ଚପଳ ବାଳକ

ମନେ ହେଉଛି କଂଗ୍ରେସର ୪୮ ବର୍ଷୀୟ କୁମାର ସଭାପତି ରାହୁଲ ଗାନ୍ଧୀ ଦୀର୍ଘଦିନର ଅନୁସନ୍ଧାନ ପରେ ଶେଷରେ ଏବେ ନିଜର ପରିଚୟ ଖୋଜି ପାଇ ଯାଇଛନ୍ତି। ଅଳ୍ପ ଦିନ ତଳେ ଦେଶର ସର୍ବାଧିକ ଚର୍ଚ୍ଚିତ ନବାଗତା ଚିତ୍ର ତାରକାରେ ପରିଣତ ହୋଇ ଦେଶ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ୧୮ ବର୍ଷୀୟା କିଶୋରୀ ପ୍ରି୍ରୟା ପ୍ରକାଶ ଓ୍ଵାରିଅର୍‌ ଏକ ଭାଇରାଲ୍‌ ହୋଇଥିବା ଭିଡିଓ ସନ୍ଦେଶ ମାଧ୍ୟମରେ ପ୍ରଦାନ କରିଥିବା ଏହି ତାଜା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଥାଏ। ପ୍ରିୟାଙ୍କର ସଂକ୍ଷିପ୍ତ ମନ୍ତବ୍ୟଟି ଏଠାରେ ଉଦ୍ଧାର କରାଯାଉଛି: ‘‘ମୁଁ କଲେଜରୁ ଫେରି ନିଉଜ ଦେଖୁଛି ଯେ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଖି ମାରିଛନ୍ତି। ସିଏ ତାଙ୍କୁ ଏକ ଆଖି ଠାର ମାରି ଅଭିବାଦନ କରିଛନ୍ତି, ଯାହା ଏକ ଅତ୍ୟନ୍ତ ମଧୁର ଇଙ୍ଗିତ ଏବଂ ମୁଁ ଅତିମାତ୍ରାରେ ଖୁସି ଯେ ଏହା ମୋର ସର୍ବପ୍ରଥମ ଫିଲ୍ମରେ ସମ୍ପୂର୍ଣ୍ଣ ରୂପେ ମୋର ସ୍ୱାକ୍ଷର ବହନ କରିଥିବା ଅଭିନୟ ଥିଲା। ହଁ, ଆଜି ମୁଁ ତେଣୁ ବହୁତ ଖୁସି।’’

ପ୍ରାୟ ଚାରି ମାସ ତଳୁ ‘ଓରୁ ଆଦ୍ଦାର୍‌ ଲଭ୍‌’ ନାମକ ମାଲୟାଲମ୍‌ ରୋମାଣ୍ଟିକ୍‌ କମେଡ଼ି ଫିଲ୍ମର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଗୀତ ‘ମାଣିକ୍ୟ ମଲରୟ ପୁଭି’ର ଚିତ୍ରାୟନର ଏକ ଦୃଶ୍ୟରେ ପ୍ରିୟାଙ୍କ ଚରିତ୍ର ତାଙ୍କର ଜଣେ କିଶୋର ସହପାଠୀଙ୍କୁ ଆଖି ମାରିବାର ଠାଣି ତାଙ୍କୁ ରାତାରାତି ଦେଶବ୍ୟାପୀ ପ୍ରସିଦ୍ଧି ଆଣି ଦେଇଥିଲା। ପ୍ରିୟାଙ୍କର ବର୍ତ୍ତମାନର ଖୁସିର କାରଣ ହେଲା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଭିତରେ ତାଙ୍କର ସ୍ୱାକ୍ଷର ବହନ କରୁଥିବା ଏହି ଆଖିମରା ଠାଣିକୁ ନକଲ କରିଛନ୍ତି। (ରାହୁଲ ଗାନ୍ଧୀ ଅସଲରେ ମୋଦୀଙ୍କୁ କୁଣ୍ଢାଇ ପକାଇ ପାନେ ଦେଇଛନ୍ତି ବୋଲି ଇସାରା କରି ନିଜ ଦଳର ସାଂସଦଙ୍କୁ ଇଙ୍ଗିତ କରି ଆଖି ମାରିଥିଲେ) କୁହାଯାଇଥାଏ କାହାର ନକଲ କରିବା ହେଉଛି ତାର ସର୍ବୋଚ୍ଚ ସମ୍ଭବ ପ୍ରଶଂସା। ତେଣୁ କଂଗ୍ରେସ ସଭାପତି ମାନ୍ୟଗଣ୍ୟ ସାଂସଦମାନଙ୍କ ତଥା ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଓ ପବିତ୍ର ପାର୍ଲାମେଣ୍ଟ ଗୃହ ମଧ୍ୟରେ, ଟେଲିଭିଜନ ଦେଖୁଥିବା ସାରା ଦେଶବାସୀଙ୍କ ସମ୍ମୁଖରେ ତାଙ୍କୁ ଅନୁକରଣ କରିବା କୋମଳମତି ଚପଳା ବାଳିକା ପ୍ରିୟା ପ୍ରକାଶଙ୍କୁ ଯେ ଚରମ ଆନନ୍ଦ ପ୍ରଦାନ କରିଛି, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ଟ୍ଵିଟ୍ଟର-ଜଗତ୍‌ରେ ଏବେ ଏକ ରୋଚକ ବିତର୍କର ଝଡ଼ ଦେଖାଦେଇଛି: କାହାର ଆଖି ମରା ଅଧିକ ପ୍ରଭାବଶାଳୀ- ପ୍ରିୟାଙ୍କର ନା ରାହୁଲଙ୍କର?

ତେବେ ପ୍ରିୟାଙ୍କ ଆନନ୍ଦ ସହିତ ଯେ କିଛି ଆଶ୍ଚର୍ଯ୍ୟ ମଧ୍ୟ ମିଶିଥିବ, ତାହାର ଅବଶ୍ୟ ଦୃଢ଼ ସମ୍ଭାବନା ରହିଛି। ଫିଲ୍‌ମ ‘ଓରୁ ଆଦ୍ଦାର୍‌ ଲଭ୍‌’ରେ ପ୍ରିୟା ଜଣେ ସ୍କୁଲ୍‌ ଛାତ୍ରୀ ଭୂମିକାରେ ଅଭିନୟ କରି ଆଖି ମାରିବା ଭଳି ଚପଳତା ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ସଭାପତି, ଯିଏ ଅଳ୍ପ ଦିନ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଆଶା ପୋଷଣ କରିଛନ୍ତି, ସେ ଯେ ଜଣେ ଚପଳ ସ୍କୁଲ୍‌ ଛାତ୍ର ଭଳି ଆଚରଣ ପ୍ରଦର୍ଶନ କରି, କୌଣସି ଫିଲ୍ମରେ ଅଭିନୟ ସମୟରେ ନୁହେଁ, ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ଭଳି ଗୁରୁଗମ୍ଭୀର ପ୍ରସଙ୍ଗ ଆଲୋଚନା ସମୟରେ ସତସତିକା ଆଖି ମାରିଛନ୍ତି, ଏହା ନିଶ୍ଚୟ ପ୍ରିୟାଙ୍କୁ ଚକିତ ଓ ଆମୋଦିତ କରିଥିବ। ଖୋଦ୍‌ ପ୍ରିୟା ଯେ ଫିଲ୍ମ ବାହାରର ବାସ୍ତବ ଦୁନିଆରେ କେବେ ଏମିତି ସତସତିକା ଆଖି ମାରି ପାରୁଥିବେ, ତାହା ଘୋର ସନ୍ଦେହଜନକ।

ସେତିକି ନୁହେଁ, ପ୍ରିୟା ମଧ୍ୟ ସ୍କୁଲ୍‌ରେ ଇତିହାସ ଅଧ୍ୟୟନରୁ ଜାଣିଥିବେ ଯେଉଁ କଂଗ୍ରେସ ଦଳର ଏବେ ରାହୁଲ ଗାନ୍ଧୀ ସଭାପତି ଅଛନ୍ତି, ଅତୀତରେ ସେହି ଦଳର ସେହି ସର୍ବୋଚ୍ଚ ପଦବି ମଣ୍ଡନ କରିଥିବା ମହାନ ଜନନାୟକ ମାନଙ୍କ ମଧ୍ୟରେ ଥିଲେ ୧୮୮୫ରେ ପ୍ରଥମ ସଭାପତି ଉମେଶ ଚନ୍ଦ୍ର ବାନାର୍ଜୀଙ୍କଠାରୁ ଆରମ୍ଭ କରି ଏହି ମହାନ ଜାତୀୟ ଦଳର ସୁଦୀର୍ଘ ଇତିହାସରେ ଦାଦାଭାଇ ନାଓରୋଜୀ, ଗୋପାଳକୃଷ୍ଣ ଗୋଖ୍‌ଲେ କିମ୍ବା ମଦନ ମୋହନ ମାଲବ୍ୟ କିମ୍ବା ମୋହନ ଦାସ ଗାନ୍ଧୀ, କିମ୍ବା ଜବାହରଲାଲ ନେହରୁ କିମ୍ବା ରାଜେନ୍ଦ୍ର ପ୍ରସାଦ, କିମ୍ବା ବଲ୍ଲଭ ଭାଇ ପଟେଲ କିମ୍ବା ସୁଭାଷ ଚନ୍ଦ୍ର ବୋଷ କିମ୍ବା … ସର୍ବାଧିକ କାଳ ସେ ପଦବି ଅଧିକାର କରିଥିବା ସୋନିଆ ଗାନ୍ଧୀଙ୍କ ପରି ବ୍ୟକ୍ତିମାନେ। ଏମାନଙ୍କ ମଧ୍ୟରୁ ‘କେହି ବି ଏକ କଂଗ୍ରେସ୍‌ ସମ୍ମିଳନୀରେ କିମ୍ବା ପାର୍ଲାମେଣ୍ଟରେ ବର୍ତ୍ତମାନର ସଭାପତିଙ୍କ ଭଳି ନିଜର ଆଖିର ମାଂସପେଶୀକୁ ଏପରି ବ୍ୟବହାର କରିବା କେହି ହେଲେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିପାରିବ ନାହିଁ। ଆଉ ଯଦି କେହି କେବେ ସେଭଳି କୌଣସି ସ୍ୱପ୍ନ ଦେଖେ, ନିଦ ଭାଙ୍ଗିବା ପରେ ସେ ତାହାକୁ ଏକ ଦୁଃସ୍ୱପ୍ନ ରୂପେ ମନରୁ ଦୂରେଇ ଦେବାକୁ ଚେଷ୍ଟା କରିବ। ରାହୁଲଙ୍କ ଆଖିମରା ତେଣୁ କିଶୋରୀ ପ୍ରିୟାଙ୍କର ମନୋରଞ୍ଜନ କରିଥିଲେ ହେଁ ତାଙ୍କୁ ସମ୍ପୂର୍ଣ୍ଣ ବେଖାପ ଲାଗିଥିବ। ସବୁଠାରୁ ଆଶ୍ଚର୍ଯ୍ୟ ଓ କ୍ଷୋଭର କଥା, ରାହୁଲ ତାଙ୍କର ଏହି ଚପଳମତି ବାଳସୁଲଭ ଦୁଷ୍ଟ ଆଚରଣ ତାଙ୍କ ଜନନୀ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମ୍ମୁଖରେ ହିଁ ପ୍ରଦର୍ଶନ କରିଥିଲେ। ମାତା ତାହା କିଭଳି ଆସ୍ୱାଦନ କରିଥିଲେ, ତାହା ବାହାରକୁ ପ୍ରକାଶ ପାଇ ନାହିଁ।

ନିଜ ଆଖିର ଏପରି ଦୁରୁପଯୋଗ କରିବା ପୂର୍ବରୁ ରାହୁଲ ଗାନ୍ଧୀ ତାଙ୍କର ଅଗ୍ନିବର୍ଷୀ ପ୍ରଳାପରେ ନିଜର ଜିହ୍ଵାର ମଧ୍ୟ ଦୁରୁପଯୋଗ କରି ନିଜର ଶିଶୁସୁଲଭ ଅଜ୍ଞତାର ଆଉ ଏକ ପରିଚୟ ଦେଇଥିଲେ। ଫ୍ରାନ୍‌ସଠାରୁ ରାଫାଲ୍‌ ଯୁଦ୍ଧ ବିମାନ କ୍ରୟ ସମ୍ବନ୍ଧିତ ତଥ୍ୟ ଗୋପନ ରଖି ମୋଦୀ ସେଥିରେ ହୋଇଥିବା ତଥାକଥିତ ଦୁର୍ନୀତିରେ ଭାଗୀଦାର ବୋଲି ରାହୁଲ ତାଙ୍କ ଭାଷଣରେ ଅଭିଯୋଗ କରିଥିଲେ। ଖୋଦ୍‌ ଫ୍ରାନ୍‌ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ତାଙ୍କୁ ବ୍ୟକ୍ତିଗତ ଭାବରେ ରାଫାଲ୍‌ କାରବାରରେ କୌଣସି ଗୋପନୀୟତା ସର୍ତ୍ତ ଲାଗୁ ନୁହେଁ ବୋଲି କହିଛନ୍ତି ବୋଲି ଦାବି କରି ରାହୁଲ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନ୍‌ଙ୍କୁ ବସ୍ତୁତଃ ମିଥ୍ୟାବାଦିନୀ ରୂପେ ଚିତ୍ରିତ କରିଥିଲେ। କିନ୍ତୁ ରାହୁଲଙ୍କ ତୁଣ୍ଡରୁ ଏ କଥା ସରିଛି କି ନାହିଁ, ଫ୍ରାନ୍‌ସ ସରକାର ପ୍ୟାରିସ୍‌ରୁ ଏକ ସ୍ପଷ୍ଟୀକରଣ ପ୍ରକାଶ କଲେ ଯେ ରାଫାଲ୍‌ କାରବାର ୨୦୦୮ରେ (ଏଠାରେ କଂଗ୍ରେସ ସରକାର ଥିବା ସମୟରେ ହିଁ) ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିର ଗୋପନୀୟତା ସର୍ତ୍ତ ଦ୍ୱାରା ବନ୍ଧା- ଅର୍ଥାତ୍‌ ନିର୍ମଳା ସୀତାରମନ ନୁହନ୍ତି, ନିଜେ ରାହୁଲ ଗାନ୍ଧୀ ହିଁ ହେଉଛନ୍ତି ମିଥ୍ୟାବାଦୀ। ତେବେ ରାହୁଲଙ୍କର ଏତାଦୃଶ ଆଚରଣରେ ଆଶ୍ଚର୍ଯ୍ୟ ହେବା ପାଇଁ କିଛି ନାହିଁ। ଏକ କିଶୋର-ମସ୍ତିଷ୍କରେ ଆନ୍ତର୍ଜାତିକ କୂଟନୀତି ଓ ସାମରିକ ସରଞ୍ଜାମ କ୍ରୟବିକ୍ରୟ ସମ୍ପର୍କିତ ଜଟିଳ ଗଣିତ ଢୁକିବା ସହଜ ନୁହେଁ ଏବଂ ମାକ୍ରନ୍‌ଙ୍କ ପରି ଜଣେ ପ୍ରଭାବଶାଳୀ ଆନ୍ତର୍ଜାତିକ ଯୁବନେତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କର କଳ୍ପନାବିଳାସ ଢୁକିବା ଅତ୍ୟନ୍ତ ସ୍ୱାଭାବିକ। ସେ କିନ୍ତୁ ଆଶା କରି ନଥିବେ ଯେ ଫ୍ରାନ୍‌ସ ସରକାର ଏପରି କାଳବିଳମ୍ବ ନକରି ସ୍ପଷ୍ଟୀକରଣ ପ୍ରଦାନ କରିବେ।

ଫ୍ରାନ୍‌ସର ଏ ଭଳି ତୁରନ୍ତ କାର୍ଯ୍ୟାନୁଷ୍ଠାନରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଆନ୍ତର୍ଜାତିକ ସମୁଦାୟ ବର୍ତ୍ତମାନ ଭାରତକୁ ଆଉ ପୂର୍ବ ପରି ହେୟ ଜ୍ଞାନ ନକରି ଏକ ନୂତନ ସମ୍ମାନପୂର୍ଣ୍ଣ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଛି। ଏହା ସମ୍ପୂର୍ଣ୍ଣ ରୂପେ ନରେନ୍ଦ୍ର ମୋଦୀଙ୍କର ଅବଦାନ। ଫ୍ରାନ୍‌ସ ସରକାର ଏପରି ବିଧିବଦ୍ଧ ଓ ତ୍ୱରାନ୍ଵିତ ଭାବରେ ପାର୍ଲାମେଣ୍ଟରେ ଆଲୋଚନା ଚାଲିଥିବା ବେଳେ ହିଁ ରାହୁଲଙ୍କ ଦାବିକୁ ଖଣ୍ଡନ କରିବା ପରେ ରାହୁଲ ଯଦି ନିଜର ଭୁଲ ସ୍ୱୀକାର କରି ପାର୍ଲାମେଣ୍ଟରେ ଆଉ ଏକ ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ କରିଥାନ୍ତେ, ତାହା ତାଙ୍କର ପରିପକ୍ୱତାର ପ୍ରମାଣ ଦେଇଥାନ୍ତା। କିନ୍ତୁ ସେ ତାହା ନକରି ଫ୍ରାନ୍‌ସର ଅକାଟ୍ୟ ଖଣ୍ଡନକୁ ଖଣ୍ଡନ କରିବା ପାଇଁ ପିଲାଙ୍କ ଭଳି ତାଙ୍କ ଦଳର ଆଉ ଦୁଇଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ସେ ବିବାଦ ମଧ୍ୟକୁ ଭିଡ଼ି ଆଣିଲେ- ମନମୋହନ ସିଂହ ଓ ଆନନ୍ଦ ଶର୍ମା। ଉଲ୍ଲେଖନୀୟ ସେ ଦୁଇଜଣ ଉପସ୍ଥିତ ଥିବା ବେଳେ ମାକ୍ରନ୍‌ ତାଙ୍କୁ ଏକଥା କହିଥିଲେ ବୋଲି ରାହୁଲ ଦାବି କରୁଥିଲେ ହେଁ ସେମାନଙ୍କ ମଧ୍ୟରୁ ଜଣେ କେହି ବି ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ ପାଟି ଖୋଲି ନାହାନ୍ତି।

ଆମୋଦଦାୟକ ଭାବରେ ରାହୁଲ ତାଙ୍କ ଭାଷଣରେ ମୋଦୀ, ଭାଜପା ଏବଂ ଆର୍‌ଏସ୍‌ଏସ୍‌କୁ ଧନ୍ୟବାଦ ପ୍ରଦାନ କରିଥିଲେ ଯେ ସେମାନେ ହିଁ ତାଙ୍କୁ ଜଣେ ହିନ୍ଦୁ ଏବଂ ଶିବଭକ୍ତ ହେବାର ଅର୍ଥ ବୁଝିବାରେ ସାହାଯ୍ୟ କରିଛନ୍ତି। ଏହା ବି ଏକ କଳ୍ପନାବିଳାସ; କାରଣ ତାଙ୍କର ପିତାମାତା ଅଣହିନ୍ଦୁ ହୋଇଥିବାରୁ ରାହୁଲ ମୂଳରୁ ଜଣେ ହିନ୍ଦୁ ହିଁ ନୁହନ୍ତି। ଅପରପକ୍ଷେ ସେ ତାଙ୍କର ମାତାଙ୍କ ଧର୍ମ କ୍ୟାଥଲିକ୍‌ ଖ୍ରୀଷ୍ଟଧର୍ମ ସହିତ ସୁପରିଚିତ ଥିବେ। ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବଲ (ପ୍ରୋଭର୍ବ ୧୦:୧୦)ରେ କୁହାଯାଇଛି: ‘‘ଯିଏ ବି ମନ୍ଦ ଉଦ୍ଦେଶ୍ୟରେ ଆଖିମାରେ, ସେ (ନିଜ ପାଇଁ ଓ ସହଯୋଗୀମାନଙ୍କ ପାଇଁ) ଦୁର୍ଦଶା ସୃଷ୍ଟି କରେ, ଏବଂ ପ୍ରଗଳ୍‌ଭ ମୂର୍ଖ ନିଜର ସର୍ବନାଶ ଘଟାଇଥାଏ।’’

ସମ୍ବନ୍ଧିତ ଖବର