ଆଦିମ ଅନୁପ୍ରବେଶ

ସ୍ୱାଧୀନଚେତା, ସ୍ପଷ୍ଟବାଦିନୀ ବାଂଲାଦେଶୀ ଲେଖିକା ତସ୍‌ଲିମା ନସ୍‌ରିନ୍‌ ନିଜ ଦେଶରେ ଇସ୍‌ଲାମୀୟ ମୌଳବାଦୀ ଜହ୍ଲାଦମାନଙ୍କର ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାଣ ଭୟରେ ପଳାଇ ଆସି ଭାରତରେ ନିର୍ବାସିତର ଜୀବନ ବିତାଉଛନ୍ତି। ଭାରତରେ ମଧ୍ୟ ମୁସଲମାନ ଭୋଟର୍‌ମାନଙ୍କର ତୁଷ୍ଟୀକରଣ ନିମିତ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଏହି ବିବଦମାନା ପଡ଼ୋଶିନୀଙ୍କୁ ନିଜ ରାଜ୍ୟରେ ଆଶ୍ରୟ ଦେବାକୁ ମନା କରି ଦେବାରୁ ତସ୍‌ଲିମା ବସ୍ତୁତଃ ଅବିଭକ୍ତ ବେଙ୍ଗଲ୍‌ରୁ ନିର୍ବାସିତ ହୋଇଛନ୍ତି ବୋଲି କୁହାଯାଇପାରେ। ଦୁଇ ଦୁଇ ଥର ଏଭଳି ନିର୍ବାସନର ଶିକାର ହୋଇଥିବା ଦେଶାନ୍ତରୀ ମୁସଲମାନ ତସ୍‌ଲିମାଙ୍କ ପକ୍ଷରେ ତେଣୁ ଆସାମରେ ବର୍ତ୍ତମାନ ଅବୈଧ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀ ଦେଶାନ୍ତରୀମାନଙ୍କର ସଂକଟ ହୃଦୟଙ୍ଗମ କରିବା ଯେପରି ସହଜ ଓ ସ୍ୱାଭାବିକ, ଅନ୍ୟ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସେପରି ନ ହୋଇପାରେ। ‘ଜାତୀୟ ନାଗରିକ ପଞ୍ଜିକା’ (ଏନ୍‌ଆର୍‌ସି) ସଂକଳନ ପ୍ରତି ତସ୍‌ଲିମାଙ୍କ ପ୍ରଥମ ପ୍ରତିକ୍ରିୟା ତେଣୁ ଯେଉଁଭଳି ଜଣେ ଦେଶାନ୍ତରୀର ମର୍ମବେଦନା ବହନ କରିଛି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗତ ସପ୍ତାହରେ ଟ୍ଵିଟ୍‌ କରି ସେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ତସ୍‌ଲିମାଙ୍କ ଟ୍ଵିଟ୍‌ ଥିଲା ଏହିପରି: ‘‘କୌଣସି ଲୋକଙ୍କୁ ଅବୈଧ ଦେଶାନ୍ତରବାସୀ ବୋଲି କହିବା ଉଚିତ ନୁହେଁ। ଯେଉଁ ବାଂଲାଦେଶୀ ଲୋକମାନେ ଅବୈଧ ଭାବରେ ଭାରତରେ ପ୍ରବେଶ କରନ୍ତି, ଭାରତୀୟ ଆଇନ ଆଧାରରେ ସେମାନଙ୍କ କାର୍ଯ ହେଉଛି ଅବୈଧ, ସେମାନେ କିନ୍ତୁ ‘ଅବୈଧ’ ନୁହନ୍ତି। ଆଦିମାନବ ମାନେ ଏକ ଅଧିକ ଉତ୍ତମ ଜୀବନ ପାଇଁ ଆଫ୍ରିକାରୁ ଏସିଆକୁ ଗମନ କରିଥିଲେ। ସେବେଠାରୁ ମନୁଷ୍ୟମାନେ ଗମନ କରିବାରେ ଲାଗିଛନ୍ତି। ଆମର ମାନବ ପୂର୍ବପୁରୁଷମାନେ ଅବୈଧ ନଥିଲେ।’’ ତସ୍‌ଲିମାଙ୍କ ଟ୍ଵିଟ୍‌ରେ ଥିବା ଇତିହାସ ନିର୍ଭୁଲ୍‌। ବିଜ୍ଞାନର ଭାଷାରେ ଆମେ ମାନବମାନେ ହେଉଛୁ ‘ହୋମୋ ସାପିଏନ୍‌ସ’। ପ୍ରାୟ ୨.୫ ନିୟୁତ ବର୍ଷ ତଳେ ବିବର୍ତ୍ତନ ପ୍ରକ୍ରିୟାରେ ମାଙ୍କଡ଼ ଠାରୁ ପୃଥକ୍‌ ହୋଇ ‘ହୋମୋ’ (ମାନବୀୟ) ଶ୍ରେଣୀର ଜୀବର ପ୍ରଥମ ଆବିର୍ଭାବ ଘଟିଲା ଆଫ୍ରିକାରେ। ସେମାନେ ପଥର ନିର୍ମିତ ଉପକରଣ ବ୍ୟବହାର କରିବା ଆରମ୍ଭ କଲେ। ପ୍ରାୟ ୨୦୦,୦୦୦ (ଦୁଇ ଲକ୍ଷ) ବର୍ଷ ତଳେ ପୂର୍ବ ଆଫ୍ରିକାରେ ତସ୍‌ଲିମାଙ୍କ ଆଦି ମାନବ ‘ହୋମୋ ସାପିଏନ୍‌ସ’ ପ୍ରଜାତିର ଆବିର୍ଭାବ ଘଟିଲା। ତସ୍‌ଲିମା କହିଥିବା ଭଳି ୭୦,୦୦୦ ବର୍ଷ ତଳେ ‘ହୋମୋ ସାପିଏନ୍‌ସ’ ମାନେ ଆଫ୍ରିକାରୁ ବାହାରି ଅନ୍ୟ ମହାଦେଶମାନଙ୍କରେ ଖେଳାଇ ହୋଇ ଯିବାରେ ଲାଗିଲେ।

ତସ୍‌ଲିମାଙ୍କ ଟ୍ଵିଟ୍‌ ପଢ଼ି କେହି କେହି ବିଶ୍ୱାସ କରିପାରନ୍ତି ଯେ ସତେ ଯେମିତି ଆଫ୍ରିକାରୁ ଆସିଥିବା ବହିରାଗତ ‘ହୋମୋ ସାପିଏନ୍‌ସ’ ମାନେ ଯେଉଁ ସ୍ଥାନରେ ପହଞ୍ଚିଲେ ସେଠାରେ ପୂର୍ବରୁ ବାସ କରୁଥିବା ଅନ୍ୟ ପ୍ରଜାତିର ‘ହୋମୋ’ମାନଙ୍କ ସହିତ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କଲେ। ଏଭଳି ଧାରଣାର ସତ୍ୟତା ପରଖିବା ପାଇଁ ଗୋଟିଏ ଉଦାହରଣ ବିଚାରକୁ ନିଆଯାଇପାରେ। ‘ହୋମୋ ସାପିଏନ୍‌ସ’ ମାନେ ଆଫ୍ରିକାରୁ ବାହାରକୁ ଆସିବାର ବହୁ ପୂର୍ବରୁ, ପ୍ରାୟ ୨ ନିୟୁତ ବର୍ଷ ତଳେ,  ଅନ୍ୟାନ୍ୟ ପ୍ରଜାତିର ‘ହୋମୋ’ମାନେ ଆଫ୍ରିକାରୁ ବାହାରି ଇଉରେସିଆ (ଇଉରୋପ୍‌ ଓ ମଧ୍ୟପ୍ରାଚ୍ୟ) ଅଞ୍ଚଳରେ ପହଞ୍ଚି ସାରିଥିଲେ। ପ୍ରାୟ ୫,୦୦,୦୦୦ (ପାଞ୍ଚ ଲକ୍ଷ) ବର୍ଷ ତଳେ ସେ ଅଞ୍ଚଳରେ ବିବର୍ତ୍ତନ ମାଧ୍ୟମରେ ସେମାନଙ୍କ ମଧ୍ୟରୁ ‘ନିଏଣ୍ଡାର୍‌ଥାଲ୍‌ସ’ ପ୍ରଜାତିର ଆବିର୍ଭାବ ଘଟିଥିଲା। ନୃତତ୍ତ୍ୱବିତ୍‌ମାନେ ସାବ୍ୟସ୍ତ କରିଛନ୍ତି  ଯେ ‘ନିଏଣ୍ଡାର୍‌ଥାଲ୍‌ସ’ଙ୍କର ଶରୀର ମାଂସପେଶୀବହୁଳ ଥିଲା, ସେମାନଙ୍କର ମସ୍ତିଷ୍କ ଆକାର ବଡ଼ ଥିଲା, ସେମାନେ ବିଭିନ୍ନ ଉପକରଣ ଓ ନିଆଁର ବ୍ୟବହାର ଜାଣିଥିଲେ, ଉତ୍ତମ ଶିକାରୀ ମଧ୍ୟ ଥିଲେ। ‘ହୋମୋ ସାପିଏନ୍‌ସ’ମାନେ ସେ ଅଞ୍ଚଳରେ ପହଞ୍ଚିବାର ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ସେଠାରେ ‘ନିଏଣ୍ଡାର୍‌ଥାଲ୍‌ସ’ମାନେ ଆତଯାତ ହେଉଥିଲେ ହେଁ, କ୍ରମେ କ୍ରମେ ‘ନିଏଣ୍ଡାର୍‌ଥାଲ୍‌ସ’ମାନଙ୍କ ସଂଖ୍ୟା ହ୍ରାସ ପାଇ ପାଇ ଶେଷରେ ପ୍ରାୟ ୩୦,୦୦୦ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ‘ନିଏଣ୍ଡାର୍‌ଥାଲ୍‌ସ’ମାନେ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଥିଲେ।

ଏପରି କାହିଁକି ଘଟିଲା? ଗୋଟିଏ ତତ୍ତ୍ୱ ଅନୁସାରେ ନବାଗତ ‘ହୋମୋ ସାପିଏନ୍‌ସ’ମାନେ ‘ନିଏଣ୍ଡାର୍‌ଥାଲ୍‌ସ’ମାନଙ୍କ ଠାରୁ ଅଧିକ ଚତୁର ଓ ସଂଘବଦ୍ଧ ଥିଲେ। ସେମାନେ ମଧ୍ୟ ଥିଲେ ଅଧିକ ଦକ୍ଷ ଶିକାରୀ ଓ ଫଳମୂଳ ସଂଗ୍ରହକାରୀ। ସେମାନେ ତେଣୁ ସଫଳତାର ସହିତ ନିଜର ପେଟ ଭର୍ତ୍ତି କରି ବଂଶବୃଦ୍ଧି କରିଚାଲିବା ବେଳେ ଖାଦ୍ୟାଭାବରେ ପଡ଼ି ନିଏଣ୍ଡାର୍‌ଥାଲ୍‌ସମାନଙ୍କର ସଂଖ୍ୟା ହ୍ରାସ ପାଇ ପାଇ ଶେଷରେ ଶୂନ୍ୟରେ ପହଞ୍ଚିଗଲା। ଅନ୍ୟ ଏକ ତତ୍ତ୍ୱ ଅନୁସାରେ ସୀମିତ ସମ୍ବଳ ପାଇଁ ପ୍ରତିଯୋଗିତା ଅଚିରେ ହିଂସାର ରୂପ ନେଲା। ଇତିହାସ ସାକ୍ଷୀ ଯେ ‘ହୋମୋ ସାପିଏନ୍‌ସ’ ମନୁଷ୍ୟ ହେଉଛି ଏକ ଅସହିଷ୍ଣୁ, ହିଂସ୍ର ଜୀବ। ଅନୁପ୍ରବେଶକାରୀ ‘ହୋମୋ ସାପିଏନ୍‌ସ’ମାନେ ତେଣୁ ମୂଳ ବାସିନ୍ଦା ‘ନିଏଣ୍ଡାର୍‌ଥାଲ୍‌ସ’ ଭଳି ଏକ ଭିନ୍ନ ମାନବୀୟ ପ୍ରଜାତିର ଉପସ୍ଥିତିକୁ ଆଦୌ ସହନ କରି ନଥିବେ। ସମ୍ବଳ ପାଇଁ ଲଢ଼େଇ ଆରମ୍ଭ କରି ସେମାନେ କ୍ରମେ ମୂଳବାସିନ୍ଦାମାନଙ୍କୁ ପରାସ୍ତ କରି ସମୂଳେ ନିପାତ କରିଦେଲେ। ତସ୍‌ଲିମାଙ୍କ ଭାଷାରେ ଯେଉଁ ଆଦିମାନବ  (ସାପିଏନ୍‌ସ) ମାନେ ଏକ ଅଧିକ ଉତ୍ତମ ଜୀବନ ସନ୍ଧାନରେ ଆଫ୍ରିକାରୁ ଇଉରେସିଆ ଗମନ କରିଥିଲେ ସେମାନେ ଇଉରେସିଆର ମୂଳବାସିନ୍ଦା ମାନବ (ନିଏଣ୍ଡାର୍‌ଥାଲ୍‌ସ)ମାନଙ୍କର ସମୂଳ ବିନାଶ ସାଧନ କରିଥିଲେ।

ଭାରତର ଆସାମ, ପଶ୍ଚିମବଙ୍ଗ ଓ ଅନ୍ୟ କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଠିକ୍‌ ଏଇଭଳି ତସ୍‌ଲିମା ନିଜ ଅଜାଣତରେ ସୂଚାଇଥିବା ପ୍ରାଗୈତିହାସିକ ସଂଘାତ ବିଗତ କେତେ ଦଶନ୍ଧି ଧରି ଅଭିନୀତ ହେବାରେ ଲାଗିଛି। ଏହି ସମ୍ବାଦପତ୍ରର ମଙ୍ଗଳବାର ସଂସ୍କରଣରେ ପ୍ରକାଶିତ ବିପିନ ବିହାରୀ ମିଶ୍ରଙ୍କର ଚମତ୍କାର ତଥ୍ୟଭିତ୍ତିକ ଅନୁଶୀଳନରୁ ଯେଉଁ ଚିତ୍ରର ଆବିର୍ଭାବ ଘଟିଥାଏ ତାହା ୩୦,୦୦୦ ବର୍ଷ ତଳେ ଇଉରେସିଆରେ ନିଏଣ୍ଡାର୍‌ଥାଲ୍‌ସମାନେ ଭୋଗିଥିବା ଅନ୍ତିମ ଦଶାକୁ ପୁନରୁଜ୍ଜୀବିତ କରିଥାଏ। ମିଶ୍ରଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ୧୯୫୦ରୁ ୨୦୦୧ ମଧ୍ୟରେ ପଶ୍ଚିମ ବଙ୍ଗରେ ହିନ୍ଦୁଙ୍କ ସଂଖ୍ୟାରେ ୧୯୮.୫୪% ବୃଦ୍ଧି ଘଟିଥିବା ବେଳେ ମୁସଲମାନ ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା ୩୧୦.୧୩%। କଲିକତା, ମେଦିନୀପୁର, ବୀରଭୂମ, ମାଲଦା, ଦୀନାଜପୁର, ମୁର୍ସିଦାବାଦରେ ମୁସଲମାନ ଜନସଂଖ୍ୟାରେ ବିସ୍ଫୋରକ ବୃଦ୍ଧି ଘଟିଛି। ମେଘାଳୟର ଘାସୁଆପୁରା, ରାଜବାଳା ଜିଲ୍ଲାରେ ବହୁ ବାଂଲାଦେଶୀ ଅଛନ୍ତି ଓ ତୁରା ଅଞ୍ଚଳରେ ବ୍ୟବସାୟ ସେମାନଙ୍କ ହାତକୁ ଚାଲିଗଲାଣି ବୋଲି ନିବନ୍ଧରେ ସୂଚାଇ ଦିଆଯାଇଛି। ଗାରୋ, ଜୟନ୍ତୀୟା କୋଇଲା ଖଣି ଗୁଡ଼ିକର ଅଧିକାଂଶ ଶ୍ରମିକ ହେଉଛନ୍ତି ବାଂଲାଦେଶୀ। ଆସାମ ଅବସ୍ଥା ହେଉଛି ସବୁଠାରୁ ବିପଜ୍ଜନକ। ଜନଗଣନା ପରିସଂଖ୍ୟାନ ବ୍ୟବହାର କରି ମିଶ୍ର ଦର୍ଶାଇଛନ୍ତି ଯେ ୨୦୦୧ରେ ସେ ରାଜ୍ୟର ଜନସଂଖ୍ୟାରେ ମୁସଲମାନ ମାନଙ୍କର ଅନୁପାତ ଥିଲା ୩୦.୯%। ୧୯୯୮ରେ ଆସାମ ରାଜ୍ୟପାଳ ଜେନେରାଲ୍‌ ଏସ୍‌ କେ ସିହ୍ନା ପ୍ରସ୍ତୁତ କରିଥିବା ରିପୋର୍ଟକୁ ସେ ଉଦ୍ଧାର କରି ଦର୍ଶାଇଛନ୍ତି ଯେ ୧୯୭୧ ରୁ ୧୯୯୭ ମଧ୍ୟରେ ଆସାମରେ ମୁସଲମାନ ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା  ୭୭.୪୨%। ଆସାମର ଛ’ଟି  ଜିଲ୍ଲାରେ ଏହା ଫଳରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଗଲେଣି! ଆଦିମ ଅନୁପ୍ରବେଶକାରୀ ସାପିଏନ୍‌ସଙ୍କ ଭଳି ନିଜର ବଂଶ ବୃଦ୍ଧି କରି ନିର୍ବାଚନରେ ମୁସଲମାନ ଭୋଟରମାନେ ଏକ ନିର୍ଣ୍ଣାୟକ ସ୍ଥାନ ଦଖଲ କରି ସାରିଲେଣି, ଯେଉଁଥିପାଇଁ ମମତା ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କ ପରି ନେତାମାନେ ମୂଳବାସିନ୍ଦା ମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅନୁପ୍ରବେଶକାରୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀ ‘ହୋମୋ ସାପିଏନ୍‌ସ’ ମାନଙ୍କ ହାତରେ ବର୍ତ୍ତମାନ ମୂଳବାସିନ୍ଦାମାନଙ୍କୁ ପଦାନତ କରିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ବ୍ୟାଲଟ୍‌, ଅର୍ଥାତ୍‌ ଭୋଟ୍‌।

ତସ୍‌ଲିମା ନସରିନ୍‌ ବୋଧହୁଏ ପରେ ନିଜର ଭୁଲ ବୁଝି ପାରିଛନ୍ତି। କାରଣ ସେ ଆଉ ଏକ ଟ୍ଵିଟ୍‌ କରି କହିଛନ୍ତି: ‘‘ଭାରତରେ ଯଥେଷ୍ଟ ମୁସଲମାନ ଅଛନ୍ତି। ଭାରତ ପଡ଼ୋଶୀ ଦେଶମାନଙ୍କରୁ ଆଉ ଅଧିକ ମୁସଲମାନ ଆବଶ୍ୟକ କରେନା। କିନ୍ତୁ ସମସ୍ୟା ହେଲା, ଭାରତୀୟ ରାଜନେତାମାନେ ସେମାନଙ୍କୁ ଆବଶ୍ୟକ କରନ୍ତି।’’ କଠୋର ସତ୍ୟ।

ସମ୍ବନ୍ଧିତ ଖବର