ସଫା ସୁଟ୍‌ ବୁଟ୍‌

ରାଜନୀତିର ପରିଭାଷା ହେଉଛି ଛଳନା। ସମସ୍ତେ ଜାଣନ୍ତି ରାଜନେତାମାନେ ଯାହା ଚିନ୍ତା କରନ୍ତି ତାହା କହନ୍ତି ନାହିଁ, ଯାହା କହନ୍ତି ତାହା କରନ୍ତି ନାହିଁ। ଗତ ରବିବାର ଦିନ ଏଥିରେ ଏକ ସ୍ୱାଗତଯୋଗ୍ୟ, ବିରଳ ତଥା ସାହସିକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌଠାରେ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ଯେ ସେ ସର୍ବସମ୍ମୁଖରେ ଉଦ୍ୟୋଗପତିମାନଙ୍କ ପାଖରେ ଛିଡ଼ା ହେବାକୁ ଡରନ୍ତି ନାହିଁ, କାରଣ ତାଙ୍କର ଉଦ୍ଦେଶ୍ୟ ସର୍ବଦା ମହତ୍‌। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ୬୦,୦୦୦ କୋଟି ଟଙ୍କାର ନିବେଶ ଦ୍ୱାରା ନିର୍ମିତ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଉତ୍ସବରେ ମୋଦୀ ଏହା ଘୋଷଣା କରିବା ସମୟରେ ସେଠାରେ ତାଙ୍କ ନିକଟରେ ସଶରୀରରେ ଛିଡ଼ା ହୋଇଥିଲେ କୁମାର ମଙ୍ଗଳମ୍‌ ବିରଳା ଓ ଗୌତମ ଆଦାନିଙ୍କ ଭଳି ଦେଶର ଅଗ୍ରଣୀ ଶିଳ୍ପପତିମାନେ।

ମୋଦୀ ଏପରି ସ୍ପଷ୍ଟୀକରଣ ପ୍ରଦାନ କରିବାର କାରଣ ମଧ୍ୟ ସ୍ପଷ୍ଟ। ସେ କ୍ଷମତାକୁ ଆସିବା ପର ଠାରୁ ବିରୋଧୀ ଦଳମାନେ ତାଙ୍କୁ ଉଦ୍ୟୋଗପତିମାନଙ୍କର ବନ୍ଧୁ ଓ ସାଧାରଣ ଲୋକମାନଙ୍କର ଶତ୍ରୁ ରୂପେ ଚିତ୍ରିତ କରିବାରେ ଲାଗିଛନ୍ତି। ଉଦାହରଣ ସ୍ୱରୂପ ଏହି ମର୍ମରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମୋଦୀ ସରକାରକୁ ‘ସୁଟ୍‌ ବୁଟ୍‌ କୀ ସରକାର’ ବୋଲି ବ୍ୟଙ୍ଗ କରି ଆସିଛନ୍ତି। ବିରୋଧୀ ଦଳମାନଙ୍କ ଏଭଳି ଆକ୍ଷେପ ଯେ ଚିରାଚରିତ ରାଜନୈତିକ ଶଠତା ଉପରେ ଆଧାରିତ ତାହା ପ୍ରତ୍ୟେକ ଦଳ ଅବଶ୍ୟ ଭଲ ରୂପେ ଜାଣିଥିବେ, କାରଣ ଦେଶରେ ଏମିତି କୌଣସି ଦଳ ନାହିଁ- ବାମରୁ ଦକ୍ଷିଣ ପର୍ଯ୍ୟନ୍ତ- ଯିଏ ଉଦ୍ୟୋଗପତିମାନଙ୍କର ଚାନ୍ଦାରେ ପରିପୁଷ୍ଟ ନୁହେଁ। କିନ୍ତୁ ଅନ୍ଧାରରେ ଚାନ୍ଦା ନେଇ ଆଲୁଅରେ ସମାଲୋଚନା କରିବାରେ ଅସୁବିଧା କ’ଣ? ତା’ଛଡ଼ା ଜନତାର ସ୍ମୃତି ଶକ୍ତି କ୍ଷଣସ୍ଥାୟୀ ବୋଲି ବିଶ୍ୱାସ କରାଯାଏ ନାହିଁ କି?

ନହେଲେ କଂଗ୍ରେସ୍‌ ସଭାପତି କ’ଣ ସୁଟ୍‌ ବୁଟ୍‌ କୀ ସରକାର କଥା କହନ୍ତେ, ଯେଉଁ ଦଳର ସରକାର ସମୟରେ ହିଁ ଦେଶ ସମାଜବାଦୀ ଅର୍ଥନୀତି ପରିତ୍ୟାଗ କରି ପୁଞ୍ଜିବାଦୀ ମୁକ୍ତ ଅର୍ଥନୀତି ଢାଞ୍ଚା ପରିଗ୍ରହଣ କରିଥିଲା? ରାହୁଲ ଗାନ୍ଧୀ ୨୧ ବର୍ଷୀୟ ଯୁବକ ଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓ ତାଙ୍କର ଅର୍ଥମନ୍ତ୍ରୀ ଭାବୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମିଶି ଦେଶର ଅର୍ଥନୈତିକ ଢାଞ୍ଚାରେ ଏହି ପରିବର୍ତ୍ତନ ଘଟାଇଥିଲେ। କଂଗ୍ରେସ ସଭାପତିଙ୍କର ଏହା ନିଶ୍ଚୟ ମନେଥିବ। ନା, ସେ ଓ ତାଙ୍କ ଦଳ ନରସିଂହ ରାଓଙ୍କ ସ୍ମୃତିକୁ ସମ୍ପୂର୍ଣ୍ଣ ପୋଛି ଦେଇଥିବା ପରି ତାଙ୍କର ଏ ଅବଦାନକୁ ମଧ୍ୟ ମନରୁ ପୋଛି ଦେଇଛନ୍ତି? ରାହୁଲ ବରଂ ଗର୍ବ କରିବା କଥା ଯେ ନରସିଂହ ରାଓ ସମାଜବାଦୀ ଦାରିଦ୍ର୍ୟ ବଣ୍ଟନ ଭିତ୍ତିକ  ଅର୍ଥନୈତିକ ଢାଞ୍ଚାଠାରୁ ଦୂରେଇ ଯାଇ ଯେତେବେଳେ ରାହୁଲଙ୍କ ଭାଷାରେ ସୁଟ୍‌ ବୁଟ୍‌ କୀ ଅର୍ଥନୈତିକ ଢାଞ୍ଚା ଅବଲମ୍ବନ କଲେ ସେହିଦିନଠାରୁ ଦେଶର ଅର୍ଥନୈତିକ ସମୃଦ୍ଧିର ନୂତନ ଯୁଗ ଆରମ୍ଭ ହୋଇଛି। ମୋଦୀ ସରକାର ସେଇ ଢାଞ୍ଚାରେ ପରବର୍ତ୍ତୀ ସମୟରେ ଲାଗିଥିବା ଦୁର୍ନୀତି ଅଳିଆକୁ ସଫା କରି ଅଧିକ ସକ୍ରିୟ କରିବାକୁ ଚେଷ୍ଟା କରୁଛି ଯାହା।

ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ହିଁ ମୁକ୍ତ ହସ୍ତରେ କଂଗ୍ରେସ ଦଳକୁ ଦାନ କରି ଦଳକୁ ବ୍ରିଟିସ୍‌ ସରକାର ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ଯେତେବେଳେ ରାଜନୈତିକ ଚାନ୍ଦା ନଗଦ ଆକାରରେ ସଂଗ୍ରହ କରିବା ଏକ ନିଷିଦ୍ଧ ପାପର ରୂପ ନେଇଛି, ଏଠାରେ ଉଲ୍ଲେଖ କରିବା ରୋଚକ ଅନୁଭୂତ ହେବ ଯେ ସେ ସମୟରେ ଉଦ୍ୟୋଗପତିମାନେ କଂଗ୍ରେସ ଦଳକୁ ନଗଦ ଆକାରରେ ଚାନ୍ଦା ଦେବାକୁ ହିଁ ପସନ୍ଦ କରୁଥିଲେ। ବ୍ରିଟିସ୍‌ ସରକାରଙ୍କ ରୋଷଦୃଷ୍ଟି ଏଡ଼ାଇବା ପାଇଁ ସେମାନେ ବ୍ୟାଙ୍କ୍‌ ଚେକ୍‌ ବ୍ୟବହାର ନକରି ନଗଦ ଦାନକୁ ପସନ୍ଦ କରୁଥିଲେ। ଜାତିର ଜନକ ତଥା କଂଗ୍ରେସର ନୈତିକ ପିତା ମହାତ୍ମା ଗାନ୍ଧୀଙ୍କର ଏ ନେଇ କୌଣସି ଅସ୍ୱସ୍ତିବୋଧ ନଥିଲା। ବରଂ କୁମାର ମଙ୍ଗଳମ୍‌ ବିରଳାଙ୍କ ପୂର୍ବଜ ଘନଶ୍ୟାମ ଦାସ ବିରଳାଙ୍କ ସହିତ ମହାତ୍ମାଙ୍କ ଘନିଷ୍ଠତା କିମ୍ବଦନ୍ତିରେ ପରିଣତ ହୋଇଛି। ଏପରିକି ଦିଲ୍ଲୀସ୍ଥିତ ବିରଳା ନିବାସରେ ହିଁ ନାଥୁରାମ୍‌ ଗଡ୍‌ସେର ଗୁଳିରେ ମହାତ୍ମା ଟଳି ପଡ଼ିଥିଲେ। ପରବର୍ତ୍ତୀ ସମୟରେ ମାଲିକଙ୍କ ବିନାନୁମତିରେ ସେଇ ବିରଳା ନିବାସ ମହାତ୍ମା ସ୍ମାରକୀରେ ପରିଣତ ହୋଇଛି। ଶିଳ୍ପପତି ଯମୁନାଲାଲ୍‌ ବଜାଜ୍‌ଙ୍କ ସହିତ ମଧ୍ୟ ମହାତ୍ମାଙ୍କର ଅନୁରୂପ ଘନିଷ୍ଠ ସମ୍ପର୍କ ଥିଲା।

କେବଳ କଂଗ୍ରେସ ନୁହେଁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ‘ଆପ୍‌’ ଠାରୁ ‘ବିଏସ୍‌ପି’ର ମାୟାବତୀ ପର୍ଯ୍ୟନ୍ତ ଉଦ୍ୟୋଗପତିମାନଙ୍କ ସହିତ ସୁସମ୍ପର୍କ ପାଇଁ ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ଦେଖାଯାଇଛି। ଏମାନଙ୍କର ଅସଲ ଚେହେରା କେହି ଭୁଲି ନଥିବେ। ଦୁର୍ନୀତି-ବିରୋଧୀ କେଜ୍ରିଓ୍ଵାଲ୍‌ ଟଙ୍କାଟିଏ ମଧ୍ୟ ନଗଦ ଆକାରରେ ଚାନ୍ଦା ନେବେ ନାହିଁ ବୋଲି ଘୋଷଣା କରି ରାଜନୀତିକୁ ଆସିଥିଲେ। କିନ୍ତୁ ଦିଲ୍ଲୀ ବିଧାନସଭା ପାଇଁ ଅନୁଷ୍ଠିତ ସର୍ବପ୍ରଥମ ନିର୍ବାଚନରେ ସେ ଜଣେ ଶିଳ୍ପପତିଙ୍କଠାରୁ ୨ କୋଟି ଟଙ୍କାର ଚାନ୍ଦା ନଗଦ ଆକାରରେ ହିଁ ନେଇଥିଲେ। ସେତିକି ନୁହେଁ ଏହି ‘ସାଧୁ’ ନେତା ଏହା ଲୁଚାଇବା ପାଇଁ ଏକ କଲିକତା ଠିକଣା ଥିବା ନକଲି କମ୍ପାନି ନାମରେ ସେ ଟଙ୍କାକୁ ଚାରିଟି ୫୦ ଲକ୍ଷ ଟଙ୍କିଆ ଡିମାଣ୍ଡ୍‌ ଡ୍ରାଫ୍‌ଟରେ ପରିବର୍ତ୍ତନ କରିଦେଇଥିଲେ ଯାହା ପରେ ଆୟକର ବିଭାଗ ଆବିଷ୍କାର କରିଥିଲା। ସତକଥା ହେଲା କ୍ଷମତାସୀନ ସରକାରର ସହଯୋଗ ବିନା ଆମ ଭଳି ଏକ ନିୟମ-ହୁଗୁଳା ଦେଶରେ କୌଣସି ବ୍ୟବସାୟ ଉଧେଇବା ଅସମ୍ଭବ। ରାଜନୀତି ମଧ୍ୟ ଏପରି ବ୍ୟୟବହୁଳ ଯେ ବ୍ୟବସାୟର ଆର୍ଥିକ ସହାୟତା ବିନା ତାହା ଚାଲିବା କଷ୍ଟ। ଏଣୁ ବ୍ୟବସାୟ ଓ ରାଜନୀତି ଏଠାରେ ପରସ୍ପରର ପରିପୂରକ। କିନ୍ତୁ ଏ କଥା ନେତାମାନେ ଭାବମୂର୍ତ୍ତି ରକ୍ଷା କରିବା ଉଦ୍ଦେଶ୍ୟରେ କେବେହେଲେ ସ୍ୱୀକାର କରନ୍ତି ନାହିଁ।

ସେଦିନ ମୋଦୀ କହିଥିବା ଭଳି ନେତାମାନେ ଅପରପକ୍ଷେ ଉଦ୍ୟୋଗପତିମାନଙ୍କୁ ‘ଚୋର’, ‘ଲୁଟେରା’ ଆଖ୍ୟା ଦେଇ ରାଜନୀତି କରନ୍ତି। କିନ୍ତୁ ଗୋପନରେ ସେମାନଙ୍କୁ ଭେଟି ଚାନ୍ଦା ଆଦାୟ କରିବାରେ ସେମାନଙ୍କର କୌଣସି କୁଣ୍ଠା ନଥାଏ। ଏହା ସମସ୍ତଙ୍କୁ ଜଣା ରିଲାଏନ୍‌ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନି ମୋଟା ଅଙ୍କର ଦାନ ମାଧ୍ୟମରେ କ୍ଷମତାସୀନ ନେତାମାନଙ୍କୁ ସନ୍ତୁଷ୍ଟ କରି ବିଜୁଳି ବେଗରେ ନିଜ ବ୍ୟବସାୟରେ ଉନ୍ନତି ଘଟାଇଥିଲେ। ବାସ୍ତବରେ ସେ ଏ କୌଶଳକୁ ଏପରି ସଫଳତାର ସହିତ ପ୍ରୟୋଗ କରିଥିଲେ ଯେ ଅଚିରେ ଦେଶର ଅନ୍ୟ ସମସ୍ତ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କୁ ପଛରେ ପକାଇ ଦେଇଥିଲେ। ସେ କିନ୍ତୁ କହୁଥିଲେ ଯେ ମୋଟା ଚାନ୍ଦା ନେଉଥିବା ନେତାମାନେ ତାଙ୍କୁ ଖୋଲାଖୋଲି ସାକ୍ଷାତ ଦିଅନ୍ତୁ; ସେ ବେଶ୍ୟା ନୁହନ୍ତି ଯେ କେବଳ ତାଙ୍କ ସହିତ ଗୋପନରେ ସେମାନେ ସାକ୍ଷାତ କରିବେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଉଦ୍ୟୋଗମାନ ଆଜି ବିଶାଳ ସମ୍ପଦ ସୃଷ୍ଟି କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇବାରେ ସକ୍ଷମ ହୋଇଛି। ଏ ଭଳି ଉଦ୍ୟୋଗପତିମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରି ନରେନ୍ଦ୍ର ମୋଦୀ ଦେଶ ଗଠନରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଛନ୍ତି ଓ ଶଠ ନେତାମାନେ ସୁଟ୍‌ ବୁଟ୍‌ରେ ଲଗାଇଥିବା ଦାଗ ସଫା କରିଛନ୍ତି।

ସମ୍ବନ୍ଧିତ ଖବର