ଷଷ୍ଠର କଷ୍ଟ

ହାତୀ ଚାଲିଛି। କେତେବେଳେ ଧୀର ମନ୍ଥର ତ କେତେବେଳେ ତରବର। କାଳକ୍ରମେ ହାତୀର ଆକାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାଟରେ ବେଳେ ବେଳେ ମାହୁନ୍ତ ଅଦଳ ବଦଳ ହେବା ମଧ୍ୟ ଦେଖାଯାଇଛି; କିନ୍ତୁ ସେଥିରେ ହାତୀର ଯାଏ ଆସେ କେତେ କାହାରିକୁ ଜଣାନାହିଁ। ଅବଶ୍ୟ ସେଥିପାଇଁ ହାତୀର ଅଗ୍ରଗତି ଓ ଆକାର ନେଇ ମାହୁନ୍ତମାନେ କୌଣସି ସମୟରେ ଗର୍ବ କରିବାରେ କିଛି ବାଧା ନାହିଁ- ଯଦି ସେମାନଙ୍କୁ ତାହା ସୁହାଉଥାଏ। ହାତୀଟିର ବର୍ତ୍ତମାନର ମାହୁନ୍ତ ପାଇଁ ଏବେ ଏହିପରି ଏକ ସୁଯୋଗ ଉପସ୍ଥିତ।

ଏ ହାତୀଟି ହେଉଛି ଭାରତୀୟ ଅର୍ଥନୀତି, ଯାହାକୁ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକମାନେ ସର୍ବଦା ଏହି ବିଶାଳ ସ୍ଥଳଚର ପ୍ରାଣୀ ସହିତ ତୁଳନା କରି ଆସିିଛନ୍ତି। ବର୍ତ୍ତମାନ ହାତୀର ମାହୁନ୍ତ ହେଉଛନ୍ତି ନରେନ୍ଦ୍ର ମୋଦୀ ଏବଂ ତାଙ୍କର ୫୬ ଇଞ୍ଚ ଛାତିକୁ ଆହୁରି ଫୁଲାଇ ଦେବା ପାଇଁ ହାତୀଟି ଏବେ ତାଙ୍କୁ ଯଥେଷ୍ଟ ଖୋରାକ ଯୋଗାଇ ଦେଇଛି। ଖୋରାକ ହେଲା, ବିଶ୍ୱ ବ୍ୟାଙ୍କ୍‌ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ହାତୀ ଏପରି ହୃଷ୍ଟପୁଷ୍ଟ ହୋଇଯାଇଛି ଯେ ଗତବର୍ଷ ଏହା ଉନ୍ନତ ପଶ୍ଚିମ ଇଉରୋପୀୟ ଦେଶ ଫ୍ରାନ୍‌ସକୁ ପଛରେ ପକାଇ ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଯାଇଛି। ଆସନ୍ତା ୨୦୧୯ ନିର୍ବାଚନ ଯୁଦ୍ଧରେ ଏପରି ଏକ ସୁସ୍ଥସବଳ ଗଜରାଜ ମୋଦୀ ଓ ତାଙ୍କ ଦଳର ଶକ୍ତି ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ତେବେ ଗଜରାଜ ଠିକ୍‌ ଏଇ ବେଳାରେ ଫ୍ରାନ୍‌ସକୁ ପଛରେ ପକାଇ ଦେଇଥିଲେ ହେଁ,ଏହା ଯେ ଏକ ଅନିବାର୍ଯ୍ୟ ପରିଣତି ଥିଲା, ବିଗତ ଦଶ ବର୍ଷରେ ଫ୍ରାନ୍‌ସ ସହିତ ତାଙ୍କର ତୁଳନାତ୍ମକ ଅଗ୍ରଗତି ଉପରେ ଏକ ପଶ୍ଚାତ୍‌ ଦୃଷ୍ଟି ନିକ୍ଷେପ କଲେ ସେଥିରେ କୌଣସି ସନ୍ଦେହ ରହେ ନାହିଁ। ବିଗତ ଦଶନ୍ଧିରେ ଭାରତୀୟ ଅର୍ଥନୀତି ହାରାହାରି ବାର୍ଷିକ ୮.୩% ହାରରେ ଅଭିବୃଦ୍ଧି ହାସଲ କରି ଚାଲିଥିଲା ବେଳେ ଫ୍ରାନ୍ସର ଅର୍ଥନୀତି ଅଭିବୃଦ୍ଧି ହାସଲ କରିବ କ’ଣ, ୦.୦୧% ହାରରେ ସଙ୍କୁଚିତ ହୋଇଛି। ସମ୍ପୃକ୍ତ ସମୟକାଳରେ ଉଭୟ ଦେଶର ଅର୍ଥନୈତିକ ପରିସଂଖ୍ୟାନ ଉପରେ ଏକ କ୍ଷିପ୍ର ଦୃଷ୍ଟି ପକାଇଲେ ଏହା ସ୍ପଷ୍ଟ ହୋଇଥାଏ। ୨୦୦୭ରେ ଭାରତର ମୋଟ ବାର୍ଷିକ ଉତ୍ପାଦ (ଜିଡିପି)ର ଆକାର ଆମେରିକୀୟ ଡଲାର୍‌ ହିସାବରେ ଥିଲା ୧.୨୦୧ ଟ୍ରିଲିଅନ୍‌ ଡଲାର; ଦଶ ବଷ;ର୍ ପରେ ୨୦୧୭ରେ ଏହା ବୃଦ୍ଧି ପାଇ ହୋଇଥିଲା ୨.୫୯୭ ଟ୍ରିଲିଅନ୍‌ ଡଲାର। ଅର୍ଥାତ୍‌ ଏହି ଦଶବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିର ଆକାର ବୃଦ୍ଧି ପାଇ ଦୁଇଗୁଣ ହୋଇଯାଇଥିଲା। ଦଶ ବର୍ଷ ପାଇଁ ବୃଦ୍ଧି ହାର ଥିଲା ୧୧୬.୩%। ୨୦୦୭ରେ ଫ୍ରାନ୍‌ସର ଜିଡିପିର ଆକାର ଥିଲା ୨.୬୫୭ ଟ୍ରିଲିଅନ ଡଲାର୍‌- ସେ ବର୍ଷ ପାଇଁ ଭାରତୀୟ ଜିଡିପିର ଦୁଇଗୁଣରୁ ଅଧିକ। ୨୦୧୭ରେ କିନ୍ତୁ ତାହା ୨.୫୮୩ ଟ୍ରିଲିଅନ୍‌ ଡଲାରକୁ ଖସି ଆସିଥିଲା- ଯାହା ସେ ବର୍ଷ ପାଇଁ ଭାରତର ଜିଡିପିଠାରୁ କିଛି କମ୍‌। ସେହି ଦଶବର୍ଷ ମଧ୍ୟରେ ଫ୍ରାନ୍‌ସର ଜିଡିପିରେ କୌଣସି ବୃଦ୍ଧି ପରିବର୍ତ୍ତେ ୨.୮% ସ୍ଖଳନ ଘଟିବାରୁ ଭାରତ ତାକୁ ପଛରେ ପକାଇ ଆଗକୁ ମାଡ଼ି ଯରଇଛି। ଅର୍ଥନୀତିର ଆକାର ଅନୁସାରେ ବର୍ତ୍ତମାନ ଆମେରିକା ସର୍ବବୃହତ୍‌ ହୋଇ ପୃଥିବୀରେ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ପର୍ଯ୍ୟନ୍ତରେ ଯଥାକ୍ରମେ ଅଛନ୍ତି ଚୀନ୍‌, ଜାପାନ, ଜର୍ମାନୀ ଏବଂ ବ୍ରିଟେନ୍‌।

ବିଶ୍ୱ ବ୍ୟାଙ୍କ୍‌ ତରଫରୁ ଭାରତୀୟ ଅର୍ଥନୀତି ସମ୍ବନ୍ଧରେ ଏପରି ଖୁସି ଖବର ପ୍ରକାଶ ପାଇବା ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ଏହାର ଭଗିନୀ ଅନୁଷ୍ଠାନ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ୨୦୧୮ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭.୪% ଏବଂ ୨୦୧୯ରେ ୭.୮% ହୋଇ ଚୀନ୍‌କୁ ପଛରେ ପକାଇ (୨୦୧୮-୬.୬%, ୨୦୧୯-୬.୪%) ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ବୃହତ୍‌ ଅର୍ଥନୀତିର ମର୍ଯ୍ୟାଦା ଉପଭୋଗ କରି ଚାଲିବ ବୋଲି ପୂର୍ବାନୁମାନ ପ୍ରକାଶ କରି ଆମକୁ ଉଲ୍ଲସିତ କରିଥିଲା।

କିନ୍ତୁ ଏହି ଯଥାର୍ଥ ଗର୍ବ ଉଲ୍ଲାସକୁ ଅତିକ୍ରମ କରି ଯଦି ସାଧାରଣ ଭାରତୀୟମାନଙ୍କ ପାଇଁ ଏହାର ବାସ୍ତବିକ ଲାଭ କ’ଣ ଖୋଜାଯାଏ, ତେବେ ଯାହା ଆବିଷ୍କୃତ ହେବ, ତାହା ଆମର ସେ ଉଳ୍ଲାସକୁ ନିଶ୍ଚିତ ରୂପେ ପାଣିଚିଆ କରିଦେବ। ଏକ ଅର୍ଥନୀତିର ଆକାର ତାର ଭୌଗୋଳିକ ଆକାର, ଲୋକସଂଖ୍ୟା, ଶ୍ରମଶକ୍ତି ଇତ୍ୟାଦି ଉପରେ ନିର୍ଭର କରିଥାଏ। ଏକ ବହୁକୁଟୁମ୍ବୀ ପରିବାରର ଭାତହାଣ୍ଡିର ଆକାର ବହୁତ ବଡ଼ ହେବା ସ୍ୱାଭାବିକ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏଥିଯୋଗୁଁ ପରିବାରର ସଦସ୍ୟମାନେ ମୁଣ୍ଡ ପିଛା ବହୁତ ବହୁତ ଭାତ ଖାଇବାକୁ ପାଇବେ। ସ୍ୱଚ୍ଛଳ ସ୍ୱଳ୍ପ କୁଟୁମ୍ବୀ ପରିବାରର ସଦସ୍ୟମାନେ ହୁଏତ ସେମାନଙ୍କର ଛୋଟ ଭାତ ହାଣ୍ଡିରୁ ମୁଣ୍ଡ ପିଛା ବହୁ ଅଧିକ ପରିମାଣର ଭାତ ଖାଇବାକୁ ପାଇ ପାରନ୍ତି। ଭାରତର ଲୋକସଂଖ୍ୟା ହେଉଛି ୧୩୪ କୋଟି; ଫ୍ରାନ୍ସର ଲୋକସଂଖ୍ୟା ମାତ୍ର ୬୭ ନିୟୁତ। ସେଇ ବିଶ୍ୱବ୍ୟାଙ୍କ୍‌ର ଆଉ ଏକ ସୂଚନା ଅନୁସାରେ ଭାରତର ଭାତହାଣ୍ଡି ବଡ଼ ହୋଇଥିଲେ ହେଁ ଏଥିରେ ଭାରତୀୟମାନଙ୍କର ମୁଣ୍ଡପିଛା ଭାଗ (ମୁଣ୍ଡପିଛା ଆୟ) ହେଉଛି ୭,୦୬୦ ଡଲାର, ଆଉ ଏବେ ଷଷ୍ଠ ସ୍ଥାନରୁ ବିଚ୍ୟୁତ ହୋଇଥିବା ଫ୍ରାନ୍‌ସର ଭାତହାଣ୍ଡିରେ ଫରାସୀ ମାନଙ୍କର ମୁଣ୍ଡପିଛା ଭାଗ କିନ୍ତୁ ହେଉଛି ଏକ ବିଡ଼ମ୍ବନା ଭଳି ଭାରତୀୟ ମାନଙ୍କର ଛ’ଗୁଣ- ୪୩,୭୨୦ ଡଲାର୍‌! ଫରାସୀମାନେ ଭାରତୀୟଙ୍କଠାରୁ ଛ’ଗୁଣ ଅଧିକ ସ୍ୱଚ୍ଛଳ। ଏହି ଆକଳନ ଉଭୟ ଦେଶରେ ମୁଦ୍ରାର ବାସ୍ତବ କ୍ରୟ ଶକ୍ତି ସାମ୍ୟ (ପର୍ଚେଜିଙ୍ଗ୍‌ ପାଓ୍ଵାର୍‌ ପାରିଟି) ଉପରେ ଆଧାରିତ। ଭାରତର ସ୍ଥାନ ‘ଜିଡିପି’ର ଆକାର ଦୃଷ୍ଟିରୁ ପୃଥିବୀରେ ଷଷ୍ଠ ହୋଇଥିଲେ ହେଁ, ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ହେଉଛି ୧୨୩ତମ; ଏହି ଦୃଷ୍ଟିରୁ ଫ୍ରାନ୍‌ସର ସ୍ଥାନ ହେଉଛି ୨୫ତମ।

ଭାରତରେ ମୁଣ୍ଡ ପିଛା ଆୟର ଏଭଳି ଶୀର୍ଣ୍ଣକାୟା ପାଇଁ ଯେ କେହି ହଠାତ୍‌ ଦେଶର ବିଶାଳ ଜନସଂଖ୍ୟାକୁ ଦାୟୀ କରିବେ। ଏଥିରେ କିଛି ସତ୍ୟତା ଥିଲେ ମଧ୍ୟ ସମସ୍ତ ଦୋଷ ଯେ କେବଳ ଜନସଂଖ୍ୟାର, ଏପରି ନୁହେଁ। ପଡ଼ୋଶୀ ଚୀନ୍‌ର ଜନସଂଖ୍ୟା ଏପର୍ଯ୍ୟନ୍ତ ଭାରତଠାରୁ ଅଧିକ ରହିଆସିଛି- ବର୍ତ୍ତମାନ ୧୪୦ କୋଟି, କିନ୍ତୁ ସେଠାରେ ମୁଣ୍ଡ ପିଛା ଆୟ ଭାରତର ଦୁଇଗୁଣରୁ ଅଧିକ- ୧୬,୭୬୦ ଡଲାର। ଉପରୋକ୍ତ ମାନ୍ୟତା ତାଲିକାରେ ଚୀନ୍‌ର ସ୍ଥାନ ହେଉଛି ୭୭ତମ। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ବିଶାଳ ଜନସଂଖ୍ୟା ଯୋଗୁୁଁ କୌଣସି ଦେଶ ଏକ ନୀଚା ମୁଣ୍ଡପିଛା ଆୟ ଯନ୍ତାରେ ସର୍ବଦା ପଡ଼ି ରହିବାକୁ ବାଧ୍ୟ ନୁହେଁ। ଏହି ଯନ୍ତାରୁ ମୁକୁଳିବାର ଏକମାତ୍ର ଉପାୟ ହେଉଛି ଏକ ଦ୍ରୁତ ଅଭିବୃଦ୍ଧି ହାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ବାର୍ଷିକ ୭.୧ ଅଭିବୃଦ୍ଧି ହାର ହାସଲ କରି ଭାରତ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ପରିଣତ ହୋଇଥିଲା। କିନ୍ତୁ ସେ ବର୍ଷ ଶେଷ ଆଡ଼କୁ ମୋଦୀଙ୍କର ବୁଦ୍ଧି ଭ୍ରମ ଜନିତ ବିମୁଦ୍ରୀକରଣ, ମାଡ଼ରେ ତାହା ୬.୭%କୁ ଖସି ଆସି ଚୀନ୍‌କୁ ପୁଣି ପ୍ରଥମ ସ୍ଥାନ ପ୍ରଦାନ କରିଥିଲା। ଭାରତର ପ୍ରସିଦ୍ଧ ‘ଯୋଗାଡ଼’ ଅର୍ଥନୀତି ସେ ଆଘାତରୁ ପଡ଼ି ଉଠି ଏବେ ପୁଣି ଧାଇଁବାକୁ ଆରମ୍ଭ କରିଛି ବୋଲି ଉପରେ ପ୍ରଦତ୍ତ ‘ଆଇଏମ୍‌ଏଫ୍‌’ ପୂର୍ବାନୁମାନରୁ ଜଣାପଡୁଛି। ଆଶା ମୋଦୀ ସରକାର ବିମୁଦ୍ରୀକରଣ ଭଳି ଆଉ କିଛି ନୂତନ ଅବିମୃଶ୍ୟକାରୀତା ପ୍ରଦର୍ଶନ କରି ଅର୍ଥନୀତିକୁ ପୁଣି ସେଇ ଯନ୍ତା ଭିତରକୁ ଠେଲି ଦେବ ନାହିଁ।

ସମ୍ବନ୍ଧିତ ଖବର