ପିତା ପିଲ୍‌

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାନୀତି ନିର୍ଦ୍ଧାରଣ ଜଣେ ଗଭର୍ନରଙ୍କ ନିୟନ୍ତ୍ରଣରୁ ଯାଇ ଏକ ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ହାତକୁ ଯିବା ଏବଂ ‘ନମନୀୟ ମୁଦ୍ରାସ୍ଫୀତି ନିଶାଣ’ (‘ଫ୍ଲେକ୍‌ସିବଲ୍‌ ଇନ୍‌ଫ୍ଲେସନ୍‌ ଟାର୍ଗେଟିଙ୍ଗ୍‌’- ‘ଏଫ୍‌ଆଇଟି’)କୁ ଉଭୟ ବିତ୍ତ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ୍‌ ଏହାର ମୁଖ୍ୟ ଲକ୍ଷ୍ୟ ରୂପେ ଗ୍ରହଣ କରିବାର ଦୁଇ ବର୍ଷ ବିତିଯାଇଥିଲେ ହେଁ ଏହି ଲକ୍ଷ୍ୟ ପାଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଏ ପର୍ଯ୍ୟନ୍ତ ବିଶେଷ କଷ୍ଟର ସମ୍ମୁଖୀନ ହୋଇ ନାହିଁ। ‘ଏଫ୍‌ଆଇଟି’ ଅନୁସାରେ ଦେଶରେ ମୁଦ୍ରାସ୍ଫୀତି ହାରକୁ (+-)୪% ମଧ୍ୟରେ ରଖିବା ପାଇଁ ଉଭୟ ରିଜର୍ଭ ବ୍ୟାଙ୍କ୍‌ ଓ ସରକାର ବଚନବଦ୍ଧ। ଏହାର ଅର୍ଥ, ଯଦି ଦେଶରେ ମୁଦ୍ରାସ୍ଫୀତି ହାର ଏହି ସୀମା ଅତିକ୍ରମ କରି ଆଗକୁ ଯାଏ ତେବେ ସରକାରଙ୍କୁ ରାଜକୋଷୀୟ ନିଅଣ୍ଟକୁ ସୀମିତ କରିବାକୁ ହେବ ଏବଂ ରିଜର୍ଭ ବ୍ୟାଙ୍କ୍‌କୁ ସୁଧ ହାରରେ ବୃଦ୍ଧି ଘଟାଇବାକୁ ହେବ।

ସୁଧ ହାରରେ ବୃଦ୍ଧି କିନ୍ତୁ ହେଉଛି ଏକ ପିତା ପିଲ୍‌ ଭଳି, ଯାହାକୁ କେହି ଭଲପାଆନ୍ତି ନାହିଁ। ତେବେ ଘଟଣା ଚକ୍ରରେ ‘ଏଫ୍‌ଆଇଟି’ ପ୍ରବର୍ତ୍ତନ ପର ଠାରୁ ରିଜର୍ଭ ବ୍ୟାଙ୍କ୍‌କୁ ଗତ ଜୁନ୍‌ ପର୍ଯ୍ୟନ୍ତ ଏପରି ଏକ ଅପ୍ରିୟ ପଦକ୍ଷେପ ନେବାକୁ ପଡ଼ି ନଥିଲା। ଆରମ୍ଭରେ ଆନ୍ତର୍ଜାତିକ ତୈଳ ଦର ନୀଚା ରହିବା ସଙ୍ଗେ ସଙ୍ଗେ ଖାଦ୍ୟ ଦ୍ରବ୍ୟ ଏବଂ ଧାତବ ପଦାର୍ଥ ମାନଙ୍କର ଦର ନୀଚା ରହିଥିବାରୁ ମୁଦ୍ରାସ୍ଫୀତି ପରିସ୍ଥିତି ଚାପମୁକ୍ତ ଥିବାରୁ ସୁଧ ହାରରେ ବୃଦ୍ଧି ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଉପରେ କୌଣସି ଚାପ ନଥିଲା। କିନ୍ତୁ ଯେତେବେଳେ ସେ ପରିସ୍ଥିତି ଓଲଟିବାକୁ ଲାଗିଲା ଏବଂ ମୁଦ୍ରାସ୍ଫୀତି- ବିଶେଷକରି ମଞ୍ଜି ମୁଦ୍ରାସ୍ଫୀତି ବା ‘କୋର୍‌ ଇନ୍‌ଫ୍ଲେସନ୍‌’ରେ ବୃଦ୍ଧି ଘଟିବାକୁ ଆରମ୍ଭ କଲା ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ ଗତ ଜୁନ୍‌ ବୈଠକରେ ସାହସ ବାନ୍ଧି ସର୍ବସମ୍ମତିକ୍ରମେ ସୁଧ ହାର (ରେପୋ ରେଟ୍‌)ରେ ୨୫ ବେସିସ୍‌ ପଏଣ୍ଟ (.୨୫%) ବୃଦ୍ଧି ଘଟାଇ ୬. ୨୫ ପ୍ରତିଶତ କଲା। ରିଜର୍ଭ ବ୍ୟାଙ୍କ୍‌ କିନ୍ତୁ ମୁଦ୍ରାସ୍ଫୀତି ସମ୍ବନ୍ଧରେ ନିଜର ଆଭିମୁଖ୍ୟ ସୂଚାଉଥିବା ତଥାକଥିତ ‘ଷ୍ଟାନ୍‌ସ’କୁ ନିରପେକ୍ଷ ରଖିଥିବା ଘୋଷଣା କରିଥିଲା। ଏହାର ଅର୍ଥ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିବାର କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ୍‌ ଅନୁଭବ କରୁଛି। ୨୦୧୯ ବର୍ଷର ଦ୍ୱିତୀୟାର୍ଧରେ ମୁଦ୍ରାସ୍ଫୀତିରେ ହ୍ରାସ ଘଟିବ ବୋଲି ‘ଏମ୍‌ପିସି’ର ସଦସ୍ୟମାନେ ଅନୁଭବ କରିଥିବାରୁ ରିଜର୍ଭ ବ୍ୟାଙ୍କ୍‌ର ଷ୍ଟାନ୍‌ସରେ କୌଣସି ପରିବର୍ତ୍ତନ ଘଟିବାର ଆବଶ୍ୟକତା ନଥିଲା ବୋଲି ସେମାନେ ସଂଖ୍ୟାଗରିଷ୍ଠ ମତ ପ୍ରକାଶ କରିଥିଲେ। କିନ୍ତୁ ମୁଦ୍ରାସ୍ଫୀତି ଉପରେ ଊର୍ଦ୍ଧ୍ୱମୁଖୀ ଚାପ ପକାଇବାର ସମ୍ଭାବନା ବହନ କରୁଥିବା ଯେଉଁ କେତେକ କାରଣମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା, ସେଥିରେ ଅନ୍ତର୍ଭୁକ୍ତ ଥିବା ଗୋଟିଏ କାରଣ ସେ ସମୟରେ ନିଷ୍କ୍ରିୟ ରହିଥିବା ବେଳେ ବର୍ତ୍ତମାନ ହଠାତ୍‌ ସକ୍ରିୟ ହୋଇ ପଡ଼ିଛି। ତାହା ହେଉଛି କୃଷିଜାତ ଦ୍ରବ୍ୟ ପାଇଁ ପ୍ରଦାନ କରାଯାଉଥିବା ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବା ‘ଏମ୍‌ଏସ୍‌ପି’। ଜୁନ୍‌ର ‘ଏମ୍‌ପିସି’ ବୈଠକ ପରେ କିନ୍ତୁ ମୁଦ୍ରାସ୍ଫୀତିକୁ ପ୍ରଭାବିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ କାରଣଟି ହଠାତ୍‌ ସକ୍ରିୟ ହୋଇପଡ଼ିବା ଦେଖାଯାଇଛି। କେନ୍ଦ୍ର ସରକାର ୧୪ଟି ଖରିଫ୍‌ ଫସଲ ପାଇଁ ‘ଏମ୍‌ଏସ୍‌ପି’ରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇଛନ୍ତି। ଅର୍ଥନୈତିକ ବିଶ୍ଳେଷଣକାରୀମାନଙ୍କ ମତରେ ଧାନ ସମେତ ଅନ୍ୟ ଫସଲମାନଙ୍କ ପାଇଁ ବୃଦ୍ଧି କରାଯାଇଥିବା ‘ଏମ୍‌ଏସ୍‌ପି’ ଯୋଗୁଁ ଖାଉଟି ମୁଦ୍ରାସ୍ଫୀତିରେ ୩୦-୧୧୦ ବେସିସ୍‌ ପଏଣ୍ଟ୍‌ସ (.୩%-୧.୧%) ବୃଦ୍ଧି ଘଟିପାରେ। ଅବଶ୍ୟ ଏହା ସରକାରଙ୍କର ଫସଲ ସଂଗ୍ରହ ନିଷ୍ପତ୍ତି ଉପରେ ନିର୍ଭର କରିବ। ଏହାର ଅର୍ଥ ଅଗଷ୍ଟରେ ବସିବାକୁ ଥିବା ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ନିଜର ମୁଦ୍ରାସ୍ଫୀତି ପୂର୍ବାନୁମାନ ବଦଳାଇବାକୁ ବାଧ୍ୟ ହେବ। କେବଳ ଘୋଷିତ ‘ଏମ୍‌ଏସ୍‌ପି’ ବୃଦ୍ଧି ‘ଏମ୍‌ପିସି’ର ଏକମାତ୍ର ଚିନ୍ତାର କାରଣ ନୁହେଁ। ଏହା ଯଦି କେବଳ ଗୋଟିଏ ଥର ବୃଦ୍ଧିରେ ସମାପ୍ତ ହେବାର ନିଶ୍ଚିତତା ଥାନ୍ତା, ତେବେ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ନେଇ ରିଜର୍ଭ ବ୍ୟାଙ୍କ୍‌ ବୋଧହୁଏ ଏତେ ଚିନ୍ତିତ ହୁଅନ୍ତା ନାହିଁ। କିନ୍ତୁ ଏହା ପରେ ରବି ଫସଲମାନଙ୍କ ପାଇଁ ‘ଏମ୍‌ଏସ୍‌ପି’ରେ ବୃଦ୍ଧି ଘଟିବା ପ୍ରାୟ ଅନିବାର୍ଯ୍ୟ ଭଳି ମନେହୁଏ ଏବଂ ପରବର୍ତ୍ତୀ ଫସଲ ଋତୁ ମାନଙ୍କରେ ଯେ ସରକାର ‘ଏମ୍‌ଏସ୍‌ପି’ରେ ବୃଦ୍ଧି ଧାରା ଅବ୍ୟାହତ ରଖିବେ, ତାହାର ସମସ୍ତ ସମ୍ଭାବନା ରହିଛି। ସରକାର ମଧ୍ୟ ନୀତିଗତ ଭାବରେ ଭବିଷ୍ୟତରେ ଏମ୍‌ଏସ୍‌ପିକୁ ଉତ୍ପାଦନ ବ୍ୟୟର ୧୫୦% ସହିତ ସମାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ପାଦନର ଉପାଦାନମାନଙ୍କର ମୂଲ୍ୟ ବୃଦ୍ଧି ଘଟୁଥିବା ସମୟରେ ଖାଦ୍ୟ ଦ୍ରବ୍ୟର ଦର ଦାମରେ ‘ଏମ୍‌ଏସ୍‌ପି’ ଜନିତ ବୃଦ୍ଧି ପୁଣି ପଛକୁ ବୁଲି ଉକ୍ତ ଉପାଦାନଗୁଡ଼ିକୁ ଆହୁରି ମହଙ୍ଗା କରିବ। ଏହା କିଭଳି ଖାଦ୍ୟଦ୍ରବ୍ୟ ମୂଲ୍ୟ ବୃଦ୍ଧି ଚକ୍ର ସୃଷ୍ଟି କରିବ, ସହଜେ ଅନୁମେୟ। ଏହାର ପ୍ରଭାବରେ ପରବର୍ତ୍ତୀ କିସ୍ତିରେ ‘କୋର୍‌ ଇନ୍‌ଫ୍ଲେସନ୍‌’ରେ ବୃଦ୍ଧି ଘଟିବ। ଅତୀତରେ ଯେତେବେଳେ ୟୁପିଏ ସରକାର ଧାନ ଓ ଗହମ ଭଳି ଶସ୍ୟ ପାଇଁ ‘ଏମ୍‌ଏସ୍‌ପି’ରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇଥିଲେ, ତାହା ଏକ ଦୁଇ ଅଙ୍କ ବିଶିଷ୍ଟ ହାରର ମୁଦ୍ରାସ୍ଫୀତି ସୃଷ୍ଟି ହେବାର ଅନ୍ୟତମ ମୁଖ୍ୟ କାରଣରେ ପରିଣତ ହୋଇ ଥିଲା। ସରକାରଙ୍କର ରାଜକୋଷ ଉପରେ ଏହି ଅତିରିକ୍ତ ବ୍ୟୟର ପ୍ରଭାବ ମଧ୍ୟ ମୁଦ୍ରାସ୍ଫୀତି ଚାପ ସୃଷ୍ଟି କରିବ।

ଏତିକି ନୁହେଁ, ଆସନ୍ତା ବୈଠକରେ ‘ଏମ୍‌ପିସି’ର ସଦସ୍ୟମାନେ ମଧ୍ୟ ଆଉ ଏକ ବିପଦର ସମ୍ମୁଖୀନ ହୋଇ ପାରନ୍ତି। ଜୁନ୍‌ରେ ସେମାନେ ମୁଦ୍ରାସ୍ଫୀତି ସମ୍ପର୍କିତ ପୂର୍ବାନୁମାନ କରିବା ସମୟରେ ଏ ବର୍ଷର ମୌସୁମୀ ବୃଷ୍ଟିପାତ ସାଧାରଣ ଓ ସନ୍ତୋଷଜନକ ହୋଇ ଖାଦ୍ୟଦ୍ରବ୍ୟ ଦରଦାମକୁ ନୀଚା ରଖିବାରେ ସାହାଯ୍ୟ କରିବ ବୋଲି ଅନୁମାନ କରିଥିଲେ। କିନ୍ତୁ ଜୁଲାଇ ପ୍ରଥମ ପକ୍ଷ ପର୍ଯ୍ୟନ୍ତ ପାଣିପାଗ ବିଭାଗର ପୂର୍ବାନୁମାନକୁ ଭୁଲ ସାବ୍ୟସ୍ତ କରି ମୌସୁମୀ ବୃଷ୍ଟିପାତ ନିଅଣ୍ଟ ହେବା ସହିତ ଏହାର ବଣ୍ଟନରେ ମଧ୍ୟ ଘୋର ତାରତମ୍ୟ ଦେଖାଯାଇଛି। ଜାତୀୟ ହାରାହାରି ନିଅଣ୍ଟ ୮% ହୋଇଥିବା ବେଳେ ଦେଶର ଉତ୍ତର ଓ ପୂର୍ବାଞ୍ଚଳରେ ଧାନ ଚାଷ ହେଉଥିବା ୧୨ଟି ପାଣିପାଗ ଜିଲ୍ଲାରେ ବୃଷ୍ଟିପାତରେ ନିଅଣ୍ଟ ୨୦% ରୁ ୫୯% ପର୍ଯ୍ୟନ୍ତ ହୋଇଛି। ଏହା ଚାଷ ହୋଇଥିବା ଅଞ୍ଚଳର ଆକାରକୁ ସଂକୁଚିତ କରିବା ସହିତ ଫସଲ ଅମଳରେ ମଧ୍ୟ ହ୍ରାସ ଘଟାଇବ। ‘ଏମ୍‌ପିସି’ ବୈଠକ ସମୟକୁ ଯଦି ମୌସୁମୀ ସଦୟ ନହୁଏ, ତେବେ ସେତେବେଳେ ସେମାନେ ପିତା ପିଲ୍‌ ଖାଇବା ଭଳି ସୁଧ ହାରରେ ବୃଦ୍ଧି ଘଟାଇବା ଛଡ଼ା ଅନ୍ୟ ଉପାୟ ନାହିଁ। ନଚେତ୍‌ ସେମାନେ ଆତ୍ମଘୋଷିତ ‘ଏଫ୍‌ଆଇଟି’ ଲକ୍ଷ୍ୟଚ୍ୟୁତ ହେବେ।

ସମ୍ବନ୍ଧିତ ଖବର