ଆଇନର ଦୋମୁହାଁ ଚେହେରା

0 175

‘ଆଇନ ତା ବାଟରେ ଯିବ’। ଏହି ବାକ୍ୟଟିକୁ ରାଜ୍ୟର ଶାସନ ମୁଖ୍ୟ ବାରମ୍ବାର ଦୋହରାଇଥାନ୍ତି। ଏହାର ଉଦ୍ଦେଶ୍ୟ, ସାଧାରଣ ଲୋକଙ୍କ ମନରେ ଏହି ବିଶ୍ୱାସକୁ ଦୃଢ଼ୀଭୂତ କରିବା ଯେ, ରାଜ୍ୟରେ ଆଇନର ଶାସନ ଚାଲିଛି। ଆଇନ ଆଖିରେ ସମସ୍ତେ ସମାନ। ଛୋଟ-ବଡ଼, ଧନୀ- ଗରିବ, ଜନତା- ନେତା କିଛି ପାତର ଅନ୍ତର ନାହିଁ। ଯିଏ ଯେତେ ବଡ଼ ହେଲେ ବି, ଆଇନଠାରୁ ଉପରେ ନୁହେଁ। ଅନ୍ୟପକ୍ଷରେ ଏହା ଏକ ସଂକେତ ଯେ, ସବଳଠାରୁ ଦୁର୍ବଳକୁ ସୁରକ୍ଷା ଦେବା ପାଇଁ ଆଇନ ଏକ କବଚ। ତେବେ ଏ ସବୁ କେବଳ ତତ୍ତ୍ୱ ଓ ପୋଥିଗତ। ବାସ୍ତବତା କ’ଣ? ବଡ଼ବଡ଼ିଆ ଖିଲାପିଙ୍କ ବେଳକୁ ଆଇନ ତା ବାଟ ହୁଡ଼ିଯାଏ କିମ୍ବା ଆଇନକୁ ଏମିତି ମୋଡ଼ି ଦିଆଯାଏ ଯେ ଏହାର ତଥାକଥିତ ଲମ୍ବା ହାତ ବଡ଼ବଡ଼ିଆଙ୍କୁ ଛୁଇଁ ସୁଦ୍ଧା ପାରେ ନାହିଁ। ଅନ୍ୟପକ୍ଷରେ ଗରିବ, ମଳିମୁଣ୍ଡିଆ, ସାଧାରଣ ଜନତାଙ୍କ ବେଳକୁ ଆଇନ ମାତ୍ରାତିରିକ୍ତ କଠୋର ହୁଏ କିମ୍ବା ସ୍ଥଳ ବିଶେଷରେ ବଡ଼ବଡ଼ିଆଙ୍କ ସ୍ୱାର୍ଥରେ ଆଇନର ଜାଲକୁ ଏମିତି ଫାନ୍ଦି ଦିଆଯାଏ ଯେ, ସେଥିରେ ସାଧାରଣ ଜନତା ବାପୁଡ଼ା ଛଟପଟ ହୁଏ ସିନା ମୁକୁଳି ପାରେ ନାହିଁ। ଏହା ହେଉଛି ତଥାକଥିତ ‘ଆଇନର ଶାସନ’ର ମୁଖା ତଳେ ଲୁଚି ରହିଥିବା ଆଇନର ଦୋମୁହାଁ ଚେହେରା। ସଦ୍ୟ ଏହାର ଏକ ଝଲକ ଦେଖିବାକୁ ମିଳିଛି ରାଜ୍ୟର କ୍ଷମତା କେନ୍ଦ୍ର-ସଚିବାଳୟ ଓ ବିଧାନ ସୌଧ ନିକଟବର୍ତ୍ତୀ ରାଜଧାନୀର ଏଜି ଛକରେ ଶହ ଶହ ଲୋକଙ୍କ ଆଗରେ ଅପ୍ରୀତିକର ଦୃଶ୍ୟ ସୃଷ୍ଟି କରିଥିବା ଏକ ଘଟଣାରେ।

ଟ୍ରାଫିକ୍‌ ନିୟମ ଦୃଷ୍ଟିରୁ ‘ଜିରୋ-ଟଲରେନ୍ସ ଅଞ୍ଚଳ’ର ଫଳକ ଲାଗିଥିବା ଛକରେ ଜଣେ ଉଚ୍ଚ ପଦସ୍ଥ ପୁଲିସ୍‌ ଅଧିକାରୀଙ୍କ ସନ୍ତାନ ଖୋଲାଖୋଲି ଟ୍ରାଫିକ ଆଇନର ଉଲ୍ଲଂଘନ କଲେ। ଆଇନର ସୁରକ୍ଷା ଦାୟିତ୍ୱରେ ଥିବା କର୍ତ୍ତବ୍ୟରତ ପୁଲିସ୍‌ କର୍ମଚାରୀଙ୍କ କର୍ତ୍ତବ୍ୟରେ ବାଧା ଦେଲେ। ଦୁର୍ବ୍ୟବହାର ପ୍ରଦର୍ଶନ କରି ଧମକ ମଧ୍ୟ ଦେଲେ। ଅଥଚ, ଏପରି ଅପରାଧରେ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା କଥା, କରାଗଲା ନାହିଁ। ଯଦିଓ, ସମାନ କିମ୍ବା ତା’ଠାରୁ ଆହୁରି ହାଲୁକା ଅପରାଧରେ ଅଭିଯୁକ୍ତଙ୍କ ବିରୋଧରେ ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ହିଁ ଦଣ୍ଡବିଧାନ କରାଯାଉଛି। କେବଳ ସେତିକି ନୁହେଁ ଆଇନର ଅନୁପାଳନ ଲାଗି ସାଧ୍ୟମତେ ଉଦ୍ୟମ କରୁଥିବା ପୁଲିସ୍‌ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ କାର୍ଯ୍ୟାନୁଷ୍ଠାନର ଧମକ ଦିଆଗଲା। କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ସତ, ବଡ଼ବଡ଼ିଆଙ୍କ ବିରୋଧରେ ଏ ଆସ୍ପର୍ଦ୍ଧା ପାଇଁ ସେ ‘ଉପରୁ’ ଆକ୍ରୋଶ ଶିକାର ହେବା ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ। ନିଃସନ୍ଦେହ ଉଚ୍ଚ ପୁଲିସ୍‌ ଅଧିକାରୀଙ୍କ ପଦର ପ୍ରଭାବରେ ଆଇନ ବାଟ ହୁଡ଼ିଗଲା। ଜନମତର ଚାପରେ ବିଳମ୍ବରେ ଏକ ନାମମାତ୍ର ଭେଜାଲ ମାମଲା ରୁଜୁ ହୋଇଛି। ପୁଣି ଏହା ଉପରେ ତଦନ୍ତର ଭବିଷ୍ୟତ ସନ୍ଦିଗ୍ଧ। ଏହାର ଏକମାତ୍ର କାରଣ ଆଇନ ଖିଲାପି ଅଭିଯୁକ୍ତ ବଡ଼ବଡ଼ିଆ ଏବଂ ଆଇନକୁ ଜଗିବା ଲାଗି ଉଦ୍ୟମ କରିଥିବା ପୁଲିସ୍‌ ଜଣେ ତଳିଆ କର୍ମଚାରୀ। ଏହା କ’ଣ ଆଇନର ଶାସନର ଅସଲ ଚିତ୍ର ଓ ଚରିତ୍ର? ଏଜି ଛକ ପ୍ରକରଣରେ ଅଭିଯୁକ୍ତଙ୍କ ପିତା ସଂପୃକ୍ତ ଉଚ୍ଚପଦସ୍ଥ ପୁଲିସ୍‌ ଅଧିକାରୀ ଜଣେ ସ୍ନେହଶୀଳ ପିତାର କର୍ତ୍ତବ୍ୟ ନିଶ୍ଚୟ ପାଳନ କଲେ। କିନ୍ତୁ ଆଇନର ରକ୍ଷକ ଭାବେ ଜଣେ ଉଚ୍ଚ ଅଧିକାରୀର କର୍ତ୍ତବ୍ୟ ନିର୍ବାହରେ ନିଅଣ୍ଟିଆ ପଡ଼ିଗଲେ, ଯାହା ‘ଆଇନର ଶାସନ’ର ଅନୁକୂଳ ନଥିଲା। ଅନେକ ସମୟରେ ବ୍ୟକ୍ତିଗତ ସ୍ୱାର୍ଥ ଓ ପଦର ଅହଙ୍କାର ଆଇନର ବାଟ ଓଗାଳେ। ଏଠାରେ ତାର ପୁନରାବୃତ୍ତି ଘଟିଛି।

ଗୁରୁବାର ରାଜଧାନୀ ଏଜି ଛକରେ ଅପ୍ରୀତିକର ଦୃଶ୍ୟ ସୃଷ୍ଟି କରିଥିବା ଉପରୋକ୍ତ ଘଟଣାକ୍ରମ ଉପରେ ଏହି ସ୍ତମ୍ଭରେ ଆଲୋଚନା ଓ ଏ ପ୍ରକାର ଟିପ୍ପଣୀକୁ କେହି କେହି ‘ଏକ ମାମୁଲି ଘଟଣା ଉପରେ ଅତିରଞ୍ଜିତ ପ୍ରତିକ୍ରିୟା’ ବୋଲି ଭ୍ରୂକୁଞ୍ଚନ କରିପାରନ୍ତି। କିନ୍ତୁ ଜଣେ ତୁଙ୍ଗ ପୁଲିସ୍‌ ଅଧିକାରୀଙ୍କ ସନ୍ତାନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଦୃଷ୍ଟିରୁ ସଂପ୍ରତି ଚର୍ଚ୍ଚାରେ ଥିବା ଏକ ପ୍ରକରଣରେ ପୁଲିସ୍‌ର ଯେଉଁ ଚରିତ୍ର ଏବଂ ଆଇନ ଅନୁପାଳନରେ ଯେଉଁ ଅସ୍ୱସ୍ତିକର ଧାରା ସାମ୍‌ନାକୁ ଆସିଛି, ତାହା ନିଶ୍ଚୟ ଅନାସକ୍ତ ଆଲୋଚନା ଓ କଠୋର ଟିପ୍ପଣୀର ଅପେକ୍ଷା ରଖୁଛି। ଏହା ପୁଲିସ୍‌ର ଭାବମୂର୍ତ୍ତି ଏବଂ ଖାକି ବାହିନୀର କର୍ତ୍ତବ୍ୟ ନିଷ୍ଠା, ନିରପେକ୍ଷତା ପ୍ରସଙ୍ଗରେ ଏକ ଭୁଲ୍‌ ସଂକେତ ଦେଉଛି।

ଆଇନର ଶାସନ ପ୍ରତି ଆଖି ଠାର ମାରିଥିବା ଏଜି ଛକର ଘଟଣା ଏକ ବ୍ୟତିକ୍ରମ ନୁହେଁ। ନିୟମିତ ବ୍ୟବଧାନରେ ରାଜ୍ୟରେ ଏମିତି ଅନେକ ଘଟଣା ଶିରୋନାମାକୁ ଆସୁଛି, ଯେଉଁଠି ବଡ଼ବଡ଼ିଆ- ସେ ନେତା ହୁଅନ୍ତୁ କି ବଡ଼ ସରକାରୀ ବାବୁ କିମ୍ବା ଉଚ୍ଚ ପୁଲିସ୍‌ ଅଧିକାରୀ ଯଦି ଖିଲାପି ହୁଅନ୍ତି, ତେବେ ଆଇନ ବାଟ ଭାଙ୍ଗି କୋହଳ ହୋଇଯାଏ। ବିମୁଦ୍ରାୟନ ସମୟରେ ଜଣେ ଉଚ୍ଚ ପୁଲିସ୍‌ ଅଧିକାରୀଙ୍କ ସହଧର୍ମିଣୀ ଅଚଳ ପୁରୁଣା ନୋଟ୍‌ ବଦଳରେ ବିପୁଳ ସୁନା କିଣି ଧରାପଡ଼ିଲେ। ଅଥଚ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ମାଫ୍‌ ନ୍ୟାୟରେ କୌଣସି କାର୍ଯ୍ୟାନୁଷ୍ଠାନ କରା ନ ଯାଇ ମାମଲା ରଫାଦଫା କରି ଦିଆଗଲା। ଜଣେ ସାଧାରଣ ଲୋକ ଯଦି ଏହି ପ୍ରକାର ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥାନ୍ତେ, ତେବେ କ’ଣ ମାମଲା ରଫାଦଫା ହୋଇ ଥାନ୍ତା? ଟ୍ରାଫିକ୍‌ ନିୟମଠାରୁ ଆରମ୍ଭ କରି ମଟର ଯାନ ଆଇନ ପର୍ଯ୍ୟନ୍ତ ଉଲ୍ଲଂଘନକାରୀ ଯଦି ବଡ଼ବଡ଼ିଆ ହୁଅନ୍ତି, ତେବେ ଆଇନର ବାଟ ଗୋଟିଏ ପ୍ରକାର ଓ ସାଧାରଣ ଲୋକ ଯଦି ଖିଲାପି, ତେବେ ଆଇନର ବାଟ ଆଉ ଏକ ପ୍ରକାର। କେରଳର ମାନ୍ୟବର ରାଜ୍ୟପାଳ ସଦାଶିବମ୍‌ଙ୍କ ଭଳି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ତଣ୍ଡ ଗଣିଥିବା ବଡ଼ବଡ଼ିଆଙ୍କ ସଂଖ୍ୟା ଅତି କମ୍‌। ଜମି ଜବରଦଖଲ, ଋଣ ପରିଶୋଧରେ ଖିଲାପ ମାମଲାରେ ମଧ୍ୟ ସମାନ ଚିତ୍ର। ବଡ଼ବଡ଼ିଆ ପ୍ରଭାବଶାଳୀ ଜବରଦଖଲକାରୀଙ୍କ ବେଳକୁ ଆଇନ ସମ୍ପୂର୍ଣ୍ଣ ଅଦୃଶ୍ୟ କିମ୍ବା କୋହଳ। ଅନ୍ୟପକ୍ଷରେ ସାଧାରଣ ଜବରଦଖଲକାରୀଙ୍କ ବେଳକୁ ଆଇନ ଅତ୍ୟନ୍ତ କଠୋର ଓ ଜୁଲୁମ ପ୍ରବଣ। ବିଜୟ ମାଲ୍ୟା, ନିରବ ମୋଦୀଙ୍କ ଭଳି ବଡ଼ ଋଣ ଖିଲାପି ଆଇନକୁ ଫାଙ୍କି ଏବେ ବିଲାତରେ, ଅଥଚ ଅଳ୍ପ କିଛି ହଜାର ଟଙ୍କା ପରିଶୋଧ କରି ପାରି ନଥିବା ଚାଷୀର ଜମି ଓ ଘର କୋରଖ ହେଉଛି। ଆଇନର କାର୍ଯ୍ୟକାରିତାର ଏ ଦୋମୁହାଁ ନୀତି ଯୋଗୁଁ ଆଇନ ବ୍ୟବସ୍ଥା ତଥା ଆଇନର କାର୍ଯ୍ୟକାରିତା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ବିଶ୍ୱସନୀୟତା ଓ ନିରପେକ୍ଷତା ସନ୍ଦିଗ୍ଧ ହୋଇ ପଡୁଛି। ଏହା ଆଇନର ଶାସନର ପରିପନ୍ଥୀ ଏବଂ ଆଇନର ଖିଲାପକୁ ପ୍ରୋତ୍ସାହନ।

ସାଧାରଣ ଜନତାଙ୍କ ଅପେକ୍ଷା ବଡ଼ବଡ଼ିଆ, ପ୍ରଭାବଶାଳୀଙ୍କଠାରୁ ଆଇନ ପ୍ରତି ଅଧିକ ଆସ୍ଥା ଓ ସମ୍ମାନ ଆଶା କରାଯାଏ। ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା କଥା। ତେବେ ବିଡ଼ମ୍ବନା ହେଲା- ସାଧାରଣ ଜନତାଙ୍କ ଆଇନ ପ୍ରତି ଉଭୟ ଭୟ ଓ ସମ୍ମାନ ଥିବା ବେଳେ ବଡ଼ବଡ଼ିଆଙ୍କ ଆଇନ ପ୍ରତି ନା ଅଛି ସମ୍ମାନ ନା ଅଛି ଭୟ। ଅବଶ୍ୟ, ଏ ପ୍ରସଙ୍ଗରେ ସ୍ୱର୍ଗତ ଫିଲ୍ମ ତାରକା ସୁନୀଲ ଦତ୍ତଙ୍କ ଭଳି କିଛି ବ୍ୟତିକ୍ରମ ଏବଂ ଅନ୍ୟ ପାଇଁ ଉଦାହରଣ ଅଛନ୍ତି। ବେଆଇନ ଭାବେ ଏ.କେ. ୪୭ ବନ୍ଧୁକ ରଖିଥିବା ଅଭିଯୋଗରେ ପୁତ୍ର ସଞ୍ଜୟ ଦତ୍ତ ଅଭିଯୁକ୍ତ ଥିଲେ। ପିତା ସୁନୀଲ ବିଦେଶରେ ଥିବା ପୁତ୍ର ସଂଜୟଙ୍କୁ ଆତ୍ମସମର୍ପଣ କରି ଆଇନର ସମ୍ମୁଖୀନ ହେବାକୁ ପରାମର୍ଶ ଦେଲେ। ପୁତ୍ରର ଖଲାସ ପାଇଁ ସୁନୀଲ ଦତ୍ତ ମନ୍ଦିର, ମସ୍‌୍‌୍‌ଜିଦ୍‌, ଦରଘା ବୁଲି ବୁଲି ପ୍ରାର୍ଥନା କରିଥିଲେ ସିନା, ଆଇନ ଓ ନ୍ୟାୟ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ଉଦ୍ୟମ କରିନଥିଲେ। ଆମ ଦେଶର ବଡ଼ବଡ଼ିଆ ମାନେ ସୁନୀଲଙ୍କ ଆଦର୍ଶକୁ ଗ୍ରହଣ କରିବା ଉଚିତ। ସାଧାରଣ ଲୋକଙ୍କ ଭଳି ବଡ଼ବଡ଼ିଆ ମଧ୍ୟ ଆଇନ ପ୍ରତି ଆସ୍ଥା ଓ ସମ୍ମାନ ରଖିଲେ ସ୍ୱତଃ ଆଇନ ତା’ ବାଟରେ ଯାଇ ପାରିବ। ଖାଲି ମୁହଁରେ କହିଦେଲେ ଆଇନର ଦୋମୁହାଁ ଚରିତ୍ର ବଦଳିବ ନାହିଁ କି ଆଇନର ଶାସନ ବାସ୍ତବତାରେ ରୂପାୟିତ ହେବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.