ରାଫେଲ୍‌ରେ ବୋଫର୍ସ୍‌?

ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଫ୍ରାନ୍ସ ନିର୍ମିତ ଯୁଦ୍ଧ ଜେଟ୍‌ ରାଫେଲ ଖର୍ଦିରେ ଅନିୟମିତତା ଓ ଭ୍ରଷ୍ଟାଚାରର ଅଭିଯୋଗ ହୋଇ ଆସୁଛି। ବିଗତ ଦୁଇ ବର୍ଷ ମଧ୍ୟରେ ବିରୋଧୀ, ବିଶେଷ କରି କଂଗ୍ରେସ ପକ୍ଷରୁ ସଂସଦ ଭିତରେ ଓ ବାହାରେ ଏ ପ୍ରସଙ୍ଗ ଅନେକ ଥର ଉଠାଯାଇଛି। ପ୍ରତ୍ୟେକଥର ମୋଦୀ ସରକାର ଅଭିଯୋଗକୁ ଖଣ୍ଡନ କରି ଆସିଛନ୍ତି। ଫ୍ରାନ୍ସ ସହ ରାଫେଲ୍‌ ଖର୍ଦି ନେଇ ହୋଇଥିବା ରାଜିନାମାରେ ଗୋପନୀୟତାର ସର୍ତ୍ତ ଦର୍ଶାଇ ବିରୋଧୀଙ୍କ ପ୍ରଶ୍ନକୁ ସରକାର ଏଡ଼ାଇ ଯାଇଛନ୍ତି। ଏହା ସତ୍ତ୍ୱେ ଫରାସୀ କମ୍ପାନି ‘ଡାସଲ୍‌ଟ ଆଭିଏସନ୍‌’ ଠାରୁ ଷାଠିଏ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ଯୁଦ୍ଧ ବିମାନ ଖର୍ଦି ଉପରୁ ସନ୍ଦେହର ଧୂଆଁ ହଟୁନାହିଁ, ବରଂ ଅଧିକ ଘନୀଭୂତ ହେଉଛି। ଏବେ ରାଫେଲ୍‌ କାରବାର ସହ ଦେଶର ପ୍ରମୁଖ ଶିଳ୍ପଗୋଷ୍ଠୀ ରିଲାଏନ୍ସ ଗ୍ରୁପ୍‌ର ସମ୍ପର୍କ ନେଇ ଯେତିକି ଅଧିକ ତଥ୍ୟ ପଦାକୁ ଆସୁଛି, ରାଫେଲ୍‌ କାରବାର ସେତିକି ଅଧିକ ସନ୍ଦିଗ୍ଧ ହୋଇ ପଡୁଛି। କନିଷ୍ଠ ଅମ୍ବାନୀ ଭ୍ରାତା ଅନୀଲଙ୍କ ଦୁଇଟି କମ୍ପାନିର ସହଯୋଗୀ ଭାବେ ରାଫେଲ୍‌ ନିର୍ମାତା ଡାସଲ୍‌ଟ ଆଭିଏସନ୍‌ ସହ ସମ୍ପର୍କ ନେଇ ଉଠାଯାଇଥିବା କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନ କାରବାରକୁ ଅଧିକ ଧୂମାଭ କରିଦେଇଛି। ପ୍ରଶ୍ନଗୁଡ଼ିକ ଉପରେ ସରକାର ଚୁପ୍‌ ରହୁଛନ୍ତି କିମ୍ବା ଯେଉଁ ଉତ୍ତର ଦେଉଛନ୍ତି ତାହା ବିଷୟକୁ ସ୍ପଷ୍ଟ କରିବା ବଦଳରେ ଅଧିକ ଗୋଳିଆ କରୁଛି। ଫଳତଃ ରାଫେଲ୍‌ କାରବାରରେ ମୋଦୀ ସରକାରଙ୍କ ଚରିତ୍ର ମଧ୍ୟ ସନ୍ଦେହର ବଳୟକୁ ଅଧିକ ଟାଣି ହୋଇଯାଉଛି।

ଗତ ସପ୍ତାହରେ ଲୋକସଭାରେ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ କାରବାରରେ ଅନିୟମିତତା ଓ ଭ୍ରଷ୍ଟାଚାରର ଅଭିଯୋଗକୁ ପୁଣି ଦୋହରାଇଥିଲେ। ସରକାରଙ୍କ ଆଭିମୁଖ୍ୟକୁ ଅପରିବର୍ତ୍ତିତ ରଖି ଉଭୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗକୁ ପୁଣି ଦୃଢ଼ତାର ସହ ଖଣ୍ଡନ କରିଥିଲେ। ତେବେ ଅଭିଯୋଗ ସପକ୍ଷରେ ପ୍ରମାଣ ସ୍ୱରୂପ ଏବେ କଂଗ୍ରେସ ପକ୍ଷରୁ ଯେଉଁ ତାଜା ତଥ୍ୟ ଉପସ୍ଥାପିତ କରାଯାଇଛି, ତାହା ସ୍ୱତଃ ସରକାରଙ୍କ ଖଣ୍ଡନର ବିଶ୍ୱସନୀୟତା ତଥା ରାଫେଲ୍‌ ଖର୍ଦି ସଂକ୍ରାନ୍ତ କାରବାରରେ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଉଛି। ଫେବ୍ରୁଆରି ୭, ୨୦୧୮ରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ଥିଲା, ଭାରତକୁ ଯୁଦ୍ଧ ଜେଟ୍‌ ଯୋଗାଣ କାରବାରରେ ଫରାସୀ କମ୍ପାନି ଡାସଲଟ୍‌ ଆଭିଏସନ୍‌ ପକ୍ଷରୁ କୌଣସି ଭାରତୀୟ ସହଯୋଗୀ ବା ମଧ୍ୟସ୍ଥି (ଅଫ୍‌ସେଟ୍‌ ପାର୍ଟନର୍‌) ନିଯୁକ୍ତ କରାଯାଇନାହିଁ। ଅନ୍ୟପକ୍ଷରେ ଡାସଲଟ୍‌ ଆଭିଏସନ୍‌ର ୨୦୧୬ ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଅନୀଲ ଧିରୁଭାଇ ଅମ୍ବାନୀ ଗୋଷ୍ଠୀ (ଏଡିଏଜି)ର ଅଧ୍ୟକ୍ଷ ଅନୀଲ ମାଲିକାନାରେ ପ୍ରତିଷ୍ଠିତ ‘ରିଲାଏନ୍ସର ଡିଫେନ୍ସ’ କମ୍ପାନିକୁ ‘ଅଫ୍‌ସେଟ୍‌ ପାର୍ଟନର୍‌’ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟ କମ୍ପାନିଙ୍କ ମଧ୍ୟରେ ଏ ନେଇ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଉଲ୍ଲେଖନୀୟ ହେଲା, ମୋଦୀ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ସହଯୋଗ ଲକ୍ଷ୍ୟରେ ଅମ୍ବାନୀଙ୍କ କମ୍ପାନି ସହ ବୁଝାମଣା ହୋଇଥିବା ବିଷୟ ଫରାସୀ କମ୍ପାନିର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, ରାଫେଲ୍‌ ଯୋଗାଣ ପାଇଁ ଡାସଲଟ୍‌ କମ୍ପାନି ଭାରତୀୟ ସହଯୋଗୀ ନିଯୁକ୍ତ କରି ବୁଝାମଣା ସ୍ୱାକ୍ଷର କରି ସାରିଥିବା ବେଳେ, ପ୍ରତିରକ୍ଷାମନ୍ତ୍ରୀ ସୀତାରମଣ ସେ ବିଷୟ ଲୁଚାଇଲେ କାହିଁକି? ମନ୍ତ୍ରୀ ମହୋଦୟା ଜାଣି ନଥିଲେ ନା ଜାଣି ଅଜଣା ରହିଲେ? ଏ ପ୍ରସଙ୍ଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା- ବୋଫର୍ସ କେଳେଙ୍କାରୀ ପରେ ପ୍ରତିରକ୍ଷା ଯୋଗାଣ କ୍ଷେତ୍ରରେ ‘ମଧ୍ୟସ୍ଥି’ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିବା ବେଳେ ରାଫେଲ୍‌ କାରବାରରେ ପୁଣି ସହଯୋଗୀ ନିଯୁକ୍ତ ହେଲେ କେମିତି? ସହଯୋଗୀ ଆଳରେ ଏହା ପଛ ଦ୍ୱାରରୁ ମଧ୍ୟସ୍ଥି ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ନୁହେଁ ତ?

ଯୁଦ୍ଧ ବିମାନ ରାଫେଲ୍‌ କାରବାର ସହ ରିଲାଏନ୍ସର ସନ୍ଦିଗ୍ଧ ସମ୍ପର୍କର କାହାଣୀ ଏତିକିରେ ସରୁନାହିଁ। ରାଫେଲ୍‌ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ୨୦୧୫, ଏପ୍ରିଲ୍‌ ୧୦ ରେ ରାଫେଲ୍‌ ଯୋଗାଣ ନେଇ ରାଜିନାମାରେ ଘୋଷଣା ହେଲା। ଏହାର ମାତ୍ର ବାର ଦିନ ପୂର୍ବରୁ ଡାସଲଟ୍‌ ଆଭିଏସନ୍‌ର ସହଯୋଗୀ ହୋଇଥିବା ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଡିଫେନ୍ସ’ ପଞ୍ଜିକୃତ ହୋଇଥିଲା। ମାତ୍ର ୫ ଲକ୍ଷ ଟଙ୍କାର ପୁଞ୍ଜିରେ ଆରମ୍ଭ ହୋଇଥିବା ଏ କମ୍ପାନି କେମିତି ୬୦ ହଜାର କୋଟି ଟଙ୍କାର ରାଫେଲ୍‌ କାରବାରରେ ସହଯୋଗୀ ହେଲା? ମାତ୍ର ପାଞ୍ଚଲକ୍ଷ ଟଙ୍କା ପୁଞ୍ଜିରେ ଗଠିତ ଏହି ନୂଆ କମ୍ପାନିକୁ କେମିତି ରାଫେଲ୍‌ର ନିର୍ମାତା ସହଯୋଗୀ ଭାବେ ଯୋଗ୍ୟ ବିଚାର କଲେ? ପୁଣି ମୂଳ କମ୍ପାନି ଏଡିଏଜି ୩୫ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିବା ବେଳେ ସେହି ଗୋଷ୍ଠୀ ଦ୍ୱାରା ପ୍ରାୟୋଜିତ ଏକ ନୂଆ କମ୍ପାନି ଏ ପ୍ରକାର ଏକ ସ୍ପର୍ଶକାତର ପ୍ରତିରକ୍ଷା କାରବାରରେ ସାମିଲ ହେଲା କେମିତି? ଏ ସବୁ ପ୍ରଶ୍ନଗୁଡ଼ିକରେ ସନ୍ଦେହ ଖୁନ୍ଦି ହୋଇ ରହିଛି। ଅନୀଲଙ୍କ ପ୍ରଥମ କମ୍ପାନି ‘ରିଲାଏନ୍‌ସ ଡିଫେନ୍ସ’ ରାଫେଲ୍‌ ଖର୍ଦି ପାଇଁ ବୁଝାମଣାର ମାତ୍ର ବାର ଦିନ ପୂର୍ବରୁ ପଞ୍ଚିକୃତ ହେବା ଯେତିକି ରହସ୍ୟମୟ, ରାଜିନାମା ହେବାର ଦୁଇ ସପ୍ତାହ ପରେ ଡାସଲଟ୍‌ ସହ ମିଳିତ ଉଦ୍ୟୋଗରେ ରାଫେଲ୍‌ ଯନ୍ତ୍ରାଂଶ ନିର୍ମାଣ ପାଇଁ ଦ୍ୱିତୀୟ କମ୍ପାନି ‘ରିଲାଏନ୍‌ସ ଏରୋଷ୍ଟ୍ରକ୍‌ଚର୍‌’ର ପଞ୍ଜୀକରଣ ମଧ୍ୟ ସେତିକି ରହସ୍ୟମୟ। ଆହୁରି ରହସ୍ୟମୟ ଯେ ପଞ୍ଜୀକରଣ ବେଳେ ଯୁଦ୍ଧ ବିମାନ ଯନ୍ତ୍ରାଂଶ ନିର୍ମାଣ ସକାଶେ କାରଖାନା ଲାଗି କମ୍ପାନି ପାଖରେ କୌଣସି ଜମି ନଥିଲା। ନିକଟରେ ଅମ୍ବାନୀଙ୍କ କମ୍ପାନି ଓ ରାଫେଲ୍‌ ନିର୍ମାତା ମିଳିତ ଉଦ୍ୟୋଗରେ ‘ଡାସଲଟ୍‌- ରିଲାଏନ୍‌ସ ଏରୋସ୍ପେସ୍‌’ ନାମରେ ଏକ କମ୍ପାନି ଗଠନ କରି ନାଗପୁର ନିକଟରେ ବିମାନ ଯନ୍ତ୍ରାଂଶ ନିର୍ମାଣ କାରଖାନାର ଭୂମିପୂଜା କରିଛନ୍ତି।

ଏ ସମୁଦାୟ ପ୍ରକରଣକୁ ଆଦୌ କାକତାଳୀୟ କି ସଂଯୋଗ ମାତ୍ର ବୋଲି କହି ଏଡ଼ାଇଯିବା ସହଜ ନୁହେଁ। ଜ୍ୟେଷ୍ଠ ଅମ୍ବାନୀ ଭ୍ରାତା ମୁକେଶଙ୍କ ଅଦୃଶ୍ୟ ଜିଓ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ମିଳିବା, କନିଷ୍ଠ ଅମ୍ବାନୀ ଭ୍ରାତା ଅନୀଲଙ୍କ ମାତ୍ର ପାଞ୍ଚ ଲକ୍ଷ ଟଙ୍କା ପୁଞ୍ଜିର କମ୍ପାନିକୁ ୬୦ ହଜାର କୋଟି ଟଙ୍କାର ରାଫେଲ୍‌ କାରବାରରେ ସହଯୋଗୀ କରାଯିବା, ବିନା ଜମିରେ ଯୁଦ୍ଧ ବିମାନର ଯନ୍ତ୍ରାଂଶ ତିଆରି ପାଇଁ କମ୍ପାନିର ପଞ୍ଜୀକରଣ ଇତ୍ୟାଦି ଆଦୌ ଏକ ସଂଯୋଗ ନୁହେଁ। ଏଥିରୁ କେଉଁଠି ନା କେଉଁଠି ସରକାରର ସର୍ବୋଚ୍ଚ ସ୍ତରରେ ଶିଳ୍ପପତିଙ୍କ ସହ ଘନିଷ୍ଠତା, ବିଶେଷ କରି ଅମ୍ବାନୀ ଭ୍ରାତାଙ୍କ ପ୍ରତି ସ୍ୱତନ୍ତ୍ର ଅନୁଗ୍ରହ ଓ ପୃଷ୍ଠପୋଷକତାର ଅସ୍ୱସ୍ତିକର ଚିତ୍ର ଉଙ୍କି ମାରୁଛି। ପୂର୍ବରୁ ହୋଇଥିବା ବୁଝାମଣା ଅନୁଯାୟୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନେଟିକ୍ସର ରାଫେଲ୍‌ ଯନ୍ତ୍ରାଂଶ ନିର୍ମାଣ କରିବ ବୋଲି ସ୍ଥିର ହୋଇଥିଲା। ଏବେ କେଉଁ ପରିସ୍ଥିତିରେ ଏକ ଘରୋଇ କମ୍ପାନିକୁ ରାଫେଲ୍‌ ଯନ୍ତ୍ରାଂଶ ନିର୍ମାଣ ଦାୟିତ୍ୱ ଦିଆଯାଇଛି? ଅନୀଲ ଅମ୍ବାନୀ ଦାବି କରୁଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କ କମ୍ପାନିର ଅଭିଜ୍ଞତା ଓ ଆବଶ୍ୟକ ବିଶେଷ ବୈଷୟିକ ଜ୍ଞାନ କୌଶଳ ରହିଛି। କିନ୍ତୁ ରିଲାଏନ୍ସର ଏ ଦାବିରେ କେତେ ଦମ୍‌ ଅଛି, ତାହା ନିଶ୍ଚିତ ଭାବେ ଯାଞ୍ଚର ଅପେକ୍ଷା ରଖୁଛି।

ଗତ ଦୁଇବର୍ଷ ହେଲା ବାରମ୍ବାର ଗୋଟିଏ ପ୍ରଶ୍ନ ଉଠୁଛି, ଭାରତ କିଣୁଥିବା ରାଫେଲ୍‌ ଯୁଦ୍ଧ ବିମାନର ମୂଲ୍ୟ କେତେ? ରାଜିନାମାରେ ଗୋପନୀୟତାର ସର୍ତ୍ତକୁ ଆଳ କରି ସରକାର ଏ ପ୍ରଶ୍ନ ଉପରେ ନିରବ ରହୁଛନ୍ତି। ଅଥଚ, ଅନୀଲ ଅମ୍ବାନୀଙ୍କ କମ୍ପାନି ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ, ରାଫେଲ୍‌ କାରବାରର ମୋଟ ପରିମାଣ ୭.୬୮ ବିଲିୟନ୍‌ ପାଉଣ୍ଡ ବା ପାଖାପାଖି ୬୦ ହଜାର କୋଟି ଟଙ୍କା। ଏହାର ଆଧାରରେ କଂଗ୍ରେସର ଅଭିଯୋଗ ହେଲା, ୟୁପିଏ ସରକାର ଗୋଟିଏ ରାଫେଲ୍‌ ଯୁଦ୍ଧ ବିମାନ ୫୭୦ କୋଟି ଟଙ୍କାରେ କିଣିବା ଲାଗି ବୁଝାମଣା କରିଥିଲେ। ଏନ୍‌ଡିଏ ସରକାର ଏବେ ଗୋଟିଏ ବିମାନକୁ ୧,୬୭୦ କୋଟିରେ କିଣିବାକୁ ଯାଉଛନ୍ତି। ଏହା ଦେଶ ଉପରେ ଅଯଥା ବୋଝ।

ରାଫେଲ୍‌ କାରବାରରେ ରିଲାଏନ୍‌ସ ସମ୍ପର୍କ ଉପରୁ ଯେତିକି ଅଧିକ ପରଦା ଉଠୁଛି, ଯୁଦ୍ଧ ବିମାନ କିଣା କାରବାରରେ ବୋଫର୍ସ ଗନ୍ଧ ସେତିକି ଅଧିକ ବାରି ହେଉଛି। ତେଣୁ ସନ୍ଦେହର ଧୂଆଁ ଆହୁରି ଘନୀଭୂତ ହେବା ପୂର୍ବରୁ ସରକାର ରାଫେଲ୍‌ କାରବାର ନେଇ ସମସ୍ତ ବିଷୟ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ। ଅନ୍ୟଥା ବୋଫର୍ସ ଯୋଗୁ ତତ୍କାଳୀନ କ୍ଷମତାସୀନ କଂଗ୍ରେସ ଯେଉଁ ପରିଣାମ ଭୋଗିଲା, ବର୍ତ୍ତମାନ ଏନ୍‌ଡିଏ ମଧ୍ୟ ରାଫେଲ୍‌ ଯୋଗୁ ସେହି ସମାନ ପରିଣାମ ଭୋଗିବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ସମ୍ବନ୍ଧିତ ଖବର