ବହୁ କୋଟି ଟଙ୍କାର ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିସନ୍ ତାଙ୍କ ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଚନ୍ତି। ଚିଟ୍ଫଣ୍ଡ ଠକେଇର ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ନ୍ୟାୟମୂର୍ତ୍ତି ଆର.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ଜଣିକିଆ ବିଚାର ବିଭାଗୀୟ କମିସନ୍ ଗଠନ କରାଯାଇଥିଲା। ପରେ ୨୦୧୫, ଜାନୁଆରିରେ ନ୍ୟାୟମୂର୍ତ୍ତି ପାତ୍ରଙ୍କ ବିୟୋଗ ପରେ ‘ସଂପ୍ରସାରିତ ଟର୍ମ ଅଫ ରେଫରେନ୍ସ’ ସହ ନ୍ୟାୟମୂର୍ତ୍ତି ଏମ୍.ଏମ୍. ଦାସ କମିସନ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ନ୍ୟାୟମୂର୍ତ୍ତି ଏମ୍.ଏମ୍. ଦାସଙ୍କ ଅଧ୍ୟକ୍ଷତାରେ କମିସନ୍ ୨୦୧୬, ମେ’ ୨୫ରେ ପ୍ରଥମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ସେହି କ୍ରମରେ ଶୁକ୍ରବାର (ଜୁଲାଇ ୧୩) କମିସନ୍ ତାଙ୍କର ପଞ୍ଚମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ସହ ବିଭାଗ ସଚିବଙ୍କୁ ପ୍ରଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବାର ହଜାରରୁ ଅଧିକ ପୃଷ୍ଠାର ପଞ୍ଚମ ଅନ୍ତରୀଣ ରିପୋର୍ଟରେ କମିସନ୍ ୨୯୦ଟି ଠକ କମ୍ପାନିରେ ଟଙ୍କା ଖଟାଇ ଥିବା ୧୦୧,୮୫୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପୂର୍ବରୁ ଗତ ଜାନୁଆରିରେ ପ୍ରଦାନ କରାଯାଇଥିବା ଚତୁର୍ଥ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କମିସନ୍, ୧,୩୮,୩୮୮ ଜମାକାରୀଙ୍କ ସତ୍ୟପାଠ ଯାଞ୍ଚ କରି ୫୫, ୫୬୩ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ। ‘କ୍ଷୁଦ୍ର ଜମାକାରୀ’ର ସଂଜ୍ଞା ହେଲା, କୌଣସି ଠକ କମ୍ପାନିରେ ୧୦ ହଜାର କିମ୍ବା ତା’ଠାରୁ କମ୍ ଟଙ୍କା ଲଗାଇଥିବା ଜମାକାରୀ। ୨୦୧୫ ମାର୍ଚ୍ଚରେ ସରକାରଙ୍କ ସଂଶୋଧିତ ‘ଟର୍ମ ଅଫ୍ ରେଫରେନ୍ସ’ରେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କୁ ଜମା ଟଙ୍କା ଫେରସ୍ତ ସକାଶେ ପ୍ରକ୍ରିୟାଗତ ବ୍ୟବସ୍ଥା ସୁପାରିସ ବିଷୟ ସାମିଲ କଲା ପରେ କମିସନ୍ ଏହାକୁ ପ୍ରାଥମିକତା ଦେଇ ପ୍ରତି ରିପୋର୍ଟରେ ଚିହ୍ନଟ କ୍ଷୁଦ୍ର ଜମାକାରୀଙ୍କ ତାଲିକା ଉଲ୍ଲେଖ କରି ଆସୁଛନ୍ତି।
ଲକ୍ଷ ଲକ୍ଷ ସଂଖ୍ୟାରେ ଜମାକାରୀ ଲୁଟ୍ର ଶିକାର ହୋଇଥିବା ଏ ଚିଟ୍ଫଣ୍ଡ ମହାଠକେଇ ପଛରେ ପ୍ରଭାବଶାଳୀ ବ୍ୟକ୍ତି, ଗୋଷ୍ଠୀ ଓ ଅମଲାତନ୍ତ୍ରର ଭୂମିକା ସମ୍ପର୍କରେ ତଦନ୍ତ ସମେତ ‘ଟର୍ମ ଅଫ୍ ରେଫରେନ୍ସ’ରେ ଥିବା ଅନ୍ୟାନ୍ୟ ବିଷୟ ଅପେକ୍ଷା କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କୁ ଜମାଟଙ୍କା ଫେରସ୍ତକୁ ମାନ୍ୟବର କମିସନ ସର୍ବୋଚ୍ଚ ଅଗ୍ରାଧିକାର ଦେବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଏତିକି କିନ୍ତୁ ଠକେଇର ଶିକାର କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଆଶ୍ୱସ୍ତ କରିପାରୁନାହିଁ। କାରଣ, କାର୍ଯ୍ୟରେ ପ୍ରାଥମିକତାର ପ୍ରତିଫଳନ ବିଶେଷ ପରିଦୃଷ୍ଟ ହେଉନାହିଁ। ପାଞ୍ଚଟି ଅନ୍ତରୀଣ ରିପୋର୍ଟ ପରେ ବର୍ତ୍ତମାନ ସୁଦ୍ଧା ମୋଟ ୨,୧୮,୫୩୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ପାରିଛି। ଖୋଦ କମିସନଙ୍କ ସୂଚନା ଅନୁଯାୟୀ ଆହୁରି ଦୁଇଟି ପର୍ଯ୍ୟାୟ ତଦନ୍ତ ପରେ ଯାଇ ସବୁ ଆଠଲକ୍ଷରୁ ଊର୍ଦ୍ଧ୍ୱ ସତ୍ୟପାଠ ଯାଞ୍ଚ କରି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କାର୍ଯ୍ୟ ସମାପ୍ତ ହେବ। ଗତ ୨୦୧୬, ମେ’ ୨୫ରୁ ଆରମ୍ଭ ହୋଇଥିବା ଅନ୍ତରୀଣ ରିପୋର୍ଟ ପ୍ରଦାନ କ୍ରମରେ ଦୁଇଟି ରିପୋର୍ଟ ପ୍ରଦାନ ମଧ୍ୟରେ ଛଅ ମାସର ବ୍ୟବଧାନକୁ ଯଦି ବିଚାରକୁ ନିଆଯାଏ, ତେବେ କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ସମାପ୍ତ ହେବାକୁ ଅତିକମ୍ରେ ଆହୁରି ବର୍ଷେ ସମୟ ଲାଗିଯିବ। ଏହା ନିଶ୍ଚିତ ଭାବେ କ୍ଷୁଦ୍ର ଜମାକାରୀଙ୍କ ଧୈର୍ଯ୍ୟର କଠୋର ପରୀକ୍ଷା। କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଯେତିକି ମନ୍ଥର, ଜମା ଟଙ୍କା ଫେରସ୍ତ ପ୍ରକ୍ରିୟା ଶୋଚନୀୟ ଭାବେ ମନ୍ଥର। ବର୍ତ୍ତମାନ ସୁଦ୍ଧା କେବଳ ମାତ୍ର ୧,୪୮୫ ଜଣ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ଦିଆଯାଇ ପାରିଛି। ଏହାର ଅର୍ଥ ଚିହ୍ନଟ ହୋଇ ସାରିଥିବା ୨ ଲକ୍ଷ ୧୮ ହଜାର ୫୩୪ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ୧ ପ୍ରତିଶତଙ୍କୁ ସୁଦ୍ଧା ଟଙ୍କା ଫେରସ୍ତ ମିଳି ନାହିଁ।
ଚିହ୍ନଟ ଜମାକାରୀଙ୍କ ମଧ୍ୟରୁ କେବଳ ମାତ୍ର ୦.୬୮ ପ୍ରତିଶତଙ୍କୁ ଜମାଟଙ୍କା ଫେରସ୍ତ ମିଳିବା କେଉଁଠି ନା କେଉଁଠି ଠକେଇର ଶିକାର ଜମାକାରୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରୀ କଳରେ ଇଚ୍ଛାଶକ୍ତିର ଅଭାବ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସ୍ୱାଭାବିକ ଭାବେ ଏହା ବ୍ୟବସ୍ଥା ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରଭାବିତ କରୁଛି। ସରକାର ତଥା ବ୍ୟବସ୍ଥାର ବିଶ୍ୱସନୀୟତା ମାପିବା ଲାଗି ଅନ୍ୟତମ ପ୍ରମୁଖ ମାପକାଠି ହେଲା ପ୍ରତିଶ୍ରୁତି ପାଳନ। ଦିଆଯାଇଥିବା ପ୍ରତିଶ୍ରୁତିର ଠିକଣା ପାଳନ ହେଲେ ସରକାର ଓ ବ୍ୟବସ୍ଥାର ବିଶ୍ୱସନୀୟତା ବଢ଼େ। ଅନ୍ୟଥା ଏହା ଛିଡ଼େ। ଚିଟ୍ଫଣ୍ଡ ଠକେଇର ଶିକାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପ୍ରତିଶ୍ରୁତି ପାଳନର କଷଟିରେ ସରକାରଙ୍କ ପ୍ରଦର୍ଶନ ଆଦୌ ଉତ୍ସାହଜନକ ମନେ ହେଉନାହିଁ। ଠକ କମ୍ପାନିଙ୍କ ଦ୍ୱାରା ଲୁଟ୍ର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ନିଶ୍ଚିତ କରାଯିବ, ଅନ୍ତତଃ କ୍ଷୁଦ୍ରଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ସରକାରଙ୍କ ଦାୟିତ୍ୱ ବୋଲି ଆଶ୍ୱାସନା ଦିଆଗଲା। ଏଥିପାଇଁ ୩୦୦ କୋଟି ଟଙ୍କାର ଏକ ‘କର୍ପସ୍ ପାଣ୍ଠି’ ମଧ୍ୟ ଗଠନ କରାଯାଇ ବଜେଟରେ ଆବଶ୍ୟକ ପରିମାଣ ଅର୍ଥର ମଧ୍ୟ ବ୍ୟବସ୍ଥା କରାଗଲା। ଠକ କମ୍ପାନି ମାନଙ୍କ ସମ୍ପତ୍ତି ନିଲାମ ଲାଗି ଆଇନରେ ସଂଶୋଧନ ମଧ୍ୟ କରାଯାଇଛି। ଭବିଷ୍ୟତରେ ଯେମିତି ଚିଟ୍ଫଣ୍ଡ ଠକେଇର ପୁନରାବୃତ୍ତି ନ ଘଟେ ସେଥିପାଇଁ ମଧ୍ୟ ସମବାୟ ଆଇନର ସଂଶୋଧନ କରାଯାଇଛି। ଫଳରେ ସରକାରଙ୍କ ପ୍ରତି କ୍ଷତିଗ୍ରସ୍ତ ଜମାକାରୀଙ୍କ ଭରସା ବଢ଼ିଲା। କିନ୍ତୁ ଆଜି ବାସ୍ତବ ସ୍ଥିତି କ’ଣ?
କାଗଜପତ୍ରରେ ସବୁ କିଛି ଠିକ। ଠିକଣା ଦିଗରେ ଠିକଣା ପଦକ୍ଷେପ ମନେ ହେଉଛି। ଠକେଇର ଶିକାର ଜମାକାରୀଙ୍କ ପ୍ରତି ସରକାର ସମ୍ବେଦନଶୀଳ, ଉଦ୍ଦେଶ୍ୟ ମଧ୍ୟ ସକାରାତ୍ମକ। ଅଥଚ ୯୯ ପ୍ରତିଶତ ଚିହ୍ନଟ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ମିଳିନାହିଁ। କ୍ଷେତ୍ର ସ୍ତରରେ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟା କାହିଁକି ତ୍ୱରାନ୍ଵିତ ହୋଇ ପାରୁନାହିଁ, କେଉଁଠି ରହିଛି ସମସ୍ୟା ବା ଜଟିଳତା? ଯାହାବି ସମସ୍ୟା କିମ୍ବା ପ୍ରକ୍ରିୟାଗତ ଜଟିଳତା ଥାଉ, ତା’ର ସମାଧାନ କରି ସରଳ ଓ ସହଜ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଲାଗି ସମୟବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ। ମାନ୍ୟବର ଏମ୍ ଏମ୍ ଦାସ କମିସନ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରିଥିବା ସବୁ ୨ ଲକ୍ଷ ୧୮ ହଜାର ୫୩୪ ଜମାକାରୀଙ୍କୁ ଆସନ୍ତା ଛଅ ମାସ ବା କମିସନ ତାଙ୍କର ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ଦେବା ପୂର୍ବରୁ ଜମା ଫେରସ୍ତ ଦେବା ଲାଗି ଆବଶ୍ୟକ ମାତ୍ର ୨୨ କୋଟି ଟଙ୍କା। ଅଥଚ, କର୍ପସ୍ ପାଣ୍ଠିରେ ୩୦୦ କୋଟି ଟଙ୍କା ପଡ଼ି ରହିଛି। ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ ଜମାକାରୀଙ୍କ ସତ୍ୟପାଠ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ପ୍ରକ୍ରିୟା ସମାପ୍ତ କରି ନୂଆ କ୍ଷୁଦ୍ର ଜମାକାରୀ ଚିହ୍ନଟ ପୂର୍ବରୁ, ଯଦି ଚିହ୍ନଟ ସବୁ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ଦିଆଯାଇ ପାରିବ, ତେବେ ତାହା ଏକ ସକାରାତ୍ମକ ସଂକେତ ଦେବ। ଏହା ଦ୍ୱାରା ସତ୍ୟପାଠ ଦାଖଲ କରିଥିବା ପ୍ରାୟ ୮ ଲକ୍ଷ ଜମାକାରୀଙ୍କ ଭରସା ପାଇବ ଯେ, ସରକାର ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ତା’ ଉପରେ ନିର୍ଭର କରାଯାଇପାରେ। ଆପରାଧିକ ଦିଗ ଉପରେ ତ ସିବିଆଇ ତଦନ୍ତ ଜାରି ରହିଛି। କମିସନ, ସରକାର ଓ ପୂରା ଶାସନ କଳ କେବଳ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥ ରକ୍ଷାକୁ ସର୍ବାଦୌ ଗୁରୁତ୍ୱ ଦେଇ ଜମାକାରୀ ଚିହ୍ନଟ ଓ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି ପଦକ୍ଷେପ ନିଅନ୍ତୁ। ଏହା ସରକାର ଓ ବ୍ୟବସ୍ଥା ପ୍ରତି ପତଳା ପଡ଼ିଯାଉଥିବା ଆସ୍ଥା ଓ ବିଶ୍ୱାସକୁ ପୁଣି ଦୃଢ଼ୀଭୂତ କରିବାରେ ସହାୟକ ହେବ।