ଚକ୍ର ବ୍ୟୂହ!

0 143

ମହାଭାରତ ଯୁଦ୍ଧରେ ବାଳକ ଅଭିମନ୍ୟୁ ସପ୍ତରଥୀମାନେ ରଚନା କରିଥିବା ଚକ୍ରବ୍ୟୂହ ଦ୍ୱାରା ପରାଜିତ ହୋଇଥିଲେ। କିନ୍ତୁ ଯୁଗ ଯୁଗ ଧରି ମହାଭାରତର କାହାଣୀକୁ ଆସ୍ୱାଦନ କରି ଆସୁଥିବା ସମସ୍ତଙ୍କ ହୃଦୟକୁ ଯିଏ ଜୟ କରିଥାନ୍ତି, ସେମାନେ ଚକ୍ରବ୍ୟୂହ ରଚନାକାରୀ ସପ୍ତରଥୀ ନୁହନ୍ତି, ସେ ହେଉଛନ୍ତି ଅସାମାନ୍ୟ ରଣକୌଶଳ ପ୍ରଦର୍ଶନ କରି ଶେଷରେ ଏକ ଚକ୍ରାନ୍ତର ଶିକାର ହୋଇ ଟଳି ପଡ଼ିଥିବା ବୀର ବାଳକ ଅଭିମନ୍ୟୁ। ରବିବାର ଦିନ ଖେଳା ଯାଇଥିବା ଫୁଟ୍‌ବଲ୍‌ ଓ୍ଵାର୍ଲଡ୍‌ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଆଜିର ଦୁନିଆରେ ଏକ ମହାଭାରତ ଯୁଦ୍ଧ ଠାରୁ କମ୍‌ ନୁହେଁ। ଏଥିରେ ଫ୍ରାନ୍‌ସ କ୍ରୋଏସିଆକୁ ପରାସ୍ତ କରି କପ୍‌ ଜିତିଛି। ଫ୍ରାନ୍‌ସ ଏହି ଯୁଦ୍ଧରେ ବିଜୟ ଲାଭ କରିଛି ସତ, ହେଲେ ବିଶ୍ୱବାସୀଙ୍କ ହୃଦୟ ଜିତି ପାରି ନାହିଁ; ହୃଦୟ ଜିଣିଛି କ୍ରୋଏସିଆ। ଫ୍ରାନ୍‌ସ ହେଉଛି ସପ୍ତରଥୀ ଆଉ କ୍ରୋଏସିଆ ହେଉଛି ଅଭିମନ୍ୟୁ।

ଏ ତୁଳନା ଯଦି କାହାକୁ ଭିଡ଼ା ଓଟରା ହୋଇଥିବା ପରି ମନେ ହେଉଥାଏ ତେବେ ନିମ୍ନରେ ଦିଆଯାଇଥିବା ସୂଚନା ସେ ସନ୍ଦେହ ଦୂର କରିବାରେ ସାହାଯ୍ୟ କରିବ। କେବଳ ଆକାର ଦେଖିଲେ ଫ୍ରାନ୍‌ସ ତୁଳନାରେ କ୍ରୋଏସିଆ ଯେ ଏକ ବାଳକ ମାତ୍ର ତାହା ନୁହେଁ, ବୟସ ଦୃଷ୍ଟିରୁ ମଧ୍ୟ ତାହା। ଫ୍ରାନ୍‌ସର ଲୋକସଂଖ୍ୟା ପ୍ରାୟ ୬ କୋଟି ୭୦ ଲକ୍ଷ ହୋଇଥିବା ବେଳେ କ୍ରୋଏସିଆର ଲୋକସଂଖ୍ୟା ହେଉଛି ମାତ୍ର ପ୍ରାୟ ୪୧ ଲକ୍ଷ, ଯାହା ବୃହତ୍ତର ପ୍ୟାରିସ୍‌ର ଲୋକସଂଖ୍ୟାର ଅଧାରୁ ମଧ୍ୟ କମ୍‌। ଫ୍ରାନ୍‌ସ ଏକ ପ୍ରାଚୀନ ସମୃଦ୍ଧ ଦେଶ ହୋଇଥିବା ବେଳେ ଯୁଗୋସ୍ଲୋଭିଆ ବିକ୍ଷୁବ୍‌ଧ ଅବସ୍ଥାରେ ବିଖଣ୍ଡିତ ହେବା ପରେ ତାହାର ଛ’ଖଣ୍ଡରୁ ଗୋଟଏି ଖଣ୍ଡ ଭାବରେ ସ୍ୱାଧୀନ କ୍ରୋଏସିଆର ଜନ୍ମ ହେଉଛି ଏଇ ମାତ୍ର ୧୯୯୧ରେ। ଏହାର ଅର୍ଥନୀତି ଦୁର୍ବଳ। ଯଦି ଦୁଇ ଦେଶର ଫୁଟ୍‌ବଲ୍‌ ଟିମ୍‌ର ଗଠନ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ ତେବେ ଉପରୋକ୍ତ ସପ୍ତରଥୀ- ଅଭିମନ୍ୟୁ ତୁଳନାରେ ଯଥାର୍ଥତା ଆହୁରି ସ୍ପଷ୍ଟ ହୋଇଯିବ। କ୍ରୋଏସିଆ ଅଭିମନ୍ୟୁ ଭଳି ଏକାକୀ ଏ ପ୍ରତିଯୋଗିତାରେ ଲଢ଼େଇ କରୁଥିଲା; ଏହାର ସମସ୍ତ ଖେଳାଳି ଥିଲେ କ୍ରୋଏସୀୟ ମୂଳର। ଫ୍ରାନ୍‌ସ କିନ୍ତୁ ନାମମାତ୍ର ଫ୍ରାନ୍‌ସ ଭାବରେ ଲଢ଼େଇ କରୁଥିଲେ ହେଁ ଏହାର ଅର୍ଧାଧିକ ଖେଳାଳିଙ୍କ ମୂଳ ହେଉଛି ବିଭିନ୍ନ ଆଫି୍ରକୀୟ ଦେଶ। କଙ୍ଗୋରୁ ଆରମ୍ଭ କରି ସେନେଗାଲ୍‌ ପର୍ଯ୍ୟନ୍ତ ପ୍ରାୟ ୧୦ଟି ଦେଶର ଖେଳାଳି ବୃହତ୍ତର ଫ୍ରାନ୍‌ସ ଟିମ୍‌ରେ ଥିବା ବେଳେ ସେଦିନ ପଡ଼ିଆରେ ଖେଳୁଥିବା ଫ୍ରାନ୍‌ସ ଟିମ୍‌କୁ ଦେଖିଲେ, କେହି ନଜାଣିଥିବା ଦର୍ଶକଙ୍କୁ ଯଦି ଏହା କୌଣସି ଏକ ଆଫ୍ରିକୀୟ ଟିମ୍‌ ଭଳି ଲାଗିଥିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବାସ୍ତବରେ ସେଦିନ ଫ୍ରାନ୍‌ସ ଦେଇଥିବା ଚାରିଟି ଗୋଲ୍‌ ମଧ୍ୟରୁ ଯେଉଁ ଦୁଇଟି ପ୍ରକୃତ ଗୋଲ୍‌କୁ ନେଇ ଫ୍ରାନ୍‌ସର ସମର୍ଥକମାନେ ଗର୍ବ କରିପାରିବେ, ସେ ଦୁଇଟି ଯାକ ଗୋଲ୍‌ ଦେଇଥିଲେ ଦୁଇଜଣ ଆଫ୍ରିକୀୟ ମୂଳର ଖେଳାଳି; ଗିନି ମୂଳର ପଲ୍‌ ପୋଗ୍‌ବା ଏବଂ କ୍ୟାମେରୁନ୍‌-ନାଇଜେରିଆ ମୂଳର ବିଚକ୍ଷଣ କିଶୋର କିଲିଆନ୍‌ ଏମ୍‌ବାପେ। ତେଣୁ ସପ୍ତରଥୀ ଏକାଠି ହୋଇ ଅଭିମନ୍ୟୁଙ୍କୁ ହରାଇବା ତୁଳନା ଅସଂଗତ ନୁହେଁ।

ଆଉ ମହାଭାରତ ଯୁଦ୍ଧରେ ଅଭିମନ୍ୟୁଙ୍କ ରଣକୌଶଳ ଓ ବୀରତ୍ୱ ଯେପରି ସମସ୍ତଙ୍କୁ ଚମତ୍କତ କରିଦେଇଥିଲା, ରବିବାର ଦିନ ଖେଳର ପ୍ରଥମ ଏକ ଘଣ୍ଟା ପର୍ଯ୍ୟନ୍ତ ଫ୍ରାନ୍‌ସକୁ ସମ୍ପୂର୍ଣ୍ଣ ଚାପଗ୍ରସ୍ତ କରି ରଖି କ୍ରୋଏସିଆ ସମସ୍ତ ଦର୍ଶକଙ୍କୁ ଚମତ୍କତ କରି ଦେଇଥିଲା। ତାହା ପୁଣି ଭାଗ୍ୟର ପ୍ରତିକୂଳ ଗତି ଯୋଗୁଁ କ୍ରୋଏସିଆ ନିଜ ବିପକ୍ଷରେ ଏକ ଆତ୍ମଘାତୀ ଗୋଲ୍‌ ଦେଇ ଫ୍ରାନ୍‌ସକୁ ୧-୦ରେ ଆଗୁଆ କରିଦେବା ପରେ ମଧ୍ୟ। ଉଲ୍ଲେଖଯୋଗ୍ୟ, ଫ୍ରାନ୍‌ସର ଆଣ୍ଟୋନ୍‌ ଗ୍ରିଜମ୍ୟାନ ଛଳନା କରି ପଡ଼ି ଯାଇ ରେଫରିଙ୍କ ଠାରୁ ଆଦାୟ କରିଥିବା ଫ୍ରି କିକ୍‌ ଶେଷରେ କ୍ରେଏସିଆ ପାଇଁ ଏହି ଆତ୍ମଘାତୀ ଗୋଲରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ଏକ ଚମତ୍କାର ଢଙ୍ଗରେ କ୍ରୋଏସିଆ ଫ୍ରାନ୍‌ସ ବିପକ୍ଷରେ ଏକ ଗୋଲ୍‌ ଦେଇ ପୂର୍ବର କ୍ଷତି ଭରଣା କରି ସ୍କୋର୍‌କୁ ୧-୧ କରି ଫ୍ରାନ୍‌ସକୁ ପରାସ୍ତ କରିବାର ଦୃଢ଼ ସମ୍ଭାବନା ସୃଷ୍ଟି କଲା ପରେ ପରେ ଯେଉଁ ଘଟଣାଟି କ୍ରୋଏସିଆକୁ ଏକ ମନସ୍ତାତ୍ତ୍ୱିକ ଚକ୍ରବ୍ୟୂହ ଭିତରେ ବନ୍ଦୀ କରି ରଖିଲା ତାହା ଏକ ଅଘଟଣ ଥିଲା କି ଚକ୍ରାନ୍ତ ଥିଲା, ସେ ନେଇ ବିତର୍କ ସେତେଦିନ ଚାଲୁ ରହିବ, ଯେତେ ଦିନ ପୃଥିବୀରେ ଫୁଟ୍‌ବଲ ଖେଳ ହେଉଥିବ। ଠିକ୍‌ ଯେମିତି ୧୯୬୬ର ଓ୍ଵାର୍ଲଡ୍‌ କପ୍‌ ଫାଇନାଲ୍‌ ମ୍ୟାଚ୍‌ର ଅନୁରୂପ ଘଟଣା ଏ ପର୍ଯ୍ୟନ୍ତ ଆଲୋଚିତ ହୋଇ କିମ୍ବଦନ୍ତିରେ ପରିଣତ ହୋଇଛି। ଆଉ କିମ୍ବଦନ୍ତିରେ ପରିଣତ ହୋଇଛନ୍ତି ସେ ମ୍ୟାଚ୍‌ ପରିଚାଳନାରେ ସମ୍ପୃକ୍ତ ଥିବା ଲାଇନ୍‌ସମ୍ୟାନ୍‌ ତତ୍‌କାଳୀନ ସୋଭିଏତ୍‌ ୟୁନିଅନ୍‌ର ଅଂଶ ଥିବା ଆଜର୍‌ବଇଜାନ୍‌ର ତୋଫିକ୍‌ ବହ୍‌ରାମୋଭ୍‌। ତାଙ୍କୁ କେନ୍ଦ୍ର କରି ଏକ ରୂପକ ସୃଷ୍ଟି ହୋଇଛି: ‘ଦି ରସିଆନ୍‌ ଲାଇନ୍‌ସମ୍ୟାନ୍‌’।

ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ସମ୍ମୁଖରେ ଲଣ୍ଡନର ଓ୍ଵମ୍ବ୍‌ଲି ଷ୍ଟାଡିଅମ୍‌ରେ ଅନୁଷ୍ଠିତ ଏହି ଫାଇନାଲ୍‌ ମ୍ୟାଚ୍‌ରେ ପ୍ରତିପକ୍ଷ ଦଳ ଦ୍ୱୟ ଥିଲେ ଇଂଲାଣ୍ଡ୍‌ ଓ ପଶ୍ଚିମ ଜର୍ମାନୀ। ଉଭୟ ଟିମ୍‌ର ସ୍କୋର୍‌ ୨-୨ ଥିବା ବେଳେ ଏକ୍‌ସଟ୍ରା ଟାଇମ୍‌ର ପ୍ରଥମାର୍ଧରେ ଇଂଲାଣ୍ଡ୍‌ର ଷ୍ଟ୍ରାଇକର୍‌ ଜିଅଫ୍‌ ହଷ୍ଟ୍‍ର୍ ଗୋଲ୍‌ କରିବା ପାଇଁ ମାରିଥିବା ଏକ ସଟ୍‌ କ୍ରସ୍‌ବାର୍‌ରେ ବାଜି ସିଧା ଖସି ଭୂଇଁରେ ବାଜି ପଛକୁ ପଡ଼ିଆ ଆଡ଼କୁ ଛିଟ୍‌କି ପଡ଼ିଲା। ଜର୍ମାନ୍‌ ଖେଳାଳିମାନେ ଦାବି କଲେ ଯେ ବଲ୍‌ଟି ଗୋଲ୍‌ ଲାଇନ୍‌ ଉପରେ ପଡ଼ିଥିଲା, କାରଣ ସେମାନେ ଲାଇନ୍‌ର ଚକ୍‌ ଗୁଣ୍ଡ ଉଡ଼ିବା ଦେଖିଥିଲେ ଏବଂ ତା’ ପରେ ବଲ୍‌ଟି ଲାଇନ୍‌ ଅତିକ୍ରମ ନକରି ବାହାରକୁ ଛିଟ୍‌କି ଥିଲା; ଏଣୁ ତାହା ଗୋଲ୍‌ ନଥିଲା। ରେଫରି ସ୍ୱିଜର୍‌ଲ୍ୟାଣ୍ଡ୍‌ର ଗଟଫ୍ରିଡ୍‌ ଡିଏନ୍‌ଷ୍ଟ୍‍ କିଛି ସ୍ଥିର କରି ନପାରି ଲାଇନ୍‌ସମ୍ୟାନ୍‌ ବହ୍‌ରାମୋଭ୍‌ଙ୍କୁ ପରାମର୍ଶ କଲେ। ବହ୍‌ରାମୋଭ୍‌ ଏହା ଏକ ଗୋଲ୍‌ ଥିଲା ବୋଲି ମତ ଦେବାରୁ ରେଫରି ତାହା ଗ୍ରହଣ କଲେ। ଜର୍ମାନୀ ଭଗ୍ନ ହୃଦୟ ହେବା ପରେ ଇଂଲାଣ୍ଡ୍‌ ପୁଣି ଆଉ ଗୋଟିଏ ଗୋଲ୍‌ ଦେଇ ୪-୨ରେ ବିଜୟୀ ହେଲା। ୧୯୯୬ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣରୁ ସାବ୍ୟସ୍ତ ହୋଇଥିଲା ଯେ ସେଦିନ ଇଂଲାଣ୍ଡର ସେ ତୃତୀୟ ଗୋଲ୍‌ଟି ପ୍ରକୃତରେ ଏକ ଗୋଲ୍‌ ନଥିଲା, କାରଣ ବଲ୍‌ଟି ଗୋଲ୍‌ ଲାଇନ୍‌ର ଅତି କମ୍‌ରେ ୬ ସେ.ମି ବାହାରେ ଭୂମି ସ୍ପର୍ଶ କରିଥିଲା।

ଇତିମଧ୍ୟରେ ଖେଳ ପରିଚାଳନାରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଇ ଏ ଭଳି ଭୁଲ ଘଟିବାକୁ ନ ଦେବା ପାଇଁ ‘ଭିଏଆର୍‌’ (ଭିଡିଓ ଆସିଷ୍ଟାଣ୍ଟ ରେଫରି) ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ତଥାପି ରବିବାର ଦିନ ମ୍ୟାଚ୍‌ ପରିଚାଳନା କରିଥିବା ରେଫରି ଆର୍ଜେଣ୍ଟିନାର ନେଷ୍ଟର୍‌ ପିଟାନା ଯେଉଁ କାଣ୍ଡ ଘଟାଇଲେ ତାହା ତାଙ୍କୁ ୧୯୬୬ର ‘ଦି ରସିଆନ୍‌ ଲାଇନ୍‌ମ୍ୟାନ୍‌’ ପରି ୨୦୧୮ର ‘ଦି ଆର୍ଜେଣ୍ଟାଇନ୍‌ ରେଫରି’ରେ ପରିଣତ କରିଛି ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। ଫୁଟ୍‌ବଲ୍‌ର ‘ହାଣ୍ଡ୍‌ ବଲ୍‌’ ନିୟମ ଅନୁସାରେ ଯଦି କେହି ଖେଳାଳି ଉଦ୍ଦେଶ୍ୟମୂଳକ ଭାବରେ ବଲ୍‌କୁ ଖେଳ ସମୟରେ ହାତରେ ଛୁଏଁ, ତେବେ ତାହା ଗୁରୁତର ଅପରାଧ ରୂପେ ବିବେଚିତ ହୋଇ ସେ ଦଳ ବିପକ୍ଷରେ ପେନାଲ୍‌ଟି କିକ୍‌ରେ ପରିଣତ ହେବ। ପେନାଲ୍‌ଟି କିକ୍‌ ଗୋଲ୍‌ରେ ପରିଣତ ହେବାର ସମ୍ଭାବନା ହେଉଛି ସର୍ବାଧିକ। ସେ ଦିନ ସର୍ବସମକ୍ଷରେ ଯାହା ଘଟିଲା, ଫ୍ରାନ୍‌ସର ଏକ କର୍ନର ଫ୍ରାନ୍‌ସ ଖେଳାଳି ବ୍ଳେଜ୍‌ ମାର୍ଟୁଇଡି ହେଡ୍‌ କରିବାରେ ବିଫଳ ହେବା ପରେ ବଲ୍‌ଟି ଅଚାନକ କ୍ରୋଏସିଆ ଖେଳାଳି ଇଭାନ ପେରିସିଚ୍‌ଙ୍କ ହାତରେ ବାଜିଗଲା। ଏହା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟହୀନ ଥିଲା। ଫ୍ରାନ୍‌ସ ଖେଳାଳିଙ୍କ ଦାବି ଅନୁସାରେ ରେଫରି ପିଟାନା ‘ଭିଏଆର୍‌’ ଦେଖିଲେ ଏବଂ ସମସ୍ତଙ୍କୁ ଚକିତ କରିଦେଇ କ୍ରୋଏସିଆ ବିରୁଦ୍ଧରେ ପେନାଲ୍‌ଟି ଦେଇଦେଲେ। ଗ୍ରିଜ୍‌ମ୍ୟାନ୍‌ ହିଁ ପେନାଲ୍‌ଟି କିକ୍‌ ମାରି ଫ୍ରାନ୍‌ସର ଦ୍ୱିତୀୟ ଗୋଲ୍‌ କଲେ ଓ କ୍ରୋଏସିଆର ମନୋବଳ ଭାଙ୍ଗି ଦେଲେ। ଫ୍ରାନ୍‌ସ ଦେଇଥିବା ୪ଟିରୁ ୨ଟି ଗୋଲ୍‌ରେ ତେଣୁ ଫ୍ରାନ୍‌ସର କୌଣସି ବାହାଦୁରି ନାହିଁ। ରେଫରି ପିଟାନାଙ୍କ କାର୍ଯ୍ୟ ମହାଭାରତରେ ଶ୍ରୀକୃଷ୍ଣଙ୍କ ଅଭିମନ୍ୟୁ ବଧ ନେଇ ଚକ୍ରାନ୍ତ ପରି (ସେ ଅର୍ଜୁନଙ୍କୁ ଭୁଲାଇ ନେଇ ଯୁଦ୍ଧରୁ ଦୂରରେ ରଖିଥିଲେ) ମନେ ହୋଇଥାଏ। ଏହା ଗ୍ରୁପ୍‌ ମ୍ୟାଚ୍‌ରେ କ୍ରୋଏସିଆ ଠାରୁ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ପରାସ୍ତ ହେବାର ପ୍ରତିଶୋଧ ନୁହେଁ ତ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.