ମୁଣ୍ଡିବିହୀନ ମେଣ୍ଟ

ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିରୋଧୀ ମେଣ୍ଟ ପକ୍ଷରୁ କାହାରିକୁ ବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯିବ ନାହିଁ। ବିଜେପି-ଆର୍‌ଏସ୍‌ଏସ୍‌ ଯୋଡ଼ିକୁ ଗାଦିଚ୍ୟୁତ କରିବା ଲାଗି ପଣ କରିଥିବା ବିରୋଧୀ ଦଳଙ୍କ ମଧ୍ୟରେ ଏ ନେଇ ସହମତି ହୋଇଛି। ରୂପରେଖ ତଥାପି ଚୂଡ଼ାନ୍ତ ହୋଇ ନଥିବା ବିଜେପି-ବିରୋଧୀ ମେଳିର ପ୍ରମୁଖ ଦଳ କଂଗ୍ରେସ ପକ୍ଷରୁ ଏହା ଘୋଷଣା କରାଯାଇଛି। ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ ଦୁଇ ଦିନ ତଳେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଯାହା କହିଥିଲେ, କଂଗ୍ରେସ ବୟାନରେ ତାହାକୁ ଅବିକଳ ଦୋହରାଯାଇଛି। ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କିଏ ହେବେ, ସେ ବିଷୟ ଆଲୋଚନା କରି ସହମତିରେ ନିଷ୍ପତ୍ତି ନିଆଯିବ। ଏବେ ପ୍ରଥମ ଲକ୍ଷ୍ୟ ‘ବିଜେପି ହଟାଅ’।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିକଳ୍ପ ଭାବେ ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ କରି ନପାରିବା ନିଶ୍ଚୟ ବିରୋଧୀ ପକ୍ଷର ଦୁର୍ବଳତା; ଯାହା ମେଣ୍ଟର ଏକତା ଓ ସ୍ଥିରତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏ ବିଫଳତାକୁ ଘୋଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ କରା ନ ଯିବାକୁ ଏକ ରଣକୌଶଳ ଭାବେ ଉପସ୍ଥାପନ କରାଯାଉଛି। ତେବେ, ‘ରଣକୌଶଳ’ର ବାହାନା ଦୁର୍ବଳତା ଉପରେ ପରଦା ପକାଇବା ଲାଗି ଯଥେଷ୍ଟ ମନେ ହେଉନାହିଁ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ପାଇଁ ବିରୋଧୀ ଶିବିରରେ ସହମତିର ଅଭାବ ଏହାର ଅଶୁଭ ସଂକେତ ଯେ ନେତୃତ୍ୱ ନେଇ କନ୍ଦଳ ଆଗାମୀ ଦିନରେ ମଧ୍ୟ ବିରୋଧୀ ଏକତାକୁ ଆକ୍ରାନ୍ତ କରିବା ଆଶଙ୍କାକୁ ଏଡ଼ାଯାଇ ନପାରେ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ନେଇ ସହମତି ହୋଇ ନ ପାରିବାର ମୁଖ୍ୟ କାରଣ ନେତୃତ୍ୱ ପାଇଁ ଆଶାୟୀଙ୍କ ମଧ୍ୟରେ ଉଚ୍ଚାକାଂକ୍ଷା ଓ ବ୍ୟକ୍ତିଗତ ଅହଙ୍କାରର ଲଢ଼େଇ। କାରଣ ଯାହା ବି ହେଉ, ମେଣ୍ଟର ପ୍ରମୁଖ ଦଳ କଂଗ୍ରେସ ପାଇଁ ଏହା ଏକ ବଡ଼ ବିଫଳତା। ଏହାର ଅର୍ଥ କଂଗ୍ରେସ ଦଳ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ମୁହଁ ଭାବେ ସହଯୋଗୀଙ୍କ ଦ୍ୱାରା ଗ୍ରହଣୀୟ କରାଇ ପାରିନାହିଁ। ମୋଦୀଙ୍କ ବିକଳ୍ପ ଭାବେ ରାହୁଲଙ୍କୁ ସ୍ୱୀକାର କରିବାକୁ ସହଯୋଗୀ କୁଣ୍ଠିତ। ଅନ୍ୟପକ୍ଷରେ, ଅନ୍ୟ ଅଣ-କଂଗ୍ରେସ ଦଳର ନେତ୍ରୀ, ବିଏସ୍‌ପିର ଦଳିତ ରାଣୀ ମାୟାବତୀ କିମ୍ବା ତୃଣମୂଳ ସୁପ୍ରିମୋ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ଦିଦିଙ୍କୁ ନେତା ଭାବେ ଗ୍ରହଣ ଲାଗି କଂଗ୍ରେସ ଅମଙ୍ଗ। ଫଳରେ ଶାସକ ପକ୍ଷର ବିକଳ୍ପ ହେବାର ପ୍ରତିଶ୍ରୁତି ଦେଉଥିବା ମେଣ୍ଟର ନେତୃତ୍ୱ ପ୍ରଶ୍ନ ଅସମାହିତ ରହିଯାଉଛି, ଯାହା ଦୃଢ଼ ନେତୃତ୍ୱାଧୀନ ଶାସକ ମେଣ୍ଟର ମୁକାବିଲା ଲାଗି ଏକ ଭଲ ଲକ୍ଷଣ ନୁହେଁ। ଏହା ସତ୍ତ୍ୱେ ଯଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ କରାନଯିବା ଏକ ରଣକୌଶଳ ବୋଲି ଧରି ନିଆଯାଏ, ତେବେ ଏହା ଏକ ବାଧ୍ୟବାଧକତା। କାରଣ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ନେଇ ବିଭିନ୍ନ ଦଳର ନେତାଙ୍କ ଉଚ୍ଚାକାଂକ୍ଷାର ଲଢ଼େଇକୁ ଏଡ଼ାଇବା ଲାଗି ଏହା ବ୍ୟତୀତ ଅନ୍ୟ ଚାରା ନଥିଲା। ସେ ଦୃଷ୍ଟିରୁ ବିରୋଧୀ ଏକତା ରାସ୍ତାରେ ଗୋଟିଏ ବଡ଼ କଣ୍ଟାକୁ ହଟାଯାଇ ପାରିଛି ବୋଲି କୁହାଯାଇପାରେ। ଏବେ ବି ପୂରା ଦାନା ବାନ୍ଧି ନଥିବା ଅନିଶ୍ଚିତ ତରଳ ମେଣ୍ଟରେ ଏକତାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ନେଇ ବିବାଦ ଆଗାମୀ ଦିନରେ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ରହିଛି। କିନ୍ତୁ ବିରୋଧୀଙ୍କ ସାମ୍ନାରେ ଏହା ଏକ ବାସ୍ତବତା ଯେ ଏକତା ବିନା ମୂଳ ଉଦ୍ଦେଶ୍ୟ- ‘ବିଜେପି- ଆର୍‌ଏସ୍‌ଏସ୍‌- ହଟାଅ’ ଅଭିଯାନ ସଫଳ ହେବା ଆଶା କ୍ଷୀଣ। ଫଳରେ ମୂୂଳ ଲକ୍ଷ୍ୟକୁ ପ୍ରାଥମିକତା ଦେଇ ବିଭାଜନକାରୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ଏଡ଼ାଇ ଯିବା ବିରୋଧୀ ଦଳମାନେ ପସନ୍ଦ କରିଛନ୍ତି।

ଅବଶ୍ୟ, ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ବି ଉପସ୍ଥାପନ କରାନଯିବା ପ୍ରସ୍ତାବକୁ କଂଗ୍ରେସ ଗ୍ରହଣ କରିନେବାର ଅର୍ଥ ଏହା ନୁହେଁ ଯେ ସର୍ବପୁରାତନ ଦଳ ଦେଶର ସର୍ବୋଚ୍ଚ ରାଜନୈତିକ ପଦ ପାଇଁ ତା’ର ଦାବି ସହ ସାଲିସ କରିନେଇଛି। କିଏ ପ୍ରଧାନମନ୍ତ୍ରୀ ହେବେ, ତାହା ନିର୍ଭର କରୁଛି ବିରୋଧୀ ମେଣ୍ଟର ସହଯୋଗୀ ଦଳଙ୍କ ସଂଖ୍ୟା ଉପରେ। ନିର୍ବାଚନରେ ଯେଉଁ ଅଂଶୀଦାର ଦଳର ସାଂସଦ ସଂଖ୍ୟା ସର୍ବାଧିକ ରହିବ, ନେତୃତ୍ୱ ପାଇଁ ତା’ର ଦାବି ଅଧିକ ଦମ୍‌ଦାର ରହିବ। କଂଗ୍ରେସ ଆଶାବାଦୀ ଯେ, ମେଣ୍ଟର ଅନ୍ୟ ଅଂଶୀଦାର ଦଳଙ୍କ ଅପେକ୍ଷା ଦଳ ଲୋକସଭାରେ ଅଧିକ ଆସନ ପାଇବ। ଗତ ୨୦୧୪ ନିର୍ବାଚନରେ ଲୋକସଭାରେ ଦଳର ସାଂସଦ ସଂଖ୍ୟା ୪୪କୁ ଖସି ଆସିଥିଲା। ବିଗତ ଦୁଇ ବର୍ଷରେ ବିଭିନ୍ନ ଲୋକସଭା ଉପ-ନିର୍ବାଚନରେ ଦଳର ପ୍ରଦର୍ଶନକୁ ଯଦି ବିଚାରକୁ ନିଆଯାଏ, ତେବେ ଚଉଦ ତୁଳନାରେ ଊଣେଇଶରେ ଆସନ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ ବୋଲି କଂଗ୍ରେସର ଆଶାକୁ ଅମୂଳକ କୁହାଯାଇ ପାରିବ ନାହିଁ। ସଂଖ୍ୟାରେ ସର୍ବବୃହତ୍‌ ଦଳ ଭାବେ ପ୍ରମାଣ ଦେଲେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ସ୍ୱାଭାବିକ ଦାବିଦାର୍‌ ହେବାର ଯୋଗ୍ୟତା ହାସଲ କରିବ। ଅବଶ୍ୟ, ଅବସ୍ଥା ଚକ୍ରରେ ଖାସ୍‌ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କର୍ଣ୍ଣାଟକ ଭଳି ସ୍ଥିତିରେ କଂଗ୍ରେସ ଅନ୍ୟ କୌଣସି ଛୋଟ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସ୍ୱୀକାର କରିନେବା ସମ୍ଭାବନାକୁ ଏଡ଼ାଯାଇ ନପାରେ। ଯଥେଷ୍ଟ ସଂଖ୍ୟା ବିନା ମେଣ୍ଟ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଗ୍ରହଣୀୟତା ନେଇ ଘୋର ସନ୍ଦେହ ରହିଛି। ଯଦି, କିନ୍ତୁରେ ଖୁନ୍ଦି ହୋଇଥିବା ନେତୃତ୍ୱ ପ୍ରଶ୍ନର ଉତ୍ତର ନିର୍ବାଚନରେ ମେଣ୍ଟର ପ୍ରଦର୍ଶନ ପରେ ଯାଇ ମିଳିବ।

କୌଣସି ସର୍ବସମ୍ମତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବିନା ଊଣେଇଶ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇବା ବିରୋଧୀ ମେଣ୍ଟ ପାଇଁ ନିଶ୍ଚୟ ଏକ ସୁବିଧାଜନକ ସ୍ଥିତି ନୁହେଁ। ତେବେ, ପ୍ରତିପକ୍ଷର ଏ ଅସୁବିଧାରୁ ଶାସକ ଏନ୍‌ଡିଏକୁ ଯେ ବହୁତ ଫାଇଦା ମିଳିଯିବ, ଏ ଆଶା ମଧ୍ୟ କରାଯାଇ ନପାରେ। ଭାରତୀୟ ନିର୍ବାଚନର ଇତିହାସ ଏହାର ସାକ୍ଷୀ ଯେ, ଜନାଦେଶ ହାସଲ ଲାଗି ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ଚେହେରାକୁ ଉପସ୍ଥାପନ କରାଯିବା ନିହାତି ଆବଶ୍ୟକ ନୁହେଁ। ୧୯୭୭ରେ କଂଗ୍ରେସକୁ ଗାଦିଚ୍ୟୁତ କରି ପ୍ରଥମଥର ପାଇଁ କ୍ଷମତାକୁ ଆସିଥିବା ବିରୋଧୀ ମେଣ୍ଟର କେହି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନଥିଲେ। ସଂଖ୍ୟାଗରିଷ୍ଠତା ସହ ବିଜୟ ପରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ଅବଶ୍ୟ, କଂଗ୍ରେସ ବିରୋଧରେ ଅଣ-କଂଗ୍ରେସ ଦଳଙ୍କୁ ବାନ୍ଧି ରଖି ବିରୋଧୀ ଏକତାର ପ୍ରଧାନ ସ୍ଥପତି ତଥା କେନ୍ଦ୍ରରେ ପ୍ରଥମ ଅଣ-କଂଗ୍ରେସ ସରକାର ଗଠନର ମୁଖ୍ୟ ସୂତ୍ରଧର ଥିଲେ ଲୋକନାୟକ ଜୟପ୍ରକାଶ ନାରାୟଣ। ପ୍ରଧାନମନ୍ତ୍ରୀ ପଦ ତ ଦୂରର କଥା, କୌଣସି ପଦ ପାଇଁ ଲୋକନାୟକଙ୍କ ନା ଥିଲା ଆକାଂକ୍ଷା ନା ଥିଲା ତିଳେମାତ୍ର ଅଭିଳାଷ। ୧୯୭୭ ଜନତାଦଳ ପରୀକ୍ଷା ସହ ତୁଳନା ନକରି ବରଂ ଆଗାମୀ ଊଣେଇଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ବନାମ ନେତାଶୂନ୍ୟ ବିରୋଧୀ ମେଣ୍ଟ ମୁକାବିଲାକୁ ୨୦୦୪ର ଲଢ଼େଇ ସହ ତୁଳନା କରିବା ଅଧିକ ସମୀଚୀନ ହେବ। ୨୦୦୪ରେ ଏନ୍‌ଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ଯଦିଓ ଏନ୍‌ଡିଏ ଅଭିଯାନର ମଙ୍ଗ ଥିଲା ଆଡ଼ଭାନୀଙ୍କ ହାତରେ। ଅନ୍ୟପକ୍ଷରେ ବିରୋଧୀ ପକ୍ଷର କେହି ପ୍ରଧାନମନ୍ତ୍ରୀ ମୁହଁ ନଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷା ‘ବିଦେଶିନୀ’ ସୋନିଆଙ୍କ ଗ୍ରହଣୀୟତା ନେଇ ଖାଲି ଅନ୍ୟ ସମଭାବାପନ୍ନ ଦଳ ନୁହେଁ, ନିଜ ଦଳରେ ମଧ୍ୟ ଦ୍ୱିଧା ଥିଲା। ଏପରିକି ବିରୋଧୀଙ୍କ ଗୋଟିଏ ମେଣ୍ଟ ବି ନଥିଲା। କିନ୍ତୁ ଏନ୍‌ଡିଏ ପରାଜିତ ହେଲା। ୧୪୫ ସଂଖ୍ୟା ବିଶିଷ୍ଟ କଂଗ୍ରେସ ନେତୃତ୍ୱରେ ଅନ୍ୟ ସମଭାବାପନ୍ନ ଦଳମାନଙ୍କ ୨୧୮ ସାଂସଦଙ୍କୁ ନେଇ ଗଠିତ ୟୁପିଏ ମେଣ୍ଟ ସରକାର କଲା। ବାମପନ୍ଥୀ ଓ ଅନ୍ୟ ପାଞ୍ଚଟି ଦଳର ବାହାରୁ ସମର୍ଥନ ସହ ମୋଟ ୩୩୫ ସାଂସଦ ସରକାରଙ୍କ ସପକ୍ଷରେ ରହିଲେ। ତେଣୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପସ୍ଥାପନରେ ବିଫଳତା ଏକ ଧକ୍କା ହେଲେ ସୁଦ୍ଧା ଲକ୍ଷ୍ୟ ହାସଲ ଦିଗରେ ବିରୋଧୀଙ୍କ ପାଇଁ ଏକ ବଡ଼ ବାଧକ ହୋଇନପାରେ। ଜଣେ ସର୍ବସମ୍ମତ ବିକଳ୍ପ ନେତା ବାଛି ପାରି ନଥିଲେ ବି ବିରୋଧୀଙ୍କୁ ଏକ ବିକଳ୍ପ ସର୍ବସମ୍ମତ ସର୍ବନିମ୍ନ ରାଜନୈତିକ- ସାମାଜିକ କାର୍ଯ୍ୟକ୍ରମ ନେଇ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ଅନ୍ୟଥା ପରିବର୍ତ୍ତନ ପାଇଁ ବିରୋଧୀଙ୍କ ମେଣ୍ଟ ବିକଳ୍ପ ବୋଲି ଦେଶବାସୀ ବିଶ୍ୱାସ କରିବେ କେମିତି?

ସମ୍ବନ୍ଧିତ ଖବର