ହିତୋପଦେଶ

0 241

ପ୍ରସିଦ୍ଧ ବ୍ରିଟିସ୍‌ ଲେଖକ ଓ ଦାର୍ଶନିକ ଆଲ୍‌ଡସ୍‌ ହକ୍‌ସ୍‌ଲି କହିଥିଲେ: ‘‘ବୋଧହୁଏ ଆମର ଏହି ପୃଥିବୀ ହେଉଛି ଅନ୍ୟ କେଉଁ ଏକ ଗ୍ରହର ନର୍କ।’’ ଅର୍ଥାତ୍‌ ସେ ଗ୍ରହର ପାପୀମାନେ ମୃତ୍ୟୁ ପରେ ଯନ୍ତ୍ରଣା ଭୋଗ କରିବାକୁ ଯେଉଁ ନର୍କକୁ ଯାଆନ୍ତି, ସେ ନର୍କ ହେଉଛି ଆମ ପୃଥିବୀ। ହକ୍‌ସ୍‌ଲିଙ୍କ ଦୃଷ୍ଟିରେ ତେଣୁ ଆମେମାନେ ଏଠାରେ ସମସ୍ତେ ହେଉଛୁ ଅନ୍ୟ ଗ୍ରହର ଜୀବ ଯେଉଁମାନେ ପାପର ଦଣ୍ଡ ଭୋଗ କରିବା ପାଇଁ ମୃତ୍ୟୁ ପରେ ଏଠାରେ ପହଞ୍ଚିଛୁ। ପୃଥିବୀରେ ମନୁଷ୍ୟର ଅସୁମାରି ଯନ୍ତ୍ରଣାଜର୍ଜରିତ ଜୀବନ ଓ ବିକୃତ ଆଚରଣମାନ ପ୍ରତି ସାମାନ୍ୟ ଧ୍ୟାନ ଦେଲେ ହକ୍‌ସ୍‌ଲିଙ୍କ ମନ୍ତବ୍ୟ ଯେ ଶତପ୍ରତିଶତ ଠିକ୍‌, ଏ ନେଇ କୌଣସି ସନ୍ଦେହ ରହେ ନାହିଁ। ତଥାପି ଯଦି କେହି କେହି ଚରମ ସକାରାତ୍ମକ ଆଭିମୁଖ୍ୟ ସମ୍ପନ୍ନ ପୃଥିବୀବାସୀଙ୍କର ଏହି ହକ୍‌ସ୍‌ଲି-ପ୍ରଦତ୍ତ ବିଷାଦଜନକ ଚିତ୍ର ପ୍ରତି କିଛି ସନ୍ଦେହ ଥିଲା, ଗତ ସପ୍ତାହରେ ଆନ୍ତର୍ଜାତିକ ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିବା ଭାରତର ହରିଆନା ରାଜ୍ୟରେ ଘଟିଥିବା ଏକ ମନୁଷ୍ୟକୃତ ନରକୀୟ କାଣ୍ଡ ସେ ସମସ୍ତ ସନ୍ଦେହ ଦୂର କରି ଦେଇଥିବ।

ସେ ରାଜ୍ୟର ମେଓ୍ଵାଟ୍‌ ଅଞ୍ଚଳର ନୁହଠାରେ ମାନବ ଚରିତ୍ରର ଚରମ ବିକୃତିର ପରିପ୍ରକାଶ ସ୍ୱରୂପ ଆଠଜଣ ମନୁଷ୍ୟ (ପୁରୁଷ)ଙ୍କ ଦ୍ୱାରା ଗଣଧର୍ଷଣର ଶିକାର ହୋଇ ଏକ ଗର୍ଭିଣୀ ଛେଳି ପ୍ରାଣ ହରାଇଛି। ଗଣଧର୍ଷଣ ପାଇଁ କୁଖ୍ୟାତ ଭାରତ ଓ ବିଶେଷକରି ଦେଶର ସେହି ଅଞ୍ଚଳରେ ବର୍ତ୍ତମାନ ଅନ୍ୟାନ୍ୟ ଜୀବଜନ୍ତୁମାନେ ମଧ୍ୟ ନିରାପଦ ନୁହନ୍ତି। ଏହି ହୃଦୟ ବିଦାରକ ଘଟଣାର ଅଧିକ ବର୍ଣ୍ଣନା ଏଠାରେ ଉପସ୍ଥାପନ କରିବା ସମ୍ଭବ ନୁହେଁ। ତେବେ ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ସେଠାକାର ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଧାରା ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ଧାରା ୪୨୯ (ଗୃହପାଳିତ ପଶୁଙ୍କ ହତ୍ୟା ବା ଜଖମ ଭଳି ମନ୍ଦ କାର୍ଯ୍ୟ) ତଥା ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁର ଆଚରଣ ନିରୋଧ ନିମିତ୍ତ ଉଦ୍ଦିଷ୍ଟ ୧୯୬୦ର ‘ପିସିଏ ଆକ୍ଟ୍‌’ ଅନୁଯାୟୀ ଏଫ୍‌ଆଇଆର୍‌ ଦରଜ କରିଛି।

ଏହାର ଉଲ୍ଲେଖ ଏଇଥିପାଇଁ ପ୍ରୟୋଜନ ଯେ ଠିକ୍‌ ଏହି ସମୟରେ ସେଇ ଆଇପିସି ଧାରା ୩୭୭କୁ ଉଚ୍ଛେଦ କରାଯିବା ନିମିତ୍ତ ଆବେଦନ ମାନଙ୍କର ବିଚାର ସୁପ୍ରିମ୍‌ କୋର୍ଟରେ ପୁଣି ଆରମ୍ଭ ହୋଇଛି। ଏହି ବିଚାରର ଏକ ସଂକ୍ଷିପ୍ତ ଇତିହାସ ଏଠାରେ ଚୁମ୍ବକରେ ପ୍ରଦାନ ଆବଶ୍ୟକ। ୧୮୬୧ରେ ପ୍ରଣୀତ ଏହି ଆଇନ ଅନୁସାରେ ଯଦି କେହି ସ୍ୱଇଚ୍ଛାରେ କୌଣସି ପୁରୁଷ, ନାରୀ କିମ୍ବା ପଶୁ ସହିତ ଇନ୍ଦ୍ରିୟାସକ୍ତ ଅପ୍ରାକୃତିକ ଯୌନ ସଙ୍ଗମ ଘଟାଏ, ସେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା ଆଜୀବନ କାରାଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ ହେବ। ଏହି ଆଇନର ପରିସରଭୁକ୍ତ ସମଲିଙ୍ଗୀମାନଙ୍କ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ ୨୦୦୯ରେ ଧାରା ୩୭୭ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ବୋଲି ଏକ ଚାଞ୍ଚଲ୍ୟକର ରାୟ ପ୍ରଦାନ କରିଥିଲେ। ଏହା ପରେ କେତେକ ଧର୍ମୀୟ ଗୋଷ୍ଠୀ ଏହି ରାୟ ବିରୁଦ୍ଧରେ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌ କୋର୍ଟ ୨୦୧୩ରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟର ଆଦେଶକୁ ନାକଚ କରି ଦେଇଥିଲେ। ସର୍ବୋଚ୍ଚ କୋର୍ଟ ସମଲିଙ୍ଗୀ ଯୌନକ୍ରିୟାକୁ ପୁଣି ଅପରାଧ ଶ୍ରେଣୀଭୁକ୍ତ କରିବା ସହିତ ଏହା ମଧ୍ୟ କହିଥିଲେ ଯେ ଆଇନର ଉଚ୍ଛେଦ ସାଧନ ହେଉଛି ପାର୍ଲାମେଣ୍ଟ୍‌ର କାର୍ଯ୍ୟ। କିନ୍ତୁ ପାଞ୍ଚଜଣ ସମଲିଙ୍ଗୀ ବ୍ୟକ୍ତି (ତଥାକଥିତ ‘ଏଲ୍‌ଜିବିଟି କ୍ୟୁ’ ଗୋଷ୍ଠୀ ଅନ୍ତର୍ଭୁକ୍ତ ବୋଲି ଦାବି କରୁଥିବା)ଙ୍କର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମ୍‌ କୋର୍ଟ ପୁଣି ୨୦୧୮ ଜାନୁଆରିରେ ନିଜର ପୂର୍ବ ରାୟର ପୁନଃବିଚାର ପାଇଁ ଏବଂ ଧାରା ୩୭୭ର ସାମ୍ବିଧାନିକ ବୈଧତା ପରୀକ୍ଷା କରିବା ପାଇଁ ଏକ ବୃହତ୍ତର ବେଞ୍ଚ୍‌ ଗଠନ ନିମିତ୍ତ ନିଷ୍ପତ୍ତି ଘୋଷଣା କରିଥିଲେ। ସେହି ଅନୁଯାୟୀ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ବେଞ୍ଚ୍‌ ଜୁଲାଇ ୧୦ ତାରିଖ ଦିନ ଧାରା ୩୭୭ ବିରୁଦ୍ଧରେ ଆବେଦନ ଗୁଡ଼ିକର ବିଚାର ଆରମ୍ଭ କରିଛନ୍ତି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଜାନୁଆରିରେ ନିର୍ଦ୍ଦେଶ ଦେବା ବେଳେ ସୁପ୍ରିମ୍‌ କୋର୍ଟ ମନ୍ତବ୍ୟ ଦେଇଥିଲେ ଯେ ନିଜ ପସନ୍ଦ ଅନୁସାରେ ଚଳୁଥିବା କିଛି ଲୋକ ଆତଙ୍କଗ୍ରସ୍ତ ହୋଇ ରହିବା କେବେହେଲେ ଉଚିତ ନୁହେଁ। ଏହା ସମଲିଙ୍ଗୀ ମହଲରେ ନୂତନ ଆଶା ସଞ୍ଚାର କରିଛି। ଏକ ଗୁଞ୍ଜରଣ ସୃଷ୍ଟି ହେଲାଣି ଯେ ସୁପ୍ରିମ୍‌ କୋର୍ଟ ଏଥର ଧାରା ୩୭୭କୁ ଅପରାଧମୁକ୍ତ କରିବା ପ୍ରାୟ ନିଶ୍ଚିତ।

ହରିଆନାରେ ଘଟିଥିବା ଉପରୋକ୍ତ ବୀଭତ୍ସ କାଣ୍ଡ ସହିତ ସୁପ୍ରିମ୍‌ କୋର୍ଟରେ ଧାରା ୩୭୭କୁ ନିଷ୍କ୍ରିୟ କରିବା ପାଇଁ ଚାଲିଥିବା ଉଦ୍ୟମର କିଭଳି ଘନିଷ୍ଠ ସମ୍ପର୍କ ରହିଛି ତାହା ଜବାବସୁଆଲର ଦ୍ୱିତୀୟ ଦିବସରେ ଭାରତର ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ଉପସ୍ଥାପନ କରିଥିବା ଯୁକ୍ତିରୁ ସ୍ପଷ୍ଟ ହୋଇଥାଏ। ସେ ଆଶଙ୍କା ପ୍ରକାଶ କରିଥିଲେ ଯେ ଯଦି ଧାରା ୩୭୭କୁ ହଟାଇ ଲୋକଙ୍କୁ ନିଜର ଯୌନ ସାଥୀ ବାଛିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଏ ତାହା ପଶୁହରଣ (ବେଷ୍ଟିଆଲିଟି), ଆତ୍ମୀୟହରଣ (ଇନ୍‌ସେଷ୍ଟ) ଭଳି ଅପ୍ରାକୃତିକ ଯୌନ କ୍ରିୟାକୁ ପ୍ରେତ୍ସାହିତ କରିବ। ଶୁଣାଣି କରୁଥିବା ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଧ୍ୟାନ ଆକର୍ଷଣ କରି ତୁଷାର ମେହେଟ୍ଟା କହିଥିଲେ: ‘‘ଯୌନସାଥୀ ବାଛିବା ଅର୍ଥ, ଆତ୍ମୀୟହରଣ ଭଳି ବିକୃତିର କ’ଣ ଘଟିବ…ମୁଁ ଭାବୁଛି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ବୁଝିପାରୁଛନ୍ତି ମୁଁ କ’ଣ କହୁଛି …ଏହା ହେଉଛି ମୋର ଆଶଙ୍କା।’’ ତା’ପରେ ସତେ ଯେମିତି ଆଉ ଦିନ କେତେଟା ମଧ୍ୟରେ ହରିଆନାରେ କ’ଣ ଘଟିବାକୁ ଯାଉଛି ସେ ଦିବ୍ୟ ଦୃଷ୍ଟି ବଳରେ ଦେଖିପାରିବା ଭଳି ତୁଷାର ମେହେଟ୍ଟା ବିଚାରପତିମାନଙ୍କୁ ଲକ୍ଷ୍ୟ କରି କହିଥିଲେ: ‘‘କାଲି ଯଦି କେହି ଜଣେ ପଶୁହରଣ କରି ଆସି କହେ ‘ଇଏ ହେଉଛି ମୋ’ ପସନ୍ଦର ଯୌନ ସାଥୀ’…।’’

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଅବଶ୍ୟ ଉତ୍ତର ଦେଇଥିଲେ ଯେ ଅଦାଲତ କେବଳ ଦୁଇ ସହମତ ସମଲିଙ୍ଗୀଙ୍କର ଯୌନାଚରଣକୁ ଅପରାଧମୁକ୍ତ କରିବା ବିଷୟ ବିଚାର କରୁଛନ୍ତି। ସେ କିନ୍ତୁ ଆଦୌ ସ୍ପଷ୍ଟ କରିନାହାନ୍ତି ଧାରା ୩୭୭ ଅନ୍ତର୍ଭୁକ୍ତ ଅନ୍ୟ ଯୌନାଚରଣମାନ ପୂର୍ବ ଭଳି ଅପରାଧ ରୂପେ ବିବେଚିତ ହେବେ କି ନାହିଁ। ଯୁକ୍ତିନିଷ୍ଠ ଭାବରେ ଦେଖିଲେ ପଶୁହରଣ ବା ଆତ୍ମୀୟହରଣ ଯେଉଁ ଭଳି ଅପ୍ରାକୃତିକ ବିକୃତି, ସମଲିଙ୍ଗୀ ସମ୍ପର୍କ ସେଇ ଭଳି ଏକ ଅପ୍ରାକୃତିକ ବିକୃତି। ଏ ସମସ୍ତ ବିକୃତିର ଏକମାତ୍ର ଲକ୍ଷ୍ୟ ହେଉଛି ସମ୍ଭୋଗ ଓ ମନୋରଞ୍ଜନ, ପ୍ରଜନନ ନୁହେଁ। ୧୮୬୧ରୁ ଆରମ୍ଭ କରି ଶତାଧିକ ବର୍ଷ ଧରି ଧାରା ୩୭୭ ବଳବତ୍ତର ରହି ଆସିଥିଲେ ହେଁ ସମାଜରେ ଏପରି ଭିନ୍ନ ମାନସିକତା ସମ୍ପନ୍ନ ସଦସ୍ୟମାନଙ୍କର କାର୍ଯ୍ୟକଳାପରେ ଅନ୍ତ ଘଟି ନାହିଁ। ଯେ କୌଣସି ସଭ୍ୟ ସମାଜରେ ଯୌନ ସମ୍ପର୍କରେ ଗୋପନୀୟତା ରକ୍ଷା କରାଯାଇଥାଏ। ଏ ଦେଶରେ ମଧ୍ୟ ସମଲିଙ୍ଗୀମାନେ ଯୁଗ ଯୁଗ ଧରି ଗୋପନରେ ନିଷିଦ୍ଧ ଆନନ୍ଦ ଉପଭୋଗ କରି ଆସିଛନ୍ତି ଓ ଏହା ଜଣାଶୁଣା। ବର୍ତ୍ତମାନ କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିକୃତ ପାଶ୍ଚାତ୍ୟ ଆଚରଣର ଅନୁକରଣ କରି ସେମାନଙ୍କର ସମ୍ପର୍କକୁ ସର୍ବସାଧାରଣରେ ପ୍ରଦର୍ଶନ କରିବା ପାଇଁ ଚାହୁଁଛନ୍ତି ଏବଂ ଏହାକୁ ଏପରି ଏକ ଗର୍ବର ବିଷୟ ବୋଲି ଭାବୁଛନ୍ତି ଯେ ତଥାକଥିତ ‘ଗେ ପ୍ରାଇଡ୍‌’ ମାନ ଆୟୋଜନ କରୁଛନ୍ତି। ସେମାନେ ହିତୋପଦେଶର ଏହି ଉପଦେଶ ଭୁଲି ଯାଉଛନ୍ତି: ‘‘ଆହାର-ନିଦ୍ରା-ଭୟ-ମୈଥୁନମ୍‌ ଚ/ସାମାନ୍ୟମ୍‌ ଏତତ୍‌ ପଶୁଭିଃ ନରାଣାମ୍‌/ଧର୍ମୋ ହି ତେସାମ୍‌ ଅଧିକୋ ବିଶେଷୋ/ଧର୍ମେନହୀନ ପଶୁଭିଃ ସମାନଃ।’’ ଭୋଜନ, ଶୟନ, ଭୟ, ମୈଥୁନ- ଏ ସବୁରେ ମନୁଷ୍ୟ ଓ ପଶୁ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ମନୁଷ୍ୟର ଏକମାତ୍ର ବିଶେଷତ୍ୱ ହେଉଛି ଧର୍ମ- ଯାହା ତାକୁ ପଶୁଠାରୁ ଭିନ୍ନ କରିଥାଏ। ଧର୍ମ ଅର୍ଥ ହେଉଛି ଯାହା ସ୍ୱାଭାବିକ ବା ପ୍ରାକୃତିକ। ଅପ୍ରାକୃତିକ ଆଚରଣ ମନୁଷ୍ୟକୁ ପଶୁରେ ପରିଣତ କରିଥାଏ। ଯେମିତି ହରିଆନାରେ ଘଟିଛି। ମନୁଷ୍ୟ ତାର ସ୍ୱଭାବରେ ଥିବା ବିକୃତିକୁ ସର୍ବଦା ଦୃଷ୍ଟି ଆଢୁଆଳରେ ରଖିବା ହେଉଛି ସଭ୍ୟତା। ତା’ର ପ୍ରଦର୍ଶନ ହେଉଛି ଅସଭ୍ୟତା, ପଶୁସୁଲଭ ଆଚରଣ। ସୁପ୍ରିମ୍‌ କୋର୍ଟ ତାଙ୍କର ଅନ୍ତିମ ରାୟ ପ୍ରଦାନ ସମୟରେ ହିତୋପଦେଶକୁ ଭୁଲିବେ ନାହିଁ ବୋଲି ଆଶା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.