାକ୍ଷୀ। ପୃଥିବୀର ସର୍ବତ୍ର ଏଭଳି ଘଟିଛି। ରୁଷିଆରେ ଗଣ ବିପ୍ଳବ ପରେ ଅତ୍ୟାଚାରୀ ଜାର‌୍‌ଙ୍କୁ ଶାସନଚ୍ୟୁତ କରିବା ସହିତ ଅସୀମ ଆଶା ସ˚ଚାର କରି ତାଙ୍କ ବଦଳରେ ଯିଏ ଶାସନକୁ ଆସିଥିଲେ, ସେ ଥିଲେ ମତାନ୍ତରେ ଜାରଙ୍କ ଠାରୁ ମଧୢ ଅଧିକ କ୍ରୂର ଷ୍ଟାଲିନ।

ସମ୍ବନ୍ଧିତ ଖବର

Comments are closed.