ଜତୁଗୃହ

0 126

ଓଡ଼ିଆରେ ଏକ ଢଗ ଅଛି: ‘‘ଯିଏ ନିଆଁ ଖାଇଥିବ, ସିଏ ଅଙ୍ଗାର ହଗିବ।’’ ଏ ଢଗର ଠିକ୍‌ ବିପରୀତ ମଧ୍ୟ ଯେ ଠିକ୍‌ ହୋଇପାରେ ଶିଳ୍ପୋନ୍ନତ ପାଶ୍ଚାତ୍ୟ ଦେଶମାନେ ତାହା ବର୍ତ୍ତମାନ ଆବିଷ୍କାର କରୁଛନ୍ତି। ଚଳିତ ଗ୍ରୀଷ୍ମ ଋତୁରେ ଆମେରିକାର ସିଆଟେଲ୍‌ ଠାରୁ ରୁଷିଆର ସାଇବେରିଆ ପର୍ଯ୍ୟନ୍ତ ଜଙ୍ଗଲମାନଙ୍କରେ ଏପରି ଭୟାନକ ଅଗ୍ନିକାଣ୍ଡମାନ ଘଟିଛି ଯାହା ସେ ସମସ୍ତ ଅଞ୍ଚଳକୁ ବସ୍ତୁତଃ ଗୋଟିଏ ଗୋଟିଏ ଜତୁଗୃହରେ ପରିଣତ କରି ଦେଇଛି। କାଲିଫର୍ଣ୍ଣିଆରେ ମାଡ଼ି ଚାଲିଥିବା ୧୮ଟି ଦାବାଗ୍ନି ମଧ୍ୟରୁ ଗୋଟିକରୁ ଏତେ ଭୀଷଣ ଉତ୍ତାପ ସୃଷ୍ଟି ହୋଇଛି ଯେ ତାହା ସେ ଅଞ୍ଚଳରେ ଏକ ନୂତନ ପାଣିପାଗ ସୃଷ୍ଟି କରି ପକାଇଛି। କାଲିଫର୍ଣ୍ଣିଆର ଇତିହାସରେ ଏପରି କେବେ ଦେଖା ଯାଇ ନଥିଲା। ସପ୍ତାହକ ତଳେ ଗ୍ରୀସ୍‌ର ଏଥେନ୍‌ସ ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପିଥିବା ନିଆଁ ୯୧ ଜଣଙ୍କର ପ୍ରାଣ ନାଶ କରିଛି। ଇଉରୋପରେ ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରୀ ସେଲ୍‌ସିଅସ୍‌ ଛୁଇଁ ଅନଭ୍ୟସ୍ତ ବାସିନ୍ଦାମାନଙ୍କ ପାଇଁ କୁମ୍ଭାର ଉହାରେ ବାସ କରିବା ଭଳି ପରିବେଶ ସୃଷ୍ଟି କରିଥିବା ବେଳେ ପ୍ରାଚ୍ୟର ଗ୍ରେଟ୍‌ ବ୍ରିଟେନ୍‌ ରୂପେ ପରିଚିତ ଥଣ୍ଡା ଦେଶ ଜାପାନରେ ତାପ ପ୍ରବାହ ସହି ନପାରି ପ୍ରାୟ ୧୨୫ ଜଣ ପ୍ରାଣ ହରାଇ ସାରିଲେଣି। ପ୍ରଥମଥର ପାଇଁ ଟୋକିଓରେ ପାରଦ ୪୦ ଡିଗ୍ରୀ ସେଲ୍‌ସିଅସ୍‌ ଅତିକ୍ରମ କରିଛି। ଯେଉଁ ସବୁ ଦେଶମାନଙ୍କରେ ବର୍ତ୍ତମାନ ଏପରି ଅଗ୍ନିକାଣ୍ଡ ମାନ ଓ ତାପ ପ୍ରବାହ ଦେଖାଯାଉଛି, ସେ ସବୁ ଦେଶ କ’ଣ ଖାଇ ଧନୀ ହୋଇଥିଲେ ବୋଲି ଯଦି ପଚରା ଯାଏ, ତେବେ ଏକ ନିଶ୍ଚିତ ଉତ୍ତର ହେବ: ଅଙ୍ଗାର ଖାଇ। ଊନବିଂଶ ଶତାବ୍ଦୀର ପ୍ରଥମ ଦଶକରେ ବ୍ରିଟେନ୍‌ରେ ଆରମ୍ଭ ହୋଇ ପରେ ସାରା ପାଶ୍ଚାତ୍ୟ ଜଗତ୍‌ରେ ପ୍ରସାର ଲାଭ କରି ଯେଉଁ ଶିଳ୍ପ ବିପ୍ଳବ ସେମାନଙ୍କୁ ସମୃଦ୍ଧ କରିଛି, ଏ ପର୍ଯ୍ୟନ୍ତ ତାହାର ପ୍ରଧାନ ଖାଦ୍ୟ ବା ଇନ୍ଧନ ହୋଇ ଆସିଛି ଅଙ୍ଗାରର ରୂପାନ୍ତରିତ ଅବତାର କୋଇଲା ଓ ପେଟ୍ରୋଲିଅମ୍‌। ଏହି ଇନ୍ଧନ ସାହାଯ୍ୟରେ ଚାଲୁଥିବା କଳକାରଖାନା, ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଗାଡ଼ିମଟରରୁ ବାହାରୁ ଥିବା ଧୂଆଁରେ ଭରି ହୋଇ ରହିଥିବା ଅଙ୍ଗାରକାମ୍ଳ ବାଷ୍ପ ଆଦି ବିଗତ ଦୁଇ ଶହ ବର୍ଷରୁ ଅଧିକ କାଳ ଧରି ପୃଥିବୀର ବାୟୁମଣ୍ଡଳର ତାପମାତ୍ରାରେ ଯେଉଁ ବୃଦ୍ଧି ଘଟାଇଛନ୍ତି ତାହା ବର୍ତ୍ତମାନ ବିଶ୍ୱ ତାପନ ବା ‘ଗ୍ଲୋବାଲ୍‌ ଓ୍ଵାର୍ମିଂ’ ରୂପେ ସୁବିଦିତ। ଏହା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର କାରଣ ରୂପେ ସାବ୍ୟସ୍ତ ହୋଇ ସାରିଛି। ଉପରବର୍ଣ୍ଣିତ ଅଗ୍ନିକାଣ୍ଡ ଓ ତାପ ପ୍ରବାହ ଏ ବିପର୍ଯ୍ୟୟମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ବିଧିର ଏକ ବିଡ଼ମ୍ବନା ଭଳି କିମ୍ବା ଏକ ଦୈବୀ ଶାସ୍ତି ଭଳି ଏହା ସେହି ସବୁ ଅଞ୍ଚଳରେ ଦେଖାଦେଇଛି ଯେଉଁ ସବୁ ଅଞ୍ଚଳ ଅଙ୍ଗାରଭିତ୍ତିକ ଶିଳ୍ପ ବିପ୍ଳବରେ ଆଦ୍ୟ ଏବଂ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛନ୍ତି।

Panda Mobile only

ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ପୃଥିବୀର ଅବଶିଷ୍ଟ ଅଞ୍ଚଳ ମାନ ବିପଦ ମୁକ୍ତ। ସାରା ପୃଥିବୀର ବାୟୁମଣ୍ଡଳର ତାପମାନରେ ବୃଦ୍ଧି ଘଟିଲେ କୌଣସି ଅଞ୍ଚଳ ଏହାର ପ୍ରଭାବରୁ ବର୍ତ୍ତିଯାଇ ପାରିବ ନାହିଁ- କେଉଁଠି ଅତିବୃଷ୍ଟି ହେବ ତ କେଉଁଠି ଅନାବୃଷ୍ଟି ହେବ, କେଉଁଠି ଘୂର୍ଣ୍ଣିବାତ୍ୟା ହେବ ତ କେଉଁଠି ସମୁଦ୍ର ପତ୍ତନରେ ବୃଦ୍ଧି ଘଟି ଜନବସତି ଜଳମଗ୍ନ ହେବ। ଯେଉଁ ସବୁ ପ୍ରାକୃତିକ ବିପର୍ଯ୍ୟୟ କାଁ ଭାଁ ଘଟୁଥିଲା, ତାହା ସବୁ ନିୟମିତ ଧାରାରେ ପରିଣତ ହୋଇଯିବ। ପୃଥିବୀର ଉତ୍ତାପ ଯେତେ ବୃଦ୍ଧି ପାଇ ଚାଲିବ, ଏ ସମସ୍ତ ବିଭ୍ରାଟ ସେତେ ଅଧିକ ଅଧିକ ଘଟିବ। ଆଉ ପରିଣତି ବିପଜ୍ଜନକ ହେବା ପାଇଁ ତାପମାତ୍ରାରେ ଏହି ବୃଦ୍ଧି ବୃହତ୍‌ ହେବା ଦରକାର ନାହିଁ। ପ୍ରଣିଧାନଯୋଗ୍ୟ, ଶିଳ୍ପ ବିପ୍ଳବର ଆରମ୍ଭ ସମୟ ତୁଳନାରେ ବର୍ତ୍ତମାନ ପୃଥିବୀର ବାୟୁମଣ୍ଡଳର ତାପମାତ୍ରାରେ ବୃଦ୍ଧି ଘଟିଛି ମାତ୍ର ୧ ଡିଗ୍ରୀ ସେଲ୍‌ସିଅସ୍‌। ଏତିକିରେ ଏତେ ବିତ୍ପାତ! ଏକ ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯଦି ପୃଥିବୀର ତାପମାତ୍ରାରେ ଏହି ୧ ଡିଗ୍ରୀ ବୃଦ୍ଧି ଘଟି ନଥାନ୍ତା, ତା’ହେଲେ ଇଉରୋପରେ ଦେଖା ଦେଇଥିବା ଗ୍ରୀଷ୍ମକାଳୀନ ବିପର୍ଯ୍ୟୟର ଭୟାବହତା ଏହାର ଅଧାଠାରୁ ମଧ୍ୟ କମ୍‌ ହୋଇଥାନ୍ତା। ସେଇଥିପାଇଁ ପ୍ରାୟ ତିନିବର୍ଷ ତଳେ ପ୍ୟାରିସ୍‌ଠାରେ ସ୍ୱାକ୍ଷରିତ ଜଳବାୟୁ ଚୁକ୍ତିରେ ଅଂଶଗ୍ରହଣ କରିଥିବା ଦେଶମାନେ ଶପଥ ନେଇଥିଲେ ଯେ ତାପ ମାନ ବୃଦ୍ଧିକୁ ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ତର ତୁଳନାରେ ୨ ଡିଗ୍ରୀ ସେଲ୍‌ସିଅସ୍‌ରୁ ଯଥେଷ୍ଟ କମ୍‌ ମଧ୍ୟରେ ସୀମିତ ରଖିବାକୁ କାର୍ଯ୍ୟ କରିବେ। କିନ୍ତୁ ଘୋର ଚିନ୍ତାର ବିଷୟ, ଏବେ ଉତ୍ତାପବୃଦ୍ଧିକାରୀ ଅଙ୍ଗାରକାମ୍ଳ, ମିଥେନ୍‌ ଭଳି ତଥାକଥିତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ମାନଙ୍କର ନିର୍ଗମନ ସ୍ତରରେ ପୁଣି ବୃଦ୍ଧି ଘଟିବା ଦେଖାଗଲାଣି। ଏହା ଜଣାଶୁଣା ଯେ ପୃଥିବୀରେ କୋଇଲା, ପେଟ୍ରୋଲିଅମ୍‌, ଗ୍ୟାସ୍‌ ଆଦି ବ୍ୟବହାରରେ ଯେତେ ବୃଦ୍ଧି ଘଟିବ, ଗ୍ରୀନ୍‌-ହାଉସ୍‌ ଗ୍ୟାସ୍‌ ନିର୍ଗମନ ସେତେ ବୃଦ୍ଧି ପାଇବ। କିନ୍ତୁ ଦେଖାଯାଇଛି ୨୦୧୭ରେ ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୃଥିବୀରେ କୋଇଲାର ଚାହିଦାରେ ବୃଦ୍ଧି ଘଟିଛି। ଅପରପକ୍ଷେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ପୁଞ୍ଜିନିବେଶରେ ମଧ୍ୟ ବୃଦ୍ଧି ଘଟୁଛି। ଅନେକ ଦେଶରେ ପବନ ଓ ସୌର ଶକ୍ତି ଭଳି ଅକ୍ଷୟଶକ୍ତି କ୍ଷେତ୍ରକୁ ପ୍ରଦାନ କରାଯାଉଥିବା ସବ୍‌ସିଡିରେ ମଧ୍ୟ ହ୍ରାସ ଘଟିବା ଦେଖାଗଲାଣି। ସେହିପରି ଆଣବିକ ଶକ୍ତି ଜଳବାୟୁ-ଅନୁକୂଳ ହୋଇଥିଲେ ହେଁ ଅନେକ ଦେଶରେ ବିକିରଣ ଭୟ ଯୋଗୁଁ ଏହା ବିରୋଧରେ ଜନମତ ତୀବ୍ର ହୋଇଥାଏ। ଆମେରିକା ଭଳି ଏକ ପ୍ରମୁଖ ଗ୍ରୀନ୍‌-ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ ଦେଶ ପ୍ୟାରିସ୍‌ ଚୁକ୍ତିରୁ ଓହରି ଯାଇ ପରିସ୍ଥିତିକୁ ଆହୁରି ସଙ୍ଗିନ୍‌ କରିଛି।
ଉନ୍ନତ ପାଶ୍ଚାତ୍ୟ ଦେଶମାନେ ତଥାପି ଉତ୍ତପ୍ତୀକରଣ ନିୟନ୍ତ୍ରଣ ପାଇଁ ଯେତିକି ପଦକ୍ଷେପ ନେଉଛନ୍ତି (୨୦୧୭ରେ ବ୍ରିଟେନ୍‌ ତାର ପ୍ରଥମ କୋଇଲାମୁକ୍ତ ଦିନ ଦେଖିଲା)ବିକାଶଶୀଳ ଦେଶମାନଙ୍କରେ କୋଇଲା, ତୈଳ ଆଦି ଉପରେ ନିର୍ଭରଶୀଳତା ସେତେ ଦୃଢ଼ ହୋଇ ରହିବା ଦେଖାଯାଉଛି। ଉଦାହରଣ ସ୍ୱରୂପ ଭାରତରେ ୮୦% ବିଦ୍ୟୁତ୍‌ ଶକ୍ତି କୋଇଲାଭିତ୍ତିକ ଶକ୍ତିକେନ୍ଦ୍ରରେ ଉତ୍ପାଦିତ ହୋଇଥାଏ। ଦେଶର କେତେକ ଗରିବ ରାଜ୍ୟର ମୁଖ୍ୟ ସମ୍ବଳ ହେଉଛି କୋଇଲା। ବ୍ୟାଙ୍କ୍‌ମାନେ କୋଇଲା ଉଦ୍ୟୋଗୀମାନଙ୍କୁ ବିପୁଳ ଋଣ ପ୍ରଦାନ କରିଥାନ୍ତି। ଆମୋଦଦାୟକ ଭାବରେ ଚୀନ୍‌ର ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ବର୍ତ୍ତମାନ ପ୍ରାୟ ୧୦ ଲକ୍ଷ ବିଦ୍ୟୁତ୍‌ ଚାଳିତ କାର୍‌ ଚାଲୁଛି। କିନ୍ତୁ ସେମାନେ ବ୍ୟାଟେରି ଚାର୍ଜ କରିବାକୁ ବ୍ୟବହାର କରୁଥିବା ବିଦ୍ୟୁତ୍‌ ଶକ୍ତି କୋଇଲା ଜାଳୁଥିବା ଶକ୍ତିକେନ୍ଦ୍ରରୁ ଆସୁଥିବାରୁ ସେଥିଯୋଗୁଁ ଯେଉଁ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ ତାହା କେତେକ ପେଟ୍ରୋଲ ଚାଳିତ କାର୍‌ ଠାରୁ ମଧ୍ୟ ଅଧିକ। ଷ୍ଟିଲ୍‌, ସିମେଣ୍ଟ୍‌, ପରିବହନ, କୃଷି- ଏ ସବୁ କ୍ଷେତ୍ର ପୃଥିବୀର ଅଧା ଉତ୍ତାପ ସୃଷ୍ଟି କରିଥାନ୍ତି। ଏ ସବୁରେ ପ୍ରାବିଧିକ ପରିବର୍ତ୍ତନ ଘଟାଇ ଉତ୍ତପ୍ତୀକରଣ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସମ୍ବଳ ଆବଶ୍ୟକ। ଚୁକ୍ତି ପରେ ଚୁକ୍ତିରେ ପାଶ୍ଚାତ୍ୟ ଉନ୍ନତ ଦେଶମାନେ ବିକାଶଶୀଳ ଦେଶମାନଙ୍କୁ ସେ ସମ୍ବଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଆସୁଥିଲେ ହେଁ ସେଥିରୁ ବିଶେଷ ଫଳ ମିଳିନାହିଁ। ସେମାନେ ଏଥର ଅନୁଭବ କରିବା କଥା ଯେ ସେମାନେ ତଥାପି ଯଦି ସହଯୋଗର ମୁଣି ନ ଖୋଲନ୍ତି, ତେବେ ଅତୀତରେ ଖାଇଥିବା ଅଙ୍ଗାରର ପରିଣତି ଦାବାଗ୍ନିରୁ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.