ଯୁବତୀ ଦର୍ଶନ

0 573

‘‘ଯେ ଯେଡ଼େ ତେଜସ୍ୱୀ ତା ତେଜ ମୋତେ ଅଛଇ ଜଣା/ଫୁଲ ଶର ଆଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା।’’ କବିବର ରାଧାନାଥ ରାୟଙ୍କ ‘ଚନ୍ଦ୍ରଭାଗା’ କାବ୍ୟରେ କାମଦେବ କନ୍ଦର୍ପ ସୂର୍ଯ୍ୟଙ୍କୁ ଏଭଳି ଚେତାବନୀ ଦେଇଥିଲେ। ମନେ ହେଉଛି ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚିତ ହେଉଥିବା କେରଳର ଶବରୀମାଳା ପୀଠର ଅଧିଷ୍ଠାତା ଦେବତା ଆୟାପ୍ପାନ୍‌ଙ୍କୁ କେହି କେବେ ଏଭଳି କୌଣସି ଚେତାବନୀ ଦେଇ ନଥିଲେ ହେଁ ସେ ଆପଣାଛାଏଁ କନ୍ଦର୍ପଙ୍କ ଫୁଲଧନୁର ଅପରିମିତ ଶକ୍ତି ସମ୍ବନ୍ଧରେ ମୂଳରୁ ସଚେତନ ରହି ଆସିଛନ୍ତି। ତେଣୁ ସେ କନ୍ଦର୍ପ କବଳରୁ ନିଜକୁ ନିରାପଦ ରଖିବା ପାଇଁ ବିଗତ ଆଠ ଶହ ବର୍ଷ ଧରି ଯେଉଁ କୌଶଳ ଅବଲମ୍ବନ କରିଆସିଛନ୍ତି ତାହାକୁ କୁହାଯାଇପାରେ- ମୂଳୁ ମାଇଲେ ଯିବ ସରି/କନ୍ଦର୍ପ ସଙ୍ଗେ କିମ୍ପା କଳି। କନ୍ଦର୍ପଙ୍କ ଶକ୍ତିର ମାଧ୍ୟମ ହେଉଛନ୍ତି- ଯୁବତୀ ନାରୀ। ଆୟାପ୍ପା ତେଣୁ ଏକ ନିୟମ ବଳବତ୍ତର କରିଦେଇଛନ୍ତି ଯେ ତାଙ୍କ ପୀଠରେ ୧୦ ବର୍ଷ ବୟସରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତର କୌଣସି ନାରୀଙ୍କର ପାଦ ପଡ଼ିବା ନିଷିଦ୍ଧ। ଏହା ଦ୍ୱାରା ପ୍ରାକ୍‌-ଯୌବନରୁ ଉତ୍ତର-ଯୌବନ ପର୍ଯ୍ୟନ୍ତ କୌଣସି ନାରୀ ଶବରୀମାଳା ପୀଠରେ ପ୍ରବେଶ କରି ପାରିବେ ନାହିଁ- ଯେଉଁ ନିୟମ ବା ପ୍ରଥା ବିଗତ ଆଠ ଶତାବ୍ଦୀ ଧରି କଡ଼ାକଡ଼ି ଭାବରେ ପାଳିତ ହୋଇ ଆସୁଛି; ତେଣୁ ଏହି ଦୀର୍ଘ କାଳ ଧରି କୌଣସି ଯୁବତୀ ଆୟାପ୍ପାଙ୍କ ଦୃଷ୍ଟିପଥାରୂଢ଼ ହୋଇ ନଥିବାରୁ କନ୍ଦର୍ପ ତାଙ୍କ ଉପରକୁ ଫୁଲଶର ନିକ୍ଷେପ କରିବା ପାଇଁ ସୁଯୋଗ ପାଇପାରି ନାହାନ୍ତି।

ଯଦିବା ରଜସ୍ୱଳା ନାରୀଙ୍କ ଉପସ୍ଥିତି ସମ୍ଭାବନାକୁ ପ୍ରତିହତ କରି ପୀଠର ପବିତ୍ରତା ରକ୍ଷା କରିବା ଉଦ୍ଦେଶ୍ୟରେ ନାରୀମାନଙ୍କ ପ୍ରତି ଏହି ବୟସ ପ୍ରତିବନ୍ଧ ଲାଗୁ କରାଯାଇଛି ବୋଲି ଯୁକ୍ତି କରାଯାଉଛି, ସୁପ୍ରିମ୍‌ କୋର୍ଟରେ ଗତ ସପ୍ତାହରେ ଏହି ନିଷେଧ ପ୍ରଥାକୁ ସମର୍ଥନ କରି ‘ପିପୁଲ୍‌ ଫର୍‌ ଧର୍ମ’ ନାମକ ସଂଗଠନ ତରଫରୁ ବିଚକ୍ଷଣ ଯୁକ୍ତି ଉପସ୍ଥାପନ କରି ବିଚାରପତିମାନଙ୍କୁ ଚମତ୍କତ କରିଦେଇଥିବା ଯୁବ ଓକିଲ ସାଇ ଦୀପକଙ୍କ ଯୁକ୍ତିର ମୂଳ ଭିତ୍ତି କିନ୍ତୁ ଯାହା ଥିଲା ତାହା ହେଲା ଆୟାପ୍ପାନ୍‌ଙ୍କ ବ୍ରହ୍ମଚର୍ଯ୍ୟ ରକ୍ଷା। ସାଇ ଦୀପକ କହିଥିଲେ ଯେ ଆୟାପ୍ପାନ୍‌ ହେଉଛନ୍ତି ଜଣେ ‘ନୈଷ୍ଠିକ ବ୍ରହ୍ମଚାରୀ’ ଏବଂ ସେ ତେଣୁ ନିଜ ବ୍ରହ୍ମଚର୍ଯ୍ୟ ବ୍ରତ ଉପରେ କୌଣସି ଆଞ୍ଚ ନ ଆସିବା ନିଶ୍ଚିତ କରିବା ଉଦ୍ଦେଶ୍ୟରେ କୌଣସି ଯୁବତୀଙ୍କ ସାନ୍ନିଧ୍ୟରୁ ଦୂରରେ ରହିବାକୁ ଚାହାନ୍ତି।

ସାଇ ଦୀପକ ଯେହେତୁ ସୁପ୍ରିମ୍‌ କୋର୍ଟରେ ଆଇନର ଲଢ଼େଇ ଲଢୁଥିଲେ, ସେ ତେଣୁ ସ୍ୱାଭାବିକ ଭାବରେ ତାଙ୍କର ଏହି ମୁଖ୍ୟ ଯୁକ୍ତିକୁ ଏକ ପ୍ରଭାବଶାଳୀ ଆଇନର ପୋଷାକ ପିନ୍ଧାଇ ଥିଲେ। ସେ ୨୬ ଜୁଲାଇ ଦିନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟର ବେଞ୍ଚ୍‌ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଯେହେତୁ ଆୟାପ୍ପାନ ଦେଶର ଜଣେ ଆଇନ-ସ୍ୱୀକୃତ ନାଗରିକ ପରି ସମ୍ପତ୍ତି ଦଖଲ କରିପାରୁଛନ୍ତି ଏବଂ ଟିକସ ମଧ୍ୟ ଦେଉଛନ୍ତି, ତେଣୁ ଦେଶର (ମାନବ) ନାଗରିକମାନଙ୍କ ଭଳି ତାଙ୍କର ମଧ୍ୟ ସାମ୍ବିଧାନିକ ଅଧିକାର ରହିଛି। ସେ କହିଥିଲେ ପ୍ରତିପକ୍ଷ ଆବେଦନକାରୀମାନେ ଯେଉଁ ଭଳି ସମ୍ବିଧାନର ଧାରା ୨୧, ୨୫(୧) ଏବଂ ୨୬କୁ ପ୍ରୟୋଗ କରି ସବୁ ବୟସର ନାରୀମାନଙ୍କର ଶବରୀମାଳା ପୀଠରେ ପ୍ରବେଶ କରି ଆୟାପ୍ପାଙ୍କ ଦର୍ଶନ କରିବାର ଅଧିକାର ରହିଛି ବୋଲି ଦାବି କରୁଛନ୍ତି, ଠିକ୍‌ ସେହି ସମସ୍ତ ଧାରା ଅନୁଯାୟୀ ଆୟାପ୍ପା ମଧ୍ୟ ସମ୍ପୃକ୍ତ ଅଧିକାର ମାନ ଉପଭୋଗ କରିବା ପାଇଁ ହକ୍‌ଦାର। ଉଦାହରଣ ସ୍ୱରୂପ ଧାରା ୨୫ (୧) ଅନୁସାରେ ଆୟାପ୍ପା ନିଜର ଧର୍ମ ପାଳନ କରିବାର ଅଧିକାର ଜାହିର କରିପାରିବେ, ଯେଉଁଥିରେ ତାଙ୍କର ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ପାଳନ ପ୍ରତିଜ୍ଞା ଅନ୍ତର୍ଭୁକ୍ତ ଏବଂ ଧାରା ୨୧ ଅନୁସାରେ ତାଙ୍କର ଏହି ବ୍ୟକ୍ତି ସ୍ୱାଧୀନତାକୁ କେହି ଅପହରଣ କରିପାରିବ ନାହିଁ। ସେହିପରି ଧାରା ୨୬ (ବି) ଅନୁସାରେ କୌଣସି ଧର୍ମୀୟ ଗୋଷ୍ଠୀ ନିଜର ଧର୍ମ ସଂକ୍ରାନ୍ତୀୟ ବ୍ୟାପାର ନିଜେ ପରିଚାଳନା କରିବାର ଅଧିକାର ପାଇଥାଏ। ସାଇ ଦୀପକ କହିଥିଲେ ଯେ ଆୟାପ୍ପାଙ୍କ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ପ୍ରତିଜ୍ଞାକୁ ଶବରୀମାଳା ମନ୍ଦିରର ପରମ୍ପରା ରୂପେ ପାଳନ କରା ହୋଇ ଆସୁଛି; ଯାହା ଧାରା ୨୬ (ବି) ଅନ୍ତର୍ଭୁକ୍ତ। ତେଣୁ ଯେଉଁମାନେ ନିଜକୁ ଭକ୍ତ ବୋଲି ଦାବି କରି ଧାରା ୨୫ (୧) ଅନୁସାରେ ଧର୍ମାଚରଣ ସ୍ୱାଧୀନତାର ପ୍ରୟୋଗ କରି ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବୟସ ସୀମା ଉଲ୍ଲଂଘନ କରି ଆୟାପ୍ପାଙ୍କ ଦର୍ଶନ କରିବାକୁ ଦାବି କରୁଛନ୍ତି, ସେମାନେ ଆୟାପ୍ପାଙ୍କ ଇଚ୍ଛାର ବିରୋଧାଚରଣ କରୁଛନ୍ତି ଏବଂ ତାଙ୍କର ଧାରା ୨୫ (୧) ପ୍ରଦତ୍ତ ଅଧିକାର ଉପରେ ଆଞ୍ଚ ଆଣୁଛନ୍ତି।

Panda Mobile only

ସାଇ ଦୀପକ ଏହି ଯୁକ୍ତିକୁ ସମ୍ପ୍ରସାରିତ କରି କହିଥିଲେ ଯଦି ପ୍ରତିପକ୍ଷ ଦାବିକୁ ମାନି ନିଆଯାଏ, ତେବେ ପ୍ରଥା ଅନୁସାରେ କଠୋର ୪୧-ଦିନିଆ ବ୍ରତ ପାଳନ କରୁ ନଥିବା ବ୍ୟକ୍ତିମାନେ ମଧ୍ୟ ଆୟାପ୍ପାଙ୍କ ଦର୍ଶନ ଦାବି କରି ପାରିବେ। ସେ ପୁଣି ପଚାରିଥିଲେ ଧାରା ୨୫ (୧) ଅନୁସାରେ ଜଣେ ହିନ୍ଦୁ ଚାହିଁଲେ ତାହା ହେଲେ କ’ଣ ଗଣେଶଙ୍କୁ ଚିକେନ୍‌ ଭୋଗ ଲଗାଇ ପାରିବ? ସାଇ ଦୀପକ ତେଣୁ ପରିଷ୍କାର କରିଦେଇଥିଲେ ଯେ ଶବରୀମାଳାରେ ଅନୁସୃତ ପ୍ରଥାର ଉଦ୍ଦେଶ୍ୟ ନୁହେଁ ରଜସ୍ୱଳା ନାରୀମାନଙ୍କ ପ୍ରତି ପାତର ଅନ୍ତର କରିବା, ଉଦ୍ଦେଶ୍ୟ ହେଉଛି ଆୟାପ୍ପାଙ୍କ ଶପଥ ଅନୁସାରେ ତାଙ୍କର ବ୍ରହ୍ମଚର୍ଯ୍ୟ ରକ୍ଷା କରିବା। ସେ ମଧ୍ୟ କହିଥିଲେ ଯେ ୧୯୨୨ରେ ଟ୍ରାଭାଙ୍କୋର୍‌ ମହାରାଜା ମନ୍ଦିର ଜମି ଅଧିଗ୍ରହଣ କରିବା ପ୍ରତିବଦଳରେ ପ୍ରଦାନ କରିଥିବା ପ୍ରତିଶ୍ରୁତି ଅନୁସାରେ ବର୍ତ୍ତମାନ ଭାରତ ସରକାର ମନ୍ଦିରର ଖର୍ଚ୍ଚ ବହନ କରିବାକୁ ବାଧ୍ୟ।

ସାଇ ଦୀପକଙ୍କ ଯୁକ୍ତି ଦୃଢ଼ ଏବଂ ସର୍ବୋଚ୍ଚ ଅଦାଲତ ଏଥିପାଇଁ ତାଙ୍କର ପ୍ରଶଂସା କରିବାରେ କୁଣ୍ଠିତ ହୋଇ ନଥିଲେ। ଏହା କୋର୍ଟଙ୍କର ଅନ୍ତିମ ରାୟକୁ କେତେ ଦୂର ପ୍ରଭାବିତ କରିବ ତାହା କିନ୍ତୁ ନିଶ୍ଚିତ ନୁହେଁ। ସାଇ ଦୀପକଙ୍କର ଆଇନର ଖେଳ କିନ୍ତୁ ବିଚାରପତିମାନଙ୍କ ମନରୁ ସନ୍ଦେହ ଦୂର କରିପାରି ନଥିଲା ଯେ ଶବରୀମାଳାର ପରମ୍ପରା ଲିଙ୍ଗ-ବିଦ୍ୱେଷ ଉପରେ ପ୍ରତିଷ୍ଠିତ। ଋତୁସ୍ରାବ ପରି ଏକ ସ୍ୱାଭାବିକ ଜୈବିକ ପ୍ରକ୍ରିୟା ଯୋଗୁଁ ନିର୍ଦ୍ଦିଷ୍ଟ ବୟସ ସୀମା ଅନ୍ତର୍ଭୁକ୍ତ ନାରୀମାନଙ୍କୁ ବାସନ୍ଦ କରାଯିବା ନିଃସନ୍ଦେହରେ ସେମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର କ୍ଷୁଣ୍ଣ କରୁଛି ବୋଲି ବିଚାରପତିମାନେ ଶୁଣାଣି ସମୟରେ ଏକାଧିକ ଥର ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ ଏହା ସତ୍ୟ। ସତୀଦାହ ମଧ୍ୟ ଏହିପରି ଦିନେ ଏକ ପରମ୍ପରା ନଥିଲା କି?

ତେବେ ସମ୍ବିଧାନ ବା ଆଇନକୁ ଅତିକ୍ରମ କରି ଅନ୍ୟ ଯେଉଁ ଏକ ପ୍ରଶ୍ନ ଯେ କୌଣସି ଚିନ୍ତାଶୀଳ ବ୍ୟକ୍ତିଙ୍କ ମନରେ ଉଙ୍କିମାରୁଥିବ ତାହା ହେଲା- ଆୟାପ୍ପାଙ୍କ ପ୍ରତିଜ୍ଞା ସମ୍ପର୍କିତ। ଦୁର୍ବଳମନା ମାନବ ମୁଖରୁ ଶୁଣାଯାଇଥାଏ ଯେ ଭାଙ୍ଗିବା ପାଇଁ ହିଁ ପ୍ରତିଜ୍ଞା କରାଯାଇଥାଏ। ଆୟାପ୍ପାଙ୍କ ଭଳି ଦେବତା କ’ଣ ମାନବ ଭଳି ଏପରି ଦୁର୍ବଳମନା ଯେ ଯୁବତୀ ଦର୍ଶନ ମାତ୍ରେ ତାଙ୍କର ବ୍ରହ୍ମଚର୍ଯ୍ୟ ପ୍ରତିଜ୍ଞା ପବନରେ ମିଳାଇ ଯିବ? ସେ କ’ଣ ରକ୍ତମାଂସଧାରୀ ପୁରୁଷମାନଙ୍କ ଠାରୁ ଆଦୌ ଭିନ୍ନ ନୁହନ୍ତି, ଯେଉଁମାନଙ୍କୁ ଲକ୍ଷ୍ୟ କରି ଜେମ୍‌ସ ବଣ୍ଡ୍‌ର ସ୍ରଷ୍ଟା ଇଆନ୍‌ ଫ୍ଲେମିଙ୍ଗ୍‌ଙ୍କ ପ୍ରେମିକା ବ୍ଲାଞ୍ଚ୍‌ ବ୍ଲାକ୍‌େଓ୍ଵଲ୍‌ଙ୍କ ପ୍ରସିଦ୍ଧ ମନ୍ତବ୍ୟ ଥିଲା: ‘‘ମୁଁ ପୁରୁଷମାନଙ୍କୁ ଭଲ ପାଏ; ସେମାନେ ଏତେ ବଢ଼ିଆ ପୋଷା ମାନନ୍ତି!’’

ସମ୍ବନ୍ଧିତ ଖବର

Leave A Reply

Your email address will not be published.